Chronological
ପରମେଶ୍ୱର ପୁନର୍ବାର ଶଲୋମନଙ୍କ ନିକଟକୁ ଆସିଲେ
9 ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସାରେ ସମସ୍ତ ଜିନିଷର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ। 2 ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବିୟୋନରେ ଦର୍ଶନ ଦେଇଥିଲେ, ସେହିପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ। 3 ସଦାପ୍ରଭୁ ତାଙ୍କୁ କହିଲେ,
“ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭକୁ କଥା ଦେଇଅଛୁ ଯେ, ଆମ୍ଭର ଧ୍ୟାନ ଓ ପ୍ରେମ ମନ୍ଦିର ପ୍ରତି ରହିବ। 4 ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦେଇ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସେବା କରିବ। ଯଦି ତୁମ୍ଭେ ସେହି ପରି କର ଏବଂ ଆମ୍ଭର ନିୟମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ। 5 ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇସ୍ରାଏଲର ଶାସକ ହେବ। ତଦ୍ନୁସାରେ ଆମ୍ଭେ ଇସ୍ରାଏଲରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା।
6-7 “ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିୟମ ମାନିବାକୁ ଯତ୍ନ ନ କରନ୍ତି, ଯଦି ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କର କି ପ୍ରତିମାର ସେବାକର ଓ ପ୍ରଣାମ କର, ତେବେ ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଭୂମିରୁ ବିତାଡ଼ିତ କରିବା, ଯାହା ଆମ୍ଭେ ସେମାନଙ୍କୁ ଦେଇଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ୟାଖ୍ୟାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ସମ୍ମୁଖରେ ଉପହାସର ଉଦାହରଣ ହେବ। 8 ଏହି ମନ୍ଦିର ଧ୍ୱଂସ ହେବ। ପ୍ରତ୍ୟେକ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହେବେ ଓ କହିବେ, ‘ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ଯ୍ୟ କଲେ?’ 9 ତହିଁରେ ଲୋକମାନେ ଉତ୍ତର ଦେଇ ଥାଆନ୍ତେ, ‘ଏହା ଘଟିଲା କାରଣ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ କାର୍ଯ୍ୟ ଘଟାଇଲେ।’”
10 ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ଶଲୋମନଙ୍କୁ କୋଡ଼ିଏ ବର୍ଷ ଲାଗିଲା। 11 କୋଡ଼ିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗାଲିଲୀ ଦେଶସ୍ଥ କୋଡ଼ିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡ଼ିକ ଦେଲେ, କାରଣ ହୀରମ୍ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣରେ ଶଲୋମନଙ୍କୁ ସାହାଯ୍ୟ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦେବଦାରୁ କାଠ ଓ ସୁବର୍ଣ୍ଣ ଯୋଗାଇ ଥିଲେ। 