Beginning
ଇଫ୍ରୟିମ ଓ ମନଃଶି ପାଇଁ ଦେଶ
16 ଯୋଷେଫଙ୍କର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ଯର୍ଦ୍ଦନ ନଦୀ ନିକଟସ୍ଥ ଯିରୀହୋଠାରୁ ଆରମ୍ଭ କରି ଯିରୀହୋର ଜଳ ନିକଟବର୍ତ୍ତୀ ଯାଏ ବ୍ୟାପିଥିଲା। ଏହାର ସୀମା ଯିରୀହୋଠାରୁ ପର୍ବତମୟ ଦେଶ ବୈଥେଲ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା। 2 ଏହା ପରେ ଏହାର ସୀମା ବୈଥେଲ୍ଠାରୁ (ଲୁସ) ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା। 3 ପଶ୍ଚିମରେ ଯଫଲେଟୀୟ ସୀମା ଆଡ଼େ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗେଷର୍ ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମୁଦ୍ରରେ ଥିଲା।
4 ଏହିପରି ଯୋଷେଫଙ୍କର ସନ୍ତାନ ମନଃଶି ଏବଂ ଇଫ୍ରୟିମ ତାଙ୍କର ନିଜ ନିଜ ଅଧିକାର ପାଇଲେ। ଇଫ୍ରୟିମ ଓ ମନଃଶି ଯୋଷେଫଙ୍କର ସନ୍ତାନ ଥିଲେ।
5 ଏହି ଭୂମି ଇଫ୍ରୟିମ ଲୋକଙ୍କୁ ଅଧିକାର ପାଇଁ ଦିଆ ଯାଇଥିଲା। ଏହାର ପୂର୍ବ ସୀମା ଉଚ୍ଚ ସୀମା ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍-ଅଦ୍ଦର ସେମାନଙ୍କର ଅଧିକାର ସୀମା ହେଲା। 6 ସେ ସୀମା ପଶ୍ଚିମ ଦିଗରେ ମିକ୍ମଥତ୍ ଉତ୍ତରରେ ବାହାରି ଗଲା। ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍ ଶିଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ପୂର୍ବ ଦିଗରେ ଯାନୋହ ଯାଏ ଗଲା। 7 ଏହା ପରେ ଯାନୋହଠାରୁ ଅଟାରୋତ୍ ଓ ନାରତ୍ ଦେଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା। 8 ତହୁଁ ଏହାର ସୀମା ପଶ୍ଚିମ ତପୂହଠାରୁ କାନ୍ନା ନଦୀଦେଇ ଗଲା ଓ ଏହାର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ନିଜ ନିଜ ବଂଶାନୁସାରେ ଇଫ୍ରୟିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର। 9 ଏହା ଛଡ଼ା ମନଃଶି ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ ସନ୍ତାନଗଣର ପୃଥକୀକୃତ ଗ୍ରାମ ସମେତ ବହୁତ ନଗର ଥିଲା। 10 କିଣାନୀୟମାନଙ୍କୁ ଗେଷରକୁ ତଡ଼ିବା ପାଇଁ। କିନ୍ତୁ ଇଫ୍ରୟିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଇଫ୍ରୟିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀୟ ଲୋକମାନେ ଇଫ୍ରୟିମ ଲୋକମାନଙ୍କର ଦାସ ହୋଇ ରହିଲେ।
17 ଏହା ପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷେଫଙ୍କର ପ୍ରଥମ ପୁତ୍ର। ମନଃଶିଙ୍କର ପ୍ରଥମ ପୁତ୍ର ମାଖୀର ଗିଲିୟଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିୟଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା। 2 ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ।
