Beginning
ସଦାପ୍ରଭୁ ଯିରୁଶାଲମ ପ୍ରତି ଅନୁଗ୍ରହ କରିବାକୁ ଶପଥ କରନ୍ତି
8 ସର୍ବଶକ୍ତିମାନ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ। 2 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭେ ସିୟୋନ ପାଇଁ ଅତ୍ୟାସକ୍ତ ଏବଂ ପ୍ରଗାଢ଼ ଅନୁରାଗ ସହିତ ଆମ୍ଭେ ତା’ ପାଇଁ କ୍ରୋଧାନ୍ୱିତ।” 3 ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭେ ସିୟୋନକୁ ଫେରି ଆସିଛୁ ଏବଂ ଯିରୁଶାଲମ ମଧ୍ୟରେ ବାସ କରିବା। ଯିରୁଶାଲମ ‘ସତ୍ୟର ନଗରୀ’ ବୋଲି କୁହାଯିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାଯିବ।”
4 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ବୃଦ୍ଧ ଓ ବୃଦ୍ଧାମାନେ ପୁନର୍ବାର ଯିରୁଶାଲମର ଖୋଲା ସ୍ଥାନରେ ବସ। ପ୍ରତ୍ୟେକଙ୍କ ହାତରେ ଏକ ଆଶାବାଡ଼ି ରହିବ କାରଣ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ। 5 ଆଉ ମଧ୍ୟ ନଗରର ଖୋଲାସ୍ଥାନ କ୍ରୀଡ଼ାରତ ପୁଅ ଓ ଝିଅଙ୍କ ଦ୍ୱାରା ପରିପୂର୍ଣ୍ଣ ହେବ।” 6 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଜଣାପଡ଼େ, ଏହା ସେମାନଙ୍କ ପ୍ରତି ମଧ୍ୟ ବିସ୍ମୟଜନକ ହେବ।”
7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ପୂର୍ବ ଓ ପଶ୍ଚିମ ଦେଶରୁ ଆମ୍ଭର ଲୋକମାନଙ୍କୁ ମୁକ୍ତ କରିବା। 8 ଆମ୍ଭେ ସେମାନଙ୍କୁ ଏଠାକୁ ଫେରାଇ ଆଣିବା ଏବଂ ସେମାନେ ଯିରୁଶାଲମ ମଧ୍ୟରେ ବାସ କରିବେ। ସେମାନେ ଆମ୍ଭର ଲୋକ ହେବେ ଏବଂ ଆମ୍ଭେ ସେମାନଙ୍କର ବିଶ୍ୱସ୍ଥ ଏବଂ ନ୍ୟାୟବାନ୍ ପରମେଶ୍ୱର ହେବା।”
9 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ୟ ଏହି ଦିନଗୁଡ଼ିକରେ ସେହି ବାକ୍ୟଗୁଡ଼ିକ ଭବିଷ୍ୟଦ୍ବକ୍ତାମାନଙ୍କଠାରୁ ଶୁଣୁଅଛ। ଯେତେବେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା, ଯାହାପାଇଁ ମନ୍ଦିର ନିର୍ମାଣ ହୋଇ ପାରିଥିଲା। 10 ସେହି ଦିନ ପୂର୍ବରୁ ମନୁଷ୍ୟ ପାଇଁ ବେତନ ନ ଥିଲା, ପଶୁ ପାଇଁ ଆୟ ନ ଥିଲା, ବାହାରକୁ ଯିବା ଓ ଭିତରକୁ ଆସିବା ଲୋକମାନଙ୍କ ପାଇଁ ଶତ୍ରୁମାନଙ୍କଠାରୁ କୌଣସି ନିରାପତ୍ତା ନ ଥିଲା, କାରଣ ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କ ପଡ଼ୋଶୀଙ୍କ ବିପକ୍ଷ କରାଇଥିଲୁ। 11 ଆମ୍ଭେ ପୂର୍ବରୁ ଯେପରି କରୁଥିଲୁ ସେହି ଅବଶିଷ୍ଟାଂଶଙ୍କ ସହିତ ସେପରି ବ୍ୟବହାର କରିବା ନାହିଁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି।
12 “ଏହି ଲୋକମାନେ ଶାନ୍ତିରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ୟ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷୟ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭେମାନେ ଦେଶସବୁ ସମ୍ମୁଖରେ ଅଭିଶପ୍ତ ଥିଲ। 13 ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”
14 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର କ୍ରୋଧାନ୍ୱିତ କରିଥିଲେ। ତେଣୁ କରି ଆମ୍ଭେ ସଂକଳ୍ପ ସହିତ ତୁମ୍ଭମାନଙ୍କୁ ଦଣ୍ତ ଦେବାକୁ ନିଷ୍ପତ୍ତି ନେଇଥିଲୁ।” ଏହା ସର୍ବଶକ୍ତିମାନ ସଦାପ୍ରଭୁ କହିଲେ। 15 “କିନ୍ତୁ ଏହି ଦିନଗୁଡ଼ିକରେ, ଆମ୍ଭେ ଆପଣା ମନକୁ ପରିବର୍ତ୍ତନ କରିଅଛୁ। ଆମ୍ଭେ ସ୍ଥିର କରିଛୁ ଯିରୁଶାଲମ ଓ ଯିହୁଦାର ଲୋକଙ୍କର ମଙ୍ଗଳ କରିବା। ସେଥିପାଇଁ ଭୟ କର ନାହିଁ। 16 ତୁମ୍ଭେମାନେ ଏହିସବୁ ନିଶ୍ଚୟ କରିବ, “ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ୟ କୁହ। ତୁମ୍ଭେମାନେ ତୁମ୍ଭମାନଙ୍କର ନଗରମାନଙ୍କରେ ସତ୍ୟତା ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କର। 17 ତୁମ୍ଭର ପ୍ରତିବାସୀର କ୍ଷତି କରିବାକୁ ତୁମ୍ଭ ହୃଦୟରେ କୌଣସି ମନ୍ତ୍ରଣା କର ନାହିଁ। ମିଥ୍ୟା ଶପଥ କରିବାକୁ ଭଲ ପାଅ ନାହିଁ। କାରଣ ଆମ୍ଭେ ସେହିସବୁକୁ ଘୃଣା କରୁ।” ସଦାପ୍ରଭୁ ଏହିସବୁ କହିଲେ।
