Beginning
6 ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ। 2 ହେ ସଦାପ୍ରଭୁ, ତୁମ୍ଭେ ବାସ କରିବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିଅଛି। ଅନନ୍ତକାଳ ବାସ କରିବା ପାଇଁ ଏହା ତୁମ୍ଭ ନିମନ୍ତେ ଏକ ଉଚ୍ଚ ମନ୍ଦିର ସ୍ଥାନ ଅଟେ।”
ଶଲୋମନଙ୍କର ଭାଷଣ
3 ରାଜା ଶଲୋମନ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରିବାକୁ ବୁଲି ପଡ଼ିଲେ। 4 ଶଲୋମନ କହିଲେ,
“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା କର। ସଦାପ୍ରଭୁ ମୋ’ ପିତା ଦାଉଦଙ୍କ ସହିତ କଥା ହେବା ସମୟରେ ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ତାହା ସଫଳ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଏହା କହିଥିଲେ: 5 ‘ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭେ ଆମ୍ଭର ନାମରେ ଗୃହଟିଏ ନିର୍ମାଣ କରିବା ନିମନ୍ତେ ଇସ୍ରାଏଲର କୌଣସି ପରିବାରବର୍ଗର ନଗରରେ ଗୋଟିଏ ସ୍ଥାନ ସୁଦ୍ଧା ମନୋନୀତ କରି ନାହୁଁ। ଆମ୍ଭ ଲୋକ, ଇସ୍ରାଏଲର ଲୋକମାନଙ୍କୁ ନେତୃତ୍ୱ ଦେବା ନିମନ୍ତେ ଆମ୍ଭେ କୌଣସି ଗୋଟିଏ ଲୋକକୁ ସୁଦ୍ଧା ମନୋନୀତ କରି ନାହୁଁ। 6 କିନ୍ତୁ ଆମ୍ଭେ ବର୍ତ୍ତମାନ ଯିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇସ୍ରାଏଲକୁ ନେତୃତ୍ୱ ଦେବା ନିମନ୍ତେ ମନୋନୀତ କରିଅଛୁ।’
7 “ମୋର ପିତା ଦାଉଦ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଥିଲେ। 8 କିନ୍ତୁ ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରି ଖୁବ୍ ଉତ୍ତମ କର୍ମ କରିଅଛ। 9 କିନ୍ତୁ ତୁମ୍ଭେ ନୁହଁ, ତୁମ୍ଭର ନିଜର ପୁତ୍ର ମୋ’ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବ।’ 10 ବର୍ତ୍ତମାନ ସଦାପ୍ରଭୁ ଯାହା କରିବେ ବୋଲି କହିଥିଲେ, ସେ ତାହା କରିଛନ୍ତି। ଇସ୍ରାଏଲର ରାଜା ରୂପେ ମୁଁ ମୋର ପିତାଙ୍କ ଉତ୍ତରାଧିକାରୀ ହୋଇଛି। ସଦାପ୍ରଭୁ ତାହା ହିଁ ପ୍ରତିଜ୍ଞା କରିଥିଲେ। ଆଉ ମୁଁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିଅଛି। 11 ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ କରିଥିବା ବିଶେଷ ଚୁକ୍ତିର ପ୍ରତିନିଧିତ୍ୱ କରୁଥିବା ସିନ୍ଦୁକକୁ ମୁଁ ମନ୍ଦିରରେ ରଖିଅଛି।”
ଶଲୋମନଙ୍କର ପ୍ରାର୍ଥନା
12 ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଠିଆ ହେଲେ। ସେ ଏକତ୍ରିତ ସମଗ୍ର ଇସ୍ରାଏଲର ଲୋକମାନଙ୍କର ସମ୍ମୁଖରେ ଠିଆ ହେଲେ। ଏହା ପରେ ଶଲୋମନ ତାଙ୍କର ହସ୍ତ ପ୍ରସାରିତ କଲେ। 13 ଶଲୋମନ 2.6 ମିଟର ଲମ୍ବ ଓ 2.6 ମିଟର ପ୍ରସ୍ଥ ଓ 1.5 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ୟଭାଗରେ ସ୍ଥାପିତ କରିଥିଲେ। ଏହା ପରେ, ସେ ସେହି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରିତ ହୋଇଥିବା ସମଗ୍ର ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ। 14 ଶଲୋମନ କହିଲେ,
“ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ସ୍ୱର୍ଗରେ କିଅବା ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର ଆଉ କେହି ନାହାନ୍ତି। ଯେଉଁମାନେ ତୁମ୍ଭକୁ ଅନ୍ତର ସହିତ ମାନନ୍ତି, ତୁମ୍ଭେ ତୁମ୍ଭର ସେହି ଦାସମାନଙ୍କ ସହିତ ନିଶ୍ଚଳ ପ୍ରେମ ରଖିଥାଅ। 15 ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କ ସହିତ କରିଥିବା ନିୟମ ରକ୍ଷା କରିଅଛ। ଦାଉଦ ମୋର ପିତା ଥିଲେ। ତୁମ୍ଭେ ଆପଣାର ମୁଖରେ ଏହି ପ୍ରତିଜ୍ଞା କରିଥିଲ। ଆଉ ଆଜି ତୁମ୍ଭେ ତୁମ୍ଭର ହସ୍ତ ଦ୍ୱାରା ସେହି ପ୍ରତିଜ୍ଞାକୁ ସତ୍ୟରେ ପରିଣତ କରିଅଛ। 16 ବର୍ତ୍ତମାନ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଦାସ ଦାଉଦଙ୍କୁ ଦତ୍ତ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତୁମ୍ଭେ ଏହା ପ୍ରତିଜ୍ଞା କରିଥିଲ; ତୁମ୍ଭେ କହିଲ, ‘ଦାଉଦ, ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କରୁ ଜଣେ ସର୍ବଦା ମୋ’ ସମ୍ମୁଖରେ ଇସ୍ରାଏଲର ସିଂହାସନ ଉପରେ ବିରାଜମାନ ହେବ। ଯଦି ତୁମ୍ଭର ପୁତ୍ରମାନେ ନିଜର କର୍ମ ସାବଧାନତା ପୂର୍ବକ କରିବେ, ତେବେ କେବଳ ଏହା ଘଟିବ। ତୁମ୍ଭେ ଯେପରି ମୋର ଆଇନ୍ସବୁ ପାଳନ କରିଅଛ, ସେହିପରି ସେମାନଙ୍କୁ ମଧ୍ୟ ମୋର ଆଇନ୍ ମାନିବାକୁ ପଡ଼ିବ।’ 17 ବର୍ତ୍ତମାନ ହେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ପ୍ରତିଜ୍ଞାକୁ ସଫଳ କର। ତୁମ୍ଭେ ତୁମ୍ଭର ଦାସ ଦାଉଦଙ୍କୁ ଏହି ପ୍ରତିଜ୍ଞା ଦେଇଥିଲ।
18 “କିନ୍ତୁ ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ପରମେଶ୍ୱର, ପ୍ରକୃତରେ ଏହି ପୃଥିବୀରେ ମନୁଷ୍ୟମାନଙ୍କ ସହିତ ବସବାସ କରିବ ନାହିଁ। ସ୍ୱର୍ଗ ଓ ଉଚ୍ଚତମ ସ୍ୱର୍ଗଗଣ ତୁମ୍ଭକୁ ଧାରଣ କରି ପାରନ୍ତି ନାହିଁ। ଆଉ ଆମ୍ଭେମାନେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପାରେ। 19 କିନ୍ତୁ ମୋ’ ପ୍ରାର୍ଥନାରେ ଓ ମୁଁ ତୁମ୍ଭ ନିକଟରେ ଦୟା ଭିକ୍ଷା କରିବା ସମୟରେ ସେଥିପ୍ରତି ଧ୍ୟାନ ଦିଅ। ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଡାକ ପକାଇବା ସମୟରେ ମୋର ଡାକ ଶୁଣ। ମୁଁ ତୁମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛି, ତାହା ଣୁଣ। ମୁଁ ତୁମ୍ଭର ଦାସ ଅଟେ। 20 ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମୋର ପ୍ରାର୍ଥନା ଶୁଣିବ। 21 ମୁଁ ଯେଉଁ ପ୍ରାର୍ଥନା କରୁଅଛି ଓ ତୁମ୍ଭର ଲୋକ ଇସ୍ରାଏଲ ଯେଉଁ ପ୍ରାର୍ଥନା କରୁଅଛନ୍ତି, ତାହା ଶୁଣ। ଆମ୍ଭେମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବା ସମୟରେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣ। ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ। ଆଉ, ତୁମ୍ଭେ ଆମ୍ଭମାନଙ୍କର ପ୍ରାର୍ଥନା ଶୁଣି, ଆମ୍ଭମାନଙ୍କୁ କ୍ଷମା କର।
22 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ବିରୁଦ୍ଧରେ ଭୁଲ୍ କାର୍ଯ୍ୟ କରେ, ତାକୁ ଶପଥ[a] କରିବା ପାଇଁ ବାଧ୍ୟ କରାଯାଏ। ଯେତେବେଳେ ସେ ମନ୍ଦିର ମଧ୍ୟରେ ତୁମ୍ଭର ବେଦି ସମ୍ମୁଖରେ ଶପଥ କରିବାକୁ ଆସେ, 23 ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଗ୍ଭର କର ଓ କାର୍ଯ୍ୟ କର। ଦୁଷ୍ଟ ବ୍ୟକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷୟ ଦ୍ୱାରା କଷ୍ଟ ଭୋଗ କରାଇଛି, ତାକୁ ସେହି ବିଷୟ ଦ୍ୱାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ୟକ୍ତି ନିର୍ଦ୍ଦୋଷ, ତୁମ୍ଭେ ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କର।
