Beginning
ଯିହୁଦାରେ ହିଜକିୟଙ୍କ ଶାସନ ଆରମ୍ଭ
18 ଇସ୍ରାଏଲର ରାଜା ଏଲାଙ୍କ ପୁତ୍ର, ହୋଶେୟଙ୍କ ରାଜତ୍ୱର ତୃତୀୟ ବର୍ଷରେ ଆହସଙ୍କ ପୁତ୍ର ହିଜକିୟ ଯିହୁଦାରେ ରାଜ୍ୟ ଶାସନ କରିବାକୁ ଆରମ୍ଭ କଲେ। 2 ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ।
3 ହିଜକିୟ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
4 ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କରିଦେଲେ। ସମସ୍ତ ସ୍ମୃତି ସ୍ତମ୍ଭ ଭାଙ୍ଗି ପକାଇଲେ। ଆଶେରା ମୂର୍ତ୍ତି ଗୁଡ଼ିକୁ କାଟି ପକାଇଲେ। ପୁଣି ମୋଶା ନିର୍ମିତ ପିତ୍ତଳ ସର୍ପ ଭାଙ୍ଗି ପକାଇଲେ। କାରଣ ତାଙ୍କରି ଉଦ୍ଦେଶ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ସମୟ ପର୍ଯ୍ୟନ୍ତ ଧୂପ ଜଳାଉଥିଲେ। ଏହାର ନାମ “ନହୁଷ୍ଟର୍ନ” ରଖିଲେ।
5 ହିଜକିୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ କରୁଥିଲେ। ଯିହୁଦାର କୌଣସି ରାଜା ତାଙ୍କ ପୂର୍ବବର୍ତ୍ତୀ ବା ପରବର୍ତ୍ତୀ ହିଜକିୟଙ୍କ ପରି ନ ଥିଲେ। 6 ସେ ସଦାପ୍ରଭୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେ ସଦାପ୍ରଭୁଙ୍କ ଅନୁଗମନରୁ ବିମୁଖ ହୋଇ ନ ଥିଲେ। ଆଉ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ। ସେ ସମସ୍ତ ଆଜ୍ଞା ସେ ପାଳନ କଲେ। 7 ପୁଣି ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ, ସେ ଯେକୌଣସି କାର୍ଯ୍ୟ କଲେ ସବୁରେ କୃତକାର୍ଯ୍ୟ ହେଲେ।
ଆଉ ସେ ଅଶୂର ରାଜାର ବିଦ୍ରୋହୀ ହୋଇ ତାହାର ସେବା କଲେ ନାହିଁ। 8 ସେ ଘସା ଓ ତହିଁର ସୀମା ପର୍ଯ୍ୟନ୍ତ ପ୍ରହରୀମାନଙ୍କ ଦୁର୍ଗ ଅବଧି ପ୍ରାଚୀରବେଷ୍ଟିତ ବଡ଼ ଓ ଛୋଟ ନଗରଗୁଡ଼ିକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ।
ଅଶୂରୀୟମାନଙ୍କ ଶମରିୟା ଅଧିକାର
9 ଅନନ୍ତର ଯିହୁଦାର ରାଜା ହିଜକିୟଙ୍କର ରାଜତ୍ୱର ଚତୁର୍ଥ ବର୍ଷରେ ଓ ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ୱର ସପ୍ତମ ବର୍ଷରେ ଅଶୂରର ରାଜା ସଲ୍ମନେଷର ଶମରିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇ ତାଙ୍କୁ ଅବରୋଧ କଲେ। 10 ତୃତୀୟ ବର୍ଷ ଶେଷରେ ସେମାନେ ତାକୁ ଅଧିକାର କଲେ। ହିଜକିୟଙ୍କ ରାଜତ୍ୱର ଷଷ୍ଠ ବର୍ଷରେ ଓ ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଏହା ଅଧିକୃତ ହେଲା। 11 ଏହା ପରେ ଅଶୂରର ରାଜା ଇସ୍ରାଏଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନେଇ ହଲହରେ, ହାବୋରରେ, (ଗୋଶନ୍ ନଦୀ କୂଳରେ) ଓ ମାଦୀୟମାନଙ୍କ ବିଭିନ୍ନ ନଗରରେ ସେମାନଙ୍କୁ ରଖିଲେ। 12 ଏସବୁ ଘଟିବାର କାରଣ ହେଲା ସେମାନେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସେମାନେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।
ଅଶୂର ଯିହୁଦା ଅଧିକାର କରିବାକୁ ପ୍ରସ୍ତୁତ ହୁଏ
