Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 23-27

ସୋର ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

23 ସୋର ବିଷୟରେ ଏକ ଦୁଃଖ ବାର୍ତ୍ତା:

“ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର।
    କାରଣ ତୁମ୍ଭର ପୋତାଶ୍ରୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।”
    କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।

ହେ ଦ୍ୱୀପ ନିବାସୀଗଣ ତୁମ୍ଭେମାନେ ନୀରବ ହୁଅ ଓ ଦୁଃଖିତ ହୁଅ।
    ସୋର ଥିଲା “ସୀଦୋନର” ବଣିକ।
    ସେହି ଦେଶର ବଣିକମାନେ ସମୁଦ୍ର ପାର ହୋଇ ତୁମ୍ଭର ଦେଶକୁ ଧନରେ ପରିପୂର୍ଣ୍ଣ କଲେ।
ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ।
    ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ
    ଓ ଅନ୍ୟ ଦେଶରେ ବିକ୍ରୟ କଲେ।

ହେ ସୀଦୋନ, ତୁମ୍ଭେମାନେ ଲଜ୍ଜିତ ହୁଅ।
    କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି:
“ମୋର ପିଲା ନାହାନ୍ତି।
    ତେଣୁ ମୁଁ ପ୍ରସବ ବେଦନା ଅନୁଭବ କରି ନାହିଁ।
ପ୍ରସବ କରି ନ ଥିବାରୁ ଯୁବକମାନଙ୍କର ପ୍ରତିପାଳନ କରି ନାହିଁ
    କିମ୍ବା ଯୁବତୀମାନଙ୍କର ଭରଣପୋଷଣ କରି ନାହିଁ।”

ମିଶର ସୋର ବିଷୟରେ ଏହି ସମ୍ବାଦ ଶୁଣିବ
    ଓ ବ୍ୟଥିତ ହେବ।
ହେ ଜାହାଜଗଣ, ତୁମ୍ଭେମାନେ ତର୍ଶୀଶକୁ ଫେରିଯାଅ।
    ହେ ଦ୍ୱୀପ ନିବାସୀମାନେ, ତୁମ୍ଭେମାନେ ହାହାକାର କର।
ଅତୀତରେ ସୋର ତୁମ୍ଭର ଆନନ୍ଦମୟୀ ନଗର ଥିଲା।
    ସେହି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା।
    ସେହି ନଗରର ଲୋକେ ଦୂର ଦେଶରେ ବାସ କରିବାକୁ ଯାଇଛନ୍ତି।
ସୋର ନଗର ବହୁ ପ୍ରାଚୀନ ବ୍ୟକ୍ତି ଜନ୍ମ ଦେଇଛି।
    ସେଠିକାର ବଣିକଗଣ ରାଜ ତୁଲ୍ୟ।
ତା'ର ଲୋକ ଯେ କି କିଣା ବିକା କରନ୍ତି, ସେମାନେ ସବୁ ସ୍ଥାନରେ ସମ୍ମାନ ଲାଭ କରନ୍ତି। ସେମାନେ ପୃଥିବୀର ସମ୍ଭ୍ରାନ୍ତ ମହାଜନ।
    ତେଣୁ ତାଙ୍କ ବିପକ୍ଷରେ କିଏ ମନ୍ତ୍ରଣା କରିଅଛି?
ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ,
    ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
10 ହେ ତର୍ଶୀଶର କନ୍ୟାଗଣ, ତୁମ୍ଭେ ଫେରି ଯାଅ
    ଏବଂ ନିଜର ଜମିରେ ଗ୍ଭଷ କର,
    କାରଣ ତୁମ୍ଭର ଆଶ୍ରୟସ୍ଥଳ ଧ୍ୱଂସ ପାଇଯାଇଛି।
11 ସଦାପ୍ରଭୁ ସମୁଦ୍ର ଉପରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି।
    ସେ ସୋର ବିପକ୍ଷରେ ଯୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି।
ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ
    ଧ୍ୱଂସ କରିବାକୁ ଆଜ୍ଞା ଦେଇଛନ୍ତି।
12 ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା,
    ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ।
ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ,
    ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।”
13 ତେଣୁ ସୋର ଲୋକମାନେ କୁହନ୍ତି, “ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”
    ମାତ୍ର କ‌‌ଲ୍‌‌ଦୀୟମାନଙ୍କର ଦେଶକୁ ଦେଖ।
ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ।
    ଅଶୂରୀୟମାନେ ତାକୁ ଆକ୍ରମଣ କରି ତା'ର ଗ୍ଭରିପଟେ ଦୁର୍ଗ ନିର୍ମାଣ କରିଛନ୍ତି।
ତା'ର ସୈନ୍ୟମାନେ ସେହି ରମଣୀୟ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନେଇଛନ୍ତି।
    ବାବିଲକୁ ଧ୍ୱଂସ ସ୍ତୁପରେ ପରିଣତ କରି
    ତାକୁ ବନ୍ୟ ଜନ୍ତୁଙ୍କର ବାସସ୍ଥଳୀରେ ପରିଣତ କରିଛନ୍ତି।
14 ହେ ତର୍ଶୀ‌ଶ୍‌ର ଜାହାଜସମୂହ, ହାହାକାର କର।
    କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ୱଂସ ହୋଇଛି।

