Chronological
ନବୂଖଦ୍ନିତ୍ସରଙ୍କ ଯିହୁଦା ଆଗମନ
24 ଯିହୋୟାକୀମ୍ର ରାଜତ୍ୱ କାଳରେ, ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦା ଓ ଯିହୋୟାକୀମଙ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ୟ କରି ତାଙ୍କର ବିଦ୍ରୋହୀ ହେଲେ। 2 ତେଣୁ ସଦାପ୍ରଭୁ ଯିହୋୟାକୀମଙ୍କ ବିରୁଦ୍ଧରେ କଲ୍ଦୀୟ ସୈନ୍ୟଦଳ, ଅରାମୀୟ ସୈନ୍ୟଦଳ, ମୋୟାବୀୟ ସୈନ୍ୟଦଳ ଓ ଅମ୍ମୋନ-ସନ୍ତାନମାନଙ୍କ ସୈନ୍ୟଦଳ ପ୍ରେରଣ କଲେ। ସଦାପ୍ରଭୁ ଆପଣା ଦାସ ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯିହୁଦାକୁ ବିନାଶ କରିବା ପାଇଁ ତା’ ବିରୁଦ୍ଧରେ ସେମାନଙ୍କୁ ପ୍ରେରଣ କଲେ।
3 ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦାରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହିରୂପେ ସଦାପ୍ରଭୁ ସେମାନଙ୍କୁ ତାଙ୍କ ଦୃଷ୍ଟିରୁ ଦୂରେଇ ଦେଲେ। 4 କାରଣ ମନଃଶି ବହୁ ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟାକରି ସେମାନଙ୍କ ରକ୍ତରେ ଯିରୁଶାଲମକୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସେହି ପାପ ପାଇଁ କ୍ଷମା କରିବେ ନାହିଁ।
5 ଏହି ଯିହୋୟାକୀମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 6 ଯିହୋୟାକୀମଙ୍କ ମୃତ୍ୟୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ରାଜ୍ୟ କଲେ।
7 ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧୀନରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡ଼ି ଆସିଲେ ନାହିଁ।
ନବୂଖଦ୍ନିତ୍ସରଙ୍କ ଯିରୁଶାଲମ ଅଧିକାର
8 ଯିହୋୟାଖୀନ୍ ଅଷ୍ଟାଦଶ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ। ସେ ଯିରୁଶାଲମରେ ମାତ୍ର ତିନି ମାସ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ଯିରୁଶାଲମ ନିବାସୀ ଇଲ୍ନାଥନ୍ର କନ୍ୟା। 9 ଯିହୋୟାଖୀନ୍ ତାଙ୍କ ପିତାଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ।
10 ସେହି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ଯିରୁଶାଲମକୁ ଆସି ତାଙ୍କୁ ଅବରୋଧ କଲେ। 11 ତା'ପରେ ବାବିଲର ରାଜା ନବୂଖଦ୍ନିତ୍ସର ଅବରୋଧ ହୋଇଥିବା ନଗରରେ ତାଙ୍କର ଅଧିକାରୀମାନଙ୍କ ଦ୍ୱାରା ଉପସ୍ଥିତ ହେଲେ। 12 ତେଣୁ ଯିହୁଦାର ରାଜା ଯିହୋୟାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନପୁଂସକମାନେ ବାବିଲ ରାଜାଙ୍କୁ ଭେଟିବାକୁ ଗଲେ। ମାତ୍ର ବାବିଲର ରାଜା ଯିହୋୟାଖୀନଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ୱ କାଳରେ ଘଟିଥିଲା।
13 ନବୂଖଦ୍ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।
14 ଆଉ ସେ ଯିରୁଶାଲମର ସମସ୍ତ ଲୋକଙ୍କୁ, ସମସ୍ତ ଅଧିପତିଙ୍କୁ ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ଏପରି 10,000 ଲୋକଙ୍କୁ ବନ୍ଦୀ କଲେ। ଆଉ ସେ ସମସ୍ତ ଦକ୍ଷ ଶିଳ୍ପୀ ଓ କର୍ମକାରୀମାନଙ୍କୁ ନେଇଗଲେ କେବଳ ଦେଶରେ ନିତାନ୍ତ ଦରିଦ୍ର ଲୋକ ଛଡ଼ା ଆଉ ଅବଶିଷ୍ଟ କେହି ରହିଲେ ନାହିଁ। 15 ପୁଣି ନବୂଖଦ୍ନିତ୍ସର ଯିହୋୟାଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନପୁଂସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ବାବିଲକୁ ନେଇ ଗଲେ। 16 ଆଉ ମଧ୍ୟ ସେ 7,000 ବଳବାନ ସୈନିକ ଓ 1,000 ଶିଳ୍ପୀ ଓ କର୍ମଗ୍ଭରୀମାନଙ୍କୁ ବନ୍ଦୀ କରି ଯିରୁଶାଲମରୁ ନେଇଗଲା। ଏମାନେ ସମସ୍ତେ ତାଲିମପ୍ରାପ୍ତ ସୈନିକ ଥିଲେ ଓ ଯୁଦ୍ଧ ଯୋଗ୍ୟ ଥିଲେ।
