Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 44-48

ସଦାପ୍ରଭୁ ହିଁ ପରମେଶ୍ୱର

44 “ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ। ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।

“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା। ତେଣୁ ସେମାନେ ଜଳସ୍ରୋତ ନିକଟସ୍ଥ ବାଇଶବୃକ୍ଷ ତୁଲ୍ୟ ବଢ଼ିବାକୁ ଲାଗିବେ।

“ଜଣେ କହିବ, ‘ଆମ୍ଭେ ସଦାପ୍ରଭୁଙ୍କର,’ ଅନ୍ୟ ଜଣେ ‘ଯାକୁବ’ ବୋଲି ନିଜକୁ କହିବ; ଆଉ କେହି ‘ସଦାପ୍ରଭୁଙ୍କର’ ସ୍ୱାକ୍ଷର ନିଜ ହାତରେ କରିବ ଓ ଅନ୍ୟ କେହି ‘ଇସ୍ରାଏଲର ନାମରେ ନିଜକୁ ପରିଚୟ ଦେବ।’”

ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ।

“ତୁମ୍ଭେମାନେ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଭେ ସର୍ବଦା କହିଛୁ ଭବିଷ୍ୟତରେ କ’ଣ ଘଟିବ। ତୁମ୍ଭେମାନେ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରମେଶ୍ୱର ନାହାନ୍ତି। ଅନ୍ୟ ‘ଶୈଳ’ ନାହିଁ। ଆମ୍ଭେ ଜାଣୁ ଆମ୍ଭେ ହିଁ ଏକମାତ୍ର।”

ନିରର୍ଥକ ମିଥ୍ୟା ଦେବତା

ଯେଉଁମାନେ ଖୋଦିତ ପ୍ରତିମା ନିର୍ମାଣ କରନ୍ତି, ସେ ସବୁ ଅସାର, ଯଦିଓ ଲୋକେ ସେଗୁଡ଼ିକୁ ଆଦର କରନ୍ତି। ସେଗୁଡ଼ିକ ଉପକାରୀ ନୁହନ୍ତି। ସେହି ଲୋକମାନେ ସାକ୍ଷୀ ହେଲେ ବି ସେମାନେ ଲଜ୍ଜିତ ହେବେ। ସେମାନେ କିଛି ଦେଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।

10 କିଏ ଏପରି ଦେବତା ନିର୍ମାଣ କରିଛି ଯିଏ ଅଦରକାରୀ ଏବଂ ହାନିକାରକ? କିଏ ଏପରି ପ୍ରତିମା ଗଠନ କରିଛି? 11 ଯେଉଁ ଶ୍ରମିକଗଣ ସେହି ପ୍ରତିମା ନିର୍ମାଣ କରିଛନ୍ତି, ସେମାନେ ମନୁଷ୍ୟ ମାତ୍ର, ସେମାନେ ପରମେଶ୍ୱର ନୁହନ୍ତି। ସେମାନେ ସମସ୍ତେ ଯଦି ଏକତ୍ରିତ ହୋଇ ଆଲୋଚନା କରିବେ, ତେବେ ସେମାନେ ସମ୍ପୂର୍ଣ୍ଣ ଲଜ୍ଜିତ ହେବେ ଏବଂ କମ୍ପିତ ହେବେ।

12 କର୍ମକାର ପ୍ରତିମା ଗଢ଼ିଲା ବେଳେ ଲାଲ୍ ଉତ୍ତପ୍ତ ଅଙ୍ଗାରରେ କର୍ମ କରେ ଓ ନିଜର ବଳିଷ୍ଠ ବାହୁ ସାହାଯ୍ୟରେ ହାତୁଡ଼ିରେ ତାହାର ଆକାର ତିଆରି କରେ, ଯେତେବେଳେ ସେ କ୍ଷୁଧାର୍ତ୍ତ ହୁଏ, ତା'ର ଶକ୍ତି ହରାଏ ଓ ଜଳପାନ ନ କଲେ ଦୁର୍ବଳ ହୋଇଯାଏ।

13 ଅନ୍ୟ ଜଣେ ଶ୍ରମିକ ସୁତାଧରି ସିନ୍ଦୂରରେ ଚିହ୍ନ ହୋଇ କାଠ ଉପରେ ରନ୍ଦା ବୁଲାଇ ପ୍ରତିମାର ଆକୃତି କରେ। ସେ ତା'ର ହତିଆର ଓ ମାପ ଯନ୍ତ୍ର ବ୍ୟବହାର କରି ଠିକ୍ ମନୁଷ୍ୟ ଆକୃତିର ପ୍ରତିମା ଗଢ଼େ। ସେ ପ୍ରତିମାଗୁଡ଼ିକ ଘରେ କିମ୍ବା ମନ୍ଦିରରେ ରହିବା ପାଇଁ ମନୁଷ୍ୟର ସୁନ୍ଦରତାରେ ମନୁଷ୍ୟର ପ୍ରତିମାରେ ତିଆରି ହୋଇଛି।

