Chronological
ଯିହୁଦାର ରାଜା ଆହସ୍
28 ଆହସ୍ ରାଜା ହେବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଷୋହଳ ବର୍ଷ ରାଜତ୍ୱ କଲେ। ଆହସ୍ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ ଜୀବନଯାପନକ କରୁ ନ ଥିଲେ। ଆହସ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ। 2 ଆହସ୍ ଇସ୍ରାଏଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ବାଲ୍ଦେବତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ। 3 ଆହସ୍ ହିନ୍ନୋମ ପୁତ୍ର ଉପତ୍ୟକାରେ ସୁଗନ୍ଧିଧୂପ ଜ୍ୱଳାଇଲେ। ସେ ନିଜ ପୁତ୍ରମାନଙ୍କୁ ଅଗ୍ନିରେ ଦଗ୍ଧ କରି ବଳିଦାନ ସ୍ୱରୂପେ ଉତ୍ସର୍ଗ କଲେ। ସେହି ଦେଶରେ ବାସ କରୁଥିବା ଲୋକମାନେ ଯେଉଁସବୁ ଭୟଙ୍କର ପାପ କରୁଥିଲେ, ସେ ମଧ୍ୟ ସେହିସବୁ କଲେ। ଇସ୍ରାଏଲର ଲୋକମାନେ ଯେତେବେଳେ ସେହି ଦେଶରେ ପ୍ରବେଶ କଲେ, ସଦାପ୍ରଭୁ ସେମାନଙ୍କୁ ବଳପୂର୍ବକ ସେଠାରୁ ବାହାର କରିଦେଲେ। 4 ଆହସ୍ ଉଚ୍ଚସ୍ଥାନମାନଙ୍କରେ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ବଳିଦାନ ଉତ୍ସର୍ଗ କଲେ ଓ ସୁଗନ୍ଧିଧୂପ ଜ୍ୱଳାଇଲେ।
5 ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଅରାମର ରାଜାଙ୍କ ଦ୍ୱାରା ଆହସଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ୟଦଳ ଆହସଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନେକ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସେହି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନେଇଗଲେ। ସଦାପ୍ରଭୁ ଇସ୍ରାଏଲର ରାଜା ପେକହଙ୍କ ଦ୍ୱାରା ମଧ୍ୟ ଆହସଙ୍କୁ ପରାସ୍ତ କଲେ। 6 ପେକହଙ୍କ ପିତାଙ୍କର ନାମ ଥିଲା ରମଲିୟ। ପେକହ ଓ ତାଙ୍କର ସୈନ୍ୟଦଳ ଗୋଟିଏ ଦିନରେ ଯିହୁଦାର 120,000 ଜଣ ସାହସୀ ସୈନିକଙ୍କୁ ହତ୍ୟା କଲେ। ପେକହ ଯିହୁଦାର ସେହି ଲୋକମାନଙ୍କୁ ହତ୍ୟା କଲେ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନୁଥିଲେ, ସେମାନେ ତାଙ୍କୁ ମାନିଲେ ନାହିଁ। 7 ସିଖ୍ରି ଇଫ୍ରୟିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମାସେୟଙ୍କୁ, ରାଜପ୍ରାସାଦର ଅଧିକାରୀ ଦାୟିତ୍ୱରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା (ଯିଏ କି ରାଜାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଧିକାରୀ) ଙ୍କୁ ହତ୍ୟା କଲେ।
8 ଇସ୍ରାଏଲୀୟ ସୈନ୍ୟଦଳ ଯିହୁଦାରେ ବାସ କରୁଥିବା ସେମାନଙ୍କର ନିଜ ଆତ୍ମୀୟମାନଙ୍କ ମଧ୍ୟରୁ 200,000 ଲୋକଙ୍କୁ ବନ୍ଦୀ କରି ନେଲେ। ସେମାନେ ସ୍ତ୍ରୀଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନେକ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଲେ। ଇସ୍ରାଏଲୀୟମାନେ ସେହି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିୟାକୁ ନେଇଗଲେ। 