24 “ଯଦି ତୁମ୍ଭର ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସେମାନଙ୍କୁ ପରାସ୍ତ କରିପାରେ। ଆଉ ତା'ପରେ, ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ନିକଟକୁ ଫେରି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ୱୀକାର କରନ୍ତି ଏବଂ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି। 25 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ତୁମ୍ଭର ଲୋକ ଇସ୍ରାଏଲର ପାପ କ୍ଷମା କର। ତୁମ୍ଭେ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ପୁନର୍ବାର ସେଠାକୁ ଫେରାଇ ଆଣ।
26 “ଆକାଶ ରୁଦ୍ଧ ହୋଇ ହୁଏତ ବର୍ଷା ହୋଇ ନ ପାରେ। ଯଦି ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, ତେବେ ଏହା ଘଟିବ। ଆଉ ଯଦି ଇସ୍ରାଏଲର ଲୋକମାନେ ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭଠାରେ ସ୍ୱୀକାର କରନ୍ତି ଏବଂ ପ୍ରାର୍ଥନା କରନ୍ତି, ଆଉ ତୁମ୍ଭେ ସେମାନଙ୍କୁ ଦଣ୍ଡ ଦେଇଥାଅ। ଯଦି ସେମାନେ ସେମାନଙ୍କର ପାପ ପାଇଁ ଅନୁତାପ କରନ୍ତି। 27 ତେବେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣ ଓ ସେମାନଙ୍କର ପାପସବୁ କ୍ଷମା କର। ଇସ୍ରାଏଲର ଲୋକମାନେ ତୁମ୍ଭର ଦାସ ଅଟନ୍ତି। ତେଣୁ ସେମାନେ ଯେଉଁ ପ୍ରକାର ଜୀବନ କାଟିବା ଉଚିତ୍, ସେମାନଙ୍କୁ ସେହି ଯଥାର୍ଥ ପଥ ଶିଖାଅ। ଆଉ ତୁମ୍ଭର ଦେଶ ମଧ୍ୟକୁ ବାର୍ତ୍ତା ପଠାଅ। ସେହି ଦେଶକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଅଛ।
28 “ଦେଶରେ ହୁଏତ ଦୁର୍ଭିକ୍ଷ ପଡ଼ିପାରେ, କିଅବା ଭୟଙ୍କର ରୋଗ ସବୁ ହୋଇପାରେ, ଅବା ଶସ୍ୟସବୁ ରୋଗଗ୍ରସ୍ତ ହୋଇପାରେ, ଅଥବା ଫିମ୍ପି, କିଅବା ପଙ୍ଗପାଳ, ନତୁବା ଝିଣ୍ଟିକା କିଅବା ଶତ୍ରୁମାନେ ଯଦି ଇସ୍ରାଏଲର ଲୋକମାନଙ୍କୁ ସେମାନଙ୍କ ନଗର ମଧ୍ୟରେ ଆକ୍ରମଣ କରନ୍ତି, କିଅବା ଯଦି ଇସ୍ରାଏଲରେ କୌଣସି ପ୍ରକାରର ରୋଗ ଦେଖାଯାଏ, 29 ଆଉ, ତା'ପରେ ଇସ୍ରାଏଲର ତୁମ୍ଭର ପ୍ରତ୍ୟେକ ବ୍ୟକ୍ତି ନିଜର ସମସ୍ୟା ଓ କ୍ଳେଶ ଜାଣି ସେମାନଙ୍କ ମଧ୍ୟରୁ କେହି ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରେ, ଆଉ ଯଦି ସେହି ବ୍ୟକ୍ତି ଏହି ମନ୍ଦିର ଆଡ଼େ ଗ୍ଭହିଁ ତାହାର ହସ୍ତ ପ୍ରସାର କରେ, 30 ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ, ଯେଉଁଠାରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରତ୍ୟେକ ବ୍ୟକ୍ତିକୁ ତାହାର ପ୍ରାପ୍ୟନୁସାରେ ଦିଅ। କେବଳ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ୟକ୍ତିର ହୃଦୟରେ କ’ଣ ଅଛ। 31 ତେବେ ତୁମ୍ଭେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ଦେଶରେ ଲୋକମାନେ ଯେତେକାଳ ବାସ କରିବେ, ସେତେଦିନ ପର୍ଯ୍ୟନ୍ତ ସେମାନେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭକୁ ମାନିବେ।
32 “ହୁଏତ ଜଣେ ଅପରିଚିତ ବ୍ୟକ୍ତି ଥାଇପାରେ, ଯିଏ ଜଣେ ଇସ୍ରାଏଲୀୟ ହୋଇ ନ ଥିବ, କିନ୍ତୁ ଏକ ଦୂର ଦେଶରୁ ଏଠାକୁ ଆସିଥାଇପାରେ। ସେହି ବିଦେଶୀ ବ୍ୟକ୍ତି ତୁମ୍ଭର ମହାନ ନାମ, ତୁମ୍ଭର ମହାନ ଶକ୍ତି ଓ ଲୋକମାନଙ୍କୁ ବିପଦରୁ ଉଦ୍ଧାର କରିବା ତୁମ୍ଭର ସାମର୍ଥ୍ୟ ଶୁଣି ଆସିପାରେ। ଯେତେବେଳେ ସେହି ବ୍ୟକ୍ତି ଆସିବ ଓ ଏହି ମନ୍ଦିର ଆଡ଼କୁ ଗ୍ଭହିଁ ପ୍ରାର୍ଥନା କରିବ, 33 ତେବେ ତୁମ୍ଭେ ଯେଉଁ ସ୍ୱର୍ଗରେ ବାସ କର, ସେଠାରେ ଥାଇ, ସେହି ବିଦେଶୀ ବ୍ୟକ୍ତିର କଥା ଶୁଣ ଓ ତାହାର ପ୍ରାର୍ଥନାରେ ଉତ୍ତର ଦିଅ। ତେବେ ତୁମ୍ଭର ଲୋକ ଇସ୍ରାଏଲ ଯେପରି ତୁମ୍ଭକୁ ସମ୍ମାନ କରନ୍ତି, ସେହିପରି ସାରା ପୃଥିବୀର ଲୋକମାନେ ତୁମ୍ଭର ନାମକୁ ଜାଣିବେ, ଓ ତୁମ୍ଭକୁ ସମ୍ମାନ କରିବେ। ଆଉ, ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଯେ ତୁମ୍ଭ ନାମରେ ନାମିତ, ଏହା ପୃଥିବୀସ୍ଥ ସମସ୍ତ ଲୋକ ଜାଣିବେ।