3 ସଲଫାଦ ଥିଲେ ହେଫର ପୁତ୍ର, ହେଫର ଥିଲେ ଗିଲିୟଦର ପୁତ୍ର, ଗିଲିୟଦ ଥିଲେ ମାଖୀରର ପୁତ୍ର ଏବଂ ମାଖୀର ଥିଲେ ମନଃଶିର ପୁତ୍ର। ସଲଫାଦର କୌଣସି ପୁତ୍ର ନ ଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ୟା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା। 4 ଏହି ଝିଅମାନେ ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ସେନାପତିଗଣଙ୍କ ପାଖକୁ ଗଲେ। କନ୍ୟାଗଣ କହିଲେ, “ଆମ୍ଭମାନଙ୍କ ପୁରୁଷ ସମ୍ପର୍କୀୟମାନଙ୍କ ପରି ଆମ୍ଭକୁ ଭୂମି ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ।” ତେଣୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସେମାନଙ୍କର ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।
5 ତେଣୁ ମନଃଶିର ବଂଶଧର ଯର୍ଦ୍ଦନ ନଦୀର ପଶ୍ଚିମ ପଟରୁ ଦଶ ଗୋଟି ଅଞ୍ଚଳ ଏବଂ ଅଧିକ ଦୁଇଟି ଅଞ୍ଚଳ ଗିଲିୟଦ ଓ ବାଶନ ଯର୍ଦ୍ଦନ ନଦୀର ଆର ପାରିରେ ନେଲେ। 6 ତେଣୁ ଏହିପରି ଭାବରେ ସେ ସ୍ତ୍ରୀଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିୟଦର ଭୂମିକୁ ଅବଶିଷ୍ଟ ମନଃଶି ବଂଶଧରକୁ ଅଧିକାର ଦିଆଗଲା।
7 ମନଃଶିର ଅଞ୍ଚଳ ଥିଲା ଆଶେର ଓ ମିକ୍ମଥତ୍ ମଧ୍ୟବର୍ତ୍ତୀ, ଏହା ଥିଲା ଶିଖିମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରୁ ଐନ୍ନ-ତପୂହନିବାସୀମାନଙ୍କ ନିକଟବର୍ତ୍ତୀ ଥିଲା। 8 ତପୂହର ଚତୁର୍ପାର୍ଶ୍ୱସ୍ଥ ସମସ୍ତ ଭୂମି ମନଃଶିର ଅଧିକାରରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧୀନରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମାରେ ଥିଲା ଏବଂ ଏହା ଇଫ୍ରୟିମମାନଙ୍କ ଅଧିକାରରେ ରହିଲା। 9 ମନଃଶିର ସୀମା ଦକ୍ଷିଣରୁ କାନ୍ନା ନଦୀ ପର୍ଯ୍ୟନ୍ତ ଲାଗି ରହିଲା। ଏହି ଅଞ୍ଚଳ ମନଃଶିର ବଂଶଧରଙ୍କ ଅଧୀନରେ ରହିଲା। କିନ୍ତୁ ନଗରଟି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ମନଃଶିର ସୀମା ନଦୀର ଉତ୍ତର ସୀମାଠାରୁ ଆରମ୍ଭ କରି ପଶ୍ଚିମର ସମୁଦ୍ର ପର୍ଯ୍ୟନ୍ତ ଥିଲା। 10 ଦକ୍ଷିଣ ଭାଗରେ ଥିବା ଭୂମି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ଉତ୍ତରରେ ଥିବା ଭୂମି ମନଃଶିର ସନ୍ତାନମାନଙ୍କ ଅଧିକାରରେ ରହିଲା। ଏବଂ ଏହାର ସୀମା ଥିଲା ସମୁଦ୍ର। ଏହି ସୀମା ଉତ୍ତରରେ ଆଶେର ସୀମାକୁ ଛୁଇଁ ଥିଲା। ଏବଂ ଇଷାଖର ଭୂମି ପୂର୍ବରେ ଥିଲା।
11 ଇଷାଖର ଓ ଆଶେର ମଧ୍ୟରେ ବୈଥ୍ଶାନ୍ ଓ ତହିଁର ଉପନଗର ଯିବଲିୟମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ। 12 ତଥାପି ମନଃଶିର ସନ୍ତାନଗଣ ସେହିସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। 13 କିନ୍ତୁ ଇସ୍ରାଏଲବାସୀଗଣ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେମାନେ କିଣାନୀୟମାନଙ୍କୁ ବେଠିକାମ କରିବାକୁ ବାଧ୍ୟ କଲେ। କିନ୍ତୁ ସେମାନେ କିଣାନୀୟମାନଙ୍କୁ ସେଠାରୁ ତଡ଼ିଦେବା ପାଇଁ ବାଧ୍ୟ କଲେ ନାହିଁ।
14 ଯୋଷେଫ ବଂଶଧର ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଯାହାକୁ ସଦାପ୍ରଭୁ ଲୋକମାନଙ୍କୁ ଦେଇଥିଲେ।”
15 ଯିହୋଶୂୟ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଯଦି ତୁମ୍ଭେ ବହୁତ ଲୋକ ଅଛ, ତେବେ ତୁମ୍ଭେ ପର୍ବତମୟ ବଣ ଅଞ୍ଚଳକୁ ଯାଅ। ଏବଂ ବଣ ସଫା କରି ତାକୁ ବାସପଯୋଗୀ କର। ବର୍ତ୍ତମାନ ସେ ଭୂମି ପିରିଷୀୟ ଏବଂ ରଫାୟୀୟ ଲୋକମାନଙ୍କ ଅଧୀନରେ ଅଛି। ଯଦି ଇଫ୍ରୟିମର ପାର୍ବତ୍ୟ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତେବେ ତୁମ୍ଭେ ଯାଅ ଏବଂ ସେ ଭୂମିକୁ ନିଜ ଅଧୀନକୁ ନିଅ।”