9 କିନ୍ତୁ ସଦାପ୍ରଭୁଙ୍କର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ଭବିଷ୍ୟଦ୍ବକ୍ତାଙ୍କର ନାମ ଥିଲା ଓବେଦ୍। ଓବେଦ୍ ଶମରିୟାକୁ ଫେରି ଆସିଥିବା ଇସ୍ରାଏଲୀୟ ସୈନ୍ୟଦଳକୁ ଭେଟିଲେ। ଓବେଦ୍ ଇସ୍ରାଏଲୀୟ ସୈନ୍ୟଦଳକୁ କହିଲେ, “ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ସେ ତୁମ୍ଭମାନଙ୍କ ଦ୍ୱାରା ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ, କାରଣ ସେ ସେମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଛନ୍ତି। ତୁମ୍ଭେମାନେ ଯିହୁଦାର ଲୋକମାନଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବରେ ହତ୍ୟା ଓ ଦଣ୍ଡିତ କରିଅଛ। 10 ତୁମ୍ଭେମାନେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ବିରୁଦ୍ଧରେ ମଧ୍ୟ ପାପ କରିଅଛ। 11 ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।”
12 ଏହା ପରେ ଇଫ୍ରୟିମର କେତେକ ନେତା ଦେଖିଲେ ଯେ, ଇସ୍ରାଏଲୀୟ ସୈନ୍ୟମାନେ ଯୁଦ୍ଧରୁ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ ଭେଟିଲେ। ସେହି ନେତାମାନେ ଥିଲେ ଯିହୋହାନନଙ୍କ ପୁତ୍ର ଅସରିୟ, ମଶିଲୋମୋତ୍ଙ୍କ ପୁତ୍ର ବେରିଖିୟ, ଶଲ୍ଲୁମଙ୍କର ପୁତ୍ର ଯହିଷ୍କିୟ ଓ ହଦ୍ଲୟଙ୍କର ପୁତ୍ର ଅମାସା। 13 ସେହି ନେତାମାନେ ଇସ୍ରାଏଲୀୟ ସୈନ୍ୟମାନଙ୍କୁ କହିଲେ, “ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭେମାନେ ତାହା କରିବ, ତଦ୍ଦ୍ୱାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ଜଘନ୍ୟ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ୱ କରିଦେବ ଓ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଭୟଙ୍କର କ୍ରୋଧ କରିବେ।”
14 ତେଣୁ ସେହି ସୈନିକମାନେ ବନ୍ଦୀମାନଙ୍କୁ ଓ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ସେହି ନେତାମାନଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ ଫେରାଇ ଦେଲେ। 15 ସେହି ନେତାମାନେ ବନ୍ଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସେହି ଗ୍ଭରିଜଣ ବ୍ୟକ୍ତି ଇସ୍ରାଏଲୀୟ ସୈନ୍ୟଦଳ ଲୁଟି ନେଇଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନେଇ ଦେଲେ। ସେହି ନେତାମାନେ ସେହି ଲୋକମାନଙ୍କୁ ଜୋତା ମଧ୍ୟ ଦେଲେ। ସେମାନେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଲେ। ସେମାନେ ସେହି ଲୋକମାନଙ୍କ ଶରୀରରେ ତେଲ ମାଲିସ୍ କଲେ। ଏହା ପରେ ଇଫ୍ରୟିମର ସେହି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହୋରେ ଥିବା ସେମାନଙ୍କ ଗୃହ ଓ ପରିବାରକୁ ସେମାନଙ୍କୁ ନେଇଗଲେ। ଯିରୀହୋକୁ ‘ଖର୍ଜ୍ଜୁରୀବୃକ୍ଷର ନଗର’ ବୋଲି କୁହାଯାଉ ଥିଲା। ଏହା ପରେ ସେହି ଗ୍ଭରିଜଣ ନେତା ଶମରିୟାକୁ ଫେରିଗଲେ।
16-17 ସେହି ସମୟରେ, ଇଦୋମର ଲୋକମାନେ ଆଉଥରେ ଆସିଲେ ଓ ଯିହୁଦାର ଲୋକମାନଙ୍କୁ ପରାସ୍ତ କଲେ। ଇଦୋମୀୟମାନେ ଲୋକମାନଙ୍କୁ ଧରିଲେ ଓ ସେମାନଙ୍କୁ ବନ୍ଦୀ କରି ନେଇଗଲେ। ତେଣୁ ରାଜା ଆହସ୍, ଅଶୂରୀୟ ରାଜାଙ୍କୁ ସାହାଯ୍ୟ ମାଗିଲେ। 18 ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ। 19 ସଦାପ୍ରଭୁ ଯିହୁଦାକୁ କଷ୍ଟ କଲେ, କାରଣ ଯିହୁଦାର ରାଜା ଆହସ୍ ଯିହୁଦାର ଲୋକମାନଙ୍କୁ ପାପ କରିବାକୁ ଉତ୍ସାହିତ କରିଥିଲେ। ସେ ସଦାପ୍ରଭୁଙ୍କ ପ୍ରତି ଅତି ଅବିଶ୍ୱସ୍ତ ଥିଲେ। 20 ଅଶୂରୀୟ ରାଜା ତିଲ୍ଗତ-ପିଲ୍ନେଷର ଆସିଲେ ଓ ଆହସ୍ ରାଜାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଷ୍ଟ ଦେଲେ। 21 ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ୟଗଣଙ୍କଠାରୁ କିଛି ମୂଲ୍ୟବାନ୍ ସାମଗ୍ରୀ ନେଲେ। ଆହସ୍ ସେହି ସାମଗ୍ରୀଗୁଡ଼ିକୁ ଅଶୂରୀୟ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହସଙ୍କୁ କିଛି ସାହାଯ୍ୟ କଲା ନାହିଁ।
