Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 21-24

21 ଏହା ପରେ ଯିହୋଶାଫଟ୍ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗରରେ କବର ପାଇଲେ। ଯିହୋଶାଫ‌ଟଙ୍କ ସ୍ଥାନରେ ଯିହୋରାମ୍ ନୂତନ ରାଜା ହେଲେ। ଯିହୋରାମ୍ ଯିହୋଶାଫ‌ଟଙ୍କ ପୁତ୍ର ଥିଲେ।’ ଯିହୋରା‌ମଙ୍କ ଭ୍ରାତାମାନେ ଥିଲେ ଅସରିୟ, ଯିହୀୟେଲ୍, ଜିଖରିୟ, ଅସରିୟାହ, ମୀଖାୟେଲ, ଶ‌ଫ୍‌ଟିୟ। ଏହି ବ୍ୟକ୍ତିମାନେ ଯିହୋଶାଫ‌ଟଙ୍କର ପୁତ୍ରଗଣ ଥିଲେ। ଯିହୋଶାଫଟ୍ ଯିହୁଦାର ରାଜା ଥିଲେ। ଯିହୋଶାଫଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନେକ ବହୁମୂଲ୍ୟ ପଦାର୍ଥ ଉପହାର ଦେଇଥିଲେ। ସେ ସେମାନଙ୍କୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଯିହୋଶାଫଟ୍, ଯିହୋରା‌ମଙ୍କୁ ରାଜ୍ୟ ଦେଲେ, କାରଣ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।

ଯିହୁଦାର ରାଜା ଯିହୋରାମ୍

ଯିହୋରାମ୍ ତାଙ୍କର ପିତାଙ୍କର ରାଜ୍ୟପଦ ଗ୍ରହଣ କଲେ ଓ ଆପଣାକୁ ଦୃଢ଼ କଲେ। ଏହା ପରେ ସେ ନିଜ ଭ୍ରାତାମାନଙ୍କୁ ବଧ କରିବା ନିମନ୍ତେ ଏକ ‌‌ଖ‌ଡ଼୍‌ଗ ବ୍ୟବହାର କଲେ। ସେ ଇସ୍ରାଏଲର କେତେକ ନେତାଙ୍କୁ ମଧ୍ୟ ବଧ କଲେ। ଯିହୋରାମ୍ ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ତାଙ୍କୁ ବତିଶ୍ ବର୍ଷ ବୟସ ହୋଇଥିଲା। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ସେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କଲେ। ଆହାବଙ୍କ ପରିବାର ଯେପରି ଜୀବନ କାଟିଥିଲେ, ସେ ସେହିପରି ଜୀବନ କାଟିଲେ। କାରଣ ଯିହୋରାମ୍ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ। ଆଉ ଯିହୋରାମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ। କିନ୍ତୁ ସଦାପ୍ରଭୁ ଦାଉଦଙ୍କ ସହିତ କରିଥିବା ଚୁକ୍ତି ହେତୁ ଦାଉଦଙ୍କ ଗୃହକୁ ଧ୍ୱଂସ କଲେ ନାହିଁ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ସେ ଦାଉଦ ଓ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ଚିରକାଳ ଏକ ପ୍ରଦୀପ ଜ୍ୱଳାଇ ରଖିବେ।

ଯିହୋରା‌ମଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀୟମାନେ ସେମାନଙ୍କର ନିଜର ରାଜାଙ୍କୁ ମନୋନୀତ କଲେ। ତେଣୁ ଯିହୋରାମ୍ ତାଙ୍କର ସମସ୍ତ ସେନାପତିଗଣ ଓ ରଥଗୁଡ଼ିକୁ ନେଇ ଇଦୋମକୁ ଗଲେ। ଯିହୋରାମ୍ ରାତିରେ ଇଦୋମୀୟମାନଙ୍କୁ ଆକ୍ରମଣ କଲେ। ମାତ୍ର ଇଦୋମୀୟ ସୈନ୍ୟଦଳ ଯିହୋରାମ ଓ ତାଙ୍କ ସୈନ୍ୟଦଳ ତଥା ରଥସବୁକୁ ଚତୁର୍ଦ୍ଦିଗରୁ ଘେରିଗଲେ। 10 ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହୋଇ ରହିଅଛି। ଲି‌ବ୍‌ନା ସହରର ଲୋକମାନେ ମଧ୍ୟ ଯିହୋରା‌ମଙ୍କ ବିରୁଦ୍ଧରେ ଉଠିଲେ। ଯିହୋରାମ୍ ସଦାପ୍ରଭୁ ପରମେଶ୍ୱରଙ୍କୁ ତ୍ୟାଗ କରିଥିବାରୁ ଏହିପରି ଘଟିଲା। ସେ ଯିହୋରା‌ମଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ୱର ଅଟନ୍ତି। 11 ଯିହୋରାମ୍ ଯିହୁଦାର ପର୍ବତମାନଙ୍କରେ ଉଚ୍ଚସ୍ଥାନମାନ ନିର୍ମାଣ କଲେ। ଯିହୋରାମ୍ ଯିରୁଶାଲମର ଓ ଯିହୁଦାର ଲୋକମାନଙ୍କୁ ଭୁଲ୍ ପଥରେ ଆଗେଇ ନେଲେ।

