Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 18:1-8

ଯିହୁଦାରେ ହିଜକିୟଙ୍କ ଶାସନ ଆରମ୍ଭ

18 ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର, ହୋଶେୟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଆହସଙ୍କ ପୁତ୍ର ହିଜକିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ।

ହିଜକିୟ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।

ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶେରା ମୂର୍ତ୍ତି ଗୁଡ଼ିକୁ କାଟି ପକାଇଲେ। ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଏହାର ନାମ “ନହୁଷ୍ଟର୍ନ” ରଖିଲେ।

ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ। ସେ ସଦାପ୍ରଭୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇ ନ ଥିଲେ। ଆଉ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ। ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ, ସେ ଯେକୌଣସି କାର୍ଯ୍ୟ କଲେ ସବୁରେ କୃତକାର୍ଯ୍ୟ ହେଲେ।

ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ। ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 29-31

ଯିହୁଦାର ରାଜା ହିଜକିୟ

29 ହିଜକିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଜିଖରିୟଙ୍କ କନ୍ୟା ଥିଲେ। ହିଜକିୟ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।

ହିଜକିୟ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ମରାମତି କଲେ। ହିଜକିୟ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହେବାର ପ୍ରଥମ ବର୍ଷର ପ୍ରଥମ ମାସରେ ହିଁ ଏହା କଲେ। ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ଏକ ସଭାରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାର୍ଶ୍ୱସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ସେମାନଙ୍କ ସହିତ ଏକ ସଭା କଲେ। ହିଜକିୟ ସେମାନଙ୍କୁ କହିଲେ, “ହେ ଲେବୀୟମାନେ, ମୋ’ କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ। ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ। ସେମାନେ ମନ୍ଦିର ଅଳିନ୍ଦର ଦ୍ୱାରସବୁ ବନ୍ଦ କରିଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସ୍ଥାନରେ ସୁଗନ୍ଧିଧୂପ ଜଳାଇବା ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ବନ୍ଦ କରିଦେଲେ। ତେଣୁ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ସେମାନଙ୍କୁ ଦଣ୍ଡିତ କଲେ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତେବେଳେ ଅନ୍ୟ ଲୋକମାନେ ଦେଖିଲେ, ସେମାନେ ଅତ୍ୟନ୍ତ ଭୟଭୀତ ଓ ହତଚକିତ ହୋଇପଡ଼ିଲେ। ସେହି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜାରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭେମାନେ ତାହା ସ୍ୱଚକ୍ଷୁରେ ଦେଖୁଅଛ। ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ଯୁଦ୍ଧରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ୟା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗଲେ। 10 ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ। 11 ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”

12-14 ଯେଉଁ ଲେବୀୟମାନେ କାର୍ଯ୍ୟ କରିବାକୁ ଆରମ୍ଭ କଲେ, ସେମାନଙ୍କର ତାଲିକା ଏହି:

କହାତ୍ ବଂଶର ଅମାସୟଙ୍କ ପୁତ୍ର ମାହତ୍ ଓ ଅସରିୟଙ୍କ ପୁତ୍ର ଯୋୟେଲ ଥିଲେ।

ମରାରି ବଂଶଧରର ଅ‌ବ୍‌ଦିଙ୍କ ପୁତ୍ର କୀଶ୍ ଓ ଯିହୋଲିଲେଲଙ୍କ ପୁତ୍ର ଅସରିୟ ଥିଲେ।

ଗେର୍ଶୋନ ବଂଶଧରରୁ ସିମ୍ମଙ୍କ ପୁତ୍ର ଯୋୟାହ ଓ ଯୋୟାହଙ୍କ ପୁତ୍ର ଏଦନ୍ ଥିଲେ।

ଇଲିଶାଫ‌ନଙ୍କ ବଂଶଧରମାନଙ୍କ ମଧ୍ୟରୁ ଜିଖରିୟ ଓ ମତ୍ତନିୟ ଥିଲେ।

ହେମ‌ନଙ୍କ ବଂଶଧରମାନଙ୍କ ମଧ୍ୟରୁ ଯିହୀୟେଲ୍ ଓ ଶିମିୟି ଥିଲେ।

ଯିଦୂଥୂ‌ନଙ୍କ ବଂଶଧରମାନଙ୍କ ମଧ୍ୟରୁ ଶିମ୍ରି ଓ ଯିୟୂୟେଲ ଥିଲେ।

ଆସଫ୍ ବଂଶଧରମାନଙ୍କ ମଧ୍ୟରୁ ଶମୟିୟ ଓ ଉଷିୟେଲ ଥିଲେ।

15 ଏହା ପରେ ଏହି ଲେବୀୟମାନେ ସେମାନଙ୍କର ଭ୍ରାତାମାନଙ୍କୁ ଏକତ୍ର କଲେ ଓ ମନ୍ଦିରର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କଲେ। ସେମାନେ ରାଜାଙ୍କର ଆଦେଶ ମାନିଲେ, ଯାହାକି ସଦାପ୍ରଭୁଙ୍କଠାରୁ ଆସିଥିଲା। 16 ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧ୍ୟରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରିଦେଲେ। ସେମାନେ ସେହି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହା ପରେ ଲେବୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନେଇଗଲେ। 17 ପ୍ରଥମ ମାସର ପ୍ରଥମ ଦିନରେ ଲେବୀୟମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମାସର ଅଷ୍ଟମ ଦିନରେ, ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ୟବହାର କରିବା ପାଇଁ ସେମାନେ ଆହୁରି ଆଠ ଦିନ ପର୍ଯ୍ୟନ୍ତ ତାହାକୁ ପରିଷ୍କାର କଲେ। ସେମାନେ ପ୍ରଥମ ମାସର ଷୋହଳତମ ଦିନରେ ତାହା ସମାପ୍ତ କଲେ।

18 ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ। 19 ଆହସ୍ ରାଜା ଥିବା ସମୟରେ ପରମେଶ୍ୱରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ। ସେ ମନ୍ଦିର ମଧ୍ୟରେ ଥିବା ଅନେକ ସାମଗ୍ରୀକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମ୍ଭେମାନେ ସେହିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସେଗୁଡ଼ିକୁ ବିଶେଷ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସେଗୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଅଛି।”

20 ରାଜା ହିଜକିୟ ପରବର୍ତ୍ତୀ ଦିନ ପ୍ରତ୍ୟୁଷରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। 21 ସେମାନେ ସାତ ଗୋଟି ବଳଦ, ସାତୋଟି ମେଷ, ସାତୋଟି ମେଷଶାବକ ଓ ସାତୋଟି ବୋଦା ଆଣିଲେ। ଏହି ପଶୁଗୁଡ଼ିକ ପବିତ୍ର ସ୍ଥାନର ଓ ଯିହୁଦାର ଲୋକମାନଙ୍କ ନିମନ୍ତେ ପାପାର୍ଥକ ବଳିସ୍ୱରୂପେ ଉତ୍ସର୍ଗୀକୃତ ହେବାକୁ ଥିଲା। ରାଜା ହିଜକିୟ ହାରୋଣଙ୍କ ବଂଶଧର ଯାଜକମାନଙ୍କୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ପଶୁଗୁଡ଼କ ଉତ୍ସର୍ଗ କରିବାକୁ ଆଦେଶ ଦେଲେ। 22 ତେଣୁ ଯାଜକମାନେ ବଳଦମାନଙ୍କୁ ହତ୍ୟା କଲେ ଓ ରକ୍ତକୁ ରଖିଲେ। ଆଉ ସେମାନେ ସେହି ବଳଦର ରକ୍ତକୁ ବେଦି ଉପରେ ସିଞ୍ଚିଲେ। ଏହା ପରେ ଯାଜକମାନେ ମେଷମାନଙ୍କୁ ହତ୍ୟା କଲେ ଓ ମେଷମାନଙ୍କର ରକ୍ତ ଯଜ୍ଞବେଦି ଉପରେ ସିଞ୍ଚନ କଲେ। 23-24 ଏହା ପରେ ଯାଜକମାନେ ଛାଗଗୁଡ଼ିକୁ ରାଜାଙ୍କ ସମ୍ମୁଖକୁ ଆଣିଲେ ଓ ଲୋକମାନେ ଏକତ୍ର ସମ୍ମିଳିତ ହେଲେ। ଏହି ଛାଗଗୁଡ଼ିକ ପାପାର୍ଥକ ବଳି ଥିଲା। ଯାଜକମାନେ ସେମାନଙ୍କ ହସ୍ତ ଛାଗମାନଙ୍କ ମସ୍ତକ ଉପରେ ରଖିଲେ ଓ ଛାଗଗୁଡ଼ିକୁ ବଧ କଲେ। ଛାଗମାନଙ୍କର ରକ୍ତକୁ ଯଜ୍ଞବେଦି ଉପରେ ଉତ୍ସର୍ଗ କରି ଯାଜକମାନେ ପାପାର୍ଥକ ବଳି ଉତ୍ସର୍ଗ କଲେ। ପରମେଶ୍ୱର ଯେପରି ଇସ୍ରାଏଲର ଲୋକମାନଙ୍କର ପାପସବୁ କ୍ଷମା କରନ୍ତି, ଏଥିନିମନ୍ତେ ସେମାନେ ଏହିପରି କଲେ। ରାଜା କହିଲେ ଯେ, ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ହୋମବଳି ଉପହାର ଓ ପାପାର୍ଥକ ବଳି ଏକତ୍ର ଉତ୍ସର୍ଗ କରାଯିବା ଉଚିତ୍।