14 ସେ ନିଜ ପାଇଁ ଏରସ, ତର୍ସୀ ଓ ଅଲୋନବୃକ୍ଷ କାଟେ। ସେ ସେଗୁଡ଼ିକ ଜଙ୍ଗଲ ବୃକ୍ଷମାନଙ୍କ ମଧ୍ୟରେ ବଢ଼ାଇଥାଏ। ମାତ୍ର ସେ ଦେବଦାରୁ ରୋପଣ କରେ, ତେବେ ବର୍ଷା ତାକୁ ବଢ଼ାଇବାରେ ସାହାଯ୍ୟ କରେ।

15 ସେହି ବ୍ୟକ୍ତି ଏରସକୁ ଜାଳେଣି ରୂପେ ବ୍ୟବହାର କରେ। ସେ ତାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଅଗ୍ନି ସଂଯୋଗ କରି ତାପ ପାଏ। ସେ ସେହି ନିଆଁରେ ରୋଟୀ ତିଆରି କରେ, ଆଉ ମଧ୍ୟ ସେହି କାଠର କିଛି ଅଂଶରେ ଦେବତା କରି ତାକୁ ପୂଜା କରେ ଓ ଏକ ଖୋଦିତ ପ୍ରତିମା କରି ତାହା ସମ୍ମୁଖରେ ଦଣ୍ଡବତ କରେ। 16 ଅଧା କାଠ ସେ ଅଗ୍ନିରେ ପୋଡ଼େ ଓ ଅନ୍ୟ ଅର୍ଦ୍ଧେକରେ ସେ ମାଂସ ରାନ୍ଧି ଭୋଜନ କରେ। ସେଥିରେ ସେ ତୃପ୍ତ ହୁଏ। ଆଉ ମଧ୍ୟ ସେ ଅଗ୍ନି ଜାଳି ତାପ ପାଏ ଓ କହେ, “ଆମ୍ଭେ ଉଷ୍ମ ହେଲୁ ଓ ଆମ୍ଭେମାନେ ଆଲୋକ ଦେଖି ପାରିଲୁ।” 17 ଯେଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରହେ ସେ ସେଥିରେ ଏକ ଦେବତା, ଆପଣାର ଖୋଦିତ ପ୍ରତିମା ନିର୍ମାଣ କରେ ଓ ତାକୁ ଦେବତା ବୋଲି କହେ। ସେ ତାହା ଆଗରେ ଦଣ୍ଡବତ ହୋଇ ପୂଜା କରେ। ଏବଂ ତାକୁ ପ୍ରାର୍ଥନା କରି କହେ, “ତୁମ୍ଭେ ଆମ୍ଭର ଦେବତା, ଆମ୍ଭକୁ ରକ୍ଷା କର।”

18 ସେହି ଲୋକମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଗ୍ଭର କରନ୍ତି ନାହିଁ। ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଛନ୍ତି। 19 ସେହି ଲୋକମାନେ ଭାବି ନ ଥା’ନ୍ତି। ସେମାନେ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥା’ନ୍ତି। ସେମାନେ ବୁଝନ୍ତି ନାହିଁ ଯେ, “ଅଧା କାଠ ପୋଡ଼ି ଆମ୍ଭେ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରରେ ରୋଟୀ ସେକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶରେ ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାଯୋଗ୍ୟ। ପୁଣି ସେ କାଠ ଆଗରେ ଦଣ୍ଡବତ ହେଲୁ।”

20 ଯେ ଭସ୍ମ ଭୋଜନ କରେ, ସେ ନିଜର ଜୀବନକୁ ରକ୍ଷା କରିପାରେ ନାହିଁ। ମୋ’ ଦକ୍ଷିଣ ହସ୍ତରେ ଏହି ସମସ୍ତ ବିଷୟରେ କ’ଣ କୌଣସି ମିଥ୍ୟା ନାହିଁ? କହିପାରେ ନାହିଁ। “ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।”

