Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 35-37

ଯାକୁବ ବୈଥେ‌ଲ୍‌ରେ

35 ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେ‌ଲ୍‌କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।”

ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର। ଆମ୍ଭେମାନେ ଏହି ସ୍ଥାନ ପରିତ୍ୟାଗ କରି ବୈଥେ‌ଲ୍‌କୁ ଯିବା। ମୁଁ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରିବି ଏବଂ ତାହା ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି ଯିଏ ମୋର ଅସୁବିଧା ସମୟରେ ମୋତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ୱର ମୋ’ ସହିତ ରହି ଆସିଛନ୍ତି।”

ତେଣୁ ସମସ୍ତ ଲୋକ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ଯାକୁବଙ୍କୁ ଦେଲେ। ସେମାନେ ମଧ୍ୟ ତାଙ୍କର କର୍ଣ୍ଣକୁଣ୍ଡଳ ସମସ୍ତ ଯାକୁବଙ୍କୁ ଦେଲେ। ଯାକୁବ ସେଗୁଡ଼ିକ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ପୋତି ଦେଲେ।

ଯାକୁବ ଏବଂ ତାଙ୍କର ପରିବାର ସେହି ସ୍ଥାନ ପରିତ୍ୟାଗ କଲେ। ସେହି ନଗରର ଚତୁର୍ପାର୍ଶ୍ୱର ଲୋକମାନେ ସେମାନଙ୍କୁ ବହୁତ ଭୟ କରୁଥିଲେ। ସେହି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ୟା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ। ତେଣୁ ଯାକୁବ ଏବଂ ତାଙ୍କର ଲୋକମାନେ ଯାଇ ଲୂ‌ସ୍‌ରେ ପହଞ୍ଚିଲେ। ଲୂସ୍ ଯାହାର ବର୍ତ୍ତମାନର ନାମ ବୈଥେଲ୍। ଏହା କିଣାନ ଦେଶରେ ଅବସ୍ଥିତ। ଯାକୁବ ଯଜ୍ଞବେଦି ନିର୍ମାଣ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ “ଏଲ୍-ବୈଥେଲ୍।” ଯାକୁବ ଏପରି ନାମ ସ୍ଥିର କଲେ କାରଣ ସେହି ସ୍ଥାନରେ ପରମେଶ୍ୱର ତାଙ୍କୁ ପ୍ରଥମେ ଦେଖା ଦେଇଥିଲେ। ଯେତେବେଳେ ସେ ତାଙ୍କ ଭାଇଙ୍କ ନିକଟରୁ ଦୌଡ଼ି ପଳାଉଥିଲେ।

ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହେଲା ଏବଂ ତାକୁ ବୈଥେ‌ଲ୍‌ର ଅଧସ୍ଥିତ ଅଲୋନ ବୃକ୍ଷମୂଳେ କବର ଦିଆଗଲା। ତେଣୁ ସେହି ସ୍ଥାନର ନାମ ଅଲୋନ-ବାଖୁତ୍[a] ହେଲା।

ଯାକୁବଙ୍କର ନୂତନ ନାମ

ଯେତେବେଳେ ଯାକୁବ ପଦ୍ଦନ୍-ଅରାମକୁ ଫେରିଲେ ପରମେଶ୍ୱର ତାଙ୍କୁ ପୁନର୍ବାର ଦେଖା ଦେଲେ। ପରମେଶ୍ୱର ଯାକୁବଙ୍କୁ ଆଶୀର୍ବାଦ କଲେ। 10 ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସେହି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡକା ଯିବ ନାହିଁ। ତୁମ୍ଭର ନୂତନ ନାମ ଇସ୍ରାଏଲ ହେବ।” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।