25 ଦାଉଦ, ରାଜାଙ୍କ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା। 26 ତେଣୁ ଲେବୀୟମାନେ ଦାଉଦଙ୍କ ବାଦ୍ୟଯନ୍ତ୍ରସବୁ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ ଓ ଯାଜକମାନେ ସେମାନଙ୍କର ତୂରୀ ସହିତ ପ୍ରସ୍ତୁତ ହୋଇ ଠିଆ ହେଲେ। 27 ଏହା ପରେ ହିଜକିୟ ବେଦି ଉପରେ ବଳିଦାନ ଉପହାର ଉତ୍ସର୍ଗ କରିବାକୁ ଆଦେଶ ଦେଲେ। ହୋମବଳି ଉପହାରର ଉତ୍ସର୍ଗ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ ଆରମ୍ଭ ହେଲା। ତୂରୀ ବଜାଗଲା ଓ ଇସ୍ରାଏଲ ରାଜା ଦାଉଦଙ୍କ ବାଦ୍ୟଯନ୍ତ୍ର ସବୁ ବଜାଗଲା। 28 ହୋମବଳି ଉପହାରର ଉତ୍ସର୍ଗୀକରଣ ଶେଷ ନ ହେବା ପର୍ଯ୍ୟନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାୟକମାନେ ଗୀତ ଗାନ କଲେ ଓ ତୂରୀବାଦ୍ୟକାରୀମାନେ ତୂରୀ ବଜାଇଲେ।

29 ଉତ୍ସର୍ଗ କାର୍ଯ୍ୟ ଶେଷ ହେବାପରେ, ରାଜା ହିଜକିୟ ଓ ତାଙ୍କ ସହିତ ସମସ୍ତ ଜନତା ନତମସ୍ତକ ହେଲେ ଓ ଉପାସନା କଲେ। 30 ରାଜା ହିଜକିୟ ଓ ତାଙ୍କର ପଦାଧିକାରୀମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାକୁ ଆଦେଶ ଦେଲେ। ସେମାନେ ଦାଉଦ ଓ ଆସଫ ଭବିଷ୍ୟ‌ଦ୍‌ବକ୍ତାଙ୍କ ରଚିତ ସଙ୍ଗୀତମାନ ଗାନ କଲେ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସେମାନେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ୱରଙ୍କର ଉପାସନା କଲେ। 31 ହିଜକିୟ କହିଲେ, “ବର୍ତ୍ତମାନ, ଯିହୁଦାର ଲୋକମାନେ, ତୁମ୍ଭେମାନେ ନିଜକୁ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ କରିଅଛ। ନିକଟକୁ ଆସ ଓ ସଦାପ୍ରଭୁଙ୍କ ମନ୍ଦିରକୁ ବଳିଦାନ ଓ ଧନ୍ୟବାଦର ଉପହାରସବୁ ଆଣ।” ଏହା ପରେ ଲୋକମାନେ ବଳିଦାନ ଓ ଧନ୍ୟବାଦର ଉପହାର ସବୁ ଆଣିଲେ। ଯଦି କୌଣସି ଲୋକ ଗ୍ଭହିଁଲା, ସେ ହୋମବଳି ଉପହାରସବୁ ଆଣିଲା। 32 ସମ୍ମିଳିତ ଜନତା ଏହିପରି ଭାବରେ ହୋମବଳି ଉପହାର ସବୁ ଆଣିଲେ: ସତୁରି ବଳଦ, 100 ଗୋଟି ମେଷ ଓ 200 ଗୋଟି ମେଷଶାବକ। ଏହିସବୁ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରାଗଲା। 33 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ନୈବେଦ୍ୟ ଥିଲା 600ଟି ଷଣ୍ଢ ଓ 3,000 ମେଷ ଓ ଛାଗ। 34 କିନ୍ତୁ ଏହି ସମସ୍ତ ପଶୁଙ୍କୁ କାଟି ଓ ଚମଡ଼ା ପରିଷ୍କାର କରି ହୋମବଳି ନୈବେଦ୍ୟ ସ୍ୱରୂପେ ଉତ୍ସର୍ଗ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନ ଥିଲେ। ତେଣୁ ସେମାନଙ୍କର ଆତ୍ମୀୟମାନେ ଓ ଲେବୀୟମାନେ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସାହାଯ୍ୟ କଲେ। ଲେବୀୟମାନେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସଚେତନ ଥିଲେ। ସେମାନେ ଯାଜକମାନଙ୍କଠାରୁ ମଧ୍ୟ ଅଧିକ ସଚେତନ ଥିଲେ। 35 ସେଠାରେ ଅନେକ ହୋମବଳି ନୈବେଦ୍ୟ ଓ ମଙ୍ଗଳାର୍ଥକ ନୈବେଦ୍ୟ ସ୍ୱରୂପ ଚର୍ବ୍ବୀର ଉତ୍ସର୍ଗ ଓ ପେୟନୈବେଦ୍ୟ ଉତ୍ସର୍ଗ କରାଗଲା। ଏହିପରି ଭାବରେ, ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ ଆଉଥରେ ଆରମ୍ଭ ହେଲା। 36 ପରମେଶ୍ୱର ତାଙ୍କର ଲୋକମାନଙ୍କ ନିମନ୍ତେ ଯେଉଁସବୁ ବିଷୟ ପ୍ରସ୍ତୁତ କରିଥିଲେ, ସେଥିନିମନ୍ତେ ହିଜକିୟ ଓ ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଆଉ ସେ ତାହା ଏତେ ଶୀଘ୍ର କଲେ, ଯେ ସେଥିନିମନ୍ତେ ସେମାନେ ଆନନ୍ଦିତ ଥିଲେ।

