Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 35-36

ପରମେଶ୍ୱର ତାଙ୍କର ସନ୍ତାନଗଣଙ୍କୁ ସୁଖ ପ୍ରଦାନ କରନ୍ତି

35 ଶୁଷ୍କ ମରୁଭୂମି ଆନନ୍ଦିତ ହେବ। ପୁଣି ମରୁଭୂମି ଉଲ୍ଲାସିତ ହୋଇ ପୁଷ୍ପତୁଲ୍ୟ ପ୍ରଫୁଲିତ ହେବ। ତା'ର ଅପାର ଆନନ୍ଦ ଉଲ୍ଲାସ ନୃତ୍ୟ ଓ ଗାନ ମାଧ୍ୟମରେ ପ୍ରଦର୍ଶନ କରିବ। ଲିବାନୋ‌ନ୍‌ର ପରାକ୍ରମ, କର୍ମିଲ ଓ ଶାରୋଣର ଶୋଭା ସେ ପ୍ରାପ୍ତ ହେବ। ଏସବୁ ଘଟିବ, କାରଣ ସେମାନେ ସଦାପ୍ରଭୁଙ୍କର ମହିମା ଏବଂ ସେମାନେ ପରମେଶ୍ୱରଙ୍କ ଶୋଭା ଦେଖିବେ।

ତୁମ୍ଭେମାନେ ଦୁର୍ବଳ ହାତକୁ ସବଳ କର ଓ କମିତ ଆଣ୍ଠୁକୁ ସୁସ୍ଥିର କର। ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦେଇ କୁହ, “ସାହସୀ ହୁଅ, ଭୟ କର ନାହିଁ।” ଦେଖ, ତୁମ୍ଭର ପରମେଶ୍ୱର ବିପକ୍ଷମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ। ସେତେବେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହୋଇ ଦେଖି ପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣରେ ଶ୍ରବଣ କରିବେ। ଖଞ୍ଜଲୋକ ହରିଣ ତୁଲ୍ୟ ଡିଆଁ ମାରିବ ଓ ମୂକ ଆନନ୍ଦରେ ଗାନ କରିବ। କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ଝରଣାର ସ୍ରୋତ ବାହାରିବ। ମରିଚିକା ଜଳାଶୟ ହେବ। ଶୁଷ୍କ ମରୁଭୂମି ନିର୍ଝରମୟ ହେବ। ଶୃଗାଳମାନଙ୍କ ବାସ ସ୍ଥାନରେ ନଳ ଓ ତଣ୍ଡିବଣ ଜନ୍ମିବ।

ପୁଣି ସେତେବେଳେ ସେଠାରେ ରାଜଦଣ୍ଡ ଓ ପଥ ହେବ ଯାହାକି “ପବିତ୍ରତାର ପଥ” ବୋଲି ବିଖ୍ୟାତ ହେବ। ତାହା ଉପରେ କେବଳ ଧାର୍ମିକମାନେ ଗମନ କରିବେ। କୌଣସି ଅଶୁଚି, ମନ୍ଦାଗ୍ଭରୀ ଓ ଅଜ୍ଞାନୀମାନେ ସେ ପଥରେ ଯିବେ ନାହିଁ। ସେ ପଥରେ କୌଣସି ବିପଦ ନ ଥିବ। ସିଂହ କିମ୍ବା ହିଂସ୍ରକ ଜନ୍ତୁ ଆଘାତ ଦେବାକୁ ସେଠାରେ ନ ଥିବେ। ସେମାନେ ସେଠାରେ ଦେଖାଯିବେ ନାହିଁ। କେବଳ ମୁକ୍ତିପ୍ରାପ୍ତ ଲୋକମାନେ ତା'ଉପରେ ବିଚରଣ କରିବେ।

10 ପୁଣି ପରମେଶ୍ୱରଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ। ସେମାନେ ଆନନ୍ଦରେ ଗାନ କରି କରି ସିୟୋନରେ ଉପସ୍ଥିତ ହେବେ। ଚିରନ୍ତନ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇଯିବ।

ଅଶୂରୀୟମାନଙ୍କ ଯିହୁଦା ଆକ୍ରମଣ

36 ରାଜା ହିଜକିୟଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ୱ କାଳରେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ। ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ତାଙ୍କର ସେନାଧ୍ୟକ୍ଷଙ୍କୁ ଏକ ବିଶାଳ ସୈନ୍ୟବାହିନୀ ଦେଇ ଲାଖି‌ଶ୍‌ଠାରୁ ଯିରୁଶାଲମକୁ ହିଜକିୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା।

ଯିରୁଶାଲମର ତିନି ଜଣ ବ୍ୟକ୍ତି ସେନାଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ହେଲେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହ ରକ୍ଷୀ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ।

ଆଦେଶକର୍ତ୍ତା ସେମାନଙ୍କୁ କହିଲା, “ଏବେ ତୁମ୍ଭେମାନେ ହିଜକିୟଙ୍କୁ କୁହ, ଅଶୂରର ମହାରାଜା ଏହି କଥା କୁହନ୍ତି,

“‘ତୁମ୍ଭେମାନେ କ’ଣ ପାଇଁ ଏତେ ଆତ୍ମନିର୍ଭର ଶୀଳ। ମୁଁ କହୁଛି ଯୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭେମାନେ କାହା ଉପରେ ବିଶ୍ୱାସ କରି ମୋ’ ବିପକ୍ଷରେ ବିଦ୍ରୋହ କରିଛ? ତୁମ୍ଭେମାନେ କ’ଣ ଭଗ୍ନ ଯଷ୍ଟି ସଦୃଶ ମିଶର ଉପରେ ନିର୍ଭର କରୁଛ? ତାହା ଯଦି କରୁଥାଅ ତେବେ ସେ ହାତରେ ଫୋଡ଼ି ହୋଇଯାଇ କଣା କରିଦେବ। ମିଶରର ରାଜା ଫାରୋ ଉପରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ସମସ୍ତେ କିଛି ସାହାଯ୍ୟ ପାଇବେ ନାହିଁ।