12 ହୀରମ୍ ଶଲୋମନଙ୍କ ଦତ୍ତ ନଗରଗୁଡ଼ିକୁ ଦେଖିବାକୁ ସୋରରୁ ଆସିଲେ, ମାତ୍ର ସେସବୁ ତାହାର ସନ୍ତୋଷଜନକ ହେଲା ନାହିଁ। 13 ତେଣୁ ସେ କହିଲା, “ହେ ମୋର ଭାଇ, ଏସବୁ କି ନଗର ମୋତେ ଦେଇଅଛ?” ପୁଣି ସେ ସେହିସବୁର ନାମ କାବୁଲ ଦେଶ ଦେଲା, ଅଦ୍ୟାପି ସେ ଦେଶର ନାମ କାବୁଲ ଅଛି। 14 ପୁଣି ହୀରମ୍ 120 ତୋଳା ସୁନା ସଦାପ୍ରଭୁଙ୍କ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଶଲୋମନଙ୍କ ନିକଟକୁ ପଠାଇ ଥିଲେ।
15 ଶଲୋମନ ଦାସମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ କରିବାକୁ ବାଧ୍ୟ କରିଥିଲେ। ତତ୍ପରେ ସେ ମିଲ୍ଲୋ, ଯିରୁଶାଲମର ପ୍ରାଚୀର, ହାତ୍ସୋର, ମଗିଦ୍ଦୋ ଓ ଗେଷର୍ ନିର୍ମାଣ କରିବାରେ ସେମାନଙ୍କୁ ମଧ୍ୟ ବ୍ୟବହାର କରିଥିଲେ।
16 ପୂର୍ବେ ମିଶରର ରାଜା ଗେଷର୍ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ତାକୁ ପୋଡ଼ି ଦେଲେ। ସେ ତନ୍ନିବାସୀ କିଣାନୀୟମାନଙ୍କୁ ବଧ କଲେ। ଶଲୋମନ ଫାରୋଙ୍କ କନ୍ୟାକୁ ବିବାହ କଲେ ଓ ଫାରୋ ଯୌତୁକ ସ୍ୱରୂପ ସେହି ନଗରକୁ ଶଲୋମନଙ୍କୁ ଦାନ କଲେ। 17 ଶଲୋମନ ଗେଷର୍ ଓ ଅଧଃସ୍ଥିତ ବୈଥୋରୋଣ ନଗର ନିର୍ମାଣ କଲେ। 18 ସେ ମଧ୍ୟ ଯର୍ଦ୍ଦନ ପ୍ରାନ୍ତରସ୍ଥ ବାଲତ୍ ଓ ତାଦମୋର[a] ସହର ନିର୍ମାଣ କଲେ। 19 ରାଜା ଶଲୋମନ ଶସ୍ୟ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ୱାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ଯିରୁଶାଲମରେ, ଲିବାନୋନ୍ରେ ଓ ତାଙ୍କ ଶାସନାଧୀନ ଦେଶ ବ୍ୟତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।
20 ସେ ଦେଶରେ କେବଳ ଇସ୍ରାଏଲୀୟ ସନ୍ତାନ ନ ଥିଲେ। ଏପରିକି ଇମୋରୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକ ଅବଶିଷ୍ଟ ରହିଥିଲେ। 21 ଇସ୍ରାଏଲୀୟମାନେ ସେମାନଙ୍କୁ ବିନାଶ କରିବାକୁ କ୍ଷମ ହୋଇ ନ ଥିଲେ। ମାତ୍ର ଶଲୋମନ ସେମାନଙ୍କୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସେମାନେ ଦାସ ହୋଇ ରହିଛନ୍ତି। 22 ମାତ୍ର ଇସ୍ରାଏଲ ସନ୍ତାନଗଣଙ୍କ ମଧ୍ୟରୁ ଶଲୋମନ କାହାରିକୁ ଦାସ କଲେ ନାହିଁ। ସେମାନେ ଯୋଦ୍ଧା, ରାଜଭୃତ୍ୟ, ଅଧିପତି, ସେନାପତି, ରଥାରୋହୀ ଓ ଅଶ୍ୱାରୋହୀମାନଙ୍କ ଅଧ୍ୟକ୍ଷ ଥିଲେ। 23 ସେମାନଙ୍କ ମଧ୍ୟରୁ 550 ଜଣ ଶଲୋମନଙ୍କର କାର୍ଯ୍ୟର ପରିଦର୍ଶକ ଥିଲେ। ଏହି ପ୍ରଧାନ ଅଧ୍ୟକ୍ଷଗଣ ଶଲୋମନଙ୍କର ଶ୍ରମିକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
24 ମାତ୍ର ଫାରୋର କନ୍ୟା ଦାଉଦ ନଗରରୁ ଆସି ଶଲୋମନଙ୍କ ଦ୍ୱାରା ନିର୍ମିତ ବୃତତ୍ ପ୍ରାସାଦରେ ବାସ କଲେ। ତା'ପରେ ଶଲୋମନ ମିଲ୍ଲୋ ନିର୍ମାଣ କଲେ।
25 ପୁଣି ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯଜ୍ଞବେଦି ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କ ସମ୍ମୁଖସ୍ଥ ସେହି ଯଜ୍ଞବେଦି ଉପରେ ସେ ବର୍ଷରେ ତିନିଥର ଧୂପ ଜଳାଇଲେ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
