Beginning
ଗିବିୟୋନୀୟମାନେ ଯିହୋଶୂୟଙ୍କୁ ଠକିଲେ
9 ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋନ୍ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ। 2 ସେମାନେ ଯିହୋଶୂୟ ଓ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଏକତ୍ରିତ ହେଲେ ଓ ସୈନ୍ୟବାହିନୀରେ ଯୋଗ ଦେଲେ।
3 ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ। 4 ତା'ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ। 5 ସେମାନେ ମଧ୍ୟ ପାଦରେ ପୁରୁଣା ତାଳିପକା ଜୋତା ଓ ଦେହରେ ପୁରୁଣା ତାଳିପକା ଲୁଗା ପିନ୍ଧିଲେ। ସେମାନେ ଶୁଖିଲା ଓ ଫିମ୍ପା ରୋଟୀ ଗଧ ଉପରେ ନଦିଲେ। 6 ଏହିପରି ଭାବରେ ସେମାନେ ଗିଲ୍ଗଲ୍ ନିକଟସ୍ଥ
ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।”
7 ତେଣୁ ଇସ୍ରାଏଲୀୟ ଲୋକମାନେ ହିବ୍ବୀୟ ଲୋକମାନଙ୍କୁ କହିଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ନାହିଁ। ଯେପର୍ଯ୍ୟନ୍ତ ଆମ୍ଭେ ନ ଜାଣିଛୁ ତୁମ୍ଭେ କେଉଁଠାରୁ ଆସିଛ।”
8 ଏଥିରେ ହିବ୍ବୀୟମାନେ ଉତ୍ତର ଦେଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କର ଦାସ।”
କିନ୍ତୁ ଯିହୋଶୂୟ ପଗ୍ଭରିଲେ, “ତୁମ୍ଭେମାନେ କିଏ? ତୁମ୍ଭେମାନେ କେଉଁଠାରୁ ଆସିଅଛ?”
9 ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭର ସେବକଗଣ। ଆମ୍ଭେମାନେ ବହୁତ ଦୂର ଦେଶରୁ ଆସିଅଛୁ। ଆମ୍ଭେମାନେ ଆସିଲୁ, କାରଣ ଆମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟମାନ ବିଷୟରେ ଶୁଣିଲୁ। ସେ କିପରି ମିଶରରେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ ତାହା ଆମ୍ଭେ ଜାଣିବାକୁ ପାଇଲୁ। 10 ଏବଂ ଯର୍ଦ୍ଦନ ପୂର୍ବପାରିସ୍ଥ ହିଷ୍ବୋନ୍ ରାଜା ସୀହୋନ୍ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇମୋରୀୟମାନଙ୍କ ଦୁଇଜଣ ରାଜାଙ୍କୁ କେମିତି ପରାଜିତ କଲ, ତାହା ସବୁ ଆମ୍ଭେମାନେ ଶୁଣିଅଛୁ। 11 ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶରେ ଲୋକମାନେ କହିଲେ, ‘ତୁମ୍ଭମାନଙ୍କର ଯାତ୍ରାପାଇଁ ପ୍ରଚୁର ଖାଦ୍ୟ ନେଇ ଯାଅ ଏବଂ ଇସ୍ରାଏଲୀୟମାନଙ୍କ ସହିତ ସାକ୍ଷାତ କର।’ ତାଙ୍କୁ କୁହ, ‘ଆମ୍ଭେମାନେ ତୁମ୍ଭର ଦାସ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚୁକ୍ତି କର।’
12 “ଦେଖ ଆମ୍ଭେ ଘରୁ ଆସିଲାବେଳେ ଆଣିଥିବା ତଟକା ରୋଟୀ କିପରି ଶୁଖି ଫିମ୍ପି ମାରି ଗଲାଣି। 13 ପୁଣି ଦେଖ, ଏହିସବୁ ଦ୍ରାକ୍ଷାରସର କୁମ୍ପା ନୂତନ ଦ୍ରାକ୍ଷା ରସରେ ଭର୍ତ୍ତି କରିଥିଲୁ ତାହା ଫାଟି ଯାଇଛି। ଏବଂ ଆମ୍ଭକୁ ଲକ୍ଷ୍ୟକର, ବହୁତ ଦୂର ଯାତ୍ରା କରିଥିବାରୁ ଆମ୍ଭମାନଙ୍କର ଲୁଗା ଓ ଜୋତା କିପରି ପୁରୁଣା ହୋଇଗଲାଣି।”
14 ତେଣୁ ସେମାନେ ସେମାନଙ୍କର ଖାଦ୍ୟ ନମୁନାକୁ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସେମାନେ ସଦାପ୍ରଭୁଙ୍କର ଅନୁମତି ଲୋଡ଼ି ନ ଥିଲେ। 15 ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ।