16 ଯୋଷେଫଙ୍କର ଲୋକମାନେ କହିଲେ, “ଏହା ସତ୍ୟ ଯେ ଇଫ୍ରୟିମର ପର୍ବତମୟ ଦେଶ ଆମ୍ଭ ପାଇଁ ଯଥେଷ୍ଟ ନୁହେଁ। କିନ୍ତୁ ସେଠାରେ କିଣାନୀୟ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସେମାନଙ୍କର ଲୁହାର ରଥ ଅଛି। ଏବଂ ଯିଷ୍ରିୟେଲ ଉପତ୍ୟକା ତାଙ୍କ ଅଧୀନରେ ଅଛି। ବୈଥ୍ଶାନି ଏବଂ ତା'ର ଉପସହର ଗୁଡ଼ିକ ସେହି ଅଞ୍ଚଳର ଅଟେ।”
17 ଏହା ପରେ ଯିହୋଶୂୟ ଯୋଷେଫଙ୍କର ଲୋକମାନଙ୍କୁ, “ଇଫ୍ରୟିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, “ତୁମ୍ଭେ ବହୁପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରୁ ଅଧିକ ପାଇବା ଉଚିତ୍।” 18 ତୁମ୍ଭେମାନେ ସେହି ପର୍ବତମୟ ଦେଶକୁ ନେବ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭେମାନେ ଏଠାରେ ବୃକ୍ଷ ସଫା କରି ପାରିବ। ଏବଂ ଏହାକୁ ଏକ ସୁନ୍ଦର ବାସପୋଯୋଗୀ କରି ପାରିବ। ଏବଂ ତୁମ୍ଭେ ଏହାର ମାଲିକାନା ପାଇବ। ତୁମ୍ଭେମାନେ ବଳପୂର୍ବକ କିଣାନୀୟ ଲୋକମାନଙ୍କୁ ସେଠାରୁ ତଡ଼ି ଦିଅ। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରି ପାରିବ ଯଦିଓ ସେମାନେ ଶକ୍ତିଶାଳୀ ଓ ସେମାନଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଅଛି।”
ଅବଶିଷ୍ଟ ଭୂମିକୁ ବାଣ୍ଟି ନେଲେ
18 ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ। 2 ମାତ୍ର ସେହି ସମୟରେ ମଧ୍ୟ ଇସ୍ରାଏଲର ସାତୋଟି ପରିବାରବର୍ଗ ଭୂମି ପାଇ ନ ଥିଲେ। ଯାହାକି ସଦାପ୍ରଭୁ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
3 ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି। 4 ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ’ ନିକଟକୁ ଫେରାଇ ଆଣିବେ। 5 ସେମାନେ ସେ ଭୂମିକୁ ସାତ ଭାଗରେ ବାଣ୍ଟ କରିବେ। ଯିହୁଦାର ଲୋକମାନେ ସେମାନଙ୍କର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷେଫଙ୍କର ଉତ୍ତରାଧିକାରୀଗଣ ଉତ୍ତରରେ ସେମାନଙ୍କର ଭୂମି ପାଇବେ। 6 କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ। 7 ଏଥିରେ ଲେବୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସେମାନଙ୍କର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସେବା କରିବା। ଏବଂ ଗାଦ୍, ରୁବେନ୍, ମନଃଶିର ଓ ଅର୍ଦ୍ଧବଂଶ ଯର୍ଦ୍ଦନ ପୂର୍ବ ପାରିରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସେବକ ମୋଶା ଯିଏ ସେମାନଙ୍କୁ ଏ ଭୂମି ଦେଲେ।”
8 ତେଣୁ ଲୋକମାନେ ଯେଉଁମାନେ ବଛା ଯାଇଥିଲେ, ସେମାନେ ଯାଇ ଦେଶ ଅନୁଧ୍ୟାନ କରି ସେ ବିଷୟରେ ଲେଖିଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ, ତା'ପରେ ମୁଁ ଶୀଲୋର ପରମେଶ୍ୱରଙ୍କ ସମ୍ମୁଖରେ ଗୁଲିବାଣ୍ଟ ପକାଇ ବାଣ୍ଟି ଦେବି।”
9 ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ। 10 ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ।
