Chronological
ନାଦବ୍ ଇସ୍ରାଏଲର ରାଜା
25 ଯିହୁଦାରେ ଆସାଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯାରବିୟାମଙ୍କ ପୁତ୍ର ନାଦବ୍ ଇସ୍ରାଏଲର ରାଜା ହେଲେ। 26 ସଦାପ୍ରଭୁଙ୍କ ଦୃଷ୍ଟିରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ଯାରବିୟାମଙ୍କ ପରି ପାପ କଲେ, ଯିଏ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
27 ଇଷାଖର ପରିବାରବର୍ଗୀୟ ଅହିୟର ପୁତ୍ର ବାଶା ନାଦବ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ବାଶା ପଲେଷ୍ଟୀୟ ନିକଟରେ ତାଙ୍କୁ ବଧ କଲେ, ଯେତେବେଳେ ନାଦବ୍ ଓ ସମସ୍ତ ଇସ୍ରାଏଲ ଗିବ୍ବଥୋନ ଅବରୋଧ କଲେ। 28 ଯିହୁଦାରେ ରାଜା ଆସାଙ୍କ ତୃତୀୟ ବର୍ଷରେ ବାଶା ନାଦବ୍ଙ୍କୁ ବଧ କରି ସେହି ପଦରେ ରାଜତ୍ୱ କଲେ।
ଇସ୍ରାଏଲର ରାଜା ବାଶା
29 ବାଶା ରାଜା ହେବା ମାତ୍ରେ ଯାରବିୟାମଙ୍କ ପରିବାରକୁ ଧ୍ୱଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହିୟ ମାଧ୍ୟମରେ ଯେଉଁ କଥା କହିଥିଲେ ତଦନୁସାରେ ବାଶା ଯାରବିୟାମଙ୍କ ବଂଶରୁ ଜଣଙ୍କୁ ଛାଡ଼ିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ। 30 ଏହିସବୁ ଘଟିଗଲା କାରଣ ଯାରବିୟାମ ନିଜେ ନାନା ପାପ କଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ତଦ୍ଦ୍ୱାରା ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କରାଇଲେ।
31 ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟକଳାପ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। 32 ଆସା ଓ ବାଶାଙ୍କ ମଧ୍ୟରେ ସେମାନଙ୍କ ଯାବଜ୍ଜୀବନ ଯୁଦ୍ଧ ଲାଗି ରହିଲା।
33 ଯିହୁଦାରେ ଆସା ରାଜତ୍ୱ କରିବାର ତୃତୀୟ ବର୍ଷରେ ଅହିୟଙ୍କ ପୁତ୍ର ବାଶା ଇସ୍ରାଏଲର ରାଜା ହେଲେ। ବାଶା ତିର୍ସାରେ ଚବିଶ ବର୍ଷ ରାଜତ୍ୱ କଲେ। 34 ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଯାରବିୟାମଙ୍କ ପରି ପାପ କରି ଗ୍ଭଲିଲେ। ଯାରବିୟାମ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
16 ଅନନ୍ତର ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁ ହନାନିର ପୁତ୍ର ଯେହୂଙ୍କୁ କହିଲେ, 2 “ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମୋର ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ଯାରବିୟାମଙ୍କ ପଥ ଅନୁସରଣ କଲ ଏବଂ ମୋର ଲୋକ ଇସ୍ରାଏଲୀୟମାନଙ୍କୁ ପାପ କରାଇଲ। ସେମାନଙ୍କ ପାପରେ ଆମ୍ଭେ କ୍ରୋଧିତ ହେଲୁ। 3 ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ଯାରବିୟାମର ପରିବାରକୁ ଧ୍ୱଂସ କରିଥିଲି। 4 ବାଶାର କେହି ଯଦି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ ଯେଉଁମାନେ କ୍ଷେତ୍ରରେ ମରିବେ ପକ୍ଷିମାନେ ସେମାନଙ୍କୁ ଖାଇବେ।”