18 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା ମୋ’ ନିକଟକୁ ପଠାଇଲେ। 19 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମୟ ଦିନ ହେବ। ତାହା ବିଜୟ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହେବ। ସେଥିପାଇଁ ତୁମ୍ଭେମାନେ ନିଶ୍ଚୟ ସତ୍ୟ ଓ ଶାନ୍ତିକୁ ପ୍ରେମ କରିବ।”
20 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି,
“ଭବିଷ୍ୟତରେ ଅନେକ ସହରରେ ବାସ କରୁଥିବା ଲୋକମାନେ ଆସିବେ।
21 ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ
ଏବଂ କହିବେ, ‘ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।’
ଆସ ଯିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା।
‘ମୁଁ ନିଜେ ମଧ୍ୟ ଯାଉଛି।’”
22 ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ଯିରୁଶାଲମକୁ ଆସିବେ। 23 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ସେହି ଦିନମାନଙ୍କରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ଲୋକ, ଜଣେ ଯିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, ‘ତୁମ୍ଭ ସହିତ ଆମ୍ଭେ ଯିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି।’”
ଅନ୍ୟ ଗୋଷ୍ଠୀ ବିଷୟରେ ବିଗ୍ଭର
9 ଏକ ସ୍ୱର୍ଗୀୟବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷୟରେ। ସମସ୍ତ ଲୋକ ପରମେଶ୍ୱରଙ୍କୁ ଅନାଉଅଛନ୍ତି, “ଯେପରି ଇସ୍ରାଏଲ ଗୋଟିଏ ପରିବାରବର୍ଗ। 2 ଏହା ମଧ୍ୟ ସତ୍ୟ ଯେ, ହମାତ୍, ସୋର ଓ ସୀଦୋନ ସୀମାରେ ଅବସ୍ଥିତ ଅଟେ। କାରଣ ସେମାନେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୁର୍ଗ ନିର୍ମାଣ କଲା। 3 ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୂଳିପରି ଓ ସୁନାକୁ କାଦୁଅପରି ରାସ୍ତାରେ ଗଦା କଲା। 4 ମାତ୍ର ସଦାପ୍ରଭୁ ଏହାକୁ ନେଇଯିବେ। ସେ ତା'ର ଧନ ସମୁଦ୍ରରେ ଫୋପାଡ଼ି ଦେବେ ଏବଂ ନଗରଟି ନିଆଁରେ ଜଳିଯିବ।
5 “ଅସ୍କିଲୋନ ତାହା ଦେଖି ଭୟଭୀତ ହେବ ଓ ଘସାର ଲୋକମାନେ ଭୟରେ ଥରିବେ। ଇକ୍ରୋଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସାରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ୟ ଅସ୍କିଲୋନ ଜନଶୂନ୍ୟ ହେବ। 6 ପୁଣି ଅସ୍ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବରେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି। 7 ସେମାନେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ୟ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସେମାନେ ମଧ୍ୟ ମୋ’ ଲୋକମାନଙ୍କର ଅଂଶ ହେବେ, ଏହା ଯିହୁଦାର ଏକ ବଂଶ ହେବ। ଇକ୍ରୋଣର ଲୋକମାନେ ମୋ’ ଲୋକମାନଙ୍କର ଅଂଶୀଦାର ହେବେ, ଯେପରି ଯିବୂଷିୟମାନେ କରିଥିଲେ। 8 ଆମ୍ଭେ ନିଜ ଦେଶରେ ଛାଉଣି ସ୍ଥାପନ କରିବା, ପ୍ରହରୀ ହେବା ଶତ୍ରୁମାନଙ୍କ ବିରୁଦ୍ଧରେ। କୌଣସି ଅତ୍ୟାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମୋର ସ୍ୱଚକ୍ଷୁରେ ଦେଖୁଛି। ମୋ’ ସ୍ୱଚକ୍ଷୁରେ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖୁଅଛି।”
ଭବିଷ୍ୟତ ରାଜା
9 ହେ ସିୟୋନର କନ୍ୟା ଆନନ୍ଦ କର!
