Chronological
ଯିହୁଦାର ରାଜା ଅବିୟାମ
15 ଯାରବିୟାମଙ୍କ ଇସ୍ରାଏଲରେ ରାଜତ୍ୱ କରିବାର ଅଷ୍ଟାଦଶ ବର୍ଷରେ ଅବିୟାମ ଯିହୁଦାର ରାଜା ହେଲେ। 2 ସେ ଯିରୁଶାଲମରେ ତିନି ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲେ।
3 ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମରେ ଲିପ୍ତ ଥିଲେ ସେ ମଧ୍ୟ ସେହିସବୁ ପାପକର୍ମ କରି ଗ୍ଭଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କ ପ୍ରତି ସର୍ବାନ୍ତଃକରଣରେ ବିଶ୍ୱସ୍ତ ନ ଥିଲେ। 4 ଯେହେତୁ ସଦାପ୍ରଭୁ ଦାଉଦଙ୍କୁ ପ୍ରେମ କରିଥିବାରୁ ସେ ଅବିୟାମକୁ ଯିରୁଶାଲମ ଦେଇଥିଲେ। କେବଳ ଦାଉଦଙ୍କ ସକାଶେ ସେ ଯିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦେଇଥିଲେ। 5 ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।
6 ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ରତ ରହୁଥିଲେ। 7 ଅବିୟାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
ଯେପର୍ଯ୍ୟନ୍ତ ସେ ରାଜା ଥିଲେ, ଅବିୟାମ ଓ ଯାରବିୟାମ ମଧ୍ୟରେ ଯୁଦ୍ଧ ଲାଗି ରହୁଥିଲା। 8 ଯେତେବେଳେ ଅବିୟାମ ମଲେ ତାଙ୍କୁ ପିତୃ ଲୋକଙ୍କ ସହିତ ଦାଉଦ ନଗରରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।
ଆସା ଯିହୁଦାର ରାଜା
9 ଇସ୍ରାଏଲରେ ଯାରବିୟାମଙ୍କ ବିଂଶତମ ବର୍ଷ ରାଜତ୍ୱ କାଳରେ ଆସା ଯିହୁଦାର ରାଜା ହେଲେ। 10 ଆସା ଯିରୁଶାଲମରେ 41 ବର୍ଷ ରାଜତ୍ୱ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲା।
11 ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ନ୍ୟାୟ ଓ ଯଥାର୍ଥ ଥିଲା, ସେହିପରି ଉତ୍ତମ କାର୍ଯ୍ୟମାନ କଲେ। 12 ଆସା ପୁରୁଷ ବେଶ୍ୟାମାନଙ୍କୁ ସେ ଦେଶରୁ ତଡ଼ି ଦେଲେ ଓ ନିଜର ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ସବୁ ଦୂର କରିଦେଲେ। 13 ଆସା ମଧ୍ୟ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡ଼ିତ କଲେ, କାରଣ ସେ ଆଶେରା ଦେବତା ନାମରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସେହି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡ଼ି ପକାଇଲେ। 14 ଆସା ଉଚ୍ଚସ୍ଥଳୀ ସବୁ ଧ୍ୱଂସ କଲେ ନାହିଁ, ମାତ୍ର ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହିଲେ। 15 ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ୱରଙ୍କୁ ଦେଲେ। ସେମାନେ ସେମାନଙ୍କର ସୁବର୍ଣ୍ଣ ଓ ରୌପ୍ୟ ଉପହାରଗୁଡ଼ିକ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିରରେ ଦେଲେ।
16 ପୁଣି ଆସା ଯିହୁଦାରେ ରାଜତ୍ୱ କଲାବେଳେ ଯାବଜ୍ଜୀବନ ଇସ୍ରାଏଲର ରାଜା ବାଶାଙ୍କ ସହିତ ଯୁଦ୍ଧରେ ରତ ରହିଲେ। 17 ବାଶା ଯିହୁଦା ବିରୁଦ୍ଧରେ ଯୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ଯିବାକୁ ଦେଲେ ନାହିଁ କିମ୍ବା ସେଠାରୁ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇସ୍ରାଏଲର ରାମା ନଗରକୁ ସୁଦୃଢ଼ କଲେ। 