ରାଜା ସିଦିକିୟ
17 ପୁଣି ବାବିଲର ରାଜା ଯିହୋୟାଖୀନ୍ର ମାମୁଁ ମତ୍ତନିୟଙ୍କୁ ତାଙ୍କ ପଦରେ ରାଜା କଲେ ଓ ତାଙ୍କ ନାମ ବଦଳାଇ ସିଦିକିୟ ରଖିଲେ। 18 ସିଦିକିୟ ଶାସନ କଲା ବେଳକୁ ତାଙ୍କୁ ଏକୋଇଶ ବର୍ଷ ହୋଇଥିଲା। ସେ ଏଗାର ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟର କନ୍ୟା ଥିଲେ। 19 ସିଦିକିୟ ଯିହୋୟାଖୀନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମମାନ କଲେ। 20 ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ପ୍ରତି ଏତେ କ୍ରୋଧାନ୍ୱିତ ହେଲେ ଯେ ସେ ସେମାନଙ୍କୁ ଆପଣା ଛାମୁରୁ ଦୂରେଇ ଦେଲେ।
ନବୂଖଦ୍ନିତ୍ସରଙ୍କ ଦ୍ୱାରା ସିଦିକିୟ ଶାସନର ଅବସାନ
ସିଦିକିୟ ବାବିଲ ରାଜାଙ୍କ ଶାସନ ବିରୁଦ୍ଧରେ ବିଦ୍ରୋହୀ କଲେ।
25 ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା'ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ। 2 ସେମାନଙ୍କର ସୈନ୍ୟବାହିନୀ ସିଦିକିୟ ରାଜାଙ୍କ ଏକାଦଶ ବର୍ଷ ରାଜତ୍ୱ କାଳ ପର୍ଯ୍ୟନ୍ତ ଯିରୁଶାଲମକୁ ଅବରୋଧ କରି ଘେରି ରଖିଲେ। 3 ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ।
4 ସର୍ବଶେଷରେ ନବୂଖଦ୍ନିତ୍ସରଙ୍କ ସୈନ୍ୟ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସେହି ରାତ୍ରିରେ ରାଜା ସିଦିକିୟ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ୟ ଫାଟକ ଦେଇ ପଳାଇଲେ। ଯେତେବେଳେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ବେଢ଼ି ରହିଥିଲେ। ପୁଣି ରାଜା ଆରବା ପଥ ଦେଇ ଗ୍ଭଲିଗଲେ। 5 ତହୁଁ କଲ୍ଦୀୟ ସୈନ୍ୟମାନେ ରାଜାଙ୍କ ପଶ୍ଚାତ୍ଧାବନ କରି ଯିରୀହୋ ପଦାରେ ତାଙ୍କୁ ଧରିଲେ। ଯେତେବେଳେ ତାଙ୍କର ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାୟନ କଲେ।
6 ତା'ପରେ ସେମାନେ ରାଜାଙ୍କୁ ଧରି ରିବ୍ଲାରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସେମାନେ ତାଙ୍କୁ ଦଣ୍ତ ଦେବାକୁ ସ୍ଥିର କଲେ। 7 ସେମାନେ ସିଦିକିୟଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖରେ ବଧ କଲେ। ତା'ପରେ ସେମାନେ ସିଦିକିୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ ଓ ତାଙ୍କୁ ଶୃଙ୍ଖଳରେ ବାନ୍ଧି ବାବିଲକୁ ନେଇ ଗଲେ।
ଯିରୁଶାଲମର ଧ୍ୱଂସ
8 ନବୂଖଦ୍ନିତ୍ସରଙ୍କ ରାଜତ୍ୱର ଉନବିଂଶ ବର୍ଷରେ ପଞ୍ଚମ ମାସର ସପ୍ତମ ଦିନରେ ବାବିଲ ରାଜାର ଦାସ ନବୂସର୍ଦନ୍ ଉତ୍ତମ ଯୋଦ୍ଧାବର୍ଗର ସେନାପତି ରୂପେ ଯିରୁଶାଲମକୁ ଆସିଲା। 9 ନବୂସର୍ଦନ୍ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ଯିରୁଶାଲମର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡ଼ିକୁ ଅଗ୍ନିରେ ଦଗ୍ଧ କଲା।
10 ନବୂସର୍ଦନଙ୍କ ସହିତ ଥିବା ସମସ୍ତ ସୈନ୍ୟ ଯିରୁଶାଲମର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ। 11 ତା'ପରେ ନବୂସର୍ଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ। 12 ସେ କେବଳ ଦରିଦ୍ରତମ ଲୋକମାନଙ୍କୁ ଛାଡ଼ି ଗଲା କାରଣ ସେମାନେ ଦ୍ରାକ୍ଷାକ୍ଷେତ୍ର ଓ ଅନ୍ୟାନ୍ୟ ଶସ୍ୟର ଯତ୍ନ ନେବେ।