ସଦାପ୍ରଭୁ ପ୍ରକୃତ ପରମେଶ୍ୱର, ଇସ୍ରାଏଲକୁ ସାହାଯ୍ୟ କରନ୍ତି

21 “ହେ ଯାକୁବ, ହେ ଇସ୍ରାଏଲ, ତୁମ୍ଭେମାନେ ଏହିସବୁ କଥା ସ୍ମରଣ କର।
    ତୁମ୍ଭମାନଙ୍କୁ ଆମ୍ଭେ ସୃଷ୍ଟି କରିଅଛୁ।
ତେଣୁ ତୁମ୍ଭେମାନେ ଆମ୍ଭର ଦାସ।
    ହେ ଇସ୍ରାଏଲ, ଆମ୍ଭକୁ ଭୁଲିବ ନାହିଁ।
22 ମେଘ ସଦୃଶ ତୁମ୍ଭର ପାପକୁ
    ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ।
ପବନରେ ମେଘ ଗ୍ଭଲିଗଲା ପରି
    ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି।
ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ,
    କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।”

23 ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।
    ହେ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ୱନି କର।
ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ବୃକ୍ଷ ସମୂହ,
    ତୁମ୍ଭେମାନେ ସମସ୍ତେ ଉଚ୍ଚ ସ୍ୱରରେ ପ୍ରଭୁଙ୍କର ପ୍ରଶଂସା ଗାନ କର;
କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି
    ଓ ଇସ୍ରାଏଲକୁ ଗୌରବାନ୍ୱିତ କରିବେ।
24 ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି।
    ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ।
ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ
    ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ।
    ଆମ୍ଭର ସହିତ କେହି ନାହିଁ।”

25 ଆମ୍ଭେ ମିଥ୍ୟାବାଦୀମାନଙ୍କର ମିଥ୍ୟାକୁ ପ୍ରମାଣ କରୁ। ଆମ୍ଭେ ନିର୍ବୋଧମାନଙ୍କର ଯାଦୁକାରୀ କାର୍ଯ୍ୟ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓ ସେମାନଙ୍କର ଜ୍ଞାନକୁ ଅଜ୍ଞାନତାରେ ପରିଣତ କରୁ। 26 ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ।

ଯିହୁଦା ପୁନଃନିର୍ମାଣ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ

ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି,
    “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ।
    ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”
27 “ଆମ୍ଭେ ଗଭୀର ଜଳକୁ ଶୁଷ୍କ ହେବାକୁ କହୁ
    ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦେଉ।”
28 ଆମ୍ଭେ କୋରସ୍ ବିଷୟରେ କହୁ,
    “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ।
ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’
    ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”

ଇସ୍ରାଏଲକୁ ମୁକ୍ତ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ

45 ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ ବିଷୟରେ ଏହିକଥା କୁହନ୍ତି,

“ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ
    ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା।
    ପୁଣି ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ ନାହିଁ।
ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା,
    ଉଚ୍ଚସ୍ଥାନକୁ ସମାନ କରିବା,
ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା
    ଲୌହ ଅର୍ଗଳସବୁ କାଟି ପକାଇବା।
ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା।
    ତାହାହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ
ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ୱାନ କରୁଥିଲୁ।
    ଆମ୍ଭେ ଇସ୍ରାଏଲର ପରମେଶ୍ୱର ଏହା ମଧ୍ୟ ତୁମ୍ଭେ ଜାଣି ପାରିବ।
ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ
    ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ।
ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ।
    ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ।
ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ୱିତୀୟ।
    ଆମ୍ଭ ବ୍ୟତୀତ ପରମେଶ୍ୱର କେହି ନାହାନ୍ତି।
ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ
    ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।
ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ସମସ୍ତ ଲୋକେ ଜାଣିବେ ଯେ
    ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭେ ସଦାପ୍ରଭୁ
    ଓ ଅଦ୍ୱିତୀୟ ଆଉ କେହି ନାହିଁ।
ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ୟ ସୃଷ୍ଟି କରୁ।
    ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ୟ ସୃଷ୍ଟି କରୁ।
    ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।

“ହେ ଆକାଶମଣ୍ଡଳ, ତୁମ୍ଭେ ବିଜୟ,
    ଧର୍ମ ଓ ନ୍ୟାୟ ମେଘ ଆକାରରେ ବର୍ଷଣ କର।
ହେ ପୃଥିବୀ, ତୁମ୍ଭେ ବିଦୀର୍ଣ୍ଣ ହୁଅ;
    ପରିତ୍ରାଣ, ଧାର୍ମିକତା ଅଙ୍କୁରିତ ହେଉ;
    ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରୁଅଛୁ।

