Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 24-27

ପାତ୍ର ଓ ମାଂସ

24 ଅନନ୍ତର ନବମ ବର୍ଷର ଦଶମ ମାସର ଦଶମ ଦିନରେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଆଜିର ତାରିଖ ଲେଖି ରଖ। ‘ଏହି ଦିନରେ ବାବିଲର ରାଜା ଯିରୁଶାଲମକୁ ଅବରୋଧ କରିବାକୁ ଅଗ୍ରସର ହେଲା।’ ଏହି ବିଦ୍ରୋହୀ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ନୀତିଗଳ୍ପ କୁହ। ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି,

“‘ହଣ୍ଡା ନିଆଁରେ ବସାଅ
    ଓ ତାହା ମଧ୍ୟରେ ପାଣି ଢାଳି ଦିଅ।
ଉତ୍ତମ ମାଂସ ଖଣ୍ଡ ସବୁ ଯଥା:
    ଉରୁ ଓ ସ୍କନ୍ଧ ତହିଁ ମଧ୍ୟରେ ରଖ
ଓ ଭଲ ଅସ୍ଥିରେ ତାହା ପୂର୍ଣ୍ଣ କର।
    ପଲ ମଧ୍ୟରୁ ଏକ ମେଷ ବାଛ।
ହଣ୍ଡାତଳ ଜାଳେଣି ଦିଅ।
    ମାଂସକୁ ଉତ୍ତମରୂପେ ସିଦ୍ଧ କର
    ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।’

“‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
ଯିରୁଶାଲମ, ଏକ ରକ୍ତାକ୍ତ ନଗରୀ।
    ସେହି ହଣ୍ଡା, ଯାହା ମଧ୍ୟରେ କଳଙ୍କ ରହିଛି
ଓ ଯାହାର କଳଙ୍କ ତା’ ମଧ୍ୟରୁ ଦୂର ହୋଇ ନାହିଁ।
    ପାତ୍ର ମଧ୍ୟରୁ ପ୍ରତ୍ୟେକ ମାଂସ ଖଣ୍ଡ ବାହାର କର।
କ’ଣ ଖାଇବାକୁ ହେବ ଓ କ’ଣ ଖାଇବାକୁ ନ ହେବ ସେଥିପାଇଁ ଗୁଲିବାଣ୍ଟ କର ନାହିଁ,
    ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରିଦିଅ।
କାରଣ ସେହି ରକ୍ତ ପାତ୍ର ମଧ୍ୟରେ ଅଛି।
    ଯିରୁଶାଲମ ଏହାକୁ ପଥର ଚଟାଣ ଉପରେ ଢାଳିଲା,
ସେ ଧୂଳି ଭୂମିରେ ନୁହେଁ,
    ଯେଉଁଠାରେ ଧୂଳି ଆଚ୍ଛାଦିତ ହେବ।
ସେ ରକ୍ତ ପ୍ରତିଶୋଧ ନେବା ପାଇଁ
    ଯେପରି ଲୋକମାନଙ୍କର କ୍ରୋଧ ଜାଗ୍ରତ କରିବ,
ଏଥିପାଇଁ ତାକୁ ଆଚ୍ଛାଦିତ ନ କରି
    ଶୁଷ୍କ ତୈଳ ଉପରେ ତାହା ରଖିଅଛୁ।

“‘ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି,
ସେହି ରକ୍ତପୂର୍ଣ୍ଣ ନଗରୀ ସହିତ ଏହା ଖରାପ ହେବାକୁ ଯାଉଛି।
    ମୁଁ ନିଆଁ ପାଇଁ ପ୍ରଚୁର କାଠ ସଜାଇବି।
10 ପାତ୍ର ତଳେ ପ୍ରଚୁର କାଠ ଗଦା କରି
    ଅଗ୍ନି ସଂଯୋଗ କର।
ମାଂସ ଉତ୍ତମ ରୂପେ ସିଦ୍ଧ କର ଓ ମସଲା ମିଶାଅ।
    ଅସ୍ଥିସବୁ ଦ‌ଗ୍‌ଧ କର।
    ଯେପର୍ଯ୍ୟନ୍ତ ସେମାନେ ପୋଡ଼ିଯାଇ ନାହାନ୍ତି।
11 ଖାଲି ହଣ୍ଡାକୁ ଜ୍ୱଳନ୍ତ ଅଙ୍କାର ଉପରେ ରଖ।
    ତହିଁରେ ହଣ୍ଡା ଉତ୍ତପ୍ତ ହେବ ଓ ପିତ୍ତଳ ଉତ୍ତପ୍ତ ଦ‌ଗ୍‌ଧ ହେବ।
ତେଣୁ ଅଶୌଚ ତରଳି ଯିବ
    ଓ କଳଙ୍କ ଉଭେଇଯିବ।