15 ସୋର ବିଷୟରେ ଲୋକେ ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ହେବେ।

ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପରେ ସୋର ପ୍ରତି ବେଶ୍ୟାର ଗୀତ ଅନୁଯାୟୀ ଘଟିବ।

16 “ହେ ବିସ୍ତୃତ ବେଶ୍ୟେ!
    ବୀଣା ନେଇ ନଗର ଭ୍ରମଣ କର।
ମଧୁର ତାଳରେ ବଜାଅ ଓ ଅନେକ ଗୀତ ଗାଅ।
    ତାହାହେଲେ ତୁମ୍ଭେମାନେ ସ୍ମୃତି ପଥରେ ଆସିବ।”

17 ସତୁରି ବର୍ଷ ପରେ ସଦାପ୍ରଭୁ ସୋର ବିଷୟରେ ବିବେଚନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦେବେ। ସୋର ତା'ର ବାଣିଜ୍ୟ ବୃତ୍ତିକି ଫେରିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ୟା ସଦୃଶ ହେବ। 18 ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ।

ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ

24 ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି। ସେତେବେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କର୍ତ୍ତ୍ରୀ, କ୍ରେତା ଓ ବିକ୍ରେତା, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହେବେ ଓ ସମାନ ଅବସ୍ଥା ଘଟିବ। ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହେବେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହେବେ। ଏହା ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି। ପୃଥିବୀ ଶୂନ୍ୟ ହେବ ଓ ଦୁଃଖିତ ହେବ। ସେ ମ୍ଳାନ ଓ ନିସ୍ତେଜ ହେବ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହେବେ।

ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସେମାନେ ପରମେଶ୍ୱର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସେମାନେ ପରମେଶ୍ୱରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାନ୍ତି। ଅନନ୍ତକାଳସ୍ଥାୟୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି। ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।

ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି। ଲୋକମାନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହୋଇଛନ୍ତି। ସମସ୍ତ ଆନନ୍ଦ ଧ୍ୱନି ନୀରବ ହୋଇଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହୋଇଅଛି। ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି।

10 ସମସ୍ତ ନଗରଟି ଧ୍ୱଂସ ହେଇଅଛି। ସମସ୍ତ ଦ୍ୱାର ରୁଦ୍ଧ। ଲୋକମାନେ ଗୃହରେ ପ୍ରବେଶ କରିପାରୁ ନାହାନ୍ତି। “ସର୍ବତ୍ର ବିଭ୍ରମତା ସୃଷ୍ଟି ହୋଇଛି।” 11 ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି। 12 କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି।