ପରମେଶ୍ୱର ତାଙ୍କ ସୃଷ୍ଟିକୁ ନିୟନ୍ତ୍ରଣ କରନ୍ତି

“ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା'ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ। 10 ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ’ଣ ପିତାକୁ ପ୍ରଶ୍ନ କରୁଛନ୍ତି। ‘ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦେଇଛ?’ ସେମାନେ ମଧ୍ୟ ତାଙ୍କର ମାକୁ ‘କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”’

11 ସଦାପ୍ରଭୁ ଯେ ଇସ୍ରାଏଲର ଧର୍ମସ୍ୱରୂପ ଓ ନିର୍ମାଣ କର୍ତ୍ତା, ସେ ଏହି କଥା କୁହନ୍ତି,

“ହେ ମୋର ସନ୍ତାନଗଣ, ତୁମ୍ଭେମାନେ ଆଗାମୀ ଘଟଣାର ବିଷୟ ଆମ୍ଭକୁ ପଗ୍ଭର;
    ତୁମ୍ଭେମାନେ ଆମ୍ଭ ସନ୍ତାନଗଣ ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।
12 ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ
    ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ।
ଆମ୍ଭେ ସ୍ୱହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ
    ଓ ତହିଁରେ ସକଳ ସୈନ୍ୟସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ।
13 ଆମ୍ଭେ ତାଙ୍କୁ ଭଲ କାର୍ଯ୍ୟ ଉଦ୍ଦେଶ୍ୟରେ ଜାଗରିତ କରୁ,
    ସେ ଆମ୍ଭର ନଗର ନିର୍ମାଣ କରିବ।
ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ।
    ସେଥିପାଇଁ ସେ କୌଣସି ମୂଲ୍ୟ ବା ପୁରସ୍କାର ଆମ୍ଭଠାରୁ ନେବ ନାହିଁ।”
ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।

14 ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ,
    କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ।
ସେମାନେ ତୁମ୍ଭର ଅନୁସରଣ କରିବେ।
    ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ,
ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ,
    ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି,
ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି
    ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”

15 ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର,
    ତୁମ୍ଭେ ନିଶ୍ଚୟ ଆତ୍ମା ଗୋପନକାରୀ ପରମେଶ୍ୱର ଅଟ।,
16 ସେମାନେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହେବେ।
    ପ୍ରତିମା ନିର୍ମାଣକାରୀ ସମସ୍ତେ
    ଏକା ସଙ୍ଗେ ଅପମାନିତ ହେବେ।
17 ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ;
    ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ
    କିମ୍ବା ବିବ୍ରତ ହେବ ନାହିଁ।
18 ସଦାପ୍ରଭୁ ହିଁ ପରମେଶ୍ୱର,
    ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା,
    ସେ ପୃଥିବୀର ମଧ୍ୟ ନିର୍ମାଣକାରୀ,
ସେ ଏହାକୁ ସ୍ଥାପନ କଲେ,
    ସେ ତାକୁ ଶୂନ୍ୟପରି ସୃଷ୍ଟି କଲେ ନାହିଁ।
ସେ ତାକୁ ବସତି ପାଇଁ ସ୍ଥାପନ କଲେ।
    “ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ୱର କେହି ନାହାନ୍ତି।
19 ଆମ୍ଭେ ଗୋପନରେ କହି ନାହୁଁ
    କିମ୍ବା ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ।
ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ;
    ତୁମ୍ଭେ ମୋତେ ନଗଣ୍ୟ ଭାବରେ ଅନୁସରଣ କର।
ମୁଁ ସଦାପ୍ରଭୁ, ମୁଁ ସତ୍ୟ କହେ,
    ମୁଁ ନ୍ୟାୟ କହେ ଏବଂ ସରଳ କଥା କହେ।”

20 “ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ। 21 ତୁମ୍ଭେମାନେ ଆସ ଓ ତାହା ଉପସ୍ଥିତ କର; ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ।

ବହୁକାଳରୁ “କିଏ ଏହା ଜଣାଇ ଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କ’ଣ ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ଧର୍ମଗୀତ ପରମେଶ୍ୱର ଓ ତ୍ରାଣକର୍ତ୍ତା, ଆମ୍ଭ ଛଡ଼ା ଆଉ କେହି ନାହିଁ। 22 ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭେମାନେ ଆମ୍ଭ ପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ୱର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ।

23 “ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ। 24 ତାହାହେଲେ ଲୋକେ କହିବେ, ‘କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି।’”

ତାଙ୍କ ନିକଟକୁ ସେମାନେ ଆସିବେ। ଯେଉଁମାନେ ତାଙ୍କ ଉପରେ କ୍ରୋଧ କରିଥିଲେ, ସେମାନେ ସମସ୍ତେ ଲଜ୍ଜିତ ହେବେ। 25 ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧର୍ମପ୍ରାପ୍ତ ହେବେ ଓ ଦର୍ପ କରିବେ।