ହେ ଯିରୁଶାଲମର କନ୍ୟା, ଚିତ୍କାର କର!
ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି।
ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି।
ସେ ଅତ୍ୟନ୍ତ ନମ୍ର।
ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି।
10 ଆମ୍ଭେ ଇଫ୍ରୟିମଠାରୁ ରଥକୁ କାଢ଼ି ନେବା,
ଯିରୁଶାଲମଠାରୁ ଅଶ୍ୱ ଯୁଦ୍ଧରେ ବ୍ୟବହୃତ
ଧନୁ କାଢ଼ି ନିଆଯିବ।
ସେହି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ।
ତାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ
ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୁତ ହେବ।
ସଦାପ୍ରଭୁ ଆପଣା ଲୋକଙ୍କୁ ରକ୍ଷା କରିବେ
11 ହେ ଯିରୁଶାଲମ, କାରଣ ରକ୍ତ ଦ୍ୱାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ ମୋହରାଙ୍କିତ ହୋଇଛି।
ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନ ଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ।
12 ହେ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ ଫେରିଯାଅ।
ବର୍ତ୍ତମାନ ତୁମ୍ଭର ଭରସା ଅଛି।
ଆଜି ଆମ୍ଭେ ଘୋଷଣା କରୁଛୁ ଯେ,
ଆମ୍ଭେ ତୁମ୍ଭଙ୍କୁ ଦ୍ୱିଗୁଣ ଫେରାଇ ଦେବା।
13 ଆମ୍ଭେ ଯିହୁଦାକୁ ଆପଣା ଧନୂରୂପେ ବ୍ୟବହାର କରିବା।
ଇଫ୍ରୟିମକୁ ଆମ୍ଭର ଶର ରୂପେ ବ୍ୟବହାର କରିବା।
ଆଉ ହେ ସିୟୋନ, ଆମ୍ଭେ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, ହେ ଗ୍ରୀସ୍, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧରେ ଉତ୍ତେଜିତ କରିବା
ଓ ଆମ୍ଭେ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିଦେବା।
14 ସଦାପ୍ରଭୁ ତାଙ୍କ ସମ୍ମୁଖରେ ଉପସ୍ଥିତ ହେବେ।
ବିଦ୍ୟୁତ୍ ସଦୃଶ ତାଙ୍କର ଶର ଯିବ।
ସଦାପ୍ରଭୁ ପରମେଶ୍ୱର ତୂରୀ ବଜାଇବେ
ଏବଂ ସେ ଦକ୍ଷିଣ ଆଡ଼ୁ ଝଡ଼ପରି ଅଗ୍ରସର ହେବେ।
15 ସର୍ବଶକ୍ତିମାନ୍ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦେବେ।
ସେମାନେ ଧ୍ୱଂସ ହେବେ, ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ବାଟୁଳି ଦ୍ୱାରା ପରାସ୍ତ କରିବେ।
ସେମାନେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହେବେ,
ସେମାନେ ଯଜ୍ଞବେଦିର କୋଣରେ ଥିବା ପାତ୍ର ଯେପରି ସେହିପରି ପୂର୍ଣ୍ଣ ହେବେ।
16 ସଦାପ୍ରଭୁ ସେମାନଙ୍କର ପରମେଶ୍ୱର
ସେମାନଙ୍କୁ ରକ୍ଷା କରିବେ,
ସେହି ଦିନ ତାଙ୍କର ଲୋକମାନେ ମେଷପରି ହେବେ।
ସେମାନେ ତାଙ୍କ ଦେଶରେ
ମୁକୁଟର ରତ୍ନ ସ୍ୱରୂପ ଝକ୍ମକ୍ କରିବେ।
17 ପ୍ରତ୍ୟେକ ଜିନିଷ ଉତ୍ତମ ଓ ସୁନ୍ଦର ହେବ।
ଶସ୍ୟ ଏବଂ ନୂତନ ଦ୍ରାକ୍ଷାରସ
ଯୁବକ ଯୁବତୀଙ୍କର ବଳ ବଢ଼ାଇବ।
ସଦାପ୍ରଭୁଙ୍କ ପ୍ରତିଜ୍ଞା
10 ବସନ୍ତ ଋତୁରେ ବର୍ଷା ହେବା ପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କେବଳ ବିଦ୍ୟୁତ୍ ପ୍ରେରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରତ୍ୟେକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି।
