Beginning
4 ମୁଁ କହୁଛି ଯେ, ଯେପର୍ଯ୍ୟନ୍ତ ଜଣେ ଉତ୍ତରାଧିକାରୀ ଶିଶୁ ଅବସ୍ଥାରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହୋଇଥିଲେ ମଧ୍ୟ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ। 2 କାରଣ ସେହି ଶିଶୁ ଆପଣା ପିତାଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ସମୟ ପର୍ଯ୍ୟନ୍ତ ଅଭିଭାବକ ଓ ତା'ର ଯତ୍ନ ନ୍ୟସ୍ତ କରା ଯାଇଥିବା ବ୍ୟକ୍ତିମାନଙ୍କର ଅଧୀନରେ ଥାଏ। 3 ଠିକ୍ ସେହିପରି ଆମ୍ଭେମାନେ ଶିଶୁଥିବା ସମୟରେ ଆମ୍ଭେ ମଧ୍ୟ ସଂସାରର ଅନୁପଯୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ। 4 କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହେବାରୁ ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ୟବସ୍ଥା ଅଧୀନରେ ଜୀବନଯାପନ କରୁଥିଲେ। 5 ବ୍ୟବସ୍ଥାର ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ରୂପେ ଗଢ଼ି ତୋଳିବା ନିମନ୍ତେ ସେ ଏପରି କରିଥିଲେ।
6 ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ଆବ୍ବା, ପ୍ରିୟ ପିତା” ବୋଲି ଡାକନ୍ତି। 7 ଅତଏବ, ତୁମ୍ଭେମାନେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହୋଇଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।
ଗାଲାତୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ
8 ପୂର୍ବରୁ ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। ତୁମ୍ଭେମାନେ ମିଥ୍ୟା ଦେବତାମାନଙ୍କର ଦାସ ଥିଲ। 9 କିନ୍ତୁ ଏବେ ତୁମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ। ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମ୍ଭେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭେମାନେ କ’ଣ ପୁଣି ଦାସ ହେବାକୁ ଇଚ୍ଛା କର? 10 ତୁମ୍ଭେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। 11 ତୁମ୍ଭମାନଙ୍କ ପାଇଁ ଯେଉଁସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡରୁଛି।
12 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭେମାନେ ବର୍ତ୍ତମାନ ମୋ’ ପରି ହୁଅ। 13 ତୁମ୍ଭେମାନେ ମୋ’ ପାଇଁ ଖୁବ୍ଭଲ ଥିଲ। ତୁମ୍ଭେମାନେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେହେତୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିଥିଲି। 14 ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ। 15 ତୁମ୍ଭେମାନେ ସେତେବେଳେ ଅତ୍ୟଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା? ମୋର ମନେ ପଡ଼େ, ତୁମ୍ଭେମାନେ ତୁମ୍ଭମାନଙ୍କର ସାଧ୍ୟମତେ ମୋତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲ। ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜର ଆଖି ମଧ୍ୟ ତାଡ଼ି ମୋତେ ପ୍ରଦାନ କରି ଦେଇଥାଆନ୍ତ। 16 କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି?