ହିଜକିୟ ନିସ୍ତାରପର୍ବ ପାଳନ କଲେ

30 ରାଜା ହିଜକିୟ ଇସ୍ରାଏଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବାର୍ତ୍ତାମାନ ପ୍ରେରଣ କଲେ। ସେ ଇଫ୍ରୟିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ୟ ପତ୍ରମାନ ଲେଖିଲେ। ହିଜକିୟ ସେହି ସମସ୍ତ ଲୋକଙ୍କୁ ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସେମାନେ ସମସ୍ତ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରି ପାରିବେ। ଦ୍ୱିତୀୟ ମାସରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିୟ ତାଙ୍କର ସମସ୍ତ ପଦାଧିକାରୀ ଓ ଯିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ। ସେମାନେ ନିୟମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରି ପାରିଲେ ନାହିଁ। କାରଣ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ଯିରୁଶାଲମରେ ଏକତ୍ରିତ ହୋଇ ନ ଥିଲେ। ଏହି ଚୁକ୍ତି ରାଜା ହିଜକିୟ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା। ତେଣୁ ସେମାନେ ବେ‌ର୍‌ଶେବା ସହରଠାରୁ ଦାନ୍ ସହର ପର୍ଯ୍ୟନ୍ତ ଇସ୍ରାଏଲର ପ୍ରତ୍ୟେକ ସ୍ଥାନରେ ଏହା ଘୋଷଣା କଲେ। ସେମାନେ ଲୋକମାନଙ୍କୁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ଯିରୁଶାଲମକୁ ଆସିବାକୁ କହିଲେ। ମୋଶାଙ୍କ ଦତ୍ତ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର ଭାବେ ନିସ୍ତାରପର୍ବ ପାଳନ କରିବାକୁ କୁହାଯାଇଅଛି, ସେ ପ୍ରକାର ଭାବେ ଇସ୍ରାଏଲର ବହୁତ ସଂଖ୍ୟକ ଲୋକ ଅନେକ ବର୍ଷ ଧରି ପାଳନ କରି ନ ଥିଲେ। ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସେହି ପତ୍ରରେ ଏହିପରି ଲେଖାଥିଲା।

