Beginning
22 ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, 2 “ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେହି ପବିତ୍ର ଦ୍ରବ୍ୟ ମୋ’ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭେମାନେ ସେସବୁ ବ୍ୟବହାର କରି ଆମ୍ଭ ନାମରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। 3 ତୁମ୍ଭର ସମସ୍ତ ବଂଶଧରମାନଙ୍କ ମଧ୍ୟରୁ କେହି ଯଦି ସେ ଦ୍ରବ୍ୟକୁ ଛୁଁଏ ସେ ଲୋକ ଅପବିତ୍ର ହେବ ଓ ସେ ମୋ'ଠାରୁ ପୃଥକ ରହିବ। କାରଣ ଇସ୍ରାଏଲର ସନ୍ତାନଗଣ ଆମ୍ଭ ଉଦ୍ଦେଶ୍ୟରେ ସେ ସବୁ ଉତ୍ସର୍ଗ କରିଛନ୍ତି। ଆମ୍ଭେ ସଦାପ୍ରଭୁ ଅଟୁ।
4 “ଯଦି ହାରୋଣ ବଂଶଧରମାନଙ୍କ ମଧ୍ୟରୁ ଯେକେହି ଚର୍ମ ରୋଗୀ କିମ୍ବା ବୀର୍ଯ୍ୟ କ୍ଷରିତ ରୋଗୀ ହୁଏ, ସେ ଶୁଚି ନ ହେବା ଯାଏ ମୋର ପବିତ୍ର ଦ୍ରବ୍ୟ ଭୋଜନ କରିବା ଉଚିତ୍ ନୁହଁ। ଯେକେହି ଶବକୁ ଛୁଏଁ କିମ୍ବା ବୀର୍ଯ୍ୟପାତ ହେଉଥିବା କୌଣସି ମନୁଷ୍ୟକୁ ଛୁଁଏ, ସେ ଅଶୁଚି ହୁଏ। ଗୋଟିଏ ଶବକୁ ଛୁଇଁବା ଦ୍ୱାରା ସେ ମଧ୍ୟ ଅଶୁଚି ହେବ, କିମ୍ବା ଗୋଟିଏ ମଣିଷ ଯାହାର ଶାରୀରିକ କ୍ଷରଣ ହୋଇଛି, 5 ଅବା ସେ ଯାହା ଦ୍ୱାରା ଅଶୁଚି ହୋଇପାରେ ଏପରି କୌଣସି ଉରୋଗାମୀ ଜନ୍ତୁକୁ କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଁଏ। 6 ଯଦି ସେ ସେହିସବୁ ଦ୍ରବ୍ୟ ଛୁଁଏ ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେ ଆପଣା ଶରୀରକୁ ଜଳରେ ନ ଧୋଇବା ପର୍ଯ୍ୟନ୍ତ କୌଣସି ପବିତ୍ର ଖାଦ୍ୟ ଖାଇବ ନାହିଁ। 7 ସୂର୍ଯ୍ୟାସ୍ତ ପରେ ସେ ପବିତ୍ର ଖାଦ୍ୟ ଭୋଜନ କରିବା ଉଚିତ୍। କାରଣ ପବିତ୍ର ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ତାହାର ଅଟେ।
8 “ସେ ସ୍ୱୟଂମୃତ ବା ପଶୁଦ୍ୱାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
9 “ଏଣୁ ସେମାନେ ମୋର ନିୟମ ଯତ୍ନ ସହକାରେ ରକ୍ଷା କରିବା ଉଚିତ୍। ଯଦି ସେମାନେ ତାହା ନ କରନ୍ତି, ତେବେ ସେଥି ସକାଶେ ସେମାନେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହେବାକୁ ମୁଁ ବାଛିଛି। 10 କେବଳ ଯାଜକ ପରିବାରର ଲୋକ ପବିତ୍ର ଖାଦ୍ୟ ଭୋଜନ କରିବେ। ଅନ୍ୟବଂଶୀୟ କୌଣସି ଲୋକ ଅବା ଯାଜକ ଗୃହରେ ପ୍ରବାସକାରୀ ଅବା ବର୍ତ୍ତନକାରୀ ଦାସ ପବିତ୍ର ଖାଦ୍ୟ ଭୋଜନ କରିବେ ନାହିଁ। 11 ମାତ୍ର ଯାଜକର ରୂପାରେ କିଣା ଯାଇଥିବା କ୍ରୀତଦାସ ସେହି ପବିତ୍ର ଖାଦ୍ୟ ଭୋଜନ କରି ପାରିବ। ଆଉ ତା'ର ଗୃହଜାତ କ୍ରୀତଦାସମାନେ ତାହାର ଅନ୍ନ ଭୋଜନ କରି ପାରିବେ। 12 ଯାଜକର କନ୍ୟା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତେବେ ସେ ପବିତ୍ର ନୈବେଦ୍ୟ ମଧ୍ୟରୁ ଭୋଜନ କରିବ ନାହିଁ। 13 ମାତ୍ର ଯାଜକର କନ୍ୟା ଯଦି ବିଧବା ବା ପରିତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ପିତୃଗୃହରେ ବାଲ୍ୟାବସ୍ଥାପରି ବାସ କରେ, ତେବେ, ସେ ଆପଣା ପିତାର ଅନ୍ନ ଭୋଜନ କରିବ, ମାତ୍ର ଭିନ୍ନ ବଂଶୀୟ ଲୋକେ ତାହା ଭୋଜନ କରିବେ ନାହିଁ।
14 “ଯଦି କେହି ଅଜ୍ଞାତସାରରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତେବେ ସେ ଦ୍ରବ୍ୟର ମୂଲ୍ୟର ଏକ ପଞ୍ଚମାଂଶ ଅଧିକ ମୂଲ୍ୟ ଯାଜକକୁ ପବିତ୍ର ନୈବେଦ୍ୟ ରୂପେ ପରିଶୋଧ କରିବ।