12 ଯିହୋରାମ୍ ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସେହି ବାର୍ତ୍ତାରେ ଏହିପରି ଲେଖାଥିଲା:

“ସଦାପ୍ରଭୁ ପରମେଶ୍ୱର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସେହି ପରମେଶ୍ୱର ଅଟନ୍ତି। ସଦାପ୍ରଭୁ କହନ୍ତି, ‘ଯିହୋରାମ୍, ତୁମ୍ଭ ପିତା ଯିହୋଶାଫଟ୍ ଯେଉଁ ପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେପ୍ରକାର ଜୀବନଯାପନ କରିଥିଲେ, ତୁମ୍ଭେ ସେପରି ଜୀବନଯାପନ କରି ନାହଁ। 13 କିନ୍ତୁ ତୁମ୍ଭେ ଇସ୍ରାଏଲର ରାଜାମାନଙ୍କ ପରି ଜୀବନଯାପନ କରିଅଛ। ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସେମାନେ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ୟା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସମ୍ପତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ। 14 ତେଣୁ ବର୍ତ୍ତମାନ ସଦାପ୍ରଭୁ ଅତିଶୀଘ୍ର ତୁମ୍ଭର ଲୋକମାନଙ୍କୁ ବହୁତ ଦଣ୍ଡ ଦେବେ। ସଦାପ୍ରଭୁ ତୁମ୍ଭର ସ୍ତ୍ରୀ, ସନ୍ତାନ ଓ ସମସ୍ତ ସମ୍ପତ୍ତିକୁ ଦଣ୍ଡିତ କରିବେ। 15 ତୁମ୍ଭର ଅନ୍ତରେ ଏକ ଭୟଙ୍କର ରୋଗ ହେବ। ତାହା ଦିନକୁ ଦିନ ପ୍ରବଳତର ହେବ। ଶେଷରେ ସେହି ଭୟଙ୍କର ରୋଗ ହେତୁ ତୁମ୍ଭର ଅନ୍ତବୁଜୁଳା ବାହାରି ପଡ଼ିବ।’”

16 କୂଶୀୟମାନଙ୍କ ନିକଟରେ ବାସ କରୁଥିବା ପଲେଷ୍ଟୀୟ ଓ ଆରବୀୟମାନଙ୍କୁ ଯିହୋରା‌ମଙ୍କ ଉପରେ ସଦାପ୍ରଭୁ କ୍ରୋଧିତ କରାଇଲେ। 17 ସେହି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସେମାନେ ରାଜାଙ୍କ ଗୃହରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହୋରା‌ମଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନେଇଗଲେ। କେବଳ ଯିହୋରା‌ମଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇଯାଇଥିଲା। ଯିହୋରା‌ମଙ୍କ କନିଷ୍ଠ ପୁତ୍ରର ନାମ ଥିଲା ଯିହୋୟାହସ୍।

18 ଏହି ସମସ୍ତ ଘଟଣା ଘଟିବା ପରେ, ସଦାପ୍ରଭୁ ଯିହୋରା‌ମଙ୍କୁ ଏକ ଭୟଙ୍କର ଆନ୍ତ୍ରିକ ରୋଗରେ ପୀଡ଼ିତ କଲେ, ଯାହାକି ସୁସ୍ଥ ହୋଇ ପାରିଲା ନାହିଁ। 19 ଆଉ, ଦୁଇ ବର୍ଷ ପରେ ଅତିରିକ୍ତ ଅସୁସ୍ଥତା ହେତୁରୁ ଯିହୋରା‌ମଙ୍କର ଅନ୍ତବୁଜୁଳା ବାହାରି ପଡ଼ିଲା। ଅତ୍ୟନ୍ତ ଯନ୍ତ୍ରଣା ଭୋଗି ସେ ମୃତ୍ୟୁବରଣ କଲେ। ତାଙ୍କ ପିତାଙ୍କ ନିମନ୍ତେ ଯେପରି କରିଥିଲେ, ଲୋକମାନେ ସେପରି ଯିହୋରା‌ମଙ୍କ ସମ୍ମାନାର୍ଥେ ବିରାଟ ଅଗ୍ନିଦାହ କଲେ ନାହିଁ। 20 ଯିହୋରାମ୍ ରାଜା ହେବା ସମୟରେ ବତିଶ୍ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। ଯିହୋରା‌ମଙ୍କ ମୃତ୍ୟୁରେ କୌଣସି ବ୍ୟକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହୋରା‌ମଙ୍କୁ ଦାଉଦଙ୍କ ନଗରରେ କବର ଦେଲେ ସତ, କିନ୍ତୁ ଯେଉଁଠାରେ ରାଜାମାନଙ୍କୁ କବର ଦିଆଯାଏ, ସେଠାରେ କବର ଦେଲେ ନାହିଁ।