16 ସେମାନେ ତିନି ଦିନ ପରେ ସେମାନଙ୍କ ସହିତ ଚୁକ୍ତି କଲେ, ଇସ୍ରାଏଲର ଲୋକମାନେ ହୃଦୟଙ୍ଗମ କଲେ ଯେ, ସେମାନେ ଇସ୍ରାଏଲ ଛାଉଣି ନିକଟରେ ବାସ କରୁଛନ୍ତି। 17 ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟତ୍ଯିଆରିମ୍ ନଗରମାନଙ୍କୁ ଆସିଲେ। 18 କିନ୍ତୁ ଇସ୍ରାଏଲର ସୈନ୍ୟମାନେ ସେହିସବୁ ନଗର ବିରୁଦ୍ଧରେ ଯୁଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇସ୍ରାଏଲର ନେତୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗରେ ଶପଥ କରିଥିଲେ।
ତେଣୁ ସମସ୍ତ ଇସ୍ରାଏଲୀୟଗଣ ସେମାନଙ୍କର ନେତୃବର୍ଗ ବିରୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ଅଭିଯୋଗ କଲେ। 19 କିନ୍ତୁ ଅଧିପତିଗଣ କହିଲେ, “ଆମ୍ଭେମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଗରେ ଶପଥ କରିଅଛୁ। ତେଣୁ ଏବେ ସେମାନଙ୍କର କ୍ଷତି କରି ପାରିବୁ ନାହିଁ। 20 ଆମ୍ଭେମାନେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସେମାନଙ୍କୁ ଜୀବିତ ରଖିବା, ଆମ୍ଭେମାନେ ଏହି ଲୋକମାନଙ୍କ ସହିତ ଚୁକ୍ତି କରିଅଛୁ ଏବଂ ଯଦି ଆମ୍ଭେ ଏହାକୁ ଭଙ୍ଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ। 21 ତେଣୁ ସେମାନଙ୍କୁ ଜୀବିତ ଛାଡ଼ିଦିଅ। କିନ୍ତୁ ସେମାନେ ଆମ୍ଭର ସେବକଗଣ ହେବେ। ସେମାନଙ୍କୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକୁ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତୁ।” ତେଣୁ ଅଧିପତିମାନେ ସେମାନଙ୍କର ଶପଥ ଭାଙ୍ଗିଲେ ନାହିଁ।
22 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ। 23 ଏଥିନିମନ୍ତେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ତୁମ୍ଭେମାନେ ମୋର ପରମେଶ୍ୱରଙ୍କ ଗୃହର କାଠ କଟାଳୀ ଓ ଜଳ କଢ଼ାଳୀ ହୋଇ ସବୁଦିନ ପାଇଁ ରହିବ।”
24 ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ। 25 ବର୍ତ୍ତମାନ ଆମ୍ଭେ ତୁମ୍ଭର ଅଧୀନ। ତୁମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।”
26 ତେଣୁ ଗିବିୟୋନୀୟମାନେ ସେମାନଙ୍କର କ୍ରୀତଦାସ ହୋଇ ରହିଲେ। କିନ୍ତୁ ଯିହୋଶୂୟ ସେମାନଙ୍କୁ ଜୀବିତ ରଖିଲେ। ଯିହୋଶୂୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନୁମତି ଦେଇ ନ ଥିଲେ। 27 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ କଟାଳୀ ଓ ଜଳ କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି।
10 ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା'ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି। 2 ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ। 3 ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀଶ୍ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା। 4 “ମୋ’ ନିକଟକୁ ଆସ ଏବଂ ଗିବିୟୋନକୁ ଆକ୍ରମଣ କରିବା ପାଇଁ ସାହାଯ୍ୟ କର। ଗିବିୟୋନୀୟମାନେ ଯିହୋଶୂୟ ଓ ଇସ୍ରାଏଲୀୟ ବାସୀମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି।”
