Beginning
ଯୀଶୁଙ୍କ ଜନ୍ମ
(ମାଥିଉ 1:18-25)
2 ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ। 2 ଏହା ପ୍ରଥମ ଜନଗଣନା ଥିଲା। କ୍ୱିରୀଣିୟ ସୁରିୟାର ରାଜ୍ୟପାଳ ଥିବା ସମୟରେ ଏହା ହେଲା। 3 ତେଣୁ ପ୍ରତ୍ୟେକ ଲୋକ ନାମ ପଞ୍ଜୀକରଣ କରିବା ପାଇଁ ନିଜ ନିଜ ନଗରକୁ ଗଲେ।
4 ଯୋଷେଫ ଦାଉଦଙ୍କ ବଂଶର ହୋଇଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେଥ୍ଲେହିମକୁ ଗଲେ। ବେଥ୍ଲେହିମ ନଗର ଦାଉଦଙ୍କ ନଗର ନାମରେ ପରିଚିତ ଥିଲା। 5 ଯୋଷେଫ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ମରିୟମ ସେତେବେଳେ ଗର୍ଭବତୀ ଥିଲେ। 6 ଯୋଷେଫ ଓ ମରିୟମ ବେଥ୍ଲେହିମରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା। 7 ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେମାନେ ରହିବାକୁ ଚଟିଘରେ ଆଉ ଜାଗା ନ ଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟାରେ ଗୁଡ଼ାଇ ଗୁହାଳରେ ଗୋରୁ କୁଣ୍ଡରେ ରଖିଦେଲେ।
ମେଷପାଳକମାନେ ଯୀଶୁଙ୍କ ଜନ୍ମ ଖବର ପାଇଲେ
8 ସେହି ରାତିରେ କେତେକ ମେଷପାଳକ ସେମାନଙ୍କର ମେଣ୍ଢାଗୁଡ଼ିକୁ ରାତିସାରା ପଦାରେ ଜଗି ରହିଥିଲେ। 9 ପ୍ରଭୁଙ୍କର ଜଣେ ଦୂତ ମେଷପାଳକମାନଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କର ଚତୁର୍ଦ୍ଦିଗରେ ଝଲକି ଉଠିଲା। 10 ମେଷପାଳକମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମାଗ୍ଭର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦେବ। 11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। 12 ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।”
13 ସେହି ସମୟରେ ସ୍ୱର୍ଗରୁ ବହୁସଂଖ୍ୟାରେ ସ୍ୱର୍ଗଦୂତମାନେ ଆସି ସେହି ସ୍ୱର୍ଗଦୂତଙ୍କ ସହିତ ଯୋଗ ଦେଲେ। ସମସ୍ତ ସ୍ୱର୍ଗଦୂତ ଏହିପରି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ:
14 “ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ଜୟ ହେଉ,
ଏବଂ ଏ ପୃଥିବୀରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।”
15 ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଛାଡ଼ି ସ୍ୱର୍ଗକୁ ଫେରିଗଲେ। ମେଷପାଳକମାନେ ପରସ୍ପର କୁହାକୁହି ହେଲେ: “ଆମ୍ଭେମାନେ ବେଥ୍ଲେହିମ ଯିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।”
16 ତେଣୁ ସେମାନେ ଶୀଘ୍ର ଗଲେ ଓ ମରିୟମ ଏବଂ ଯୋଷେଫଙ୍କୁ ଖୋଜି ପାଇଲେ। ସେହି ଶିଶୁ ଗୋଟିଏ ଗୋରୁ କୁଣ୍ଡରେ ଶୋଇଥିଲେ। 17 ମେଷପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟରେ ସ୍ୱର୍ଗଦୂତମାନେ ଯାହା କହିଥିଲେ, ତାହା ସେମାନେ ସମସ୍ତଙ୍କୁ କହିଲେ। 18 ମେଷପାଳକମାନେ ଯାହା କହିଲେ, ତାହା ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। 19 କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତରେ ଗୋପନ ରଖି, ନିରନ୍ତର ଚିନ୍ତା କରିବାକୁ ଲାଗିଲେ। 20 ମେଷପାଳକମାନେ ନିଜ ମେଷମାନଙ୍କ ନିକଟକୁ ଫେରିଗଲେ ଏବଂ ଯାହାସବୁ ଶୁଣିଥିଲେ ଓ ଦେଖିଥିଲେ, ସେଥିପାଇଁ ପରମେଶ୍ୱରଙ୍କୁ ଗୌରବ ଦେଲେ ଓ ପ୍ରଶଂସା ଗାନ କଲେ। ସ୍ୱର୍ଗଦୂତମାନେ ଯେପରି କହିଥିଲେ, ସେମାନେ ପ୍ରତ୍ୟେକ ଜିନିଷକୁ ସେହିପରି ଦେଖିଲେ।
21 ଶିଶୁଟି ଆଠ ଦିନର ହେବାରୁ ତା'ର ସୁନ୍ନତ କରାଗଲା ଓ ତାହାଙ୍କର ନାମ ଯୀଶୁ ରଖାଗଲା। ସେ ଗର୍ଭରେ ରହି ବଢ଼ିବା ପୂର୍ବରୁ ସ୍ୱର୍ଗଦୂତ ତାହାଙ୍କୁ ଏହି ନାମ ଦେଇଥିଲେ।
ଯୀଶୁଙ୍କୁ ମନ୍ଦିରରେ ହାଜିର କରାଗଲା
22 ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଶୁଚି[a] ହେବାର ସମୟ ଆସିଲା। ଏହା ପରେ ଯୋଷେଫ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ନେଇ ଆସିଲେ। 23 ପ୍ରଭୁଙ୍କ ‘ନିୟମ’[b]ରେ ଲେଖାଅଛି: “ପରିବାରରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ ‘ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ’ ହେବ।”[c] 24 ପ୍ରଭୁଙ୍କ ନିୟମରେ ଆହୁରି ମଧ୍ୟ ଲେଖାଅଛି: “ତୁମ୍ଭକୁ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ମଧ୍ୟ ବଳି ଦେବାକୁ ହେବ।”(A) ତେଣୁ ଏହି ବ୍ୟବସ୍ଥା ଅନୁସାରେ ବଳି ଦେବା ନିମନ୍ତେ ଯୋଷେଫ ଓ ମରିୟମ ଯିରୁଶାଲମକୁ ଗଲେ।