12 “‘ଅତିରିକ୍ତ ‘ମଇଳା’
    ଏଥିରୁ ବାହାରି ଆସିବ ନାହିଁ।
କେବଳ ଅଗ୍ନି କଳଙ୍କକୁ ପୋଡ଼ିବ।

13 “‘ତୁମ୍ଭର ପାପ ତୁମ୍ଭକୁ
    ଅଶୌଚ କରେ।
ମୁଁ ତୁମ୍ଭକୁ ଶୁଚି କଲେ ହେଁ
    ତୁମ୍ଭେ ଶୁଚି ହେଲ ନାହିଁ।
ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ,
    ମୁଁ ମୋର କ୍ରୋଧ ତୁମ୍ଭ ବିରୁଦ୍ଧରେ ପଠାଇବି।

14 “‘ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହେବ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫେରିବି ନାହିଁ କିମ୍ବା ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ୟ କରିବି ନାହିଁ। ମୁଁ ତୁମ୍ଭର ବିଗ୍ଭର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି। ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।’”

ଯିହିଜିକଲଙ୍କ ସ୍ତ୍ରୀର ମୃତ୍ୟୁ

15 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭର ପ୍ରିୟତମା ପତ୍ନୀକୁ ହଠାତ୍ ନେଇଯିବି। ସେ ମରିଯିବ କିନ୍ତୁ ତୁମ୍ଭେ ତା’ ପାଇଁ ଶୋକ କରିବ ନାହିଁ କିମ୍ବା କ୍ରନ୍ଦନ କରିବ ନାହିଁ। ତୁମ୍ଭ ଚକ୍ଷୁରୁ ଲୁହ ନ ପଡ଼ୁ। 17 ଦୁଃଖରେ ଦୀର୍ଘ ନିଶ୍ୱାସ ଛାଡ଼, ମାତ୍ର ଉଚ୍ଚ ସ୍ୱରରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମୋଦିତ ଖାଦ୍ୟ ଖାଅ ନାହିଁ।”

18 ମୁଁ ପ୍ରାତଃକାଳରେ ପରମେଶ୍ୱରଙ୍କ ବାକ୍ୟ ଲୋକମାନଙ୍କୁ କହିଲି। ପୁଣି ସନ୍ଧ୍ୟାବେଳେ ମୋର ପତ୍ନୀ ମଲା। ପରଦିନ ପ୍ରାତଃକାଳରେ ମୁଁ ପରମେଶ୍ୱରଙ୍କ ଆଜ୍ଞାନୁସାରେ କର୍ମ କଲି। 19 ତହୁଁ ଲୋକମାନେ ମୋତେ କହିଲେ, “ଏସବୁ ତୁମ୍ଭେ କାହିଁକି କରୁଅଛ? ଏହାର ଅର୍ଥ ଆମ୍ଭମାନଙ୍କୁ ବୁଝାଇବ କି?”

20 ସେତେବେଳେ ମୁଁ ସେମାନଙ୍କୁ କହିଲି, “ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ ମୋତେ କହିଲେ, 21 ଇସ୍ରାଏଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ମୁଁ ମୋର ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଗ୍ଭହଁ ଏବଂ ଯାହା ତୁମ୍ଭର ଅତି ପ୍ରିୟ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ରକନ୍ୟାଗଣଙ୍କୁ ପଛରେ ଛାଡ଼ି ଯାଇଅଛ, ସେମାନେ ‌‌ଖ‌ଡ଼୍‌ଗରେ ପତିତ ହେବେ। 22 ତୁମ୍ଭେମାନେ ମଧ୍ୟ ସେହିପରି ଜିନିଷଗୁଡ଼ିକ ମୁଁ କଲାପରି କରିବ, ତୁମ୍ଭେମାନେ ନିଜ ନିଜ ନିଶ[a] ଆଚ୍ଛାଦନ କରିବ ନାହିଁ କିମ୍ବା ଶୋକକାରୀମାନଙ୍କର ପ୍ରଥାନୁମୋଦିତ ଖାଦ୍ୟ ଖାଇବ ନାହିଁ। 23 ଏବଂ ତୁମ୍ଭେମାନେ ତୁମ୍ଭର ମସ୍ତକରେ ଶିରୋଭୂଷଣ ଆଚ୍ଛାଦନ କରିବ, ଜୋତା ପିନ୍ଧିବ। ତୁମ୍ଭେମାନେ ତୁମ୍ଭର ଶୋକ ପ୍ରକାଶ କରିବ ନାହିଁ, କ୍ରନ୍ଦନ କରିବ ନାହିଁ। କିନ୍ତୁ ତୁମ୍ଭେମାନେ ନିଜ ନିଜ ପାପ ଯୋଗୁଁ କ୍ଷୟ ହୋଇଯିବ। ଜଣେ ଅନ୍ୟ ନିକଟରେ ନୀରବରେ ବିଳାପ କରିବ। 24 ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ସେ ଯାହାକିଛି କଲେ ତୁମ୍ଭେମାନେ କରିବ। ଏହା ଯେତେବେଳେ ଘଟିବ, ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।’”