13 ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ୟ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ଦ୍ୱୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନେଇଗଲେ। 14 ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସେବା ପାଇଁ ବ୍ୟବହାର ହୋଇଥିଲା, ସେମାନେ ନେଇ ଗଲେ। 15 ପୁଣି ନବୂସର୍ଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନେଇଗଲା। 16-17 ନବୂସର୍ଦନ୍ ନେଇଥିବା ଦ୍ରବ୍ୟ ଗୁଡ଼ିକ ହେଲା, ଯଥା: ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।
ଯିହୁଦାର ଲୋକମାନେ ବନ୍ଦୀରୂପେ ନୀତ
18 ପୁଣି ନବୂସର୍ଦନ୍ ପ୍ରଧାନ ଯାଜକ ସରାୟ ଦ୍ୱିତୀୟ ଯାଜକ ସିଫନିୟ ଓ ତିନି ଜଣ ଦ୍ୱାରପାଳଙ୍କୁ ନେଇ ଗଲା।
19 ସେ ମଧ୍ୟ ବନ୍ଦୀପରି ନିଆଗଲେ। ଏକ ନପୁଂସକକୁ ସୈନ୍ୟମାନଙ୍କର ଦେଖାଶୁଣା, ରାଜାଙ୍କର ଉପଦେଶଗଣ, ସେନାର ସେନାପତିର ସଚିବ, ଯିଏ ଲୋକମାନଙ୍କୁ ଗଣିବାର ଦାୟିତ୍ୱରେ ଥିଲେ ଏବଂ ସେମାନଙ୍କରୁ ସୈନ୍ୟମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହରରେ ମଣିଲେ।
20-21 ତା'ପରେ ନବୂସର୍ଦନ୍ ସେମାନଙ୍କୁ ଧରି ହମାତର ରିବ୍ଲାରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନେଇଗଲା। ବାବିଲର ରାଜା ସେମାନଙ୍କୁ ସେହି ରିବ୍ଲାରେ ବଧ କଲେ। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହୋଲା।
ଯିହୁଦାର ରାଜ୍ୟପାଳ ଗଦଲିୟ
22 ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦାରେ ଛାଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିୟ ଥିଲା, ବାବିଲର ରାଜା ଗଦଲିୟକୁ ଯିହୁଦାର ଶାସନକର୍ତ୍ତା ରୂପେ ନିଯୁକ୍ତ କଲେ।
23 ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇଶ୍ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମିସ୍ପାର ଗଦଲିୟ ନିକଟକୁ ଆସିଲେ। 24 ତହୁଁ ଗଦଲିୟ ଅଧିକାରୀମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରନ୍ତି, “ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠାରେ ରହି ବାବିଲ ରାଜାର ସେବା କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହେବ।”
25 ମାତ୍ର ସପ୍ତମ ମାସରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିୟର ପୁତ୍ର ଇଶ୍ମାୟେଲ, ଯିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶ ଜଣ ସଙ୍ଗୀ ଗଦଲୀୟକୁ, ଯିହୁଦୀୟମାନଙ୍କୁ ଓ ମିସ୍ପାରେ ଥିବା କଲ୍ଦୀୟମାନଙ୍କୁ ବଧ କଲେ। 26 ତା'ପରେ ସମସ୍ତ ସେନାପତିଗଣ ଓ ଛୋଟ ବଡ଼ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସେମାନେ କଲ୍ଦୀୟମାନଙ୍କୁ ଭୟ କରୁଥିଲେ।