11 ପରମେଶ୍ୱର ତାଙ୍କୁ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭର ପରିବାର ବହୁତ ବଡ଼ ହେବ। ତୁମ୍ଭର ପରିବାରରୁ ଅନେକ ଜାତିଗଣ ହେବ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ। 12 ଆମ୍ଭେ ଅବ୍ରହାମ ଓ ଇ‌ସ୍‌ହାକଙ୍କୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭର ‌ଭବିଷ୍ୟ‌ଦ୍‌ ବଂଶଧରକୁ ଦେବା।” 13 ଏହା ପରେ ପରମେଶ୍ୱର ସେହି ସ୍ଥାନ ଛାଡ଼ିଲେ। 14 ଯାକୁବ ସେଠାରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସେଠାରେ ପେୟନୈବେଦ୍ୟ ଓ ତୈଳ ଢାଳିଲେ। 15 ସେ ସେହି ସ୍ଥାନର ନାମ ବୈଥେଲ୍ ରଖିଲେ। କାରଣ ଏହି ସ୍ଥାନରେ ପରମେଶ୍ୱର ତାଙ୍କ ସହିତ କଥା ହୋଇଥିଲେ।

ରାହେଲ ଛୁଆ ଜନ୍ମ କରି ମଲେ

16 ଯାକୁବ ଏବଂ ତାଙ୍କର ଦଳ ବୈଥେଲ୍ ଛାଡ଼ିଲେ, ସେମାନେ ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବେଦନା ହେଲା ଏବଂ ତା'ର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା। 17 ପ୍ରସବ ବେଦନା ଅତିଶୟ କଷ୍ଟ ହେବାରୁ ଧାତ୍ରୀ ତାହାକୁ କହିଲେ, “ଭୟ କର ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।”

18 ରାହେଲ ପୁତ୍ର ସନ୍ତାନ ଜନ୍ମ ଦେଇ ମଲେ। ମଲା ପୂର୍ବରୁ ରାହେଲ ସେହି ସନ୍ତାନର ନାମ ଦେଇଥିଲେ, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ୟାମିନ୍।

19 ଇଫ୍ରାଥା ଯିବା ପରେ ତାହା ବୈ‌ଥ୍‌ଲେହମ ନିକଟରେ ରାହେଲକୁ କବର ଦିଆଗଲା। 20 ରାହେଲର କବର ସ୍ଥାନରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ରାହେଲର କବରକୁ ଚିହ୍ନାଏ। 21 ଏହା ପରେ ଇସ୍ରାଏଲ ସେଠାରୁ ଯାତ୍ରା କଲେ। ସେ ଏଦର ଗଡ଼ ପାର ହୋଇ ତହିଁ ନିକଟରେ ଛାଉଣି ପକାଇଲେ।

22 ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ।

ଇସ୍ରାଏଲର ପରିବାର

ଇସ୍ରାଏଲର ବାରଟି ପୁତ୍ର ଥିଲେ।

23 ସେମାନଙ୍କ ମଧ୍ୟରେ ରୁବେନ୍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର। ଶିମିୟୋନ, ଲେବୀ, ଯିହୁଦା, ଇଷାଖର ଓ ସବୂଲୂନ ଏମାନେ ଲେୟାର ସନ୍ତାନ।

24 ଯୋଷେଫ୍ ଓ ବିନ୍ୟାମିନ୍ ରାହେଲର ସନ୍ତାନ।

25 ଦାନ ଓ ନପ୍ତାଲି ରାହେଲର ଦାସୀ ବିଲହାର ସନ୍ତାନ।

26 ଗାଦ୍ ଓ ଆଶେର ଲେୟାର ଦାସୀ ସିଳ୍ପାର ପୁତ୍ରଗଣ।

ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍ ଅରାମଠାରେ ଜନ୍ମିଥିଲେ।

27 ଏହା ପରେ ସେ କିରିୟଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇ‌ସ୍‌ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇ‌ସ୍‌ହାକ ନିକଟରେ ଉପସ୍ଥିତ ହେଲେ। 28 ଇ‌ସ୍‌ହାକ 180 ବର୍ଷ ବଞ୍ଚିଲେ। 29 ଏହା ପରେ ଇ‌ସ୍‌ହାକ ଦୁର୍ବଳ ହୋଇ ମୃତ୍ୟୁବରଣ କଲେ। ଇ‌ସ୍‌ହାକ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।