“ଇସ୍ରାଏଲ[a] ସନ୍ତାନଗଣ, ଅବ୍ରହାମ, ଇ‌ସ୍‌ହାକ ଓ ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ତାଙ୍କ ନିକଟକୁ ଫେରି ଆସ। ଯେଉଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛ ଓ ଅଶୂର ରାଜାର କବଳରୁ ଖସି ଆସିଛ, ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଫେରି ଆସିବ। ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଥିଲେ, କିନ୍ତୁ ସେମାନେ ତାଙ୍କର ବିରୁଦ୍ଧରେ ଗଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଧ୍ୱଂସ କଲେ, ଏହା ତୁମ୍ଭେ ଜାଣ। ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦୟର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସେହି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହେବ। ଯଦି ତୁମ୍ଭେମାନେ ଫେରି ଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତେବେ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସେମାନଙ୍କୁ ବନ୍ଦୀ କରି ନେଇଯାଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫେରି ଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭେମାନେ ତାହାଙ୍କ ନିକଟକୁ ଫେରି ଆସିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିଯିବେ ନାହିଁ।”

10 ବାର୍ତ୍ତାବାହକମାନେ ଇଫ୍ରୟିମ ଓ ମନଃଶି ଅଞ୍ଚଳର ପ୍ରତ୍ୟେକ ସହରକୁ ଗଲେ। ସେମାନେ ସବୂଲୂନର ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ୟ ଓ ବିଦ୍ରୂପ କଲେ। 11 କିନ୍ତୁ ଆଶେର୍, ମନଃଶି ଓ ସବୂଲୂନର କେତେକ ଲୋକ ସେମାନଙ୍କୁ ନମ୍ର କଲେ ଓ ଯିରୁଶାଲମକୁ ଗଲେ। 12 ଆହୁରି ମଧ୍ୟ ଯିହୁଦାରେ ପରମେଶ୍ୱରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରିତ କଲା, ଯେପରି ସେମାନେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ୟ ହୋଇପାରନ୍ତି। ଏହି ପ୍ରକାରେ, ସେମାନେ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ।

13 ଅନେକ ଲୋକ ତାଡ଼ୀଶୂନ୍ୟ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ଯିରୁଶାଲମରେ ଦ୍ୱିତୀୟ ମାସରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା। 14 ସେହି ଲୋକମାନେ ଯିରୁଶାଲମରେ ଥିବା ଭଣ୍ଡ ଦେବତାମାନଙ୍କର ଯଜ୍ଞବେଦି ସବୁ ନିଃଶେଷ କରିଦେଲେ। ଆହୁରି ମଧ୍ୟ, ସେମାନେ ଭଣ୍ଡ ଦେବତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବେଦି ନଷ୍ଟ କରିଦେଲେ। ସେମାନେ ସେହି ଯଜ୍ଞବେଦିଗୁଡ଼ିକୁ କିଦ୍ରୋଣ ଉପତ୍ୟକାରେ ଫିଙ୍ଗି ଦେଲେ। 15 ଏହା ପରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶତମ ଦିନରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କଲେ। ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହେଲେ। ସେମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହୋମବଳି ଉପହାର ଆଣିଲେ। 16 ପରମେଶ୍ୱରଙ୍କ ଲୋକ ମୋଶାଙ୍କ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର କୁହାଯାଇଥିଲା, ସେମାନେ ସେହି ପ୍ରକାରେ ସେମାନଙ୍କର ନିୟମିତ ସ୍ଥାନ ଗ୍ରହଣ କଲେ। ଲେବୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ଯଜ୍ଞବେଦି ଉପରେ ରକ୍ତକୁ ସିଞ୍ଚନ କଲେ। 17 ଦଳରେ ଅନେକ ଲୋକ ଥିଲେ, ଯେଉଁମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସେମାନଙ୍କୁ ନିସ୍ତାରପର୍ବର ମେଷଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହୋଇ ନ ଥିବା ପ୍ରତ୍ୟେକ ବ୍ୟକ୍ତିର ନିମନ୍ତେ ଲେବୀୟମାନେ ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରିବାର ଦାୟିତ୍ୱ ନେଲେ। ଲେବୀୟମାନେ ପ୍ରତ୍ୟେକ ମେଷଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।

