Chronological
ସଦାପ୍ରଭୁ ନିକଟରେ ଦାଉଦଙ୍କର ପ୍ରଶଂସାର ଗୀତ
22 ଯେଉଁ ସମୟରେ ସଦାପ୍ରଭୁ ଯାବତୀୟ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କଲେ।
2 ସଦାପ୍ରଭୁ ମୋର ଶୈଳ ଏବଂ ମୋର ଦୁର୍ଗ, ମୋର ନିରାପଦସ୍ଥାନ।
3 ସେ ମୋର ପରମେଶ୍ୱର, ଶୈଳସ୍ୱରୂପ, ମୁଁ ତାଙ୍କ ପାଖକୁ ଆଶ୍ରୟ ପାଇଁ ଦୌଡ଼ିବି,
ପରମେଶ୍ୱର ମୋର ଢାଲ, ତାଙ୍କର ଶକ୍ତି ମୋତେ ରକ୍ଷା କରିବ।
ସଦାପ୍ରଭୁ ହେଉଛନ୍ତି ମୋର ଆଶ୍ରୟ ସ୍ଥାନ, ମୋର ନିରାପଦ ସ୍ଥାନ, ଉଚ୍ଚ ଦୁର୍ଗ,
ସେ ମୋତେ ଦୁଷ୍ଟମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରନ୍ତି।
4 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
5 ମୋର ଶତ୍ରୁମାନେ ସର୍ବଦା ମୋତେ ମାରିବାକୁ ଚେଷ୍ଟା କରିଛନ୍ତି।
ମୃତ୍ୟୁର ଲହରୀ ମୋତେ ବେଷ୍ଟନ କଲା, ବନ୍ୟାଜଳ ମୋତେ ମୃତ୍ୟୁର ଗହ୍ୱରକୁ ନେଇଗଲା।
6 କବରର ରଶି ମୋର ଗ୍ଭରିପଟେ ଥିଲା।
ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖରେ ପଡ଼ିଥିଲା।
7 ମୁଁ ଫାନ୍ଦରେ ପଡ଼ି ସହାୟତା ପାଇଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋର ଡାକ ଶୁଣିଲେ।
ସେ ମୋର ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ।
8 ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା,
ସ୍ୱର୍ଗ ରାଜ୍ୟର ମୂଳଦୂଆ ଟଳମଳ ଓ କମ୍ପିତ ହେଲା,
କାରଣ ସଦାପ୍ରଭୁ କ୍ରୋଧିତ ଥିଲେ।
9 ପରମେଶ୍ୱରଙ୍କର ନାକରୁ ଧୂଆଁ ନିର୍ଗତ ହେଲା,
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କର ମୁଖରୁ ବାହାରିଲା।
ଜ୍ୱଳନ୍ତ ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
10 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।
11 ସେ ଉଡ଼ୁଥିଲେ, ସେ କିରୁବଦୂତଗଣ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ।
ସେ ବାୟୁର ପକ୍ଷ ଉପରେ ଦେଖାଗଲେ।
12 ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତରେ ଲୁଚି ଗଲେ, ସତେ ଯେମିତି ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳି ଯୁକ୍ତ ମେଘ ଭିତରେ ଲୁଚି ଗଲେ।
13 ତାଙ୍କର ଚତୁର୍ଦ୍ଦିଗର ଉଜ୍ଜ୍ୱଳ ଆଲୋକଗୁଡ଼ିକ
ଜ୍ୱଳନ୍ତ ଅଗ୍ନିକଣା ସଦୃଶ।
14 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସେ ସର୍ବୋପରିସ୍ଥ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
15 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ।
ସେ ଶତ୍ରୁମାନଙ୍କୁ ଛିନ୍ଛତ୍ର କଲେ।
ସଦାପ୍ରଭୁ ବିଜୁଳି ଦ୍ୱାରା ସେମାନଙ୍କୁ ଉଦ୍ବିଗ୍ନ କଲେ।
16 ସଦାପ୍ରଭୁଙ୍କ ଗର୍ଜନରେ
ତାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ
ସମୁଦ୍ରର ଗର୍ତ୍ତ ପ୍ରକାଶ ପାଇଲା,
ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।
17 ସଦାପ୍ରଭୁ ଉର୍ଦ୍ଧରୁ ମୋତେ ହସ୍ତ ବଢ଼ାଇ ଉଦ୍ଧାର କଲେ।
ସଦାପ୍ରଭୁ ସେହି ଗଭୀର ଜଳରୁ ହାତ ବଢ଼ାଇ ମୋତେ ଟେକି ଆଣିଲେ।
18 ମୋର ଶତ୍ରୁମାନେ ମୋ'ଠାରୁ ଶକ୍ତିଶାଳୀ ଥିଲେ, ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
19 ମୁଁ ଯେତେବେଳେ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ଥିଲେ।
20 ସଦାପ୍ରଭୁ ମୋତେ ଭଲ ପାଆନ୍ତି, ତେଣୁ ସେ ମୋତେ ରକ୍ଷା କଲେ,
ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
21 ସଦାପ୍ରଭୁ ମୋତେ ପୁରସ୍କୃତ କରିବେ, କାରଣ ଯାହା ଠିକ୍ ମୁଁ ତାହା ହିଁ କଲି,
ମୁଁ କିଛି ଭୁଲ୍ କରି ନ ଥିଲି, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