ଏଷୌର ପରିବାର

36 ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)। ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ ବିବାହ କରିଥିଲେ। ସେମାନେ ହେଲେ ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦ୍ଦୀୟ ସିବିୟୋନର ପୌତ୍ରୀ ଅହଲୀବାମାକୁ। ନବାୟୋତର ଭଉଣୀ, ଇଶ୍ମାଏଲଙ୍କ କନ୍ୟା ବାସମତକୁ ବିବାହ କରିଥିଲେ। ଏହା ପରେ ଏଷୌର ଔରସରେ ଆଦା ଇଲୀଫସକୁ ଓ ବାସମତ୍ ରୂୟେଲକୁ ଜନ୍ମ କଲେ। ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯିୟୁଶ, ଯାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶରେ ଜନ୍ମ ହୋଇଥିଲେ।

6-7 ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିଯିବାରୁ ସେମାନେ କିଣାନରେ ବାସ କରି ପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଗ୍ଭଲିଗଲେ। ଏଷୌ ତାଙ୍କର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତାଙ୍କର ଯେତେ ଧନ ସମ୍ପତ୍ତି ଥିଲା ତାକୁ ଧରି ସେୟୀର ପର୍ବତରେ ବାସ କଲେ। ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା।

ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।

10 ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୂୟେଲ।

11 ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର୍, ସଫୋ, ଗୟିତମ୍ ଓ କନସ୍।

12 ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲେକକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।

13 ଏହିମାନେ ରୂୟେଲର ପୁତ୍ର ଥିଲେ, ନହତ୍, ସେରହ, ଶମ୍ମ ଓ ମିସା।

ଏମାନେ ଏଷୌର ସ୍ତ୍ରୀ ବାସମ‌‌‌‌‌ତ୍‌‌‌‌‌ର ସନ୍ତାନ।

14 ସିବିୟୋନର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ଯିୟୁଶ୍, ଯାଲମ୍ ଓ କୋରହ।

15 ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍ ତାହାର ମୂଖ୍ୟ ତୈମନ୍, ମୂଖ୍ୟ ଓମାର, ମୂଖ୍ୟ ସଫୋ ଓ ମୂଖ୍ୟ କନସ୍। 16 ମୂଖ୍ୟ କୋରହ, ମୂଖ୍ୟ ଗୟିତମ୍ ଓ ମୂଖ୍ୟ ଆମାଲେକ୍। ଇଦୋମ ଦେଶରେ ଇଲୀଫସ୍ ପରିବାରବର୍ଗୀୟ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।

17 ଏଷୌର ପୁତ୍ର ରୂୟେଲର ସନ୍ତାନ ମୂଖ୍ୟ ନହତ୍ ଓ ମୂଖ୍ୟ ସେରହ, ମୂଖ୍ୟ ଶମ୍ମ ଓ ମୂଖ୍ୟ ମିସା।

ଇଦୋମ ଦେଶରେ ରୂୟେଲ ବଂଶୀୟ ଏହି ରାଜାମାନେ ଏଷୌର ସ୍ତ୍ରୀ ବାସମତର ସନ୍ତାନ ଥିଲେ।

18 ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ୟ ଯିୟୁଶ, ମୂଖ୍ୟ ଯାଲମ୍ ଓ ମୂଖ୍ୟ କୋରହ। ଏମାନେ ସେମାନଙ୍କର ପିତୃବର୍ଗ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ୟା ଅହଲୀବାମାଠାରୁ ଜାତ ହେଲେ।

19 ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ସେମାନଙ୍କର ପରିବାରର ମୂଖ୍ୟ।

20 ସେୟୀର ଜଣେ ହୋରୀୟ ଇଦୋମ ଦେଶରେ, ଏଷୌଙ୍କ ପୂର୍ବରୁ ବାସ କରୁଥିଲେ। ସେହି ସେୟୀରର ପୁତ୍ରମାନେ ହେଲେ,

ଲୋଟନ୍, ଶୋବଲ, ସିବିୟୋନ, ଅନା। 21 ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀୟ ମୂଖ୍ୟ ବଂଶର ରାଜା ଇଦୋମ ସେୟୀରର ମୂଖ୍ୟ ଥିଲେ।