5 ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ।
6 ଗିବିୟୋନୀୟମାନେ ଗିଲ୍ଗଲ୍ ଛାଉଣିଠାରେ ଯିହୋଶୂୟଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତାବାହକ କହିଲା, “ଆମ୍ଭେ ଆପଣଙ୍କ ଦାସ, ଆମ୍ଭକୁ ଏକୁଟିଆ ଛାଡ଼ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶୀଘ୍ର ଆସି ଆମ୍ଭକୁ ସାହାଯ୍ୟ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇମୋରୀୟ ଦେଶର ପର୍ବତ ନିବାସୀ ରାଜାମାନେ ସେମାନଙ୍କର ସୈନ୍ୟବାହିନୀ ସହିତ ଏକତ୍ରିତ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।”
7 ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗିଲ୍ଗଲ୍ରୁ ଯାତ୍ରା କଲେ। 8 ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ କର ନାହିଁ, କାରଣ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ସେମାନଙ୍କ ମଧ୍ୟରୁ ଜଣେ ହେଲେ, ତୁମ୍ଭର ସମ୍ମୁଖୀନ ହୋଇ ପାରିବେ ନାହିଁ।”
9 ତେଣୁ ଯିହୋଶୂୟ ସୈନ୍ୟମାନଙ୍କ ସହିତ ଅଗ୍ରସର ହୋଇ ଅକସ୍ମାତ୍ ସେମାନଙ୍କୁ ଗିଲ୍ଗଲ୍ରୁ ରାତ୍ରିସାରା ଆକ୍ରମଣ କଲେ।
10 ସଦାପ୍ରଭୁ ସୈନ୍ୟବାହିନୀକୁ ଦ୍ୱନ୍ଦରେ ପକାଇଲେ, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ତେଣୁ ଇସ୍ରାଏଲୀୟମାନେ ସେମାନଙ୍କ ଉପରେ ବିଜୟ ଲାଭ କଲେ। ଇସ୍ରାଏଲୀୟମାନେ ଗିବିୟୋନଠାରୁ ଆକ୍ରମଣ କରି ବୈଥୋରୋଣ ପର୍ଯ୍ୟନ୍ତ ଗୋଡ଼ାଇଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କୁ ପରାସ୍ତ କଲେ। 11 ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ।
12 ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ।
“ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ।
ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।”
13 ତେଣୁ ଲୋକମାନେ ଆପଣା ଶତ୍ରୁମାନଙ୍କୁ ପରାସ୍ତ ନ କରିବା ପର୍ଯ୍ୟନ୍ତ ସୂର୍ଯ୍ୟ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ଯାଶେର୍ ପୁସ୍ତକରେ ଲେଖା ଅଛି। ଆଉ ସୂର୍ଯ୍ୟ ଆକାଶର ମଝି ସ୍ଥାନରେ ସ୍ତବ୍ଧ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। 14 ଏହା ପୂର୍ବରୁ ବା ଏହା ପରେ ଏପରି ଦିନ ଆଉ ହୋଇ ନାହିଁ। ସେହି ଦିନ ସଦାପ୍ରଭୁ ମନୁଷ୍ୟର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇସ୍ରାଏଲ ସପକ୍ଷରେ ଯୁଦ୍ଧ କଲେ।
15 ଏହା ପରେ ଯିହୋଶୂୟ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀ ସହିତ ଗିଲ୍ଗଲ୍ ଛାଉଣିକି ଲେଉଟି ଆସିଲେ। 16 ଏଥି ମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ନିଜ ନିଜକୁ ଲୁଗ୍ଭଇଲେ। 17 ତେଣୁ ସେହି ପାଞ୍ଚ ରାଜା ପାଳାଇ ମକ୍କେଦା ଗୁମ୍ଫାରେ ଲୁଚି ରହିଛନ୍ତି। ଏ କଥା ଯିହୋଶୂୟ ଯେତେବେଳେ ଜାଣିଲେ, 18 ଯିହୋଶୂୟ କହିଲେ, “ବଡ଼ ବଡ଼ ପ୍ରସ୍ତର ଫଳକ ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ଜଗିବା ପାଇଁ ଲୋକ ନିଯୁକ୍ତ କର। 19 ତୁମ୍ଭେମାନେ ବନ୍ଦ କର ନାହିଁ। ତୁମ୍ଭର ଶତ୍ରୁମାନଙ୍କ ପଛରେ ଗୋଡ଼ଅ। ସେମାନଙ୍କୁ ପଛରୁ ଆକ୍ରମଣ କର। ସେମାନଙ୍କର ଲୋକମାନଙ୍କୁ ସେମାନଙ୍କର ନଗରରେ ପହଞ୍ଚିବାକୁ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ଦେଇଛନ୍ତି।”
