Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 13-15

13 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହେବ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରଦାନ କର, ତାହା ଆମ୍ଭର।”

ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ। ଆଉ ଯେତେବେଳେ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେ ତୁମ୍ଭମାନଙ୍କୁ ଦେବେ।

“ସାତ ଦିନ ଯାଏ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନାର୍ଥେ ଏକ ବଡ଼ ଭୋଜିର ଆୟୋଜନ କରିବ। ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି। ସେହି ଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚୟ କହିବ, ‘ଆମ୍ଭେ ଏହି ଭୋଜିର ଆୟୋଜନ କରିଛୁ ଯେହେତୁ ସଦାପ୍ରଭୁ ଆମ୍ଭକୁ ମିଶରରୁ ଏହି ଦିନ ମୁକ୍ତ କରିଥିଲେ।’

“ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି। 10 ତେଣୁ ଏହି ସ୍ମରଣୀୟ ଦିବସଟିକୁ ବିଧି ଅନୁସାରେ ପାଳନ କରିବ।

11 “ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ସେହି ଦେଶକୁ ନେଇଯିବେ, ଯେହେତୁ ସେ ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନ ସେଠାରେ କିଣାନୀୟମାନେ ବାସ କରୁଛନ୍ତି। କିନ୍ତୁ ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ସେ ତୁମ୍ଭମାନଙ୍କୁ ସେହି ଦେଶ ଦେବେ। 12 ତୁମ୍ଭେ ନିଶ୍ଚୟ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦେବା ଉଚିତ୍। 13 ତୁମ୍ଭେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗଧକୁ ମୁକ୍ତ କରି ପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତେବେ ତୁମ୍ଭେ ତା'ର ବେକକୁ ଭାଙ୍ଗି ଦେବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ହେବ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହେବ।

14 “ଭବିଷ୍ୟ‌‌‌ତରେ ତୁମ୍ଭମାନଙ୍କର ସନ୍ତାନମାନେ ପଗ୍ଭରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସେମାନେ ପଗ୍ଭରିବେ, ‘ଏସବୁର ଅର୍ଥ କ’ଣ? ଏବଂ ତୁମ୍ଭର ଉତ୍ତର ହେବ, ‘ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭେମାନେ ସେଠାରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସେଠାରୁ ବାହାର କରି ଏଠାକୁ ନେଇ ଆସିଛନ୍ତି। 15 ମିଶରରେ, ଫାରୋ ଥିଲେ ଅତି କଠୋର ମନା। ସେ ଆମ୍ଭକୁ ଯିବାକୁ ଦେଉ ନ ଥିଲେ, ତେଣୁ ସେଠାରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ୟା କରିଥିଲେ। ସେହି କାରଣରୁ ଆମ୍ଭେମାନେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫେରାଇ ଆଣୁ।’ 16 ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ବାହୁବଳରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।”

ମିଶରରୁ ବାହାରକୁ ଯାତ୍ରା

17 ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।” 18 ତେଣୁ ସଦାପ୍ରଭୁ ସେମାନଙ୍କୁ ଅନ୍ୟ ଏକ ପଥରେ ଆଗେଇ ନେଲେ। ସେ ସେମାନଙ୍କୁ ସୂଫସାଗର ପ୍ରାନ୍ତର ମଧ୍ୟଦେଇ ଆଣିଲେ। ସେମାନେ ମିଶର ଛାଡ଼ିବା ସମୟରେ ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।

ଯୋଷେଫ ଗୃହକୁ ଗଲେ

19 ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”

ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଗେଇ ନେଲେ

20 ଇସ୍ରାଏଲର ଲୋକମାନେ ସୁ‌କ୍‌କୋତଠାରୁ ଛାଡ଼ି ଏଥମରେ ଛାଉଣି ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା। 21 ସଦାପ୍ରଭୁ ସେମାନଙ୍କୁ ଆଗକୁ ପଥ କଢ଼ାଇ ନେଲେ, ଦିନବେଳେ ସଦାପ୍ରଭୁ ସେମାନଙ୍କୁ ମେଘସ୍ତମ୍ଭ ଦ୍ୱାରା ରାସ୍ତା ଦେଖାଇଲେ ଏବଂ ରାତିରେ ସେ ସେମାନଙ୍କୁ ଅଗ୍ନିସ୍ତମ୍ଭ ସାହାଯ୍ୟରେ ଆଗେଇ ନେଲେ। 22 ଦିନ ସମୟରେ ସେମାନଙ୍କୁ ଘନ ବାଦଲ ଓ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସେମାନଙ୍କ ସହିତ ସର୍ବଦା ରଖିଲେ।

