Beginning
ମନ୍ଦିର ଓ ପ୍ରାସାଦ ନିର୍ମାଣ ନିମନ୍ତେ ଶଲୋମନଙ୍କ ଯୋଜନା
2 ସଦାପ୍ରଭୁଙ୍କ ନାମକୁ ସମ୍ମାନିତ କରିବା ନିମନ୍ତେ ଶଲୋମନ ଏକ ମନ୍ଦିର ନିର୍ମାଣ କରିବାକୁ ଯୋଜନା କଲେ। ଆହୁରି ମଧ୍ୟ ନିଜ ନିମନ୍ତେ ଏକ ରାଜକୀୟ ଗୃହ ନିର୍ମାଣ କରିବାକୁ ଶଲୋମନ ଯୋଜନା କଲେ। 2 ଶଲୋମନ ପର୍ବତଗୁଡ଼ିକରୁ ପଥର କାଟିବା ନିମନ୍ତେ 70,000 ଶ୍ରମିକ ଓ 80,000 ପଥରକଟାଳୀ ସଂଗ୍ରହ କଲେ। ଆଉ ତଦାରଖ କାର୍ଯ୍ୟ କରିବା ନିମନ୍ତେ 3,600 ତଦାରଖକାରୀଙ୍କୁ ମନୋନୀତ କଲେ।
3 ଏହା ପରେ ଶଲୋମନ, ହୂରମ୍ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ।
ଶଲୋମନ କହିଲେ, “ମୋର ବାପା ଦାଉଦଙ୍କୁ ସାହାଯ୍ୟ କଲାପରି ମୋତେ ମଧ୍ୟ ସାହାଯ୍ୟ କର। ତୁମ୍ଭେ ଦେବଦାରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରି ପାରନ୍ତି। 4 ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନାମକୁ ସମ୍ମାନ ଦେବା ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିରରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜଳାଇବୁ ଏବଂ ବିଶେଷ ମେଜ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭେମାନେ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ, ପ୍ରତ୍ୟେକ ବିଶ୍ରାମ ଦିନରେ, ପ୍ରତ୍ୟେକ ଅମାବାସ୍ୟା ଦିନରେ ଏବଂ ଅନ୍ୟାନ୍ୟ ପର୍ବ ଦିନରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ହୋମବଳି ଦେବୁ। ଇସ୍ରାଏଲ ଚିରଦିନ ଏହା କରିବ।
5 “ଆମ୍ଭର ପରମେଶ୍ୱର ଅନ୍ୟ ସମସ୍ତ ଦେବତାଗଣ ଅପେକ୍ଷା ମହାନ ଅଟନ୍ତି। ତେଣୁ ମୁଁ ତାଙ୍କ ନିମନ୍ତେ ଏକ ବିରାଟ ମନ୍ଦିର ନିର୍ମାଣ କରିବି। 6 ବାସ୍ତବରେ କୌଣସି ବ୍ୟକ୍ତି ଆମ୍ଭର ପରମେଶ୍ୱରଙ୍କୁ ଭିତରେ ରଖିବା ପାଇଁ ଏକ ଗୃହ ନିର୍ମାଣ କରି ପାରିବ ନାହିଁ। ଏପରିକି ସ୍ୱର୍ଗ ବା ସର୍ବୋଚ୍ଚ ସ୍ୱର୍ଗ ମଧ୍ୟ ତାଙ୍କୁ ଧାରଣ କରି ପାରିବ ନାହିଁ। ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରି ପାରିବି ନାହିଁ। କେବଳ ତାଙ୍କଠାରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଏକ ସ୍ଥାନ ନିର୍ମାଣ କରିପାରେ।
7 “ବର୍ତ୍ତମାନ, ଆପଣ ମୋ’ ନିକଟକୁ ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଓ ଲୌହ କର୍ମରେ ପାରଦର୍ଶୀ ଏକ ବ୍ୟକ୍ତିକୁ ପଠାଇବାକୁ ମୁଁ ଗ୍ଭହେଁ। ସେହି ବ୍ୟକ୍ତି ବାଇଗଣୀ, ଲାଲ୍ ଏବଂ ନୀଳ ବର୍ଣ୍ଣର ଲୁଗାରେ କାର୍ଯ୍ୟ କରିପାରୁଥିବା ଆବଶ୍ୟକ। ମୋର ବାପାଙ୍କ ଦ୍ୱାରା ମନୋନୀତ କାରିଗରମାନଙ୍କ ସହ ସେହି ବ୍ୟକ୍ତି ଯିହୁଦା ଏବଂ ଯିରୁଶାଲମରେ କାର୍ଯ୍ୟ କରିବ। 8 ଆହୁରି ମଧ୍ୟ ଲିବାନୋନ୍ରୁ ମୋ’ ନିକଟକୁ ଦେବଦାରୁ ଏବଂ ଚନ୍ଦନ ଗଛର କାଠ ପଠାନ୍ତୁ। ତୁମ୍ଭର ଦାସମାନେ ଲିବାନୋନ୍ର କାଠଗଣ୍ଡି କାଟି ଆଣିବାରେ ସିଦ୍ଧ ହସ୍ତ, ଏହା ମୁଁ ଜାଣେ। ମୋର ଦାସମାନେ, ତୁମ୍ଭର ଦାସମାନଙ୍କୁ ସାହାଯ୍ୟ କରିବେ। 9 ମୁଁ ବହୁତ ପରିମାଣର କାଠ ଆବଶ୍ୟକ କରେ; କାରଣ ଯେଉଁ ମନ୍ଦିର ମୁଁ ନିର୍ମାଣ କରୁଛି, ତାହା ବହୁତ ବଡ଼ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ହେବ। 10 କାଠଗଣ୍ଡି ନିମନ୍ତେ ଗଛ କାଟିବା ପାଇଁ ମୁଁ ଏହିଭଳି ଭାବରେ ତୁମ୍ଭ ଦାସମାନଙ୍କୁ ମୂଲ୍ୟ ଦେଇପାରେ। ମୁଁ ସେମାନଙ୍କ ଖାଦ୍ୟ ନିମନ୍ତେ 20,000 ମହଣ ଗହମ, ଓ 20,000 ମହଣ ଦ୍ରାକ୍ଷାରସ ଏବଂ ତୈଳ 20,000 ମହଣ ପ୍ରଦାନ କରିବି।”