22 ରାଜା ଆହସଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ୱସ୍ତ ହେଲେ। 23 ଦମ୍ମେଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।
24 ଆହସ୍ ପରମେଶ୍ୱରଙ୍କ ମନ୍ଦିରରୁ ସାମଗ୍ରୀ ସବୁ ନେଲେ ଓ ତାହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏହା ପରେ ସେ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ବନ୍ଦ କରିଦେଲେ। ସେ ଯଜ୍ଞବେଦିସବୁ ନିର୍ମାଣ କଲେ ଓ ସେଗୁଡ଼ିକୁ ଯିରୁଶାଲମର ଗ୍ଭରିଆଡ଼େ ସ୍ଥାପନ କଲେ। 25 ଯିହୁଦାର ସମସ୍ତ ସହରରେ ଅନ୍ୟ ଦେବତାମାନଙ୍କ ପୂଜା କରିବା ପାଇଁ ସୁଗନ୍ଧିଧୂପ ଜଳାଇବା ଉଦ୍ଦେଶ୍ୟରେ ଆହସ୍ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଆହସଙ୍କର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେ ତାଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କଲେ।
26 ଆହସ୍ ଅନ୍ୟ ଯେ ସମସ୍ତ କର୍ମ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ “ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କର ପୁସ୍ତକରେ” ଲେଖାଯାଇଅଛି। 27 ଆହସ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସଙ୍କୁ ଯିରୁଶାଲମ ନଗରରେ କବର ଦେଲେ। କିନ୍ତୁ ସେମାନେ ଆହସଙ୍କୁ ଇସ୍ରାଏଲର ରାଜାମାନଙ୍କର କବର ସ୍ଥାନରେ କବର ଦେଲେ ନାହିଁ। ହିଜକିୟ ଆହସଙ୍କ ସ୍ଥାନରେ ନୂତନ ରାଜା ହେଲେ ହିଜକିୟ ଆହସଙ୍କ ପୁତ୍ର ଥିଲେ।
ଆହସ ଯିହୁଦାର ରାଜା ହୁଅନ୍ତି
16 ଇସ୍ରାଏଲରେ ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଯୋଥମଙ୍କ ପୁତ୍ର ଆହସ ଯିହୁଦାରେ ରାଜା ହେଲେ। 2 ଆହାସଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ହୋଇଥିଲା ସେ ରାଜା ହେଲେ ଓ ଯିରୁଶାଲମରେ ଷୋହଳ ବର୍ଷ ରାଜ୍ୟ କଲେ। ସେ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ପରି ନ ଥିଲେ। ସେ କୁକର୍ମମାନ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉଚିତ୍ ନ ଥିଲା। 3 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପରି ବସବାସ କଲେ। ଜଘନ୍ୟ ପାପ ପ୍ରଥା ଅନୁସାରେ ସେ ତାଙ୍କର ପୁତ୍ରକୁ ଅଗ୍ନିରେ ବଳିଦାନ କଲେ। ଯାହା ଜାତିମାନଙ୍କ ଦ୍ୱାରା ଅନୁକରଣ ହୋଇଥିଲା, ତେଣୁ ସଦାପ୍ରଭୁ ଭୂମିରୁ ସେମାନଙ୍କୁ ଜୋର୍ କରି ତଡ଼ି ଦେଲେ, ଯେତେବେଳେ ଇସ୍ରାଏଲମାନେ ଆସିଲେ। 4 ପୁଣି ସେ ଉଚ୍ଚସ୍ଥଳୀରେ, ପର୍ବତ ଉପରେ ଓ ପ୍ରତ୍ୟେକ ହରିତ୍ବର୍ଣ୍ଣ ବୃକ୍ଷତଳେ ବଳିଦାନ କଲେ ଓ ଧୂପ ଜଳାଇଲେ।