ଯିହୁଦାର ରାଜା ଅହସିୟ

22 ଯିରୁଶାଲମର ଲୋକମାନେ ଅହସିୟଙ୍କୁ ଯିହୋରା‌ମଙ୍କ ସ୍ଥାନରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିୟ ଯିହୋରା‌ମଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀୟ ଲୋକମାନେ ଯିହୋରା‌ମଙ୍କର ଛାଉଣି ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସେମାନେ ଯିହୋରା‌ମଙ୍କର ସମସ୍ତ ଜ୍ୟେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। ଅହସିୟ[a] ରାଜ୍ୟ ଶାସନ କରିବାକୁ ଆରମ୍ଭ କରିବା ସମୟରେ ବାଇଶି ବର୍ଷ ବୟସ୍କ ହୋଇଥିଲେ। ଅହସିୟ ଯିରୁଶାଲମରେ ଗୋଟିଏ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅଥଲିୟା। ଅଥଲିୟାଙ୍କ ପିତାଙ୍କର ନାମ ଥିଲା ଅମ୍ରି। ଅହସିୟ ମଧ୍ୟ ଆହାବଙ୍କ ପରିବାର ଭଳି ଜୀବନଯାପନ କଲେ। ସେ ସେପ୍ରକାର ଜୀବନ କାଟିଲେ, କାରଣ ତାଙ୍କର ମାତା ତାଙ୍କୁ ମନ୍ଦକାର୍ଯ୍ୟମାନ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ। ଅହସିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କଲେ। ଆହାବଙ୍କ ପରିବାର ମଧ୍ୟ ସେହିପରି କରିଥିଲେ। ଅହସିୟଙ୍କ ପିତାଙ୍କର ମୃତ୍ୟୁପରେ ଆହାବଙ୍କ ପରିବାର ଅହସିୟଙ୍କୁ ପରାମର୍ଶ ଦେବାକୁ ଲାଗିଲେ। ସେମାନେ ଅହସିୟଙ୍କୁ କୁପରାମର୍ଶ ଦେଲେ। ସେହି କୁପରାମର୍ଶ ତାଙ୍କୁ ମରଣ ଆଡ଼କୁ କଢ଼ାଇ ନେଲା। ଆହାବଙ୍କ ପରିବାର ତାଙ୍କୁ ଯେଉଁ ପରାମର୍ଶ ଦେଲେ, ଅହସିୟ ତାହା ପାଳନ କଲେ। ଅହସିୟ ଇସ୍ରାଏଲ ରାଜା ଯିହୋରା‌ମଙ୍କ ସହିତ ମିଳି ଅରା‌ମ୍‌ର ରାଜା ହସାୟେଲ ସହିତ ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ କରିବାକୁ ଗଲେ। ଆହାବ ଯିହୋରା‌ମଙ୍କର ପିତା ଥିଲା। କିନ୍ତୁ ଅରାମୀୟମାନେ ଯିହୋରାମକୁ ଯୁଦ୍ଧରେ କ୍ଷତାକ୍ତ କରି ପକାଇଲେ। ଯିହୋରାମ୍ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲ୍ ସହରକୁ ଫେରିଗଲେ। ସେ ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋ‌ତ୍‌ରେ ଯୁଦ୍ଧ କରୁଥିବା ସମୟରେ ଆହତ ହୋଇଥିଲେ। ଏହା ପରେ ଅହସିୟ, ଯିହୁଦା ରାଜା ଯୋରାମଙ୍କର ପୁତ୍ର, ଆହାବଙ୍କର ପୁତ୍ର ଯିହୋରାମଙ୍କୁ ସାକ୍ଷାତ କରିବା ନିମନ୍ତେ ଯିଷ୍ରିୟେଲ ସହରକୁ ଗଲେ। ଯିହୋରାମ୍ ଯିଷ୍ରିୟେଲ ସହରରେ ଥିଲେ, କାରଣ ସେ ଆହତ ହୋଇଥିଲେ।