5 ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ କାର୍ଯ୍ୟକଳାପ ଇସ୍ରାଏଲର ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। 6 ବାଶା ମୃତ୍ୟୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସାରେ କବର ପାଇଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଏଲା ରାଜା ହେଲେ।
7 ସଦାପ୍ରଭୁ, ବାଶା ଓ ତା'ର ପରିବାରର ବିପକ୍ଷରେ ଭବିଷ୍ୟଦ୍ବକ୍ତା ହନାନିୟଙ୍କ ପୁତ୍ର ଯେହୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ଯ୍ୟଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧିତ କଲେ। ଯାରବିୟାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସେଇ କାର୍ଯ୍ୟ କଲେ। ସଦାପ୍ରଭୁ ମଧ୍ୟ କ୍ରୋଧିତ ଥିଲେ କାରଣ ସେ ସମସ୍ତ ଯାରବିୟାମ ପରିବାରକୁ ହତ୍ୟା କଲେ।
ଏଲା, ଇସ୍ରାଏଲର ରାଜା
8 ଯିହୁଦାରେ ଆସାର ଛବିଶ୍ ବର୍ଷ ରାଜତ୍ୱ କାଳରେ ବାଶାର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜତ୍ୱ କଲେ।
9 ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା। 10 ସେତେବେଳେ ସିମ୍ରି ଗୃହ ମଧ୍ୟକୁ ପ୍ରବେଶ କରି ଏଲାଙ୍କୁ ହତ୍ୟା କଲେ। ଯିହୁଦାର ରାଜା ଆସାଙ୍କର ସତାଇଶ୍ ବର୍ଷ ରାଜତ୍ୱ କାଳରେ ଏହା ଘଟିଲା। ତତ୍ପରେ ସିମ୍ରି ଏଲାଙ୍କ ଅନ୍ତେ ଇସ୍ରାଏଲର ରାଜା ହେଲେ।
ସିମ୍ରି ଇସ୍ରାଏଲର ରାଜା
11 ସିମ୍ରି ରାଜା ହେଲା ପରେ ସେ ବାଶାଙ୍କର ସମୁଦାୟ ବଂଶ, ଜ୍ଞାତି ଓ ବନ୍ଧୁମାନଙ୍କୁ ହତ୍ୟା କଲେ। ଏପରିକି ଜଣେ ପୁରୁଷକୁ ସେ ଛାଡ଼ିଲେ ନାହିଁ। 12 ସଦାପ୍ରଭୁ ବାଶାଙ୍କ ବିରୁଦ୍ଧର ବାକ୍ୟ ଅନୁସାରେ ଭବିଷ୍ୟଦ୍ବକ୍ତା ଯେହୂଙ୍କୁ ସିମ୍ରି ବାଶାଙ୍କର ସମଗ୍ର ବଂଶକୁ ଧ୍ୱଂସ କଲେ। 13 ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମରେ ଲିପ୍ତ ରହିଲେ ଓ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ। ସେମାନଙ୍କର ବହୁତ ମୂର୍ତ୍ତି ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।
14 ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
15 ଯିହୁଦାରେ ଆସାଙ୍କ ସତାଇଶ୍ ବର୍ଷ ରାଜତ୍ୱ କାଳରେ ସିମ୍ରି ଇସ୍ରାଏଲର ରାଜା ହେଲେ। ସେ ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଇସ୍ରାଏଲର ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। 16 ଛାଉଣିରେ ଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଗୁପ୍ତ ଚକ୍ରାନ୍ତ ଦ୍ୱାରା ରାଜାଙ୍କୁ ମାରି ରାଜା ହୋଇଛନ୍ତି। ସେମାନେ ଅମ୍ରିନାମକ ଜଣେ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କରାଇଲେ। 