13 ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସନ୍ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ। 14 ଏହା ପରେ ଯିହୁଦାର ରାଜା ହିଜକିୟ ଲାଖୀଶ୍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, “ମୁଁ ପାପ କରିଅଛି, ଦୟାକରି ମୋ’ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣ ମୋ'ଠାରୁ ଯାହା ଗ୍ଭହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି।”
ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକିୟଙ୍କ ଉପରେ 300 ତାଳନ୍ତ ରୂପା ଓ 30 ତାଳନ୍ତ ସୁନା ଦେବାକୁ ସ୍ଥିର କଲେ। 15 ତେଣୁ ହିଜକିୟ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରମାନରେ ଥିବା ସମସ୍ତ ରୂପା ତାଙ୍କୁ ଦେଇ ଦେଲେ। 16 ସେ ସମୟରେ ହିଜକିୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାର ଦେଶରେ ଓ ସ୍ତମ୍ଭମାନଙ୍କରେ ଯେଉଁ ସୁବର୍ଣ୍ଣ ମଣ୍ତନ କରିଥିଲେ ସେ ସବୁ କାଟି ଅଶୂରର ରାଜାଙ୍କୁ ଅର୍ପଣ କଲେ।
ଅଶୂରର ରାଜା ଯିରୁଶାଲମକୁ ଲୋକ ପ୍ରେରଣ କରନ୍ତି
17 ଅନନ୍ତର ଅଶୂରର ରାଜା ତାଙ୍କ ତିନି ଜଣ ମୁଖ୍ୟ ସେନାଧ୍ୟକ୍ଷ ତର୍ତ୍ତନ, ରବସାରୀସ୍, ଓ ରବ୍ଶାକିଙ୍କୁ ମହାସୈନ୍ୟ ସହିତ ଯିରୁଶାଲମରେ ହିଜକିୟ ରାଜା ନିକଟକୁ ପଠାଇଲେ। ତହୁଁ ସେମାନେ ଲଖୀସରୁ ଯାତ୍ରା କରି ଯିରୁଶାଲମକୁ ଆସିଲେ। ସେମାନେ ସେଠାରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ। 18 ପୁଣି ସେମାନେ ରାଜା ହିଲ୍କିୟଙ୍କୁ ଡାକନ୍ତେ ହିଲ୍କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ।
19 ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ରବ୍ଶାକି ସେମାନଙ୍କୁ କହିଲା, “ତୁମ୍ଭେମାନେ ହିଜକିୟଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,
‘ତୁମ୍ଭେ ଯେଉଁ ବିଶ୍ୱାସ କରୁଛ, ତାହା କି ପ୍ରକାର ବିଶ୍ୱାସ? 20 ତୁମ୍ଭର ଏ କଥା ନିରର୍ଥକ। କାରଣ ତୁମ୍ଭେ କୁହ, “ଯୁଦ୍ଧରେ ଜୟଲାଭ କରିବା ପାଇଁ ମୋର ବହୁତ ମନ୍ତ୍ରଣା ଓ ବଳ ଅଛି।” କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେହେତୁ ମୋ’ ବିପକ୍ଷରେ ବିଦ୍ରୋହ କରୁଛ? 21 ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ। 22 ତୁମ୍ଭେମାନେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ।” କିନ୍ତୁ ମୁଁ ଜାଣେ ହିଜକିୟ ଯେଉଁ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିରେ ଲୋକମାନେ ପୂଜା କରୁଥିଲେ ସେ ସେଗୁଡ଼ିକୁ ଦୂରେଇ ଦେଇଛନ୍ତି ଆଉ ଯିହୁଦାକୁ ଯିରୁଶାଲମକୁ କହିଛନ୍ତି “ତୁମ୍ଭେମାନେ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବ।”
23 ‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। 24 ତୁମ୍ଭେ ମୋର ମହାଶୟଙ୍କ ଦାସମାନଙ୍କ ମଧ୍ୟରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ୟକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।
25 ‘ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଅ ଓ ତାକୁ ଧ୍ୱଂସ କର!”’”