5 ସେତେବେଳେ ଅରାମର ରାଜା ରତ୍ସୀନ୍ ଓ ଇସ୍ରାଏଲର ରାଜା ରମଲିୟଙ୍କ ପୁତ୍ର ପେକହ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ସେମାନେ ଆହସଙ୍କୁ ଚତୁର୍ଦ୍ଦିଗରେ ଘେରିଗଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। 6 ସେ ସମୟରେ ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀମାନଙ୍କୁ ଏଲତ୍ରୁ ତଡ଼ି ଦେଲେ। ସେଠାରେ ଅରାମୀୟମାନେ ଆସି ଅଦ୍ୟାବଧି ବାସ କରୁଛନ୍ତି।
7 ଅଶୂରର ରାଜା ଆହସ୍ ତିଗ୍ଲତ-ପିଲେଷର ନିକଟକୁ ଦୂତ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ୟ। ଦୟାକରି ଏଠାକୁ ଆସ ଓ ମୋତେ ଅରାମର ରାଜା ଓ ଇସ୍ରାଏଲର ରାଜାଙ୍କ ଆକ୍ରମଣରୁ ରକ୍ଷା କର।” 8 ଆଉ ମଧ୍ୟ ଆହସ୍ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସୁବର୍ଣ୍ଣ ଓ ରୌପ୍ୟ ନେଲେ ଓ ଅଶୂରର ରାଜା ନିକଟକୁ ଉପହାର ସ୍ୱରୂପ ପଠାଇଲେ। 9 ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ରତ୍ସୀନଙ୍କୁ ବଧ କଲେ।
10 ରାଜା ଆହାସ୍ ଅଶୂରର ରାଜା ତିଗ୍ଲତ-ପିଲେଷରଙ୍କୁ ଭେଟିବାକୁ ଦମ୍ମେଶକ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ। ତା'ପରେ ଆହାସର ରାଜା ସେହି ଯଜ୍ଞବେଦିରେ ସକଳ ଶିଳ୍ପକଳା ଅନୁସାରେ ସେହିପ୍ରକାର ଆକୃତି ଉରିୟ ଯାଜକ ନିକଟକୁ ପଠାଇଲେ। 11 ତା'ପରେ ଯାଜକ ଉରିୟ ରାଜା ଆହାସ ଦମ୍ମେଶକରୁ ପଠାଇଥିବା ଯଜ୍ଞବେଦିର ନମୁନା ଅନୁସାରେ ଏକ ଯଜ୍ଞବେଦି ନିର୍ମାଣ କଲେ। ଆହସ୍ ଆସିବା ପୂର୍ବରୁ ଯାଜକ ସମସ୍ତ କର୍ମ କଲା।
12 ରାଜା ଆହାସ୍ ଯେତେବେଳେ ଦମ୍ମେଶକରୁ ଆସିଲେ। ସେ ଯଜ୍ଞବେଦି ଦେଖିଲେ ଓ ଯଜ୍ଞବେଦି ନିକଟକୁ ଯାଇ ତା’ ଉପରେ ବଳିଦାନ କଲେ। 13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଭକ୍ଷ୍ୟ ନୈବେଦ୍ୟ ଦଗ୍ଧ କରି, ଆପଣା ପେୟନୈବେଦ୍ୟ ଢାଳି ଓ ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଯଜ୍ଞବେଦି ଉପରେ ଛିଞ୍ଚିଲେ।
14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ଯଜ୍ଞବେଦି ଆଣିଲେ, ଯେଉଁଟାକି ଆହାସ୍ଙ୍କ ଯଜ୍ଞବେଦି ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ୟସ୍ଥଳରେ ଥିଲା। ଏହା ତାଙ୍କର ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ରଖିଲେ। 15 ରାଜା ଆହସ୍ ଉରିୟ ଯାଜକଙ୍କୁ ଆଦେଶ ଦେଲେ, “ପ୍ରଭାତ କାଳୀନ ହୋମବଳି, ସନ୍ଧ୍ୟାକାଳୀନ ଭକ୍ଷ୍ୟନୈବେଦ୍ୟ, ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ଲୋକଙ୍କ ହୋମବଳି, ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ତୁମ୍ଭେ ଦଗ୍ଧ କରିବା ଉଚିତ୍ ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ଅନ୍ୟ ନୈବେଦ୍ୟ ବୃହତ୍ ଯଜ୍ଞବେଦି ଉପରେ ଛିଞ୍ଚ। କିନ୍ତୁ ମୁଁ ପରମେଶ୍ୱରଙ୍କଠାରୁ ଉତ୍ତର ପାଇବାକୁ ପିତ୍ତଳ ଯଜ୍ଞବେଦି ବ୍ୟବହାର କରିବି”[a] 16 ଯାଜକ ଉରିୟ ରାଜା ଆହାସଙ୍କ ଆଜ୍ଞାନୁସାରେ ସମସ୍ତ କାର୍ଯ୍ୟ କଲେ।
17 ପୁଣି ଆହାସ୍ ରାଜା ବୈଠିକିଗୁଡ଼ିକ କାଟି ପ୍ରକ୍ଷାଳନ ପାତ୍ର ଓ କବାଟ ଫଳକ ଅଲଗା କଲେ। ଆଉ ବଡ଼ ଟ୍ୟାଙ୍କ୍ ତଳେ ଯେଉଁ ପିତ୍ତଳ ନିର୍ମିତ ଷଣ୍ଢ ଥିଲା, ସେସବୁର ଉପରୁ ତାକୁ ନେଇ ଏକ ପ୍ରସ୍ତର ଚଟାଣ ଉପରେ ରଖିଲେ। 18 ଆଉ ବିଶ୍ରାମ ସଭା ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ବର୍ହିଦ୍ୱାର କରିଥିଲେ ତାହା ସେ ଅଶୂରର ରାଜାଙ୍କ ଲାଗି ସଦାପ୍ରଭୁଙ୍କ ମନ୍ଦିରରୁ ନେଇଗଲେ।
