Beginning
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
2 ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
4 ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
8 ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।
149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
2 ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3 ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
ଦାରା ଓ ବୀଣା ବାଦନ କରି।
4 ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
ସେ ସେମାନଙ୍କୁ ରକ୍ଷା କଲେ।
5 ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।
6 ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖଡ଼୍ଗମାନ ଧରନ୍ତୁ।
7 ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
8 ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9 ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
150 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର!
ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାଙ୍କର ପ୍ରଶଂସା କର।
2 ପରମେଶ୍ୱର କରିଥିବା ସମସ୍ତ ମହାନ କାର୍ଯ୍ୟ ନିମନ୍ତେ ତାଙ୍କର ପ୍ରଶଂସା କର।
ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
3 ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର।
ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!
4 ଦାରା ବାଦ୍ୟ ଓ ନୃତ୍ୟଦ୍ୱାରା ପରମେଶ୍ୱରଙ୍କର ପ୍ରଶଂସା କର।
ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
5 ଉଚ୍ଚ କରତାଳିରେ ପରମେଶ୍ୱରଙ୍କର ପ୍ରଶଂସା କର।
ଉଚ୍ଚ କରତାଳି ଧ୍ୱନିରେ ତାଙ୍କର ପ୍ରଶଂସା କର।
6 ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
2010 by World Bible Translation Center