25-26 “ହେ ମନୁଷ୍ୟ ପୁତ୍ର, ଯେଉଁ ଦିନ ମୁଁ ସେମାନଙ୍କର ବଳ, ଗୌରବ, ଆନନ୍ଦ ଓ ନୟନର ଖୁସୀ, ସେମାନେ ଭଲ ପାଉଥିବା ସ୍ଥାନ, ସେମାନଙ୍କର ସନ୍ତାନଗଣଙ୍କୁ ସେମାନଙ୍କଠାରୁ ନେଇଯିବି, ସେହି ଦିନ ସେହି ଦୁଃସମ୍ବାଦ ତୁମ୍ଭର କର୍ଣ୍ଣଗୋଚର କରାଇବା ନିମନ୍ତେ ଏକ ଉତ୍ତରାଧିକାରୀ ତୁମ୍ଭ ନିକଟକୁ ଆସିବ। 27 ସେଦିନ ସେହି ଉତ୍ତରାଧିକାରୀ ଲୋକ ନିକଟରେ ତୁମ୍ଭର ମୁଖ ଫିଟିଯିବ ଓ ତୁମ୍ଭେ ଆଉ ନୀରବ ନ ରହି କଥା କହିବ। ଏହିରୂପେ ତୁମ୍ଭେ ସେମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହେବ ଏବଂ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”

ଅମ୍ମୋନ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା

25 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଅମ୍ମୋନ ଲୋକମାନଙ୍କ ଆଡ଼େ ଗ୍ଭହଁ ଏବଂ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର। ଏବଂ ଅମ୍ମୋନ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ସଦାପ୍ରଭୁ, ମୋର ପ୍ରଭୁଙ୍କର ବାକ୍ୟ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇସ୍ରାଏଲ ଦେଶ ଧ୍ୱଂସିତ ହେଲା ବେଳେ ଓ ଯିହୁଦୀୟ ଲୋକମାନେ ନିର୍ବାସିତ ହେଲେ। ତେଣୁ ମୁଁ ତୁମ୍ଭମାନଙ୍କୁ ପୂର୍ବ ଦେଶୀୟ ସନ୍ତାନଗଣଙ୍କୁ ସମ୍ପତ୍ତି ରୂପେ ହସ୍ତରେ ସମର୍ପଣ କରିବି। ଏବଂ ସେମାନେ ତୁମ୍ଭମାନଙ୍କ ମଧ୍ୟରେ ଛାଉଣି ସ୍ଥାପନ କରିବେ ଓ ତୁମ୍ଭମାନଙ୍କ ମଧ୍ୟରେ ନିଜ ନିଜ ବାସସ୍ଥାନ ନିର୍ମାଣ କରିବେ। ସେମାନେ ମଧ୍ୟ ତୁମ୍ଭମାନଙ୍କର ଫଳ ଭୋଜନ କରିବେ ଓ ତୁମ୍ଭମାନଙ୍କର ଦୁ‌ଗ୍‌ଧ ପାନ କରିବେ।

“‘ଆଉ ମୁଁ ରବ୍ବାକୁ ଓଟମାନଙ୍କର ଗ୍ଭରଣଭୂମି କରିବି ଓ ଅମ୍ମୋନ ଲୋକମାନଙ୍କୁ ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବି। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। କାରଣ ସଦାପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭେ ଇସ୍ରାଏଲ ଦେଶର ଦୁର୍ଭାଗ୍ୟ ସମୟରେ କରତାଳି ଦେଇଅଛ, ପଦାଘାତ କରିଅଛ ଏବଂ ଇସ୍ରାଏଲକୁ ଘୃଣାକରି ଆନନ୍ଦ ଅନୁଭବ କରିଅଛ। ଏଣୁ ମୁଁ ତୁମ୍ଭ ବିରୁଦ୍ଧରେ ହସ୍ତ ବିସ୍ତାର କରିଅଛି। ଲୁଣ୍ଠିତ ଦ୍ରବ୍ୟ ରୂପେ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ତୁମ୍ଭକୁ ହସ୍ତାନ୍ତର କରିବି। ମୁଁ ଅନ୍ୟ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ପୃଥକ କରିବି ଓ ଦେଶର ମାନଚିତ୍ରରୁ ମୁଁ ତୁମ୍ଭକୁ ପୋଛି ଦେବି। ଆଉ ମୁଁ ତୁମ୍ଭକୁ ଧ୍ୱଂସ କରିବି। ତେଣୁ ଏହା ତୁମ୍ଭେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

ମୋୟାବ ଓ ସେୟୀର ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା

ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ମୋୟାବ ଓ ସେୟୀର କହୁଅଛନ୍ତି, ‘ଦେଖ ଯିହୁଦା ପରିବାର ଅନ୍ୟ ସକଳ ଜାତିମାନଙ୍କ ତୁଲ୍ୟ।’ ମୁଁ ମୋୟାବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମୋୟାବ ମହିମା ସ୍ୱରୂପ ଯଥା: ବୈତ୍-ଯିଶୀମୋତ୍, ବାଲ-ମିୟୋନ ନଗରଗୁଡ଼ିକୁ ନେଇଯିବି। 10 ମୁଁ ସେହି ନଗରଗୁଡ଼ିକୁ ପୂର୍ବଦେଶୀୟ ଲୋକମାନଙ୍କୁ ହସ୍ତାନ୍ତର କରିବି। ଯେଉଁମାନେ ଅମ୍ମୋନୀୟମାନଙ୍କୁ ଅତିକ୍ରମ କରିବେ। ତେଣୁକରି ଅମ୍ମୋନୀୟମାନେ ଏକ ଗୋଷ୍ଠୀ ବୋଲି ଆଉ ସ୍ମରଣ କରାଯିବ ନାହିଁ। 11 ତେଣୁ ମୁଁ ମୋୟାବକୁ ଦଣ୍ଡ ଦେବି। ତହୁଁ ସେମାନେ ଜାଣିବବେ ଯେ ମୁଁ ସଦାପ୍ରଭୁ ଅଟେ।”

