Beginning
ଯିରୁଶାଲମରେ ନିୟମସିନ୍ଦୁକ
15 ଦାଉଦ ଆପଣା ନିମନ୍ତେ ଦାଉଦ ନଗରରେ ଗୃହମାନ ନିର୍ମାଣ କଲେ। ଏହା ପରେ ସେ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କଲେ। ସେ ସେଥି ନିମନ୍ତେ ଏକ ତମ୍ବୁ ନିର୍ମାଣ କଲେ। 2 ଏହା ପରେ ଦାଉଦ କହିଲେ, “କେବଳ ଲେବୀୟମାନେ ନିୟମସିନ୍ଦୁକକୁ ବହି ନେଇ ପାରିବେ। କାରଣ ସଦାପ୍ରଭୁ ସେମାନଙ୍କୁ ନିୟମସିନ୍ଦୁକ ବହିନେବା ନିମନ୍ତେ ଓ ଚିରକାଳ ତାଙ୍କର ସେବା କରିବା ନିମନ୍ତେ ମନୋନୀତ କରିଅଛନ୍ତି।”
3 ଲେବୀୟମାନେ ନିୟମସିନ୍ଦୁକକୁ ଦାଉଦଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ବହିନେବା ସମୟରେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଯିରୁଶାଲମରେ ଏକତ୍ରିତ ହେବା ନିମନ୍ତେ ଦାଉଦ କହିଲେ। 4 ଦାଉଦ ହାରୋଣ ଓ ଲେବୀୟମାନଙ୍କ ବଂଶଧରମାନଙ୍କୁ ଏକତ୍ର ଡାକିଲେ।
5 କହାତଙ୍କ ପରିବାରବର୍ଗରୁ 120 ଜଣ ଲୋକ ଆସିଲେ। ଉରିୟେଲ ସେମାନଙ୍କର ନେତା ଥିଲେ।
6 ମରାରି ପରିବାରବର୍ଗରୁ 220 ଜଣ ଲୋକ ଆସିଲେ। ଅସାୟ ସେମାନଙ୍କର ନେତା ଥିଲେ।
7 ଗେର୍ଶୋନଙ୍କ ପରିବାରବର୍ଗରୁ 130 ଜଣ ଲୋକ ଆସିଲେ। ଯୋୟେଲ ସେମାନଙ୍କର ନେତା ଥିଲେ।
8 ଇଲୀଶାଫନଙ୍କ ପରିବାରବର୍ଗରୁ 200 ଜଣ ଲୋକ ଆସିଲେ। ଶମୟିୟ ସେମାନଙ୍କର ନେତା ଥିଲେ।
9 ହିବ୍ରୋଣଙ୍କ ପରିବାରବର୍ଗରୁ 80 ଜଣ ଲୋକ ଆସିଲେ। ଇଲୀୟେଲ ସେମାନଙ୍କର ନେତା ଥିଲେ।
10 ଉଷୀୟେଲଙ୍କ ପରିବାରବର୍ଗରୁ 112 ଜଣ ଲୋକ ଆସିଲେ। ଅମ୍ମୀନାଦବ ସେମାନଙ୍କର ନେତା ଥିଲେ।
ଦାଉଦ ଯାଜକ ଓ ଲେବୀୟମାନଙ୍କ ସହିତ କଥା ହେଲେ
11 ଏହା ପରେ ଦାଉଦ, ଯାଜକ ସାଦୋକ ଓ ଅବିୟାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲେବୀୟମାନଙ୍କୁ ମଧ୍ୟ ଡାକିଲେ: ଉରିୟେଲ, ଅସାୟ, ଯୋୟେଲ, ଶମୟିୟ, ଇଲୀୟେଲ ଓ ଅମ୍ମୀନାଦବ। 12 ଦାଉଦ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଲେବୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲେବୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ୟକ। ଏହା ପରେ ମୁଁ ନିୟମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭେମାନେ ତାହାକୁ ସେହି ସ୍ଥାନକୁ ଆଣିବ। 13 ନିୟମସିନ୍ଦୁକକୁ କିପରି ବହି ନେବାକୁ ହେବ, ତାହା କ’ଣ ଆମ୍ଭେ ଗତଥର ସଦାପ୍ରଭୁଙ୍କୁ ପଗ୍ଭରି ନ ଥିଲୁ? ତୁମ୍ଭେ କ’ଣ ଲେବୀୟମାନେ ତାହାକୁ ବହନ କରି ନ ଥିଲ, ସେଥିନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କୁ ଦଣ୍ଡ ଦେଲେ।”