ଅହସିୟ ଯୋରା‌ମଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେହି ସମୟରେ ହିଁ ପରମେଶ୍ୱର ତାଙ୍କ ପ୍ରତି ମୃତ୍ୟୁ ଘଟାଇଲେ। ଅହସିୟ ଯାଇ ପହଞ୍ଚିଲେ ଓ ଯୋରା‌ମଙ୍କ ସହିତ ଯେହୂଙ୍କୁ ଭେଟିବା ନିମନ୍ତେ ଗଲେ। ଯେହୂଙ୍କ ପିତାଙ୍କର ନାମ ଥିଲା ନି‌ମ୍‌ଶିର। ଆହାବଙ୍କ ପରିବାରକୁ ବିନାଶ କରିବା ନିମନ୍ତେ ସଦାପ୍ରଭୁ ଯେହୂଙ୍କୁ ମନୋନୀତ କରିଥିଲେ। ଯେହୂ ଆହାବଙ୍କ ପରିବାରକୁ ଦଣ୍ଡ ଦେଉଥିଲେ। ଯେହୂ ଅହସିୟଙ୍କ ସେବାକାରୀ ଯିହୁଦାର ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ପାଇଲେ। ଯେହୂ ଯିହୁଦାର ସେହି ନେତାଗଣ ଓ ଅହସିୟଙ୍କ ଆତ୍ମୀୟମାନଙ୍କୁ ହତ୍ୟା କଲେ। ତା'ପରେ ଯେହୂ ଅହସିୟଙ୍କର ଅନ୍ୱେଷଣ କଲେ। ସେ ଶମରିୟା ସହରରେ ଲୁଚିବାକୁ ଚେଷ୍ଟା କରୁଥିବା ସମୟରେ ଯେହୂଙ୍କର ଲୋକମାନେ ତାଙ୍କୁ କାବୁ କଲେ। ସେମାନେ ଅହସିୟଙ୍କୁ ଯେହୂଙ୍କ ନିକଟକୁ ଆଣିଲେ। ସେମାନେ ଅହସିୟଙ୍କୁ ହତ୍ୟା କଲେ ଓ ତାଙ୍କୁ କବର ଦେଲେ। ସେମାନେ କହିଲେ, “ଅହସିୟ ଯିହୋଶାଫ‌ଟଙ୍କ ବଂଶଧର ଥିଲେ। ଯିହୋଶାଫଟ୍ ଆପଣାର ସମସ୍ତ ହୃଦୟ ସହିତ ସଦାପ୍ରଭୁଙ୍କର ଅନୁସରଣ କରୁଥିଲେ।” ଯିହୁଦା ରାଜ୍ୟକୁ ଏକତ୍ର ରଖିବା ନିମନ୍ତେ ଅହସିୟଙ୍କ ବଂଶର ଆଉ କୌଣସି କ୍ଷମତା ରହିଲା ନାହିଁ।

ରାଣୀ ଅଥଲିୟା

10 ଅଥଲିୟା ଅହସିୟଙ୍କ ମାତା ଥିଲେ। ଯେତେବେଳେ ସେ ଦେଖିଲେ ଯେ, ତାଙ୍କର ପୁତ୍ରର ମୃତ୍ୟୁ ହୋଇଅଛି, ସେ ଯିହୁଦାରେ ରାଜାଙ୍କର ସବୁ ସନ୍ତାନମାନଙ୍କୁ ହତ୍ୟା କଲେ। 11 କିନ୍ତୁ ଯିହୋଶାବତ୍, ଯୋୟାଶ୍ ଓ ତାଙ୍କ ଧାତ୍ରୀକୁ ଅନ୍ତଃପୁରସ୍ଥ ଶୟନକକ୍ଷ ମଧ୍ୟରେ ଲୁଗ୍ଭଇ ଦେଲେ। ଯିହୋଶାବତ୍ ରାଜା ଯିହୋରା‌ମଙ୍କର କନ୍ୟା ଥିଲେ। ସେ ଯିହୋୟାଦାଙ୍କର ପତ୍ନୀ ମଧ୍ୟ ଥିଲେ। ଯିହୋୟାଦା ଜଣେ ଯାଜକ ଥିଲେ। ଆଉ ଯିହୋଶାବତ୍ ଅହସିୟଙ୍କ ଭଗ୍ନୀ ଥିଲେ। ଅଥଲିୟା ଯିହୋଶାବତଙ୍କୁ ବଧ କରି ପାରିଲେ ନାହିଁ, କାରଣ ଯିହୋଶାବତ୍ ତାଙ୍କୁ ଲୁଗ୍ଭଇ ଦେଇଥିଲେ। 12 ଯୋୟାଶ୍ ଛଅ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ମନ୍ଦିରରେ ଯାଜକମାନଙ୍କ ସହିତ ଲୁକାୟିତ ଭାବରେ ରହିଲେ। ସେହି ସମୟରେ ଅଥଲିୟା ଦେଶରେ ରାଣୀ ଭାବରେ ରାଜତ୍ୱ କଲେ।

ଯିହୋୟାଦା ଯାଜକ ଓ ରାଜା ଯୋୟାଶ

23 ଛଅ ବର୍ଷ ପରେ, ଯିହୋୟାଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରତ୍ୟେକଙ୍କର 100 ଜଣ ସୈନ୍ୟ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସେହି କପ୍ତାନମାନେ ଥିଲେ: ଯିରୋହା‌ମ୍‌ଙ୍କ ପୁତ୍ର ଅସରିୟ, ଯିହୋହାନନଙ୍କ ପୁତ୍ର ଇ‌ଶ୍‌ମାୟେଲ, ଓବେଦଙ୍କ ପୁତ୍ର ଅସରିୟ, ଅଦାୟାଙ୍କ ପୁତ୍ର ମାସେୟ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍। ସେମାନେ ଯିହୁଦାର ଗ୍ଭରିଆଡ଼େ ଯାଇ ସବୁ ସହରରୁ ଲେବୀୟମାନଙ୍କୁ ସଂଗ୍ରହ କଲେ। ସେମାନେ ଇସ୍ରାଏଲ ବଂଶର ନେତାମାନଙ୍କୁ ମଧ୍ୟ ଏକତ୍ରିତ କଲେ। ଏହା ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ଏକତ୍ରିତ ହୋଇଥିବା ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରରେ ରାଜାଙ୍କ ସହିତ ଏକ ନିୟମ କଲେ।

