Beginning
ପବିତ୍ରଆତ୍ମାଙ୍କଠାରୁ ଦାନ
12 ଭାଇ ଓ ଭଉଣୀମାନେ! ଆତ୍ମିକ ଦାନଗୁଡ଼ିକ ବିଷୟରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି। 2 ତୁମ୍ଭେମାନେ ମନେପକାଅ ଯେ ବିଶ୍ୱାସୀ ହେବା ପୂର୍ବରୁ ତୁମ୍ଭେମାନେ କିପରି ବିପଥଗାମୀ ହୋଇ ମୂର୍ତ୍ତିପୂଜା କରିବାକୁ ଯାଉଥିଲା। 3 ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ୱରଙ୍କ ଆତ୍ମାପ୍ରାପ୍ତ ଲୋକ “ଯୀଶୁ ଅଭିଶପ୍ତ” ବୋଲି କଦାପି କହିବ ନାହିଁ। ପବିତ୍ରଆତ୍ମାଙ୍କ ସାହାଯ୍ୟ ବିନା କୌଣସି ଲୋକ “ଯୀଶୁ ପ୍ରଭୁ ଅଟନ୍ତି” ବୋଲି କହିବ ନାହିଁ।
4 ଆତ୍ମାଙ୍କ ଦାନ ଅନେକ ପ୍ରକାରର, କିନ୍ତୁ ସେଗୁଡ଼ିକ ସେହି ଏକ ପବିତ୍ରଆତ୍ମାଙ୍କଠାରୁ ଆସିଥାଏ। 5 ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି। 6 ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି।
7 ପ୍ରତ୍ୟେକ ଲୋକଠାରେ ଆତ୍ମାର ବିଶେଷ ଗୁଣ ଗୁଡ଼ିକ ଦେଖିବାକୁ ମିଳେ। 8 ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି। 9 ସେହି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ୱାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି। 10 ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି। 11 ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।
ଖ୍ରୀଷ୍ଟଙ୍କର ଶରୀର
12 ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ୟଙ୍ଗ ଅନେକ। ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଶରୀର ହେଉଛି ଏକ। ସେହିପରି ମଧ୍ୟ ଖ୍ରୀଷ୍ଟ ଏକ। 13 ଆମ୍ଭ ଭିତରୁ କେତେକ ହେଉଛୁ ଯିହୂଦୀ, କେତେକ ଅଣଯିହୂଦୀ, ଆମ୍ଭ ଭିତରୁ କେତେକ କ୍ରୀତଦାସ ଓ କେତେକ ସ୍ୱାଧୀନ। କିନ୍ତୁ ଆମ୍ଭେମାନେ ସମସ୍ତେ ଗୋଟିଏ ଆତ୍ମା ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ପ୍ରାପ୍ତ ହୋଇ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ୟ ପ୍ରଦାନ କରାଯାଇଛି।
14 ମାନବ ଶରୀର ତ ଏକଅଙ୍ଗ ନୁହେଁ, ମାତ୍ର ଅନେକ ଗୁଡ଼ିଏ ଅଙ୍ଗ ଦ୍ୱାରା ନିର୍ମିତ। 15 ଯଦି ଗୋଡ଼ କୁହେ: “ମୁଁ ହାତ ନୁହେଁ, ଅତଏବ, ମୁଁ ଶରୀରର ଅଙ୍ଗ ନୁହେଁ।” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 16 କାନ କହିପାରେ: “ମୁଁ ଆଖି ନୁହେଁ, ଅତଏବ ମୋର ଶରୀରର ଅଙ୍ଗ ନୁହେଁ,” କିନ୍ତୁ ଏହା କହିବା ଦ୍ୱାରା କ’ଣ ସେ ଶରୀରର ଅଙ୍ଗ ହୋଇ ରହିବ ନାହିଁ କି? 17 ସମ୍ପୂର୍ଣ୍ଣ ଶରୀର ଗୋଟିଏ ଆଖି ଦେଇଥା’ନ୍ତା, ତେବେ ସେ ଶରୀର ଶୁଣିପାରନ୍ତା କିପରି? ଯଦି ସମ୍ପୂର୍ଣ୍ଣ ଶରୀରଟି ଗୋଟିଏ କାନ ହୋଇଥା’ନ୍ତା ତା'ହେଲେ ଶରୀର ଶୁଙ୍ଘିବା ପାଇଁ ସମର୍ଥ ହୁଅନ୍ତା କିପରି? 18-19 ଯଦି ସମ୍ପୂର୍ଣ୍ଣ ଶରୀରର ଅଙ୍ଗ କେବଳ ସେହି ଗୋଟିଏ ଅଙ୍ଗ ମାତ୍ର ହୋଇଥା’ନ୍ତା ତା'ହେଲେ ଶରୀର ନ ଥା’ନ୍ତା। କିନ୍ତୁ ପରମେଶ୍ୱର ଯେପରି ଠିକ୍ ମନେ କଲେ ପ୍ରତ୍ୟେକ ଅଙ୍ଗକୁ ଶରୀରରେ ସେହିଭଳି ସ୍ଥାନ ଦେଲେ। 20 ତେଣୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, କିନ୍ତୁ ଶରୀର ଗୋଟିଏ।