22 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ନ ଥିଲି।
23 ମୁଁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଅଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
24 ମୁଁ ତାଙ୍କ ସମ୍ମୁଖରେ ନିଜକୁ ଶୁଦ୍ଧ
ଓ ନିର୍ମଳ ରଖେ।
25 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ, କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ।
ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
26 ହେ ସଦାପ୍ରଭୁ, ଯଦି କେହି ପ୍ରକୃତରେ ତୁମ୍ଭଙ୍କୁ ଭଲପାଏ, ତା'ପରେ ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦିଅ।
27 ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର ଅଟ।
28 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର
କିନ୍ତୁ ଗର୍ବୀ ଓ ଅହଂକାରୀର ଦର୍ପକୁ ଚୂର୍ଣ୍ଣ କର।
29 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଦୀପ।
ମୋର ଅନ୍ଧକାରକୁ ଆଲୋକମୟ କରିବ।
30 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
31 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
32 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
33 ପରମେଶ୍ୱର ମୋର ଦୃଢ଼ ଦୁର୍ଗ।
ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବାରେ ସାହାଯ୍ୟ କରନ୍ତି।
34 ପରମେଶ୍ୱର ମୋତେ ହରିଣୀଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ସ୍ଥଳରେ ସୁଦୃଢ଼ କରନ୍ତି।
35 ସେ ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଏକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
36 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କଲ ଏବଂ ଜିତିବାରେ ସାହାଯ୍ୟ କଲ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁଦ୍ୱାରା ସାହାଯ୍ୟ କଲ।
37 ମୋର ଗୋଡ଼ ଓ ଗଣ୍ତିକୁ ଦୃଢ଼ କର,
ତେଣୁ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ସେମାନଙ୍କୁ ଗୋଡ଼ାଇବି, ସେମାନଙ୍କୁ ଧ୍ୱଂସ ନ କରିବା ଯାଏ।
ସେମାନେ ବିନାଶ ନ ହେବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ।
39 ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିଅଛି,
ମୁଁ ସେମାନଙ୍କୁ ପରାସ୍ତ କରିଅଛି।
ସେମାନେ ପୁନରାୟ ଉଠିପାରି ନାହାନ୍ତି।
ହଁ, ସେମାନେ ମୋର ପାଦତଳେ ପଡ଼ି ଅଛନ୍ତି।
40 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଅଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଅଛ।
41 ତୁମ୍ଭେ ମୋତେ ସୁଯୋଗ ଦେଇଅଛ ମୋର ଶତ୍ରୁର ବେକକୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁକୁ ଧ୍ୱଂସ କରିଅଛି।
42 ସେମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ,
କିନ୍ତୁ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।
43 ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି,
ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି।
ସେମାନଙ୍କୁ ଛତରାଇ ଦେଲି।
44 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
45 ବିଦେଶୀମାନେ ମୋତେ ମାନିବେ।
ସେମାନେ ଯେତେବେଳେ ମୋର ଆଜ୍ଞା ଶୁଣିବେ, ସେମାନେ ମୋର ଆଜ୍ଞାବହ ହେବେ।
46 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
47 ସଦାପ୍ରଭୁ ଜୀବିତ!
