Beginning
ଦୀପରୁଖା
8 ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, 2 “ହାରୋଣଙ୍କୁ କୁହ, ମୁଁ ଦେଖାଇଥିବା ସ୍ଥାନରେ ସାତୋଟି ପ୍ରଦୀପ ରଖିବେ। ଯାହାଫଳରେ ସାତୋଟି ପ୍ରଦୀପ ଦୀପ ବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।”
3 ହାରୋଣ ସେହିପରି କଲେ, ଯେପରି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଦୀପ ଗୁଡ଼ିକୁ ସଜାଡ଼ିଲେ, ଯେଉଁଥିପାଇଁ ସେଗୁଡ଼ିକ ଦୀପରୁଖାର ସମ୍ମୁଖ ସ୍ଥାନକୁ ଆଲୋକିତ କରି ପାରିବେ। 4 ସେହିସବୁ ଦୀପରୁଖା ଆଧାର ଓ ତା'ର ଉପରର ଫୁଲ ଗୁଡ଼ିକ ପିଟା ସୁବର୍ଣ୍ଣରେ ନିର୍ମିତ ହୋଇଥିଲା। ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ମୁତାବକ ମୋଶା ଦୀପରୁଖା ନିର୍ମାଣ କଲେ।
ଉତ୍ସର୍ଗୀକୃତ ଲେବୀୟଗଣ
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 6 “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର। 7 ସେମାନଙ୍କ ଶୁଚି କରିବାକୁ ଏହିରୂପେ କର। ସେମାନଙ୍କ ଉପରେ ଶୁଦ୍ଧ ଜଳ ସିଞ୍ଚନ କର ଓ ସେମାନେ ନିଜ ନିଜ ସମଗ୍ର ଶରୀର କ୍ଷୌର କରିବେ ଏବଂ ବସ୍ତ୍ର ଧୋଇବେ। ଏହିପରି ସେମାନେ ନିଜକୁ ନିଜେ ଶୁଚି କରନ୍ତୁ।
8 “ତା'ପରେ ସେମାନେ ଏକ ଗୋବତ୍ସ ଓ ତା’ ସହିତ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ। 9 ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ତା'ପରେ ସମସ୍ତ ଇସ୍ରାଏଲ ସନ୍ତାନଗଣ ମଣ୍ତଳୀକି ଏକତ୍ର କରିବ। 10 ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ଉଚିତ୍। ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ଉପରେ ସେମାନଙ୍କର ହସ୍ତ ରଖିବେ। 11 ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିବେ।
12 “ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ[a] କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। 13 ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 14 ଏହିରୂପେ ତୁମ୍ଭେ ଲେବୀୟମାନଙ୍କୁ ଇସ୍ରାଏଲ ସନ୍ତାନମାନଙ୍କଠାରୁ ପୃଥକ୍ କରିବ। ସେମାନେ ମୋର ହେବେ।
15 “ପୁଣି ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ, ତା'ପରେ ସେମାନେ ସେବାକରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ। 16 କାରଣ ସେମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ସନ୍ତାନ ବଦଳରେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। 17 ସେହି ଦିନ ମୁଁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲି, ମୁଁ ଇସ୍ରାଏଲର ପ୍ରଥମଜାତ ସନ୍ତାନଙ୍କୁ ମୋ’ ନିମନ୍ତେ ପବିତ୍ର କଲି। ଏଣୁ ସମସ୍ତ ଇସ୍ରାଏଲର ପ୍ରଥମଜାତ ଉଭୟ ମନୁଷ୍ୟ ଓ ପଶୁଗୁଡ଼ିକ ମୋର ହେବ। 