17 ତେଣୁ ଅମ୍ରି ଏବଂ ସମଗ୍ର ଇସ୍ରାଏଲ ଲୋକ ଗିବ୍ବଥୋନ ତ୍ୟାଗ କରି ତିର୍ସା ଆକ୍ରମଣ କଲେ। 18 ଯେତେବେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହୋଇଯାଇଛି, ସେ ପ୍ରାସାଦରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡ଼ିଯାଇ ମୃତ୍ୟୁବରଣ କଲେ। 19 ସିମ୍ରି ତା'ର ପାପ ପାଇଁ ମଲା। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରି ଗ୍ଭଲିଲେ ଓ ଯାରବିୟାମଙ୍କ ପରି ପାପ ପଥରେ ଗଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ଫଳରେ ସମଗ୍ର ଇସ୍ରାଏଲ ପାପଗ୍ରସ୍ତ ହେଲା।
20 ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ରାଜାଙ୍କର ବିରୁଦ୍ଧରେ ଚକ୍ରାନ୍ତ ବିଷୟରେ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
ଅମ୍ରି ଇସ୍ରାଏଲର ରାଜା
21 ସେ ସମୟରେ ଇସ୍ରାଏଲର ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ। ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତା'ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। 22 ମାତ୍ର ଅମ୍ରିଙ୍କର ଅନୁଗାମୀମାନେ ଗୀନତର ପୁତ୍ର ତିବ୍ନିଙ୍କ ଅନୁଗାମୀଙ୍କଠାରୁ ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ତିବ୍ନି ନିହତ ହେଲେ ଓ ଅମ୍ରି ରାଜା ହେଲେ।
23 ଯିହୁଦାରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ୱ କାଳରେ ଅମ୍ରି ଇସ୍ରାଏଲର ରାଜା ହେଲେ। ଅମ୍ରି ଇସ୍ରାଏଲରେ ବାରବର୍ଷ ରାଜତ୍ୱ କଲେ। ସେହି ବାରବର୍ଷ ମଧ୍ୟରୁ ଛଅ ବର୍ଷ ତିର୍ସାରେ ରାଜତ୍ୱ କଲେ। 24 ମାତ୍ର ସେ ଶେମରଙ୍କୁ ଦୁଇ ତଳାନ୍ତ ରୂପା ଦେଇ ଶମରୋଣ୍ ପର୍ବତ କ୍ରୟ କଲେ। ସେ ଶମରୋଣ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସେହି ପର୍ବତର ମାଲିକର ନାମ ଶେମରର ନାମାନୁସାରେ ନଗରର ନାମ ଶମରିୟା ରଖିଲେ।
25 ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ। 26 ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ କରିଥିଲେ ଅମ୍ରି ସେହି ପାପ କଲେ ଓ ଇସ୍ରାଏଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ।
27 ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ଯ୍ୟଗୁଡ଼ିକ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 28 ଅମ୍ରିଙ୍କର ମୃତ୍ୟୁପରେ ସେ ଶମରିୟାରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।
ଆହାବ, ଇସ୍ରାଏଲର ରାଜା