27 ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋନରେ ତାଙ୍କ ସହିତ ଏପରି ଥିଲା। 28 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ। ସେ ବାବିଲରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ଯିହୋୟାଖୀନଙ୍କୁ ଉଚ୍ଚସ୍ଥାନ ଦେଇଥିଲେ। 29 ଇବିଲ-ମରୋଦକ୍ ଯିହୋୟାଖୀନଙ୍କ କାରାଗାର ପୋଷାକ ବଦଳାଇ ଦେଇଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମେଜରେ ଯାବଜ୍ଜୀବନ ଭୋଜନ କଲେ। 30 ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ୍ ରାଜାଙ୍କ ଦ୍ୱାରା ଯିହୋୟାଖୀନଙ୍କୁ ଦିଆଗଲା।
ଯିହୁଦାର ରାଜା ଯିହୋୟାହସ୍
36 ଯିହୁଦାର ଲୋକମାନେ ଯିହୋୟାହସଙ୍କୁ ଯିରୁଶାଲମରେ ନୂତନ ରାଜା ରୂପେ ମନୋନୀତ କଲେ। ଯିହୋୟାହସ୍ ଯୋଶିୟଙ୍କ ପୁତ୍ର ଥିଲେ। 2 ଯିହୋୟାହସ୍ ଯିହୁଦାର ରାଜା ହେବା ସମୟରେ ତେଇଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ତିନି ମାସ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇଥିଲେ। 3 ଏହା ପରେ ମିଶରର ରାଜା ଯିହୋୟାହସଙ୍କୁ ଯିରୁଶାଲମରୁ ଗାଦିଚୁତ୍ୟ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ। 4 ମିଶରର ରାଜା ଯିହୋୟାହସଙ୍କ ଭ୍ରାତା ଇଲୀୟାକୀମଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା କଲେ। ଏହା ପରେ ମିଶରର ରାଜା ଇଲୀୟାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହୋୟାକୀମ୍ ଦେଲେ। କିନ୍ତୁ ନଖୋ ଯିହୋୟାକୀମ୍ର ଭାଇ ଯିହୋୟାହସଙ୍କୁ ମିଶରକୁ ନେଇଗଲେ।
ଯିହୁଦାର ରାଜା ଯିହୋୟାକୀମ୍
5 ଯିହୋୟାକୀମ୍ ଯିହୁଦାର ନୂତନ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଏଗାର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମର ରାଜା ଥିଲେ। ଯିହୋୟାକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।
6 ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହୋୟାକୀମଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହା ପରେ ନବୂଖଦ୍ନିତ୍ସର ରାଜା ଯିହୋୟାକୀମଙ୍କୁ ବାବିଲକୁ ନେଇଗଲେ। 7 ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରରୁ କେତେକ ଦ୍ରବ୍ୟ ନେଇଗଲେ। ସେ ସେହି ବସ୍ତୁଗୁଡ଼ିକୁ ବାବିଲକୁ ନେଇଗଲେ ଓ ସେଗୁଡ଼ିକୁ ନେଇ ନିଜ ଗୃହରେ ରଖିଲେ। 8 ଯିହୋୟାକୀମ୍ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେ ଯେଉଁ ଭୟଙ୍କର ପାପସବୁ କରିଥିଲେ ଓ ସେ ଯେଉଁସବୁ ଦୋଷ କରିଥିଲେ, ସେହିସବୁ “ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ” ଲେଖାଯାଇଅଛି। ଯିହୋୟାଖୀନ୍, ଯିହୋୟାକୀମଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯିହୋୟାଖୀନ୍, ଯିହୋୟାକୀମଙ୍କ ପୁତ୍ର ଥିଲେ।
ଯିହୁଦାର ରାଜା ଯିହୋୟାଖୀନ୍
9 ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। 10 ବସନ୍ତ ଋତୁରେ, ରାଜା ନବୂଖଦ୍ନିତ୍ସର ଯିହୋୟାଖୀନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖଦ୍ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀନଙ୍କର ଜଣେ ଆତ୍ମୀୟ ଥିଲେ।
ଯିହୁଦାର ରାଜା ସିଦିକିୟ
11 ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ। 12 ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କର୍ମ କଲେ ନାହିଁ। ଭବିଷ୍ୟଦ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିୟ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