18 ପୁଣି ଇସ୍ରାଏଲ ଲୋକମାନେ ସମସ୍ତ ପ୍ରଥମଜାତ ବଦଳରେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ। 19 ମୁଁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦେଲି। ସେମାନେ ସମାଗମ-ତମ୍ବୁ ନିକଟରେ ଇସ୍ରାଏଲୀୟ ଲୋକ ବଦଳରେ ସେବା ଓ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କିରିବେ। ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ପବିତ୍ର ସ୍ଥାନ ନିକଟକୁ ଆସିଲାବେଳେ କୌଣସି ମହାମାରୀ ଆସିବ ନାହିଁ।”
20 ତେଣୁ ମୋଶା, ହାରୋଣ ଓ ସମସ୍ତ ଇସ୍ରାଏଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ପ୍ରତି କଲେ। 21 ପୁଣି ଲେବୀୟମାନେ ନିଜକୁ ଶୌଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଉତ୍ସର୍ଗ କଲେ ଓ ହାରୋଣ ସେମାନଙ୍କୁ ଶୁଚି କିବା ପାଇଁ ପ୍ରାୟଶ୍ଚିତ କଲେ। 22 ତା'ପରେ ଲେବୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖରେ ଆପଣା ଆପଣା ସେବାକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ସେମାନଙ୍କ ପ୍ରତି କଲେ।
23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ଏହା ହେଉଛି ଲେବୀୟମାନଙ୍କ ବ୍ୟବସ୍ଥା ପାତ୍ର। ପଚିଶ ବର୍ଷରୁ ଅଧିକ ଲେବୀୟମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହେବେ। 25 ପୁଣି ସେମାନେ ପଗ୍ଭଶ୍ ବର୍ଷ ବୟସ୍କ ହେଲେ ସେବା କର୍ମରୁ ଅବସର ନେଇ ଆଉ ସେବାକରିବେ ନାହିଁ। 26 ତଥାପି ସେମାନେ ପଗ୍ଭଶ୍ ବର୍ଷ ବୟସରେ ମଧ୍ୟ ସମାଗମ-ତମ୍ବୁରେ ଆପଣା ଭ୍ରାତାମାନଙ୍କୁ ସେବାକାର୍ଯ୍ୟରେ ସାହାଯ୍ୟ କରିବେ। କିନ୍ତୁ ସେମାନେ ନିଜ ମତାମତ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହିରୂପେ ତୁମ୍ଭେ ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ସେମାନଙ୍କ ପ୍ରତି ଉଚିତ୍ କରିବ।”
ନିସ୍ତାରପର୍ବ
9 ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ମରୁଭୂମିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ[b] ପାଳନ କରନ୍ତୁ। 3 ଏହିମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।”
4 ତହୁଁ ମୋଶା ଇସ୍ରାଏଲ ଲୋକମାନଙ୍କୁ ନିସ୍ତାରପର୍ବ ପାଳନ କରିବା ପାଇଁ କହିଲେ। 5 ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ।
6 ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାରପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ। 7 ଏହି ଲୋକମାନେ ମୋଶାଙ୍କୁ କହିଲେ, “ଶବ ସ୍ପର୍ଶ କରି ଆମ୍ଭେମାନେ ଅଶୁଚି ହୋଇଅଛୁ। ତେଣୁ ସମସ୍ତ ଇସ୍ରାଏଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନ ଯିବ?”