20 ଏହିପରି ଭାବରେ ଯିହୋଶୂୟ ଏବଂ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ହତ୍ୟାକଲେ। କିନ୍ତୁ କେତେକ ଶତ୍ରୁ ଖସିଯାଇ ସେମାନଙ୍କର ସୁଦୃଢ଼ ନଗରରେ ଲୁଚି ରହିଲେ। 21 ଯୁଦ୍ଧ ପରେ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକ ମକ୍କେଦା ଛାଉଣିକୁ ଫେରି ଆସିଲେ। କିନ୍ତୁ ସେ ଦେଶରେ କୌଣସି ଲୋକ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ କିଛି କହିବାକୁ ସାହସ କଲେ ନାହିଁ।
22 ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।” 23 ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀଶ୍ର ଏବଂ ଇଗ୍ଲୋନର ରାଜାମାନେ। 24 ସେମାନେ ସେହି ରାଜାଗଣଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲେ ଏବଂ ଯିହୋଶୂୟ ତାଙ୍କର ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସେଠାକୁ ପଠାଇଲେ। ଯିହୋଶୂୟ ତାଙ୍କର ସୈନ୍ୟବାହିନୀର ସମସ୍ତ ସେନାପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, “ପାଖକୁ ଆସ ଏବଂ ଏ ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
25 ଏହା ପରେ ଯିହୋଶୂୟ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି କହିଲେ, “ଯୋଦ୍ଧା ଏବଂ ସାହସୀ ହୁଅ! ଭୟ କର ନାହିଁ! ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଦେଖାଇବି, ସଦାପ୍ରଭୁ ଭବିଷ୍ୟତରେ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭେମାନେ ଭବିଷ୍ୟତରେ ଯୁଦ୍ଧ କରିବ।”
26 ଏହା ପରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚଟା ଗଛ ଡାଳରେ ଟଙ୍ଗାଇଲେ। ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଗଛରେ ଝୁଲି ରହିଥିଲେ। 27 ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦେଲା ପରେ ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ନିଜକୁ ଲୁଗ୍ଭଇ ଥିଲେ, ତାହା ଭିତରକୁ ଫୋପାଡ଼ି ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଦେଇ ବନ୍ଦ କଲେ ଯାହାକି ଆଜିଯାଏ ଅଛି।
28 ଏହା ପରେ ଯିହୋଶୂୟ ସେହି ଦିନ ମକ୍କେଦା ଅକ୍ତିଆର କରି ଖଡ଼୍ଗ ଧାରରେ ନଗରକୁ ଓ ତାହାର ରାଜାକୁ ହତ୍ୟା କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। କାହାକୁ ଅବଶିଷ୍ଟ ରଖିଲେ ନାହିଁ, ପୁଣି ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ସେହିପରି ମକ୍କେଦା ରାଜା ପ୍ରତି କଲେ।
ଦକ୍ଷିଣାବର୍ତ୍ତ ନଗରଗୁଡ଼ିକ କରଗତ କଲେ