34 “ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ସେମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଏକ ସ୍ଥାନକୁ ପ୍ରେରଣ କରିବ। ସେମାନେ ତୁମ୍ଭ ଦ୍ୱାରା ମନୋନୀତ ଏହି ନଗର ଓ ତୁମ୍ଭ ନାମ ନିମନ୍ତେ ମୁଁ ନିର୍ମାଣ କରିଥିବା ଏହି ମନ୍ଦିର ଆଡ଼େ ଗ୍ଭହିଁ ତୁମ୍ଭ ନିକଟରେ ପ୍ରାର୍ଥନା କରିବେ। 35 ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ। ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିବା ସମୟରେ ସେମାନଙ୍କ ବିନତି ଶୁଣ। ଆଉ, ସେମାନଙ୍କୁ ସାହାଯ୍ୟ କର।
36 “ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଏପରି ବ୍ୟକ୍ତି କେହି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସେମାନଙ୍କ ଉପରେ କ୍ରୋଧ କରିବ। ତୁମ୍ଭେ ଜଣେ ଶତ୍ରୁଦ୍ୱାରା ସେମାନଙ୍କୁ ପରାଜିତ କରାଇବ, ଆଉ ସେମାନଙ୍କୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ଯିବାକୁ ହେବ। 37 କିନ୍ତୁ ତାହାପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସେମାନେ କହିବେ, ‘ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଭୁଲ୍ କରିଅଛୁ ଓ ଆମ୍ଭେମାନେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।’ 38 ଆଉ, ତା'ପରେ ସେମାନେ ବନ୍ଦୀରୂପେ ରହିଥିବା ଦେଶରେ ସେମାନଙ୍କର ସମସ୍ତ ହୃଦୟ ଓ ଆତ୍ମା ସହିତ ତୁମ୍ଭ ନିକଟକୁ ଫେରିବେ। ଆଉ ସେମାନେ ସେମାନଙ୍କର ଦେଶ, ଯେଉଁ ଦେଶ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲ ଓ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଗ୍ଭହିଁ ପ୍ରାର୍ଥନା କରିବେ। ଆଉ ମୁଁ ତୁମ୍ଭ ନାମ ନିମନ୍ତେ ନିର୍ମାଣ କରିଥିବା ମନ୍ଦିର ଆଡ଼େ ଗ୍ଭହିଁ ସେମାନେ ପ୍ରାର୍ଥନା କରିବେ। 39 ଯେତେବେଳେ ଏହା ଘଟିବ, ସ୍ୱର୍ଗରେ ଥାଇ ତୁମ୍ଭେ ତାହା ଶୁଣିବ, ସେମାନେ ସାହାଯ୍ୟ ନିମନ୍ତେ ଅନୁରୋଧ କଲେ, ସେମାନଙ୍କର ପ୍ରାର୍ଥନା ଗ୍ରହଣ କର। ଆଉ ସେମାନଙ୍କୁ ସାହାଯ୍ୟ କର। ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ଲୋକମାନଙ୍କୁ କ୍ଷମା କର। 40 ବର୍ତ୍ତମାନ, ହେ ମୋର ପରମେଶ୍ୱର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବେଦନ କରେ। ଆମ୍ଭେମାନେ ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।
41 “ହେ ସଦାପ୍ରଭୁ ପରମେଶ୍ୱର, ବର୍ତ୍ତମାନ ଜାଗ୍ରତ ହୁଅ,
ନିୟମ-ସିନ୍ଦୁକ ଯାହାକି ତୁମ୍ଭର ଶକ୍ତି ପ୍ରଦର୍ଶନ କରେ, ତୁମ୍ଭର ସେହି ବିଶେଷ ସ୍ଥାନକୁ ଆସ।
ତୁମ୍ଭର ଯାଜକଗଣ ପରିତ୍ରାଣ ଦ୍ୱାରା ସଜ୍ଜିତ ହୁଅନ୍ତୁ।
ତୁମ୍ଭର ସତ୍ ଅନୁଗାମୀଗଣ, ଏହି ସମସ୍ତ ଉତ୍ତମ ବିଷୟରେ ଆନନ୍ଦିତ ହୁଅନ୍ତୁ।
42 ସଦାପ୍ରଭୁ ପରମେଶ୍ୱର, ତୁମ୍ଭର ଅଭିଷିକ୍ତ ରାଜାକୁ ଗ୍ରହଣ କର।
ତୁମ୍ଭର ଅନୁଗତ ଦାସ ଦାଉଦଙ୍କୁ ସ୍ମରଣ କର!”