26 ତା'ପରେ ହିଲ୍କିୟର ପୁତ୍ର ଇଲିୟାକୀମ୍, ଶିବନ ଓ ଯୋୟାହ ରବ୍ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭେମାନେ ତାହା ବୁଝୁଅଛୁ। କିନ୍ତୁ ଆପଣ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।”
27 କିନ୍ତୁ ଆଦେଶକାରୀ ସେମାନଙ୍କୁ କହିଲେ, “ମୋର ମହାଶୟ କେବଳ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ୟ ମୁଁ କହିବି। ମୁଁ ସେମାନଙ୍କୁ ଜଣାଇଦେବାକୁ ଗ୍ଭହେଁ ଯେ, ସେମାନେ ତୁମ୍ଭମାନଙ୍କ ସହିତ ସେମାନଙ୍କର ବିଷ୍ଠା ଖାଇବେ ଓ ସେମାନଙ୍କର ମୂତ୍ର ପିଇବେ।”
28 ତା'ପରେ ଆଦେଶକାରୀ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଚିତ୍କାର କରି କହିଲେ,
ତୁମ୍ଭେମାନେ ମହାରାଜ ଅଶୂରର ରାଜାଙ୍କ କଥାଶୁଣ। 29 ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଧକା ଦେବାକୁ ହିଜକିୟକୁ ପ୍ରଶ୍ରୟ ଦିଅ ନାହିଁ। କାରଣ ସେ ତୁମ୍ଭମାନଙ୍କୁ ମୋ’ ହସ୍ତରୁ ଉଦ୍ଧାର କରି ପାରିବ ନାହିଁ। 30 ହିଜକିୟ ତୁମ୍ଭର ବିଶ୍ୱାସ ସଦାପ୍ରଭୁଙ୍କଠାରେ ନ ଜନ୍ମାଉ, ହିଜକିୟ କହେ, “ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରିବେ। ଅଶୂରର ରାଜା ଏହି ନଗରକୁ ପରାସ୍ତ କରି ପାରିବ ନାହିଁ।”
31 ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା'ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା'ର ନିଜ କୂଅରୁ ଜଳପାନ କରି ପାରିବ। 32 ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ ନେଇଯିବି ଯେଉଁଠାରେ ଶସ୍ୟ, ଦ୍ରାକ୍ଷାରସ, ରୋଟୀ, ଦ୍ରାକ୍ଷାକ୍ଷେତ୍ର, ଜୀତତୈଳ ଓ ମଧୂ ବିପୁଳ ପରିମାଣରେ ଅଛି, ସେଠାରେ ତୁମ୍ଭେମାନେ ବଞ୍ଚିବ ଓ ମରିବ ନାହିଁ।
ମାତ୍ର ରାଜା ହିଜକିୟଙ୍କ କଥା ଶୁଣ ନାହିଁ। ତୁମ୍ଭମାନଙ୍କର ମନକୁ ବଦଳାଇବା ପାଇଁ ସେ ସବୁବେଳେ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।’ 33 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ନା! 34 ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟିମର, ହେନାର ଓ ଅବ୍ବାର ଦେବତାମାନେ କାହାନ୍ତି? ସେମାନେ କ’ଣ ମୋ’ ହସ୍ତରୁ ଶମରିୟାକୁ ଉଦ୍ଧାର କରିଛନ୍ତି? ନା! 35 ନାନା ଗୋଷ୍ଠୀୟ ଦେବତାଗଣ ମଧ୍ୟରୁ କେହି ଆପଣା ଦେଶକୁ ମୋ’ ହସ୍ତରୁ ଉଦ୍ଧାର କରିଛି ଯେ ସଦାପ୍ରଭୁ ମୋ'ଠାରୁ ଯିରୁଶାଲମକୁ ଉଦ୍ଧାର କରିବେ?”