29 ଯିହୁଦାରେ ଆସାଙ୍କ ରାଜତ୍ୱ କାଳର ଅଠତିରିଶ୍ ବର୍ଷରେ ଅମ୍ରିଙ୍କ ପୁତ୍ର ଆହାବ ଇସ୍ରାଏଲର ରାଜା ହେଲେ। ଆହାବ ଇସ୍ରାଏଲର ଶମରିୟା ନଗରରେ ବାଇଶ ବର୍ଷ ରାଜତ୍ୱ କଲେ। 30 ଆହାବ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ। 31 ନବାଟଙ୍କ ପୁତ୍ର ଯାରବିୟାମଙ୍କ ପରି ପାପ କରିବା ତାଙ୍କ ପାଇଁ ଯଥେଷ୍ଟ ନ ଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ୟା ଈଷେବଲକୁ ବିବାହ କଲେ ଓ ସୀଦୋନର ବାଲ୍ଦେବତାଙ୍କୁ ପୂଜା କରିବାକୁ ଓ ସେବା କରିବାକୁ ଆରମ୍ଭ କଲେ। 32 ଆହାବ ଶମରିୟାରେ ବାଲ୍ଦେବତାଙ୍କ ଉପାସନା ପାଇଁ ଏକ ମନ୍ଦିର ନିର୍ମାଣ କଲେ ଓ ସେହି ମନ୍ଦିରରେ ଏକ ଯଜ୍ଞବେଦି ତିଆରି କଲେ। 33 ଆହାବ ଉପାସନା କରିବା ପାଇଁ ଆଶେରା ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତି କଲେ।
34 ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା।
ଯିହୁଦାର ରାଜା ଯିହୋଶାଫଟ୍
17 ଆସାଙ୍କ ସ୍ଥାନରେ ଯିହୋଶାଫଟ୍ ଯିହୁଦାର ନୂତନ ରାଜା ହେଲେ। ଯିହୋଶାଫଟ୍ ଆସାଙ୍କର ପୁତ୍ର ଥିଲେ। ଯିହୋଶାଫଟ୍ ଯିହୁଦାକୁ ଆହୁରି ବଳିଷ୍ଠ କଲେ, ଯେପରି ସେମାନେ ଇସ୍ରାଏଲ ବିରୁଦ୍ଧରେ ଲଢ଼େଇ କରି ପାରିବେ। 2 ଯିହୁଦାର ଯେଉଁ ସହରଗୁଡ଼ିକ ଦୁର୍ଗମାନଙ୍କରେ ପରିଣତ ହୋଇଥିଲା, ସେ ସେଠାରେ ସୈନ୍ୟମାନଙ୍କୁ ସ୍ଥାପନ କଲେ। ଯିହୋଶାଫଟ୍ ତାଙ୍କର ପିତା ଆସା ଅଧିକାର କରିଥିବା ଯିହୁଦା ଓ ଇଫ୍ରୟିମର ସହରଗୁଡ଼ିକରେ ଦୁର୍ଗମାନ ନିର୍ମାଣ କଲେ।
3 ସଦାପ୍ରଭୁ ଯିହୋଶାଫଟଙ୍କ ସହିତ ଥିଲେ, କାରଣ ଯିହୋଶାଫଟ୍ ଆରମ୍ଭରୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ତୁଲ୍ୟ ଉତ୍ତମ କର୍ମମାନ କରିଥିଲେ। ଯିହୋଶାଫଟ୍ ବାଲ୍ ପ୍ରତିମାମାନଙ୍କର ଉପାସନା କଲେ ନାହିଁ। 4 ଯିହୋଶାଫଟଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ଯିହୋଶାଫଟ୍ ତାଙ୍କର ଅନ୍ୱେଷଣ କଲେ। ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅନୁଗାମୀ ହେଲେ। ଇସ୍ରାଏଲର ଲୋକମାନେ ଯେପରି ଜୀବନ କାଟୁଥିଲେ, ସେ ସେପ୍ରକାର ଜୀବନ କାଟୁ ନ ଥିଲେ। 5 ସଦାପ୍ରଭୁ ଯିହୋଶାଫଟଙ୍କୁ ଯିହୁଦାର ଏକ ଅତି ଶକ୍ତିଶାଳୀ ରାଜା କଲେ। ଯିହୁଦାର ସମସ୍ତ ଲୋକ ଯିହୋଶାଫଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ତେଣୁ ଯିହୋଶାଫଟଙ୍କର ଧନସମ୍ପଦ ଓ ସମ୍ମାନ ପ୍ରଚୁର ହେଲା। 6 ଯିହୋଶାଫଟ୍ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ସଦାପ୍ରଭୁଙ୍କୁ ଉତ୍ସର୍ଗୀକୃତ ହୋଇଥିଲେ। ସେ ସମସ୍ତ ଉଚ୍ଚସ୍ଥାନ ଓ ଆଶେରା ସ୍ତମ୍ଭଗୁଡ଼ିକୁ ଯିହୁଦା ଦେଶରୁ ଫୋପାଡ଼ି ଦେଲେ।