14 ଏହା ପରେ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଯାଜକ ଓ ଲେବୀୟମାନେ ନିଜକୁ ପବିତ୍ର କଲେ। 15 ମୋଶା ଯେଉଁପରି ଆଦେଶ ଦେଇଥିଲେ, ସେହିପରି ଭାବରେ ନିୟମସିନ୍ଦୁକକୁ ବହି ନେଇଯିବା ନିମନ୍ତେ ଲେବୀୟମାନେ ବିଶେଷ କାଷ୍ଠଦଣ୍ଡ ବ୍ୟବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସେହିପରି ସେମାନେ ନିୟମସିନ୍ଦୁକକୁ ବହି ନେଲେ।
ଗାୟକ ଦଳ
16 ଦାଉଦ, ଲେବୀୟ ନେତାମାନଙ୍କୁ ସେମାନଙ୍କ ଭ୍ରାତାଗଣ ଗାୟକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାୟକମାନେ ସେମାନଙ୍କର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦରେ ଗୀତ ଗାନ କରିବେ।
17 ଏହା ପରେ ଲେବୀୟମାନେ ହେମନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହେମନ ଯୋୟେଲଙ୍କ ପୁତ୍ର ଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ଏଥନ କୁଶାୟାଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ। 18 ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମିକ୍ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।
19 ଗାୟକ ହେମନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ। 20 ଯିଖରିୟ, ଅସୀୟେଲ, ଶମୀରାମୋତ୍, ଯିହିୟେଲ, ଉନ୍ନି, ଇଲୀୟାବ, ମାସେୟ ଓ ବନାୟ ଆଲାମୋତ୍[a] ବୀଣା ବଜାଉଥିଲେ। 21 ମତ୍ତଥିୟ, ଇଲୀଫଲେହୁ, ମକ୍ନେୟ, ଓବେଦ୍-ଇଦୋମ୍, ଯିୟୂୟେଲ ଓ ଅସରିୟ ଶିମିନୀତ୍[b] ତମ୍ବୁରା ବଜାଉଥିଲେ। ଚିରକାଳ ନିମନ୍ତେ ସେମାନଙ୍କର ଏହି କାର୍ଯ୍ୟ ଥିଲା। 22 ଲେବୀୟ ନେତା କନନିୟ ଗାୟନ ଦାୟିତ୍ୱରେ ଥିଲେ। କନନିୟ ସଙ୍ଗୀତ ବିଦ୍ୟାରେ ଅତ୍ୟନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ଯ୍ୟ ଦତ୍ତ ହୋଇଥିଲା।
23 ନିୟମସିନ୍ଦୁକକୁ ଜଗିବା ନିମନ୍ତେ ମନୋନୀତ ହୋଇଥିବା ରକ୍ଷୀମାନଙ୍କ ମଧ୍ୟରେ ଦୁଇଜଣ ଥିଲେ ବେଶଖିୟ ଓ ଇଲ୍କାନା। 24 ଶବନିୟ, ଯୋଶାଫଟ୍, ନଥନେଲ, ଅମାସୟ, ଯିଖରିୟ, ବନାୟ ଓ ଇଲୀୟେଷର, ଏମାନଙ୍କର କାର୍ଯ୍ୟ ଥିଲା, ନିୟମସିନ୍ଦୁକର ସମ୍ମୁଖରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ଯିହିୟ ନିୟମସିନ୍ଦୁକର ଦ୍ୱାରପାଳ ଥିଲେ।
25 ଦାଉଦ, ଇସ୍ରାଏଲର ପ୍ରାଚୀନବର୍ଗ ଓ ସେନାଧ୍ୟକ୍ଷମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସେମାନେ ତାହାକୁ ଓବେଦ୍-ଇଦୋମ୍ଙ୍କ ଗୃହରୁ ନେଇଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ। 26 ପରମେଶ୍ୱର ନିୟମସିନ୍ଦୁକ ବହିନେଇ ଯାଉଥିବା ଲେବୀୟମାନଙ୍କୁ ସାହାଯ୍ୟ କଲେ। ସେମାନେ ସାତ ଗୋଟି ବଳଦ ଓ ସାତୋଟି ମେଣ୍ଢାକୁ ଉତ୍ସର୍ଗ କଲେ। 27 ଦାଉଦ ଓ ନିୟମସିନ୍ଦୁକ ବହୁଥିବା ସମସ୍ତ ଲେବୀୟମାନେ ଓ ଗାୟକ କିଣାନୀୟମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ୟ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