22 ଲୋଟନ୍ ଥିଲେ ହୋରିର ପିତା ଏବଂ ହେମସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।

23 ଶୋବଲ୍ ଥିଲେ ଅବଲନ୍, ମାନହତ୍, ଏବଲ, ଶଫୋ ଏବଂ ଓନ‌ମ୍‌‌ର ପିତା।

24 ସିବିୟୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅୟା ଓ ଅନା। ଅନା ନିଜର ପିତା ସିବିୟୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

25 ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ୟା ଥିଲେ।

26 ଦିଶୋନଙ୍କର ଗ୍ଭରୋଟି ପୁତ୍ର ଥିଲେ, ସେମାନେ ହେଲେ, ହି‌ମ୍‌‌ଦନ୍, ଇ‌ଶ୍‌ବନ୍, ଯିତ୍ରନ୍ ଓ କରାନ୍।

27 ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସେମାନେ ହେଲେ, ବିଲହନ୍, ସାବନ୍ ଓ ଯାକନ୍।

28 ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସେମାନେ ହେଲେ, ଊଷ୍ ଓ ଅରାନ୍।

29 ହୋରୀୟ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶୋବଲ, ରାଜା ସିବିୟୋନ୍ ଓ ରାଜା ଅନା। 30 ଦିଶୋନ୍, ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସେୟୀର ଦେଶର ହୋରୀୟ ବଂଶଜ ରାଜା।

31 ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବରୁ, ସେହି ସମୟରେ ଇଦୋମରେ ରାଜାମାନେ ଥିଲେ।

32 ବିୟୋରର ବେଲା ନାମକ ପୁତ୍ର ଇଦୋମ ଦେଶରେ ରାଜତ୍ୱ କଲେ। ତାହାର ରାଜଧାନୀର ନାମ ଥିଲା ଦିନ୍-ହାବା।

33 ଯେତେବେଳେ ବେଲା ମରିଗଲା, ସେରହର ପୁତ୍ର ଯୋବବ୍, ତାଙ୍କ ପରେ ବସ୍ରାରେ ରାଜତ୍ୱ କଲେ।

34 ଯେତେବେଳେ ଯୋବବର ମୃତ୍ୟୁ ହେଲା। ତା'ପରେ ତୈମନ ଦେଶୀୟ ହୂଶମ୍ ସେହି ପଦରେ ରାଜତ୍ୱ କଲେ।

35 ଯେତେବେଳେ ହୂଶମ ମୃତ୍ୟୁବରଣ କଲେ, ସେଠାରେ ହଦଦ୍ ରାଜତ୍ୱ କଲେ। ହଦଦ୍ ଥିଲେ ବଦଦର ପୁତ୍ର, ହଦଦ୍ ମୋୟାବଠାରେ ମିଦିୟନକୁ ଜୟ କଲେ। ହଦ‌ଦ୍‌ର ରାଜଧାନୀ ଥିଲା ଅବୀତ୍।

36 ହଦଦ୍ ମୃତ୍ୟୁପରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲେ।

37 ଏହା ପରେ ସମ୍ଳର ମୃତ୍ୟୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲେ।

38 ଶୌଲର ମୃତ୍ୟୁପରେ ଅ‌କ୍‌ବୋରର ପୁତ୍ର ବା‌ଲ୍‌ହାନନ୍ ତାହା ପଦରେ ରାଜତ୍ୱ କଲେ।

39 ଏହା ପରେ ଅ‌କ୍‌ବୋରର ପୁତ୍ର ବା‌ଲ୍‌ହାନ‌‌ନ୍‌‌ର ମୃତ୍ୟୁପରେ ହଦର ତାହା ପଦରେ ରାଜତ୍ୱ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା'ର ସ୍ତ୍ରୀର ନାମ ମହେଟବେଲ୍ ଥିଲା। ସେ ଥିଲେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।

40 ଏଷୌଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ, ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ରାଜାମାନେ ଥିଲେ, ସେମାନେ ହେଲେ:

ମୂଖ୍ୟ ତିମ୍ନା, ମୂଖ୍ୟ ଅ‌ଳ୍‌ବା ଓ 41 ମୂଖ୍ୟ ଯିଥେତ୍, ମୂଖ୍ୟ ଅହଲୀବାମା, ମୂଖ୍ୟ ଏଲା, 42 ମୂଖ୍ୟ ପୀନୋନ୍, ମୂଖ୍ୟ କନସ୍, ମୁଖ୍ୟ ତୈମନ୍, 43 ମୂଖ୍ୟ ମି‌ବ୍‌ସର, ମୂଖ୍ୟ ମ‌ଗ୍‌ଦୀୟେଲ, ମୂଖ୍ୟ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ମୂଖ୍ୟଗଣ ତାଲିକା ଅନୁସାରେ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।

ସ୍ୱପ୍ନ ବିଳାଷୀ ଯୋଷେଫ

37 ଯାକୁବ କିଣାନ ଦେଶରେ ବାସ କଲେ, ଯେଉଁ ସ୍ଥାନରେ ତାଙ୍କର ପିତା ବାସ କରିଥିଲେ। ଏହା ହେଉଛି ଯାକୁବଙ୍କ ପରିବାରର ଇତିହାସ।

ଯୋଷେଫଙ୍କୁ ଯେତେବେଳେ ସତରବର୍ଷ ହୋଇଥିଲା, ସେ ମେଣ୍ଢା ଓ ଛେଳି ଚରାଉଥିଲେ। ଯୋଷେଫ ଏହି କାର୍ଯ୍ୟ ତାଙ୍କ ଭାଇମାନଙ୍କ ସହିତ କରୁଥିଲେ। ସେ ତାଙ୍କ ପିତାଙ୍କ ସ୍ତ୍ରୀ ବିଲହା ଓ ସିଳ୍ପାର ପୁତ୍ରମାନଙ୍କର ସାହାଯ୍ୟକାରୀ ଥିଲେ। ଯୋଷେଫ ତାଙ୍କର ପିତାଙ୍କୁ ଭାଇମାନଙ୍କର କୁକର୍ମ ବିଷୟରେ ସବୁ ଜଣାଉଥିଲେ। ଯୋଷେଫ ତାଙ୍କ ପିତା, ଯାକୁବଙ୍କର ବାର୍ଦ୍ଧକ୍ୟ ସମୟରେ ଜନ୍ମ ହୋଇଥିଲେ। ତେଣୁ ଯାକୁବ ଯୋଷେଫଙ୍କୁ ଅନ୍ୟ ପୁତ୍ରମାନଙ୍କଠାରୁ ଅଧିକ ଭଲ ପାଉଥିଲେ। ଯାକୁବ ଯୋଷେଫଙ୍କୁ ଏକ ବିଶେଷ ବସ୍ତ୍ର ବା ଅଙ୍ଗରଖା ଦେଇଥିଲେ। ଯାହା ନାନା ରଙ୍ଗରେ ବର୍ଣ୍ଣିତ ଥିଲା। ଯୋଷେଫଙ୍କର ଭାଇମାନେ ଦେଖିଲେ ତାଙ୍କର ପିତା ସେମାନଙ୍କଠାରୁ ଯୋଷେଫକୁ ଅଧିକ ଭଲ ପାଉଛନ୍ତି। ତେଣୁ ସେମାନେ ଯୋଷେଫକୁ ଘୃଣା କଲେ ଓ ତା’ ସହିତ ସେମାନେ ଭଲଭାବରେ କଥାବାର୍ତ୍ତା କଲେ ନାହିଁ।

ଥରେ ଯୋଷେଫ ଏକ ସ୍ୱପ୍ନ ଦେଖି ତାଙ୍କ ଭାଇମାନଙ୍କୁ କହିଲେ। ଏଥିରେ ସେମାନେ ଯୋଷେଫକୁ ଅଧିକ ଘୃଣା କଲେ।