11 ତା'ପରେ ସୋରର ରାଜା ହୂରମ୍, ଶଲୋମନ ନିକଟକୁ ଏକ ଲିଖିତ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତା ଥିଲା:
“ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଭଲ ପାଆନ୍ତି। ସେଥିପାଇଁ ସେ ତୁମ୍ଭକୁ ରାଜା ରୂପେ ମନୋନୀତ କରିଅଛନ୍ତି।” 12 ହୂରମ୍ ଆହୁରି ମଧ୍ୟ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କର। ସେ ସ୍ୱର୍ଗ ଓ ମର୍ତ୍ତ୍ୟ ସୃଷ୍ଟି କଲେ। ସେ ରାଜା ଦାଉଦଙ୍କୁ ଏକ ଜ୍ଞାନୀ ପୁତ୍ର ଦେଲେ, ଜଣେ ପୁତ୍ର ଯାହାର ଜ୍ଞାନ ଓ ବୁଝାମଣା ଶକ୍ତି ଅଛି। ସେହି ପୁତ୍ର ସଦାପ୍ରଭୁଙ୍କ ନିମନ୍ତେ ଏକ ମନ୍ଦିର ଏବଂ ନିଜ ନିମନ୍ତେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରୁଛନ୍ତି। 13 ମୁଁ ମୋର ବାପାଙ୍କ କାରିଗରମାନଙ୍କ ମଧ୍ୟରୁ ଜଣକୁ ତୁମ୍ଭ ନିକଟକୁ ପଠାଇବି। 14 ତାଙ୍କର ମା’ ଦାନ୍ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ଯ୍ୟ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରି ପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ଯ୍ୟ କରିବେ।
15 “ମହାଶୟ, ବର୍ତ୍ତମାନ ଆମକୁ ଗହମ, ବାର୍ଲି, ତୈଳ ଓ ଦ୍ରାକ୍ଷାରସ ଦିଅନ୍ତୁ, ଯାହା ଆପଣ ଦେବାକୁ ପ୍ରତିଜ୍ଞା କଲେ। ଏହି ଦ୍ରବ୍ୟସବୁ ମୋର ଦାସମାନଙ୍କୁ ଦିଅ। 16 ଆଉ ଆମ୍ଭେ ଲିବାନୋନ୍ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଗ୍ଭହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦେଇ କାଠ ଭେଳାରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା'ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ଯିରୁଶାଲମକୁ ନେଇଯିବ।”
17 ଏହା ପରେ ଇସ୍ରାଏଲ ଦେଶରେ ରହୁଥିବା ପ୍ରତ୍ୟେକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାଯାଇଥିଲା। ସେମାନେ ଦେଶରେ 153,600 ବିଦେଶୀଙ୍କୁ ପାଇଲେ। 18 ଶଲୋମନ 70,000 ବିଦେଶୀଙ୍କୁ ଜିନିଷ ବୋହିବା ନିମନ୍ତେ ବାଛିଲେ। ଶଲୋମନ 80,000 ବିଦେଶୀଙ୍କୁ ପର୍ବତରୁ ପଥର କାଟିବା ନିମନ୍ତେ ବାଛିଲେ। ଆଉ ଶଲୋମନ 3,600 ବିଦେଶୀ ଲୋକଙ୍କୁ କାର୍ଯ୍ୟ କରାଇବା ନିମନ୍ତେ ପର୍ଯ୍ୟବେକ୍ଷକ ରୂପେ ବାଛିଲେ।
ଶଲୋମନ ମନ୍ଦିର ନିର୍ମାଣ କରନ୍ତି
3 ଯିରୁଶାଲମର ମୋରିୟା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହି ମୋରିୟା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହୋଇଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସେହି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସେହି ସ୍ଥାନଟି ଯିବୂଷୀୟ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା। 2 ଶଲୋମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ଦ୍ୱିତୀୟ ମାସରେ ସେ କାର୍ଯ୍ୟ ଆରମ୍ଭ କଲେ।