14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ସେମାନେ ପୀହହୀରୋତକୁ ଫେରି ଯାଆନ୍ତୁ ଏବଂ ସାମନାରେ ଛାଉଣି ପକାନ୍ତୁ। ସେମାନଙ୍କୁ କୁହ, ସେମାନେ ମି‌ଗ୍‌ଦୋଲ ଓ ସମୁଦ୍ର ମଧ୍ୟରେ ଏବଂ ବା‌ଲ୍‌ସଫୋନ୍ ଆଗରେ ଛାଉଣି ସ୍ଥାପନ କରନ୍ତୁ। ତହିଁରେ ଫାରୋ ଭାବିବେ ଯେ, ଇସ୍ରାଏଲର ଲୋକମାନେ ମରୁଭୂମି ମଧ୍ୟରେ ବାଟବଣା ହୋଇଅଛନ୍ତି। ମୁଁ ଫାରୋଙ୍କୁ ପୁଣି କଠୋର କରିବି ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ୟମାନଙ୍କୁ ପରାସ୍ତ କରିବି। ଏହା ମୋର ସମ୍ମାନ ବଢ଼ାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ।” ସେମାନେ ତାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।

ଫାରୋ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ

ମିଶରର ରାଜା ଖବର ପାଇଲେ ଯେ ଇସ୍ରାଏଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତେବେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମତି ପରିବର୍ତ୍ତନ କଲେ। ସେମାନେ କହିଲେ, “କାହିଁକି ଆମ୍ଭେମାନେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।”

ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗରେ ନେଲେ। ଫାରୋ ମିଶରର ଅନ୍ୟାନ୍ୟ ସୈନ୍ୟ ଓ ରଥ ସହିତ 600 ଜଣ ନିପୁଣ ସୈନ୍ୟ ଏବଂ ସେମାନଙ୍କର ରଥଗୁଡ଼ିକ ନେଲେ ଏବଂ ପ୍ରତ୍ୟେକ ରଥରେ ଜଣେ ଅଧିକାରୀ ରହିଲେ। ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।

ମିଶରୀୟମାନେ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ତାଙ୍କର ରଥାରୋହୀ ଏବଂ ତାଙ୍କର ସୈନ୍ୟ ସେମାନଙ୍କୁ ଗୋଡ଼ାଇଲେ ଏବଂ ସମୁଦ୍ର ପାଖରେ ବାଲ-ସଫୋନ ଆଡ଼କୁ ମୁଖ କରିଥିବା ପୀହହୀରୋତ ଛାଉଣି ନିକଟରେ ଭେଟିଲେ।

10 ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ। 11 ସେମାନେ ମୋଶାଙ୍କୁ କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ’ଣ ମରିବାକୁ ଆଣିଲ? ଆମ୍ଭେମାନେ ମିଶରରେ ଶାନ୍ତିରେ ମରି ପାରିଥା’ନ୍ତୁ। ଯେହେତୁ ମିଶରରେ ବହୁ ପରିମାଣର କବର ଅଛି। 12 ଆମ୍ଭେମାନେ କ’ଣ ମିଶରରେ କହି ନ ଥିଲୁ ଏହିପରି ଘଟିବ ବୋଲି? ମିଶରରେ ଆମ୍ଭେମାନେ ତୁମ୍ଭକୁ କହିଲୁ, ‘ଆମ୍ଭକୁ ବିବ୍ରତ କର ନାହିଁ। ଆମ୍ଭକୁ ଏହିଠାରେ ରହି ମିଶରୀୟମାନଙ୍କର ଦାସ ହେବାକୁ ଦିଅ।’ ମରୁଭୂମିରେ ମୃତ୍ୟୁବରଣ କରିବା ଅପେକ୍ଷା ମିଶରବାସୀଙ୍କର ଦାସକର୍ମ କରିବା ଭଲ ହେବ।”