ଯୋଷେଫ କହିଲେ, “ମୁଁ ଦେଖିଥିବା ସ୍ୱପ୍ନଟି ଏହା ଏ ବିଷୟରେ ଶୁଣ। ଆମ୍ଭେ ସମସ୍ତେ କ୍ଷେତରେ କାର୍ଯ୍ୟ କରୁଥିଲୁ। ଆମ୍ଭେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମୋର ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମୋ’ ବିଡ଼ାକୁ ଗ୍ଭରିଆଡ଼େ ଘେରି ପ୍ରଣାମ କଲେ।”

ତାଙ୍କର ଭାଇମାନେ ତାଙ୍କୁ କହିଲେ, “ତୁ କ’ଣ ଭାବୁଛୁ, ରାଜା ହୋଇ ଆମ୍ଭମାନଙ୍କୁ ଶାସନ କରିବୁ?” ତା'ର ଭାଇମାନେ ଏହି ସ୍ୱପ୍ନର କଥା ଶୁଣି ତାଙ୍କୁ ଅଧିକ ଘୃଣା କଲେ।

ଏହା ପରେ ଯୋଷେଫ ଅନ୍ୟ ଏକ ସ୍ୱପ୍ନ ଦେଖିଲେ ଏବଂ ସେ ତାଙ୍କର ଭାଇମାନଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ। ଯୋଷେଫ କହିଲେ, “ସୂର୍ଯ୍ୟ, ଚନ୍ଦ୍ର ଏବଂ ଏଗାରଟି ତାରା ମୋ’ ସମ୍ମୁଖରେ ନତ ହେଲେ।”

10 ଯୋଷେଫ ତାଙ୍କର ସେହି ସ୍ୱପ୍ନର କଥା ତାଙ୍କ ପିତାଙ୍କୁ ମଧ୍ୟ ଜଣାଇଲେ। କିନ୍ତୁ ତାଙ୍କର ପିତା ତାଙ୍କୁ ଗାଳି ଦେଲେ। ତାଙ୍କର ପିତା ତାଙ୍କୁ କହିଲେ, “ଏ କି ପ୍ରକାର ସ୍ୱପ୍ନ? ତୁ କ’ଣ ଭାବୁଛୁ ମୁଁ, ତୋର ମା ଏବଂ ତୋର ଭାଇମାନେ ତୋତେ ପ୍ରଣାମ କରିବାକୁ ଆସିବୁ?” 11 ଯୋଷେଫଙ୍କର ଭାଇମାନେ ତାଙ୍କ ପ୍ରତି ବହୁତ ଈର୍ଷାପରାୟଣ ହେଲେ। କିନ୍ତୁ ଯୋଷେଫଙ୍କର ପିତା ଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଏହାର ଅର୍ଥ କ’ଣ ହୋଇପାରେ।

12 ଦିନେ ଯୋଷେଫଙ୍କର ଭାଇମାନେ ଶିଖିମକୁ ତାଙ୍କର ପିତାଙ୍କର ପଶୁ ପଲ ଚରାଇବାକୁ ଗଲେ। 13 ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଶିଖିମକୁ ଯାଅ। ତୁମ୍ଭର ଭାଇମାନେ ସେଠାରେ ମେଣ୍ଢା ଚରାଉଛନ୍ତି।”

ଯୋଷେଫ ଉତ୍ତର ଦେଲେ, “ମୁଁ ସେଠାକୁ ଯିବି।”

14 ଯୋଷେଫଙ୍କର ପିତା କହିଲେ, “ଯାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲ ସବୁ କିପରି ଅଛନ୍ତି।” ତା'ପରେ ଫେରି ଆସ ଏବଂ ମୋତେ କୁହ। ତେଣୁ ଯୋଷେଫଙ୍କର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।

15 ଶିଖିମଠାରେ ଯୋଷେଫ ଏଣେ ତେଣେ କ୍ଷେତ୍ର ମଧ୍ୟରେ ବୁଲୁଥିବାର ଜଣେ ବ୍ୟକ୍ତି ଦେଖିଲେ। ସେହି ଲୋକଟି ପଗ୍ଭରିଲା, “ତୁମ୍ଭେ ଏଠାରେ କ’ଣ ଖୋଜୁଛ?”