2 କାରଣ ମୂର୍ତ୍ତିଗୁଡ଼ିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ୟ କହିଥିଲେ ଏବଂ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଦର୍ଶନ ଦେଖିଥିଲେ। ସେମାନେ ମୂଲ୍ୟହୀନ ସ୍ୱପ୍ନ ଏବଂ ସେମାନେ ମିଥ୍ୟା ସାନ୍ତ୍ୱନା ଦେଲେ। ସେଥିପାଇଁ ସେମାନେ ମେଷ ତୁଲ୍ୟ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସେମାନଙ୍କର କୌଣସି ମେଷପାଳକ ନାହାନ୍ତି।
3 “ଆମ୍ଭେ ବିଶେଷଭାବରେ ପାଳକମାନଙ୍କ ଉପରେ କ୍ରୋଧାନ୍ୱିତ। ଆମ୍ଭେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଯେଉଁମାନେ ମେଷପଲର ଯତ୍ନ ନିଅନ୍ତି।” କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସେମାନଙ୍କୁ ଏକ ଯୋଦ୍ଧା ଅଶ୍ୱ ପରି ତିଆରି କରିବେ।
4 “କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ। 5 ସେମାନେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦେବେ। ସେମାନେ ଯୁଦ୍ଧ କରି ଶତ୍ରୁପକ୍ଷର ଅଶ୍ୱାରୋହୀମାନଙ୍କୁ ମଧ୍ୟ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି। 6 ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ୟ ଆମ୍ଭେ ଯୋଷେଫଙ୍କର ଗୃହକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ପୁନଃସ୍ଥାପନ କରିବା କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହେବ ଯେପରିକି ଆମ୍ଭେ ସେମାନଙ୍କୁ କେବେ ପ୍ରତ୍ୟାଖ୍ୟାନ କରି ନାହୁଁ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଏବଂ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। 7 ଇଫ୍ରୟିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ୟଟି ପରି ଖୁସୀ ହେବେ। ସେମାନଙ୍କର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସେମାନଙ୍କର ହୃଦୟ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।
8 “ଆମ୍ଭେ ତୂରି ବଜାଇବା ଏବଂ ସେମାନଙ୍କୁ ଏକତ୍ରିତ କରାଇବା। ଆମ୍ଭେ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ ଓ ସେମାନେ ଯେପରି ବହୁ ସଂଖ୍ୟାରେ ଥିଲେ ସେହିପରି ବହୁ ସଂଖ୍ୟାରେ ପୂର୍ଣ୍ଣ ହେବେ। 9 ଯଦିଓ ଆମ୍ଭେ ଦେଶଗୁଡ଼ିକ ମଧ୍ୟରେ ସେମାନଙ୍କୁ ବିଛାଡ଼ି ଦେଇଛୁ, ସେମାନେ ସେହି ଦୂର ସ୍ଥାନରେ ଆମ୍ଭକୁ ମନେ ପକାଇବେ। ସେମାନେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସେମାନେ ଫେରିବେ। 10 ଆମ୍ଭେ ସେମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରିତ କରିବା। ଆମ୍ଭେ ସେମାନଙ୍କୁ ଗିଲିୟଦରୁ ଏବଂ ଲିବାନୋନ୍ରୁ ଫେରାଇ ଆଣିବା ଏବଂ ସେମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନ ଥିବ।” 11 ସେମାନେ ଦାରୁଣ ବ୍ୟଥାର ସମୁଦ୍ର ମଧ୍ୟଦେଇ ପାର ହେବେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିଯିବ। ଅଶୂରର ଗର୍ବ ନତ ହେବ ଏବଂ ମିଶରର ରାଜଦଣ୍ତ ଗ୍ଭଲିଯିବ। 12 ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମରେ, ସେମାନେ ସବୁସ୍ଥାନକୁ ଯିବେ।” ଏହା ସଦାପ୍ରଭୁ କହିଥିଲେ।
ପରମେଶ୍ୱର ଅନ୍ୟରାଷ୍ଟ୍ରକୁ ଦଣ୍ତ ଦେବେ
11 ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ୱାର ଖୋଲିଦିଅ