ଇଦୋମ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା

12 ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “କାରଣ ଇଦୋମ ଯିହୁଦା ଉପରେ ପ୍ରତିଶୋଧ ନେଇଛି ଏବଂ ତାହା କରି ଦୋଷୀ ହୋଇଛି।” 13 ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଇଦୋମ ବିପକ୍ଷରେ ମୋର ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ୟରୁ ମନୁଷ୍ୟ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମ‌‌‌ନ୍‌‌‌ଠାରୁ ଦଦାନ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କରିବି। 14 ପୁଣି ମୁଁ ମୋର ଲୋକ ଇସ୍ରାଏଲୀୟମାନଙ୍କ ଦ୍ୱାରା ଇଦୋମ ଉପରେ ପ୍ରତିଶୋଧ ନେବି। ତେଣୁ ସେମାନେ ଇଦୋମ ଉପରେ ମୋର କ୍ରୋଧ ଓ ମୋର କୋପ ଅନୁସାରେ ପ୍ରତିଶୋଧ ନେବି। ସେତେବେଳେ ସେମାନେ ଆମ୍ଭ ଦତ୍ତ ପ୍ରତିଶୋଧ ବିଷୟରେ ଜାଣିବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାର୍ତ୍ତା

15 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ପଲେଷ୍ଟୀୟ ଲୋକମାନେ ପ୍ରତିଶୋଧ ନେଲେ ଏବଂ ତାହା ଈର୍ଷାପରାୟଣ ହୃଦୟରେ କଲେ, ପୁରୁଣା ଶତ୍ରୁତା କାରଣରୁ ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ଗ୍ଭହିଁଲେ।” 16 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଦେଖ, ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ମୋର ହସ୍ତ ବିସ୍ତାର କରିବି। ଆଉ ମୁଁ କରେଥୀୟ ଲୋକମାନଙ୍କୁ ବିତାଡ଼ିତ କରିବି ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଧ୍ୱଂସ କରିବି। 17 ମୋର କ୍ରୋଧଦ୍ୱାରା ସେମାନଙ୍କୁ ଦଣ୍ଡିତ କରି ମୁଁ ସେମାନଙ୍କ ବିରୁଦ୍ଧରେ କଠୋର ପ୍ରତିଶୋଧ ନେବି ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ଉପରେ ପ୍ରତିଶୋଧ ନେଲି।”

ସୋର ବିଷୟରେ ଏକ ଦୁଃସମ୍ବାଦ

26 ଅନନ୍ତର ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, କାରଣ ସୋର ଯିରୁଶାଲମର ଦୁର୍ଭାଗ୍ୟ ସମୟରେ ଏହା କହି ପରିହାସ କରିଛି, କହିଛି: ‘ଜୟଧ୍ୱନିରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମୋ’ ପାଇଁ ଖୋଲି ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।’”

ତେଣୁ ମୋର ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଓ ସମୁଦ୍ର ତରଙ୍ଗ ଯେପରି କୂଳକୁ ଲଙ୍ଘନ କରେ ଆମ୍ଭେ ସେହିପରି ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀକି ଉଠାଇବା।

“ସେମାନେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ। ମୁଁ ମଧ୍ୟ ତାହାର ଧୂଳିସବୁ ଉଡ଼େଇ ଦେବି ଓ ତାକୁ ଶୁଷ୍କ ତୈଳ କରିବି। ସୋର ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ; କାରଣ ମୋର ପ୍ରଭୁ ସଦାପ୍ରଭୁ କହନ୍ତି,” ମୁଁ ଏହା କରିଅଛି। “ଆଉ ସେ ଗୋଷ୍ଠୀମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବେ। ପୁଣି କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”