13 ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପରେ କିଛି ଜୀତଫଳ ରହିଯାଏ
    ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛରେ ଛାଡ଼ି ଯାଇଥାଏ,
    ସେହିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ।
14 ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବେ।
    କାରଣ ସଦାପ୍ରଭୁଙ୍କ ମହିମା ହେତୁ ସେମାନେ ଏହା କରିବେ।
15 ସେହି ଲୋକମାନେ କହିବେ, “ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ଦୂରଦେଶର ଲୋକମାନେ,
    ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।”
16 ଆମ୍ଭେମାନେ ପୃଥିବୀର ସର୍ବତ୍ର ପରମେଶ୍ୱରଙ୍କ ପ୍ରଶଂସା ଶୁଣିବୁ।
    ଏହି ମହିମା ଗାନ ହେଉଛି ମଙ୍ଗଳମୟ ପରମେଶ୍ୱରଙ୍କ ସମ୍ବନ୍ଧରେ।
କିନ୍ତୁ ମୁଁ କହେ, “ମୁଁ କ୍ଷୀଣ ହେଉଅଛି।
    ମୁଁ ସନ୍ତାପର ପାତ୍ର
ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଛନ୍ତି।
    ସେମାନେ ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି।”

17 ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି।
    ସେମାନଙ୍କ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
18 ଯେତେବେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ
    ଓ ପଳାୟନ କରିବେ,
ସେମାନେ ସେତେବେଳେ ଗର୍ତ୍ତରେ ପଡ଼ିବେ।
    ସେମାନଙ୍କ ମଧ୍ୟରୁ କେତେକ ଗର୍ତ୍ତରୁ ଉଠି
ଉପରକୁ ଆସିଲେ ଫାନ୍ଦରେ ପଡ଼ିବେ।”
    କାରଣ ଊର୍ଦ୍ଧ୍ୱସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି
    ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।
19 ପୃଥିବୀ ବିଦୀର୍ଣ୍ଣ ହୋଇ ଖଣ୍ଡ ବିଖଣ୍ଡିତ ହେଉଅଛି,
    ଏହା ଥରି ବିଚଳିତ ହୋଇ ନଷ୍ଟ ହେଉଅଛି।
20 ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ଯାଇଛି
    ଓ ସେହି ଭାରରେ ତାହାର ପତନ ଘଟିବ।
ପୃଥିବୀ ଗୋଟିଏ ମଦ୍ୟପ ପରି ପଡ଼ିବ
    ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ।
    ଏହା ଆଉ ତିଷ୍ଠିବ ନାହିଁ।

21 ସେଦିନ ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ସୈନ୍ୟଙ୍କୁ ସୀମାନ୍ତଙ୍କୁ ଊର୍ଦ୍ଧ୍ୱରେ
    ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀରେ ପ୍ରତିଫଳ ଦେବେ।
22 ବନ୍ଦୀମାନେ କୂପରେ ଏକତ୍ରିତ ହେଲାପରି
    ସେମାନେ ଏକତ୍ରିତ ହେବେ।
ସେମାନଙ୍କ ମଧ୍ୟରୁ କେତେକ ବନ୍ଦୀଗୃହରେ ରୁଦ୍ଧ ହେବେ।
    ବହୁ ଦିନ ପରେ ସେମାନେ ଦଣ୍ଡିତ ହେବେ।
23 ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ।
    ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ
ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ
    ଓ ସୂର୍ଯ୍ୟ ଲଜ୍ଜିତ ହେବେ।

ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗାନ

25 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି।
କାରଣ ତୁମ୍ଭେ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିଅଛ।
    ତୁମ୍ଭେ ପୁରାତନ କାଳରେ ଯାହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ହୋଇଛି।
    ତୁମ୍ଭେ ଯାହାସବୁ କହିଥିଲ, ତାହା ହିଁ ଘଟିଅଛି।
ସୁଦୃଢ଼ ପ୍ରାଚୀର ବେଷ୍ଠିତ ସୁରକ୍ଷିତ ନଗରକୁ ତୁମ୍ଭେ ଧ୍ୱଂସ କରିଅଛ
    ଓ ବର୍ତ୍ତମାନ ତାକୁ ଏକ ପଥର ଗଦାରେ ପରିଣତ କରିଅଛ।
ବିଦେଶୀମାନଙ୍କ ରାଜପ୍ରାସାଦକୁ ବିନଷ୍ଟ କରିଛ
    ଓ ତାହା କେବେ ପୁନର୍ବାର ନିର୍ମିତ ହେବ ନାହିଁ।
ବଳଶାଳୀ ଶକ୍ତିମାନେ ଓ ଜାତିମାନେ ତୁମ୍ଭକୁ ପ୍ରଶଂସା ଓ ସମ୍ମାନ କରିବେ।
    ଆତଙ୍କିତ ନଗରର ଲୋକମାନେ ଭୟ କରିବେ।
ହେ ସଦାପ୍ରଭୁ, ତୁମ୍ଭେ ଦରିଦ୍ରର ନିରାପଦ ସ୍ଥାନ,
    ଦୀନହୀନ ଲୋକର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ।
    ବନ୍ୟା ଓ ଉତ୍ତାପରୁ ରକ୍ଷା କରିବା ପାଇଁ ତୁମ୍ଭେ ହେଉଛ ସୁରକ୍ଷିତ ଗୃହ,
ଦୁଃଖରୂପକ ଭୟଙ୍କର ବତାସ ଓ ବର୍ଷା କାନ୍ଥକୁ ଆଘାତ କଲେ ମଧ୍ୟ
    ଗୃହ ମଧ୍ୟରେ ଲୋକ ସୁରକ୍ଷିତ ହେଲାପରି ତୁମ୍ଭେ ଏକ ସୁଦୃଢ଼ ଆଶ୍ରୟସ୍ଥଳ।
ଶୁଷ୍କ ଦେଶରେ ତାପକୁ ଦୂର କଲାପରି
    ବିଦେଶୀମାନଙ୍କର କୋଳାହଳକୁ ତୁମେ ନିବାରଣ କରିବ।
ମେଘରେ ଛାୟା ଯେପରି ଗରମ ଦିନରେ ତାପକୁ କୋମଳ କରେ,
    ତୁମ୍ଭେ ପରମେଶ୍ୱର ଭୟଙ୍କର ଲୋକମାନଙ୍କର ଗୀତକୁ ବନ୍ଦ କରିବ।

ତାଙ୍କର ସେବକମାନଙ୍କ ପାଇଁ ପରମେଶ୍ୱରଙ୍କ ବଡ଼ ଭୋଜି

ସେତେବେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦେବେ। ସେହି ଭୋଜିରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀୟ ଦ୍ରାକ୍ଷାରସ କୋମଳ ସ୍ୱାଦଯୁକ୍ତ ମାଂସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦ୍ରବ୍ୟ।

ସମସ୍ତ ଗୋଷ୍ଠୀମାନଙ୍କ ଉପରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତରେ “ବିନାଶ” କରିବେ। ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।

ସେତେବେଳେ ଲୋକେ ଏହି କଥା କହିବେ,
    “ଏହି ଆମ୍ଭର ପରମେଶ୍ୱର
ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ।
    ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି।
ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ,
    ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।”
10 ଏହି ପର୍ବତ ଉପରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ।
    ମାତ୍ର ଖାତକୁଣ୍ଡରେ କୁଟା ଦଳିତ ହେଲାପରି ମୋୟାବ ନିଜ ସ୍ଥାନରେ ଦଳିତ ହେବ।
11 ଯଦିଓ ସନ୍ତରଣକାରୀ ପରି ହସ୍ତ ପ୍ରସାରଣ କରିବେ ସଦାପ୍ରଭୁ ତାଙ୍କର ହସ୍ତ ବିସ୍ତାର କରିବେ।
    ଲୋକମାନେ ଯେଉଁ ବିଷୟରେ ଗର୍ବ କରନ୍ତି
ଓ ଯାହାସବୁ ତାଙ୍କ ହସ୍ତ ନିର୍ମାଣ କରିଛି,
    ସେ ସମସ୍ତ ହସ୍ତ ନିର୍ମାଣ କରିଛି, ସେ ସମସ୍ତ ବିଷୟ ତଳକୁ ଆଣି ଦିଏ।
12 ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ
    ଓ ଭୂମିସାତ୍ କରି ତାକୁ ଧୂଳିରେ ମିଶାଇ ଦେବେ।

ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସାଗୀତି

26 ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ।

ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି।
    ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା।
    ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ।
ସେହି ଦ୍ୱାର ଉନ୍ମୁକ୍ତ କର ଯେପରି ଧାର୍ମିକ
    ଓ ପରମେଶ୍ୱରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରି ପାରିବେ।

ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପରେ ନିର୍ଭର କରନ୍ତି
    ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ।

ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ସଦାକାଳ ନିର୍ଭର ରଖ,
    କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।
ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ
    ଓ ଊର୍ଦ୍ଧ୍ୱସ୍ଥିତ ସେହି ଲୋକମାନଙ୍କୁ ଦଣ୍ଡ ଦେବେ।
    ସେମାନଙ୍କୁ ଭୂମିସାତ୍ କରି ଧୂଳିରେ ମିଶାଇ ଦେବେ।
ତା'ପରେ ଦରିଦ୍ର ଓ ନମ୍ର ଲୋକମାନେ ସେହି ଧ୍ୱଂସ ସ୍ଥାନ ଉପରେ ବିଚରଣ କରିବେ।

ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ।
    ସେମାନେ ସରଳ ଓ ସତ୍ୟପଥ ଅନୁସରଣ କରନ୍ତି।
ପୁଣି ହେ ପରମେଶ୍ୱର, ତୁମ୍ଭେ ସେହି ପଥକୁ ଅନୁସରଣ ପାଇଁ
    ଅଧିକ ସୁଗମ ଓ ସରଳ କର।
ମାତ୍ର ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗର ନ୍ୟାୟକୁ ଅପେକ୍ଷା କରିଛୁ।
    ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।
ରାତ୍ରିକାଳରେ ମୋର ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି
    ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତରେ ତୁମ୍ଭକୁ ଅନ୍ୱେଷଣ କରିବ।
ଯେତେବେଳେ ତୁମ୍ଭର ଶାସନ ସକଳ
    ଓ ନ୍ୟାୟ ପ୍ରତିଷ୍ଠିତ ହେବ, ଜଗତବାସୀ ଧର୍ମ ଶିକ୍ଷା କରିବେ।
10 ମନ୍ଦାଗ୍ଭରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ୟ
    ସେମାନେ ଧର୍ମ ଶିଖିବେ ନାହିଁ।
ଧର୍ମ ଓ ନ୍ୟାୟପୂର୍ଣ୍ଣ ଦେଶରେ ମଧ୍ୟ ସେମାନେ ଅନ୍ୟାୟ କରିବେ।
    ଏପରିକି ସେମାନେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।
11 ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ,
    ତଥାପି ସେମାନେ ତାହା ଦେଖିବେ ନାହିଁ।
ମାତ୍ର ଲୋକମାନଙ୍କ ପକ୍ଷରେ
    ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ
    ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।
12 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ଯ୍ୟ ସାଧନ କରିଅଛ।
    ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର।

