Beginning
ପ୍ରାୟଶ୍ଚିତ୍ତର ଦିନ
16 ସଦାପ୍ରଭୁଙ୍କୁ ସୁଗନ୍ଧି ଧୂପର ନୈବେଦ୍ୟ ଦେଲାବେଳେ ହାରୋଣଙ୍କ ଦୁଇ ପୁତ୍ର ମଲେ। ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ବିଚ୍ଛେଦ ବସ୍ତ୍ର ଭିତରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦକ ସମ୍ମୁଖରେ ପବିତ୍ର ସ୍ଥାନରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦେବା।
3 “ହାରୋଣ ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ପ୍ରାୟଶ୍ଚିତର ଦିନ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଓ ହୋମବଳି ରୂପେ ଏକ ମେଷଛୁଆ ପ୍ରାୟଶ୍ଚିତ ଦିନ ଉତ୍ସର୍ଗ କରିବ। 4 ହାରୋଣ ଜଳରେ ନିଜର ଶରୀରକୁ ଧୌତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦେହରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବେ ଓ ଶୁଭ୍ର ପଗଡ଼ି ମୁଣ୍ଡରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।
5 “ପୁଣି ହାରୋଣ ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀରୁ ପାପାର୍ଥକ ବଳି ପାଇଁ ଦୁଇଟି ଛାଗ ଓ ହୋମବଳି ପାଇଁ ଏକ ମେଷ ନେବ। 6 ତା'ପରେ ହାରୋଣ ନିଜ ପାଇଁ ଗୋବତ୍ସକୁ ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବ। ସେ ନିଜକୁ ଓ ନିଜ ପରିବାରକୁ ଏଥିରେ ପ୍ରାୟଶ୍ଚିତ କରିବ।
7 “ତା'ପରେ ହାରୋଣ ଦୁଇଟି ଛାଗ ସମାଗମ-ତମ୍ବୁର ଦ୍ୱାର ଦେଶରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। 8 ପୁଣି ହରୋଣ ସେହି ଦୁଇ ଛାଗ ବିଷୟରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ (ଅଜାଜେଲ) ନିମନ୍ତେ ହେବ।
9 “ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ। 10 କିନ୍ତୁ ଗୁଲିବାଣ୍ଟ ଦ୍ୱାରା ଅଜାଜେଲ ନିମନ୍ତେ ସିଦ୍ଧାନ୍ତ କରାଯାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖରେ ଜୀଅନ୍ତା ଛିଡ଼ା କରାଯିବ। ମରୁଭୂମିର ବାହାରକୁ ଅଜାଜେଲ ଏହି ଛାଗକୁ ପଠାଇବା ଦ୍ୱାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାୟଶ୍ଚିତ କରିବ।
11 “ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲା, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାୟଶ୍ଚିତ କରିବ, ପୁଣି ନିଜ ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ। 12 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଉହ୍ମେଇରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧିଧୂପ ନେଇ ବିଚ୍ଛେଦ ବସ୍ତ୍ରରେ ଭିତରକୁ ଯିବ। 13 ସଦାପ୍ରଭୁଙ୍କ ସମ୍ମୁଖରେ ଅଗ୍ନି ଉପରେ ସେ ସୁଗନ୍ଧିଧୂପ ଦେବା ଉଚିତ୍। ତାହାଦ୍ୱାରା ନିୟମ-ସିନ୍ଦୁକର ଉପରିସ୍ଥ ପାପାଚ୍ଛାଦନ ଧୂଆଁର ବାଦଲ ଆଚ୍ଛନ୍ନ ହେଲେ ସେ ମରିବ ନାହିଁ। 14 ତହୁଁ ସେ ଗୋବତ୍ସର କିଛି ରକ୍ତ ନେଇ ପାପାଚ୍ଛାଦନର ପୂର୍ବଆଡ଼େ ଅଙ୍ଗୁଳିରେ ଛିଞ୍ଚିବ। ପୁଣି ପାପାଚ୍ଛାଦନ ସମ୍ମୁଖରେ ଅଙ୍ଗୁଳି ଦ୍ୱାରା ସାତଥର ସେହି ରକ୍ତ ଛିଞ୍ଚିବ।