29 ତା'ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟମାନେ ମକ୍କେଦାରୁ ଲିବ୍ନାକୁ ଗଲେ। ଏବଂ ସେ ସହରକୁ ଆକ୍ରମଣ କଲେ। 30 ସଦାପ୍ରଭୁ ସେହି ନଗରକୁ ତା'ର ରାଜା ସହିତ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ସହରର ସମସ୍ତ ସଜୀବ ପ୍ରାଣୀଙ୍କୁ ଖଣ୍ଡାରେ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ, ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କୁ ମଧ୍ୟ ଯିହୋଶୂୟ ସେହିପରି କଲେ।
31 ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟ ଲୋକ ଲିବ୍ନା ପରିତ୍ୟାଗ କରି ଲାଖୀଶ୍କୁ ଗଲେ। ଯିହୋଶୂୟ ଏବଂ ତାଙ୍କର ସୈନ୍ୟମାନେ ସେ ସହରକୁ ସେନା ଛାଉଣି କରି ରଖିଲେ। ଏବଂ ତାହାକୁ ଆକ୍ରମଣ କଲେ। 32 ସଦାପ୍ରଭୁ ଲାଖୀଶ୍କୁ ପରାସ୍ତ କରିବାକୁ ସହାୟ ହେଲେ। ସେମାନେ ଦ୍ୱିତୀୟ ଦିନରେ ସେ ସହରକୁ ପରାସ୍ତ କଲେ। ଇସ୍ରାଏଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ଯେପରି ଭାବରେ ଲିବ୍ନାରେ କରିଥିଲେ। 33 ଗେଷର୍ର ରାଜା ହୋରମ ଲାଖୀଶ୍ରକୁ ସାହାଯ୍ୟ କରିବାକୁ ଲାଗିଲେ। କିନ୍ତୁ ଯିହୋଶୂୟ ତାଙ୍କୁ ଓ ତାଙ୍କର ସୈନ୍ୟବାହିନୀକୁ ଓ ସମସ୍ତଙ୍କୁ ହତ୍ୟା କଲେ।
34 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଲାଖୀଶ୍ରୁ ଇଗ୍ଲୋନ୍କୁ ଗଲେ। ସେଠାରେ ସେମାନେ ସେନାଛାଉଣି କରି ସହରକୁ ଆକ୍ରମଣ କଲେ। 35 ସେହି ଦିନ ସେମାନେ ସହରକୁ ନିଜ ଅଧୀନକୁ ଆଣିଲେ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, ଯେପରି ଲାଖୀଶ୍ରେ ହତ୍ୟା କରିଥିଲେ।
36 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଇଗ୍ଲୋନ୍ରୁ ହିବ୍ରୋଣକୁ ଗଲେ। ତା'ପରେ ସେମାନେ ହିବ୍ରୋଣକୁ ଆକ୍ରମଣ କଲେ। 37 ସେମାନେ ହିବ୍ରୋଣ ଏବଂ ତା’ ପାଖରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଇଗ୍ଲୋନ୍ରେ ଠିକ୍ ଯେପରି ସେମାନେ ଇଗ୍ଲୋନ୍କୁ ଧ୍ୱଂସ କରିଥିଲେ, ସେହିପରି ସେମାନେ ହିବ୍ରୋଣକୁ ଧ୍ୱଂସ କଲେ ଏବଂ ଏହାର ରାଜାଙ୍କୁ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ହତ୍ୟା କଲେ ଓ ଧ୍ୱଂସ କଲେ।
38 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଦବୀରକୁ ଫେରିଲେ ଏବଂ ସେହି ସହରକୁ ଆକ୍ରମଣ କଲେ। 39 ସେମାନେ ଦବୀର ସହରକୁ ନିଜର କରଗତ କଲେ, ତାହାର ରାଜାଙ୍କୁ ମଧ୍ୟ କରଗତ କଲେ। ଏବଂ ତା'ର ନିକଟରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଏବଂ ସେ ସହରକୁ ଧ୍ୱଂସ କରି ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ସେମାନେ ହିବ୍ରୋଣ ସହରକୁ ଓ ଲିବ୍ନା ଓ ଏହାର ରାଜାଙ୍କୁ କଲାପରି, ଦବୀର ସହରକୁ ଧ୍ୱଂସ କଲେ।
40 ଏହିପରି ଯିହୋଶୂୟ ସମସ୍ତ ପର୍ବତମୟ ଦେଶ ନେଗେଭ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀୟ ରାଜାଙ୍କୁ ମଧ୍ୟ ହତ୍ୟା କଲେ। ସେ କାହାରିକୁ ସେଠାରେ ଜୀବିତ ଛାଡ଼ିଲେ ନାହିଁ। କାରଣ ସଦାପ୍ରଭୁ ଇସ୍ରାଏଲକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
41 ଯିହୋଶୂୟ ସେମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ଓ ଗିବିୟୋନ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ। 42 ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କୁ ଏକାବେଳକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। 43 ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲବାସୀ ଗିଲ୍ଗଲ୍ଠାରେ ଥିବା ଶିବିରକୁ ଫେରିଲେ।