ମନ୍ଦିର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା
7 ଶଲୋମନ ପ୍ରାର୍ଥନା କରି ସାରିବା ପରେ ଆକାଶରୁ ଅଗ୍ନି ଆସି ହୋମବଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା। 2 ସଦାପ୍ରଭୁଙ୍କ ମହିମା ମନ୍ଦିରକୁ ପୂର୍ଣ୍ଣ କରିଥିବାରୁ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିଲେ ନାହିଁ। 3 ଇସ୍ରାଏଲର ସମସ୍ତ ଲୋକ ସ୍ୱର୍ଗରୁ ଅଗ୍ନି ପଡ଼ିବା ଦେଖିଲେ। ଇସ୍ରାଏଲର ଲୋକମାନେ ମନ୍ଦିର ଉପରେ ସଦାପ୍ରଭୁଙ୍କ ମହିମାକୁ ମଧ୍ୟ ଦେଖି ପାରିଲେ। ସେମାନେ ଭୂମି ଉପରେ ସେମାନଙ୍କର ମୁଣ୍ଡ ନୁଆଇଁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କର ଉପାସନା ଓ ଧନ୍ୟବାଦ କଲେ। ସେମାନେ ଗାଇଲେ,
“ସଦାପ୍ରଭୁ ଉତ୍ତମ ଅଟନ୍ତି
ଓ ତାଙ୍କର ଦୟା ଚିରକାଳ ନିମନ୍ତେ ଅବିରତ ରହିଥାଏ।”
4 ଏହା ପରେ ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ। 5 ରାଜା ଶଲୋମନ 22,000 ବଳଦ ଓ 120,000 ମେଣ୍ଢା ଉତ୍ସର୍ଗ କଲେ। ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ସମର୍ପଣ କଲେ। 6 ଯାଜକମାନେ ସେମାନଙ୍କର କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଠିଆ ହୋଇ ରହିଥିଲେ। ଲେବୀୟଗଣ ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକ ସହିତ ଠିଆ ହୋଇ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଯାଜକ ଓ ଲେବୀୟମାନେ କହୁଥିଲେ, “ସଦାପ୍ରଭୁଙ୍କ ପ୍ରେମ ଚିରକାଳସ୍ଥାୟୀ ଅଟେ!” ସେମାନେ ଲେବୀୟମାନଙ୍କ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗରେ ଠିଆ ହୋଇ ତୂରୀ ବଜାଇଲେ।
7 ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗରେ ବେଦିକୁ ଧାର୍ମିକ କାର୍ଯ୍ୟ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖରେ ଥିଲା। ସେଠାରେ ଶଲୋମନ ହୋମବଳି ଓ ସହଭାଗିତାର ନୈବେଦ୍ୟର ଚର୍ବ୍ବୀ ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ୟଭାଗକୁ ବ୍ୟବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ଯଜ୍ଞବେଦି ନିର୍ମାଣ କରିଥିଲେ, ତାହା ହୋମବଳି, ଶସ୍ୟ ନୈବେଦ୍ୟ ଓ ଚର୍ବ୍ବୀକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।
8 ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। ଶଲୋମନଙ୍କ ସହିତ ଲୋକମାନଙ୍କର ଏକ ବିରାଟ ସମାବେଶ ହେଲା। ସେହି ଲୋକମାନେ ଲିବୋ-ହମାତ୍ ଓ ମିଶରର ସୀମାରୁ ଆସିଥିଲେ। 9 ଅଷ୍ଟମ ଦିନରେ ସେମାନେ ଏକ ପବିତ୍ର ସଭା କଲେ, କାରଣ ସେମାନେ ସାତ ଦିନ ଯଜ୍ଞବେଦିକୁ ଉତ୍ସର୍ଗ କରିବାରେ କଟାଇଲେ। ଆଉ ସେମାନେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଉତ୍ସବ ପାଳନ କଲେ। 10 ସପ୍ତମ ମାସର ତେଇଶତମ ଦିନରେ ଶଲୋମନ ଲୋକମାନଙ୍କୁ ସେମାନଙ୍କ ଗୃହମାନଙ୍କୁ ପଠାଇ ଦେଲେ। ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସେମାନଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ଥିଲା, କାରଣ ସଦାପ୍ରଭୁ ଦାଉଦ, ଶଲୋମନ ଓ ତାଙ୍କ ଲୋକ ଇସ୍ରାଏଲ ପ୍ରତି ଅତ୍ୟନ୍ତ ମଙ୍ଗଳମୟ ହୋଇଥିଲେ।