ଯେପରି ଅଗ୍ନି ତୁମ୍ଭର ସମସ୍ତ ଦେବଦାରୁ ବୃକ୍ଷଗୁଡ଼ିକୁ ପୋଡ଼ି ପକାଇବେ।
2 ତୁମ୍ଭେ ଦେବଦାରୁ ଜାତୀୟ ବୃକ୍ଷ ଶୋକ କର କାରଣ ଦେବଦାରୁ ପଡ଼ିଯାଇଛି।
ଶକ୍ତିଶାଳୀମାନେ ଧ୍ୱଂସ ହୋଇଛନ୍ତି।
ଶୋକ କର, ହେ ବାଶନର ଅଲୋନବୃକ୍ଷ
ସେହି ଦୁର୍ଗମ ବନ କଟାଗଲା।
3 ମେଷପାଳକମାନଙ୍କର ବିଳାପ ଶୁଣ।
କାରଣ ସେମାନଙ୍କର ଶକ୍ତିଶାଳୀ ନେତାମାନେ ଧ୍ୱଂସ ହେଲେ।
ଯୁବା ସିଂହମାନଙ୍କର ରବ ଶୁଣ।
କାରଣ ଯିହୁଦାର ଗର୍ବ ଧ୍ୱଂସ ହୋଇଛି।
4 ସଦାପ୍ରଭୁ ମୋର ପରମେଶ୍ୱର କହନ୍ତି, “ଏହି ବଧ ହେବାକୁ ଥିବା ମେଷପଲର ଯତ୍ନ ନିଅ। 5 ଯେଉଁମାନେ ସେଗୁଡ଼ିକୁ କିଣନ୍ତି ସେମାନେ ସେଗୁଡ଼ିକୁ ହତ୍ୟା କଲେ, ଆଉ ସେମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ। ଯେଉଁମାନେ ସେଗୁଡ଼ିକୁ ବିକ୍ରୀ କରନ୍ତି, କହିବେ, ‘ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହୋଇଅଛି।’ ଏବଂ ସେମାନଙ୍କର ମେଷପାଳକମାନଙ୍କର ସେମାନଙ୍କର ମେଷ ଦଳର ଉପରେ ଦୟା ନ ଥିବ।” 6 ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।”
7 ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ। 8 ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ। 9 ତା'ପରେ ଆମ୍ଭେ କହିଲୁ, “ଆମ୍ଭେ ତୁମ୍ଭର ମେଷପାଳକ ହେବା ନାହିଁ। ଯେଉଁମାନଙ୍କର ମରିବାର ଅଛି ସେମାନେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛିନ୍ନ ହେବାର ଅଛି ସେମାନେ ଉଚ୍ଛିନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସେମାନେ ପରସ୍ପରକୁ ଧ୍ୱସ୍ତ ବିଧ୍ୱସ୍ତ କରନ୍ତୁ।” 10 ତା'ପରେ ଆମ୍ଭେ ଶୋଭା ନାମକ ଯଷ୍ଟିକୁ ନେଲୁ ଏବଂ ତାକୁ ଭାଙ୍ଗି ଦେଲୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ୱଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ। 11 ସେହି ଦିନ ସେହି ଚୁକ୍ତି ଭଗ୍ନ ହେଲା। ତା'ପରେ ସେହି ନିରୀହ ମେଷଗୁଡ଼ିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ୟ ଥିଲା।
12 ତା'ପରେ ମୁଁ କହିଲି, “ଯଦି ତୁମ୍ଭେମାନେ ମୋତେ ମୋର ବେତନ ଦେବାକୁ ଇଚ୍ଛା କରୁଛ ତେବେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ।” ତେଣୁ ସେମାନେ ମୋର ମଜୁରୀ ତିରିଶ୍ ରୌପ୍ୟ ମୁଦ୍ରା ଦେଲେ। 13 ତା'ପରେ ସଦାପ୍ରଭୁ ମୋତେ କହିଲେ, “ସେହି ମହତ ମୂଲ୍ୟକୁ ଫୋପାଡ଼ି ଦିଅ, କାରଣ ସେମାନେ ଆମ୍ଭର ମୂଲ୍ୟ ରାଜକୋଷ ମଧ୍ୟରୁ ନିରୂପଣ କଲେ।” ତେଣୁ ମୁଁ ସେହି ତିରିଶ୍ଟି ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ପକାଇ ଦେଲି। 14 ତା'ପରେ ମୁଁ ବନ୍ଧନୀ ନାମକ ଯଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇସ୍ରାଏଲର ଏକତା ନଷ୍ଟ କରିବା ପାଇଁ।
15 ତା'ପରେ ସଦାପ୍ରଭୁ ମୋତେ କହିଲେ, “ପୁନର୍ବାର ସେହି ନିର୍ବୋଧ ମେଷପାଳକର ସାଜ ଦିଅ। 16 କାରଣ ଏହି ଦେଶରେ ଆମ୍ଭେ ଏକ ମେଷପାଳକ ଉତ୍ଥାପିତ କରୁଛୁ। ସେ ହଜିଯାଇଥିବା ମେଷଗୁଡ଼ିକ ନିମନ୍ତେ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ ସେ ଖୋଜିବ ନାହିଁ। ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସେମାନଙ୍କୁ ସେ ଖୁଆଇବ ନାହିଁ। ସେ ସେଗୁଡ଼ିକର ଖୁରାକୁ ଛିଣ୍ତାଇ ହୃଷ୍ଟପୁଷ୍ଟ ମେଷମାନଙ୍କୁ ଭକ୍ଷ୍ୟଣ କରିବ।”