3 ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ୟବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନେଲାବେଳକୁ ପୁରୁଣା ମାପର ବ୍ୟବହାର କରିଥିଲେ। 4 ମନ୍ଦିରର ସମ୍ମୁଖ ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସମ୍ମୁଖ ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଢାଙ୍କି ଥିଲେ। 5 ବଡ଼ କୋଠରୀର କାନ୍ଥରେ ଶଲୋମନ ଦେବଦାରୁ କାଠର ଆସ୍ତରଣ ଦେଇ ତା’ ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥିରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ। 6 ସୌନ୍ଦର୍ଯ୍ୟତା ନିମନ୍ତେ ମନ୍ଦିରରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ୟବହାର କରୁଥିଲେ, ସେଗୁଡ଼ିକ ପର୍ବୟିମ ଦେଶରୁ ଆସିଥିଲା। 7 କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ୱାରସବୁ ଶଲୋମନ ସୁବର୍ଣ୍ଣରେ ଆଚ୍ଛାଦନ କଲେ। କାନ୍ଥରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ।
8 ଏହା ପରେ ଶଲୋମନ ମହାପବିତ୍ର ସ୍ଥାନ ନିର୍ମାଣ କଲେ। ଏହା ମହାପବିତ୍ର ସ୍ଥଳର ଦୈର୍ଘ୍ୟ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ମଡ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା। 9 ସ୍ୱର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ୟ ସୁନାରେ ଆଚ୍ଛାଦନ କଲେ। 10 ଶଲୋମନ ମହାପବିତ୍ର ସ୍ଥାନରେ ସ୍ଥାପନ କରିବା ନିମନ୍ତେ ଦୁଇଟି କିରୂବ ମୂର୍ତ୍ତି ନିର୍ମାଣ କଲେ। କାରିଗରମାନେ ଏହି କିରୁବଦୂତଗଣଙ୍କର ମୂର୍ତ୍ତିଗୁଡ଼ିକୁ ସୁନାରେ ଆଚ୍ଛାଦନ କଲେ। 11 ଏହି କିରୁବଦୂତଗଣଙ୍କ ଡେଣା ପାଞ୍ଚ ହାତ ଲମ୍ବ ଥିଲା। ଡେଣାମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡେଣା କୋଠରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂରରେ ଥିଲା। 12 ଦ୍ୱିତୀୟ କିରୁବଦୂତଗଣର ଗୋଟିଏ ଡେଣା କୋଠରୀର ଆର ପାର୍ଶ୍ୱର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। ଦ୍ୱିତୀୟ କିରୁବଦୂତଗଣର ଅନ୍ୟ ଡେଣାଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡେଣାକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। 13 ଏହି କିରୁବଦୂତଗଣଙ୍କର ଡେଣା ମୋଟରେ କୋଡ଼ିଏ ହାତ ସ୍ଥାନ ଆଚ୍ଛାଦନ କରୁଥିଲା। ଏହି କିରୁବଦୂତଗଣ ମନ୍ଦିର ଆଡ଼କୁ ମୁହଁକରି ଛିଡ଼ା ହୋଇଥିଲେ।
14 ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାମୀ ବସ୍ତ୍ର ବ୍ୟବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବଦୂତଗଣର ଆକୃତି ବୁଣିଲେ।