26 ଅନନ୍ତର ଶଲୋମନ ରାଜା ଇଦୋମ ଦେଶରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିୟୋନ ଗେବରରେ ଜାହାଜମାନ ନିର୍ମାଣ କଲେ। 27 ପୁଣି ହୀରମ୍ ସେହି ଜାହାଜରେ ଶଲୋମନଙ୍କ ଦାସମାନଙ୍କ ସହିତ ସାମୁଦ୍ରିକ କର୍ମରେ ନିପୁଣ ଆପଣା ଦାସ ନାବିକମାନଙ୍କୁ ପଠାଇଲେ। 28 ଆଉ ସେମାନେ ଓଫୀରକୁ ଯାଇ ସେଠାରୁ 420 ତାଳନ୍ତ ସୁନା ଶଲୋମନ ରାଜାଙ୍କ ନିକଟକୁ ଆଣିଲେ।
ଶଲୋମନ ନିର୍ମାଣ କରିଥିବା ନଗର ସକଳ
8 ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା। 2 ଏହା ପରେ ହୂରମ୍ ରାଜା ଦେଇଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇସ୍ରାଏଲୀୟ ଲୋକଙ୍କୁ ଅନୁମତି ଦେଲେ। 3 ଏହା ପରେ ଶଲୋମନ ସୋବାସ୍ଥିତ ହମାତ୍କୁ ଗଲେ ଓ ତାହାକୁ ଅଧିକାର କଲେ। 4 ଶଲୋମନ ମଧ୍ୟ ମରୁଭୂମି ମଧ୍ୟରେ ତଦ୍ମୋର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ରେ ସମସ୍ତ ସହର ନିର୍ମାଣ କଲେ। 5 ଶଲୋମନ ଊର୍ଦ୍ଧ୍ୱସ୍ଥ ବୈଥ୍-ହୋରଣ୍ ଓ ନୀଚ୍ଚସ୍ଥ ବୈଥ୍-ହୋରଣର ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗରେ ପରିଣତ କଲେ। ସେହି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ୱାର ଓ ଦ୍ୱାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା। 6 ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠାରେ ସେ ସୈନ୍ୟମାନଙ୍କ ଛାଉଣି ପକାଇଥିଲେ। ସେ ଆହୁରି ଅନେକ ନଗରସବୁ ନିର୍ମାଣ କଲେ, ଯେଉଁଠାରେ ଯୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ୱାରୋହୀମାନେ ବାସ କରୁଥିଲେ। ଶଲୋମନ ଯିରୁଶାଲମ, ଲିବାନୋନ୍ରେ ଓ ସେ ରାଜା ଥିବା ସମସ୍ତ ଦେଶରେ ଯାହା ନିର୍ମାଣ କରିବାକୁ ଗ୍ଭହିଁଲେ, ତାହା ନିର୍ମାଣ କଲେ।
7 ସେଠାରେ ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ବାସ କରୁଥିଲେ। ସେମାନେ ଇସ୍ରାଏଲୀୟ ନୁହନ୍ତି। 8 ସେମାନେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧର, ଯେଉଁମାନେ ସେ ପର୍ଯ୍ୟନ୍ତ ସେହି ଭୂମିରେ ଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ବଧ କରାଯାଇ ନ ଥିଲେ। ଶଲୋମନ ସେହି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ୟ କଲେ। ସେମାନେ ଆଜି ପର୍ଯ୍ୟନ୍ତ କ୍ରୀତଦାସ ଅଛନ୍ତି। 9 ଶଲୋମନ ଇସ୍ରାଏଲର ଲୋକମାନଙ୍କୁ କ୍ରୀତଦାସ ହେବା ନିମନ୍ତେ ବାଧ୍ୟ କଲେ ନାହିଁ। ଇସ୍ରାଏଲର ଲୋକମାନେ ଶଲୋମନଙ୍କର ଦୁର୍ଦ୍ଦଷ ଯୋଦ୍ଧା ଥିଲେ। ସେମାନେ ଶଲୋମନଙ୍କର ସାମରିକ ବାହିନୀର ପଦାଧିକାରୀ ଥିଲେ। ସେମାନେ ଶଲୋମନଙ୍କର ଯୁଦ୍ଧ ରଥର ସେନାପତି ଥିଲେ। 10 ଆଉ, ଇସ୍ରାଏଲର କିଛି ଲୋକଙ୍କୁ ଶ୍ରମିକମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ନିଯୁକ୍ତ କରିଥିଲେ। ସେଠାରେ 250 ଜଣ ତଦାରଖକାରୀ ଥିଲେ।