7 ଯିହୋଶାଫଟ୍ ତାଙ୍କର ନେତାଗଣଙ୍କୁ ଯିହୁଦାର ସହରମାନଙ୍କୁ ଶିକ୍ଷା ଦେବା ନିମନ୍ତେ ପଠାଇଲେ। ଏହା ଯିହୋଶାଫଟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଘଟିଲା। ସେହି ନେତାମାନେ ଥିଲେ ବିନ୍ହୟିଲ, ଓବଦିୟ, ଜିଖରିୟ, ନଥନେଲ୍ ଓ ମୀଖାୟ। 8 ଯିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲେବୀୟମାନଙ୍କୁ ମଧ୍ୟ ପଠାଇଲେ। ସେହି ଲେବୀୟମାନେ ଥିଲେ ଶମୟିୟ, ନଥନିୟ ସବ୍ଦିୟ, ଅସାହେଲ୍, ଶମୀରାମୋତ୍, ଯିହୋନାଥନ, ଅଦୋନିୟ, ଟୋବିୟ, ଟୋବଦୋନିୟ, ଇଲୀଶାମା, ଯିହୋରାମ ଓ ଯାଜକମାନଙ୍କୁ ମଧ୍ୟ ପଠାଇଲେ। 9 ସେହି ନେତା ଓ ଲେବୀୟ ଓ ଯାଜକମାନେ ଯିହୁଦାର ଲୋକମାନଙ୍କୁ ଶିକ୍ଷା ଦେଲେ। ସେମାନଙ୍କ ନିକଟରେ “ସଦାପ୍ରଭୁଙ୍କ ନିୟମପୁସ୍ତକ” ଥିଲା। ସେମାନେ ଯିହୁଦାର ସମସ୍ତ ସହର ମଧ୍ୟଦେଇ ଗଲେ ଓ ଲୋକମାନଙ୍କୁ ଶିକ୍ଷା ଦେଲେ।
10 ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସେମାନେ ଯିହୋଶାଫଟଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ ନାହିଁ। 11 କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ୟ ସେମାନେ ଯିହୋଶାଫଟଙ୍କ ନିମନ୍ତେ ରୂପା ଆଣିଲେ। କେତେକ ଆରବୀୟ ଲୋକ ଯିହୋଶାଫଟଙ୍କ ନିମନ୍ତେ ପଶୁପଲ ଭେଟୀ ସ୍ୱରୂପେ ଆଣିଲେ। ସେମାନେ ତାଙ୍କୁ 7,700 ଗୋଟି ଛେଳି ଓ 7,700 ଗୋଟି ମେଣ୍ଢା ଦେଲେ।
12 ଯିହୋଶାଫଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହୋଇ ଉଠିଲେ। ସେ ଯିହୁଦା ଦେଶରେ ଅନେକ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। 13 ସେ ଯିହୁଦା ନଗରରେ ବହୁତ କିଛି ରଖିଲେ। ଆଉ ଯିହୋଶାଫଟ୍ ଯିରୁଶାଲମରେ ତାଲିମପ୍ରାପ୍ତ ସୈନ୍ୟମାନଙ୍କୁ ରଖିଲେ। 14 ସେହି ସୈନ୍ୟମାନଙ୍କୁ ସେମାନଙ୍କ ପରିବାରବର୍ଗରେ ତାଲିକାଭୁକ୍ତ କରାଗଲା। ଯିରୁଶାଲମରେ ଅବସ୍ଥାପିତ ସେହି ସୈନ୍ୟମାନଙ୍କର ତାଲିକା ଏହି:
ଯିହୁଦା ଗୋଷ୍ଠୀରୁ, ଏହି ଲୋକମାନେ ହଜାର ହଜାର ସୈନ୍ୟଙ୍କର ସେନାପତି ଥିଲେ: ଅଦ୍ନ 300,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ।
15 ଯିହୋହାନନ୍ 280,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ,
16 ଅମସିୟ 200,000 ସୈନ୍ୟଙ୍କର ସେନାଧ୍ୟକ୍ଷ ଥିଲେ। ସିଖ୍ରିଙ୍କର ପୁତ୍ର ଅମସିୟ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଶପଥ କରିଥିଲେ।
17 ବିନ୍ୟାମୀନ୍ ଗୋଷ୍ଠୀର ଏହିମାନେ ସେନାଧ୍ୟକ୍ଷ ଥିଲେ: ଇଲିୟାଦାଙ୍କର 200,000 ଜଣ ସୈନ୍ୟ ଥିଲେ, ଯେଉଁମାନେ ଧନୁ, ତୀର ଓ ଢାଲ ବ୍ୟବହାର କରୁଥିଲେ। ଇଲିୟାଦା ଜଣେ ଅତି ସାହସୀ ସୈନ୍ୟ ଥିଲେ।
18 ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଯିହୋଷାବଦଙ୍କର 180,000 ଜଣ ସୈନ୍ୟ ଥିଲେ।
19 ସେହିସବୁ ସୈନ୍ୟମାନେ ରାଜା ଯିହୋଶାଫଟଙ୍କର ସେବା କରୁଥିଲେ। ଯିହୁଦା ଦେଶସାରା ଥିବା ଦୁର୍ଗଗୁଡ଼ିକରେ ରାଜାଙ୍କର ଆହୁରି ଅନ୍ୟ ଲୋକମାନେ ମଧ୍ୟ ଥିଲେ।
2010 by World Bible Translation Center