ଯିରୁଶାଲମ ଧ୍ୱଂସ ହେଲା
13 ସିଦିକିୟ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧରେ ବିଦ୍ରୋହ କଲେ। ଅତୀତରେ ନବୂଖଦ୍ନିତ୍ସର ସିଦିକିୟଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ୱସ୍ତ ରହିବେ। ସିଦିକିୟ ପରମେଶ୍ୱରଙ୍କ ନାମ ନେଇ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ୱସ୍ତ ରହିବେ। କିନ୍ତୁ ସିଦିକିୟ ବଡ଼ ଦାମ୍ଭିକ ଥିଲେ ଓ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ୟ କଲେ। 14 ଆହୁରି ମଧ୍ୟ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ୱସ୍ତ ହେଲେ। ସେମାନେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସେହି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ଯିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ। 15 ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ତାଙ୍କର ଲୋକମାନଙ୍କୁ ଚେତାବନୀ ଦେବା ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ। 16 କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟଦ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା। 17 ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜୟୀ କଲେ। 18 ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ। 19 ନବୂଖଦ୍ନିତ୍ସର ଓ ତାଙ୍କର ସୈନ୍ୟଦଳ ମନ୍ଦିରକୁ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମ ପ୍ରାଚୀରକୁ ଭାଙ୍ଗି ପକାଇଲେ ଓ ରାଜା ଓ ତାଙ୍କର ପଦାଧିକାରୀମାନଙ୍କର ସବୁ ଗୃହ ଜ୍ୱଳାଇ ଦେଲେ। ସେମାନେ ଯିରୁଶାଲମରେ ଥିବା ପ୍ରତ୍ୟେକ ବହୁମୂଲ୍ୟ ଦ୍ରବ୍ୟକୁ ନେଇଗଲେ ନଚେତ୍ ଧ୍ୱଂସ କରିଦେଲେ। 20 ନବୂଖଦ୍ନିତ୍ସର ଅବଶିଷ୍ଟ ଜୀବିତ ଥିବା ଲୋକଙ୍କୁ ବାବିଲକୁ ନେଇଗଲେ ଓ ସେମାନଙ୍କୁ ବଳପୂର୍ବକ ଭାବରେ କ୍ରୀତଦାସ କରି ରଖିଲେ। ପାରସିକ ରାଜ୍ୟ, ବାବିଲର ରାଜ୍ୟକୁ ପରାସ୍ତ କରିବା ପର୍ଯ୍ୟନ୍ତ ସେହି ଲୋକମାନେ ବାବିଲରେ କ୍ରୀତଦାସରୂପେ ରହିଲେ। 21 ଏହିପରି ଭାବରେ ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁସବୁ ବିଷୟ କହିଥିଲେ, ତାହା ପ୍ରକୃତରେ ଘଟିଲା। ସଦାପ୍ରଭୁ ଯିରିମିୟଙ୍କ ମାଧ୍ୟମରେ କହିଥିଲେ: “ଏହି ସ୍ଥାନ ସତୁରି ବର୍ଷ ପର୍ଯ୍ୟନ୍ତ ଧ୍ୱଂସର ସ୍ଥାନ ହୋଇ ରହିବ। କାରଣ ଲୋକମାନେ ବିଶେଷ ବିଶ୍ରାମବାରରେ ବିଶ୍ରାମ ନ କରିଥିବାରୁ ତାହାକୁ ଭରଣା କରିବା ନିମନ୍ତେ ଏହିପରି ଘଟିଲା। ଏହା ସତୁରି ବର୍ଷ ଲାଗିରହିବ।”
22 କୋରସ୍ ପାରସ୍ୟର ରାଜା ହୋଇଥିବାର ପ୍ରଥମ ବର୍ଷରେ, ସଦାପ୍ରଭୁ କୋରସଙ୍କ ଦ୍ୱାରା ଏକ ବିଶେଷ ଘୋଷଣା କରାଇଲେ। ସଦାପ୍ରଭୁ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ଯେଉଁ ଶପଥ କରିଥିଲେ, ତାହା ଯେପରି ପ୍ରକୃତରେ ଘଟିବ, ସେଥିନିମନ୍ତେ ସେ ଏହିପରି କଲେ। କୋରସ୍ ତାଙ୍କ ରାଜ୍ୟର ପ୍ରତ୍ୟେକ ସ୍ଥାନକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ ଏହି ବାର୍ତ୍ତା ବହନ କରୁଥିଲେ।
23 ପାରସ୍ୟର ରାଜା କୋରସ୍ କହନ୍ତି,
ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ।
2010 by World Bible Translation Center