19 ଏହିପରି ଆହାସଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 20 ଆହାସଙ୍କର ମୃତ୍ୟୁ ହେଲା ଓ ସେ ନିଜ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ନେଲେ। ତାଙ୍କ ପଦରେ ତାଙ୍କର ପୁତ୍ର ହିଜକିୟ ଶାସନ କଲେ।
ଇସ୍ରାଏଲରେ ହୋଶେୟଙ୍କ ଶାସନ ଆରମ୍ଭ
17 ଯିହୁଦାରେ ଆହସଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରିୟାରେ ଇସ୍ରାଏଲ ଉପରେ ରାଜ୍ୟ ଶାସନ କରିବା ଆରମ୍ଭ କଲେ ଓ ସେ ନଅ ବର୍ଷ ରାଜତ୍ୱ କଲେ। 2 ହୋଶେୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ମାତ୍ର ତାଙ୍କ ପୂର୍ବରୁ ଶାସନ କରୁଥିବା ଇସ୍ରାଏଲ ରାଜାମାନଙ୍କ ପରି ସେ ଖରାପ ନ ଥିଲେ।
3 ତାଙ୍କ ବିରୁଦ୍ଧରେ ଅଶୂରର ରାଜା ସଲ୍ମନେଷର ଯୁଦ୍ଧ କରିବାକୁ ଆସିଲେ। ସେ ତାଙ୍କୁ ପରାସ୍ତ କରି ନିଜର ଅଧୀନସ୍ଥ କଲେ। ତେଣୁ ହୋଶେୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ବ୍ୟକ୍ତିଗତ ଭାବରେ ଦାନ ଦେଲେ।
4 ପରେ ହୋଶେୟ ମିଶରର ରାଜା ସୋଙ୍କ ନିକଟକୁ ଦୂତ ପଠାଇ ସାହାଯ୍ୟ ପାଇଁ ପଗ୍ଭରିଲେ। ଅଶୂରର ରାଜା ହୋଶେୟଙ୍କର ଏ ଚକ୍ରାନ୍ତ ବିଷୟରେ ଜାଣିବାକୁ ପାଇଲେ। ହୋଶେୟ ମଧ୍ୟ ତାଙ୍କ ନିକଟକୁ ଏହି ବର୍ଷ ବାର୍ଷିକ ଭେଟି ପଠାଇଲେ ନାହିଁ। ଏଣୁ ଅଶୂରର ରାଜା ହୋଶେୟଙ୍କୁ ବନ୍ଦୀ କରି କରାଗାରରେ ରଖିଲେ।
5 ଅଶୁରର ରାଜା ଇସ୍ରାଏଲର ବହୁସ୍ଥାନଗୁଡ଼ିକୁ ଆକ୍ରମଣ କଲେ ଓ ଶମରିୟାକୁ ଆସି ତା’ ବିରୁଦ୍ଧରେ ତିନି ବର୍ଷ ଧରି ଯୁଦ୍ଧ କଲେ। 6 ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଅଶୂରର ରାଜା ଶମରିୟା ଅଧିକାର କଲେ। ସେ ଇସ୍ରାଏଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା ଓ ସେମାନଙ୍କୁ ଗୋଶୋନ ନଗରର ହାବୋର ନଦୀର ହଲହରେ ଓ ମାଦୀୟମାନଙ୍କ ନାନା ଦେଶରେ ରଖିଲେ।
7 ଏସବୁ ଘଟିବାର କାରଣ ହେଲା ଇସ୍ରାଏଲୀୟମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପକର୍ମ କରିଥିଲେ। ଯେଉଁ ସଦାପ୍ରଭୁ ସେମାନଙ୍କୁ ମିଶରରୁ ଆଣି ଥିଲେ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିଥିଲେ, ସେମାନେ ତାଙ୍କୁ ପୂଜା ନ କରି ଅନ୍ୟ ଦେବତାମାନଙ୍କୁ ପୂଜା କଲେ। 8 ଜାତିମାନଙ୍କ ଦ୍ୱାରା କରିଥିବା କାର୍ଯ୍ୟଗୁଡ଼ିକ ସେମାନେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ୟାଗ କରିବାକୁ ବାଧ୍ୟ ହେଲେ, ଯେତେବେଳେ ଇସ୍ରାଏଲ ଲୋକମାନେ ଆସିଲେ। 9 ଆଉ ମଧ୍ୟ ଇସ୍ରାଏଲୀୟମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଗୁପ୍ତ ପାପରେ ଲିପ୍ତ ହେଲେ।
ପୁଣି ଦୁର୍ଗଠାରୁ ଆରମ୍ଭ କରି ପ୍ରାଚୀରବେଷ୍ଟିତ ନଗର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଚ୍ଚସ୍ଥଳୀମାନ ସେମାନେ ନିର୍ମାଣ କଲେ। 10 ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଉପରେ ଓ ପ୍ରତ୍ୟେକ ହରିତ୍ ବର୍ଣ୍ଣ ବୃକ୍ଷମୂଳରେ ସ୍ମରଣାର୍ଥକ ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ସ୍ଥାପନ କଲେ। 11 ପୁଣି ସେଠାରେ ଥିବା ସମସ୍ତ ଉଚ୍ଚସ୍ଥଳୀମାନଙ୍କରେ ସଦାପ୍ରଭୁଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଦେଶୀୟମାନଙ୍କ ପରି ସେମାନେ ଧୂପ ଜଳାଇଲେ ଓ ସଦାପ୍ରଭୁଙ୍କ ବିରକ୍ତି ପାଇଁ ଦୁଷ୍କର୍ମ କଲେ। 12 “ପୁଣି ତୁମ୍ଭେମାନେ ଏହି କର୍ମ କରିବ ନାହିଁ, ଏହିରୂପେ ଯେଉଁ ଦେବତାମାନଙ୍କ ବିଷୟରେ କହିଥିଲେ, ସେହି ଦେବତାମାନଙ୍କୁ ସେମାନେ ପୂଜା କଲେ।”