ଯିହୋୟାଦା ସେହି ଲୋକମାନଙ୍କୁ କହିଲେ, “ରାଜାଙ୍କ ପୁତ୍ର ରାଜ୍ୟ କରିବେ। ଦାଉଦଙ୍କ ବଂଶଧରମାନଙ୍କ ବିଷୟରେ ସଦାପ୍ରଭୁ ଏହି ପ୍ରତିଜ୍ଞା କରିଥିଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ: ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯାଜକ ଓ ଲେବୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନରେ କାର୍ଯ୍ୟ କରିବାକୁ ଯିବେ, ସେମାନେ ଦ୍ୱାର ନିକଟରେ ଜଗି ରହିବେ। ତୁମ୍ଭମାନଙ୍କର ଏକ ତୃତୀୟାଂଶ ରାଜାଙ୍କ ଗୃହରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀୟାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ ରହିବେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ କୌଣସି ବ୍ୟକ୍ତିକୁ ଆସିବାକୁ ଦେବ ନାହିଁ। କେବଳ ସେବାକାର୍ଯ୍ୟ କରୁଥିବା ଯାଜକ ଓ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ ଆସିବାକୁ ଅନୁମତି ଦେବ, କାରଣ ସେମାନେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦେଇଛନ୍ତି, ତାହା ସେମାନଙ୍କୁ କରିବାକୁ ପଡ଼ିବ। ଲେବୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ‌‌ଖ‌ଡ଼୍‌ଗକୁ ସଙ୍ଗରେ ରଖିବେ। ଯଦି କୌଣସି ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତେବେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।”

ଯିହୋୟାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲେବୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ଯିହୋୟାଦା, ଯାଜକ ଦଳର କୌଣସି ବ୍ୟକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରତ୍ୟେକ କପ୍ତାନ ଓ ତାଙ୍କର ସବୁ ଲୋକ ସେମାନଙ୍କୁ ଯାହା କୁହାଗଲା ତାହା କଲେ, ସେମାନେ ସେହି ସପ୍ତାହରେ କାର୍ଯ୍ୟରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ। ଯିହୋୟାଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢାଲଗୁଡ଼ିକ ଦେଲେ। ପରମେଶ୍ୱରଙ୍କ ମନ୍ଦିରରେ ସେହି ଅସ୍ତ୍ରଗୁଡ଼ିକ ରଖାଯାଇଥିଲା। 10 ଏହା ପରେ ଯିହୋୟାଦା ଲୋକମାନଙ୍କୁ କେଉଁଠାରେ ଛିଡ଼ା ହେବାକୁ ପଡ଼ିବ, ତାହା କହିଲେ। ପ୍ରତ୍ୟେକ ବ୍ୟକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତରେ ଧରିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ମନ୍ଦିରର ବାମପାର୍ଶ୍ୱ ଯାଏ ଲୋକମାନେ ଠିଆ ହୋଇ ରହିଲେ। ସେମାନେ ଯଜ୍ଞବେଦି ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହୋଇ ରହିଲେ। 11 ସେମାନେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସେମାନେ ତାଙ୍କୁ ନିୟମର ଏକ ନକଲ ଦେଲେ। ସେମାନେ ଯୋୟାଶଙ୍କୁ ରାଜା କଲେ। ଯିହୋୟାଦା ଓ ତାଙ୍କ ପୁତ୍ରମାନେ ଯୋୟାଶଙ୍କୁ ରାଜାଭିଷିକ୍ତ କଲେ। ସେମାନେ କହିଲେ, “ରାଜା ଦୀର୍ଘଜୀବୀ ହୁଅନ୍ତୁ!”

12 ଲୋକମାନେ ମନ୍ଦିରକୁ ଦୌଡ଼ିକରି ଯିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିୟା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରରେ ଲୋକମାନଙ୍କ ନିକଟକୁ ଆସିଲେ। 13 ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ୟଦ୍ୱାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହୋଇଥିଲେ। ଉଚ୍ଚାଧିକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହୋଇଥିଲେ। ଦେଶର ଲୋକେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାୟକମାନେ ବାଦ୍ୟଯନ୍ତ୍ର ବଜାଉଥିଲେ। ଗାୟକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବାରେ ନେତୃତ୍ୱ ନେଉଥିଲେ। ଏହା ଦେଖି ଅଥଲିୟା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, “ରାଜଦ୍ରୋହ! ରାଜଦ୍ରୋହ!”

14 ଯିହୋୟାଦା ସେନାଧ୍ୟକ୍ଷମାନଙ୍କୁ ନେଇଆସିଲେ। ସେ ସେମାନଙ୍କୁ କହିଲେ, “ଅଥଲିୟାଙ୍କୁ ସୈନ୍ୟଦଳ ମଧ୍ୟରେ ରଖି ବାହାରକୁ ନେଇଯାଅ। ଯଦି କୌଣସି ବ୍ୟକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ‌‌ଖ‌ଡ଼୍‌ଗରେ ବଧ କର।” ଏହା ପରେ ଯାଜକ ସୈନ୍ୟମାନଙ୍କୁ ସାବଧାନ୍ କରିଦେଲେ, “ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଅଥଲିୟାକୁ ବଧ କରିବ ନାହିଁ।” 15 ଏହା ପରେ ଅଥଲିୟା ରାଜାଙ୍କ ଗୃହର ଅଶ୍ୱଦ୍ୱାର ନିକଟକୁ ଆସିବାରୁ ସେହି ଲୋକମାନେ ତାଙ୍କୁ ଧରିଲେ। ଆଉ ସେମାନେ ସେହି ସ୍ଥାନରେ ହିଁ ତାଙ୍କୁ ବଧ କଲେ।