36 ମାତ୍ର ଲୋକମାନେ ନୀରବ ରହିଲେ। ସେମାନେ ପଦେ ହେଲେ ରବ୍ଶାକିକୁ ଉତ୍ତର କଲେ ନାହିଁ, କାରଣ ହିଜକିୟ ସେମାନଙ୍କୁ ଆଦେଶ କରିଥିଲେ, “କୌଣସି କଥା ତାଙ୍କୁ କହିବ ନାହିଁ।”
37 ହିଲ୍କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜକିୟ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।
ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ସହିତ ହିଜକିୟଙ୍କର ପରାମର୍ଶ
19 ରାଜା ହିଜକିୟ ସମସ୍ତ କଥା ଶୁଣିଲେ। ନିଜର ଦୁଃଖ ଓ ବ୍ୟସ୍ତତା ଜଣାଇବା ପାଇଁ ଆପଣା ବସ୍ତ୍ର ଚିରିଲେ ଓ ଅଖା ଘୋଡ଼ାଇ ହୋଇ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
2 ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମକୁ, ଲେଖକ ଶିବ୍ନକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇଲେ। 3 ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ କହନ୍ତି, ଏହି କ୍ଳେଶ, ଅନୁଯୋଗ ଓ ଅପମାନର ଦିନ। ଏହା ଏପରି ଦିନ ଯେବେ ଶିଶୁଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସେମାନଙ୍କ ପାଖରେ ଶକ୍ତି ନାହିଁ। 4 ଅଶୂରର ରାଜା ଜୀବନ୍ତ ସଦାପ୍ରଭୁଙ୍କ ବିଷୟରେ ମନ୍ଦ କଥା କହିବାକୁ ତାଙ୍କର ସେନାଧ୍ୟକ୍ଷଙ୍କୁ ପଠାଇଲେ। ହୋଇପାରେ ସଦାପ୍ରଭୁ ଶୁଣି ପାରନ୍ତି, ଯାହା ସେନାଧ୍ୟକ୍ଷ କହିଲା ଓ ଶତ୍ରୁକୁ ଦଣ୍ତ ଦେବେ। ଏଣୁ ଦୟାକରି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”
5 ହିଜକିୟଙ୍କର ଉଚ୍ଚ ଅଧିକାରୀମାନେ ଯିଶାଇୟଙ୍କୁ ଦେଖିବାକୁ ଗଲେ। 6 ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭର ମହାଶୟ ହିଜକିୟଙ୍କୁ ଏହି ସମ୍ବାଦ ଦିଅ, ‘ସଦାପ୍ରଭୁ କହନ୍ତି, ଅଶୂରୀୟ ରାଜାର ଅଧିକାରୀମାନେ ଆମ୍ଭମାନଙ୍କୁ ନିନ୍ଦା କରିବାର କଥା ତୁମ୍ଭେ ଶୁଣି ଅଛ, ସେ କଥାରେ ଭୀତ ହୁଅ ନାହିଁ।” 7 ଦେଖ, ମୁଁ ତାଙ୍କ ମଧ୍ୟରେ ଏକ ଆତ୍ମା ଦେବି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫେରିଯିବ, ଆଉ ମୁଁ ତାକୁ ତା'ର ନିଜ ଦେଶରେ ଖଡ଼୍ଗ ଦ୍ୱାରା ବଧ କରିବି।’”
ଅଶୂରର ରାଜାର ପୁନର୍ବାର ହିଜକିୟଙ୍କୁ ସତର୍କ ବାଣୀ
8 ଅନନ୍ତର ଅଶୂରୀୟ ରାଜା ଲାଖୀଶ୍କୁ ପ୍ରସ୍ଥାନ କରିଛି ବୋଲି ରବ୍ଶାକି ଶୁଣି ଫେରିଗଲା ଓ ଲିବ୍ନା ବିରୁଦ୍ଧରେ ତାକୁ ଯୁଦ୍ଧ କରୁଥିବାର ଦେଖିଲା। 9 ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି ଜନରବ ଶୁଣିଲା, “ଦେଖ, ତିର୍ହକ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।”
ତେଣୁ ଅଶୂରର ରାଜା ପୁନର୍ବାର ହିଜକିୟ ନିକଟକୁ ଦୂତମାନଙ୍କୁ ପଠାଇ କହିଲା। 10 “ତୁମ୍ଭେମାନେ ଯିହୁଦାର ରାଜା ହିଜକିୟଙ୍କୁ ଏହିକଥା କହିବ,