28 ଏହିପରି, ଇସ୍ରାଏଲର ସମସ୍ତ ଲୋକ ନିୟମସିନ୍ଦୁକକୁ ନେଇଆସିଲେ। ସେମାନେ ଉଚ୍ଚସ୍ୱର କଲେ, ସେମାନେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ୟ ଓ ତୂରୀ ବଜାଇଲେ, ଆହୁରି ମଧ୍ୟ ସେମାନେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।
29 ନିୟମସିନ୍ଦୁକ ଯେତେବେଳେ ଦାଉଦଙ୍କ ନଗରରେ ପହଞ୍ଚିଲା, ମୀଖଲ୍ ଏକ ଝରକା ଦେଇ ଅନାଇଲେ। ମୀଖଲ୍ ଶାଉଲଙ୍କ ଝିଅ ଥିଲେ। ସେ ଦେଖିଲେ ଯେ, ରାଜା ଦାଉଦ ନୃତ୍ୟ ଓ ଆନନ୍ଦ କରୁଅଛନ୍ତି। ସେ ହୃଦୟରେ ତାଙ୍କୁ ଘୃଣା କଲେ। ସେ ଭାବିଲେ, ଦାଉଦ ଏକ ମୂର୍ଖ ପରି ଆଚରଣ କରୁଅଛନ୍ତି।
16 ତା'ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 2 ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରି ସାରିବା ପରେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। 3 ଏହା ପରେ ସେ ପ୍ରତ୍ୟେକ ଇସ୍ରାଏଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କିସ୍ମିସ୍ ଦେଲେ।
4 ଏହା ପରେ ନିୟମସିନ୍ଦୁକ ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଦାଉଦ କେତେଜଣ ଲେବୀୟଙ୍କୁ ମନୋନୀତ କଲେ। ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସେହି ଲେବୀୟମାନଙ୍କ କାର୍ଯ୍ୟ ଥିଲା। 5 ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ। 6 ବନାୟ ଓ ଯହସୀୟେଲ, ଏହି ଦୁଇଜଣ ଯାଜକ ସର୍ବଦା ନିୟମସିନ୍ଦୁକ ସମ୍ମୁଖରେ ତୂରୀ ବଜାଉଥିଲେ। 7 ଏହି ସମୟରେ ଦାଉଦ ପ୍ରଥମେ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାୟିତ୍ୱ ଅର୍ପଣ କଲେ।
ଦାଉଦଙ୍କର ଧନ୍ୟବାଦର ଗୀତ
8 ପରମେଶ୍ୱରଙ୍କର ପ୍ରଶଂସା କର, ତାହାଙ୍କ ନାମରେ ବିନତି କର।
ସଦାପ୍ରଭୁ ଯେଉଁସବୁ ମହାନ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।
9 ପରମେଶ୍ୱରଙ୍କ ନିକଟରେ ଗାୟନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସା ଗାନ କର,
ସମସ୍ତଙ୍କୁ ତାଙ୍କର ମହତ୍ କାର୍ଯ୍ୟସକଳ ଜଣାଅ।
10 ପରମେଶ୍ୱରଙ୍କ ପବିତ୍ର ନାମ ପାଇଁ ଗର୍ବ କର।
ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ।
11 ପରମେଶ୍ୱର ଓ ତାଙ୍କ ପରାକ୍ରମକୁ ଦେଖ,
ସର୍ବଦା ତାଙ୍କର ସାହାଯ୍ୟ ଲୋଡ଼।
12 ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସେହିସବୁ ସ୍ମରଣ କର।
ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ଯ୍ୟମାନ ସ୍ମରଣ କର।
13 ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି।
ଯାକୁବର ବଂଶଧରମାନେ, ସଦାପ୍ରଭୁଙ୍କର ମନୋନୀତ ଲୋକ ଅଟନ୍ତି।
14 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି।
ତାଙ୍କର ପରାକ୍ରମ ସର୍ବବ୍ୟାପୀ।
15 ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିୟମ ସ୍ମରଣ କର।
ସେ ସହସ୍ର ପୁରୁଷ ନିମନ୍ତେ ସେହି ଆଜ୍ଞାମାନ ଦେଇଅଛନ୍ତି।
16 ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିୟମ କରିଅଛନ୍ତି
ଏବଂ ଇସ୍ହାକଙ୍କ ସହିତ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।
17 ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିୟମ କରିଛନ୍ତି।
ଇସ୍ରାଏଲ ସହିତ ସେହି ନିୟମ, ଅନନ୍ତକାଳୀନ ଅଟେ।
18 ସଦାପ୍ରଭୁ ଇସ୍ରାଏଲକୁ କହିଲେ, “ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦେବା,
ସେହି ପ୍ରତିଜ୍ଞାତ ଭୂମି ତୁମ୍ଭର ହେବ।”
19 ସେଠାରେ ଅଳ୍ପ ସଂଖ୍ୟକ ଲୋକ ଥିଲେ,
ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ୟକ ଅଜ୍ଞାତ ବ୍ୟକ୍ତି ଥିଲେ।
20 ସେମାନେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ,
ସେମାନେ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗଲେ।
21 କିନ୍ତୁ ସଦାପ୍ରଭୁ କାହାରିକୁ ସେମାନଙ୍କୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ,
ସେମାନଙ୍କୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।
22 ସଦାପ୍ରଭୁ ସେହି ରାଜାମାନଙ୍କୁ କହିଲେ, “ଆମ୍ଭର ମନୋନୀତ ବ୍ୟକ୍ତିଙ୍କୁ ସ୍ପର୍ଶ କର ନାହିଁ।
ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କୁ ଆଘାତ କର ନାହିଁ।”
23 ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର।
ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।
24 ସବୁ ଦେବଗଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର।
ସେ ଯେ ଅତ୍ୟନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।
25 ସଦାପ୍ରଭୁ ଅତ୍ୟନ୍ତ ମହାନ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ୟ ଅଟନ୍ତି।
ଅନ୍ୟ ସବୁ “ଦେବତାଗଣଙ୍କ” ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।
26 କାରଣ ପୃଥିବୀର ସମସ୍ତ “ଦେବତାଗଣ” କେବଳ ମୂଲ୍ୟହୀନ ପ୍ରତିମାସକଳ ଅଟନ୍ତି।
କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।