13 କିନ୍ତୁ ମୋଶା ସେମାନଙ୍କୁ କହିଲେ, “ଭୟ କର ନାହିଁ। ଦୌଡ଼ି ପଳାଇବାର ଆବଶ୍ୟକ ନାହିଁ। ଏହିଠାରେ ଧିରସ୍ଥିର ହୋଇ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭେମାନେ ମିଶରବାସୀମାନଙ୍କୁ ଆଉ ପୁନରାୟ ଦେଖିବ ନାହିଁ। 14 ଏବଂ ତୁମ୍ଭମାନଙ୍କୁ କିଛି କରିବାକୁ ପଡ଼ିବ ନାହିଁ। ତୁମ୍ଭେମାନେ ଏଠାରେ ଶାନ୍ତିରେ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।”

15 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ମୋ’ ପାଖରେ କ୍ରନ୍ଦନ କରୁଛ? ଇସ୍ରାଏଲୀୟମାନଙ୍କୁ କୁହ ସେମାନେ ଆଗକୁ ମାଡ଼ି ଗ୍ଭଲନ୍ତୁ। 16 ତୁମ୍ଭର ଆଶାବାଡ଼ିକୁ ସୂଫସାଗର ଉପରେ ବୁଲାଅ, ତାହା ବିଭକ୍ତ ହେବ, ଯାହା ଫଳରେ ଇସ୍ରାଏଲର ଲୋକମାନେ ସମୁଦ୍ର ମଧ୍ୟରେ ଶୁଖିଲା ପଥରେ ଯାଇ ପାରିବେ। 17 ମୁଁ ମିଶରୀୟମାନଙ୍କୁ କଠିନ କରିବି, ଯେଉଁଥିରେ ସେମାନେ ତୁମ୍ଭମାନଙ୍କ ପଛରେ ଗୋଡ଼ାଇବେ। ମୁଁ ତୁମ୍ଭକୁ ଦେଖାଇବି, କିପରି ମୁଁ ଫାରୋ, ତାଙ୍କର ଅଶ୍ୱାରୋହୀ ସୈନ୍ୟ, ରଥାରୋହୀ ସୈନ୍ୟମାନଙ୍କଠାରୁ ଶକ୍ତିଶାଳୀ। 18 ଏହା ପରେ ମିଶରବାସୀ ଜାଣିବେ ଯେ, ମୁଁ ହେଉଛି ସଦାପ୍ରଭୁ ପରମେଶ୍ୱର। ସେମାନେ ମୋତେ ସମ୍ମାନ କରିବେ ଯେତେବେଳେ ମୁଁ ଫାରୋ ଏବଂ ତା'ର ରଥାରୋହୀମାନଙ୍କୁ ଏବଂ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ପରାସ୍ତ କରିବି।”

ସଦାପ୍ରଭୁ ମିଶରର ସୈନ୍ୟମାନଙ୍କୁ ପରାସ୍ତ କଲେ

19 ଏହା ପରେ ସଦାପ୍ରଭୁଙ୍କର ଦୂତ ଯିଏକି ଇସ୍ରାଏଲୀୟ ସୈନ୍ୟମାନଙ୍କ ଆଗରେ ଥିଲେ, ସେମାନଙ୍କ ପଛକୁ ଗଲେ। ତେଣୁ ଘନମେଘ ସେହି ଲୋକମାନଙ୍କ ସମ୍ମୁଖରେ ଗତିକରି ପଛ ପଟକୁ ଗଲା। 20 ଏହି ପ୍ରକାରେ ଘନମେଘ ଇସ୍ରାଏଲୀୟ ସୈନ୍ୟ ଓ ମିଶରୀୟ ସୈନ୍ୟମାନଙ୍କ ମଧ୍ୟରେ ରହିଲା। ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖରେ ଅନ୍ଧକାରଚ୍ଛନ୍ନ ହୋଇ ରହିଲା। ଯେଉଁଥିପାଇଁ ସେହି ରାତ୍ରରେ ମିଶରବାସୀ ଇସ୍ରାଏଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।

21 ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା। 22 ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା। 23 ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ। 24 ପ୍ରଭାତରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦେଇ ମିସ୍ରୀୟ ସୈନ୍ୟମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀୟ ସୈନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲେ। 25 ରଥର ଚକଗୁଡ଼ିକ ରଥରୁ ବାହାରିଯିବାରୁ, ସେମାନଙ୍କୁ ରଥଗୁଡ଼ିକ ଆଗେଇ ନେବାକୁ ବହୁତ କଷ୍ଟ ହେଲା। ମିଶରୀୟ ଲୋକମାନେ ଚିତ୍କାର କଲେ, “ଗ୍ଭଲ ଏଠାରୁ ପଳାଇ ଯିବା! ସଦାପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।”