11 ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ୟାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, “ମୋର ସ୍ତ୍ରୀ ଇସ୍ରାଏଲର ରାଜା ଦାଉଦଙ୍କ ଗୃହରେ ବାସ କରିବ ନାହିଁ, କାରଣ ଯେଉଁ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କର ବିଶେଷ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।”
12 ଏହା ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖରେ ସେହି ବଳିବେଦି ନିର୍ମାଣ କରିଥିଲେ। 13 ମୋଶା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ଶଲୋମନ ସେହି ପ୍ରକାରେ ପ୍ରତ୍ୟେକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ୟା ଉତ୍ସବ ଓ ତ୍ରୟବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରୟବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ୟ ରୋଟୀର ପର୍ବ, ସପ୍ତାହବ୍ୟାପି ପର୍ବ ଓ ଆଶ୍ରୟଦାୟକ ପର୍ବ। 14 ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦେଶାବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଶଲୋମନ ଲେବୀୟମାନଙ୍କୁ ମଧ୍ୟ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଲେବୀୟମାନଙ୍କର କାର୍ଯ୍ୟ ଥିଲା ପ୍ରଶଂସା ଗାନରେ ନେତୃତ୍ୱ ଦେବା ଓ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ଦୈନନ୍ଦିନ ଯେଉଁ ବିଷୟମାନ କରାଯାଏ, ସେଥିରେ ଯାଜକମାନଙ୍କୁ ସାହାଯ୍ୟ କରିବା। ଆଉ ଶଲୋମନ ଦ୍ୱାର ନିକଟରେ ସେବାକାର୍ଯ୍ୟ କରିବା ନିମନ୍ତେ ଦ୍ୱାରପାଳମାନଙ୍କୁ ସେମାନଙ୍କର ଦଳ ଅନୁଯାୟୀ ମନୋନୀତ କଲେ। ପରମେଶ୍ୱରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 15 ଯାଜକ ଓ ଲେବୀୟମାନେ ଠିକ୍ ସେହିପରି କଲେ, ଯାହା ଶଲୋମନ ସେମାନଙ୍କୁ ମନ୍ଦିରରେ ଏବଂ ଏହାର କୋଷାଗାରରେ କରିବା ପାଇଁ କହିଥିଲେ।
16 ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ଦିନଠାରୁ ସଦାପ୍ରଭୁଙ୍କ ମନ୍ଦିର ଶେଷ ନ ହେଲା ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ଭଲ ଭାବରେ କରାଗଲା।
17 ଏହା ପରେ ଶଲୋମନ ଇତ୍ସିୟୋନ-ଗେବର ଓ ଏଲତ ସହରମାନଙ୍କୁ ଗଲେ। ସେହି ସହରଗୁଡ଼ିକ ଇଦୋମ ଦେଶରେ ସମୁଦ୍ର ନିକଟରେ ଥିଲା। 18 ହୂରମ୍ ଶଲୋମନଙ୍କ ନିକଟକୁ ଜାହାଜ ସବୁ ପଠାଇଲେ। ହୂରମ୍ଙ୍କ ନିଜସ୍ୱ ଲୋକମାନେ ଜାହାଜଗୁଡ଼ିକୁ ବାହିଲେ। ହୂରମ୍ଙ୍କ ଲୋକମାନେ ଦକ୍ଷ ନାବିକ ଥିଲେ। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କର ଦାସମାନଙ୍କ ସହିତ ଓଫୀରକୁ ଗଲେ ଓ ସେଠାରୁ ରାଜା ଶଲୋମନଙ୍କ ନିମନ୍ତେ 450 ତାଳନ୍ତ ସୁନା ଆଣିଲେ।
2010 by World Bible Translation Center