15 “ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହା ସବୁ ଅପବିତ୍ର କରିବେ ନାହିଁ। 16 ପୁଣି ତାହା ହୋଇପାରେ, ଯଦି ଯାଜକଗଣ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ନିଜର ପବିତ୍ର ନୈବେଦ୍ୟ ଖାଇବା ପାଇଁ ଅନୁମତି ଦେଇ ଜୋରୀମାନା କରି ପାରନ୍ତି। କାରଣ କେବଳ ମୁଁ ଯେ କି ନୈବେଦ୍ୟକୁ ପବିତ୍ର କରିଅଛି।”
17 ଅନନ୍ତର ସଦାପ୍ରଭୁ ପରମେଶ୍ୱର ମୋଶାଙ୍କୁ କହିଲେ, 18 “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇସ୍ରାଏଲ ବଂଶର ହୁଅନ୍ତୁ କିମ୍ବା ସେମାନଙ୍କ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ୱେଚ୍ଛାପୂର୍ବକ କୌଣସି ନୈବେଦ୍ୟ ଆଣନ୍ତି। 19-20 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ଅଣ୍ଡିରା ମେଷ, ଗୋରୁ କିମ୍ବା ପୁଂ ଛାଗ ଉତ୍ସର୍ଗ କରିବା ଉଚିତ୍। ମାତ୍ର ଖୁଣଥିବା ପ୍ରାଣୀକୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନୈବେଦ୍ୟ ରୂପେ ଗ୍ରହଣୀୟ ନୁହେଁ।
21 “ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁଣ ପଶୁ ହେବ ଓ ତାହାଠାରେ କୌଣସି ଖୁଣ ନ ଥିବ। 22 ଅନ୍ଧ, ଖଞ୍ଜ, ଛୋଟା, ଆବୁଆ, ଜାଦୁଆ, କି ରୁଗ୍ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସେମାନଙ୍କୁ ସଦାପ୍ରଭୁଙ୍କୁ ନୈବେଦ୍ୟ ରୂପେ ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ ନାହିଁ।
23 “ତୁମ୍ଭେ ଗୋଟିଏ ପଶୁର, ଯାହାର ଗୋଟିଏ ଗୋଡ଼ ଅତି ଲମ୍ବା କିମ୍ବା ଗୋଟିଏ ଅସମାନ ପାଦ ଉତ୍ସର୍ଗ କରିପାର, ମାତ୍ର ମାନସିକ ଶାନ୍ତି ନିମନ୍ତେ ସେପରି ଗାଈ କିମ୍ବା ମେଣ୍ଢା ଗ୍ରାହ୍ୟ ହେବ ନାହିଁ।
24 “ଆଉ ମଧ୍ୟ ଯେଉଁ ପ୍ରାଣୀର କୋଷ ମୋଡ଼ା କି ଛେଗ୍ଭ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ କିମ୍ବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳିଦାନ କରିବ ନାହିଁ।
25 “ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ୱରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସେଗୁଡ଼ିକ ଆଘାତପ୍ରାପ୍ତ ହୋଇଥାଇ ପାରନ୍ତି କିମ୍ବା ସେମାନଙ୍କଠାରେ ଖୁଣ ଥାଇପାରେ। ତେଣୁ ସେଗୁଡ଼ିକ ଗ୍ରାହ୍ୟ ହେବ ନାହିଁ।”
26 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ଯେତେବେଳେ କୌଣସି ଗୋରୁ କି ମେଷ କି ଛାଗ ଜନ୍ମ ହୁଅନ୍ତି ସାତ ଦିନ ପର୍ଯ୍ୟନ୍ତ ତା'ର ମା ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଗ୍ରାହ୍ୟ ହେବ। 28 ଗାଈ କିମ୍ବା ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
29 “ତୁମ୍ଭେମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରଶଂସାର୍ଥେ ବଳିଦାନ ଉତ୍ସର୍ଗ କର, ତୁମ୍ଭେ ଏହା ଠିକ୍ ପଦ୍ଧତିରେ ଉତ୍ସର୍ଗ କରିବା ଉଚିତ୍ ଯାହା ଫଳରେ ତାହା ଗ୍ରାହ୍ୟ ହେବ। 30 ତୁମ୍ଭେମାନେ ସେହି ଦିନ ସମସ୍ତ ମାଂସ ଭକ୍ଷ୍ୟଣ କରିବ, ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ, ଆମ୍ଭେ ସଦାପ୍ରଭୁ ଅଟୁ।