17 ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦେଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ୟରେ ନୁହେଁ। କାରଣ, ତାହାଦ୍ୱାରା ସେମାନେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂରେଇ ନେବାକୁ ଇଚ୍ଛା କରନ୍ତି ଓ ସେମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। 18 କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍ଯୋଗୀ ହେବା ଉଚିତ୍। 19 ମୋ’ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା’ ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍ଭେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେପର୍ଯ୍ୟନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି। 20 ମୋର ଇଚ୍ଛା ହେଉଛି ମୁଁ ବର୍ତ୍ତମାନ ସେଠାରେ ତୁମ୍ଭମାନଙ୍କ ପାଖରେ ଥା’ନ୍ତି କି, ଯଦ୍ଦ୍ୱାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକାରେ କଥା ହୋଇପାରନ୍ତି। କାରଣ ତୁମ୍ଭମାନଙ୍କ ବିଷୟରେ କ’ଣ କରାଯିବ, ମୁଁ କିଛି ଜାଣିପାରୁ ନାହିଁ।
ସାରା ଓ ହାଗାରର ଉଦାହରଣ
21 ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭେମାନେ ଜାଣ କି ବ୍ୟବସ୍ଥା କ’ଣ କୁହେ? 22 ଶାସ୍ତ୍ର କୁହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ୱାଧୀନା ସ୍ତ୍ରୀ। 23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।
24 ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ। 25 ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି। 26 କିନ୍ତୁ ସ୍ୱର୍ଗସ୍ଥ ଯିରୁଶାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। 27 ଶାସ୍ତ୍ର କୁହେ:
“ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ;
ଖୁବ୍ ଜୋର୍ରେ ହର୍ଷନାଦ କର,
ତୁମ୍ଭେ ପ୍ରସବବେଦନା
କେବେ ହେଲେ ଅନୁଭବ କରି ନାହଁ।
ଯେଉଁ ସ୍ତ୍ରୀ ପରିତ୍ୟକ୍ତା,
ତା'ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।”(A)
28-29 ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା। 30 କିନ୍ତୁ ଶାସ୍ତ୍ର କ’ଣ କୁହେ? “ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।”(B) 31 ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।
ସ୍ୱାଧୀନ ରହିଥାଅ
5 ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ। 2 ଶୁଣ! ମୁଁ ପାଉଲ କହୁଛି, ଯଦି ତୁମ୍ଭେମାନେ ସୁନ୍ନତ ହୋଇ ବ୍ୟବସ୍ଥା ନିକଟକୁ ଫେରି ଯିବ, ତା'ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହେବେ ନାହିଁ। 3 ମୁଁ ପୁଣି ଥରେ ସମସ୍ତଙ୍କୁ ସତର୍କ କରାଇ ଦେଉଛି: ଯଦି ଜଣେ କେହି ସୁନ୍ନତକୁ ଗ୍ରହଣ କରିବ, ତା'ହେଲେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ ହେବ। 4 ଯଦି ତୁମ୍ଭେମାନେ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସହିତ ଧାର୍ମିକ ହେବାକୁ ଚେଷ୍ଟା କରୁଛ, ତା'ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କଲ। 5 ମୁଁ ଏହା କହେ କାରଣ ଆମେ ଆଶା କରୁ ଯେ, ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବୁ। 6 ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା'ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ।
7 ତୁମ୍ଭେମାନେ ପ୍ରତିଯୋଗିତାରେ ଭଲ ଭାବରେ ଦୌଡ଼ୁଥିଲ। କିଏ ତେବେ ତୁମ୍ଭମାନଙ୍କୁ ସତ୍ୟପଥ ଅନୁସରଣ କରିବାରେ ବାଧା ଦେଲା? 8 ତୁମ୍ଭକୁ ଯେଉଁ ପ୍ରକାର ପ୍ରବର୍ତ୍ତନା ଦିଆଯାଇଥାଉ ନା କାହିଁକି, ସେହି ପ୍ରବର୍ତ୍ତନା ପରମେଶ୍ୱରଙ୍କଠାରୁ ଆସି ନାହିଁ, ଯେ ତୁମ୍ଭକୁ ମନୋନୀତ କରିଥିଲେ। 9 ସାବଧାନ ରୁହ, “ଅଳ୍ପ ଟିକିଏ ଖମୀର ଜନ୍ତା ହୋଇଥିବା ସବୁ ମଇଦାକୁ ଫୁଲାଇ ଦିଏ।”[a] 10 ପ୍ରଭୁଙ୍କଠାରେ ମୋର ବିଶ୍ୱାସ ଅଛି ଯେ, ତୁମ୍ଭେମାନେ ଏହିଭଳି ଭିନ୍ନ ମତାମତକୁ ବିଶ୍ୱାସ କରିବ ନାହିଁ। ଯେଉଁ ଲୋକ ତୁମ୍ଭମାନଙ୍କୁ ବିଚଳିତ କରୁଛି, ସେ ଯିଏ ହେଉ ନା କାହିଁକି ଦଣ୍ଡ ପାଇବ।
11 ମୋ’ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଶିଖାଇ ନାହିଁ ଯେ, ଲୋକେ ସୁନ୍ନତ ହେବା ନିହାତି ଆବଶ୍ୟକ। ଯଦି ମୁଁ ଏହା ଶିଖାଇଛି, ତା'ହେଲେ ମୋତେ କାହିଁକି ତାଡ଼ନା ଆସୁଛି? ମୁଁ ଯଦି ଏହା ପ୍ରଗ୍ଭର କରିଥିଲି, ତା'ହେଲେ କ୍ରୁଶ ସମ୍ବନ୍ଧୀୟ ମୋର ଶିକ୍ଷା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇ ନ ଥା’ନ୍ତା। 12 ମୁଁ କାମନା କରେ ଯେ, ଯେଉଁମାନେ ତୁମ୍ଭମାନଙ୍କୁ ଉତ୍ତେଜିତ କରୁଛନ୍ତି, ସେମାନେ ନିଜର ସୁନ୍ନତ କରିବା ସହିତ ଚକ୍ଷୁକୁ ଇନ୍ଦ୍ରିୟହୀନ କରୁ ନାହାନ୍ତି କାହିଁକି?