18-19 ଇଫ୍ରୟିମ, ମନଃଶି, ଇଷାଖର ଓ ସବୂଲୂନର ଅନେକ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସେମାନେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମୋଶାଙ୍କ ବ୍ୟବସ୍ଥା ନିୟମରେ କୁହାଯାଇଥିଲା, ସେହିପରି ପାଳନ କଲେ ନାହିଁ। କିନ୍ତୁ ହିଜକିୟ ସେହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିୟ ଏହି ପ୍ରକାରେ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମଙ୍ଗଳକାରୀ ଅଟ। ଏହି ଲୋକମାନେ ପ୍ରକୃତରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଗ୍ଭହିଁଥିଲେ, କିନ୍ତୁ ସେମାନେ ବ୍ୟବସ୍ଥା ନିୟମାନୁଯାୟୀ ନିଜକୁ ପରିଷ୍କୃତ କରି ପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସେହି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସେହି ପରମେଶ୍ୱର ଅଟ।” 20 ସଦାପ୍ରଭୁ ରାଜା ହିଜକିୟଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା କଲେ। 21 ଯିରୁଶାଲମରେ ଇସ୍ରାଏଲର ସନ୍ତାନମାନେ ତାଡ଼ୀଶୂନ୍ୟ ପାଉଁରୋଟୀର ପର୍ବ ସାତ ଦିନ ପର୍ଯ୍ୟନ୍ତ ପାଳନ କଲେ। ସେମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଲେବୀୟ ଓ ଯାଜକମାନେ ପ୍ରତିଦିନ ସେମାନଙ୍କର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ। 22 ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।

23 ସବୁ ଲୋକମାନେ ଆଉ ଅଧିକ ସାତ ଦିନ ରହିବା ନିମନ୍ତେ ସମ୍ମତ ହେଲେ। ସେମାନେ ଆହୁରି ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ପାଳନ କରି ଅତ୍ୟନ୍ତ ଆନନ୍ଦିତ ହେଲେ। 24 ଯିହୁଦାର ରାଜା ହିଜକିୟ ସମ୍ମିଳିତ ଜନତାକୁ 1,000 ବଳଦ ଓ 7,000 ମେଷକୁ ହତ୍ୟାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1,000 ବଳଦ ଓ 10,000 ମେଷ ଦେଲେ। ଅନେକ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। 25 ଯିହୁଦାର ସମ୍ମିଳିତ ଜନତା, ଯାଜକଗଣ ଓ ଲେବୀୟ ସମସ୍ତେ, ଇସ୍ରାଏଲର ସମସ୍ତ ସମ୍ମିଳିତ ଜନତା ଓ ଇସ୍ରାଏଲୀୟମାନେ ଓ ଯିହୁଦାରେ ବାସ କରୁଥିବା ବିଦେଶୀଗଣ ଅତ୍ୟନ୍ତ ଆନନ୍ଦିତ ଥିଲେ। 26 ତେଣୁ ଯିରୁଶାଲମରେ ମହାଆନନ୍ଦ ହେଲା। ଇସ୍ରାଏଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହୋଇଥିଲା, ଆଉ କେବେ ହେଁ ହୋଇ ନ ଥିଲା। 27 ଯାଜକମାନେ ଓ ଲେବୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କ କଥା ଶୁଣିଲେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ୱର୍ଗରେ ପହଞ୍ଚିଲା।

ରାଜା ହିଜକିୟ ଉନ୍ନତିମୂଳକ କାର୍ଯ୍ୟ କଲେ

31 ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।

ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା। ହିଜକିୟ ତାଙ୍କର ନିଜର ପଶୁପଲ ମଧ୍ୟରୁ କେତୋଟିକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ହୋମବଳି ଉପହାର ସ୍ୱରୂପେ ବ୍ୟବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶେଷ ଦିନ, ଅମାବାସ୍ୟା ଉତ୍ସବ ଓ ଅନ୍ୟାନ୍ୟ ବିଶେଷ ସଭାମାନଙ୍କରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମରେ ଯେଉଁପରି ଲେଖାଯାଉଥିଲା, ଏହା ସେହିପରି କରାଯାଉଥିଲା।

ହିଜକିୟ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ଶସ୍ୟର ପ୍ରଥମ ଅଂଶ ଯାଜକ ଓ ଲେବୀୟମାନଙ୍କୁ ଦେବା ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲେବୀୟମାନେ ବ୍ୟବସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରି ପାରିବେ। ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇସ୍ରାଏଲର ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଖାଦ୍ୟଶସ୍ୟ, ଅଙ୍ଗୁର ରସ, ତୈଳ, ମହୁ, ଓ ସେମାନଙ୍କ କ୍ଷେତ୍ରରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସେମାନେ ସେହି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ଯଥେଷ୍ଟ ଭାବରେ ଯୋଗାଇଲେ। ଇସ୍ରାଏଲୀୟ ଓ ଯିହୁଦୀୟ ଲୋକମାନେ, ଯେଉଁମାନେ ଯିହୁଦାର ନଗରରେ ବାସ କରୁଥିଲେ, ସେମାନଙ୍କର ପଶୁପଲ ଓ ମେଷପଲର ମଧ୍ୟ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟକୁ ଆଣିଲେ। ସେମାନେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।