16 ଯୋଷେଫ ଉତ୍ତର ଦେଲେ, “ମୁଁ ମୋର ଭାଇମାନଙ୍କୁ ଖୋଜୁଛି। ଦୟାକରି କହିବେ କି ସେମାନେ ପଶୁପଲଙ୍କ ସହିତ କେଉଁଠାରେ ଅଛନ୍ତି?”

17 ଏହା ପରେ ସେହି ଲୋକଟି କହିଲା। “ସେମାନେ ଏଠାରୁ ଗ୍ଭଲିଗଲେଣି। ସେମାନେ କହୁଥିବାର ମୁଁ ଶୁଣିଛି, ଆସ ଦୋଥନକୁ ଯିବା।” ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ ଅନୁସରଣ କରି ଦୋଥନରେ ଯାଇ ସେମାନଙ୍କୁ ସାକ୍ଷାତ କଲେ।

ଯୋଷେଫଙ୍କୁ କ୍ରୀତଦାସ ରୂପେ ବିକ୍ରୀ

18 ଯୋଷେଫଙ୍କର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିବା ପୂର୍ବରୁ ସେମାନେ ତାକୁ ହତ୍ୟା କରିବାକୁ ଯୋଜନା କଲେ। 19 ଭାଇମାନେ ପରସ୍ପର କୁହା କୁହି ହେଲେ, “ହେଇ ଦେଖ, ସ୍ୱପ୍ନ ଦର୍ଶକ ଯୋଷେଫ ଆସୁଛି। 20 ଆସ ତାକୁ ହତ୍ୟାକରିବା ଏବଂ ଶୁଷ୍କ କୂଅରେ ପକାଇ ଦେବା। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ୱପ୍ନର କ’ଣ ହେବ।”

21 କିନ୍ତୁ ରୁବେନ୍ ଏହା ଶୁଣିଲେ ସେ ଯୋଷେଫକୁ ସେମାନଙ୍କଠାରୁ ରକ୍ଷା କରିବାକୁ ଗ୍ଭହିଁଲେ। ରୁବେନ୍ କହିଲେ, “ତାକୁ ମାର ନାହିଁ। 22 କୌଣସି ରକ୍ତପାତ କର ନାହିଁ, ତାକୁ ଏକ ଜଙ୍ଗଲର ଶୁଷ୍କ କୂଅରେ ଫିଙ୍ଗିଦିଅ, କିନ୍ତୁ, ତୁମ୍ଭେମାନେ ନିଜେ ତାକୁ ଆଘାତ କର ନାହିଁ।” କାରଣ ତାକୁ ନ ମାରି ପିତାଙ୍କ ନିକଟକୁ ପଠାଇ ଦେବା ପାଇଁ ରୁବେ‌‌ନ୍‌‌ର ଯୋଜନା ଥିଲା। 23 ଯୋଷେଫ ତାଙ୍କ ଭାଇମାନଙ୍କ ପାଖକୁ ଆସିଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କୁ ଆକ୍ରମଣ କରି ତାଙ୍କର ସେହି ଲମ୍ବା ସୁନ୍ଦର ରଙ୍ଗ ବେରଙ୍ଗର ପୋଷାକକୁ ଚିରି ପକାଇଲେ। 24 ଏହା ପରେ ତାକୁ ଏକ ଶୁଖିଲା କୂଅ ମଧ୍ୟରେ ପକାଇ ଦେଲେ।