21 ଆଖି ହାତକୁ କେବେ ହେଲେ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” ସେହିଭଳି ମୁଣ୍ଡ ପାଦକୁ କହି ପାରିବ ନାହିଁ ଯେ, “ତୋ’ଠାରେ ମୋର ଆବଶ୍ୟକତା ନାହିଁ।” 22 ବରଂ ଅନ୍ୟ ପକ୍ଷରେ ଶରୀରର ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ବୋଧହୁଏ, ସେହିସବୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଅଟେ। 23 ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଗ୍ଭହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ଧ୍ୟାନ ଦେଉ। 24 ଆମ୍ଭ ଶରୀରର ସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇ ନ ଥାଏ। କିନ୍ତୁ ପରମେଶ୍ୱର ଅଦରକାରୀ ଅଙ୍ଗଗୁଡ଼ିକ ଅଧିକ ସମ୍ମାନ ଦେଇ ଶରୀରକୁ ଗଠନ କରିଛନ୍ତି। 25 ଆମ୍ଭର ଶରୀରରେ ଯେପରି କୌଣସି ବିଭେଦ ନ ହେଉ, ସେହି ଦୃଷ୍ଟିରୁ ପରମେଶ୍ୱର ଏପରି କରିଛନ୍ତି। ଦେହର ଅଙ୍ଗଗୁଡ଼ିକ ପରସ୍ପର ସୁଖ ଦୁଃଖର ସହଭାଗୀ ହୁଅନ୍ତି ବୋଲି ପରମେଶ୍ୱର ଇଚ୍ଛା କଲେ। 26 ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା'ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କଷ୍ଟ ପା’ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହୋଇ ଆନନ୍ଦ କରନ୍ତି।
27 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭେମାନେ ପ୍ରତ୍ୟେକ ସେହି ଶରୀରର ଅଙ୍ଗ। 28 ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା'ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି। 29 ସମସ୍ତ ଲୋକ କ’ଣ ପ୍ରେରିତ? ସମସ୍ତ ଲୋକ କ’ଣ ଭବିଷ୍ୟଦ୍ବକ୍ତା? ସମସ୍ତେ କ’ଣ ଶିକ୍ଷକ? ସମସ୍ତେ କ’ଣ ଆଶ୍ଚର୍ଯ୍ୟକାର୍ଯ୍ୟ କରୁଥିବା ଲୋକ? 30 ସମସ୍ତେ କ’ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କ’ଣ ବିଭିନ୍ନ ଭାଷା କହନ୍ତି? ସମସ୍ତେ କ’ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି? 31 କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଆତ୍ମାଙ୍କ ଶ୍ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍। ଏବେ ମୁଁ ସମସ୍ତ ମାର୍ଗ ଅପେକ୍ଷା ଅତି ଉତ୍ତମ ମାର୍ଗ ଦେଖାଇବି।
13 ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ'ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ। 2 ମୋ’ ପାଖରେ ଭାବବାଣୀ କହିବାର ଶକ୍ତି ଥାଇପାରେ, ମୁଁ ପରମେଶ୍ୱରଙ୍କ ସମସ୍ତ ନିଗୂଢ଼ତତ୍ତ୍ୱ ଜାଣି ଥାଇପାରେ, ମୋର ସମସ୍ତ ଜ୍ଞାନ ଥାଇପାରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଇପାରେ, କିନ୍ତୁ ଯଦି ମୋ'ଠାରେ ପ୍ରେମ ନାହିଁ, ତା'ହେଲେ ମୁଁ କିଛି ନୁହେଁ। 3 ଯଦି ମୁଁ ମୋର ସମସ୍ତ ସମ୍ପତ୍ତି ଦରିଦ୍ରକୁ ଖୁଆଇବା ପାଇଁ ଦାନ କରି ଦେଇପାରେ, ବା ନିଜ ଶରୀରକୁ ଦଗ୍ଧ ହେବା ପାଇଁ ସମର୍ପଣ କରି ଦେଇପାରେ, ମାତ୍ର ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ପାଇବି ନାହିଁ।
4 ପ୍ରେମ ଦୀର୍ଘ ସହିଷ୍ଣୁ। ପ୍ରେମ ଦୟାବାନ। ପ୍ରେମରେ ଈର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ। 5 ପ୍ରେମ ଅନୁଚିତ୍ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ। ସହଜରେ ବିରକ୍ତ ହୁଏ ନାହିଁ। ପ୍ରେମ କେବେ ହେଲେ ତା’ ପ୍ରତି ହୋଇଥିବା ଅପକାରକୁ ମନରଖେ ନାହିଁ। 6 ସେ ଅଧର୍ମରେ କଦାପି ଆନନ୍ଦ କରେ ନାହିଁ, ମାତ୍ର ସେ ସତ୍ୟରେ ଆନନ୍ଦ କରେ। 7 ପ୍ରେମ ସମସ୍ତ ବିଷୟ ସହ୍ୟ କରେ। ପ୍ରେମ ସମସ୍ତ ବିଶ୍ୱାସ କରେ; ସମସ୍ତ ଭରସା କରେ, ସବୁ ବିଷୟରେ ଧୈର୍ଯ୍ୟ ଧରି ରହେ।
8 ପ୍ରେମ କଦାପି ଶେଷ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହେବ, ଅନେକ ଭାଷା କହିବା ଶକ୍ତି ବନ୍ଦ ହୋଇଯିବ; ଯଦି ଜ୍ଞାନ ଥାଏ ତାହା ଲୋପ ହେବ। 9 କାରଣ ଆମ୍ଭକୁ ଜ୍ଞାନ ଓ ଭବିଷ୍ୟଦ୍ବାଣୀ ଆଂଶିକ ହେବାରୁ ଏହା ଲୋପ ହେବ। 10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ସମସ୍ତ ଆଂଶିକ ବିଷୟ ଲୋପ ହେବ।