ଲୋକମାନେ ସେହି ସାମଗ୍ରୀଗୁଡ଼ିକୁ ତୃତୀୟ ମାସ[b]ରେ ଆଣିବାକୁ ଆରମ୍ଭ କଲେ ଓ ସେମାନେ ସେହି ବସ୍ତୁସବୁ ସପ୍ତମ ମାସ[c]ରେ ସଂଗ୍ରହ କରି ରଖିବା ଶେଷ କଲେ। ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ।

ଏହା ପରେ ହିଜକିୟ, ଯାଜକ ଓ ଲେବୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷୟରେ ପଗ୍ଭରିଲେ। 10 ସାଦୋକ୍ ବଂଶର ମୁଖ୍ୟଯାଜକ ଅସରିୟ ହିଜକିୟଙ୍କୁ କହିଲେ, “ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସେହି ସମୟଠାରୁ ଆମ୍ଭେମାନେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନ କରି ସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।”

11 ଏହା ପରେ ହିଜକିୟ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା। 12 ଏହା ପରେ ଯାଜକମାନେ ନୈବେଦ୍ୟ, ଦଶମାଂଶ ଓ ଅନ୍ୟାନ୍ୟ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କେବଳ ସଦାପ୍ରଭୁଙ୍କୁ ଦିଆଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା, ସେହି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ୟସ୍ଥ ଭଣ୍ଡାର ଘରମାନଙ୍କରେ ରଖାଗଲା। ଲେବୀୟ କନାନିୟ ସେହି ସମସ୍ତ ସଂଗୃହୀତ ବସ୍ତୁର ଦାୟିତ୍ୱରେ ଥିଲେ, ଶିମିୟି ଦ୍ୱିତୀୟରେ ଏହି ଦାୟିତ୍ୱରେ ଥିଲେ। ଶିମିୟି କନାନିୟଙ୍କ ଭ୍ରାତା ଥିଲେ। 13 କନାନିୟ ଓ ତାଙ୍କର ଭ୍ରାତା ଶିମିୟି ଏହି ଲୋକମାନଙ୍କର ତତ୍ତ୍ୱାବଧାରକ ଥିଲେ: ଯିହୀୟେଲ୍, ଅସସିୟ, ନହତ୍, ଅସାହେଲ୍, ଯିରେମୋତ୍, ଯୋଷାବଦ୍, ଇଲୀୟେଲ, ଯିଷ୍ମଖିୟ, ମାହତ୍ ଓ ବନାୟ। ରାଜା ହିଜକିୟ ଓ ପରମେଶ୍ୱରଙ୍କ ମନ୍ଦିର ଦାୟିତ୍ୱରେ ଥିବା ପଦାଧିକାରୀ ଅସରିୟ ସେହି ଲୋକମାନଙ୍କୁ ମନୋନୀତ କଲେ।

14 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନୈବେଦ୍ୟ ଦେଉଥିଲେ, କୋରି ତାହାର ଦାୟିତ୍ୱରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାୟିତ୍ୱ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ହୋଇଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। କୋରି ପୂର୍ବଦିଗରେ ଥିବା ଦ୍ୱାରର ଦ୍ୱାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲେବୀୟ ଯିମ୍ନା। 15 ସେ ଏଦନ୍, ମିନ୍ୟାମିନ, ଯେଶୂୟ, ଶମୟିୟ, ଅମରିୟ ଓ ଶିଖନିୟ କୋରିଙ୍କୁ ସାହାଯ୍ୟ କରୁଥିଲେ। ସେହି ବ୍ୟକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ୱସ୍ତ ଭାବରେ ସେବାକାର୍ଯ୍ୟ କରୁଥିଲେ। ସେମାନେ ସଂଗୃହୀତ ସାମଗ୍ରୀକୁ ସେମାନଙ୍କର ଆତ୍ମୀୟ ଯାଜକମାନଙ୍କୁ ଦେଲେ, ସେମାନେ ବୃଦ୍ଧ ହୁଅନ୍ତୁ ବା ତରୁଣ।