15 “ଏହା ପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନେଇ କରିଥିଲା, ସେହିପରି ତାହାର ରକ୍ତ ନେଇ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ। 16 ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ ଶୌଚ କରିବ। ଇସ୍ରାଏଲ ଲୋକମାନଙ୍କ ଅଶୌଚ ଓ ପାପ ପାଇଁ ସେ ପ୍ରାୟଶ୍ଚିତ କରିବ। ହାରୋଣ ସମାଗମ-ତମ୍ବୁ ପାଇଁ ସେହିପରି କରିବ, କାରଣ ଏହା ଅଶୌଚ ମଧ୍ୟରେ ସେମାନଙ୍କ ସହିତ ବାସ କରେ।
17 “ସେହି ସମୟରେ ହାରୋଣ ପ୍ରାୟଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇସ୍ରାଏଲର ସମସ୍ତ ସମାଜ ପାଇଁ ଯେପର୍ଯ୍ୟନ୍ତ ପ୍ରାୟଶ୍ଚିତ କରି ନାହାନ୍ତି ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମଣିଷ ରହିବେ ନାହିଁ। 18 ଆଉ ସେ ବାହାରକୁ ଆସି ସମ୍ମୁଖସ୍ଥିତ ଯଜ୍ଞବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଗୋବତ୍ସ ଓ ଛାଗର କିଛି ରକ୍ତ ନେଇ ଯଜ୍ଞବେଦିର ଶୃଙ୍ଗ ଉପରେ ଗ୍ଭରିଆଡ଼େ ଦେବ। 19 ତା'ପରେ ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତଥର ଛିଞ୍ଚି ଅଶୁଚି ବେଦିକୁ ଶୁଦ୍ଧ କରିବ ଓ ଇସ୍ରାଏଲ ଲୋକମାନଙ୍କ ଅଶୌଚରୁ ତାହା ଶୁଚି କରିବ।
20 “ଏହି ପ୍ରକାରେ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରି ସାରିଲା ଉତ୍ତାରେ ସେହି ଜୀଅନ୍ତା ଛାଗକୁ ଆଣିବ। 21 ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ। 22 ତହୁଁ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସେହି ଜନଶୂନ୍ୟ ଦେଶକୁ ନେଇଯିବ। ତାକୁ ନେଇଥିବା ଲୋକଟି ସେହି ସ୍ଥାନରେ ସେ ଛାଗକୁ ଛାଡ଼ିଦେବ।
23 “ତା'ପରେ ହାରୋଣ ସମାଗମ-ତମ୍ବୁକୁ ଆସିବ। ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟରେ ଯେଉଁ ଶଣବସ୍ତ୍ର ପରିଧାନ କରିଥିଲେ, ତାହାକୁ କାଢ଼ି ଦେବ। ସେ ସେଗୁଡ଼ିକୁ ସମାଗମ-ତମ୍ବୁରେ ଛାଡ଼ିଦେବ। 24 ତା'ପରେ ସେ କୌଣସି ପବିତ୍ର ସ୍ଥାନରେ ନିଜର ଶରୀରକୁ ଜଳରେ ଧୌତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହୋମବଳି ଓ ଲୋକମାନଙ୍କର ହୋମବଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। 25 ଆଉ ସେ ପାପାର୍ଥକ ବଳିର ମେଦ ଯଜ୍ଞବେଦିରେ ଦଗ୍ଧ କରିବ।
26 “ପୁଣି ଯେଉଁ ଲୋକ ତ୍ୟାଗର (ଅଜାଜେଲରେ) ଛାଗକୁ ନେଇ ଛାଡ଼ିଥାଏ ସେ ନିଜର ବସ୍ତ୍ର ଧୋଇ ଜଳରେ ସ୍ନାନ କରିବା ଉଚିତ୍। ତା'ପରେ ଛାଉଣିରେ ପ୍ରବେଶ କରିବ।
27 “ଯେଉଁ ପାପାର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାଯାଇ ପ୍ରାୟଶ୍ଚିତ ହେବା ପାଇଁ ଥିଲା, ସେମାନଙ୍କର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣି ବାହାରକୁ ନେଇ ଅଗ୍ନିରେ ଦଗ୍ଧ କରିବେ। 28 ଯେଉଁ ଲୋକ ସେଗୁଡ଼ିକୁ ଦଗ୍ଧ କରିବ, ସେ ତା'ର ବସ୍ତ୍ର ଧୋଇବା ଉଚିତ୍ ଓ ତା'ର ସମସ୍ତ ଶରୀର ଜଳରେ ଭଲ ଭାଗରେ ଧୋଇବ ଏବଂ ତା'ପରେ କେବଳ ସେ ଛାଉଣିରେ ପ୍ରବେଶ କରିବ।
29 “ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହେବ। ସପ୍ତମ ମାସର ଦଶମ ଦିନରେ ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧ୍ୟରେ ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ। 30 କାରଣ ସେହି ଦିନରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ କରାଯିବ। ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହେବ। 31 ଏହି ଦିନଟି ତୁମ୍ଭମାନଙ୍କ ପାଇଁ ମହାନ୍ ବିଶ୍ରାମ ଦିନ, ତୁମ୍ଭେମାନେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଏହା ଚିରନ୍ତନ ବିଧି।