13 ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଓ ପ୍ରତ୍ୟେକ ଦୃଷ୍ଟିକାରୀଙ୍କୁ ଇସ୍ରାଏଲ ଓ ଯିହୁଦାର ପ୍ରତି ଚେତାବନୀ ଦେଇ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର କୁକାର୍ଯ୍ୟରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମୋର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କ ହସ୍ତରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ମୋର ବ୍ୟବସ୍ଥା ଓ ବିଧି ସବୁ ପାଳନ କର।”
14 ମାତ୍ର ସେମାନେ ଶୁଣିଲେ ନାହିଁ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କ ପରି ଅବାଧ୍ୟ ହେଲେ। ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁ ଯେ ସେମାନଙ୍କର ପରମେଶ୍ୱର ଏହା ବିଶ୍ୱାସ କଲେ ନାହିଁ। 15 ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଓ ସେମାନଙ୍କ ପିତୃଗଣଙ୍କ ସହିତ କୃତ ତାଙ୍କର ନିୟମ ଓ ସେମାନଙ୍କର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ସେମାନେ ସଦାପ୍ରଭୁଙ୍କ ଚେତାବନୀ ଶୁଣିବାକୁ ଅମାନ୍ୟ କଲେ। ସେମାନେ ମୂଲ୍ୟହୀନ ମୂର୍ତ୍ତିଗୁଡ଼ିକୁ ଅନୁସରଣ କଲେ, ପୂଜା କଲେ ଏବଂ ସେମାନେ ନିଜେ ମୂଲ୍ୟହୀନ ହୋଇଗଲେ। ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସେମାନଙ୍କୁ ଆଦେଶ ଦେଇଥିଲେ, “ସେମାନେ ଯାହା କରନ୍ତି ତୁମ୍ଭେମାନେ ତାହା କର ନାହିଁ।” ଯାହା ସଦାପ୍ରଭୁ ସେମାନଙ୍କୁ କରିବାକୁ ମନା କରିଥିଲେ, ସେମାନେ ତାହା କଲେ।
16 ପୁଣି ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ତ୍ୟାଗ କଲେ। ସେମାନେ ସୁବର୍ଣ୍ଣର ଦୁଇ ଗୋବତ୍ସ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ। ସେମାନେ ଆକାଶର ତାରାଗଣଙ୍କୁ ପୂଜା କଲେ ଓ ବାଲ୍ର ସେବା କଲେ। 17 ଆଉ ସେମାନେ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ବଳିଦାନ କଲେ। ସେମାନେ ଭବିଷ୍ୟଦ୍ବାଣୀ କରିବା ପାଇଁ ଯାଦୁବିଦ୍ୟା, ଡାହାଣି ବିଦ୍ୟା ଓ ଜ୍ୟୋତିଷବିଦ୍ୟାଗୁଡ଼ିକ ବ୍ୟବହାର କଲେ। ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିବା ପାଇଁ ତାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ସେମାନେ ନିଜକୁ ବିକ୍ରୟ କଲେ। 18 ଏଣୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତ୍ୟନ୍ତ କ୍ରୋଧ ହେଲେ ଓ ସେମାନଙ୍କୁ ନିଜ ଦୃଷ୍ଟିରୁ ଦୂରେଇ ଦେଲେ। କେବଳ ଯିହୁଦାର ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲେ ନାହିଁ।
ଯିହୁଦାର ଲୋକମାନେ ମଧ୍ୟ ଅପରାଧୀ
19 ଏବଂ ଏପରିକି ଯିହୁଦାର ଲୋକମାନେ ମଧ୍ୟ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ଆଜ୍ଞା ମାନିଲେ ନାହିଁ। ସେମାନେ ଇସ୍ରାଏଲର ଲୋକମାନଙ୍କର ପ୍ରଥାକୁ ଅନୁସରଣ କଲେ।