13 ମୋ’ ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭମାନଙ୍କୁ ସ୍ୱାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ୱାଧୀନତାକୁ ତୁମ୍ଭେମାନେ ନିଜ ନିଜର ପାପମୟ ସ୍ୱଭାବର ଇଚ୍ଛା ପୂରଣ ନିମନ୍ତେ ବ୍ୟବହାର କର ନାହିଁ। ବରଂ ଏକଆରେକର ପ୍ରେମ ପୂର୍ବକ ସେବା କର। 14 ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହୋଇଛି: “ନିଜକୁ ପ୍ରେମ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ରେମ କର।”(C) 15 ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା'ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ।
ପବିତ୍ରଆତ୍ମା ଓ ମାନବ ପ୍ରକୃତି
16 ସେଥିପାଇଁ ମୁଁ କହୁଛି: ଆତ୍ମାଙ୍କର ଅନୁସରଣ କରି ଜୀବନଯାପନ କର। ତା'ହେଲେ ତୁମ୍ଭେମାନେ ପାପମୟ ସ୍ୱଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ଯ୍ୟ କରିବ ନାହିଁ। 17 ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। 18 କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କର ପରିଗ୍ଭଳିତ ପଥରେ ଚଳୁଛ, ତା'ହେଲେ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ।
19 ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ, 20 ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ, 21 ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ। 22 ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା, 23 ଭଦ୍ରତା ଓ ଆତ୍ମ-ସଂଯମ। ଏହି ବିଷୟ ଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ। 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି। 25 ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍। 26 ଆମ୍ଭେ ବୃଥାଭିମାନୀ ହେବା ନାହିଁ। ଏକଆରେକକୁ ଅସୁବିଧାରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।
ଏକଆରେକର ସାହାଯ୍ୟ କର
6 ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ। 2 ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ। 3 ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ। 4 ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା'ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରି ପାରିବ। 5 ପ୍ରତ୍ୟେକ ଲୋକ ନିଜ ନିଜର ଦାୟିତ୍ୱ ବହନ କରିବା ଉଚିତ୍।
ଉତ୍ତମ କାର୍ଯ୍ୟ କରିବା ବନ୍ଦ ନ କର
6 ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।
7 ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ୱରଙ୍କୁ ତୁମ୍ଭେମାନେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସେହିପରି କାଟିବ। 8 ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ। 9 ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ। 10 ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।
ପାଉଲଙ୍କ ପତ୍ରର ସମାପ୍ତି
11 ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। 13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।
14 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। 15 ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। 16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।
17 ଅତଏବ ମୋତେ ଅଧିକ କଷ୍ଟ ଦିଅ ନାହିଁ। ମୋ’ ଶରୀରରେ ପୂର୍ବରୁ କ୍ଷତ ଚିହ୍ନମାନ ଅଛି। ମୁଁ ଯେ ଯୀଶୁ ଖ୍ରୀଷ୍ଟଙ୍କର ଅଟେ, ତାହା ଏହି କ୍ଷତଚିହ୍ନଗୁଡ଼ିକ ପ୍ରମାଣିତ କରନ୍ତି।
18 ମୋ’ ଭାଇ ଓ ଭଉଣୀମାନେ! ମୁଁ ପ୍ରାର୍ଥନା କରେ ଯେ, ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମା ସହିତ ସଦାସର୍ବଦା ରହିଥାଉ। ଆମେନ୍।
2010 by World Bible Translation Center