17 ଯେ ଅଯୋଗ୍ୟ ମେଷପାଳକ,
ସେ ପଲକୁ ତ୍ୟାଗ କରେ।
ତାକୁ ଧିକ୍!
ଖଡ଼୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ।
ତାହାର ବାହୁ ନିଶ୍ଚୟ ଶୁଷ୍କ ହେବ
ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚୟ ଅନ୍ଧ ହୋଇଯିବ।
ଯିହୁଦାର ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକ ବିଷୟରେ ଦର୍ଶନ ସମୂହ
12 ଏକ ସ୍ୱର୍ଗୀୟ ବାଣୀ, ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ଯିଏ କି ସ୍ୱର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ଯିଏ କି ମନୁଷ୍ୟମାନଙ୍କ ମଧ୍ୟରେ ନିଶ୍ୱାସପ୍ରଶ୍ୱାସ ସ୍ଥାପନ କରିଅଛନ୍ତି। 2 “ଦେଖ, ଦେଶସମୂହ ପ୍ରତି ଯିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ଯିରୁଶାଲମ ଅବରୋଧ ହୋଇ ରହିବ। 3 କିନ୍ତୁ ଆମ୍ଭେ ଯିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସେମାନେ ଆଘାତପ୍ରାପ୍ତ ହେବେ। ସେହି ଲୋକମାନେ ପ୍ରକୃତରେ କ୍ଷତବିକ୍ଷତ ହେବେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ଯିରୁଶାଲମ ବିରୁଦ୍ଧରେ ଏକତ୍ରିତ ହେବେ। 4 ସଦାପ୍ରଭୁ କୁହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଭୟଭୀତ କରାଇବା ଏବଂ ଅଶ୍ୱାରୋହୀର ମତିଭ୍ରମ ହେବ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ୱକୁ ଅନ୍ଧ କରିଦେବା, ମାତ୍ର ମୋର ଚକ୍ଷୁ ଖୋଲା ରହିବ ଏବଂ ଯିହୁଦା ଉପରେ ମୋର ସତର୍କ ଦୃଷ୍ଟି ରହିବା 5 ଯିହୁଦାର ପରିବାରର ନେତାଗଣ ଲୋକମାନଙ୍କୁ ଉତ୍ସାହିତ କରିବେ। ସେମାନେ କହିବେ, ‘ଯିରୁଶାଲମର ଲୋକମାନେ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆସ୍ଥା ରଖନ୍ତି।’ 6 ସେହି ଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧ୍ୟରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହୋଇଥିବା ନୂତନ ଶସ୍ୟ ମଧ୍ୟରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସେମାନେ ତାଙ୍କ ବାମ ଓ ଦକ୍ଷିଣରେ ଥିବା ଲୋକମାନଙ୍କୁ ଧ୍ୱଂସ କରିବେ କିନ୍ତୁ ଯିରୁଶାଲମ ତା'ର ସ୍ଥାନରେ ଅକ୍ଷତ ରହିବ।”
7 ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡ଼ିକୁ ରକ୍ଷା କରିବେ। ସେ ଏପରି କରିବେ ଯଦ୍ଦ୍ୱାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ଯିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହେବ ନାହିଁ। 8 ସେହି ଦିନ ସଦାପ୍ରଭୁ ପୁନର୍ବାର ଯିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦେବେ। ଏପରିକି ସବୁଠାରୁ ଦୁର୍ବଳ ବ୍ୟକ୍ତି ମଧ୍ୟ ସେହି ଦିନ ଦାଉଦଙ୍କ ପରି ହେବ। ସେହି ଦିନ ଆଉ ମଧ୍ୟ ଦାଉଦଙ୍କ ପରିବାର ଲୋକ ଦେବତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖରେ ହେବେ।