18 ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ସେ ହିଷିୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍ହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ। 19 ଆସା ଏହିବାର୍ତ୍ତା ପଠାଇ କହିଲେ, “ମୋର ପିତା ଓ ତୁମ୍ଭ ମଧ୍ୟରେ ଶାନ୍ତିର ଚୁକ୍ତି ହୋଇଥିଲା। ବର୍ତ୍ତମାନ ମୁଁ ମଧ୍ୟ ତୁମ୍ଭ ସହିତ ସେହି ଶାନ୍ତିର ଚୁକ୍ତି ଗ୍ଭହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭେଟି ପଠାଉଛି। ଦୟାକରି ଇସ୍ରାଏଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମୋ’ ରାଜ୍ୟ ଛାଡ଼ି ଗ୍ଭଲିଯିବ।”
20 ରାଜା ବିନ୍ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ। 21 ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ଼ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡ଼ି ତିର୍ସାରେ ବାସ କଲେ। 22 ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ଼ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିଆଣ। ସେଥିରେ ରାଜା ଆସା, ବିନ୍ୟାମୀନର ଗେବା ଓ ମିସ୍ପା ନଗର ଦୃଢ଼ କଲେ।
23 ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିୟା ଓ ଯେଉଁ ନଗର ଗୁଡ଼ିକୁ ସେ ସୁଦୃଢ଼ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ୟବସ୍ଥାରେ ପାଦରେ ଏକ ରୋଗ ହେଲା। 24 ଏହା ପରେ ଆସା ମୃତ୍ୟୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତାଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଯିହୋଶାଫଟ୍ ରାଜତ୍ୱ କଲେ।
ଯିହୁଦାର ରାଜା ଅବିୟ
13 ରାଜା ଯାରବିୟାମଙ୍କ ରାଜତ୍ୱର ଅଠର ବର୍ଷରେ ଅବିୟ ଯିହୁଦାର ନୂତନ ରାଜା ହେଲେ। 2 ଅବିୟ ଯିରୁଶାଲମରେ ତିନି ବର୍ଷ ରାଜାରୂପେ ରହିଲେ। ଅବିୟଙ୍କର ମାତା ଥିଲେ ମୀଖାୟା, ସେ ଉରିୟେଲଙ୍କର କନ୍ୟା ଥିଲେ। ଉରିୟେଲ ଗିବିୟା ସହରରୁ ଆସିଥିଲେ। ଅବିୟ ଓ ଯାରବିୟାମଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। 3 ଅବିୟଙ୍କ ସୈନ୍ୟଦଳରେ 400,000 ଜଣ ସାହସୀ ସୈନିକ ଥିଲେ। ଅବିୟ ସେହି ସୈନ୍ୟଦଳକୁ ଯୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ଯାରବିୟାମଙ୍କ ସୈନ୍ୟଦଳରେ 800,000 ଜଣ ସାହସୀ ସୈନିକ ଥିଲେ। ଅବିୟଙ୍କ ସହିତ ଏକ ଯୁଦ୍ଧ ନିମନ୍ତେ ଯାରବିୟାମ୍ ପ୍ରସ୍ତୁତ ହେଲେ।
4 ଏହା ପରେ ଇଫ୍ରୟିମର ପାର୍ବତ୍ୟମୟ, ଦେଶସ୍ଥ ସମାରୟିମ୍ ପର୍ବତ ଉପରେ ଅବିୟ ଠିଆ ହେଲେ। ଅବିୟ କହିଲେ, “ଯାରବିୟାମ୍ ଓ ସମଗ୍ର ଇସ୍ରାଏଲ, ମୋ’ କଥା ଶୁଣ! 5 ତୁମ୍ଭେମାନେ ଜାଣିବା ଉଚିତ୍ ଯେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ଅଧିକାର ଦେଇଥିଲେ। ପରମେଶ୍ୱର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ। 6 କିନ୍ତୁ ଯାରବିୟାମ୍ ତାଙ୍କର ମାଲିକଙ୍କର ବିରୁଦ୍ଧରେ ଉଠିଲେ। ନବାଟର ପୁତ୍ର ଯାରବିୟାମ୍ ଦାଉଦଙ୍କ ପୁତ୍ର ଶଲୋମନଙ୍କ ଜଣେ ଦାସର ପୁତ୍ର ଥିଲା। 7 ଏହା ପରେ ନିହାତି ଅଯୋଗ୍ୟ, ମନ୍ଦ ଲୋକମାନେ ଯାରବିୟାମର ସାଙ୍ଗୀ ହେଲେ। ଆଉ ଯାରବିୟାମ୍ ଓ ସେହି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିୟାମଙ୍କର ବିପକ୍ଷରେ ଉଠିଲେ। ରିହବିୟାମ୍ ଅଳ୍ପବୟସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିୟାମ୍, ଯାରବିୟାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।