26 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥିରେ ସମୁଦ୍ର ଜଳ ମାଡ଼ିଯାଇ ମିଶରର ରଥାରୋହୀ ଓ ଅଶ୍ୱାରୋହୀମାନଙ୍କୁ ବୁଡ଼ାଇ ଦେବ।”

27 ତେଣୁ ମୋଶା ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହା ପରେ ଠିକ୍ ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହୋଇଗଲା। ମିଶରୀୟମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସେମାନଙ୍କୁ ସମୁଦ୍ରରେ ନିକ୍ଷେପ କଲେ। 28 ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡ଼ିକ, ଅଶ୍ୱାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଉଥିବା ଫାରୋଙ୍କର ସମଗ୍ର ସୈନ୍ୟବାହିନୀ ସମୁଦ୍ରରେ ବୁଡ଼ିଗଲେ। କେହି ଜଣେ ହେଲେବି ସୈନ୍ୟ ବଞ୍ଚିଲେ ନାହିଁ।

29 ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା। 30 ତେଣୁ ସେହି ଦିନ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲେ। ଏବଂ ସେଥିପାଇଁ ଇସ୍ରାଏଲର ଲୋକମାନେ ମିଶରୀୟମାନଙ୍କର ମୃତ ଦେହକୁ ସୂଫସାଗର କୂଳରେ ଥିବାର ଦେଖିଲେ। 31 ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ।

ମୋଶାଙ୍କ ସଙ୍ଗୀତ

15 ଏହା ପରେ ମୋଶା ଓ ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ,

“ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା।
    ସେ ମହାନ କାର୍ଯ୍ୟ କରିଛନ୍ତି।
ସେ ଅଶ୍ୱ ଏବଂ ଅଶ୍ୱାରୋହୀଙ୍କୁ
    ସମୁଦ୍ରରେ ନିକ୍ଷେପ କଲେ।
ସଦାପ୍ରଭୁ ହେଉଛନ୍ତି ମୋର ଶକ୍ତି।
    ସେ ମୋତେ ରକ୍ଷା କରନ୍ତି।
    ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି।
ସଦାପ୍ରଭୁ ହେଉଛନ୍ତି ମୋର ପରମେଶ୍ୱର
    ଏବଂ ମୁଁ ତାଙ୍କର ପ୍ରଶଂସା କରିବି।
ସଦାପ୍ରଭୁ ହେଉଛନ୍ତି ମୋର ପୂର୍ବପୁରୁଷମାନଙ୍କର ପରମେଶ୍ୱର
    ଏବଂ ମୁଁ ତାଙ୍କର ସମ୍ମାନ କରିବି।
ସଦାପ୍ରଭୁ ଯୁଦ୍ଧବୀର,
    ସଦାପ୍ରଭୁ ତାଙ୍କର ନାମ।
ସେ ଫାରୋଙ୍କର ରଥ ଏବଂ
    ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି।
ଫାରୋଙ୍କର ବଛା ବୀରମାନେ
    ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି।
ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି।
    ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ି ଗଲେ।

“ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ
    ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତରେ ଶତ୍ରୁକୁ ପରାସ୍ତ କଲେ।
ତୁମ୍ଭେ ନିଜର ଉତ୍କୃଷ୍ଟ ମହିମାରେ,
    ନିଜର ପ୍ରତିକୂଳାଗ୍ଭରୀମାନଙ୍କୁ ଧ୍ୱଂସ କରିଛ।
ତୁମ୍ଭେ ତୁମ୍ଭର କ୍ରୋଧାଗ୍ନି ପଠାଅ।
    ତାହା ସେମାନଙ୍କୁ ନଡ଼ାପରି ଗ୍ରାସ କରେ।
ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ
    ପ୍ରାଚୀରତୁଲ୍ୟ ପରିଣତ କଲା।
ଏବଂ ଜଳସ୍ରୋତ ପ୍ରାଚୀରତୁଲ୍ୟ ହୋଇଗଲା।
    ସମୁଦ୍ର ମଧ୍ୟସ୍ଥଳରେ ଜଳ ଜମାଟ ହୋଇଗଲା।