ନବୂଖ‌ଦ୍‌ନିତ୍ସରଙ୍କ ସୋର ବିରୁଦ୍ଧରେ ଯୁଦ୍ଧ ଅଭିଯାନ

ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଉତ୍ତର ଦିଗରୁ ନବୂଖ‌ଦ୍‌ନିତ୍ସରଙ୍କୁ ସୋର ବିରୁଦ୍ଧରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ୱରଥ, ଅଶ୍ୱାରୋହୀ, ସମାଜ ଓ ବିପୁଳ ସୈନ୍ୟବାହିନୀ ସହ ଆସିବେ। ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣଙ୍କୁ ହତ୍ୟା କରିବ (ଛୋଟ ସହରରେ)। ସେ ତୁମ୍ଭ ବିରୁଦ୍ଧରେ ଅପରାଧ କାର୍ଯ୍ୟ କରିବ। ଏବଂ ସେ ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ। ଏବଂ ସେ ତୁମ୍ଭ ପ୍ରାଚୀରଗୁଡ଼ିକୁ ଭାଙ୍ଗିବା ପାଇଁ ବଡ଼ କାଠଗଣ୍ଡି ବ୍ୟବହାର କରିବ। ଓ ତାଙ୍କର ଶକ୍ତିଶାଳୀ ଅସ୍ତ୍ରଗୁଡ଼ିକ ଦ୍ୱାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ। 10 ତାହାର ବିପୁଳ ପରିମାଣର ଅଶ୍ୱ ହେତୁ ଧୂଳିରେ ତୁମ୍ଭେ ଆଚ୍ଛାଦିତ ହେବ। ଯେତେବେଳେ ସେମାନେ ତୁମ୍ଭ ନଗର ଦ୍ୱାରରେ ପ୍ରବେଶ କରିବେ, ସେତେବେଳେ ଅଶ୍ୱାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସେମାନେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହେବ। 11 ବାବିଲର ରାଜାଙ୍କର ଅଶ୍ୱମାନେ ତୁମ୍ଭର ସମସ୍ତ ପଥଗୁଡ଼ିକ ପାଦରେ ଦଳି ଦେବେ। ସେମାନଙ୍କର ଖୁରାଗୁଡ଼ିକ ସେମାନଙ୍କ ଉପରେ ଆଘାତ କରି ଆସିବ। ସେ ତୁମ୍ଭ ଲୋକମାନଙ୍କୁ ତାଙ୍କ ‌‌ଖ‌ଡ଼୍‌ଗରେ ହତ୍ୟା କରିବେ ଓ ତୁମ୍ଭର ଶକ୍ତିଶାଳୀ ସ୍ତମ୍ଭଗୁଡ଼ିକୁ ଧୂଳିସାତ୍ ହେବ। 12 ପୁଣି ସେମାନେ ତୁମ୍ଭର ସମ୍ପଦସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ। ଆଉ ମଧ୍ୟ ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ରମଣୀୟ ଗୃହଗୁଡ଼ିକୁ ଧ୍ୱଂସ କରିବେ। ପୁଣି ସେମାନେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳିସବୁ ନେଇ ସମୁଦ୍ର ଜଳରେ ନିକ୍ଷେପ କରିବେ। 13 ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ଦ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ୱନି ଆଉ ଶୁଣିବାକୁ ଦେବି ନାହିଁ। 14 ଏବଂ ମୁଁ ତୁମ୍ଭକୁ ଏକ ଶୁଷ୍କ ଶୈଳରେ ପରିଣତ କରିବି। ତୁମ୍ଭେ ସମୁଦ୍ର ତୀରସ୍ଥ ଏକ ଜାଲ ପ୍ରସାରିତ ହେବାର ସ୍ଥାନ ହେବ। ତୁମ୍ଭର ଆଉ ପୁନଃନିର୍ମାଣ ହେବ ନାହିଁ କାରଣ ମୁଁ ସଦାପ୍ରଭୁ ଏହା କହିଅଛି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

ଅନ୍ୟ ଗୋଷ୍ଠୀଗଣ ସୋର ପାଇଁ ବିଳାପ କରିବେ

15 ମୋର ପ୍ରଭୁ, ସଦାପ୍ରଭୁ ସୋରରୁ ଏହି କଥା କହନ୍ତି, “ତୁମ୍ଭର ପତନର ଶବ୍ଦରେ ଭୂମଧ୍ୟସାଗରସ୍ଥ ଦ୍ୱୀପସମୂହ କମ୍ପିତ ହେବ। ଏହା ଘଟିବ ଯେତେବେଳେ ଆହତ ଲୋକମାନେ ଭୟରେ ବିଳାପ କରିବେ ଓ ସେମାନଙ୍କୁ ସଂହାର କରାଯିବ। 16 ସେହି ସମୟରେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ସିଂହାସନରୁ ଓହ୍ଲାଇ ଆସିବେ। ନିଜ ନିଜ ଗ୍ଭେଗା ତ୍ୟାଗ କରି ଶିଳ୍ପ କର୍ମର ସୁନ୍ଦର ବସ୍ତ୍ର ସେମାନେ ଫିଟାଇ ପକାଇବେ। ଆଉ ସେମାନେ ‘ଭୀତିମୂଳକ ବସ୍ତ୍ର’ ପରିଧାନ କରିବେ ଓ ଭୂମିରେ ବସିବେ। ଏବଂ ସେମାନେ ଭୟଭୀତ ହେବେ ଓ ତୁମ୍ଭ ବିଷୟରେ ବିସ୍ମିତ ହେବେ। 17 ଏବଂ ସେମାନେ ତୁମ୍ଭ ପାଇଁ ଏକ ବିଳାପ ସଙ୍ଗୀତ ଗାନ କରି ତୁମ୍ଭକୁ ସମ୍ବୋଧନ କରିବେ,