8 “ବର୍ତ୍ତମାନ, ତୁମ୍ଭେମାନେ ସଦାପ୍ରଭୁଙ୍କ ରାଜତ୍ୱକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନେଇଅଛ ଯେଉଁ ରାଜ୍ୟ ଦାଉଦଙ୍କ ପୁତ୍ରମାନଙ୍କ ଦ୍ୱାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ୟକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସେହି ସୁବର୍ଣ୍ଣ ବାଛୁରିଗୁଡ଼ିକ ଅଛି, ଯେଉଁ ‘ଦେବତାମାନଙ୍କୁ’ ଯାରବିୟାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛିଏ। 9 ତୁମ୍ଭେମାନେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରିଦେଲେ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ବାହାର କରିଦେଲ। ଏହା ପରେ ତୁମ୍ଭେମାନେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥା’ନ୍ତି। ଆଉ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଗୋଟିଏ ଅଳ୍ପବୟସ୍କ ବୃଷ ଓ ସାତୋଟି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହୋଇ ପାରିବ। ଜଣେ ଯାଜକ ଯିଏ କି ‘ଅଣଦେବତାମାନଙ୍କର’ ସେବା କରିବ।
10 “କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ଯିହୁଦାର ଲୋକମାନେ ପରମେଶ୍ୱରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସେବା କରନ୍ତି, ସେମାନେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲେବୀୟମାନେ ସେମାନଙ୍କୁ ସେମାନଙ୍କର କାମ କରିବାରେ ସାହାଯ୍ୟ କରନ୍ତି। 11 ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସେମାନେ ମନ୍ଦିର ମଧ୍ୟରେ ଥିବା ବିଶେଷ ମେଜ ଉପରେ ଧାଡ଼ିରେ ରୋଟୀ ସଜାଇ ରଖନ୍ତି। ଆଉ ସେମାନେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦୀପ ଝକ୍ମକ୍ କରେ। ଆମ୍ଭେମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ସେବା କରୁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଅଛ। 12 ପରମେଶ୍ୱର ସ୍ୱୟଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧରେ ଯୁଦ୍ଧର ଆହ୍ୱାନ ରୂପେ ପରମେଶ୍ୱରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇସ୍ରାଏଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ତୁମ୍ଭେମାନେ କେବେ ସଫଳ ହେବ ନାହିଁ।”
13 କିନ୍ତୁ ଯାରବିୟାମ୍ ଅବିୟଙ୍କ ସୈନ୍ୟଦଳର ପଛେ ପଛେ ଗୋପନରେ ଯିବା ନିମନ୍ତେ ଏକ ଦଳ ସୈନ୍ୟଙ୍କୁ ପଠାଇଲେ। ଯାରବିୟାମଙ୍କ ସୈନ୍ୟଦଳ ଯିହୁଦୀୟଙ୍କ ସୈନ୍ୟଦଳର ସମ୍ମୁଖରେ ଥିଲେ। ଯାରବିୟାମଙ୍କ ସୈନ୍ୟଦଳରୁ ଲୁଚି ରହିଥିବା ସୈନ୍ୟମାନେ ଯିହୁଦାର ପଶ୍ଚାତ୍ରେ ଥିଲେ। 14 ଅବିୟଙ୍କ ସୈନ୍ୟଦଳରେ ଥିବା ଯିହୁଦାର ସୈନ୍ୟଗଣ ଯେତେବେଳେ ଚତୁର୍ଦ୍ଦିଗକୁ ଗ୍ଭହିଁଲେ, ସେମାନେ ଦେଖିଲେ ଯେ, ଯାରବିୟାମଙ୍କ ସୈନ୍ୟଦଳ ସମ୍ମୁଖରୁ ଓ ପଶ୍ଚାତ୍ରୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ। 