15 ଶଲୋମନ ମନ୍ଦିରର ସମ୍ମୁଖରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ୍ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା। 16 ଶଲୋମନ ହାର ପରି ଜଞ୍ଜିର ବନାଇଲେ। ଏହି ଜଞ୍ଜିରକୁ ସ୍ତମ୍ଭ ଦୁଇଟିର ଉପରି ଭାଗରେ ରଖିଲେ। ଶଲୋମନ 100ଟି ଡାଳିମ୍ବ ଆକୃତି ଚିତ୍ର ବନାଇଲେ ଏବଂ ସେଗୁଡ଼ିକୁ ଜଞ୍ଜିରରେ ଲଗାଇଲେ। 17 ଏହା ପରେ ଶଲୋମନ ମନ୍ଦିର ସମ୍ମୁଖରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାର୍ଶ୍ୱରେ ଓ ଅନ୍ୟଟି ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହେଲା। ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ତମ୍ଭର ନାମ ଶଲୋମନ “ଯାଖୀନ୍” ରଖିଲେ। ଏବଂ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଶଲୋମନ “ବୋୟସ୍” ରଖିଲେ।
ମନ୍ଦିର ନିମନ୍ତେ ଆସବାବପତ୍ର
4 ଶଲୋମନ ଏକ ଯଜ୍ଞବେଦି ନିର୍ମାଣ ନିମନ୍ତେ ପିତ୍ତଳ ବ୍ୟବହାର କଲେ। ସେହି ପିତ୍ତଳର ବେଦିଟି କୋଡ଼ିଏ ହାତ ଲମ୍ବା, କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା। 2 ଏହା ପରେ ଶଲୋମନ ତରଳ କଂସାରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଠିକ୍ ବିପରୀତ ବିନ୍ଦୁ ପର୍ଯ୍ୟନ୍ତ ଦଶ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ୍ ହାତ ଥିଲା। 3 ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାର୍ଶ୍ୱର ଚତୁର୍ଦ୍ଦିଗରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁର୍ପାର୍ଶ୍ୱରେ ଦଶ ହାତ ପର୍ଯ୍ୟନ୍ତ ଦୁଇ ଧାଡ଼ିରେ ସେଗୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାଯିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳେଇ ଠିକ୍ ସ୍ଥାନରେ ବସେଇ ଦିଆଯାଇଥିଲା। 4 ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡକୁ ରଖାଯାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ଯାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ। 5 ଏହି ବୃହତ୍ ପିତ୍ତଳ କୁଣ୍ଡଟି 3,000 ମହଣ ମୋଟେଇ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦେଖାଯାଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।
6 ଶଲୋମନ ଦଶ ଗୋଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ସେହି ବୃହତ୍ କୁଣ୍ତର ଦକ୍ଷିଣ ପାର୍ଶ୍ୱରେ ଏବଂ ଅନ୍ୟ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାର୍ଶ୍ୱରେ ରଖିଲେ। ହୋମବଳିକୁ ଉତ୍ସର୍ଗ କରିବା ପରେ ଧୋଇବା ନିମନ୍ତେ ଏହି ଦଶ ଗୋଟି ପ୍ରକ୍ଷାଳନ ପାତ୍ର ବ୍ୟବହାର କରାଯାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡରେ କେବଳ ଯାଜକମାନେ ପ୍ରକ୍ଷାଳନ କରିବେ।
7 ସେମାନଙ୍କର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶ ଗୋଟି ବତୀଦଣ୍ଡ ନିର୍ମାଣ କଲେ। ସେହି ବତୀଦଣ୍ଡଗୁଡ଼ିକ ମନ୍ଦିରରେ ଖଞ୍ଜାଗଲା। ପ୍ରତ୍ୟେକ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି ବତୀଦଣ୍ଡ ଖଞ୍ଜା ହେଲା। 8 ଶଲୋମନ ଦଶ ଗୋଟି ମେଜ ତିଆରି କରି ମନ୍ଦିରରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି କରି ମେଜ ରଖାଗଲା। ଆଉ 100ଟି ଛୋଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ୟବହାର କଲେ। 9 ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ୱାର ନିର୍ମାଣ କଲେ ଏବଂ ସେଗୁଡ଼ିକୁ ପିତ୍ତଳରେ ଆଚ୍ଛାଦନ କଲେ। 10 ଏହା ପରେ ସେ ସେହି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କୋଣରେ ଥିଲା।