ଉତ୍ତର ଭାଗର ନଗରଗୁଡ଼ିକୁ ପରାସ୍ତ କଲେ
11 ହାତ୍ସୋର ରାଜା ଯାବୀନ୍ ଏହିକଥା ଶୁଣିଲେ। ତେଣୁ ସେ ମନସ୍ଥ କଲେ, କେତେକ ରାଜାମାନଙ୍କର ସୈନ୍ୟବାହିନୀକୁ ଏକତ୍ର କରିବେ। ସେ ମାଦୋନର ରାଜା ଯୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କୁ ବାର୍ତ୍ତା ପଠାଇଲେ। 2 ପୁଣି ଉତ୍ତର ପାର୍ବତୀୟ ଦେଶର ରାଜାଗଣଙ୍କୁ ଆରବଙ୍କୁ, ଗାଲିଲୀହ୍ରଦର ଦକ୍ଷିଣକୁ, ପଶ୍ଚିମସ୍ଥ ପାର୍ବତୀୟ ମାଳଭୂମିକୁ ଓ ପଶ୍ଚିମରେ ଦଫୋନ ଦୋରଙ୍କୁ। 3 ଯାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ବାର୍ତ୍ତା ପଠାଇଲେ। 4 ତହିଁରେ ସେମାନେ ନିଜର ସୈନ୍ୟମାନଙ୍କ ସହିତ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କ ସହିତ ଏକତ୍ରିତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ୟ ଛାଉଣି। ଏହା ଦେଖା ଯାଉଥିଲା ସତେ ଯେପରି, ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ, ଶସ୍ୟକ୍ଷେତ୍ର ପରି।
5 ସମସ୍ତ ରାଜାମାନେ ଏକ ଛୋଟ ନଦୀ ମେରୋମ୍ କୂଳରେ ଏକତ୍ରିତ ହେଲେ। ଏବଂ ଏହି ଛାଉଣିରେ ସମସ୍ତ ସୈନ୍ୟମାନଙ୍କ ସହିତ ଏକତ୍ରିତ ହେଲେ। ଏବଂ ଏହିଠାରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ।
6 ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେ ସମସ୍ତ ସୈନ୍ୟମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭର ସହାୟ ହେବି। ଆସନ୍ତା କାଲି ଏହି ସମୟରେ ତୁମ୍ଭେମାନେ ସେମାନଙ୍କୁ ହତ୍ୟା କରିବ। ତୁମ୍ଭେମାନେ ସେମାନଙ୍କର ଘୋଡ଼ାମାନଙ୍କୁ ଛୋଟା କରି ଦେବ ଓ ରଥଗୁଡ଼ିକୁ ପୋଡ଼ି ଦେବ।”
7 ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ସୈନ୍ୟବାହିନୀ ସହିତ ଆସି ହଠାତ୍ ମେରୋମ୍ ନଦୀ କୂଳରେ ସେମାନଙ୍କୁ ଆକ୍ରମଣ କଲେ। 8 ସଦାପ୍ରଭୁ ଇସ୍ରାଏଲର ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ। ଇସ୍ରାଏଲୀୟମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍ମୟିମ୍ ପର୍ଯ୍ୟନ୍ତ ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ। ପୁଣି ସେମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ। ସେମାନେ ସମସ୍ତଙ୍କୁ ସଂହାର କଲେ। 9 ଯିହୋଶୂୟ ଏହିପରି କଲେ, ସଦାପ୍ରଭୁ ତାଙ୍କୁ ଯେପରି କରିବାକୁ କହିଥିଲେ। ସେ ଘୋଡ଼ାମାନଙ୍କୁ ଛୋଟା କରି ଦେଲେ ଓ ରଥଗୁଡ଼ିକ ପୋଡ଼ି ଦେଲେ।
10 ଏହା ପରେ ଯିହୋଶୂୟ ଫେରି ଆସିଲେ ଓ ହାତ୍ସୋର ସହରକୁ କରଗତ କଲେ ଓ ତା'ର ରାଜାକୁ ଖଣ୍ଡାରେ ଆଘାତ କଲେ। ପୂର୍ବରୁ ହାତ୍ସୋର ସେହିସବୁ ରାଜ୍ୟର ମୂଖ୍ୟ ସହର ଥିଲା। 11 ଇସ୍ରାଏଲର ସୈନ୍ୟମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ସେମାନେ ସହରର ସମସ୍ତ ଲୋକକୁ ଧ୍ୱଂସ କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ତା'ପରେ ସେମାନେ ହାତ୍ସୋର ସହରକୁ ଅଗ୍ନି ସଂଯୋଗ କଲେ।