15 ଏହା ପରେ ଯିହୁଦାର ଲୋକମାନେ ଜୋର୍ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତେବେଳେ ଜୋର୍ରେ ଚିତ୍କାର କଲେ, ପରମେଶ୍ୱର ଯାରବିୟାମଙ୍କ ସୈନ୍ୟଦଳକୁ ପରାସ୍ତ କଲେ। ଇସ୍ରାଏଲରୁ ଆଗତ ଯାରବିୟାମଙ୍କ ସମସ୍ତ ସୈନ୍ୟଦଳ ଯିହୁଦାରୁ ଆଗତ ଅବିୟଙ୍କ ସୈନ୍ୟଦଳ ଦ୍ୱାରା ପରାସ୍ତ ହେଲେ। 16 ଇସ୍ରାଏଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାୟନ କଲେ। ପରମେଶ୍ୱର ଇସ୍ରାଏଲର ସୈନ୍ୟଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ୟଦଳକୁ ଆଗେଇ ନେଲେ। 17 ଅବିୟଙ୍କ ସୈନ୍ୟଦଳ ଇସ୍ରାଏଲର ସୈନ୍ୟଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇସ୍ରାଏଲର 500,000 ଜଣ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ନିହତ ହେଲେ। 18 ତେଣୁ ସେହି ସମୟରେ ଇସ୍ରାଏଲର ଲୋକମାନେ ପରାସ୍ତ ହେଲେ ଓ ଯିହୁଦାର ଲୋକମାନେ ବିଜୟୀ ହେଲେ। ଯିହୁଦାର ସୈନ୍ୟଦଳ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭର କରିଥିବାରୁ ବିଜୟଲାଭ କଲେ।
19 ଅବିୟଙ୍କ ସୈନ୍ୟଦଳ ଯାରବିୟାମଙ୍କ ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ। ଅବିୟଙ୍କ ସୈନ୍ୟଦଳ ବୈଥଲ, ଯିଶାନା ଓ ଇଫ୍ରୋନ୍ ସହରଗୁଡ଼ିକ ଯାରବିୟାମଙ୍କଠାରୁ ଦଖଲ କରି ନେଲେ। ସେହି ସହର ଓ ସେହି ସହରଗୁଡ଼ିକର ନିକଟରେ ଥିବା କ୍ଷୁଦ୍ର ଗ୍ରାମଗୁଡ଼ିକୁ ମଧ୍ୟ ସେମାନେ ଅଧିକାର କରି ନେଲେ।
20 ଅବିୟ ଜୀବିତ ଥିବା ପର୍ଯ୍ୟନ୍ତ ଯାରବିୟାମ୍ ଆଉ କଦାପି ପରାକ୍ରମୀ ହୋଇପାରିଲେ ନାହିଁ। ସଦାପ୍ରଭୁ ଯାରବିୟାମଙ୍କୁ ବଧ କଲେ। 21 କିନ୍ତୁ ଅବିୟ ପରାକ୍ରମୀ ହୋଇ ଉଠିଲେ। ସେ ଚଉଦ ଜଣ ସ୍ତ୍ରୀଙ୍କୁ ବିବାହ କଲେ, ଏବଂ ବାଇଶ ଜଣ ପୁତ୍ର ଓ ଷୋହଳ ଜଣ କନ୍ୟାଙ୍କର ପିତା ହେଲେ। 22 ଅବିୟ ଆଉ ଯେଉଁସବୁ କର୍ମ କରିଥିଲେ, ତାହା ଇଦ୍ଦୋ ଭବିଷ୍ୟଦ୍ବକ୍ତାଙ୍କର ପୁସ୍ତକମାନଙ୍କରେ ଲେଖାଯାଇଅଛି।
14 ଅବିୟ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଏହା ପରେ ଅବିୟଙ୍କ ପୁତ୍ର ଆସା, ଅବିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାନ୍ତି ଅବସ୍ଥାନ କରିଥିଲା।
ଯିହୁଦାର ରାଜା ଆସା
2 ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତମ ଓ ଯଥାର୍ଥ ବିଷୟମାନ କଲେ। 3 ଆସା ଉଚ୍ଚ ସ୍ଥାନରେ ଥିବା ବିଦେଶୀୟ ଯଜ୍ଞବେଦିକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରିଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରିଦେଲେ। ଆଉ ଆସା ଆଶେରା ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ। 4 ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସେମାନଙ୍କୁ ସଦାପ୍ରଭୁଙ୍କର ସମସ୍ତ ନିୟମ ଓ ଆଜ୍ଞାଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଆଦେଶ ଦେଲେ। 5 ଆସା ଆହୁରି ମଧ୍ୟ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବେଦିଗୁଡ଼ିକ ଧ୍ୱଂସ କରିଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ୟରେ ଶାନ୍ତି ରହିଲା। 6 ଯିହୁଦାରେ ଶାନ୍ତି ଥିବା ସମୟରେ ଆସା ଯିହୁଦାରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସେହି ବର୍ଷଗୁଡ଼ିକରେ କୌଣସି ଯୁଦ୍ଧ ହୋଇ ନ ଥିଲା।