‘ତୁମ୍ଭର ପରମେଶ୍ୱର ଯାହାଙ୍କୁ ବିଶ୍ୱାସ କର ତୁମ୍ଭମାନଙ୍କୁ କଥାରେ ଭୁଲ୍ ବାଟରେ ନ ନିଅନ୍ତୁ, ଯିରୁଶାଲମ ଅଶୂରୀୟ ରାଜାଙ୍କ ଦ୍ୱାରା ଅଧିକୃତ ହେବ ନାହିଁ। 11 ଦେଖ, ତୁମ୍ଭେମାନେ ମଧ୍ୟ ଶୁଣିଅଛ ଯେ, ଅଶୂରୀୟ ରାଜାମାନେ ଅନ୍ୟ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଅଛନ୍ତି। ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ? ନା! 12 ଆଉ ମଧ୍ୟ ମୋର ପୂର୍ବପୁରୁଷଗଣ ଗୋଶନ, ହାରୋଣ, ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବସୀ ଏଦନ ସନ୍ତାନମାନଙ୍କୁ ବିନାଶ କରିଛନ୍ତି। ସେମାନଙ୍କର ଦେବତାଗଣ ସେମାନଙ୍କୁ ଉଦ୍ଧାର କରି ପାରିଲେ ନାହିଁ? 13 ଆଉ କାହାନ୍ତି ହମାତ୍, ଅର୍ପଦ, ସଫର୍ବୟିମ, ହେନା ଓ ଅବ୍ବାର ରାଜଗଣ? ସେମାନେ ସମସ୍ତେ ବିନାଶ ପ୍ରାପ୍ତ ହୋଇଅଛନ୍ତି।’”
ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି
14 ହିଜକିୟ ତାଙ୍କର ଦୂତମାନଙ୍କଦ୍ୱାରା ପଠାଯାଇଥିବା ଚିଠିଟିକୁ ପାଠକଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ଚିଠିଟିକୁ ମେଲାଇ ଦେଲେ। 15 ହିଜକିୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କେବଳ ଏ ସମଗ୍ର ବିଶ୍ୱର ପରମେଶ୍ୱର ଅଟ। ଆଉ ମଧ୍ୟ ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। 16 ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ୱରଙ୍କୁ ଅପମାନ କରିବା ପାଇଁ ସନ୍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ। 17 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରର ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶକୁ ଧ୍ୱଂସ କରିଅଛନ୍ତି। 18 ଅଶୂରର ରାଜାମାନେ ସେମାନଙ୍କ ଜାତିର ଦେବତାଗୁଡ଼ିକୁ ଅଗ୍ନିରେ ଦଗ୍ଧିଭୂତ କଲେ। ଅବଶ୍ୟ ସେମାନେ ପ୍ରକୃତ ଦେବତାଗଣ ନ ଥିଲେ। ମନୁଷ୍ୟକୃତ କାଷ୍ଠ ଓ ପ୍ରସ୍ତରର ପ୍ରତିମା ମାତ୍ର, ତେଣୁ ସେହି ରାଜାମାନେ ସେଗୁଡ଼ିକୁ ବିନାଶ କଲେ। 19 ତେଣୁ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
ହିଜକିୟଙ୍କୁ ସଦାପ୍ରଭୁଙ୍କର ଉତ୍ତର
20 ଏହା ପରେ ଆମୋସର ପୁତ୍ର ଯିଶାଇୟ ହିଜକିୟଙ୍କ ନିକଟକୁ କହି ପଠାଇଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍ହେରୀବ୍ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।
21 “ଏହା ହେଉଛି ସନ୍ହେରୀବ୍ ବିଷୟରେ ସଦାପ୍ରଭୁଙ୍କ ବାର୍ତ୍ତା:
‘ସିୟୋନର ଅନୁଢ଼ା କନ୍ୟା ତୁମ୍ଭକୁ ତାଚ୍ଛଲ୍ୟ କରେ।
ସେ ତୁମ୍ଭକୁ ପରିହାସ କରିଅଛି।
ଯିରୁଶାଲମର କନ୍ୟା ତୁମ୍ଭ ଆଡ଼େ
ତୁମ୍ଭକୁ ମୁଣ୍ତ ହଲାଇ ଅଛି।
22 କିନ୍ତୁ ତୁମ୍ଭକୁ କିଏ ଅପମାନିତ ଓ ନିନ୍ଦା କଲା?