ସଦାପ୍ରଭୁ ଶଲୋମନଙ୍କ ନିକଟକୁ ଆସିଲେ
11 ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ୱଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସେହି ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବାରେ ସଫଳ ହେଲା। 12 ଏହା ପରେ ସଦାପ୍ରଭୁ ରାତ୍ରି ସମୟରେ ଶଲୋମନଙ୍କ ନିକଟକୁ ଆସିଲେ।
ସଦାପ୍ରଭୁ ତାଙ୍କୁ କହିଲେ, “ଶଲୋମନ, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଏବଂ ଆମ୍ଭେ ଏହି ସ୍ଥାନକୁ ମନ୍ଦିର ରୂପେ ମନୋନୀତ କରିଅଛୁ। ଯେଉଁଠାରେ ଲୋକମାନେ ମୋତେ ନୈବେଦ୍ୟ ଉତ୍ସର୍ଗ କରି ପାରିବେ। 13 ଯେତେବେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ରେରଣ କରୁ, 14 ସେତେବେଳେ ଯଦି ଆମ୍ଭ ନାମରେ ନାମିତ ଲୋକମାନେ ନମ୍ର ହୋଇ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖୋଜିବେ, ଆଉ ସେମାନଙ୍କର ମନ୍ଦ ପଥରୁ ଫେରି ଆସିବେ, ସେତେବେଳେ ଆମ୍ଭେ ସ୍ୱର୍ଗରୁ ସେମାନଙ୍କର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସେମାନଙ୍କର ପାପସବୁ କ୍ଷମା କରିବା ଓ ଆମ୍ଭେ ସେମାନଙ୍କର ଦେଶକୁ ସୁସ୍ଥ କରିବା। 15 ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହେବ ଓ ଏହି ସ୍ଥାନରେ ଯେଉଁସବୁ ପ୍ରାର୍ଥନା କରାଯିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ୟାନପୂର୍ବକ ଶୁଣିବ। 16 ଆମ୍ଭେ ଏହି ମନ୍ଦିରକୁ ମନୋନୀତ କରୁଅଛୁ ଏବଂ ଆମ୍ଭ ନାମ ଯେପରି ଚିରକାଳ ନିମନ୍ତେ ଏହି ସ୍ଥାନରେ ରହିବ, ସେଥିନିମନ୍ତେ ଆମ୍ଭେ ଏହାକୁ ପବିତ୍ର କରିଅଛୁ। ହଁ, ଆମ୍ଭ ଚକ୍ଷୁ ଓ ହୃଦୟ ଏହି ମନ୍ଦିରରେ ସଦାସର୍ବଦା ରହିବ। 17 “ବର୍ତ୍ତମାନ ହେ ଶଲୋମନ, ତୁମ୍ଭେ ତୁମ୍ଭର ପିତା ଦାଉଦଙ୍କ ତୁଲ୍ୟ ଯଦି ଆମ୍ଭ ସମ୍ମୁଖରେ ଜୀବନଯାପନ କରିବ ଓ ଆମ୍ଭେ ଯେ ସମସ୍ତ ଆଦେଶ ଦେଇଅଛୁ, ତାହା ସବୁ ମାନିବ ଏବଂ ଯଦି ତୁମ୍ଭେ ଆମ୍ଭର ସମସ୍ତ ନିୟମ ଓ ନୀତି ପାଳନ କରିବ, 18 ତା'ହେଲେ ଆମ୍ଭେ ତୁମ୍ଭର ରାଜ୍ୟକୁ ମହାନ କରିବା। ଆମ୍ଭେ ତୁମ୍ଭର ପିତା ଦାଉଦଙ୍କ ସହିତ ଏହି ଚୁକ୍ତି କରିଥିଲୁ। ଆମ୍ଭେ ତାଙ୍କୁ କହିଥିଲୁ, ‘ଦାଉଦ, ତୁମ୍ଭ ବଂଶରୁ ସର୍ବଦା ଜଣେ ବ୍ୟକ୍ତି ଇସ୍ରାଏଲର ରାଜା ହେବ।’
19 “କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦେଇଥିବା ଆଦେଶ ଓ ବ୍ୟବସ୍ଥାକୁ ବାଧ୍ୟ ହେବ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦେବତାମାନଙ୍କର ସେବା ଓ ଉପାସନା କରିବ, 20 ତେବେ ଆମ୍ଭେ ଇସ୍ରାଏଲର ଲୋକଙ୍କୁ ଯେଉଁ ଦେଶ ଦେଇଅଛୁ, ଆମ୍ଭର ସେହି ଦେଶରୁ ସେମାନଙ୍କୁ ବାହାର କରିଦେବା। ଆଉ ଆମ୍ଭେ ଆମ୍ଭର ନାମ ନିମନ୍ତେ ପବିତ୍ର କରିଥିବା ଏହି ମନ୍ଦିରକୁ ପରିତ୍ୟାଗ କରିବା। ଆମ୍ଭେ ଏହି ମନ୍ଦିରକୁ ଏପ୍ରକାର କରିବା ଯେ, ସବୁ ଜାତିର ଲୋକମାନେ ଏହାକୁ ତାଚ୍ଛଲ୍ୟ କରିବେ। 