11 ମୁଁ ଯେତେବେଳେ ଶିଶୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଗ୍ଭର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତେବେଳେ ମୁଁ ବୟସ୍କ ହେଲି, ମୁଁ ସେହି ଶିଶୁ ବେଳର କଥାଗୁଡ଼ିକୁ ଛାଡ଼ି ଦେଲି। 12 ସେହି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାଯ୍ୟରେ ଦେଖୁଛୁ, କିନ୍ତୁ ସେତେବେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କେବଳ ଆଂଶିକଭାବରେ ଜାଣିଛି, କିନ୍ତୁ ସେତେବେଳେ ପରମେଶ୍ୱର ମୋତେ ଯେପରି ଜାଣିଛନ୍ତି, ସେହିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି। 13 ଅତଏବ ବିଶ୍ୱାସ, ଭରସା ଓ ପ୍ରେମ ସ୍ଥାୟୀ ଅଟେ। ଉକ୍ତ ତିନୋଟି ମଧ୍ୟରୁ ପ୍ରେମ ହେଉଛି ସର୍ବୋତ୍କୃଷ୍ଟ।
ଆଧ୍ୟାତ୍ମିକ ଦାନଗୁଡ଼ିକୁ ମଣ୍ଡଳୀ ସେବାର ଲଗାଅ
14 ପ୍ରେମର ଅନୁସରଣ କର। ଆଧ୍ୟାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶେଷ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର। 2 ମୁଁ ବୁଝାଇ କହୁଛି: ଯେଉଁ ଲୋକ ବିଭିନ୍ନ ଭାଷାରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତରେ ମନୁଷ୍ୟର ସହିତ ନୁହେଁ ବରଂ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରେ। କେହିହେଲେ ତା'କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ୱାରା ନିଗୂଢ଼ ବିଷୟ କହେ। 3 କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ। 4 ଯେଉଁ ଲୋକକୁ ବିଭିନ୍ନ ଭାଷାରେ କହିବା ଶକ୍ତି ପ୍ରାପ୍ତ ହୋଇଛି, ସେ ନିଜକୁ ନିଷ୍ଠା ଜନ୍ମାଏ; କିନ୍ତୁ ଯେଉଁ ଲୋକ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
5 ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ।
6 ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖରେ ଅନ୍ୟଭାଷାରେ କଥା କହେ, ତା'ହେଲେ ତୁମ୍ଭର ବା କ’ଣ ଲାଭ ହେବ? କେବଳ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ଯ୍ୟ ବା କିଛି ଭବିଷ୍ୟଦ୍ବାଣୀ ବା କିଛି ଉପଦେଶର କଥା କୁହେ ତେବେ ତୁମ୍ଭମାନଙ୍କର ପ୍ରକୃତରେ ଲାଭ ହେବ। 7 ଅନ୍ୟଥା ମୋର କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ୱନି ତୁଲ୍ୟ ହେବ। ଯଦି କୌଣସି ବାଦ୍ୟଯନ୍ତ୍ରର ସ୍ୱରଗୁଡ଼ିକରେ ପାର୍ଥକ୍ୟ ନ ରହିବ, ତା'ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ’ଣ ବାଜୁଅଛି? 8 ଯୁଦ୍ଧରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା'ହେଲେ ସୈନିକଗଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ ଜାଣି ପାରିବେ ନାହିଁ।
9 ସେହିଭଳି ତୁମ୍ଭେମାନେ ଜିହ୍ୱା ଦ୍ୱାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା'ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନରେ କଥା କହିଲାପରି ହେବ। 10 ଏହା ସତ୍ୟ ଯେ, ସଂସାରରେ ଅନେକ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ। 11 ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପାରେ ତା'ହେଲେ ସେହି କଥା ମୋତେ ଅଦ୍ଭୂତ ମନେ ହେବ। 12 ତୁମ୍ଭପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
13 ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍। 14 ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା'ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ। 15 ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି। 16 ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? 17 ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା'ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି। 19 କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି।