“‘ହେ ପ୍ରସିଦ୍ଧ ନଗରୀ ସୋର,
    ତୁମ୍ଭେ ସମୁଦ୍ରକୂଳ ଲୋକମାନଙ୍କର ବାସସ୍ଥାନ।
ତୁମ୍ଭେ ସମୁଦ୍ରର ମହାଶକ୍ତି ଥିଲ।
    ତୁମ୍ଭେ ଓ ତୁମ୍ଭର ନାଗରିକଗଣ ଏଠାରେ ବାସ କରୁଥିବା ସମସ୍ତଙ୍କୁ ଭୟଭୀତ କଲ।
18 ବର୍ତ୍ତମାନ ତୁମ୍ଭର ପତନ ସମୟରେ
    ସମସ୍ତ ଦ୍ୱୀପଗୁଡ଼ିକ କମ୍ପିତ ହେବେ।
ଏବଂ ତୁମ୍ଭର ନିର୍ବାସିତ ପ୍ରବେଶ କରିବା ସମୟରେ
    ସମୁଦ୍ରର ଦ୍ୱୀପପୁଞ୍ଜ ଆନନ୍ଦରେ ବିହ୍ୱଳ କରେ।’”

19 କାରଣ ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ହେ ସୋର, ତୁମ୍ଭେ ନିବାସହୀନ ଧ୍ୱସ୍ତ ନଗର ହେବ। ଆମ୍ଭେ ସମୁଦ୍ର ଜଳରାଶି ତୁମ୍ଭ ଉପରେ ପ୍ରବାହିତ କରାଇବା ଓ ଗଭୀର ଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ। 20 ମୁଁ ତୁମ୍ଭକୁ ମୃତ ଲୋକମାନଙ୍କର ଗଭୀର ଗର୍ତ୍ତ ମଧ୍ୟକୁ ପଠାଇବି। ତୁମ୍ଭେ ମୃତ୍ୟୁର ଭାଗୀଦାର ହେବ। ପୃଥିବୀର ନିମ୍ନଭାଗରେ ଥିବା ବୃଦ୍ଧଙ୍କ ପରି ଶୂନ୍ୟ ସହରଗୁଡ଼ିକର ଲୋକମାନଙ୍କ ମଧ୍ୟରେ ଯିଏ କବର ତଳକୁ ଯାଏ, ମୁଁ ତୁମ୍ଭମାନଙ୍କୁ ବାସ କରାଇବି। ତୁମ୍ଭ ସହିତ କେହି ବାସ କରିବେ ନାହିଁ। ତୁମ୍ଭେ ଜୀବିତମାନଙ୍କର ଭୂମିକୁ କେବେ ଫେରିବ ନାହିଁ। 21 ତୁମ୍ଭ ଅବସ୍ଥା ଦେଖି ଅନ୍ୟମାନେ ଭୟଭୀତ ହେବେ। ତୁମ୍ଭର ବିନାଶ ଘଟିବ। ତୁମ୍ଭକୁ ଅନ୍ୱେଷଣ କଲେ ମଧ୍ୟ ସେମାନେ ତୁମ୍ଭକୁ ପାଇବେ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

ସୋର, ସମୁଦ୍ରର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର

27 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସୋର ପାଇଁ ବିଳାପ କର। “ସମୁଦ୍ର ଉପକୂଳବର୍ତ୍ତୀ ବହୁ ଲୋକଙ୍କ ସହିତ ବାଣିଜ୍ୟ କରୁଥିବା, ‘ସମୁଦ୍ରର ଦ୍ୱାର’ ସୋରକୁ କୁହ:

“ହେ ସୋର, ତୁମ୍ଭେ କହିଅଛ,
    ମୁଁ ପରମ ସୁନ୍ଦରୀ।
ଭୂମଧ୍ୟସାଗର ତୁମ୍ଭର ଚତୁର୍ଦ୍ଦିଗ ସୀମା ଅଟେ।
    ତୁମ୍ଭର ନିର୍ମାଣକାରୀମାନେ
    ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଛନ୍ତି।
ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ
    ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି।
ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ
    ଲିବାନୋ‌ନ୍‌ରୁ ଏରସ କାଷ୍ଠ ଦେଇଛନ୍ତି।
ବାସନର ଅଲୋନ କାଠରେ
    ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି।
ଆଉ ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ
    ତାଶୂର କାଠରେ ଖଚିତ ହାତୀଦାନ୍ତ ଦ୍ୱାରା
    ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
ତୁମ୍ଭର ଧ୍ୱଜା ହେବା ପାଇଁ ମିଶର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମ ବସ୍ତ୍ରରେ
    ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା।
ପୁଣି ତୁମ୍ଭର ଗ୍ଭନ୍ଦୁଆ ଇଲୀଶା ଦ୍ୱୀପ ସମୂହର ନୀଳ ଓ ଧୂମ୍ରବର୍ଣ୍ଣ
    ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା।
ସୀଦୋନ୍ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକଥିଲେ।
    ହେ ସୋର, ତୁମ୍ଭର ଜ୍ଞାନୀ ଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ।
ଗବାଲର[b] ପ୍ରାଚୀନବର୍ଗ ମୁଖ୍ୟ ଓ ଜ୍ଞାନୀମାନେ
    ଜାହାଜର ପାଣିରୁଦ୍ଧ କାଠପଟା ତିଆରି କରି ନେଇ ଅନ୍ୟମାନଙ୍କୁ ସାହାଯ୍ୟ କଲେ।
ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ
    ତୁମ୍ଭ ସହିତ ବାଣିଜ୍ୟ କରିବା ପାଇଁ ଆସିଲେ।’