ନିରର୍ଥକ ମିଥ୍ୟା ଦେବତା

46 “ବେଲ୍ ଓ ନବୋ ଆମ୍ଭ ସମ୍ମୁଖରେ ଅବନତ ହେବେ।

“ସେମାନଙ୍କର ପ୍ରତିମାଗୁଡ଼ିକ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ହୋଇଛନ୍ତି। ସେଗୁଡ଼ିକ ବୋଝପରି ତୁମ୍ଭେମାନେ ବହି ଗ୍ଭଲିଲ, ତାହା କ୍ଳାନ୍ତ ପଶୁମାନଙ୍କ ପାଇଁ କେବଳ ଭାର ହୋଇଅଛି। ସେମାନେ ଅବନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି। ସେମାନେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହୋଇଗଲେ।

“ହେ ଯାକୁବର ପରିବାର, ହେ ଇସ୍ରାଏଲର ଅବଶିଷ୍ଟାଂଶ ଆମ୍ଭ କଥା ଶୁଣ! ଆମ୍ଭେ ତୁମ୍ଭମାନଙ୍କୁ ବହନ କରି ଆସୁଅଛୁ। ତୁମ୍ଭେମାନେ ଗର୍ଭସ୍ଥ ହେବା ଦିନଠାରୁ ଆମ୍ଭଦ୍ୱାରା ବାହିତ ହୋଇଅଛ। ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ତୁମ୍ଭକୁ ବହନ କରିବୁ। ପକ୍ୱକେଶ ହେବା ପର୍ଯ୍ୟନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଅଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।

“ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କେହି ନାହିଁ। ସେମାନେ ଥଳିରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି। ସେମାନେ ସୁନାରିକୁ ଗୋଟିଏ ଦେବତା ଗଢ଼ିବା ପାଇଁ ମୂଲ୍ୟ ଦିଅନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ। ସେମାନେ ତାକୁ ପ୍ରଣାମ କରି ପୂଜା କରନ୍ତି। ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା'ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।

“ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର। ପୁରାତନ କଥାକୁ ସ୍ମରଣ କର, କାରଣ ଆମ୍ଭେ ପରମେଶ୍ୱର ଓ ଅଦ୍ୱିତୀୟ, ଆମ୍ଭ ତୁଲ୍ୟ ଅନ୍ୟ କେହି ନାହିଁ।

10 “ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ। 11 ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ୟକୁ ଆହ୍ୱାନ କରୁ। ସେହି ମନୁଷ୍ୟଟି ଉତ୍କ୍ରୋଶପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହା ହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।

12 “ହେ ଧର୍ମରୁ ବିରତ କଠିନ ହୃଦୟ ଲୋକେ, ଆମ୍ଭର କଥା ଶୁଣ। 13 ଆମ୍ଭେ ପରିତ୍ରାଣ ଓ ଧର୍ମ ଆଣିବୁ, ତାହା ବେଶି ଦୂର ନୁହେଁ। ଆମ୍ଭ ପରିତ୍ରାଣର ବିଳମ୍ବ ଘଟିବ ନାହିଁ; ଆମ୍ଭର ଗୌରବ ସ୍ୱରୂପ ଇସ୍ରାଏଲ ପାଇଁ ଆମ୍ଭେ ସିୟୋନ ପ୍ରତି ପରିତ୍ରାଣ ଆଣିବା।”

ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

47 “ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ;
    ଆଗୋ କ‌‌ଲ୍‌‌ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ।
କାରଣ ତୁମ୍ଭେମାନେ ଆଉ କୋମଳ
    ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ।
ପେଷଣା ପଥରରେ ଶସ୍ୟ ପେଷ,
    ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ,
ପାଦ ଅନାବୃତ କର।
    ନଦୀ ଓ ଛୋଟ ନଦୀରେ ଗ୍ଭଲିକରି ଯାଅ।
ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ
    ଓ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ;
ଆମ୍ଭେ ପ୍ରତିଶୋଧ ନେଲା ବେଳେ
    କେହି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।

“ମୋର ସନ୍ତାନଗଣ କୁହନ୍ତି, ‘ଆମ୍ଭମାନଙ୍କର ମୁକ୍ତିଦାତା
    ଇସ୍ରାଏଲର ଧର୍ମସ୍ୱରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।’”