20 ଏଣୁ ସଦାପ୍ରଭୁ ସମସ୍ତ ଇସ୍ରାଏଲୀୟଙ୍କୁ ଅଗ୍ରାହ୍ୟ କଲେ। ସେ ସେମାନଙ୍କୁ କ୍ଳେଶ ଦେଲେ। ସେମାନଙ୍କୁ ବିନାଶକାରୀମାନଙ୍କ ହସ୍ତରେ ସମର୍ପଣ କଲେ। ଶେଷରେ ସେ ସେମାନଙ୍କୁ ନିଜ ଦୃଷ୍ଟି ପଥରୁ ଦୂରେଇ ଦେଲେ ଓ ସେମାନଙ୍କୁ ପରିତ୍ୟାଗ କଲେ। 21 ପୁଣି ସଦାପ୍ରଭୁ ଦାଉଦ ବଂଶରୁ ଇସ୍ରାଏଲକୁ ଛିନ୍ନ କଲେ। ଆଉ ସେମାନେ ନବାଟର ପୁତ୍ର ଯାରବିୟାମଙ୍କୁ ସେମାନଙ୍କର ରାଜା କଲେ। ଯାରବିୟାମ ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ନିବୃତ୍ତ କଲେ ଓ ସେମାନଙ୍କୁ ମହାପାପ କରାଇଲେ। 22 ତେଣୁ ଇସ୍ରାଏଲୀୟମାନେ ଯାରବିୟାମଙ୍କ କୃତ ସମସ୍ତ ପାପ କଲେ। ସେମାନେ ତାଙ୍କ ସେହି ପାପଗୁଡ଼ିକ କରିବାରୁ ବିମୁଖ ହେଲେ ନାହିଁ। 23 ଶେଷରେ ସଦାପ୍ରଭୁ ଆପଣା ଭବିଷ୍ୟଦ୍ବକ୍ତା ସେବକମାନଙ୍କ ଦ୍ୱାରା ଯେପରି କହିଥିଲେ ତଦନୁସାରେ ଇସ୍ରାଏଲକୁ ସେ ନିଜ କୃପାଦୃଷ୍ଟିରୁ ଦୂରେଇ ଦେଲେ। ତେଣୁ ଇସ୍ରାଏଲୀୟମାନେ ଇସ୍ରାଏଲରୁ ନିର୍ବାସିତ ହୋଇ ଅଶୂରରେ ରହିଲେ। ସେମାନେ ଆଜିଯାଏ ସେଠାରେ ରହି ଆସୁଛନ୍ତି।
24 ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅବ୍ବା, ହମାତ୍ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲୀୟମାନଙ୍କ ବଦଳରେ ଶମରିୟାର ବିଭିନ୍ନ ନଗରରେ ସ୍ଥାପନ କଲେ। ତହୁଁ ସେମାନେ ଶମରିୟା ଅଧିକାର କରି ସେଠାରେ ନାନା ନଗରରେ ବାସ କଲେ। 25 ଏହି ଲୋକମାନେ ଶମରିୟାରେ ଯେତେବେଳେ ବାସ କରିବାକୁ ଆରମ୍ଭ କଲେ ସେତେବେଳେ ସେମାନେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ତେଣୁ ସଦାପ୍ରଭୁ ସେମାନଙ୍କୁ ଆକ୍ରମଣ କରିବାକୁ ସିଂହ ପଠାଇଲେ। ସିଂହମାନେ ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କଲେ। 26 ଏଣୁ କେତେକ ଲୋକ ଅଶୁରର ରାଜାକୁ କହିଲେ, “ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିୟାରେ ରଖିଲେ, ସେହି ଦେଶର ଦେବତାମାନଙ୍କର ନିୟମ ଜାଣନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ହତ୍ୟା କରିବାକୁ ପଠାଉଛନ୍ତି। କାରଣ ସେହି ଲୋକମାନେ ସେହି ଦେଶର ଦେବତାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ।”
27 ତେଣୁ ଅଶୂର ରାଜା ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ସେଠାରୁ ଯେଉଁ ଯାଜକମାନଙ୍କୁ ବାଛିଅଛ, ସେମାନଙ୍କ ମଧ୍ୟରୁ ସେଠାକୁ ନେଇଯାଅ। ସେମାନେ ସେଠାକୁ ଯାଇ ବାସ କରନ୍ତୁ ଓ ସେ ସ୍ୱଦେଶୀୟ ଦେବତାର ବିଧି ଲୋକମାନଙ୍କୁ ଶିଖାଉ।”
28 ତେଣୁ ଅଶୂରର ଲୋକମାନେ ଶମରିୟାରୁ ଆଣିଥିବା ଯାଜକମାନଙ୍କ ମଧ୍ୟରୁ ଜଣକୁ ବୈଥେଲ୍କୁ ନେଇଗଲେ। ସେ ଯାଜକ ସଦାପ୍ରଭୁଙ୍କୁ କିପରି ଭୟ କରିବା ଉଚିତ୍, ତାହା ସେମାନଙ୍କୁ ଶିକ୍ଷା ଦେଲେ।
29 ମାତ୍ର ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ଦେବତା ନିର୍ମାଣ କଲେ। ସେମାନେ ତାଙ୍କର ଦେବତାମାନଙ୍କୁ ଉଚ୍ଚସ୍ଥାନମାନଙ୍କରେ ପୂଜା କଲେ। ଯେଉଁସବୁ ମନ୍ଦିର ଶମରିୟାର ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ୟରୁ ସେମାନେ ମିଥ୍ୟା ଦେବତାମାନଙ୍କୁ ସେମାନଙ୍କର ସମସ୍ତ ନଗରଗୁଡ଼ିକରେ ସ୍ଥାପନ କଲେ। ଯେଉଁଠାରେ ସେମାନେ ବାସସ୍ଥଳୀ କଲେ। 30 ପୁଣି ବାବିଲୀୟ ଲୋକମାନେ ସୁକ୍କୋତ୍-ବନୋତ୍ ମିଥ୍ୟା ଦେବତା ତିଆରି କଲେ। ହମାତୀୟ ଲୋକମାନେ ଅଶୀମା ମିଥ୍ୟା ଦେବତା ତିଆରି କଲେ ଓ କୂଥୀୟ ଲୋକମାନେ ମଧ୍ୟ ନେର୍ଗଲ ମିଥ୍ୟା ଦେବତା ମାନ ତିଆରି କଲେ। 31 ଅବ୍ବୀୟ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ୟା ଦେବତାମାନଙ୍କୁ ତିଆରି କଲେ ଓ ସମ୍ପର୍କୀୟ ଲୋକମାନେ ସଫର୍ବୟିମର ଅଦ୍ରମ୍ମେଲକ୍ ଓ ଅନମ୍ମେଲକ୍ ଦେବତାମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜ ସନ୍ତାନମାନଙ୍କୁ ଦଗ୍ଧ କଲେ।