32 “ପୁଣି ପିତା ବଦଳରେ ଯେଉଁ ପୁତ୍ର ମହାଯାଜକତ୍ୱ ପଦରେ ଅଭିଷିକ୍ତ ଓ ନିଯୁକ୍ତ ହେବ, ସେହି ମହାଯାଜକ ପ୍ରାୟଶ୍ଚିତ କରିବ। ଆଉ ସେ ଶୁଭ୍ରବସ୍ତ୍ର ଅର୍ଥାତ୍ ପବିତ୍ର ବସ୍ତ୍ରସବୁ ପିନ୍ଧିବ। 33 ଆଉ ସେ ମହାପବିତ୍ର ସ୍ଥାନ, ସମାଗମ-ତମ୍ବୁ ଓ ଯଜ୍ଞବେଦି ନିମନ୍ତେ ପ୍ରାୟଶ୍ଚିତ କରିବ। ଆଉ ମଧ୍ୟ ସେ ଯାଜକଗଣ ଓ ସମାଜର ସମସ୍ତ ଲୋକ ନିମନ୍ତେ ପ୍ରାୟଶ୍ଚିତ କରିବ। 34 ପୁଣି ଇସ୍ରାଏଲ ସନ୍ତାନଗଣ ନିମନ୍ତେ ସେମାନଙ୍କର ସମସ୍ତ ପାପ ସକାଶୁ ବର୍ଷ ମଧ୍ୟରେ ଏକ ଥର ପ୍ରାୟଶ୍ଚିତ କରିବାର ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।”
ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
ପ୍ରାଣୀମାନଙ୍କୁ ବଧ କରିବା ଓ ଭକ୍ଷ୍ୟଣ କରିବାର ବିଧି
17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ସଦାପ୍ରଭୁଙ୍କ ଆଜ୍ଞା ବିଷୟରେ କୁହ। 3 ଯଦି କେହି ଗାଈ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ, 4 ସେହି ଲୋକ ସେହି ପ୍ରାଣୀକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ ଓ ସେହି ପ୍ରାଣୀର ଏକ ଅଂଶ ଉପହାର ସ୍ୱରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସେ ଯଦି ତାହା ନ କରେ ତେବେ ରକ୍ତପାତର ଅପରାଧରେ ଅପରାଧୀ ହେବ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ। 5 ଏଣୁ ଇସ୍ରାଏଲର ସନ୍ତାନଗଣ ନିଜ ନିଜର ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେ ସମସ୍ତ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ। 6 ତା'ପରେ ସେ ଯାଜକ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ସଦାପ୍ରଭୁଙ୍କୁ ଉପହାର ସ୍ୱରୂପ ସେହି ମେଦ ଦଗ୍ଧ କରିବ। 7 ତହିଁରେ ସେମାନେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ୟଭିଗ୍ଭର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
8 “ତୁମ୍ଭେ ସବୁ ଲୋକଙ୍କୁ କହିବ, ଇସ୍ରାଏଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯେବେ ହୋମବଳି କି ବଳିଦାନ କରେ, 9 ତେବେ ସେ ସେହି ବଳିଦାନ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ଯଦି ସେ ତାହା ନ କରିବ ତେବେ ସେ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।
10 “ଆଉ କୌଣସି ଇସ୍ରାଏଲୀୟ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ ରଖିବା। 11 କାରଣ ରକ୍ତରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ଯଜ୍ଞବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ମୂଲ୍ୟରେ ରକ୍ତ ହିଁ ପ୍ରାୟଶ୍ଚିତ କରେ। 12 ତେଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହୁଛୁ, ତୁମ୍ଭମାନଙ୍କ ମଧ୍ୟରୁ କେହି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।