“‘ମାତ୍ର ତୁମ୍ଭେ ମୋତେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛୁ।” ମାତ୍ର ମୁଁ ଜାଣେ ହିଜକିୟ ସଦାପ୍ରଭୁଙ୍କ ପୂଜାସ୍ଥଳୀ ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଧ୍ୱଂସ କରି ଦେଇଛି। “ଆଉ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବାକୁ କହିଅଛି।”

“‘ଏହା ସତ୍ତ୍ୱେ, ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଗ୍ଭହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସେମାନଙ୍କ ପାଇଁ ଯଦି ଅଶ୍ୱ ଆରୋହଣକାରୀମାନଙ୍କୁ ଖୋଜି ପାରିବ, ତେବେ ମୁଁ ତୁମ୍ଭଙ୍କୁ 200 ଅଶ୍ୱ ଦେବି। ମାତ୍ର ତୁମ୍ଭେ ମୋର ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ସେନାପତିଙ୍କୁ ମଧ୍ୟ ପରାସ୍ତ କରି ପାରିବ ନାହିଁ। ତେବେ ତୁମ୍ଭେ କିପରି ମିଶରର ଅଶ୍ୱାରୋହୀ ଓ ରଥ ଉପରେ ବିଶ୍ୱାସ ରଖୁଛ?

10 “‘ବର୍ତ୍ତମାନ ତୁମ୍ଭେ କ’ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାଯ୍ୟରେ ଏହି ସ୍ଥାନକୁ ଧ୍ୱଂସ କରି ପାରିବି? ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”’”

11 ତା'ପରେ ଇଲିୟାକୀମ୍, ଶି‌‌‌ବ୍‌‌‌ନ ଓ ଯୋୟାହ ରବ୍‌ଶାକିକି କହିଲେ, “ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀୟ ଭାଷାରେ କୁହନ୍ତୁ। କାରଣ ଆମ୍ଭେମାନେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ।”

12 ମାତ୍ର ର‌ବ୍‌ଶାକି କହିଲା, “ମୋର ପ୍ରଭୁ କ’ଣ ମୋତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି? ସେ କ’ଣ ମୋତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସେମାନଙ୍କ ନିକଟକୁ ପଠାଇ ନାହାନ୍ତି?”

13 ତା'ପରେ ର‌ବ୍‌ଶାକି ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ କହିଲେ।

14 ମହାରାଜା ଅଶୂରର ରାଜାଙ୍କର ଏହି ବାର୍ତ୍ତା ଶୁଣ: ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକିୟଙ୍କୁ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ କ୍ଷମ ହେବେ ନାହିଁ। 15 ହିଜକିୟଙ୍କ କଥା ବିଶ୍ୱାସ କର ନାହିଁ। “ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ। ସେ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ଅଶୂର ରାଜାଙ୍କୁ ଏହି ନଗର ଅଧିକାର କରିବାକୁ ଦେବେ ନାହିଁ।”

16 ହିଜକିୟଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, “ତୁମ୍ଭେମାନେ ମୋ’ ସହିତ ଚୁକ୍ତି କର। ତୁମ୍ଭେମାନେ ନଗରରୁ ବାହାରି ମୋ’ ନିକଟକୁ ଗ୍ଭଳିଆସ। ତା'ପରେ ପ୍ରତ୍ୟେକ ନିଜ ନିଜ ଗୃହକୁ ଯିବାକୁ ମୁକ୍ତ ଅଟ। ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଭୋଜନ କର। ପ୍ରତ୍ୟେକ ନିଜ ନିଜ କୂପରୁ ଜଳ ପାନକର। 17 ତୁମ୍ଭମାନଙ୍କୁ ସ୍ୱଦେଶକୁ ନେଇଯିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କାର୍ଯ୍ୟ କର। ସେହି ନୂତନ ଦେଶରେ ତୁମ୍ଭେମାନେ ଉତ୍ତମ ଶସ୍ୟ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷାକ୍ଷେତ୍ର‌ମାନ ଲାଭ କରିବ।”

18 ହିଜକିୟ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ୟାନ ଦିଅ। ସେ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।” ମାତ୍ର କୌଣସି ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛି? ନା। 19 ହମାତ ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ'ଠାରୁ ଶମରିୟାକୁ ଉଦ୍ଧାର କରିଛନ୍ତି? 20 ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତା ମୋ’ ହସ୍ତରୁ ନିଜ ନିଜ ଦେଶ ଉଦ୍ଧାର କରିଅଛନ୍ତି ଯେ, ସଦାପ୍ରଭୁ ମୋ’ ହସ୍ତରୁ ଯିରୁଶାଲମକୁ ଉଦ୍ଧାର କରିବେ।

21 ମାତ୍ର ଯିରୁଶାଲମର ଲୋକମାନେ ନୀରବ ରହିଲେ। ତାହାକୁ ପଦେମାତ୍ର ଉତ୍ତର କଲେ ନାହିଁ। “କାରଣ ରାଜା ହିଜକିୟ ଉତ୍ତର ନ ଦେବା ପାଇଁ ଆଦେଶ ଦେଇଥିଲେ।”

22 ତା'ପରେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ ଆପଣା ଆପଣା ବସ୍ତ୍ର ଚିରି ହିଜକିୟ ନିକଟକୁ ଆସି ରବ୍‌ଶାକିର କଥାସବୁ ତାକୁ ଜଣାଇଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center