ପରମେଶ୍ୱର ତାଙ୍କ ସେବକଙ୍କୁ ନୂତନ ଜୀବନ ଦେବେ

13 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର,
    ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ
ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପରେ ରାଜତ୍ୱ କରୁଥିଲେ।
    ମାତ୍ର ଆମ୍ଭେମାନେ ତୁମ୍ଭର ନାମକୁ କେବଳ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।
14 ସେମାନେ ମୃତ, ସେମାନେ ଜୀବନ ଫେରି ପାଇବେ ନାହିଁ।
    ସେମାନେ ଭୂତପରି ଯେଉଁମାନେ କେବେହେଲେ ଉଠିବେ ନାହିଁ।
ସେମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ବିବେଚନା କରି ତୁମ୍ଭେ ସଂହାର କରିଅଛ
    ଏବଂ କେହି ସେମାନଙ୍କୁ ମନେ ରଖିବେ ନାହିଁ।
15 ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ।
    ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ।
ତୁମ୍ଭେ ଗୌରବାନ୍ୱିତ ହୋଇଅଛ।
    ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।
16 ହେ ସଦାପ୍ରଭୁ, ସଙ୍କଟ ସମୟରେ
    ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ,
    ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।
17 ଅନ୍ତଃସତ୍ତ୍ୱା ନାରୀ ଗର୍ଭବେଦନାରେ ବ୍ୟଥିତ ହୋଇ
    ଯେପରି କ୍ରନ୍ଦନ କରେ,
    ଆମ୍ଭେମାନେ ସେହିପରି ତୁମ୍ଭ ସହିତ ନ ଥିଲା ବେଳେ ହୋଇଅଛୁ।
18 ଆମ୍ଭେମାନେ ଗର୍ଭବେଦନା ପାଇଅଛୁ,
    କିନ୍ତୁ ବ୍ୟଥିତା ହୋଇ ବାୟୁ ଜନ୍ମ ଦେଇଛୁ।
ଆମ୍ଭେମାନେ ଦେଶର ଉଦ୍ଧାର ସାଧନ କରି ନାହୁଁ କି
    ନଗରବାସୀ ଭୂମିଷ୍ଠ ହୋଇ ନାହାନ୍ତି।
19 ମାତ୍ର ସଦାପ୍ରଭୁ କୁହନ୍ତି:
“ତୁମ୍ଭର ମୃତମାନେ ଜୀବିତ ହେବେ।
    ମୃତ ଶବଗୁଡ଼ିକ ପୁଣି ନିଃଶ୍ୱାସ ନେବା ଆରମ୍ଭ କରିବେ।
ହେ ଧୂଳିନିବାସୀଗଣ ଉଠ, ଆନନ୍ଦ କର,
    କାରଣ ତୁମ୍ଭେମାନେ ପ୍ରଭାତରେ
ତୃଣ ଉପର ଶିଶିର ତୁଲ୍ୟ
    ଭୂମି ମୃତମାନଙ୍କୁ ଜନ୍ମ ଦେବ।”

ବିଗ୍ଭର: ପୁରସ୍କାର କିମ୍ବା ଦଣ୍ଡ

20 ହେ ମୋର ଲୋକମାନେ, ତୁମ୍ଭେମାନେ ଅନ୍ତରାଳୟରେ ପ୍ରବେଶ କରି
    ଦ୍ୱାର ରୁଦ୍ଧ କର।
ପରମେଶ୍ୱରଙ୍କ କ୍ରୋଧ ଶାନ୍ତ ହେବା ପର୍ଯ୍ୟନ୍ତ
    ଅଳ୍ପସମୟ ନିଜକୁ ଲୁଗ୍ଭଅ।
21 ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସେମାନଙ୍କର ଅପରାଧ ଲାଗି
    ଶାସ୍ତି ଦେବାକୁ ନିଜ ସ୍ଥାନ ପରିତ୍ୟାଗ କରିଛନ୍ତି।
ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ।
    ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।

27 ସେଦିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍
    ଓ ଦୃଢ଼ ‌‌ଖ‌ଡ଼୍‌ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ
ଓ ବକ୍ରଗାମୀ ସର୍ପ ଲିବିୟାଥନକୁ ଶାସ୍ତି ଦେବେ
    ଓ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ସଂହାର କରିବେ।