31 “ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟକରି ପାଳନ କରିବ। ଆମ୍ଭେ ସଦାପ୍ରଭୁ ଅଟୁ। 32 ଆଉ ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ, ମାତ୍ର ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେବା। 33 ଯେ ତୁମ୍ଭମାନଙ୍କୁ ମିଶର ଦେଶରୁ ଆଣିଛନ୍ତି ଓ ତୁମ୍ଭମାନଙ୍କୁ ପବିତ୍ର କରିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
ସ୍ୱତନ୍ତ୍ର ବିଶ୍ରାମ ଦିନ
23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।
ବିଶ୍ରାମ ଦିନ
3 “ଛଅ ଦିନ କାମ କରାଯିବ, ମାତ୍ର ସପ୍ତମ ଦିନ, ବିଶ୍ରାମ ଦିନ। ଅର୍ଥାତ୍ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।
ନିସ୍ତାରପର୍ବ
4 “ଏଗୁଡ଼ିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭେମାନେ ସେହି ନିରୂପିତ ଦିନରେ ପବିତ୍ର ସଭା ଘୋଷଣା କରିବ। 5 ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ।
ତାଡ଼ିଶୂନ୍ୟ ରୋଟୀର ପର୍ବ
6 “ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ ହେବ। ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ। 7 ପର୍ବର ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ସେଦିନ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। 8 ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।”
ପ୍ରଥମ ଶସ୍ୟଅମଳର ପର୍ବ
9 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 10 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ। 11 ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଟେକିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।
12 “ପୁଣି ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ମେଷବତ୍ସ ଗୋଟିଏ ଉତ୍ସର୍ଗ କରିବ। 13 ପୁଣି ଐଫାର ଦୁଇ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ସେହି ଦିନ ଶସ୍ୟ ନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁବାସିତ ନୈବେଦ୍ୟ ହେବ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପେୟନୈବେଦ୍ୟ ରୂପେ ଉତ୍ସର୍ଗ କରାଯିବ। 14 ତୁମ୍ଭେମାନେ ଯେଉଁ ପର୍ଯ୍ୟନ୍ତ ନୂତନ ଶସ୍ୟର ନୈବେଦ୍ୟ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନ ଆଣିଛ ସେପର୍ଯ୍ୟନ୍ତ ତୁମ୍ଭେମାନେ ରୋଟୀ, କି ଭଜା ଶସ୍ୟ, କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ହେବ।
ପେଣ୍ଟିକଷ୍ଟ ପର୍ବ
15 “ଅନନ୍ତର ସେହି ବିଶ୍ରାମବାର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପେ ବିଡ଼ା ଆଣିଲ ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ। 16 ଏହିରୂପେ ତୁମ୍ଭେ ବିଶ୍ରାମ ଦିନ ପରେ ସପ୍ତମ ଦିନଠାରୁ, ପଗ୍ଭଶ୍ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। 17 ତୁମ୍ଭେମାନେ ନିଜ ନିଜ ଘରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ପାକ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଉପହାର ହେବ।