8 ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରୁହ, ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ମୁଁ ପଗ୍ଭରେ।”
9 ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, 10 “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ୟଦ୍ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ, କିମ୍ବା କେହି ଜଣେ ଯଦି ଦୂର ସ୍ଥାନରେ ପଥିକ ହୁଏ, ତଥାପି ସେମାନେ ନିସ୍ତାରପର୍ବ ପାଳନ କରି ପାରିବେ। 11 ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ। 12 ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। 13 ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।
14 “ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାରପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ୱଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହେବ।”
ମେଘ ଓ ଅଗ୍ନି
15 ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। 16 ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତିରେ ଏହା ଅଗ୍ନିତୁଲ୍ୟ ଦେଖାଗଲା। 17 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତେବେଳେ ଇସ୍ରାଏଲର ଲୋକମାନେ ଯାତ୍ରା କଲେ, ପୁଣି ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲର ଲୋକମାନେ ସେହିଠାରେ ଛାଉଣି ସ୍ଥାପନ କଲେ। 18 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। 19 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ। 20 କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ। 21 ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ। 22 ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ। 23 ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।
ରୂପାର ତୂରୀସମୂହ
10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପାରେ ନିର୍ମିତ ହେବ। ତୁମ୍ଭେ ଲୋକମାନଙ୍କୁ ଏକତ୍ରିତ କରିବା ପାଇଁ ଓ ସେଗୁଡ଼ିକୁ ଯାତ୍ରାଆରମ୍ଭରେ ବ୍ୟବହାର କରିବ। 3 ସେମାନେ ଯେତେବେଳେ ଦୁଇଟି ତୂରୀ ବଜାଇବେ ସମସ୍ତ ଲୋକମାନେ ସମାଗମ-ତମ୍ବୁରେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍। 4 ଯଦି ସେମାନେ ଏକ ତୂରୀ ବଜାଇବେ ତେବେ ପରିବାରବର୍ଗର ଅଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍।
5 “ଯଦି ତୁମ୍ଭେମାନେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ଯାତ୍ରା କରିବା ଉଚିତ୍। 6 ପୁଣି ତୁମ୍ଭେମାନେ ଦ୍ୱିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ଏହି କ୍ରମରେ ସେମାନେ ଲୋକମାନଙ୍କର ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ। 7 ଲୋକମାନଙ୍କୁ ଏକତ୍ରିତ କରିବା ସମୟରେ ତୁମ୍ଭେମାନେ ଲଗାତର ଅଧା ସ୍ୱର ନୁହଁ, ଦୀର୍ଘସ୍ୱର କରି ତୂରୀ ବଜାଇବ। 8 କେବଳ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହେବ।
9 “ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଯାଉଛ, ତୁମ୍ଭେମାନେ ତୂରୀରେ ରଣବାଦ୍ୟ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତ୍ରୁଗଣଠାରୁ ରକ୍ଷା କରିବେ। 10 ଆଉ ମଧ୍ୟ ତୁମ୍ଭମାନଙ୍କ ଆନନ୍ଦ ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ୱରଙ୍କ ସମ୍ମୁଖରେ ସ୍ମରଣାର୍ଥେ କରାଯିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”
ଇସ୍ରାଏଲ ଲୋକମାନଙ୍କର ସେମାନଙ୍କର ଛାଉଣିକୁ ଯାତ୍ରା
11 ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ବିଂଶତମ ଦିନରେ ସେହି ମେଘ ସାକ୍ଷ୍ୟରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା। 12 ତହୁଁ ଇସ୍ରାଏଲର ଲୋକମାନେ ସୀନୟ ମରୁଭୂମିରୁ ଯାତ୍ରା ଆରମ୍ଭ କଲେ, ପୁଣି ସେହି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା। 13 ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