7 ଆସା ଯିହୁଦାର ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ସହର ଓ ସେଗୁଡ଼ିକର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭେମାନେ ଦୁର୍ଗ, ଦ୍ୱାର ଓ ଦ୍ୱାରର କିଳିଣିସବୁ ନିର୍ମାଣ କରିବା ଆମ୍ଭେମାନେ ଏହି ଦେଶରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କରିଅଛନ୍ତି।” ତେଣୁ ସେମାନେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।
8 ଆସାଙ୍କର ଯିହୁଦା ବଂଶରୁ 300,000 ଓ ବିନ୍ୟାମୀନ ବଂଶରୁ 280,000 ଲୋକଙ୍କର ଏକ ସୈନ୍ୟଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାୟ ଢାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ୟାମୀନର ଲୋକମାନେ ଛୋଟ ଛୋଟ ଢାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷେପ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।
9 ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ। 10 ଆସା ସେରହଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ। ମାରେଶାର ସଫାଥା ଉପତ୍ୟକାର ମାରେଶାହ ନିକଟରେ ଯୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଲେ।
11 ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଡାକ ପକାଇଲେ ଓ କହିଲେ, “ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାଯ୍ୟ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାଯ୍ୟ କରିବା ସେତିକି ସହଜ। ଆମ୍ଭମାନଙ୍କୁ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ଏହି ବିଶାଳ ସୈନ୍ୟବାହିନୀ ବିପକ୍ଷରେ ଥିଲେ ହେଁ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁ! ତୁମ୍ଭେ, ତୁମ୍ଭ ବିରୁଦ୍ଧରେ କାହାରିକୁ ଜୟ ଲାଭ କରିବାକୁ ଦିଅ ନାହିଁ।”
12 ଏହା ପରେ ସଦାପ୍ରଭୁ ଇଥିଓପିୟ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ୟଦଳକୁ ବ୍ୟବହାର କଲେ। ଆଉ ଇଥିଓପିୟ ସୈନ୍ୟଦଳ ଦୌଡ଼ି ପଳାଇଗଲେ। 13 ଆସା ଏବଂ ତାଙ୍କ ସୈନ୍ୟଦଳ ଇଥିଓପିୟ ସୈନ୍ୟଦଳଙ୍କ ପଛେ ପଛେ ଗରାର୍ ସହର ପର୍ଯ୍ୟନ୍ତ ଗୋଡ଼ାଇଲେ। ବହୁସଂଖ୍ୟକ ସୈନ୍ୟଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହୋଇପାରିଲେ ନାହିଁ। ସେମାନେ ସଦାପ୍ରଭୁ ଓ ତାଙ୍କ ସୈନ୍ୟଦଳ ଦ୍ୱାରା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ ଆସା ଓ ତାଙ୍କର ସୈନ୍ୟଦଳ ଶତ୍ରୁମାନଙ୍କଠାରୁ ଅନେକ ବହୁମୂଲ୍ୟ ପଦାର୍ଥ ଲୁଟି ନେଲେ। 14 ଆସା ଓ ତାଙ୍କର ସୈନ୍ୟଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜୟଲାଭ କଲେ। ସେହି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସେହି ସହରଗୁଡ଼ିକରେ ଅନେକ ବହୁମୂଲ୍ୟ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ୟଦଳ ସେହି ସହରଗୁଡ଼ିକରୁ ସେହି ସମସ୍ତ ବହୁମୂଲ୍ୟ ପଦାର୍ଥଗୁଡ଼ିକୁ ନେଇଗଲେ। 15 ଆସାଙ୍କ ସୈନ୍ୟଦଳ ମେଷ ପାଳକମାନଙ୍କର ଛାଉଣି ଉପରେ ମଧ୍ୟ ଆକ୍ରମଣ କଲେ। ସେମାନେ ଅନେକ ମେଷ ଓ ଓଟ ନେଇଗଲେ। ଏହା ପରେ ଆସାଙ୍କ ସୈନ୍ୟଦଳ ଯିରୁଶାଲମକୁ ଫେରିଗଲେ।