18 “ପୁଣି ତୁମ୍ଭେମାନେ ସେହି ରୋଟୀ ସହିତ ଏକବର୍ଷୀୟ ସାତୋଟି ନିଖୁଣ ମେଷବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମେଷ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହୋମବଳି ହେବ। ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ହେବ। 19 ତା'ପରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀୟ ମେଷବତ୍ସ ଉତ୍ସର୍ଗ କରିବ।
20 “ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମେଷବତ୍ସ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଦୋଳାଇବ। ତାହା ସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 21 ଠିକ୍ ସେହି ଦିନ ତୁମ୍ଭେମାନେ ଏକ ପବିତ୍ର ସଭା ପାଇଁ ଘୋଷଣା କରିବ। ସେହି ଦିନ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
22 “ଆଉ ତୁମ୍ଭେମାନେ ଶସ୍ୟ କାଟିଲାବେଳେ, କ୍ଷେତ୍ରରୁ ସମସ୍ତ ଶସ୍ୟ ନିଃଶେଷ କରି କାଟିବ ନାହିଁ। ଆଉ ତଳେ ପଡ଼ିଥିବା ଶସ୍ୟକୁ ସାଉଁଟିବ ନାହିଁ। ତୁମ୍ଭେମାନେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡ଼ିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
ତୂରୀଧ୍ୱନିର ପର୍ବ
23 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ଇସ୍ରାଏଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ। 25 ତୁମ୍ଭେମାନେ ସେହି ଦିନ କୌଣସି ବ୍ୟବସାୟିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବ।”
ପ୍ରାୟଶ୍ଚିତ୍ତର ଦିନ
26 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 27 “ସେହି ସପ୍ତମ ମାସର ଦଶମ ଦିନ ଅବଶ୍ୟ ପାପରୁ ପ୍ରାୟଶ୍ଚିତ୍ତର ଦିନ ହେବ। ସେଦିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍। 28 ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବ ନାହିଁ। କାରଣ ଏହା ପ୍ରାୟଶ୍ଚିତ୍ତର ଦିନ। ସେଦିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ଯାଇ ତୁମ୍ଭମାନଙ୍କର ପ୍ରାୟଶ୍ଚିତ୍ତ କରିବ।
29 “ଯେବେ କୌଣସି ଲୋକ ସେହିଦନି ଉପବାସ କରିବାକୁ ବିରତ ହୁଏ, ତେବେ ସେ ତା'ର ଲୋକମାନଙ୍କଠାରୁ ପୃଥକ ରହିବ। 30 ଯଦି କୌଣସି ପ୍ରାଣୀ ସେହି ଦିନ କୌଣସି କର୍ମ କରେ ତେବେ ଆମ୍ଭେ ତାହା ଲୋକମାନଙ୍କ ମଧ୍ୟରେ ତାକୁ ବିନାଶ କରିବୁ। 31 ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ ସେଦିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହରେ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା ଅଟେ। 32 ସେହି ଦିନ ତୁମ୍ଭମାନଙ୍କର ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। ତୁମ୍ଭେମାନେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ୟାକାଳରେ, ଏକ ସନ୍ଧ୍ୟାଠାରୁ ଆର ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।”