27 ଗୌରବ ଓ ମହିମା ତାଙ୍କ ପାଇଁ ଅଛି।
ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନରେ ଅଛି।
28 ପରିବାର ସକଳ ଓ ଜନବୃନ୍ଦ
ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସା ଗାନ କର।
29 ସଦାପ୍ରଭୁଙ୍କ ମହିମାର ପ୍ରଶଂସା ଗାନ କର।
ତାଙ୍କ ନାମକୁ ସମ୍ମାନ କର।
ତାଙ୍କ ନିକଟକୁ ତୁମ୍ଭର ନୈବେଦ୍ୟ ଆଣ।
ସୁନ୍ଦରତାରେ ଓ ପବିତ୍ରତାରେ ସଦାପ୍ରଭୁଙ୍କର ଉପାସନା କର।
30 ତାଙ୍କ ସମ୍ମୁଖରେ ସମସ୍ତ ପୃଥିବୀ କମ୍ପମାନ ହୁଅ।
କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।
31 ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ।
ସର୍ବତ୍ର ଲୋକମାନେ ଏହା କୁହନ୍ତୁ, “ସଦାପ୍ରଭୁ ରାଜ୍ୟ କରନ୍ତି।”
32 ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ୱର କରନ୍ତୁ।
କ୍ଷେତ୍ରସବୁ ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସେମାନଙ୍କର ଆନନ୍ଦ ପ୍ରକାଶ କରନ୍ତୁ।
33 ସଦାପ୍ରଭୁଙ୍କ ସମ୍ମୁଖରେ ଅରଣ୍ୟର ବୃକ୍ଷଗଣ ଆନନ୍ଦରେ ଜୟଗାନ କରିବେ।
କାରଣ ସଦାପ୍ରଭୁ ଆସୁଅଛନ୍ତି।
ସେ ଏହି ପୃଥିବୀର ବିଗ୍ଭର କରିବା ନିମନ୍ତେ ଆସୁଅଛନ୍ତି।
34 ଓଃ, ସଦାପ୍ରଭୁଙ୍କର ଧନ୍ୟବାଦ କର, ସେ ଅତି ଉତ୍ତମ ଅଟନ୍ତି।
ସଦାପ୍ରଭୁଙ୍କର ପ୍ରେମ ଅନନ୍ତକାଳୀନ ଅଟେ।
35 ସଦାପ୍ରଭୁଙ୍କୁ କୁହ,
“ହେ ପରମେଶ୍ୱର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର।
ଆମ୍ଭମାନଙ୍କୁ ଏକତ୍ର କର
ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର।
ତେବେ, ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା।
ତେବେ ଆମ୍ଭେମାନେ ସଙ୍ଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।”
36 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ
ଯୁଗେ ଯୁଗେ ପ୍ରଶଂସା କର।
ତା'ପରେ ସମସ୍ତ ଲୋକ କହିଲେ, “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ।
37 ଏହା ପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିୟମସିନ୍ଦୁକ ସମ୍ମୁଖରେ ଛାଡ଼ି ଗ୍ଭଲିଗଲେ। ଦାଉଦ ସେମାନଙ୍କୁ ପ୍ରତିଦିନ ତାହା ସମ୍ମୁଖରେ ସେବାକାର୍ଯ୍ୟ କରିବା ନିମନ୍ତେ ଛାଡ଼ି ଗଲେ। 38 ଓବେଦ୍-ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ମଧ୍ୟ ସେ ସେହି ସ୍ଥାନରେ ଛାଡ଼ିଗଲେ। ଯିଦୂଥୂନଙ୍କ ପୁତ୍ର ଓବେଦ୍-ଇଦୋମ୍ ଓ ହୋଷ ରକ୍ଷୀ ଥିଲେ।