“ଆଗୋ କ‌‌ଲ୍‌‌ଦୀୟ କନ୍ୟାଗଣ,
    ତୁମ୍ଭେମାନେ ଅନ୍ଧାରକୁ ଯାଇ ନୀରବରେ ବସ।
    କାରଣ ତୁମ୍ଭେମାନେ ‘ରାଜ୍ୟର ଆଉ ରାଣୀ’ ବୋଲି କଥିତ ହେବ ନାହିଁ।

“ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ।
    ଆପଣା ଅଧିକାରକୁ ଅପବିତ୍ର କଲୁ
ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ।
    ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ।
ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି
    ବଡ଼ ଭାରି କରି ଥୋଇଲ।
ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ
    ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’
ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ
    କିମ୍ବା ତା'ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।
ହେ ସୁଖଭୋଗିନୀ! ଏବେ ଏହା ଶୁଣ,
    ତୁମ୍ଭେମାନେ ନିରାପଦରେ ବାସ କରି ନିଜେ ନିଜେ କହୁଅଛ,
‘ଆମ୍ଭେ ମହାନ, ଆମ୍ଭ ଛଡ଼ା ଆଉ କେହି ନାହିଁ।
    ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛେଦ ଜାଣିବା ନାହିଁ।’
ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତରେ ଘଟିବ।
    ପ୍ରଥମେ ସନ୍ତାନ ବିରହ ଓ ପରେ ବୈଧବ୍ୟ ତୁମ୍ଭ ପ୍ରତି ଘଟିବ।
ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାୟାବୀତ୍ୱ କିଛି ସାହାଯ୍ୟ କରିବ ନାହିଁ।
    ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
10 ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପରେ ନିର୍ଭର କରି ନିଜକୁ ନିରାପଦ ମଣୁଅଛ;
    ତୁମ୍ଭେ ଭାବୁଛ, ‘କେହି ତୁମ୍ଭକୁ ଦେଖୁ ନାହିଁ।’
ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି;
    ତୁମ୍ଭେ ନିଜକୁ ‘ମହାନ ବୋଲି ଭାବୁଛ,
    ଆମ୍ଭ ଛଡ଼ା କେହି ନାହିଁ ବୋଲି କହୁଅଛ।’

11 “ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ;
    ତୁମ୍ଭେ ଜାଣିବ ନାହିଁ ଏହା କେତେବେଳେ ଘଟିବ।
ତୁମ୍ଭ ଉପରେ ବିପଦ ପଡ଼ିବ ମାତ୍ର ତୁମ୍ଭେ ତାହା ଦୂର କରି ପାରିବ ନାହିଁ।
    ତୁମ୍ଭେ ଏତେ ଶୀଘ୍ର ବିନାଶ ହେବ, ତାହା ତୁମ୍ଭେ ଜାଣିବ ନାହିଁ।
12 ବର୍ତ୍ତମାନ ତୁମ୍ଭେମାନେ ମାୟାବୀ ଯାଦୁବିଦ୍ୟା ଉପରେ ନିର୍ଭର କର,
    ଯାହା ତୁମ୍ଭେମାନେ ଶିଖିବାକୁ ବହୁତ ପରିଶ୍ରମ କର।
ତୁମ୍ଭେମାନେ ସେଗୁଡ଼ିକୁ ବ୍ୟବହାରରେ ଲଗାଇପାର
    କିମ୍ବା ସେଥିପାଇଁ ତୁମ୍ଭେମାନେ ଜିତିପାର।
13 ତୁମ୍ଭର ତ ବହୁ ଉପଦେଷ୍ଟା ଅଛନ୍ତି।
    ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ।
ଏବେ ସେହି ଜ୍ୟୋତିଷମାନେ,
    ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ
    ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
14 “ସେମାନେ ତ ନିଜକୁ ରକ୍ଷା କରି ପାରିବେ ନାହିଁ,
    ସେମାନେ କୁଟାପରି ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।
ସେମାନେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରି ପାରିବେ ନାହିଁ।
    ତାହା ଏପରି ଦ‌ଗ୍‌ଧିଭୂତ ହେବ ଯେକୌଣସି ଅଙ୍ଗାର ରହିବ ନାହିଁ, ଫଳରେ ଉଷ୍ଣ ହେବାକୁ ତାହା ରହିବ ନାହିଁ।
15 ଯେଉଁ ବିଷୟ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭ ପ୍ରତି ଏହିପରି ଘଟିବ।
    ଯେଉଁମାନେ ଯୌବନରୁ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି,
ସେମାନେ ପ୍ରତ୍ୟେକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ,
    ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।”