16 ଏହା ପରେ ଯିହୋୟାଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିୟମ କଲେ। ସେମାନେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହେବେ, ଏଥିରେ ସମ୍ମତ ହେଲେ। 17 ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବା‌ଲ୍‌ର ମନ୍ଦିରରେ ଥିବା ବେଦି ଓ ମୂର୍ତ୍ତିଗୁଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ପକାଇଲେ। ସେମାନେ ବା‌ଲ୍‌ର ଯାଜକ ମତ୍ତାନଙ୍କୁ ବା‌ଲ୍‌ର ଯଜ୍ଞବେଦି ସମ୍ମୁଖରେ ହତ୍ୟା କଲେ।

18 ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନେବା ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସେହି ଯାଜକମାନେ ଲେବୀୟ ଥିଲେ ଓ ଦାଉଦ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ମୋଶାଙ୍କ ନିୟମର ଆଦେଶ ଅନୁଯାୟୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନି ଦ‌ଗ୍‌ଧ ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସେମାନେ ସେହି ପ୍ରକାରେ ଆନନ୍ଦ ଓ ପ୍ରଶଂସା ଗାନ ସହକାରେ ସେହି ଉପହାର ବଳିଦାନ କଲେ। 19 ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିଯୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।

20 ଯିହୋୟାଦା ନିଜ ସହିତ ସେନାଧ୍ୟକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ୱାର ଦେଇ ସେମାନେ ରାଜାଙ୍କ ଗୃହ ମଧ୍ୟରେ ପ୍ରବେଶ କଲେ। ସେହି ସ୍ଥାନରେ ସେମାନେ ରାଜାଙ୍କୁ ସିଂହାସନରେ ବସାଇଲେ। 21 ଯିହୁଦାର ସବୁ ଲୋକ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ଯିରୁଶାଲମ ନଗରରେ ଶାନ୍ତି ବିରାଜିଲା, କାରଣ ଅଥଲିୟା ‌‌ଖ‌ଡ଼୍‌ଗ ଦ୍ୱାରା ନିହତ ହୋଇଥିଲେ।

ଯୋୟାଶ୍ ଆଉଥରେ ମନ୍ଦିର ନିର୍ମାଣ କଲେ

24 ଯୋୟାଶ୍ ରାଜା ହେବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ସିବିୟା। ସିବିୟା ବେରଶେବା ସହରରୁ ଆସିଥିଲେ। ଯାଜକ ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯୋୟାଶ୍ ଯଥାର୍ଥ କର୍ମ କଲେ। ଯିହୋୟାଦା ଯୋୟାଶଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ ଦେଲେ।

ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ। ଯୋୟାଶ୍ ଯାଜକ ଓ ଲେବୀୟମାନଙ୍କୁ ଏକତ୍ରିତ କଲେ। ସେ ସେମାନଙ୍କୁ କହିଲେ, “ଯିହୁଦାର ସହରଗୁଡ଼ିକୁ ଯାଅ ଓ ଇସ୍ରାଏଲର ଲୋକମାନେ ପ୍ରତି ବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କର। ଶୀଘ୍ର ଯାଅ ଓ ଏହି କାର୍ଯ୍ୟ କର।” କିନ୍ତୁ ଲେବୀୟମାନେ ଚଞ୍ଚଳ ହେଲେ ନାହିଁ।

ତେଣୁ ରାଜ ଯୋୟାଶ୍ ମୁଖ୍ୟଯାଜକ ଯିହୋୟାଦାଙ୍କୁ ଡକାଇଲେ। ରାଜା କହିଲେ, “ଯିହୋୟାଦା, ଯିହୁଦା ଓ ଯିରୁଶାଲମରୁ ସଂଗୃହୀତ ଖଜଣା ଆଣିବାକୁ ତୁମ୍ଭେ କାହିଁକି ଲେବୀୟମାନଙ୍କୁ ପଠାଉ ନାହଁ? ସଦାପ୍ରଭୁଙ୍କ ଦାସ ମୋଶା ଓ ଇସ୍ରାଏଲର ଲୋକମାନେ ସେହି ଖଜଣାକୁ ପବିତ୍ର ତମ୍ବୁ ନିମନ୍ତେ ବ୍ୟବହାର କରୁଥିଲେ।”

ଅତୀତରେ, ଅଥଲିୟାଙ୍କ ପୁତ୍ରମାନେ ପରମେଶ୍ୱରଙ୍କ ମନ୍ଦିର ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସାମଗ୍ରୀଗୁଡ଼ିକୁ ସେମାନେ ବାଲ୍-ଦେବଗଣର ପୂଜା କରିବା ନିମନ୍ତେ ବ୍ୟବହାର କରିଥିଲେ। ଅଥଲିୟା ଜଣେ ଅତି ଦୁଷ୍ଟା ସ୍ତ୍ରୀ ଥିଲେ।