39 ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିୟୋନସ୍ଥିତ ଉଚ୍ଚ ସ୍ଥାନରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ସେବାକାର୍ଯ୍ୟ କରୁଥିବା ଅନ୍ୟ ଯାଜକମାନଙ୍କୁ ସେଠାରେ ଛାଡ଼ି ଗଲେ। 40 ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସାଦୋକ୍ ଓ ଅନ୍ୟ ଯାଜକମାନେ ଯଜ୍ଞବେଦି ଉପରେ ହୋମବଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇସ୍ରାଏଲକୁ ଦେଇଥିବା ସଦାପ୍ରଭୁଙ୍କ ନିୟମରେ ଲିଖିତ ବିଧିକୁ ପାଳନ କରି ସେମାନେ ଏହିପରି କରୁଥିଲେ। 41 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହେମନ୍, ଯିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲେବୀୟଗଣଙ୍କୁ ନାମଧରି ମନୋନୀତ କରାଯାଇଥିଲା, “କାରଣ ସଦାପ୍ରଭୁଙ୍କ ପ୍ରେମ ଅନନ୍ତକାଳସ୍ଥାୟୀ।” 42 ହେମନ୍ ଓ ଯିଦୂଥୂନ୍ ସେମାନଙ୍କ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସଂଗୀତମାନ ଗାନ କରାଯିବା ସମୟରେ ସେମାନେ ଅନ୍ୟାନ୍ୟ ବାଦ୍ୟ ମଧ୍ୟ ବଜାଉଥିଲେ। ଯିଦୂଥୂନଙ୍କ ପୁତ୍ରମାନେ ଦ୍ୱାର ଜଗି ରହୁଥିଲେ।
43 ଉତ୍ସବ ଶେଷ ହେଲା ପରେ, ସବୁ ଲୋକମାନେ ଫେରିଗଲେ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଗଲେ। ଏବଂ ଦାଉଦ ମଧ୍ୟ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫେରିଗଲେ।
ଦାଉଦଙ୍କୁ ପରମେଶ୍ୱରଙ୍କ ଦତ୍ତ ପ୍ରତିଜ୍ଞା
17 ଦାଉଦ ନିଜ ଗୃହକୁ ଫେରିଯିବା ପରେ, ନାଥନ୍ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ଦେଖ, ମୁଁ ଦେବଦାରୁ କାଠରେ ନିର୍ମିତ ଗୃହରେ ବାସ କରୁଅଛି, କିନ୍ତୁ ନିୟମସିନ୍ଦୁକ ଏକ ତମ୍ବୁ ମଧ୍ୟରେ ରହିଅଛି। ମୁଁ ପରମେଶ୍ୱରଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହୁଁଅଛି।”
2 ନାଥନ୍ ଦାଉଦଙ୍କୁ ଉତ୍ତର ଦେଲେ, “ତୁମ୍ଭେ ଯାହା ଇଚ୍ଛା କରୁଅଛ, ତାହା କରିପାର। ପରମେଶ୍ୱର ତୁମ୍ଭ ସହିତରେ ଅଛନ୍ତି।”
3 କିନ୍ତୁ ସେହି ରାତ୍ରିରେ ପରମେଶ୍ୱରଙ୍କ ବାକ୍ୟ ନାଥନଙ୍କ ନିକଟକୁ ଆସିଲା। 4 ପରମେଶ୍ୱର କହିଲେ,
“ଯାଅ ଓ ଏହିସବୁ ବିଷୟ ମୋହର ଦାସ ଦାଉଦକୁ ଜଣାଅ; ସଦାପ୍ରଭୁ କହନ୍ତି, ‘ଦାଉଦ, ଆମ୍ଭେ ଯେଉଁ ଗୃହରେ ବାସ କରିବା, ସେହି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ। 5-6 ଇସ୍ରାଏଲକୁ ମିଶରରୁ ବାହାର କରି ଆଣିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଭେ ଗୃହ ମଧ୍ୟରେ ‘ବାସ କରି ନାହୁଁ। ମୁଁ ତମ୍ବୁ ମଧ୍ୟରେ ରହୁଅଛି। ମୁଁ ଇସ୍ରାଏଲ ନିମନ୍ତେ ନେତା ମନୋନୀତ କରିଥିଲି ସେମାନେ ମେଷପାଳକ ତୁଲ୍ୟ ଥିଲେ। ଆମ୍ଭେ ଇସ୍ରାଏଲୀୟମାନଙ୍କ ସହିତ ଗଲା ସମୟରେ କେବେହେଲେ ଜଣେ ସୁଦ୍ଧା ନେତାଙ୍କୁ କହି ନାହୁଁ: ତୁମ୍ଭେ ଆମ୍ଭ ନିମନ୍ତେ କାହିଁକି ଦେବଦାରୁ କାଠରେ ଗୃହ ନିର୍ମାଣ କରି ନାହଁ?