20 ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ। 21 ଶାସ୍ତ୍ରରେ ଲେଖାଅଛି:
“ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା
ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା
ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା,
ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।”(A)
ଏହା ପରମେଶ୍ୱର କହନ୍ତି
22 ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ। 23 ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ। 24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା'ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ। 25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ।
ତୁମ୍ଭମାନଙ୍କ ସଭାଗୁଡ଼ିକ ମଣ୍ଡଳୀକୁ ସାହାଯ୍ୟ କରିବା ଉଚିତ୍
26 ତା'ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ। 27 ଯଦି କିଏ ଅନ୍ୟ ଭାଷାରେ କହୁଛି, ତା'ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା'ର ଅନୁବାଦ କରିବା ଉଚିତ୍। 28 କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା'ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍।
29 ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍। 30 ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା'ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍। 31 ଏହିପରି ତୁମ୍ଭେମାନେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସେପରି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହୋଇ ପାରିବେ। 32 ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି। 33 ପରମେଶ୍ୱର ବିଶୃଙ୍ଖଳାର ପରମେଶ୍ୱର ନୁହନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ୱର ଅଟନ୍ତି।
34 ମଣ୍ଡଳୀର ସଭାମାନଙ୍କରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ୱରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୋଶାଙ୍କ ନିୟମାନୁଯାୟୀ ସେମାନେ ବଶୀଭୂତ ହୋଇ ରହିବା ଉଚିତ୍। 35 ଯଦି ସ୍ତ୍ରୀମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା'ହେଲେ ସେମାନେ ନିଜ ସ୍ୱାମୀଙ୍କୁ ଘରେ ପଗ୍ଭରି ବୁଝି ପାରିବେ। ମଣ୍ଡଳୀ ସଭାରେ ସ୍ତ୍ରୀଲୋକମାନଙ୍କ ପଛେ କିଛି କହିବା ଲଜ୍ଜାଜନକ ଅଟେ।
36 ପରମେଶ୍ୱରଙ୍କ ବାକ୍ୟ କ’ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି? ନା। ଅଥବା ସେହି ବାକ୍ୟ କ’ଣ କେବଳ ତୁମ୍ଭମାନଙ୍କ ପାଖରେ ପହଞ୍ଚିଥିଲା? ନା। 37 ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ୟାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା'ହେଲେ ସେ ବୁଝି ପାରିବା ଉଚିତ୍ ଯେ, ମୁଁ ଯାହାକିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ। 38 ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ୱରଙ୍କ ଦ୍ୱାରା ଅଜଣା ଅଟେ।
39 ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ। 40 ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍।
2010 by World Bible Translation Center