14 ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ୱଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କର ଅଧିନାୟକ ଥିଲେ। 15 ଆଉ ସୂୟାରର ପୁତ୍ର ନଥନେଲ ଇଷାଖର ଗୋଷ୍ଠୀର ସେନାଧ୍ୟକ୍ଷ ଥିଲେ। 16 ତା'ପରେ ସବୂଲୂନ ସନ୍ତାନଗଣର ବଂଶ ଯାତ୍ରାକଲେ ଓ ହେଲୋନ୍ର ପୁତ୍ର ଇଲୀୟାବ୍ ତାଙ୍କର ଅଧ୍ୟକ୍ଷ ଥିଲେ।
17 ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।
18 ତା'ପରେ ରୁବେନ୍ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ପୁଣି ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କର ଅଧିନାୟକ ଥିଲେ। 19 ତା'ପରେ ଆସିଲେ ଶିମିୟୋନ ସନ୍ତାନଗଣର ବଂଶ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ସେମାନଙ୍କର ଅଧିନାୟକ ଥିଲେ। 20 ତା'ପରେ ଗାଦ୍ର ଗୋଷ୍ଠୀ ଆସିଲେ ଓ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ସେମାନଙ୍କର ଅଧିନାୟକ ଥିଲେ। 21 ତା'ପରେ କହାତୀୟଙ୍କ ପରିବାର ପବିତ୍ର ସ୍ଥାନର ଭାର ବହନକରି ସେହି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀୟ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।
22 ଏଥିଉତ୍ତାରେ ଇଫ୍ରୟିମ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟର ଅଧିନାୟକ ଥିଲେ। 23 ତା'ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସେମାନଙ୍କର ଅଧିନାୟକ ଥିଲେ ପଦାହସୂରର ପୁତ୍ର ଗମଲିୟେଲ। 24 ତତ୍ପରେ ବିନ୍ୟାମୀନ ଗୋଷ୍ଠୀ ଆସିଲେ ଓ ଗିଦିୟୋନିର ପୁତ୍ର ଅବୀଦାନ ସେମାନଙ୍କର ଅଧିନାୟକ ଥିଲେ।
25 ଦାନ ଗୋଷ୍ଠୀର ବିଭାଗର ଧ୍ୱଜା ପରେ ଗ୍ଭଳିତ ହେଲା। ସେମାନେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷ ସେମାନଙ୍କର ଅଧିନାୟକ ଥିଲେ। 26 ତା'ପରେ ଆସିଲେ ଆଶେର ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀୟେଲ ତାଙ୍କର ସେନାଧ୍ୟକ୍ଷ ଥିଲେ। 27 ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସେମାନଙ୍କର ଅଗ୍ରଭାଗରେ ଥିଲେ। 28 ଏହି କ୍ରମରେ ଇସ୍ରାଏଲ ଲୋକମାନଙ୍କର ଯାତ୍ରା ସେମାନଙ୍କର ବର୍ଗ ଅନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।
29 ତା'ପରେ ମୋଶା ଆପଣା ଶ୍ୱଶୁର ମିଦିୟନୀୟ ରୂୟେଲର ପୁତ୍ର ହୋବବକୁ କହିଲେ, “ଆମ୍ଭେମାନେ ସେହି ସ୍ଥାନକୁ ଯାଉଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦେବେ, ଆମ୍ଭମାନଙ୍କ ସାଙ୍ଗରେ ଆସ। ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା। କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।”
30 କିନ୍ତୁ ହୋବବ କହିଲା, “ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମୋର ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫେରିଯିବି।”
31 ତା'ପରେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ ନାହିଁ, ମରୁଭୂମି ମଧ୍ୟରେ ଆମ୍ଭର ଛାଉଣି ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହେବ। 32 ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ଯିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ଉତ୍ତମ ଜିନିଷ ଦେବେ, ତାହା ଆମ୍ଭେମାନେ ତୁମ୍ଭ ସହିତ ବାଣ୍ଟ କରିବୁ।”
33 ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା। 34 ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସେମାନଙ୍କୁ ବାଟ କଢ଼ାଇଲେ, ଯେତେବେଳେ ସେମାନେ ସେମାନଙ୍କର ଛାଉଣିରୁ ଯାତ୍ରାରମ୍ଭ କଲେ।
35 ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହେବା ବେଳେ ମୋଶା କହନ୍ତି,
“ସଦାପ୍ରଭୁ ଉଠ,
ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହୁଅନ୍ତୁ,
ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।”
36 ଆଉ ପବିତ୍ର ସିନ୍ଦୁକ ଅଟକି ଗଲାବେଳେ ମୋଶା କହନ୍ତି,
“ହେ ସଦାପ୍ରଭୁ ତୁମ୍ଭେ ଇସ୍ରାଏଲର
ହଜାର ହଜାର ଲୋକଙ୍କ ପ୍ରତି ଫେର।”
2010 by World Bible Translation Center