ଶିମିୟୋନ ଯୀଶୁଙ୍କୁ ଦେଖାକଲେ
25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। 26 ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। 27 ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। 28 ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:
29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ।
32 ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି
ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”
33 ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34 ତା'ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉତ୍ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। 35 ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”
ହାନ୍ନା ଯୀଶୁଙ୍କୁ ଦେଖାକଲେ
36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟଦ୍ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା'ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।
38 ସେ ସେହି ସମୟରେ ଶିଶୁ ଓ ତା'ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।
ଯୋଷେଫ ଓ ମରିୟମ ଘରକୁ ଫେରିଗଲେ
39 ଯୋଷେଫ ଓ ମରିୟମ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ତା'ପରେ ସେମାନେ ଗାଲିଲୀ ପ୍ରଦେଶର ନିଜ ନଗର ନାଜରିତକୁ ଫେରିଗଲେ। 40 ସାନ ଶିଶୁଟି ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ହୃଷ୍ଟପୁଷ୍ଟ ଓ ବୁଦ୍ଧିମାନ ହେବାକୁ ଲାଗିଲେ। ତାହାଙ୍କ ସହିତ ପରମେଶ୍ୱରଙ୍କର ଆଶୀର୍ବାଦ ଥିଲା।
ବାଳକ ଯୀଶୁ
41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା'ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।
46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”
49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।
51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର
(ମାଥିଉ 3:1-12; ମାର୍କ 1:1-8; ଯୋହନ 1:19-28)
3 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା।
ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ,
ଗାଲିଲୀର ଶାସକ ହେରୋଦ, ଇତୂରିୟା
ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା,
ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।
2 ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ। 3 ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ। 4 ଏହା ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା:
“ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି:
‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର।
ତାହାଙ୍କ ବାଟ ସଳଖ କର।
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ।
ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ।
ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ
ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
6 ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ
ପରିତ୍ରାଣ ବିଷୟରେ ଜାଣିବେ।’”(B)
7 ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା? 8 ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି। 9 ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”
10 ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆମ୍ଭେମାନେ କ’ଣ କରିବୁ?”