ଆସାଙ୍କର ପରିବର୍ତ୍ତନ
15 ପରମେଶ୍ୱରଙ୍କ ଆତ୍ମା ଅସରିୟଙ୍କ ଉପରେ ଆସି ଅଧିଷ୍ଠାନ କଲା। ଅସରିୟ ଓବେଦଙ୍କ ପୁତ୍ର ଥିଲେ। 2 ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ। 3 ପ୍ରକୃତରେ ଇସ୍ରାଏଲ ଦୀର୍ଘକାଳ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବିନା ରହିଥିଲା। ଆଉ ସେମାନେ ଜଣେ ଶିକ୍ଷାଗୁରୁ ଯାଜକ ଓ ନିୟମ ବିନା ରହୁଥିଲେ। 4 କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ। 5 ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ। 6 ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ୱଂସ କରୁଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା। 7 କିନ୍ତୁ ଆସ, ତୁମ୍ଭେ ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ ଦୃଢ଼ ହୁଅ। ଦୁର୍ବଳ ହୁଅ ନାହିଁ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କାର ପାଇବ।”
8 ଆସା ଓବେଦ୍ ଭବିଷ୍ୟଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହା ପରେ ସେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ୟ ପ୍ରତିମାଗୁଡ଼ିକ ଦୂର କରିଦେଲେ। ଆସା ଇଫ୍ରୟିମର ପାର୍ବତ୍ୟମୟ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସେହି ସହରଗୁଡ଼ିକରୁ ମଧ୍ୟ ସେହି ଘୃଣ୍ୟ ପ୍ରତିମାଗୁଡ଼ିକ ବାହାର କରିଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ମରାମତି କଲେ।
9 ଏହା ପରେ ଆସା ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ଏକତ୍ରିତ କଲେ। ସେ ଆହୁରି ମଧ୍ୟ ଇଫ୍ରୟିମ, ମନଃଶି ଓ ଶିମିୟୋନ ବଂଶର ଲୋକମାନଙ୍କୁ ଏକତ୍ରିତ କଲେ, ଯେଉଁମାନେ ଇସ୍ରାଏଲ ଦେଶରୁ ବାହାରି ଯିହୁଦା ଦେଶରେ ବାସ କରିବାକୁ ଆସିଥିଲେ, ସେହି ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଗ୍ଭଲି ଆସିଥିଲେ, କାରଣ ସେମାନେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ୱର, ଆସାଙ୍କର ସହିତ ଅଛନ୍ତି।
10 ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ। 11 ସେହି ସମୟରେ ସେମାନେ 700 ବଳଦ, 7,000 ଛେଳି ଓ ମେଣ୍ଢା ସଦାପ୍ରଭୁଙ୍କ ନିକଟରେ ବଳିଦାନ ଦେଲେ। ଆସାଙ୍କ ସୈନ୍ୟମାନେ ସେହିସବୁ ପଶୁପଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ପଦାର୍ଥ ସବୁକୁ ସେମାନଙ୍କର ଶତ୍ରୁଗଣଠାରୁ ଲୁଟି ନେଇଥିଲେ। 12 ସେମାନେ ସେମାନଙ୍କର ସମସ୍ତ ହୃଦୟ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବେ ବୋଲି ଏକ ଚୁକ୍ତି କଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କର ହିଁ ସେବା ଆରାଧନା କରୁଥିଲେ। 13 ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା। 14 ଏହା ପରେ ଆସା ଓ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ଏକ ଶପଥ କଲେ। ସେମାନେ ବଡ଼ ପାଟିରେ ଚିତ୍କାର କଲେ। ଆହୁରି ମଧ୍ୟ ସେମାନେ ତୂରୀ ଓ ତୂରୀ ବଜାଇଲେ। 15 ଯିହୁଦାର ସମସ୍ତ ଲୋକ ଯେତେବେଳେ ଏହି ଶପଥ ବିଷୟରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସେମାନେ ସେମାନଙ୍କର ସମସ୍ତ ହୃଦୟ ସହିତ ପରମେଶ୍ୱରଙ୍କର ଅନୁସରଣ କଲେ। ସେମାନେ ପରମେଶ୍ୱରଙ୍କୁ ଖୋଜିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କଲେ।