ପରମେଶ୍ୱର ଜଗତକୁ ଶାସନ କରନ୍ତି

48 ସଦାପ୍ରଭୁ କୁହନ୍ତି, “ହେ ଯାକୁବର ପରିବାର,
    ଯିହୁଦାର କଟିରୁ ଜନ୍ମ,
    ଇସ୍ରାଏଲ ପରି ଖ୍ୟାତ, ଦୟାକରି ମୋ’ କଥା ଶୁଣ।
ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ
    ଓ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଅଛ।
    କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ସତ୍ୟ ଓ ଧାର୍ମିକତାରେ କରୁ ନାହିଁ।

“କାରଣ ସେମାନେ ନିଜକୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତି
    ଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି;
ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।

“ପୂର୍ବକାଳରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ।
    ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ।
    ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ତାହା ସବୁ ଘଟିଲା।
କାରଣ ମୁଁ ଜାଣେ ତୁମ୍ଭେ ଅବାଧ୍ୟ;
    ମୋର ବାକ୍ୟ ତୁମ୍ଭେ ବିଶ୍ୱାସ କରିବାକୁ ଅସମ୍ମତ। ତୁମ୍ଭର ଗ୍ରୀବା ଲୌହନଳୀ
    ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ।
ତେଣୁ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ଘଟିବ ବୋଲି ପ୍ରକାଶ କଲୁ;
    ତାହା ଘଟିବା ପୂର୍ବରୁ ତୁମ୍ଭକୁ ଜଣାଇଲୁ।
ତାହା ନ ହେଲେ ତୁମ୍ଭେ କହିଥା’ନ୍ତ,
    ‘ଆମ୍ଭର ଦେବତା ଏହା କରିଅଛନ୍ତି,’ ପୁଣି କହିଥା’ନ୍ତ
    ‘ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛନ୍ତି।’”

ଇସ୍ରାଏଲକୁ ପବିତ୍ର କରିବାକୁ ପରମେଶ୍ୱର ଦଣ୍ଡ ଦିଅନ୍ତି

“ତୁମ୍ଭେମାନେ ଶୁଣିଅଛ, ଏବଂ ବର୍ତ୍ତମାନ ତୁମ୍ଭେ ଦେଖ!
    ତୁମ୍ଭେମାନେ କ’ଣ ତାହା ପ୍ରକାଶ କରିବ ନାହିଁ?
ବର୍ତ୍ତମାନ ତୁମ୍ଭକୁ ଆମ୍ଭେ ବଡ଼ ଗୁରୁତ୍ୱର କିଛି ତୁମ୍ଭକୁ ଦେଖାଇଦେବୁ,
    ଯାହାକି ତୁମ୍ଭର ଅଜ୍ଞାତ ଅଟେ।
ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସେସବୁ ସୃଷ୍ଟ ହେଲା।
    ଆଜି ଦିନର ପୂର୍ବରୁ ତୁମ୍ଭେ ସେସବୁ ଶୁଣି ନ ଥିଲ।
    ‘ନଚେତ୍ ତୁମ୍ଭେ ଜାଣିଥିଲ ବୋଲି କହିଥା’ନ୍ତ।’
ବାସ୍ତବିକ ତୁମ୍ଭେ ଶୁଣିଲ ନାହିଁ;
    ତୁମ୍ଭେ ଜାଣିଲ ନାହିଁ;
    ବହୁକାଳରୁ ତୁମ୍ଭର କାନ ମୁଦ୍ରିତ ଥିଲା;
କାରଣ ତୁମ୍ଭେ ଅତି ବିଶ୍ୱାସଘାତ କରିଥିଲ;
    ଜନ୍ମରୁ ତୁମ୍ଭେ ଅଧର୍ମାଗ୍ଭରୀ ବୋଲି ଖ୍ୟାତ ହୋଇଥିଲ; ଆମ୍ଭେ ଜାଣିଲୁ।

“ମାତ୍ର ଆମ୍ଭେ ନିଜର ପ୍ରଶଂସା ପାଇଁ
    କ୍ରୋଧ ସମ୍ବରଣ କରିବା।
ଏଥିପାଇଁ ତୁମ୍ଭକୁ ଉଚ୍ଛିନ୍ନ କରିବା ନାହିଁ।
    ତୁମ୍ଭେ ଆମ୍ଭର କ୍ଷାନ୍ତ ଯୋଗୁଁ ପ୍ରଶଂସା କରିବ।

10 “ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିବୁ।
    ମାତ୍ର ଲୋକମାନେ ଯେପରି ରୂପାକୁ ଅଗ୍ନିରେ ପକାଇ ପରିଷ୍କାର କରନ୍ତି ସେପରି ନୁହେଁ।
    ଆମ୍ଭେ ତୁମ୍ଭକୁ ଦୁଃଖରୂପକ ଉହ୍ମେଇରେ ପକାଇ ପରିଷ୍କାର କରିବୁ।
11 ଆମ୍ଭେ କେବଳ ନିଜ ପାଇଁ, ନିଜ ସକାଶେ ଏହା କରିବା।
    କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା?
    ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦେବା ନାହିଁ।