25 ଯେତେବେଳେ ଯୋଷେଫ କୂପ ମଧ୍ୟରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହା ପରେ ସେମାନେ ଦେଖିଲେ, ଏକ ବଣିକ ଦଳ ଗିଲିୟଦରୁ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁ‌ଗ୍‌ଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଛନ୍ତି। 26 ତେଣୁ ଯିହୁଦା ତା'ର ଭାଇମାନଙ୍କୁ କହିଲେ, “ଯଦି ଆମ୍ଭେ ଆମ୍ଭର ଭାଇକୁ ହତ୍ୟା କରି ତା'ର ମୃତ୍ୟୁକୁ ଲୁଗ୍ଭଇଲେ ଆମ୍ଭର ଲାଭ କ’ଣ? 27 ଆସ ଏହି ବଣିକମାନଙ୍କୁ ଆମ୍ଭେ ବିକ୍ରୀ କରିଦେବା। ସେ ଆମ୍ଭର ଭାଇ, ଆମ୍ଭର ନିଜର ରକ୍ତ ମାଂସ।” ତାଙ୍କର ଭାଇମାନେ ଏଥିରେ ରାଜି ହୋଇଗଲେ। 28 ଯେତେବେଳେ ମିଦିୟନୀୟ ବଣିକମାନେ ସେମାନଙ୍କ ନିକଟକୁ ଆସିଲେ, ଭାଇମାନେ ଯୋଷେଫଙ୍କୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରୌପ୍ୟ ମୁଦ୍ରାରେ ବିକ୍ରୀ କରିଦେଲେ। ସେହି ବଣିକମାନେ ତାଙ୍କୁ ମିଶରକୁ ନେଇଗଲେ।

29 ରୁବେନ୍ ତା'ର ଭାଇମାନଙ୍କ ସହିତ ନ ଥିଲା, ଯେତେବେଳେ ସେମାନେ ଯୋଷେଫଙ୍କୁ ବଣିକମାନଙ୍କ ମଧ୍ୟରେ ବିକ୍ରୀ କରିଥିଲେ। ଯେତେବେଳେ ରୁବେନ୍ ଆସିଲା ଓ ଦେଖିଲା ଯେ ତା'ର ଭାଇ ଯୋଷେଫ ସେହି କୂପ ମଧ୍ୟରେ ନ ଥିଲେ। ସେ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ଯେ, ତା'ର ପୋଷାକ ସବୁ ଚିରି ପକାଇଲା। 30 ରୁବେନ୍ ତା'ର ଭାଇମାନଙ୍କୁ ଯାଇ କହିଲା, “ଯୋଷେଫ ଆଉ କୂଅ ମଧ୍ୟରେ ନାହିଁ। ମୁଁ କ’ଣ କରିବି?” 31 ତା'ର ଭାଇମାନେ ଏକ ଛେଳି ମାରି ତା'ର ରକ୍ତରେ ଯୋଷେଫଙ୍କର ବସ୍ତ୍ରକୁ ବୁଡ଼ାଇ ଦେଲେ। 32 ଏହା ପରେ ସେମାନେ ସେହି ବସ୍ତ୍ରକୁ ତାଙ୍କର ପିତାଙ୍କ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ, “ଆମ୍ଭେ ଏହି ବସ୍ତ୍ର ପାଇଲୁ। ଏହା କ’ଣ ଯୋଷେଫଙ୍କର ବସ୍ତ୍ର?”

33 ତାଙ୍କ ପିତା ସେହି ବସ୍ତ୍ର ଦେଖି ତାହା ଯୋଷେଫର ବୋଲି ଜାଣିଲେ। ସେମାନଙ୍କର ପିତା କହିଲେ, “ହଁ ଏହା ଯୋଷେଫର ବସ୍ତ୍ର ଅଟେ। କୌଣସି ଏକ ବଣୁଆ ଜନ୍ତୁ ତାକୁ ମାରି ଖାଇ ପକାଇଛି। ଗୋଟିଏ ବନ୍ୟ ପଶୁ ମୋର ପୁତ୍ର ଯୋଷେଫକୁ ଚିରି ପକାଇଲା।” 34 ଏହା ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶେଷ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶୋକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ଯ୍ୟନ୍ତ ପୁତ୍ର ପାଇଁ ଶୋକ କଲେ। 35 ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ[b] ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।

36 ମିଦିୟନୀୟ ବଣିକମାନେ ଯୋଷେଫଙ୍କୁ ମିଶରରେ ବିକ୍ରି କଲେ। ସେମାନେ ତାଙ୍କୁ ପୋଟିଫର ନାମକ ଫାରୋର ଅଧିକାରୀ ଅର୍ଥାତ୍ ରକ୍ଷକ ସେନାପତିଙ୍କଠାରେ ଯୋଷେଫକୁ ବିକ୍ରୟ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center