ମୁଁ ମୋର ଶୈଳକୁ ପ୍ରଶଂସା କରେ!
ପରମେଶ୍ୱର ମହାନ।
ସେ ହିଁ ସେଇ ଶୈଳ ଯିଏ ମୋତେ ରକ୍ଷା କରନ୍ତି।
48 ସେହି ପରମେଶ୍ୱର ମୋ’ ତରଫରୁ ପରିଶୋଧ ନିଅନ୍ତି।
ସେ ଦେଶଗୁଡ଼ିକୁ ମୋର ଶାସନାଧୀନ କରନ୍ତି।
49 ପରମେଶ୍ୱର ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି।
ଯେଉଁ ଲୋକମାନେ ମୋ’ ବିରୁଦ୍ଧରେ ଉଠିଛନ୍ତି,
ସେମାନଙ୍କୁ ପରାସ୍ତ କରିବାରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋତେ ସେହି ନିର୍ଦ୍ଦୟଲୋକମାନଙ୍କଠାରୁ ରକ୍ଷା କଲ।
50 ହେ ସଦାପ୍ରଭୁ, ସେଥିପାଇଁ ମୁଁ ମୋର ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ଗାଏ।
51 ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦେଖାଇଛନ୍ତି।
ଦାଉଦଙ୍କର ଶେଷ ବାକ୍ୟ
23 ଏଗୁଡ଼ିକ ଦାଉଦଙ୍କର ଶେଷ କଥା,
“ଯିଶୀର ପୁତ୍ର ଦାଉଦ କହନ୍ତି
ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି
ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ
ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,
2 ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ,
ଓ ତାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା।
3 ଇସ୍ରାଏଲର ପରମେଶ୍ୱର କହିଲେ,
ଇସ୍ରାଏଲର ଶୈଳ ମୋତେ କହିଲେ,
‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ,
ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।
4 ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ।
ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ,
ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ,
ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’
5 “ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ
ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି।
ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ।
ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ।
6 “କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତୁଲ୍ୟ।
ସାଧାରଣତଃ ଲୋକମାନେ ସେମାନଙ୍କର ହାତରେ କଣ୍ଟା ଧରନ୍ତି ନାହିଁ,
ମାତ୍ର ସେମାନଙ୍କୁ ଦୂରକୁ ଫିଙ୍ଗିଦିଅନ୍ତି।
7 ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ,
ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ।
ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ।
ସେଗୁଡ଼ିକ ନିଆଁରେ ପୋଡ଼ାଯିବ।”
ତିନି ମହାଯୋଦ୍ଧା
8 ଦାଉଦ କହିଲେ ଏଗୁଡ଼ିକ ସେହି ସାହସୀ ବ୍ୟକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ।
ତଖୋମନୀୟ ଯାବେଶ୍ ବଶେବତ୍ ବିଶେଷତଃ ଦଳର ମୁଖ୍ୟ ଥିଲେ। ସେ ଏକ କାଳୀନ 800 ଲୋକକୁ ବର୍ଚ୍ଛାରେ ବଧ କରିଥିଲା।