9 ସଦାପ୍ରଭୁ କୁହନ୍ତି, “ସେହି ଦିନ ଯେଉଁ ଦେଶ ଯିରୁଶାଲମ ବିରୁଦ୍ଧରେ ଆସିବ ଆମ୍ଭେ ତାକୁ ଧ୍ୱଂସ କରିବା। 10 ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି। 11 ସେହି ଦିନ, ଯିରୁଶାଲମରେ ଶୋକ ହେବ, ଏପରି ମହାନ ଶୋକ ଯେପରିକି ହଦଦ୍-ରିମ୍ମୋଣ ମଗିଦ୍ଦୋନର ଉପତ୍ୟକାରେ ହୋଇଥିଲା। 12 ସମଗ୍ର ଦେଶ ଶୋକ କରିବ, ପ୍ରତ୍ୟେକ ପରିବାର ନିଜେ ନିଜେ ଶୋକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ। 13 ଲେବୀ ପରିବାରର ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିୟିର ପରିବାରମାନେ ନିଜେ ନିଜେ ଶୋକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ। 14 ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିଜେ ନିଜେ, ପ୍ରତ୍ୟେକ ପରିବାରବର୍ଗ ଏକା ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।”
13 ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।
ମିଥ୍ୟା ଭବିଷ୍ୟଦ୍ବକ୍ତା ଆଉ ହେବେ ନାହିଁ
2 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା। 3 ଯଦି କେହି ଭବିଷ୍ୟଦ୍ବାଣୀ କରୁଛି ତା'ର ପିତାମାତା ତାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା ବାକ୍ୟ କହିଛ।’ ତା'ର ପିତା ଏବଂ ମାତା ଯିଏ ତାକୁ ଧାରଣ କରିଛନ୍ତି ସେ ଯେତେବେଳେ ଭବିଷ୍ୟଦ୍ବାଣୀ କରିବ ତାକୁ ଖଡ଼୍ଗରେ ବିନାଶ କରିବେ। 4 ସେଦିନ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟଦ୍ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। 5 ସେହି ଲୋକମାନେ କହିବେ, ‘ମୁଁ ଜଣେ ଭବିଷ୍ୟଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମୋର ବାଲ୍ୟକାଳରୁ ମୋର ଅଧିକାରରେ ଅଛି।’ 6 କିନ୍ତୁ ଅନ୍ୟଲୋକମାନେ କହିବେ, ‘ତୁମ୍ଭର ହାତରେ ଏହି କ୍ଷତଗୁଡ଼ିକ କ’ଣ? ସେ ଉତ୍ତର ଦେବେ, ‘ମୁଁ ମୋ’ ବନ୍ଧୁମାନଙ୍କ ଗୃହରେ କ୍ଷତ ବିକ୍ଷତ ହୋଇଥିଲି।’”
7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ଖଡ଼୍ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା। 8 ଦେଶର ଦୁଇ ତୃତୀୟାଂଶ ଲୋକ ଚ୍ଛେଦନ ହେବେ ଓ ମୃତ୍ୟୁବରଣ କରିବେ। ମାତ୍ର ଏକ ତୃତୀୟାଂଶ ଜୀବିତ ରହିବେ। 9 ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”
ସୁବିଗ୍ଭର ଦିନ
14 ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷ ଦିନ ଆସୁଛି। ତୁମ୍ଭେମାନେ ଯେଉଁ ସମ୍ପତ୍ତି ନେଇଛ ତାହା ତୁମ୍ଭମାନଙ୍କ ମଧ୍ୟରେ ଭାଗ କରାଯିବ। 2 ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ। 3 ସେତେବେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି। 4 ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ। 5 ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।