ପତ୍ରକୁଟୀର ପର୍ବ
33 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, 34 “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟୀର ପର୍ବ ପାଳିତ ହେବ। 35 ପ୍ରଥମ ଦିନରେ ପବିତ୍ର ସଭା ହେବ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବ ନାହିଁ। 36 ସାତ ଦିନ ଯାଏ ତୁମ୍ଭେମାନେ ସଦାପ୍ରଭୁଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବା ଉଚିତ୍ ଓ ତୁମ୍ଭେମାନେ ସଦାପ୍ରଭୁଙ୍କ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭେମାନେ କୌଣସି ବ୍ୟବସାୟିକ କର୍ମ କରିବା ଉଚିତ୍ ନୁହେଁ।
37 “ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ୱତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସେଥିରେ ତୁମ୍ଭେମାନେ ପ୍ରତ୍ୟେକ ପର୍ବର ନିରୂପିତ ଦିନରେ ସଦାପ୍ରଭୁଙ୍କୁ ନୈବେଦ୍ୟ, ହୋମବଳି, ଶସ୍ୟ ନୈବେଦ୍ୟ, ବଳିଦାନ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭେମାନେ ପବିତ୍ର ସଭାରେ ଘୋଷଣା କରିବା ଉଚିତ୍ 38 ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ରାମ ଦିନ ଛଡ଼ା, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦାନ ଛଡ଼ା ତୁମ୍ଭମାନଙ୍କର ସକଳ ମାନତ ଛଡ଼ା ଓ ତୁମ୍ଭମାନଙ୍କ ସ୍ୱେଚ୍ଛାଦତ୍ତ ସକଳ ନୈବେଦ୍ୟ ଛଡ଼ା ଏହିସବୁ ପର୍ବ ପାଳନ କରିବ।
39 “ସପ୍ତମ ମାସର ପଞ୍ଚଦଶ ଦିନ ଯେତେବେଳେ ତୁମ୍ଭେମାନେ ଭୂମିରୁ ଶସ୍ୟ ସଂଗ୍ରହ କରି ସାରିବ ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅବଶ୍ୟ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ ଓ ଅଷ୍ଟମ ଦିନ ସ୍ୱତନ୍ତ୍ର ବିଶ୍ରାମ ଦିନ ହେବ। 40 ଆଉ ତୁମ୍ଭେମାନେ ପ୍ରଥମ ଦିନରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖର୍ଜ୍ଜୁର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘେନି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ସମ୍ମୁଖରେ ସାତ ଦିନ ଯାଏ ଆନନ୍ଦ କରିବ। 41 ପୁଣି ତୁମ୍ଭେମାନେ ପ୍ରତି ବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା, ତୁମ୍ଭେମାନେ ସପ୍ତମ ମାସରେ ତାହା ପାଳନ କରିବ। 42 ତୁମ୍ଭେମାନେ ସାତ ଦିନ ପତ୍ରକୁଟୀରରେ ରହିବ। ଇସ୍ରାଏଲ ବଂଶଧର ସମସ୍ତେ ପତ୍ରକୁଟୀରରେ ବାସ କରିବେ। 43 ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ପତ୍ରକୁଟୀରରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ୟଦ୍ ବଂଶଧର ଜାଣି ପାରିବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
44 ତହୁଁ ମୋଶା ଇସ୍ରାଏଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷୟରେ କହିଲେ।
2010 by World Bible Translation Center