10 “‘ପାରସ୍ୟ, ଲୁଦ ଓ ପୂଟ ଦେଶୀୟ ଲୋକମାନେ ତୁମ୍ଭ ସୈନ୍ୟବାହିନୀର ଯୋଦ୍ଧା ଥିଲେ। ସେମାନେ ତୁମ୍ଭ ମଧ୍ୟରେ ସେମାନଙ୍କର ଢାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସେମାନେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ। 11 ଅର୍ବଦ ଓ ସିଲିସିଆରରୁ ତୁମ୍ଭ ସେନା ସଙ୍ଗରେ ଥିଲେ, କେଉଁମାନେ ଗ୍ଭରିଆଡ଼େ ତୁମ୍ଭ ସହରର ପ୍ରାଚୀରଗୁଡ଼ିକୁ ପ୍ରହାରକାରୀମାନଙ୍କ ପରି ଠିଆ ହେଲେ ଓ ଗମଦର ଯୋଦ୍ଧାମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେ। ସେମାନେ ତୁମ୍ଭ ପ୍ରାଚୀରଗୁଡ଼ିକର ଉପରେ ନିଜ ନିଜ ଢାଲ ଟଙ୍ଗାଇଲେ ଏବଂ ସେମାନେ ତୁମ୍ଭ ସୌନ୍ଦର୍ଯ୍ୟ ସିଦ୍ଧ କଲେ।

12 “‘ତର୍ଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। 13 ଗ୍ରୀକ୍, ତୁର୍କ ଓ ମେଷକର ଲୋକମାନେ ବ୍ୟବସାୟୀ ଥିଲେ। ସେମାନେ କ୍ରୀତଦାସ ଓ ପିତ୍ତଳର ବାସନକୁସନ ତୁମ୍ଭର ଜିନିଷଗୁଡ଼ିକ ବଦଳରେ ବ୍ୟବସାୟ କଲେ। 14 ତୋଗର୍ମ ବଂଶୀୟ ଲୋକମାନେ ଅସ୍ତ୍ର, ଯୁଦ୍ଧାସ୍ତ୍ର ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। 15 ଦଦାନର ଲୋକମାନେ ମଧ୍ୟ ତୁମ୍ଭର ବ୍ୟବସାୟୀ ଥିଲେ। ତୁମ୍ଭର ଅନେକ ଦ୍ୱୀପ ସହ ବାଣିଜ୍ୟ ଥିଲା। ସେମାନେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ବଦଳରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ। 16 ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ୟର ପ୍ରସିଦ୍ଧି ହେତୁ ଆରାମ୍ ତୁମ୍ଭର ବଣିକ ଥିଲା। ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।

17 “‘ଯିହୁଦା ଓ ଇସ୍ରାଏଲ ଦେଶର ଲୋକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ଗହମ, ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁ‌ଗ୍‌ଗୁଲ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। 18 ଦମ୍ମେଶକ ଜଣେ ଗ୍ରାହକ ମଧ୍ୟ ଥିଲେ। ସେମାନେ ତୁମ୍ଭର ବହୁ ପ୍ରକାରର ମୂଲ୍ୟବାନ ଜିନିଷଗୁଡ଼ିକ ପାଇଁ ତୁମ୍ଭ ସହିତ ବାଣିଜ୍ୟ କଲେ। ସେମାନେ ହି‌‌ଲ୍‌‌‌‌ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ବଦଳରେ ତୁମ୍ଭ ସହିତ ବାଣିଜ୍ୟ କଲେ। 19 ବଦାନ ଓ ଯବନ ଲୋମ ନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ। ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତ ଲୌହ, ସୁଗନ୍ଧି ଦ୍ରବ୍ୟ ଓ ଆଖୁ ଥିଲା। 20 ଦଦାନ ତୁମ୍ଭକୁ ଭଲ ବ୍ୟବସାୟ ଦେଲା। ସେମାନେ ତୁମ୍ଭ ସହିତ ଘୋଡ଼ାଗୁଡ଼ିକ ଆରୋହଣ କରିବା ପାଇଁ ମୋଟା ସୂତାର ବସ୍ତ୍ର ବାଣିଜ୍ୟ କଲେ। 21 ଆରବ ଓ କେଦରର ଅଧିପତିମାନେ ତୁମ୍ଭର ବଣିକ ଥିଲେ। ମେଷଶାବକ, ମେଷ ଓ ଛାଗ ବଦଳରେ ତୁମ୍ଭର ଦ୍ରବ୍ୟ ନେଇ ବାଣିଜ୍ୟ କରୁଥିଲେ। 22 ଶିବାର ଓ ରୟମାର ବଣିକମାନେ ତୁମ୍ଭ ସହିତ ବାଣିଜ୍ୟ କରୁଥିଲେ। ସେମାନେ ସେମାନଙ୍କର ଶ୍ରେଷ୍ଠ ଅତର ଓ ମୂଲ୍ୟବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳରେ ବାଣିଜ୍ୟ କଲେ। 23 ହାରଣ, କନ୍ନୀ, ଏଦନ୍, ଶିବାର, ଅଶୂର ଓ କିଲ୍ମଦର ବ୍ୟବସାୟୀମାନେ ତୁମ୍ଭ ସହିତ ବାଣିଜ୍ୟ କଲେ। 24 ସେମାନଙ୍କ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ନାନା ଉତ୍କୃଷ୍ଟ ଦ୍ରବ୍ୟ, ବୁଟାଦାର ଓ ନୀଳବର୍ଣ୍ଣ ଆବରଣୀୟ ବସ୍ତ୍ର ବହୁମୂଲ୍ୟବାନ୍ ବସ୍ତ୍ର ଓ ରଜ୍ଜୁରେ ବନ୍ଧା ଏରସ କାଷ୍ଠ ନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ। 25 ତର୍ଶୀଶରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହନ କରୁଥିଲେ।