21 ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’ 22 ତେବେ ଲୋକମାନେ ଉତ୍ତର ଦେଇ କହିବେ, ‘କାରଣ ଲୋକମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯାହାଙ୍କୁ ସେମାନଙ୍କର ପୂର୍ବପୁରୁଷମାନେ ମାନୁଥିଲେ। ସେହି ପରମେଶ୍ୱର ହିଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଏଲର ଲୋକମାନେ ଅନ୍ୟ ଲୋକମାନଙ୍କର ଦେବତାମାନଙ୍କୁ ଗ୍ରହଣ କଲେ। ସେମାନେ ଅନ୍ୟ ଦେବତାମାନଙ୍କର ଉପାସନା ଓ ସେବା କଲେ। ଏଥିନିମନ୍ତେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।”
ଶଲୋମନ ନିର୍ମାଣ କରିଥିବା ନଗର ସକଳ
8 ସଦାପ୍ରଭୁଙ୍କ ମନ୍ଦିର ଓ ନିଜର ଗୃହ ନିର୍ମାଣ କରିବା ନିମନ୍ତେ ଶଲୋମନଙ୍କୁ 20 ବର୍ଷ ଲାଗିଲା। 2 ଏହା ପରେ ହୂରମ୍ ରାଜା ଦେଇଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇସ୍ରାଏଲୀୟ ଲୋକଙ୍କୁ ଅନୁମତି ଦେଲେ। 3 ଏହା ପରେ ଶଲୋମନ ସୋବାସ୍ଥିତ ହମାତ୍କୁ ଗଲେ ଓ ତାହାକୁ ଅଧିକାର କଲେ। 4 ଶଲୋମନ ମଧ୍ୟ ମରୁଭୂମି ମଧ୍ୟରେ ତଦ୍ମୋର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ରେ ସମସ୍ତ ସହର ନିର୍ମାଣ କଲେ। 5 ଶଲୋମନ ଊର୍ଦ୍ଧ୍ୱସ୍ଥ ବୈଥ୍-ହୋରଣ୍ ଓ ନୀଚ୍ଚସ୍ଥ ବୈଥ୍-ହୋରଣର ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗରେ ପରିଣତ କଲେ। ସେହି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ୱାର ଓ ଦ୍ୱାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା। 6 ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠାରେ ସେ ସୈନ୍ୟମାନଙ୍କ ଛାଉଣି ପକାଇଥିଲେ। ସେ ଆହୁରି ଅନେକ ନଗରସବୁ ନିର୍ମାଣ କଲେ, ଯେଉଁଠାରେ ଯୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ୱାରୋହୀମାନେ ବାସ କରୁଥିଲେ। ଶଲୋମନ ଯିରୁଶାଲମ, ଲିବାନୋନ୍ରେ ଓ ସେ ରାଜା ଥିବା ସମସ୍ତ ଦେଶରେ ଯାହା ନିର୍ମାଣ କରିବାକୁ ଗ୍ଭହିଁଲେ, ତାହା ନିର୍ମାଣ କଲେ।
7 ସେଠାରେ ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ବାସ କରୁଥିଲେ। ସେମାନେ ଇସ୍ରାଏଲୀୟ ନୁହନ୍ତି। 8 ସେମାନେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧର, ଯେଉଁମାନେ ସେ ପର୍ଯ୍ୟନ୍ତ ସେହି ଭୂମିରେ ଥିଲେ ଏବଂ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ବଧ କରାଯାଇ ନ ଥିଲେ। ଶଲୋମନ ସେହି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ୟ କଲେ। ସେମାନେ ଆଜି ପର୍ଯ୍ୟନ୍ତ କ୍ରୀତଦାସ ଅଛନ୍ତି। 9 ଶଲୋମନ ଇସ୍ରାଏଲର ଲୋକମାନଙ୍କୁ କ୍ରୀତଦାସ ହେବା ନିମନ୍ତେ ବାଧ୍ୟ କଲେ ନାହିଁ। ଇସ୍ରାଏଲର ଲୋକମାନେ ଶଲୋମନଙ୍କର ଦୁର୍ଦ୍ଦଷ ଯୋଦ୍ଧା ଥିଲେ। ସେମାନେ ଶଲୋମନଙ୍କର ସାମରିକ ବାହିନୀର ପଦାଧିକାରୀ ଥିଲେ। ସେମାନେ ଶଲୋମନଙ୍କର ଯୁଦ୍ଧ ରଥର ସେନାପତି ଥିଲେ। 10 ଆଉ, ଇସ୍ରାଏଲର କିଛି ଲୋକଙ୍କୁ ଶ୍ରମିକମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ନିଯୁକ୍ତ କରିଥିଲେ। ସେଠାରେ 250 ଜଣ ତଦାରଖକାରୀ ଥିଲେ।