12 ଯିହୋଶୂୟ ସେ ସମସ୍ତ ରାଜକୀୟ ସହରଗୁଡ଼ିକ ନିଜ ଅଧୀନକୁ ଆଣିଲେ ଓ ସେମାନଙ୍କର ରାଜାମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସମ୍ପୂର୍ଣ୍ଣ ଭାବେ ସମସ୍ତ ଲୋକମାନଙ୍କୁ ଓ ଏହି ସହରର ରାଜାଗଣକୁ ଧ୍ୱଂସ କଲେ। ସଦାପ୍ରଭୁଙ୍କ ସେବକ ମୋଶା ଏହିପରି ଭାବରେ ଆଜ୍ଞା କରିଥିଲେ। 13 ମାତ୍ର ନିଜ ନିଜ କୁଦ ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତ୍ସୋର ବିନା ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ। ତାହା ଯିହୋଶୂୟ ଦଗ୍ଧ କଲେ। 14 ଆଉ ଇସ୍ରାଏଲର ସନ୍ତାନଗଣ ସେହିସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣଙ୍କୁ ନିଜ ନିଜ ପାଇଁ ଲୁଟ୍ କରି ନେଲେ। କିନ୍ତୁ ସେମାନେ ସମସ୍ତ ଲୋକମାନଙ୍କୁ ସେମାନଙ୍କ ଖଣ୍ତା ଦ୍ୱାରା ହତ୍ୟା କଲେ। ସେମାନେ କୌଣସି ବ୍ୟକ୍ତିକୁ ଜୀବିତ ରହିବା ପାଇଁ ଦେଲେ ନାହିଁ। 15 ବହୁ ଦିନ ପୂର୍ବରୁ ସଦାପ୍ରଭୁ ନିଜର ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ। ଯିହୋଶୂୟ ମଧ୍ୟ ସେହିପରି କାର୍ଯ୍ୟ କରିଥିଲେ। ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାମାନ ଦେଇଥିଲେ, ସେ ସବୁ କଥାରୁ କୌଣସିଟିକୁ ଅନ୍ୟଥା କଲେ ନାହିଁ।
16 ଏହିପରି ଯିହୋଶୂୟ ସେହିସବୁ ପ୍ରବେଶ ଓ ସେଠାକାର ପର୍ବତମୟ ଦେଶ ଓ ସମସ୍ତ ନେଗେଭ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳ ଭୂମିକୁ ନିଜ ଅଧୀନକୁ ଆଣିଲେ। 17 ସେୟୀରଗାମୀ ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍ ସମସ୍ଥଳୀରେ ଥିବା ବାଲ୍ଗାଦ୍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ହତ୍ୟା କଲେ। 18 ଯିହୋଶୂୟ ଏହିସବୁ ରାଜାମାନଙ୍କ ସଙ୍ଗେ ବହୁ ସମୟ ଧରି ଯୁଦ୍ଧ କଲେ। 19 କେବଳ ଗୋଟିଏ ନଗର ଇସ୍ରାଏଲ ସହିତ ଶାନ୍ତି ଚୁକ୍ତି କଲେ। ତାହା ଥିଲା ଗିବିୟୋନ ନିବାସୀ ହିବ୍ବୀୟ। ଅନ୍ୟ ସମସ୍ତ ସହର ଯୁଦ୍ଧରେ ଧ୍ୱଂସପ୍ରାପ୍ତ ହେଲା। 20 ସଦାପ୍ରଭୁ ସେମାନଙ୍କର ହୃଦୟ କଠିନ କଲେ। ଯେପରି ସେମାନେ ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବା ପାଇଁ ଆସିବେ ଓ ସମ୍ପୂର୍ଣ୍ଣ ରୂପେ ବିନା କରୁଣାରେ ଧ୍ୱଂସ ହେବେ। ଏହା ମୋଶାଙ୍କୁ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ହେଲା।
21 ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ, ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ନିବାସ କଲେ। 22 ଇସ୍ରାଏଲ ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ହେଲେ ଜୀବିତ ରହିଲେ ନାହିଁ। କେବଳ ଘସାରେ ଗାଥ୍ ଓ ଅସ୍ଦୋଦରେ କେହି କେହି ରହିଗଲେ। 23 ଏହିପରି ଭାବରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯିହୋଶୂୟ ଇସ୍ରାଏଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗନୁସାରେ ଅଧିକାର କରିବାକୁ ଇସ୍ରାଏଲକୁ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
2010 by World Bible Translation Center