ରାଜା ଯୋୟାଶ୍ ଏକ ବା‌କ୍‌ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରର ବାହାର ପାର୍ଶ୍ୱରେ ରଖିବାକୁ ଆଦେଶ ଦେଲେ। ଏହା ପରେ ଲେବୀୟମାନେ ଯିହୁଦା ଓ ଯିରୁଶାଲମରେ ଏକ ଘୋଷଣା କଲେ। ସେମାନେ ସଦାପ୍ରଭୁଙ୍କ ନିମନ୍ତେ ଖଜଣା ଦେବାକୁ ଲୋକମାନଙ୍କୁ କହିଲେ। ଇସ୍ରାଏଲର ଲୋକମାନେ ମରୁଭୂମିରେ ଥିବା ସମୟରେ ପରମେଶ୍ୱରଙ୍କ ଦାସ ମୋଶା ସେମାନଙ୍କୁ ଖଜଣା ଦେବାକୁ କହିଥିଲେ। 10 ସବୁ ନେତା ଓ ଲୋକମାନେ ଆନନ୍ଦିତ ହେଲେ। ସେମାନେ ସେମାନଙ୍କର ଟଙ୍କା ଆଣି ସେହି ବା‌କ୍‌ସରେ ପକାଇଲେ। ବା‌କ୍‌ସଟି ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଦାନ ଦେବାକୁ ଲାଗିଲେ। 11 ଏହା ପରେ ଲେବୀୟମାନେ ସେହି ବା‌କ୍‌ସକୁ ରାଜାଙ୍କର ପଦାଧିକାରୀମାନଙ୍କ ନିକଟକୁ ନେଇଗଲେ। ସେମାନେ ଦେଖିଲେ ଯେ, ସେହି ବା‌କ୍‌ସ ଟଙ୍କାରେ ପୂର୍ଣ୍ଣ ହୋଇଥିଲା। ରାଜାଙ୍କ ସଚିବ ଓ ମୁଖ୍ୟ ଯାଜକଙ୍କ ପଦାଧିକାରୀମାନେ ଆସିଲେ ଓ ବା‌କ୍‌ସରୁ ଟଙ୍କାତକ କାଢ଼ି ନେଲେ। ଏହା ପରେ ସେମାନେ ସେହି ବା‌କ୍‌ସରୁ ପୁନର୍ବାର ତାହାର ସ୍ଥାନରେ ରଖି ଦେଲେ। ପ୍ରତିଦିନ ସେମାନେ ଏହିପରି କଲେ ଓ ପ୍ରଚୁର ଟଙ୍କା ଜମା କଲେ। 12 ଏହା ପରେ ରାଜା ଯୋୟାଶ୍ ଓ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସେହି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖୋଦନକାରୀ ଓ ବଢ଼େଇମାନଙ୍କୁ ପାରିଶ୍ରମିକ ଦେଇ ନିଯୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ଯ୍ୟ ଜାଣିଥିଲେ, ସେମାନେ ସେମାନଙ୍କୁ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ପାରିଶ୍ରମିକ ଦେଇ ନିଯୁକ୍ତ କଲେ।

13 ଯେଉଁ ବ୍ୟକ୍ତିମାନେ ତତ୍ତ୍ୱାବଧାନ କାର୍ଯ୍ୟ କରୁଥିଲେ, ସେମାନେ ଅତି ବିଶ୍ୱସ୍ତ ଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସଫଳ ହେଲା। ପରମେଶ୍ୱରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସେମାନେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସେମାନେ ତାହାକୁ ଆହୁରି ଦୃଢ଼ କଲେ। 14 ଯେତେବେଳେ ଶ୍ରମିକମାନଙ୍କର କାର୍ଯ୍ୟ ସମାପ୍ତ ହେଲା, ସେମାନେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହୋୟାଦାଙ୍କ ନିକଟକୁ ଆଣିଲେ। ସେମାନେ ସେହି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବାରେ ବ୍ୟବହାର କଲେ। ସେହି ସାମଗ୍ରୀଗୁଡ଼ିକ ମନ୍ଦିରର ସେବାକାର୍ଯ୍ୟ ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ୟବହୃତ ହେଲା। ସେମାନେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ମାଣ କଲେ। ଯିହୋୟାଦା ଜୀବିତ ଥିବା ପର୍ଯ୍ୟନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରତିଦିନ ହୋମବଳି ଉପହାରମାନ ଉତ୍ସର୍ଗ କଲେ।