32 ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ଉଚ୍ଚସ୍ଥଳୀରେ ଯାଜକଗଣଙ୍କୁ ନିଯୁକ୍ତ କଲେ। ସେମାନେ ସେମାନଙ୍କୁ ଲୋକମାନଙ୍କ ମଧ୍ୟରୁ ବାଛିଲେ। ଏହି ଯାଜକମାନେ ସେହି ଉଚ୍ଚସ୍ଥଳୀରେ ମନ୍ଦିରସବୁରେ ପଶୁଗୁଡ଼ିକ ବଳିଦାନ କଲେ। 33 ସେମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ। ଏବଂ ସେମାନେ ମଧ୍ୟ ସେମାନଙ୍କର ଦେଶର ଦେବତାମାନଙ୍କର ସେବା କଲେ।
34 ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇସ୍ରାଏଲୀୟମାନଙ୍କର ବିଧି ଓ ଆଜ୍ଞା ସେମାନେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇସ୍ରାଏଲ ନାମ ଦେଇଥିଲେ। ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି। 35 ଇସ୍ରାଏଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ନିଶ୍ଚୟ ପୂଜା କରିବ ନାହିଁ କିମ୍ବା ସେମାନଙ୍କର ସେବା କରିବ ନାହିଁ। ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଭୟ କରିବ ନାହିଁ କିମ୍ବା ସେମାନଙ୍କର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ। 36 ତୁମ୍ଭେମାନେ କେବଳ ସଦାପ୍ରଭୁଙ୍କୁ ନିଶ୍ଚୟ ଭୟ କରିବ, ଯିଏ ମହାପରାକ୍ରମ ଦ୍ୱାରା ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ତୁମ୍ଭେମାନେ ନିଶ୍ଚୟ ତାହାଙ୍କୁ ପ୍ରଣାମ କରିବ ଓ ତାଙ୍କୁ ଉପାସନା କରିବ ଏବଂ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ। 37 ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେଉଁ ଯେଉଁ ବିଧି, ଶାସନବ୍ୟବସ୍ଥା ଓ ଶିକ୍ଷାସମୂହ ଲେଖି ଅଛନ୍ତି। ତୁମ୍ଭେମାନେ ତାହା ସଦାକାଳ ପାଳନ କରିବାକୁ ମନୋଯୋଗ କରିବ। ଆଉ ଅନ୍ୟ ଦେବଗଣଙ୍କୁ ତୁମ୍ଭେମାନେ ଭୟ କରିବ ନାହିଁ। 38 ମୁଁ ତୁମ୍ଭମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲି, ତୁମ୍ଭେମାନେ ପାଶୋରିବା ଉଚିତ୍ ନୁହଁ। ଅନ୍ୟ ଦେବତାମାନଙ୍କୁ ତୁମ୍ଭେମାନେ ଭୟ କିମ୍ବା ସମ୍ମାନ କରିବା ଉଚିତ୍ ନୁହଁ। 39 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେମାନେ କେବଳ ଭୟ ଓ ସମ୍ମାନ କରିବ ଓ ସେ ତୁମ୍ଭମାନଙ୍କୁ ସମସ୍ତ ଶତ୍ରୁଠାରୁ ଉଦ୍ଧାର କରିବେ।”
40 ମାତ୍ର ଇସ୍ରାଏଲୀୟମାନେ ତାହା ଶୁଣିଲେ ନାହିଁ। ସେମାନେ ପୂର୍ବ ରୀତି ଅନୁସାରେ କାର୍ଯ୍ୟ କରି ଗ୍ଭଲିଲେ। 41 ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସେମାନେ ମଧ୍ୟ ଭଣ୍ତ ଦେବତାମାନଙ୍କର ସେବା କଲେ। ସେମାନଙ୍କର ପୁତ୍ର ଓ ପୌତ୍ରଗଣ ମଧ୍ୟ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସେହିପରି କାର୍ଯ୍ୟ କରି ଆସୁଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଏହିସବୁ କରୁଛନ୍ତି।
2010 by World Bible Translation Center