11 ଯୋହନ ସେମାନଙ୍କୁ ଉତ୍ତର ଦେଲେ, “ଯଦି ତୁମ୍ଭ ପାଖରେ ଦୁଇଟି କୁର୍ତ୍ତା ଅଛି ତେବେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖରେ ଖାଦ୍ୟ ଅଛି ତେବେ ତାହାକୁ ମଧ୍ୟ ବାଣ୍ଟିଦିଅ।”
12 କେତେକ କରଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଯୋହନଙ୍କୁ ପଗ୍ଭରିଲେ, “ହେ ଗୁରୁ! ଆମ୍ଭେମାନେ କ’ଣ କରିବୁ?”
13 ଯୋହନ ସେମାନଙ୍କୁ କହିଲେ, “ତୁମ୍ଭକୁ ଯେତିକି ନେବାକୁ ଆଦେଶ ଦିଆଯାଇଛି, ତା'ଠାରୁ ଅଧିକ କର ଲୋକମାନଙ୍କଠାରୁ ନିଅ ନାହିଁ।”
14 ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?”
ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।”
15 ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।”
16 ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ'ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ। 17 ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା'ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।” 18 ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ।
ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା
19 ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ। 20 ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା।
ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ
(ମାଥିଉ 3:13-17; ମାର୍କ 1:9-11)
21 ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା। 22 ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”
ଯୋଷେଫଙ୍କ ବଂଶର ଇତିହାସ
(ମାଥିଉ 1:1-17)
23 ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର।
ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।
24 ଏଲୀ ମତ୍ଥାତଙ୍କର ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
ଲେବୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଯନ୍ନୟଙ୍କର ପୁତ୍ର।
ଯନ୍ନୟ ଯୋଷେଫଙ୍କର ପୁତ୍ର।
25 ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଆମୋସଙ୍କର ପୁତ୍ର।
ଆମୋସ ନାହୂମଙ୍କର ପୁତ୍ର।
ନାହୂସ ହେସ୍ଳୀଙ୍କ ପୁତ୍ର।
ହେସ୍ଳୀ ନଗୟଙ୍କର ପୁତ୍ର।