6-7 ସେହି ଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହେବ ନାହିଁ। ଗୋଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହେବ ନାହିଁ। ସନ୍ଧ୍ୟା ସମୟରେ ଆଲୋକ ଥିବ। 8 ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ। 9 ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ। 10 ଆଉ ମଧ୍ୟ ସେହି ସମୟରେ, ସମସ୍ତ ଦେଶ ଯିରୁଶାଲମର ଦକ୍ଷିଣ ଗେବାଠାରୁ ରିମ୍ମୋନ ପର୍ଯ୍ୟନ୍ତ ଭୂମି ସମତଳ ଭୂମିରେ ପରିଣତ ହେବ। କିନ୍ତୁ ଯିରୁଶାଲମ ତା’ ସ୍ଥାନରୁ ଉଚ୍ଚରେ ଠିଆ ହେବ। ଏହା ବିନ୍ୟାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ଯ୍ୟନ୍ତ ହନ୍ନେଲର କୋଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୁତ ହେବ। 11 ଲୋକମାନେ ଯିବେ ଓ ସେଠାରେ ବାସ କରିବେ। ପୁନର୍ବାର ଯିରୁଶାଲମ ସମ୍ପୂର୍ଣ୍ଣ ଧ୍ୱଂସ ହେବ ନାହିଁ। ଯିରୁଶାଲମ ନିରାପଦ ହେବ।
12 ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସେହିମାନଙ୍କ ବିରୁଦ୍ଧରେ ଯେଉଁମାନେ ଯିରୁଶାଲମ ବିରୁଦ୍ଧରେ ଲଢ଼ୁଥିଲେ। ଲୋକମାନେ ଛିଡ଼ା ହୋଇ ଥିବା ବେଳେ ସେମାନଙ୍କର ଚର୍ମ ପଚିଯିବ। ସେମାନଙ୍କର ଚକ୍ଷୁ କୋଟର ମଧ୍ୟରେ ପଶିଯିବ ଓ ଜିହ୍ୱା ପାଟି ମଧ୍ୟରେ ପଶିଯିବ। 13-15 ସେହି ଭୟଙ୍କର ବ୍ୟାଧି ସେହି ଶିବିରରେ ରହିବ। ଆଉ ମଧ୍ୟ ସେମାନଙ୍କର ଅଶ୍ୱ, ଖଚର, ଓଟ ଓ ଗର୍ଦ୍ଦଭ ସେହି ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ ହେବେ।
ସେହି ଦିନ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ଭୟଙ୍କର ଆତଙ୍କ ଆତଙ୍କିତ ରୂପେ ସେମାନଙ୍କୁ ଧରିବ। ପ୍ରତ୍ୟେକ ଲୋକ ତାଙ୍କର ପ୍ରତିବାସୀର ହସ୍ତକୁ ଧରିବେ ଓ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ହେବେ। ଏପରିକି ଯିହୁଦା ଯିରୁଶାଲମ ବିପକ୍ଷରେ ଲଢ଼ିବ। ସମଗ୍ର ଗୋଷ୍ଠୀର ଧନସମ୍ପଦ ନଗରୀର ଚତୁର୍ଦ୍ଦିଗରେ ଏକତ୍ର ଠୁଳ ହେବ। ସେଠାରେ ସୁବର୍ଣ୍ଣ, ରୌପ୍ୟ ଓ ବସ୍ତ୍ର ବହୁତ ପରିମାଣରେ ସଂଗୃହୀତ ହେବ। 16 ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶ ଛାଡ଼ି ଯିରୁଶାଲମ ବିରୁଦ୍ଧରେ ଆସିଛନ୍ତି, ପ୍ରତ୍ୟେକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତି ବର୍ଷ ସେମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ। 17 ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସେମାନଙ୍କ ଉପରେ ପଡ଼ିବ ନାହିଁ। 18 ଯଦି ମିଶରର ପରିବାର ନ ଆସନ୍ତି, ବର୍ଷା ସେମାନଙ୍କ ଉପରେ ଆସିବ ନାହିଁ। ତା’ ବଦଳରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଯାଇ ନ ଥିଲେ। 19 ତାହା ମିଶରର ପାପ ହେବ ଏବଂ ପ୍ରତ୍ୟେକ ଦେଶର ପାପ, ଯେଉଁମାନେ ଯାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।
20 ସେହି ଦିନ ‘ସଦାପ୍ରଭୁଙ୍କ ପବିତ୍ର’ ଏପରିକି ଅଶ୍ୱଗଣର ଘଣ୍ଟିରେ ମଧ୍ୟ ଲେଖାଯିବ। ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ସମସ୍ତ ପାତ୍ର ଯଜ୍ଞବେଦିର ଜଳପାତ୍ର ତୁଲ୍ୟ ହେବ। 21 ସମସ୍ତ ଜଳପାତ୍ର ଯିରୁଶାଲମ ଓ ଯିହୁଦାରେ ‘ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହେବ।’ ନୈବେଦ୍ୟ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସେମାନଙ୍କଠାରୁ ଜଳପାତ୍ର ନେବେ ଏବଂ ବଳିଦାନର ମାଂସ ରନ୍ଧନ କରିବେ।
ସେହି ଦିନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିରରେ ଆଉ ବ୍ୟବସାୟୀ ନ ଥିବେ।
2010 by World Bible Translation Center