“ଶତ୍ରୁ କହିଲା,
    ‘ମୁଁ ସେମାନଙ୍କୁ ଗୋଡ଼ାଇବି ଓ ଧରିବି।
ମୁଁ ଲୁଟିତ ଦ୍ରବ୍ୟ ଭାଗ କରି ନେବି।
    ସେମାନଙ୍କର ଉପରେ ମୋର ଅଭିଳାଷ ପୂର୍ଣ୍ଣ ହେବ।
    ମୁଁ ଆପଣା ଖ‌ଡ଼୍‌ଗ ନିକ୍ଷେପ କରିବି, ମୋର ହସ୍ତ ସେମାନଙ୍କୁ ବିନାଶ କରିବ।’
10 ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ
    ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ।
ସେମାନେ ସୀସା ପରି
    ଅଗାଧ ସମୁଦ୍ରରେ ବୁଡ଼ିଗଲେ।

11 “ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କୌଣସି ଦେବତା ଅଛି କି?
    ନା, ତୁମ୍ଭ ପରି ଆଉ କେହି ନାହାନ୍ତି।
    ତୁମ୍ଭେ ପବିତ୍ର ଅଟ।
    ତୁମ୍ଭେ ଆଶ୍ଚର୍ଯ୍ୟ ଶକ୍ତିରେ ପରିପୂର୍ଣ୍ଣ, ତୁମ୍ଭେ ବଡ଼ ଅ‌ଦ୍‌ଭୂତ କାର୍ଯ୍ୟ କର!
12 ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ଉଠାଇଲ
    ଏବଂ ପୃଥିବୀ ସେମାନଙ୍କୁ ଗ୍ରାସ କଲା।
13 କିନ୍ତୁ ତୁମ୍ଭେ ଦୟାରେ ରକ୍ଷା କରିଥିବା
    ଲୋକମାନଙ୍କୁ ଆଗେଇ ନେଲ।
ତୁମ୍ଭେ ଆପଣା ପରାକ୍ରମରେ
    ସେମାନଙ୍କୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନେଇ ଯାଇଛ।

14 “ଲୋକମାନେ ଏହା ଶୁଣି ଅଛନ୍ତି,
    ସେମାନେ ଭୟରେ କମ୍ପୁ ଅଛନ୍ତି।
    ପଲେଷ୍ଟୀୟ ନିବାସୀମାନେ ଭୟରେ ଥରିବାକୁ ଲାଗିଲେ।
15 ଇଦୋମର ନେତାଗଣ ଭୟରେ ଥରିଲେ।
    ମୋୟାବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ୟ ଭୟରେ ଥରିଲେ।
    କିଣାନୀୟମାନେ ସେମାନଙ୍କର ସାହସ ହରାଇଲେ।
16 ସେହି ସମସ୍ତ ଲୋକମାନେ ଭୟଭୀତ ହେବେ।
ତୁମ୍ଭ ବାହୁର ଶକ୍ତି ଦ୍ୱାରା ସେମାନେ ପଥର ପରି ନିଶ୍ଚଳ ହେବେ,
    ଯେପର୍ଯ୍ୟନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଗ୍ଭଲି ଯାଇ ନାହାନ୍ତି।
17 ତୁମ୍ଭେ ସେମାନଙ୍କୁ ଆଣ
    ଓ ସେମାନଙ୍କୁ ନିଜ ପର୍ବତରେ ସ୍ଥାପନ କର।
ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ,
    ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି।

18 “ସଦାପ୍ରଭୁ ଚିରଦିନ ରାଜତ୍ୱ କରିବେ।”

19 କାରଣ ଫାରୋଙ୍କର ଘୋଡ଼ା, ରଥ ଏବଂ ସୈନ୍ୟମାନେ ସବୁ ସମୁଦ୍ର ଭିତରକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇସ୍ରାଏଲ ଲୋକମାନେ ସମୁଦ୍ର ମଧ୍ୟରେ ଶୁଷ୍କ ରାସ୍ତାରେ ଗମନ କଲେ।

20 ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ। 21 ତା'ପରେ ମରିୟମ ଲୋକମାନଙ୍କୁ କହିଲେ,

“ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି।
ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ
    ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”

ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି

22 ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। 23 ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା।

24 ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?”

25 ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା।

ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। 26 ତା'ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପୀଡ଼ିତ ହେଲେ, ତୁମ୍ଭେମାନେ ସେହି ରୋଗରେ ପୀଡ଼ିତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”

27 ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center