11 ହୂରମ୍ ପାତ୍ର, ବେଲଗ୍ଭ ଓ ବେସିନ୍ ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ୱରଙ୍କ ମନ୍ଦିରରେ ରାଜା ଶଲୋମନଙ୍କ ନିମନ୍ତେ ନିଜର କାର୍ଯ୍ୟ ଶେଷ କଲେ।
12 ହୂରମ୍ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ୍ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘୋଡ଼ାଇବା ନିମନ୍ତେ କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ତିଆରି କରିଥିଲେ। 13 ଏହି ଦୁଇଟି କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ୍ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରତ୍ୟେକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ଯାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘୋଡ଼ାଇ ଥିଲା। 14 ଆହୁରି ହୂରମ୍ ଦଶ ଗୋଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶ ଗୋଟି ଦଣ୍ଡକୁ କୁଣ୍ଡରେ ଖଞ୍ଜିଥିଲେ। 15 ହୂରମ୍ ବିରାଟ ପିତ୍ତଳ କୁଣ୍ଡ ଓ ତା'ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ। 16 ପରମେଶ୍ୱରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଗ୍ଭମୁଚ ହୂରମ୍ ତିଆରି କରିଥିଲେ।
ଏହି ସମସ୍ତ ଜିନିଷଗୁଡ଼ିକ ସ୍ୱଚ୍ଛ ପିତ୍ତଳରେ ନିର୍ମିତ ହୋଇଥିଲା। 17 ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚରେ ଢାଳିଲେ। ସୁକ୍କୋତ ଓ ସରେଦା ସହରର ମଧ୍ୟବର୍ତ୍ତୀ ଯର୍ଦ୍ଦନ ଉପତ୍ୟକାରେ ଏହି ଛାଞ୍ଚଗୁଡ଼ିକ ତିଆରି ହୋଇଥିଲା। 18 ଶଲୋମନ ଏହିପରି ଅନେକ ଜିନିଷ ଏତେ ପରିମାଣରେ ତିଆରି କରିଥିଲେ ଯେ ଏଥିରେ ବ୍ୟବହୃତ ପିତ୍ତଳର ଓଜନ ମାପିବା ପାଇଁ କେହି ଚେଷ୍ଟା କଲେ ନାହିଁ।
19 ଶଲୋମନ ପରମେଶ୍ୱରଙ୍କ ମନ୍ଦିରରେ ବ୍ୟବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ୱର୍ଣ୍ଣ ଯଜ୍ଞବେଦି ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମେଜ ନିର୍ମାଣ କଲେ। 20 ଶଲୋମନ ଦୀପ ଓ ଦୀପଦାନୀ ସବୁ ଶୁଦ୍ଧ ସୁନାରେ ତିଆରି କରାଇଲେ। ମନ୍ଦିର ଭିତରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖରେ ନିୟମାନୁଯାୟୀ ଜଳାଯିବା ନିମନ୍ତେ ଦୀପଗୁଡ଼ିକ ରଖାଯାଇଥିଲା। 21 ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ୟବହାର କରିଥିଲେ। 22 ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନାରେ ତିଆରି କଲେ। ମନ୍ଦିରର ଦ୍ୱାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ୱାରସବୁ ଏବଂ ମୁଖ୍ୟ ଗୃହର ଦ୍ୱାରସବୁ ଶଲୋମନ ସୁନାରେ ତିଆରି କଲେ।
5 ଏହା ପରେ ଶଲୋମନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଶଲୋମନଙ୍କ ବାପା ଦାଉଦ ମନ୍ଦିର ନିମନ୍ତେ ଆଣିଥିବା ପ୍ରତ୍ୟେକ ବିଷୟ ସେ ବ୍ୟବହାର କଲେ। ପ୍ରତ୍ୟେକ ଆସବାବପତ୍ର ଏବଂ ରୂପା ଓ ସୁନାରେ ନିର୍ମିତ ପ୍ରତ୍ୟେକ ବସ୍ତ୍ର ଶଲୋମନ ଆଣିଲେ। ଏହି ସମସ୍ତ ଜିନିଷ ଶଲୋମନ ଆଣି ପରମେଶ୍ୱରଙ୍କ ମନ୍ଦିରର ଭଣ୍ଡାର ଗୃହରେ ରଖିଲେ।