ସେଦିନ ଲୋକେ
    ଏକ ଦ୍ରାକ୍ଷାକ୍ଷେତ୍ର ଉଦ୍ଦେଶ୍ୟରେ ଗାନ କରିବେ।
“ମୁଁ, ସଦାପ୍ରଭୁ ସେହି ଉଦ୍ୟାନକୁ ରକ୍ଷା କରିବି।
    ଯଥା ସମୟରେ ସେଥିରେ ଜଳ ସେଚନ କରିବି।
ଦିବାରାତ୍ରି ତାକୁ ଜଗି ରହିବି
    ଯେପରି କେହି ତା'ର କିଛି କ୍ଷତି କରିବେ ନାହିଁ।
ମୋ'ଠାରେ କ୍ରୋଧ ନାହିଁ।
ଯଦି ଯୁଦ୍ଧ ହୁଏ ଓ କେହି ଜଣେ କଣ୍ଟାକର ବାଡ଼ ଦିଏ,
    ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।
ମାତ୍ର ଯଦି କେହି ନିରାପତ୍ତା ପାଇଁ
    ମୋ’ ସହିତ ଶାନ୍ତି ସ୍ଥାପନ କରେ,
    ତେବେ ସେ ଶାନ୍ତି ସ୍ଥାପନ କରୁ।
ଲୋକମାନେ ମୋ’ ନିକଟକୁ ଆସିବେ।
    ସେମାନେ ଯାକୁବକୁ ଶକ୍ତିଶାଳୀ କରିବେ ଯେପରି ତା'ର ଚେର ବାନ୍ଧିବ।
ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ।
    ଏ ପୃଥିବୀ ଫଳ ଫୁଲରେ ପରିପୂର୍ଣ୍ଣ ହେବ।”

ପରମେଶ୍ୱର ଇସ୍ରାଏଲକୁ ଦୂରକୁ ପଠାଇବେ

ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦେବେ। ଯେପରି ଲୋକମାନଙ୍କୁ ଅତୀତରେ ଶତ୍ରୁଗଣ ପ୍ରହାର କରିଛନ୍ତି ସଦାପ୍ରଭୁ ସେହିପରି ପ୍ରହାର କରିବେ। ସେମାନେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସେହିପରି ସଦାପ୍ରଭୁ ନିହତ କରିବେ।

ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ।

ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ।

10 ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ। 11 ଦ୍ରାକ୍ଷାଗଛରେ ଡାଳ ଶୁଷ୍କ ହେଲେ ଭଙ୍ଗାଯିବ। ସ୍ତ୍ରୀଲୋକମାନେ ତାକୁ ଜାଳେଣି ରୂପେ ବ୍ୟବହାର କରିବେ।

କାରଣ ଲୋକମାନେ ବୁଦ୍ଧିହୀନ। ପରମେଶ୍ୱର ଯେ କି ତାଙ୍କର ସୃଷ୍ଟିକର୍ତ୍ତା ସେମାନଙ୍କ ପ୍ରତି ଦୟା କରିବେ ନାହିଁ। ତାଙ୍କୁ ଗଢ଼ିଲେ ମଧ୍ୟ ତାଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।

12 ସେଦିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ଏକତ୍ରିତ କରିବେ।

ପୁଣି ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଗୋଟି ଗୋଟି ହୋଇ ସଂଗୃହୀତ ହେବ। 13 ସେଦିନ ଗୋଟିଏ ବଡ଼ ମେଷର ତୂରୀବାଜିବ। ଅଶୂର ଦେଶରେ ହଜି ଯାଇଥିବା ଲୋକ ଏବଂ ମିଶରକୁ ବିତାଡ଼ିତ ହୋଇଥିବା ଲୋକମାନେ ସେଦିନ ଆସିବେ। ଯିରୁଶାଲମର ପବିତ୍ର ପର୍ବତରେ ସେମାନେ ସଦାପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ଏକତ୍ରିତ ହେବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center