12 “ହେ ଯାକୁବ, ଆମ୍ଭ ଆହୂତ ଇସ୍ରାଏଲ,
    ତୁମ୍ଭେମାନେ ଆମ୍ଭ କଥାକୁ ଶ୍ରବଣ କର।
    ଆମ୍ଭେ ହେଉଛୁ ଆଦ୍ୟ ଓ ଅନ୍ତ।
13 ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି
    ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି।
ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ
    ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି।

14 “ତୁମ୍ଭେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭ କଥା ଶ୍ରବଣ କର;
    ସେମାନଙ୍କ ମଧ୍ୟରେ କିଏ ଏହିସବୁ କଥା କରିଅଛନ୍ତି?”
ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି।
    ସେ ବାବିଲ ଉପରେ ତାଙ୍କର ଉଦ୍ଦେଶ୍ୟ ସଫଳ କରିବେ ଓ କ‌‌ଲ୍‌‌ଦୀୟମାନଙ୍କ ଉପରେ ତାଙ୍କର ବାହୁ ରହିବ।

15 “ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ୱାନ କରିଅଛୁ,
    ନିଜେ ତାଙ୍କୁ ଆଣିଅଛୁ;
    ସେ ନିଜ ପଥରେ କୃତକାର୍ଯ୍ୟ ହେବ।
16 ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ।
    ଆଦ୍ୟରୁ ଆମ୍ଭେ ଗୋପନରେ କିଛି କହି ନାହୁଁ।
    ବହୁ କାଳରୁ ଆମ୍ଭେ ସେଠାରେ ଅଛୁ।”

ପୁଣି “ଏବେ ମୋର ପ୍ରଭୁ ସଦାପ୍ରଭୁ ମୋତେ ଓ ତାଙ୍କର ଆତ୍ମାକୁ ପ୍ରେରଣ କରିଛନ୍ତି।

17 ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ଇସ୍ରାଏଲର ଧର୍ମସ୍ୱରୂପ ଏହି କଥା କୁହନ୍ତି,

“ଆମ୍ଭେ ସଦାପ୍ରଭୁ, ତୁମ୍ଭର ପରମେଶ୍ୱର,
    ତୁମ୍ଭର ମଙ୍ଗଳ ପାଇଁ ତୁମ୍ଭକୁ ଶିକ୍ଷା ଦେଉ
    ଓ ତୁମ୍ଭକୁ ଉଚିତ୍ ମାର୍ଗରେ ଗମନ କରିବାକୁ ନିର୍ଦ୍ଦେଶ ଦେଉ।
18 ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥା’ନ୍ତ,
    ତେବେ ତୁମ୍ଭର ଶାନ୍ତି ନଦୀତୁଲ୍ୟ
    ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ତୁମ୍ଭ ନିକଟକୁ ଆସିଥା’ନ୍ତା।
19 ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥା’ନ୍ତ
    ତେବେ ତୁମ୍ଭର ବଂଶ ବାଲୁକା ତୁଲ୍ୟ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ୟ ହୋଇଥା’ନ୍ତେ।
ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ
    କିମ୍ବା ବିନଷ୍ଟ ହୋଇ ନ ଥା’ନ୍ତା।”

20 ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ,
    କ‌‌ଲ୍‌‌ଦୀୟମାନଙ୍କ ମଧ୍ୟରୁ ପଳାୟନ କର;
ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ,
    ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର;
ତୁମ୍ଭେମାନେ କୁହ,
    “ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”
21 ସଦାପ୍ରଭୁ ଯଦିଓ ମରୁଭୂମିରୁ ସେମାନଙ୍କୁ ନେଲେ, ସେମାନେ ତୃଷାର୍ତ୍ତ ହେଲେ ନାହିଁ।
    ସେ ସେମାନଙ୍କ ପାଇଁ ଶୈଳରୁ ଜଳସ୍ରୋତ ବୁହାଇଲେ;
ଆଉ ମଧ୍ୟ ସେ ଶୈଳକୁ ବିଦୀର୍ଣ୍ଣ କଲେ
    ଓ ତହିଁରୁ ଜଳ ନିର୍ଗତ ହେଲା।

22 ମାତ୍ର ସଦାପ୍ରଭୁ କୁହନ୍ତି,
    “ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center