16 ରାଜା ଆସା ତାଙ୍କର ମାତାମହୀ ମାଖାଙ୍କୁ ରାଣୀମା’ ପଦରୁ ମଧ୍ୟ ବିତାଡ଼ିତ କଲେ। ମାଖା ଏକ ଘୃଣ୍ୟ ଆଶେରା ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସେହି ଆଶେରା ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହା ପରେ ସେ କିଦ୍ରୋଣ୍ ଉପତ୍ୟକାରେ ସେହି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ। 17 ଯଦିଓ ଇସ୍ରାଏଲରୁ ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ କରାଯାଇ ନ ଥିଲା, କିନ୍ତୁ ଆସାଙ୍କର ଜୀବନ ସାରା ତାଙ୍କର ହୃଦୟ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ଥିଲା।
18 ଆଉ, ଆସା, ତାଙ୍କର ପିତା ଓ ସେ ନିଜେ ଦେଇଥିବା ପବିତ୍ର ଭେଟୀସବୁକୁ ପରମେଶ୍ୱରଙ୍କ ମନ୍ଦିରରେ ଆଣି ରଖିଲେ। ସେହି ବସ୍ତୁଗୁଡ଼ିକ ରୂପା ଓ ସୁନାରେ ନିର୍ମିତ ହୋଇଥିଲା। 19 ଆସାଙ୍କ ରାଜତ୍ୱର ପଞ୍ଚତିରିଶତମ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।
ଆସାଙ୍କର ଶେଷ ବର୍ଷଗୁଡ଼ିକ
16 ଆସା ରାଜା ହେବାର ଛତିଶ୍ ତମ ବର୍ଷରେ, ବାଶା ଯିହୁଦା ଦେଶକୁ ଆକ୍ରମଣ କଲେ। ବାଶା ଇସ୍ରାଏଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ୟବହାର କଲେ। 2 ଆସା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରୁ ରୂପା ଓ ସୁନାସବୁ ଆଣିଲେ। ଆଉ ସେ ରାଜାଙ୍କର ଗୃହ ମଧ୍ୟରେ ଥିବା ରୂପା ଓ ସୁନାସବୁ ଆଣିଲେ। ଏହା ପରେ ଆସା ବିନ୍ହଦଦ୍ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ବିନ୍ହଦଦ୍ ଅରାମ୍ର ରାଜା ଥିଲେ ଓ ସେ ଦମ୍ମେଶକ ସହରରେ ବାସ କରୁଥିଲେ। 3 ଆସାଙ୍କ ବାର୍ତ୍ତା ଥିଲା: “ତୁମ୍ଭର ପିତା ଓ ମୋର ପିତାଙ୍କ ମଧ୍ୟରେ ଯେପରି ଚୁକ୍ତି ସ୍ୱାକ୍ଷର ହୋଇଥିଲା, ଆମ୍ଭ ମଧ୍ୟରେ ମଧ୍ୟ ସେହିଭଳି ଚୁକ୍ତି ହେଉ। ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଉଛି। ବର୍ତ୍ତମାନ ତୁମ୍ଭେ ଇସ୍ରାଏଲର ରାଜା ବାଶା ସହିତ ତୁମ୍ଭର ଚୁକ୍ତି ଭଙ୍ଗ କର, ତେବେ ସେ ମୋତେ ଏକା ଛାଡ଼ି ଗ୍ଭଲିଯିବ ଓ ମୋତେ ଆଉ ବ୍ୟସ୍ତ କରିବ ନାହିଁ।”
4 ବିନ୍ହଦଦ୍ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇସ୍ରାଏଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବିନ୍ହଦଦ୍ ତାଙ୍କ ସୈନ୍ୟଦଳର ସେନାପତିମାନଙ୍କୁ ପଠାଇଲେ। ସେହି ସେନାପତିମାନେ ଇୟୋନ, ଦାନ ଓ ଆବେଲମୟିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସେମାନେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ, ଯେଉଁଠାରେ ଜିନିଷ ଠୁଳ କରି ରଖାଯାଇଥିଲା। 5 ବାଶା ଇସ୍ରାଏଲର ଏହି ସହରଗୁଡ଼ିକ ଉପରେ ଆକ୍ରମଣର ଖବର ଶୁଣିଲା। ତେଣୁ ସେ ରାମା ସହରକୁ ଏକ ଦୁର୍ଗରେ ପରିଣତ କରିବା କାର୍ଯ୍ୟ ବନ୍ଦ କଲା ଏବଂ ସେ ନିଜ ରାଜ୍ୟକୁ ଫେରିଗଲା। 6 ଏହା ପରେ ରାଜା ଆସା ଯିହୁଦାର ସମସ୍ତ ଲୋକଙ୍କୁ ଏକତ୍ର ଡାକିଲେ। ସେମାନେ ରାମା ସହରକୁ ଗଲେ ଓ ବାଶା ଦୁର୍ଗ ନିର୍ମାଣ କରିବା ନିମନ୍ତେ ଯେଉଁ ପ୍ରସ୍ତର ଓ କାଷ୍ଠ ବ୍ୟବହାର କରୁଥିଲା, ତାହା ନେଇଗଲେ। ଆସା ଓ ଯିହୁଦାର ଲୋକମାନେ ଗେବା ଓ ମିସ୍ପା ସହରକୁ ଆହୁରି ଦୃଢ଼ କରିବା ନିମନ୍ତେ ସେହି ପ୍ରସ୍ତର ଓ କାଷ୍ଠଗୁଡ଼ିକୁ ବ୍ୟବହାର କଲେ।