15 ଯିହୋୟାଦା ବୃଦ୍ଧ ହେଲେ। ସେ ଦୀର୍ଘଜୀବୀ ଥିଲେ, ତା'ପରେ ସେ ମୃତ୍ୟୁବରଣ କଲେ। ଯିହୋୟାଦା 130 ବର୍ଷ ବୟସରେ ମୃତ୍ୟୁବରଣ କଲେ। 16 ଲୋକମାନେ ଯିହୋୟାଦାଙ୍କୁ ଦାଉଦଙ୍କ ନଗରରେ, ଯେଉଁଠାରେ ରାଜାମାନେ କବରପ୍ରାପ୍ତ ହୋଇଛନ୍ତି, ସେହିଠାରେ କବର ଦେଲେ। ଲୋକମାନେ ସେହି ସ୍ଥାନରେ ଯିହୋୟାଦାଙ୍କୁ କବର ଦେଲେ, କାରଣ ସେ ଆପଣାର ଜୀବନକାଳରେ ଇସ୍ରାଏଲ ମଧ୍ୟରେ ପରମେଶ୍ୱରଙ୍କ ନିମନ୍ତେ ଓ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ବହୁତ ଉତ୍ତମ କର୍ମ କରିଥିଲେ।

17 ଯିହୋୟାଦାଙ୍କ ମୃତ୍ୟୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ଯୋୟାଶଙ୍କ ସମ୍ମୁଖରେ ପ୍ରଣିପାତ କଲେ। ରାଜା ସେହି ନେତାମାନଙ୍କର କଥା ଶୁଣିଲେ। 18 ରାଜା ଓ ସେହି ନେତାମାନେ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିରକୁ ଅଗ୍ରାହ୍ୟ କଲେ। ସେମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗମନ କରିଥିଲେ। ସେମାନେ ଆଶେରା ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ୱର ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କ ଉପରେ କ୍ରୋଧ କଲେ, କାରଣ ରାଜା ଓ ସେହି ନେତାମାନେ ଦୋଷୀ ଥିଲେ। 19 ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ପରମେଶ୍ୱର ସେମାନଙ୍କ ନିକଟକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣ କଲେ। ଭବିଷ୍ୟ‌ଦ୍‌ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।

20 ପରମେଶ୍ୱରଙ୍କର ଆତ୍ମା ଜିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଜିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’”

21 କିନ୍ତୁ ଲୋକମାନେ ଜିଖରିୟଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ। ଜିଖରିୟଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଲୋକମାନେ ଏହା କଲେ। 22 ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଜିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଜିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”

23 ବର୍ଷର ଶେଷ ଆଡ଼କୁ ଅରାମୀୟ ସୈନ୍ୟଦଳ ଯୋୟାଶଙ୍କ ବିରୁଦ୍ଧରେ ଆସିଲେ। ସେମାନେ ଯିହୁଦା ଓ ଯିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ୟା କଲେ। ସେମାନେ ସବୁ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ। 24 ଅରାମୀୟ ସୈନ୍ୟଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନେଇ ଆସିଥିଲେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଯିହୁଦାର ବୃହତ୍ ସୈନ୍ୟଦଳ ଉପରେ ବିଜୟଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ସେମାନେ ତାଙ୍କୁ ପରିତ୍ୟାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ। 25 ଅରାମୀୟମାନେ ଯୋୟାଶଙ୍କ ନିକଟରୁ ଯେତେବେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଯୋୟାଶଙ୍କର ନିଜ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ଯୋୟାଶ୍ ଯିହୋୟାଦା ଯାଜକଙ୍କର ପୁତ୍ର ଜିଖରିୟଙ୍କୁ ହତ୍ୟା କରିଥିବାରୁ ସେମାନେ ଏହିପରି କଲେ। ସେହି ଭୃତ୍ୟମାନେ ଯୋୟାଶଙ୍କୁ ତାଙ୍କର ଶଯ୍ୟା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ୟୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ, କିନ୍ତୁ ସେମାନେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନରେ କବର ପାଆନ୍ତି, ସେ ସ୍ଥାନରେ କବର ଦେଲେ ନାହିଁ।

26 ଯୋୟାଶଙ୍କ ବିରୁଦ୍ଧରେ ଏହି ଭୃତ୍ୟମାନେ ଷଡ଼ଯନ୍ତ୍ର କରିଥିଲେ; ସାବଦ୍ ଓ ଯିହୋଷାବଦ୍। ସାବ‌ଦଙ୍କ ମାତାଙ୍କର ନାମ ଥିଲା ଶିମିୟତ୍। ଶିମିୟତ୍ ଅମ୍ମୋନରୁ ଆସିଥିଲେ। ଆଉ ଯିହୋଶାବ‌ଦଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମୋୟାବରୁ ଆସିଥିଲେ। 27 ଯୋୟାଶଙ୍କ ପୁତ୍ରମାନଙ୍କ କାହାଣୀ, ତାଙ୍କ ବିରୁଦ୍ଧରେ ମହାନ ଭବିଷ୍ୟ‌ଦ୍‌ବାଣୀଗୁଡ଼ିକ ଓ ସେ କିପରି ପୁନର୍ବାର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ, ସେହିସବୁ ରାଜାମାନଙ୍କର ବିବରଣୀ ପୁସ୍ତକରେ ଲେଖାଯାଇ ଅଛି। ଅମତ୍‌ସିୟ ତାଙ୍କ ଉତ୍ତାରେ ନୂତନ ରାଜା ହେଲେ। ଅମତ୍‌ସିୟ ଯୋୟାଶଙ୍କର ପୁତ୍ର ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center