“‘ହେ ସୋର, ତୁମ୍ଭେ ସମୁଦ୍ରର ମଧ୍ୟସ୍ଥଳରେ
    ଅତିଶୟ ଶକ୍ତିଶାଳୀ ଥିଲ।
26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣି ଅଛନ୍ତି।
    ମାତ୍ର ପୂର୍ବୀୟ ବାୟୁ ସମୁଦ୍ର ମଧ୍ୟରେ ତୁମ୍ଭକୁ ଭାଙ୍ଗି ପକାଇଛି।
27 ତୁମ୍ଭର ଧନ, ତୁମ୍ଭର ବାଣିଜ୍ୟ ଦ୍ରବ୍ୟ,
    ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ,
ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭ ଜାହାଜର ଛିଦ୍ର ବଟାଳିକା ଲୋକମାନେ,
    ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହିବା ଲୋକମାନେ,
ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ଯୋଦ୍ଧାମାନେ
    ଓ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ
ତୁମ୍ଭର ପତନ ଦିନରେ
    ସମୁଦ୍ର ମଧ୍ୟସ୍ଥଳରେ ଜଳମଗ୍ନ ହେବେ।

28 “‘ତୁମ୍ଭର ଜାହାଜର କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ
    ସୁଦୂର ଉପନଗର ସମୂହ କମ୍ପିତ ହେବେ।
29 ପୁଣି ତୁମ୍ଭ ଆହୁଲାଧାରୀ ସମସ୍ତ ଲୋକ, ନାବିକଗଣ ଓ ସମସ୍ତ କର୍ଣ୍ଣଧାରଗଣ
    ନିଜ ନିଜ ଜାହାଜରୁ ଓହ୍ଲାଇ ଆସି କୂଳରେ ଠିଆ ହେବେ।
30 ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଅତିଶୟ ଦୁଃଖିତ ହୋଇ କ୍ରନ୍ଦନ କରିବେ।
    ପୁଣି ସେମାନେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ।
31 ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ମସ୍ତକ ମୁଣ୍ଡନ କରି
    କଟିଦେଶରେ ଚଟ ବାନ୍ଧିବେ,
ଆଉ ତୁମ୍ଭ ସକାଶେ ପ୍ରାଣ ବିକଳରେ ରୋଦନ କରି ଅତିଶୟ ବିଳାପ କରିବେ।

32 “‘ସେମାନେ ସେହି ମହାଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହିବେ,

“‘ସୋର ପରି କେହି ନାହିଁ,
    ସୋର ସମୁଦ୍ର ମଧ୍ୟରେ ବିନଷ୍ଟ ହେଲା।”
33 ତୁମ୍ଭର ବଣିକମାନେ ସମୁଦ୍ର ଦେଇ ଗଲେ,
    ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କଲ।
    ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟରେ ପୃଥିବୀର ବହୁ ରାଜାମାନଙ୍କୁ ଧନୀ କଲ।
34 କିନ୍ତୁ ତୁମ୍ଭେ ବର୍ତ୍ତମାନ
    ସମୁଦ୍ରର ଗଭୀର ଜଳରେ ଭଗ୍ନ ହେବା ଯୋଗୁଁ
ତୁମ୍ଭର ସମସ୍ତ ବାଣିଜ୍ୟ ଦ୍ରବ୍ୟ
    ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ।
35 ଉପକୂଳବର୍ତ୍ତୀର ନିବାସୀମାନେ
    ତୁମ୍ଭ ବିଷୟରେ ଆଚମ୍ବିତ ହୋଇଅଛନ୍ତି
ଏବଂ ସେମାନଙ୍କର ରାଜାମାନେ ଭୟଭୀତ ହୋଇଥିଲେ
    ଓ ସେମାନଙ୍କର ମୁଖମଣ୍ଡଳ ସେମାନଙ୍କର ଆଚମ୍ବିତ ପ୍ରକାଶ କଲା।
36 ଅନ୍ୟ ଗୋଷ୍ଠୀୟ ବଣିକମାନେ
ତୁମ୍ଭ ଉଦ୍ଦେଶ୍ୟରେ ଶୀଷ୍ ଶବ୍ଦ କରନ୍ତି।
    ତୁମ୍ଭର ଭାଗ୍ୟ ଲୋକମାନଙ୍କୁ ଭୟଭୀତ କରେ
    ଏବଂ ତୁମ୍ଭେମାନେ ଆଉ ରହିବ ନାହିଁ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center