7 ସେହି ସମୟରେ ଦ୍ରଷ୍ଟା ହନାନି ଯିହୁଦାର ରାଜା ଆସାଙ୍କ ନିକଟକୁ ଆସିଲେ। ହନାନି ତାଙ୍କୁ କହିଲେ, “ଆସା, ତୁମ୍ଭେ ଅରାମର ରାଜା ଉପରେ ସାହାଯ୍ୟ ନିମନ୍ତେ ନିର୍ଭର କଲ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଉପରେ ନିର୍ଭର କଲ ନାହିଁ। କିନ୍ତୁ ଯେହେତୁ ତୁମ୍ଭେ ସାହାଯ୍ୟ ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ ନାହିଁ, ଅରାମ ରାଜାର ସୈନ୍ୟଦଳ ତୁମ୍ଭଠାରୁ ଖସି ପଳାଇଗଲେ। 8 କୂଶୀୟ ଓ ଲେବୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଥିଲା। ସେମାନଙ୍କର ଅନେକ ରଥ ଓ ରଥଗ୍ଭଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାଯ୍ୟ ନିମନ୍ତେ ଓ ସେହି ବୃହତ୍ ପରାକ୍ରମୀ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାଯ୍ୟ କଲେ।” 9 ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ଅଟନ୍ତି, ସେମାନଙ୍କୁ ସେ ବଳବାନ୍ କରି ପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁର୍ଦ୍ଦିଗରେ ଭ୍ରମଣ କରି ସେହି ଲୋକମାନଙ୍କୁ ତନ୍ନ ତନ୍ନ କରି ଖୋଜନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ଯ୍ୟ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।”
10 ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କ୍ରୋଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳାରେ ନିକ୍ଷେପ କଲେ। ସେହି ସମୟରେ ଆସା ଆଉ କେତେଜଣ ବ୍ୟକ୍ତିଙ୍କ ପ୍ରତି ମଧ୍ୟ ନିଷ୍ଠୁର ଥିଲେ।
11 ଆସା ଯେଉଁ ସମସ୍ତ କର୍ମ କରିଥିଲେ, ତାହା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ରାଜଗଣଙ୍କର ଇତିହାସ ପୁସ୍ତକରେ ଲେଖା ଯାଇଅଛି। 12 ଆସାଙ୍କ ରାଜତ୍ୱର ଅଣଗ୍ଭଳିଶତମ ବର୍ଷରେ ତାଙ୍କର ପାଦଦ୍ୱୟ ରୋଗଗ୍ରସ୍ତ ହୋଇ ପଡ଼ିଲା। ତାଙ୍କର ରୋଗ ଅତ୍ୟନ୍ତ ଭୟଙ୍କର ହୋଇ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିଲେ ନାହିଁ। ଆସା ଡାକ୍ତରମାନଙ୍କର ସାହାଯ୍ୟ ଲୋଡ଼ିଲେ। 13 ଆସା ତାଙ୍କର ରାଜତ୍ୱର ଏକଗ୍ଭଳିଶତମ ବର୍ଷରେ ମୃତ୍ୟୁବରଣ କଲେ। ଆଉ ଆସା ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ପାଇଲେ। 14 ଆସା ଦାଉଦଙ୍କ ନଗରରେ ନିଜ ନିମନ୍ତେ ଯେଉଁ ସମାଧି ନିର୍ମାଣ କରିଥିଲେ, ଲୋକମାନେ ତାଙ୍କୁ ସେହି ସମାଧିରେ କବର ଦେଲେ। ଲୋକମାନେ ତାଙ୍କୁ ଏପ୍ରକାର ଏକ ଶଯ୍ୟାରେ ରଖିଲେ, ଯାହା ବିଭିନ୍ନ ପ୍ରକାର ମସଲା ଓ ମିଶ୍ରିତ ସୁଗନ୍ଧିତ ଅତରରେ ପୂର୍ଣ୍ଣ ଥିଲା। ଆସାଙ୍କୁ ସମ୍ମାନ ଦେବା ନିମନ୍ତେ ଲୋକମାନେ ଏକ ବିରାଟ ଅଗ୍ନିଦାହ କଲେ।
2010 by World Bible Translation Center