9 ତା'ପରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ଜଣ ଶକ୍ତିଶାଳୀ ବୀରଙ୍କ ମଧ୍ୟରେ ଜଣେ ଥିଲା, ଯେତେବେଳେ ସେମାନେ ପଲେଷ୍ଟୀୟମାନଙ୍କୁ ମୁକାବୁଲା କଲେ, ସେମାନେ ଦାଉଦଙ୍କ ସହିତ ଥିଲେ। ସେମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ କିନ୍ତୁ ଇସ୍ରାଏଲ ଲୋକମାନେ ଦୌଡ଼ି ପଳାଇଲେ। 10 ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଳାନ୍ତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକୁ ଶକ୍ତ ଭାବରେ ଧରି ଯୁଦ୍ଧ କରିବା ଗ୍ଭଲୁ ରଖିଲେ। ପୁଣି ସେହି ଦିନ ସଦାପ୍ରଭୁ ଏକ ବିରାଟ ଜୟ କରାଇଲେ ଏବଂ ଲୋକମାନେ ତାଙ୍କୁ ଲୁଣ୍ଠନ କରିବାକୁ ଅନୁସରଣ କଲେ।
11 ତା'ପରେ ହରାରୀୟ ଆଗିର ପୁତ୍ର ଶମ୍ମ ସେଠାରେ ଥିଲା ସମୟରେ ପଲେଷ୍ଟୀୟମାନେ କୌଣସି ମସୂର ପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୋଇଥିଲେ। କିନ୍ତୁ ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାୟନ କଲେ। 12 କିନ୍ତୁ ଶମ୍ମ କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜୟ ସାଧନ କଲେ।
13 ତା'ପରେ ରାଜାଙ୍କର ବିଶେଷ ଦଳର ତିନି ଜଣ ଲୋକ ଶସ୍ୟଅମଳ ସମୟରେ ଗଲେ ଓ ଅଦୁଲ୍ଲମ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳ ଭୂମିରେ ଛାଉଣି ସ୍ଥାପନ କରିଥିଲେ।
14 ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈଥ୍ଲେହମରେ ଥିଲେ। 15 ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ କେହି ବୈଥ୍ଲେହମରେ ନଗରଦ୍ୱାର ନିକଟସ୍ଥ କୂଅରୁ ଜଳ ଦିଅନ୍ତା କି।” 16 ତହିଁରେ ସେହି ତିନି ବୀର ରାସ୍ତାରେ ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବୈଥ୍ଲେହମ ନଗରଦ୍ୱାର ନିକଟସ୍ଥ କୂଅରୁ ପାଣି ଆଣିଲେ। ମାତ୍ର ସେ ତହିଁରୁ ପିଇବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଢାଳି ଦେଲେ। 17 ଦାଉଦ କହିଲେ, “ହେ ସଦାପ୍ରଭୁ, ମୁଁ ନିଶ୍ଚୟ ଏହି ପାଣି ପିଇବି ନାହିଁ। ଏହା ସେହି ମଣିଷର ରକ୍ତ ପିଇବା ପରି ହେବ, ଯେଉଁମାନେ ମୋ’ ପାଇଁ ସେମାନଙ୍କ ପାଇଁ ଉତ୍ସର୍ଗ କରିଦେଲେ।” ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସେହି ତିନି ବୀର କରିଥିଲେ।
ଅନ୍ୟ ସାହସିକ ସୈନ୍ୟ
18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶୟ ମୁଖ୍ୟ ଥିଲେ। ସେ 300 ଲୋକ ବିରୁଦ୍ଧରେ ନିଜର ବର୍ଚ୍ଛା ଉଠାଇ ସେମାନଙ୍କୁ ହତ୍ୟା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧ୍ୟରେ ବିଖ୍ୟାତ ହେଲା। 19 ସେ ଏହି ତିନିଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା। ଏହି ହେତୁ ସେ ସେମାନଙ୍କର ସେନାପତି ହେଲା। ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