ପବିତ୍ର ସିନ୍ଦୁକକୁ ମନ୍ଦିର ଭିତରକୁ ନିଆଗଲା
2 ଇସ୍ରାଏଲର ସମସ୍ତ ପ୍ରାଚୀନ ଏବଂ ପ୍ରତ୍ୟେକ ପରିବାରବର୍ଗର ମୁଖିଆମାନଙ୍କୁ ଯିରୁଶାଲମରେ ସମ୍ମିଳିତ ହେବା ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇସ୍ରାଏଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ। 3 ସପ୍ତମ ମାସରେ ଭୋଜି[a] ସମୟରେ ରାଜା ଶଲୋମନଙ୍କ ସମ୍ମୁଖରେ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ।
4 ଯେତେବେଳେ ଇସ୍ରାଏଲର ସବୁ ମୁଖିଆମାନେ ଆସିଗଲେ, ଲେବୀୟମାନେ ନିୟମ-ସିନ୍ଦୁକକୁ ଆଣିଲେ। 5 ଏହା ପରେ ଯାଜକ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଯିରୁଶାଲମକୁ ବୋହି ନେଇଗଲେ। ଯାଜକ ଓ ଲେବୀୟମାନେ ମଧ୍ୟ ସମାଗମ-ତମ୍ବୁ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପବିତ୍ର ବସ୍ତୁକୁ ଯିରୁଶାଲମକୁ ବୋହି ଆଣିଲେ। 6 ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ। 7 ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା। 8 ନିୟମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସେମାନଙ୍କର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିୟମ-ସିନ୍ଦୁକ ଓ ସିନ୍ଦୁକକୁ ବହି ନେଇଯିବା ଖମ୍ବଗୁଡ଼ିକ ଉପରେ ଦଣ୍ଡାୟମାନ ଥିଲେ। 9 ସେହି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାର୍ଶ୍ୱ ଦେଖାଯାଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ୟକ୍ତି ସେହି ଖମ୍ବଗୁଡ଼ିକୁ ଦେଖି ପାରୁ ନ ଥିଲେ। ଆଜି ମଧ୍ୟ ସେହି ଖମ୍ବଗୁଡ଼ିକ ସେହି ସ୍ଥାନରେ ରହିଅଛି। 10 ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିୟମ-ସିନ୍ଦୁକ ମଧ୍ୟରେ ଆଉ କିଛି ନ ଥିଲା। ମୋଶା ‘ହୋରେବ’ ପର୍ବତରେ ଏହି ଦୁଇଟି ଫଳକକୁ ନିୟମ-ସିନ୍ଦୁକ ମଧ୍ୟରେ ରଖିଥିଲେ। ‘ହୋରେବ’ ସେହି ସ୍ଥାନ, ଯେଉଁଠାରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇସ୍ରାଏଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।
11 ସମସ୍ତ ଯାଜକଗଣ ସେମାନଙ୍କର ବିଶେଷ ଦଳଗୁଡ଼ିକୁ ଖାତିରି ନ କରି ନିଜକୁ ଶୁଚି କଲେ। ଯେତେବେଳେ ସେମାନେ ପବିତ୍ର ସ୍ଥାନରୁ ବାହାରି ଆସିଲେ। 12 ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ। 13 ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ,
“କାରଣ ସେ ମଙ୍ଗଳମୟ।
ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।”
ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା। 14 ସେହି ମେଘ ହେତୁ ଯାଜକମାନେ ସେମାନଙ୍କର ସେବା ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ୱରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।
2010 by World Bible Translation Center