13 “ଆଉ କୌଣସି ଇସ୍ରାଏଲୀୟ ହେଉ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ହେଉ, ଯଦି ମୃଗୟା କରି କୌଣସି ପଶୁ ବା ପକ୍ଷୀକୁ ଖାଦ୍ୟ ପାଇଁ ବଧ କରେ, ତେବେ ସେ ତାହାର ରକ୍ତ ଭୁମିରେ ଢାଳି ଧୂଳିରେ ଢାଙ୍କିବ। 14 କାରଣ ସବୁ ପ୍ରାଣୀର ପ୍ରାଣ ରକ୍ତରେ ହିଁ ଥାଏ। ଏଣୁ ଆମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କହିଲୁ, ତୁମ୍ଭେମାନେ କୌଣସି ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ। ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତା'ର ପ୍ରାଣ। ଯେକେହି ତାହା ଭୋଜନ କରେ, ସେ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
15 “ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂ ମୃତ ପଶୁ ଭୋଜନ କରେ, ତେବେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହେବ। 16 ଯଦି ସେ ତା'ର ବସ୍ତ୍ର ନ ଧୂଏ କିମ୍ବା ସ୍ନାନ ନ କରେ, ତେବେ ସେ ପାପର ଅପରାଧ ବହନ କରିବ।”
ଦୈହିକ ସମ୍ପର୍କ ବିଷୟରେ ବ୍ୟବସ୍ଥା
18 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। 3 ଅତୀତରେ ତୁମ୍ଭେମାନେ ମିଶର ଦେଶରେ ବାସ କରୁଥିଲ, ସେହି ଦେଶରେ ସେମାନେ କଲାପରି, ତୁମ୍ଭେମାନେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦେବାକୁ ଯାଉଅଛି, ସେଠାରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁ କିମ୍ବା ସେମାନଙ୍କର ପ୍ରଥା ଅନୁସାରେ ଚଳିବ ନାହିଁ। 4 ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ ଓ ତଦନୁସାରେ ଆଚରଣ କରିବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। 5 ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭେମାନେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ।
6 “ତୁମ୍ଭେମାନେ ଆପଣା କୁଟୁମ୍ବ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
7 “ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସମ୍ପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ତୁମ୍ଭମାନଙ୍କର ପିତା ପ୍ରତି ଅସମ୍ମାନ ହେବ। ତେଣୁ ନିଶ୍ଚୟ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। 8 ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ଯ୍ୟା ସହିତ ଦୈହିକ ସମ୍ପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମା ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହେବ।
9 “ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ୟା ବା ମାତୃକନ୍ୟା, ସେ ଗୃହରେ ଜନ୍ମ ହୋଇଥାଉ କିମ୍ବା ଅନ୍ୟତ୍ର ଜନ୍ମ ହୋଇଥାଉ, ତା’ ସହିତ ମଧ୍ୟ ଦୈହିକ ସମ୍ପର୍କ ରଖିବ ନାହିଁ।
10 “ତୁମ୍ଭେ ନିଜ ପୌତ୍ରୀର କିମ୍ବା ଦୌହିତ୍ରୀର ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ନିଜ ଭବିଷ୍ୟଦ୍ ବଂଶଧର।
11 “ତୁମ୍ଭେ ତୁମ୍ଭ ବିମାତା କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛି ଓ ସେ ତୁମ୍ଭର ଭଗିନୀ, ତା’ ସହିତ ଯୌନ ସମ୍ପର୍କ ରଖିବ ନାହିଁ।