20 ତା'ପରେ ସେଠାରେ ଜଣେ ଯିହୋୟାଦାର ପୁତ୍ର ବନାୟ ଥିଲା। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପୁତ୍ର। ସେ କବ୍ସେଲୀୟର ଅଧିବାସୀ ଥିଲା। ବନାୟ ବହୁତ ସାହସିକ କାର୍ଯ୍ୟ କରିଥିଲା। ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା। ଦିନେ ଏକ ସମୟରେ ଯେତେବେଳେ ବରଫ ପଡ଼ୁଥିଲା, ବନାୟ ଏକ ଗୁମ୍ଫାରେ ଏକ ସିଂହକୁ ହତ୍ୟା କଲା। 21 ବନାୟ ଏକ ମିସ୍ରୀୟ ମହାପୁରୁଷଙ୍କୁ ହତ୍ୟା କଲା। ସେହି ମିସ୍ରୀୟ ହାତରେ ଏକ ବର୍ଚ୍ଛା ଥିଲା କିନ୍ତୁ ବନାୟର ହାତରେ ଏକ ଯଷ୍ଟି ଥିଲା, ବନାୟ ତା'ର ହାତରୁ ବର୍ଚ୍ଛା ଛଡ଼ାଇ ଆଣିଲା ଓ ତା'ର ବର୍ଚ୍ଛାରେ ତାକୁ ବଧ କଲା। 22 ଯିହୋୟାଦାର ପୁତ୍ର ବନାୟ ଏହିପରି ସାହସିକ କାର୍ଯ୍ୟମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧ୍ୟରେ ବିଖ୍ୟାତ ଥିଲା। 23 ବନାୟ ତିରିଶ୍ ଜଣ ବୀର ଅପେକ୍ଷା ଅଧିକ ବିଖ୍ୟାତ ଥିଲା। ତଥାପି ସେ ପ୍ରଥମ ତିନି ଜଣ ବୀରଙ୍କ ତୁଲ୍ୟ ନ ଥିଲା। ଆଉ ଦାଉଦ ତାକୁ ନିଜର ପ୍ରହରୀ ଦଳ ଉପରେ ନିଯୁକ୍ତି କଲେ।
ତିରିଶ୍ ଜଣ ମହା ଯୋଦ୍ଧା
24 ଯୋୟାବର ଭ୍ରାତା ଅସାହେଲ୍ ଉକ୍ତ ତିରିଶ୍ ଜଣ ମଧ୍ୟରେ ଜଣେ ଥିଲା। ସେହି ତିରିଶ୍ ଜଣ ବୀରମାନଙ୍କ ମଧ୍ୟରେ ବୈଥ୍ଲେହମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍ ଥିଲା।
25 ହରୋଦୀୟ ଶମ୍ମ,
ହରୋଦୀୟ ଇଲୀକା,
26 ପଲ୍ଟୀୟ ହେଲସ୍,
ତକୋୟୀୟ ଇକ୍କୋଶର ପୁତ୍ର ଈରା,
27 ଅନାଥୋତୀୟ ଅବୀୟେଷର,
ହୂଶାତୀୟ ମବୁନ୍ନୟ,
28 ଅହୋହୀୟ ସଲ୍ମୋନ୍, ନଟୋଫାତୀୟରୁ ମହରୟ,
29 ନଟୋଫାତୀୟ ବାନାର ପୁତ୍ର ହେଲବ,
ବିନ୍ୟାମୀନ ବଂଶୀୟ ଗିବିୟା ନିବାସୀ ରୀବୟର ପୁତ୍ର ଇତ୍ତୟ।
30 ପିରିୟାଥୋନୀୟ ବନାୟ,
ଗାଶ୍-ନଦୀତୀର ନିବାସୀ ହିଦ୍ଦୟ,
31 ଅର୍ବତୀୟ ଅବିୟଲ୍ବୋନ,
ବରହୂମୀୟ ଅସ୍ମାବତ୍
32 ଶାଲ୍ବୋନୀୟ ଇଲିୟହବା,
ଯାଶେନର ପୁତ୍ରଗଣ,
ଯୋନାଥନ 33 ହରାରୀୟ ଶମ୍ମ,
ଅରାରୀୟ ଶାରରର ପୁତ୍ର ଅହୀୟାମ,
34 ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍,
ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ,
35 କର୍ମିଲୀୟ ହିଷ୍ରୟ,
ଅର୍ବୀୟ ପାରୟ,
36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ,
ଗାଦୀୟ ବାନୀ,
37 ଅମ୍ମୋନୀୟ ସେଲକ,
ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ,
38 ଇଥ୍ରୀୟ ଈରା,
ଇଥ୍ରୀୟ ଗାରେବ୍,
39 ହିତ୍ତୀୟ ଊରିୟ,
ସର୍ବସୁଦ୍ଧା ସଇଁତିରିଶ୍ ଜଣ।
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।
57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
2 ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
3 ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି। ସେଲା
4 ମୋର ଜୀବନ ସଙ୍କଟପୂର୍ଣ୍ଣ।
ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
ସେମାନଙ୍କର ଜିହ୍ୱା ତୀକ୍ଷ୍ଣ ଖଡ଼୍ଗ ତୁଲ୍ୟ।
5 ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
6 ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି। ସେଲା
7 ମୋର ହୃଦୟ ସ୍ଥିର ଅଟେ।
ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
8 ଜାଗ୍ରତ ହୁଅ, ହେ ମୋର ପ୍ରାଣ, ଜାଗ୍ରତ ହୁଅ!
ନେବଲ ଓ ବୀଣା, ଜାଗ୍ରତ ହୁଅ!
ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
9 ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।
2010 by World Bible Translation Center