କିଏ ତୁମ୍ଭ ବିରୁଦ୍ଧରେ କହିଲା?
ତେଣୁ ତୁମ୍ଭେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଥିଲ।
ତୁମ୍ଭେ ତାଙ୍କଠାରୁ ଅଧିକ ଭଲ ବୋଲି ତୁମ୍ଭେ କାର୍ଯ୍ୟ କଲ।
23 ପୁଣି ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ଧିକ୍କାର କରିଅଛ।
ତୁମ୍ଭେ କହିଲ, “ମୁଁ ମୋର ଅପାର ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଆସିଲି।
ମୁଁ ଲିବାନୋନ୍ର ଅଭ୍ୟନ୍ତରକୁ ଆସିଅଛି।
ମୁଁ ତାହାର ଉଚ୍ଚ ଏରସବୃକ୍ଷ ଓ ତାହାର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇଲି।
ପୁଣି ମୁଁ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ଲିବାନୋନ୍ର ଉର୍ଦ୍ଧକୁ ଗଲି।
24 ଆମ୍ଭେ ନୂତନ ସ୍ଥାନରେ କୂପ ଖୋଳିଅଛୁ ଓ ଜଳପାନ କରିଅଛୁ।
ପୁଣି ଆମ୍ଭେ ମିଶରର ସମସ୍ତ ନଦୀ ଶୁଷ୍କ କରିଅଛୁ
ଓ ଦେଶରେ ପଦ ଗ୍ଭରଣ କରିଅଛୁ।”
25 ତୁମ୍ଭେ କ’ଣ ଏହା ଶୁଣି ନାହଁ, ପରମେଶ୍ୱର କ’ଣ କହିଲେ?
ଯେ କିପରି ଆମ୍ଭେ ପୁରାତନ କାଳରୁ ଏହା ନିରୂପଣ କରିଅଛୁ
ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁ।
ଆମ୍ଭେ ପ୍ରାଚୀର ବେଷ୍ଟିତ ନଗରମାନ ଧ୍ୱଂସ କରି ସେ ସବୁକୁ ଢିପ କରିବା।
ଆମ୍ଭେ ଏହା ଘଟିବା ପାଇଁ କରିଅଛୁ।
26 ଏଣୁ ସେ ନଗର ଗୁଡ଼ିକର ବାସିନ୍ଦାମାନେ ଅଳ୍ପ ଶକ୍ତି ସମ୍ପନ୍ନ ହେଲେ।
ସେମାନେ ହତାଶ ଓ ଉଦ୍ବିଗ୍ନ ହେଲେ।
ସେମାନେ କ୍ଷେତର ଶାକ ଓ ନବୀନ ତୃଣ ପରି,
ଗୃହଛାତ ଉପରିସ୍ଥ ଘାସ ଏହା ବଢ଼ିବା ପୂର୍ବରୁ ଶୁଷ୍କ ହେଉଛି।
27 ମାତ୍ର କେତେବେଳେ ତୁମ୍ଭର ବସିବାର,
ବାହାରକୁ ଯିବାର ଭିତରକୁ ଆସିବାର
ଓ ମୋ’ ସହିତ ତୁମ୍ଭ ଧୈର୍ଯ୍ୟଚ୍ୟୁତ ହେବାର
ଆମ୍ଭେ ଜାଣୁ।
28 ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ
ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହୋଇଅଛି।
ଏଣୁ ଆମ୍ଭେ ତୁମ୍ଭ ନାସିକାରେ ଅଙ୍କୁଶ
ଓ ତୁମ୍ଭ ଓଷ୍ଠାଧରରେ ଲଗାମ ଦେବା।
ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ
ସେହି ବାଟରେ ତୁମ୍ଭଙ୍କୁ ଫେରାଇ ଦେବା।’”
ହିଜକିୟଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା
29 “ହେ ହିଜକିୟ, ଏହା ତୁମ୍ଭ ପ୍ରତି ମୋର ସାହାଯ୍ୟର ଚିହ୍ନ ହେବ। ଏହି ବର୍ଷ ତୁମ୍ଭେମାନେ ସ୍ୱୟଂ କ୍ଷେତରେ ବଢ଼ିଥିବା ଶସ୍ୟ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ୟ କାଟିବ ଓ ତୁମ୍ଭଦ୍ୱାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ। 30 ପୁଣି ଯିହୁଦା ବଞ୍ଚିରହିଥିବା ଅବଶିଷ୍ଟ ଲୋକମାନେ ସେମାନଙ୍କର ପରିବାରରେ କେହି ଗୁଣାରେ ବଢ଼ିପାଇବେ। 31 ଅଳ୍ପ କେତେକ ମୃତ୍ୟୁରୁ ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ଯିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।
32 “ତେଣୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କୁହନ୍ତି।
‘ସେ ଏହି ନଗରକୁ ଆସିବ ନାହିଁ ନଗରରେ ତୀର ନିକ୍ଷେପ କରିବ ନାହିଁ।
ସେ ଏହି ନଗର ବିରୁଦ୍ଧରେ ଢାଲ ଧରି ଆସିବ ନାହିଁ।
ସେ ଏହି ନଗରକୁ ଆକ୍ରମଣ କରିବାକୁ
ଗଡ଼ାଣିଆ ମଞ୍ଚ ନିର୍ମାଣ କରିବ ନାହିଁ।
33 ପୁଣି ସଦାପ୍ରଭୁ କହନ୍ତି,
ସେ ଯେଉଁ ବାଟରେ ଆସିଥିଲା ସେହି ବାଟରେ ଫେରିଯିବ।
ସେ ଏ ନଗରକୁ ଆସିବ ନାହିଁ।
34 ମୁଁ ଏହି ନଗରକୁ ରକ୍ଷା କରିବି।
ମୋ’ ନିଜ ସକାଶେ ଓ ମୋର ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦେବି।’”
ଅଶୂରୀୟ ସୈନ୍ୟବାହିନୀ ବିନାଶ ହୁଅନ୍ତି
35 ଅନନ୍ତର ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ଅଶୂରୀୟମାନଙ୍କର ଛାଉଣିରେ 185,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ୟମାନେ ପ୍ରଭାତରେ ମୃତ ଶରୀର ଦେଖିଲେ।
36 ତେଣୁ ଅଶୂରର ରାଜା ସନ୍ହେରୀବ୍ ପ୍ରସ୍ଥାନ କଲା ଓ ନୀନିବୀରେ ଅବସ୍ଥାନ କଲା। 37 ଏକଦା ସନ୍ହେରୀବ୍ ଆପଣା ନିଷ୍ରୋକ ନାମକ ଦେବତାକୁ ମନ୍ଦିରରେ ପୂଜା କରିବା ବେଳେ ତା'ର ପୁତ୍ର ଅଦ୍ରମ୍ମେଲକ ଓ ଶରେତ୍ସର ତାହାକୁ ଖଡ଼୍ଗରେ ବଧ କଲେ। ତା'ପରେ ସେମାନେ ଅରାରଟ ଦେଶକୁ ପଳାୟନ କଲେ। ଆଉ ତା'ର ପୁତ୍ର ଏସରହଦ୍ଦୋନ ତାହାର ପଦରେ ରାଜା ହେଲା।
2010 by World Bible Translation Center