7 “ବର୍ତ୍ତମାନ, ଏହିସବୁ ବିଷୟ ମୋର ଦାସ ଦାଉଦକୁ କୁହ: ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ‘ଆମ୍ଭେ ତୁମ୍ଭକୁ କ୍ଷେତ୍ର ମଧ୍ୟରୁ ଓ ମେଷ ଚରାଇବା ସ୍ଥାନରୁ ଆଣିଲୁ। ଆମ୍ଭେ ତୁମ୍ଭକୁ ଆପଣା ଲୋକ ଇସ୍ରାଏଲ ଉପରେ ରାଜା କଲୁ। 8 ତୁମ୍ଭେ ଯେଉଁଆଡ଼େ ଗଲ, ଆମ୍ଭେ ତୁମ୍ଭ ସହିତରେ ରହିଲୁ। ଆମ୍ଭେ ତୁମ୍ଭ ସମ୍ମୁଖରେ ତୁମ୍ଭର ଶତ୍ରୁଗଣକୁ ବଧ କଲୁ। ବର୍ତ୍ତମାନ ଆମ୍ଭେ ତୁମ୍ଭକୁ ପୃଥିବୀର ସବୁଠାରୁ ବିଖ୍ୟାତ ଲୋକଙ୍କ ମଧ୍ୟରେ ଜଣେ କରିବା। 9 ଆମ୍ଭେ ଆମ୍ଭର ଲୋକ ଇସ୍ରାଏଲକୁ ଏହି ସ୍ଥାନ ଦେଇଅଛୁ। ସେମାନେ ବୃକ୍ଷ ରୋପଣ କରିବେ ଓ ସେହି ବୃକ୍ଷସବୁର ତଳେ ଶାନ୍ତିରେ ବସିବେ। ସେମାନେ ଆଉ କୌଣସି ବିଷୟରେ ଚିନ୍ତିତ ହେବେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସେମାନଙ୍କୁ ଆଘାତ କରିବେ ନାହିଁ। 10 ସେହି ଅମଙ୍ଗଳର ଘଟଣାସବୁ ଘଟିଲା, କିନ୍ତୁ ଆମ୍ଭର ଲୋକ ଇସ୍ରାଏଲର ଯତ୍ନ ନେବା ନିମନ୍ତେ ଆମ୍ଭେ ନେତାମାନଙ୍କୁ ମନୋନୀତ କଲୁ। ଏବଂ ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଗଣକୁ ମଧ୍ୟ ପରାଜିତ କରିବା।
“‘ଆମ୍ଭେ ତୁମ୍ଭକୁ କହୁଅଛୁ, ସଦାପ୍ରଭୁ ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ। 11 ତୁମ୍ଭେ ଯେତେବେଳେ ମୃତ୍ୟୁଭୋଗ କରିବ ଓ ତୁମ୍ଭର ପୂର୍ବପୁରୁଷମାନଙ୍କ ପାଖକୁ ଯିବ, ସେତେବେଳେ ଆମ୍ଭେ ତୁମ୍ଭର ପୁତ୍ରକୁ ନୂତନ ରାଜା କରିବା। ତୁମ୍ଭର ପୁତ୍ରଗଣଙ୍କ ମଧ୍ୟରୁ ଜଣେ ନୂତନ ରାଜା ହେବ, ଏବଂ ଆମ୍ଭେ ତା'ର ରାଜ୍ୟକୁ ଶକ୍ତିଶାଳୀ କରିବା। 12 ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ୟଭାର ଦେବା। 13 ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ଶାଉଲ ତୁମ୍ଭ ପୂର୍ବରୁ ରାଜା ଥିଲେ ଓ ଆମ୍ଭେ ଶାଉଲଠାରୁ ଆମ୍ଭର ସମର୍ଥନ ପ୍ରତ୍ୟାହାର କରିନେଲୁ। କିନ୍ତୁ ଆମ୍ଭେ କଦାପି ତୁମ୍ଭ ପ୍ରତି ଆମ୍ଭର ପ୍ରେମକୁ ପରିତ୍ୟାଗ କରିବା ନାହିଁ। 14 ଆମ୍ଭେ ତାକୁ ଆମ୍ଭର ଗୃହର ଓ ଆମ୍ଭର ରାଜ୍ୟର ଦାୟିତ୍ୱ ଦେବା ଓ ତା'ର ସିଂହାସନ ଚିରକାଳ ତିଷ୍ଠି ରହିବ।’”
15 ପରମେଶ୍ୱର ଯେଉଁ ସମସ୍ତ ବିଷୟ ଓ ଦର୍ଶନ କରାଇଥିଲେ, ନାଥନ ସେହିସବୁ ଦାଉଦଙ୍କୁ ଜଣାଇଲେ।
ଦାଉଦଙ୍କ ପ୍ରାର୍ଥନା
16 ଏହା ପରେ ରାଜା ଦାଉଦ ପବିତ୍ର ତମ୍ବୁକୁ ଗଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସିଲେ। ଦାଉଦ କହିଲେ,
“ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଓ ମୋର ପରିବାର ନିମନ୍ତେ ଅନେକ ମହାନ କାର୍ଯ୍ୟମାନ କରିଅଛ। ଆଉ ମୁଁ ଜାଣେନା କାହିଁକି। 17 ସର୍ବୋପରି, ଭବିଷ୍ୟତରେ ମୋ’ ପରିବାର ପ୍ରତି କ’ଣ ଘଟିବ, ତାହା ମଧ୍ୟ ତୁମ୍ଭେ ମୋତେ ଜାଣିବାକୁ ଦେଲ। ସତେ ଯେପରି ମୁଁ ଜଣେ ଅତି ମହାନ ବ୍ୟକ୍ତି ଅଟେ, ତୁମ୍ଭେ ମୋ’ ପ୍ରତି ସେ ପ୍ରକାର ବ୍ୟବହାର କଲ। 18 ମୁଁ ଆଉ ଅଧିକ କ’ଣ ବା କହିବି? ତୁମ୍ଭେ ମୋ’ ନିମନ୍ତେ ବହୁତ ମହାନ କାର୍ଯ୍ୟମାନ କରିଅଛ। ଏବଂ ତୁମ୍ଭେ ଜାଣ ଯେ, ମୁଁ କେବଳ ତୁମ୍ଭର ଜଣେ ଦାସ ମାତ୍ର ଅଟେ। 19 ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିମନ୍ତେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟଟି କରିଅଛ। ଆଉ, ତୁମ୍ଭେ ନିଜ ଇଚ୍ଛାରେ ତାହା କରିଅଛ। 20 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି। ଆଉ କୌଣସି ପରମେଶ୍ୱର ନାହାନ୍ତି। ଆଉ କୌଣସି ଦେବାଦେବୀ ଏପରି ମହତ୍ କର୍ମମାନ କରିବା ଆମ୍ଭେମାନେ କେବେ ଶୁଣି ନାହୁଁ। 21 ଇସ୍ରାଏଲ ପରି ଆଉ କୌଣସି ଦେଶ ଅଛି କି? ନା! ଇସ୍ରାଏଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ଯ୍ୟ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀୟମାନଙ୍କୁ ସେମାନଙ୍କ ଦେଶରୁ ତଡ଼ି ଦେଲ। 22 ତୁମ୍ଭେ ଚିରକାଳ ନିମନ୍ତେ ଇସ୍ରାଏଲକୁ ଆପଣାର ଲୋକ କରିନେଲ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ପରମେଶ୍ୱର ହେଲ।
23 “ହେ ସଦାପ୍ରଭୁ, ତୁମ୍ଭେ ମୋ’ ନିକଟରେ ଓ ମୋର ପରିବାର ନିକଟରେ ଏହି ପ୍ରତିଜ୍ଞା କରିଅଛ, ବର୍ତ୍ତମାନ ଚିରକାଳ ନିମନ୍ତେ ତୁମ୍ଭର ସେହି ପ୍ରତିଜ୍ଞାକୁ ତୁମ୍ଭେ ରକ୍ଷା କରିବ। ପ୍ରଭୁ, ତୁମ୍ଭେ ଯାହା କରିବାକୁ କହିଅଛ, ତାହା କର। 24 ଲୋକମାନେ ଯେପରି ଚିରକାଳ ତୁମ୍ଭ ନାମକୁ ଭକ୍ତି କରିବେ, ଏଥିନିମନ୍ତେ ତୁମ୍ଭର ପ୍ରତିଜ୍ଞା ରକ୍ଷା କର। ତେବେ ଲୋକମାନେ ଏହା କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।’ ମୁଁ ତୁମ୍ଭର ଦାସ ଅଟେ, ଦୟାକରି ମୋର ପରିବାରକୁ ସଦାସର୍ବଦା ତୁମ୍ଭର ସେବା କରିବା ନିମନ୍ତେ ବଳିଷ୍ଠ କର।
25 “ହେ ମୋର ସଦାପ୍ରଭୁ, ମୁଁ ତୁମ୍ଭର ଦାସ, ମୋତେ ତୁମ୍ଭେ ପରିଷ୍କାର ଭାବରେ କହିଲ। ତୁମ୍ଭେ କହିଲ ଯେ, ତୁମ୍ଭେ ମୋ’ ପାଇଁ ଏକ ଗୃହ ନିର୍ମାଣ କରିବ, ଏଥିପାଇଁ ତୁମ୍ଭ ଆଗରେ ପ୍ରାର୍ଥନା କରିବା ପାଇଁ ମୁଁ ସାହସ ପାଇଛି। 26 ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଅଟ। ଆଉ ହେ ପରମେଶ୍ୱର, ତୁମ୍ଭେ ମୋ’ ନିମନ୍ତେ ଏହି ସମସ୍ତ ଉତ୍ତମ କର୍ମ କରିବ ବୋଲି ପ୍ରତିଜ୍ଞା କରିଅଛି। 27 ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।”
2010 by World Bible Translation Center