12 “ତୁମ୍ଭେ ନିଜର ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସମ୍ପର୍କୀୟ। 13 ତୁମ୍ଭେ ତୁମ୍ଭର ମାଉସୀ ସହିତ ମଧ୍ୟ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ମାଙ୍କର ଅତି ନିକଟ ସମ୍ପର୍କୀୟା। 14 ତୁମ୍ଭେ ତୁମ୍ଭର କକାଙ୍କ ସ୍ତ୍ରୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ତାଙ୍କର ସ୍ତ୍ରୀଙ୍କୁ ଅନୁନୟ କର ନାହିଁ। ସେ ତୁମ୍ଭର ଖୁଢ଼ୀ।
15 “ତୁମ୍ଭେ ତୁମ୍ଭର ପୁଅର ବୋହୂ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ପୁତ୍ରବଧୁ। ତୁମ୍ଭେ ତାହା ସହିତ ଯୌନ ସମ୍ପର୍କ ରଖିବ ନାହିଁ।
16 “ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହେବ।
17 “ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତୁମ୍ଭେ ତାହାର ପୌତ୍ରୀ କିମ୍ବା ଦୌହିତ୍ରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେମାନେ ତା'ର ନିକଟ ସମ୍ପର୍କୀୟ। ଏପ୍ରକାର ଯୌନ ସମ୍ପର୍କ ଭୟଙ୍କର ଭାବରେ ନୀତି ବିରୁଦ୍ଧ।
18 “ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ।
19 “ପୁଣି କୌଣସି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେସମୟରେ ସେ ଅଶୁଚି ଅଟେ।
20 “ପୁଣି ତୁମ୍ଭେ କୌଣସି ପ୍ରତିବାସୀ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖି ନିଜକୁ ଅଶୁଚି କରିବ ନାହିଁ।
21 “ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଉତ୍ସର୍ଗୀତ ହେବାକୁ ଦେବା ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କ ପବିତ୍ର ନାମକୁ କଳୁଷିତ ନିଶ୍ଚୟ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ।
22 “ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ୟ ପାପ।
23 “ତୁମ୍ଭେ କୌଣସି ପଶୁ ସହିତ ଯୌନ ସମ୍ପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଏହା ପ୍ରକୃତି ବିରୋଧ।
24 “ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ନିଜକୁ ଅଶୁଚି କର ନାହିଁ। କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି। 25 ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉଦ୍ଗାର କରୁଅଛି।
26 “ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ବିଧି ପାଳନ କରିବ। ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ। 27 କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣାଯୋଗ୍ୟ କର୍ମ କରି ଦେଶକୁ ଅଶୁଚି କରିଛନ୍ତି। 28 ତୁମ୍ଭେମାନେ ଯଦି ସେହି ଘୃଣାଯୋଗ୍ୟ କର୍ମ କର, ତେବେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉଦ୍ଗାର କଲା, ସେହିପରି ସେ ତୁମ୍ଭମାନଙ୍କୁ ବି ଉଦ୍ଗାର କରିବ। 29 ତେଣୁ ଯେଉଁମାନେ ଏହି ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ତେବେ ସେହି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। 30 ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
2010 by World Bible Translation Center