16 ଏହି ବ୍ୟକ୍ତିଗଣ ଲେବୀୟ ବଂଶର ଇତିହାସରେ ନାମ ଲେଖାଥିବା ତିରିଶ୍ ବର୍ଷୀୟଠାରୁ ଅଧିକ ବୟସ୍କ ପୁରୁଷଙ୍କ ଦ୍ୱାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ୟହ ସେବାକାର୍ଯ୍ୟ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରତ୍ୟେକ ଦଳରେ ଲେବୀୟମାନଙ୍କର ସେମାନଙ୍କର ନିଜ ଦାୟିତ୍ୱ ରହିଥିଲା। 17 ଯାଜକମାନଙ୍କୁ ସେମାନଙ୍କର ସଂଗୃହୀତ ବସ୍ତୁର ଅଂଶ ଦିଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁଯାୟୀ ବଂଶ ଇତିହାସରେ ତାଲିକାଭୁକ୍ତ ହୋଇଛନ୍ତି, ତହିଁନୁଯାୟୀ କରାଯାଉଥିଲା। କୋଡ଼ିଏ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲେବୀୟମାନେ ସେମାନଙ୍କର ସଂଗୃହୀତ ଅଂଶ ପାଉଥିଲେ। ଏହା ସେମାନଙ୍କର ଦାୟିତ୍ୱ ଓ ସେମାନଙ୍କର ଦଳନୁଯାୟୀ ନିରୂପଣ କରାଯାଉଥିଲା। 18 ଲେବୀୟ ଶିଶୁ, ସ୍ତ୍ରୀ, ପୁତ୍ର ଓ କନ୍ୟାଗଣ ମଧ୍ୟ ଏହି ସଂଗୃହୀତ ବସ୍ତୁର ଅଂଶ ଲାଭ କରୁଥିଲେ। ଯେଉଁ ଲେବୀୟମାନେ ବଂଶର ଇତିହାସରେ ତାଲିକାଭୁକ୍ତ ହୋଇଥିଲେ, ସେମାନଙ୍କ ନିମନ୍ତେ ଏହିପରି କରାଯାଉ ଥିଲା। କାରଣ ଲେବୀୟମାନେ ସର୍ବଦା ସେବାକାର୍ଯ୍ୟ ନିମନ୍ତେ ନିଜକୁ ପବିତ୍ର ଓ ପ୍ରସ୍ତୁତ କରି ରଖୁଥିଲେ।

19 ଲେବୀୟମାନେ ଯେଉଁ ସହରରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତେଜଣ ଯାଜକଙ୍କର ଶସ୍ୟକ୍ଷେତ୍ର ଥିଲା। ଆଉ ହାରୋଣଙ୍କର କେତେଜଣ ବଂଶଧର ମଧ୍ୟ ସହରମାନଙ୍କରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ୟରୁ ଅଂଶ ଦେବା ନିମନ୍ତେ ଏହି ପ୍ରତ୍ୟେକ ସହରର ଲୋକମାନଙ୍କୁ ସେମାନଙ୍କ ନାମ ଦ୍ୱାରା ମନୋନୀତ କରାଯାଉ ଥିଲା। ଲେବୀୟମାନଙ୍କ ବଂଶର ଇତିହାସରେ ନାମ ଭୁକ୍ତ କରାଯାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ୟର ଅଂଶ ଲାଭ କରୁଥିଲେ।

20 ଅତଏବ ରାଜା ହିଜକିୟ ଯିହୁଦାରେ ଏହି ସମସ୍ତ ଉତ୍ତମ କାର୍ଯ୍ୟ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ୱସ୍ତ ଥିଲେ। 21 ଯେଉଁ ପ୍ରତ୍ୟେକ କାର୍ଯ୍ୟ ସେ ଆରମ୍ଭ କଲେ, ଯଥା: ପରମେଶ୍ୱରଙ୍କ ମନ୍ଦିରର ସେବାକାର୍ଯ୍ୟ ଓ ବ୍ୟବସ୍ଥା ନିୟମ ଓ ଆଦେଶର ବାଧ୍ୟ ହେବା ଏବଂ ତାଙ୍କର ପରମେଶ୍ୱରଙ୍କର ଅନୁଗମନ କରିବାରେ ସେ ସଫଳ ହେଲେ। ହିଜକିୟ ଏହି ସମସ୍ତ ବିଷୟ ତାଙ୍କର ହୃଦୟର ସହିତ କଲେ।

ଗୀତସଂହିତା 48

କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।

48 ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
    ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
    ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
    ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
    ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
    କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
    ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
    ଓ ସେମାନେ ଭୟରେ ଥରି ଉଠିଲେ।
ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
    ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
    କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି। ସେଲା

ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
    ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
    ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
    ଯିହୁଦାର ସହର ସବୁ ଉଲ୍ଲସିତ।
    କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।

12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
    ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
    ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
    ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
    ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center