26 ନଗୟ ମହଥଙ୍କ ପୁତ୍ର।
ମହଥ ମତ୍ତିଥ୍ୟାଙ୍କର ପୁତ୍ର।
ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର।
ଶିମୟୀ ଯୋସେଖଙ୍କର ପୁତ୍ର।
ଯୋସେଖ ଯୋଦାଙ୍କର ପୁତ୍ର।
27 ଯୋଦା ଯୋହନଙ୍କ ପୁତ୍ର।
ଯୋହନ ରେଷାଙ୍କ ପୁତ୍ର।
ରେଷା ଜିରୁବ୍ବାବେଲଙ୍କର ପୁତ୍ର।
ଜିରୁବ୍ବାବେଲ ଶଲ୍ଟୀୟେଲଙ୍କ ପୁତ୍ର।
ଶଲ୍ଟୀୟେଲ ନେରୀଙ୍କ ପୁତ୍ର।
28 ନେରୀ ମଲ୍ଖୀଙ୍କ ପୁତ୍ର।
ମଲ୍ଖୀ ଅଦ୍ଦୀଙ୍କ ପୁତ୍ର।
ଅଦ୍ଦୀ କୋସାମଙ୍କ ପୁତ୍ର।
କୋସାମ ଏଲ୍ମଦାନଙ୍କ ପୁତ୍ର।
ଏଲ୍ମଦାନ ଏରଙ୍କ ପୁତ୍ର।
29 ଏର ଯିହୋଶୂୟଙ୍କ ପୁତ୍ର।
ଯିହୋଶୂୟ ଏଲିୟେଜରଙ୍କ ପୁତ୍ର।
ଏଲିୟେଜର ଯୋରୀମଙ୍କ ପୁତ୍ର।
ଯୋରୀମ ମତ୍ଥାତଙ୍କ ପୁତ୍ର।
ମତ୍ଥାତ ଲେବୀଙ୍କ ପୁତ୍ର।
30 ଲେବୀ ଶିମିୟୋନଙ୍କ ପୁତ୍ର।
ଶିମିୟୋନ ଯିହୂଦାଙ୍କ ପୁତ୍ର।
ଯିହୂଦା ଯୋଷେଫଙ୍କ ପୁତ୍ର।
ଯୋଷେଫ ଯୋନାମଙ୍କ ପୁତ୍ର।
ଯୋନାମ ଏଲିୟାକୀମଙ୍କ ପୁତ୍ର।
31 ଏଲିୟାକୀମ ମଲାହଙ୍କ ପୁତ୍ର।
ମଲାହ ମନ୍ନାଙ୍କ ପୁତ୍ର।
ମନ୍ନା ମତ୍ତଥାଙ୍କ ପୁତ୍ର।
ମତ୍ତଥା ନାଥନଙ୍କ ପୁତ୍ର।
ନାଥନ ଦାଉଦଙ୍କ ପୁତ୍ର।
32 ଦାଉଦ ଯିଶୟଙ୍କ ପୁତ୍ର।
ଯିଶୟ ଓବେଦଙ୍କ ପୁତ୍ର।
ଓବେଦ ବୋୟଜଙ୍କ ପୁତ୍ର।
ବୋୟଜ ଶେଲହଙ୍କ ପୁତ୍ର।
ଶେଲହ ନହଶୋନଙ୍କ ପୁତ୍ର।
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର।
ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର।
ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର।
ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର।
ହେସ୍ରୋଣ ଫେରସଙ୍କ ପୁତ୍ର।
ଫେରସ ଯିହୂଦାଙ୍କ ପୁତ୍ର।
34 ଯିହୂଦା ଯାକୁବଙ୍କ ପୁତ୍ର।
ଯାକୁବ ଇସ୍ହାକଙ୍କ ପୁତ୍ର।
ଇସ୍ହାକ ଅବ୍ରହାମଙ୍କ ପୁତ୍ର।
ଅବ୍ରହାମ ତେରେହଙ୍କ ପୁତ୍ର।
ତେରେହ ନାହୋରଙ୍କ ପୁତ୍ର।
35 ନାହୋର ସରୂଗଙ୍କ ପୁତ୍ର।
ସରୂଗ ରଗୁଙ୍କ ପୁତ୍ର।
ରଗୁ ଫେଲଗଙ୍କ ପୁତ୍ର।
ଫେଲଗ ଏବରଙ୍କ ପୁତ୍ର।
ଏବର ଶେଲହଙ୍କ ପୁତ୍ର।
36 ଶେଲହ କେନାନଙ୍କ ପୁତ୍ର।
କେନାନ ଅର୍ଫକ୍ଷଦଙ୍କ ପୁତ୍ର।
ଅର୍ଫକ୍ଷଦ ଶେମଙ୍କ ପୁତ୍ର।
ଶେମ ନୋହଙ୍କ ପୁତ୍ର।
ନୋହ ଲେମଖଙ୍କ ପୁତ୍ର।
37 ଲେମଖ ମଥୂଶେଲହଙ୍କ ପୁତ୍ର।
ମଥୂଶେଲହ ହନୋକଙ୍କ ପୁତ୍ର।
ହନୋକ ଯେରଦଙ୍କ ପୁତ୍ର।
ଯେରଦ ମହଲଲେଲଙ୍କ ପୁତ୍ର।
ମହଲଲେଲ କେନାନଙ୍କ ପୁତ୍ର।
38 କେନାନ ଏନୋଶଙ୍କ ପୁତ୍ର।
ଏନୋଶ ଶେଥଙ୍କ ପୁତ୍ର।
ଶେଥ ଆଦମଙ୍କ ପୁତ୍ର।
ଆଦମ ପରମେଶ୍ୱରଙ୍କ ପୁତ୍ର।
2010 by World Bible Translation Center