11 ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ୟାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, “ମୋର ସ୍ତ୍ରୀ ଇସ୍ରାଏଲର ରାଜା ଦାଉଦଙ୍କ ଗୃହରେ ବାସ କରିବ ନାହିଁ, କାରଣ ଯେଉଁ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କର ବିଶେଷ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।”
12 ଏହା ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖରେ ସେହି ବଳିବେଦି ନିର୍ମାଣ କରିଥିଲେ। 13 ମୋଶା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ଶଲୋମନ ସେହି ପ୍ରକାରେ ପ୍ରତ୍ୟେକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ୟା ଉତ୍ସବ ଓ ତ୍ରୟବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରୟବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ୟ ରୋଟୀର ପର୍ବ, ସପ୍ତାହବ୍ୟାପି ପର୍ବ ଓ ଆଶ୍ରୟଦାୟକ ପର୍ବ। 14 ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦେଶାବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଶଲୋମନ ଲେବୀୟମାନଙ୍କୁ ମଧ୍ୟ ସେମାନଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କଲେ। ଲେବୀୟମାନଙ୍କର କାର୍ଯ୍ୟ ଥିଲା ପ୍ରଶଂସା ଗାନରେ ନେତୃତ୍ୱ ଦେବା ଓ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ଦୈନନ୍ଦିନ ଯେଉଁ ବିଷୟମାନ କରାଯାଏ, ସେଥିରେ ଯାଜକମାନଙ୍କୁ ସାହାଯ୍ୟ କରିବା। ଆଉ ଶଲୋମନ ଦ୍ୱାର ନିକଟରେ ସେବାକାର୍ଯ୍ୟ କରିବା ନିମନ୍ତେ ଦ୍ୱାରପାଳମାନଙ୍କୁ ସେମାନଙ୍କର ଦଳ ଅନୁଯାୟୀ ମନୋନୀତ କଲେ। ପରମେଶ୍ୱରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 15 ଯାଜକ ଓ ଲେବୀୟମାନେ ଠିକ୍ ସେହିପରି କଲେ, ଯାହା ଶଲୋମନ ସେମାନଙ୍କୁ ମନ୍ଦିରରେ ଏବଂ ଏହାର କୋଷାଗାରରେ କରିବା ପାଇଁ କହିଥିଲେ।
16 ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ଦିନଠାରୁ ସଦାପ୍ରଭୁଙ୍କ ମନ୍ଦିର ଶେଷ ନ ହେଲା ପର୍ଯ୍ୟନ୍ତ ଶଲୋମନଙ୍କର ସମସ୍ତ କାର୍ଯ୍ୟ ଭଲ ଭାବରେ କରାଗଲା।
17 ଏହା ପରେ ଶଲୋମନ ଇତ୍ସିୟୋନ-ଗେବର ଓ ଏଲତ ସହରମାନଙ୍କୁ ଗଲେ। ସେହି ସହରଗୁଡ଼ିକ ଇଦୋମ ଦେଶରେ ସମୁଦ୍ର ନିକଟରେ ଥିଲା। 18 ହୂରମ୍ ଶଲୋମନଙ୍କ ନିକଟକୁ ଜାହାଜ ସବୁ ପଠାଇଲେ। ହୂରମ୍ଙ୍କ ନିଜସ୍ୱ ଲୋକମାନେ ଜାହାଜଗୁଡ଼ିକୁ ବାହିଲେ। ହୂରମ୍ଙ୍କ ଲୋକମାନେ ଦକ୍ଷ ନାବିକ ଥିଲେ। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କର ଦାସମାନଙ୍କ ସହିତ ଓଫୀରକୁ ଗଲେ ଓ ସେଠାରୁ ରାଜା ଶଲୋମନଙ୍କ ନିମନ୍ତେ 450 ତାଳନ୍ତ ସୁନା ଆଣିଲେ।
2010 by World Bible Translation Center