ବିନ୍ୟାମୀନ ବଂଶଧରଙ୍କ ପାଇଁ ଭୂମି
11 ବିନ୍ୟାମୀନର ପରିବାରବର୍ଗଗଣ ଯିହୁଦା ଓ ଯୋଷେଫଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳରେ ଭୂମି ପାଇଲେ। ବିନ୍ୟାମୀନ ପ୍ରତ୍ୟେକ ପରିବାରବର୍ଗର ଲୋକମାନେ ସେମାନଙ୍କର ଭାଗ ପାଇଲେ। ଏହି ଭୂମି ଯାହାକି ବିନ୍ୟାମୀନ ପରିବାରବର୍ଗଙ୍କ ପାଇଁ ସ୍ଥିର କରାଯାଇଥିଲା। 12 ସେମାନଙ୍କର ଉତ୍ତର ସୀମା ଯର୍ଦ୍ଦନ ନଦୀଠାରୁ ଆରମ୍ଭ ହେଲା। ଏହାର ସୀମା ଉତ୍ତରରେ ଯିରୀହୋରୁ ଲାଗିଥିଲା। ଏହା ପରେ ଏହାର ସୀମା ପଶ୍ଚିମରେ ପର୍ବତମୟ ଦେଶକୁ ଲାଗିଥିଲା। ଏହାର ସୀମା ପୂର୍ବ ପଟରେ ବୈଥାବନ ପର୍ଯ୍ୟନ୍ତ ଲାଗିଥିଲା। 13 ସେଠାରୁ ସେ ସୀମା ଦକ୍ଷିଣ ଆଡ଼େ ଲୁସ (ବୈଥେଲ୍) ପର୍ଯ୍ୟନ୍ତ ଗଲା। ଏହା ପରେ ନୀଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦେଇ ଅଟାରୋତ୍ ଅଦ୍ଦର ଆଡ଼କୁ ଗଲା। 14 ସେଠାରୁ ସେ ସୀମା ଲାଗି ରହିଲା। ପଶ୍ଚିମରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯିହୁଦା ସନ୍ତାନଗଣର କିରିୟଥ-ବାଲ୍ ବା କିରିୟଥ-ଯିୟାରୀମ୍ ନାମକ ଏକ ନଗର ପର୍ଯ୍ୟନ୍ତ। ଏହା ଥିଲା ସେମାନଙ୍କର ପଶ୍ଚିମ ସୀମା।
15 ଏହାର ଦକ୍ଷିଣ ସୀମା କିରିୟଥ୍-ଯିୟାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗରେ ଏହାର ସୀମା ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଥିଲା। 16 ଏହାର ସୀମା ରଫାୟୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରୁ ଯିବୂଷର ଦକ୍ଷିଣ ପାର୍ଶ୍ୱ ପର୍ଯ୍ୟନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନରୋଗଲେକୁ ଲାଗିଥିଲା। 17 ଏହାର ସୀମା ଉତ୍ତର ଦିଗଠାରୁ ଐନଶେମସ ପର୍ଯ୍ୟନ୍ତ ଲାଗିଥିଲା। ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ପର୍ଯ୍ୟନ୍ତ ଓ ସେଠାରୁ ଗଲୀଲୋତ୍ଠାରୁ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଲାଗିଥିଲା। 18 ଉତ୍ତର ଦିଗରେ ପଦା ଭୂମିର ସମ୍ମୁଖ ପାର୍ଶ୍ୱଠାରୁ ପଦାଭୂମି ପର୍ଯ୍ୟନ୍ତ ଲାଗି ଥିଲା। 19 ଏହାର ସେହି ସୀମା ବୈଥ-ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଲାଗି ରହିଥିଲା। ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତଭାଗ ଥିଲା। ଏହା ଥିଲା ଏହାର ଦକ୍ଷିଣ ସୀମା।
20 ଯର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ୟାମୀନଙ୍କର ପରିବାରବର୍ଗ ସେମାନଙ୍କର ଗୋଷ୍ଠୀ ଅନୁସାରେ ତାହା ଅଧିକାର କଲେ। 21 ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହୋ ଓ ବୈଥ୍-ଅଗ୍ଲା ଓ ଏମକ୍କତ୍ଶିସ୍। 22 ବୈଥ୍-ଆରବା, ସୀମାରୟମ ଓ ବୈଥେଲ୍। 23 ଅବ୍ବୀମ, ପାରା ଓ ଅଫ୍ରା। 24 କଫରମ୍ମୋନି, ଅଫନି ଓ ଗେବା, ଗ୍ରାମ ସମେତ ଏହିପରି ଭାବରେ ବାରଟି ନଗର ଥିଲା।
25 ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍, 26 ମିସ୍ପୀ, କଫୀରା, ମୋତ୍ସା, 27 ରେକମ୍, ଯିର୍ପେଲ୍, ତରଲା, 28 ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।
2010 by World Bible Translation Center