Beginning
37 ପ୍ରଭୁଙ୍କର ଆଜ୍ଞା ନ ହେଲେ,
ଜଣେ ଯାହା କହିବାର ଘଟେ ନାହିଁ।
38 ପରମେଶ୍ୱର ସମସ୍ତ ମଙ୍ଗଳ
ଓ ଅମଙ୍ଗଳର ସର୍ବୋପରିସ୍ଥ ଆଜ୍ଞାଦାତା।
39 ଯେପର୍ଯ୍ୟନ୍ତ ସେ ବଞ୍ଚିଛି
ତା'ର ପାପର ଦଣ୍ଡ ବିଧାନ ପାଇଁ କାହିଁକି ଆପତ୍ତି କରିବ?
40 ଆମ୍ଭେମାନେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା
ଓ ସଦାପ୍ରଭୁଙ୍କ ନିକଟକୁ ଫେରିବା।
41 ଆମ୍ଭେମାନେ ସ୍ୱର୍ଗାଧିନାୟକ ପରମେଶ୍ୱରଙ୍କ ଆଡ଼େ ଆପଣା ହୃଦୟ
ଏବଂ ହସ୍ତ ଉଠାଇବା।
42 ଆଉ ଆସ କହିବା, “ଆମ୍ଭେମାନେ ଆଜ୍ଞା ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ,
ତୁମ୍ଭେ କ୍ଷମା କରି ନାହଁ।
43 ତୁମ୍ଭେ ନିଜେ କ୍ରୋଧରେ ଆଚ୍ଛାଦିତ ହୋଇଛ
ଏବଂ ତୁମ୍ଭେ ଆମ୍ଭ ପଛରେ ଗୋଡ଼ାଇଛ
ଏବଂ ତୁମ୍ଭେ ଆମ୍ଭକୁ ନିର୍ଦ୍ଦୟ ଭାବରେ ବଧ କରିଛ।
44 ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦକରି ତୁମ୍ଭ ନିକଟକୁ ଯାଇ ନ ପାରିବ,
ସେଥିପାଇଁ ତୁମ୍ଭେ ନିଜକୁ ମେଘରେ ଆଚ୍ଛନ୍ନ କରିଅଛ।
45 ତୁମ୍ଭେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ
ଓ ଅଗ୍ରାହ୍ୟ ବସ୍ତୁତୁଲ୍ୟ କରିଅଛ।
46 ଆମ୍ଭମାନଙ୍କର ଶତ୍ରୁମାନେ
ଆମ୍ଭମାନଙ୍କୁ ଉପହାସ କରୁଛନ୍ତି।
47 ଆମ୍ଭେମାନେ ଭୟଭୀତ ହୋଇଅଛୁ,
ଆମ୍ଭେମାନେ ଖାତରେ ପଡ଼ିଅଛୁ
ଓ ଆମ୍ଭେମାନେ ଆହତ
ଓ ବିନଷ୍ଟ ହୋଇଅଛୁ।”
48 ମୋର ଲୋକମାନଙ୍କର ବିନାଶ ଦେଖି
ମୋର ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
49 ମୋର ବିଳାପ ହେତୁ
ଅବିରତ ଲୋତକ ଧାରା ବହିବ,
50 ଯେପର୍ଯ୍ୟନ୍ତ ସଦାପ୍ରଭୁ,
ସ୍ୱର୍ଗରୁ ନିରୀକ୍ଷଣ ଓ ଦେଖି ନାହାନ୍ତି।
51 ମୋର ସମସ୍ତ କନ୍ୟାଙ୍କର ଦୁର୍ଦ୍ଦଶା ଦେଖି
ମୋର ଚକ୍ଷୁ ମୋର ପ୍ରାଣକୁ ଦୁଃଖ ଦିଏ।
52 ବିନା କାରଣରେ ସେମାନେ ମୋର ଶତ୍ରୁ ହୋଇଛନ୍ତି
ଓ ପକ୍ଷୀ ପରି ମୋତେ ଶିକାର କରିଛନ୍ତି।
53 ସେମାନେ ମୋତେ କୂପରେ ନିକ୍ଷେପ କରିଛନ୍ତି
ଓ ମୋତେ ସଂହାର କରିବାକୁ ମୋ’ ଉପରେ ପ୍ରସ୍ତର ପକାଇ ଅଛନ୍ତି।
54 ମୋ’ ମସ୍ତକ ଉପରେ ଜଳ ବହିଗଲା
ଓ ମୁଁ କହିଲି, “ମୁଁ ଶେଷ ହେଲି।”
55 ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ
ତୁମ୍ଭ ନାମରେ ପ୍ରାର୍ଥନା କଲି।
56 ତୁମ୍ଭେ ମୋର ଆତୁର କ୍ରନ୍ଦନ ଶୁଣିଲ,
କିନ୍ତୁ ମୋର ଆର୍ତ୍ତନାଦ ପ୍ରତି
ଆପଣା କର୍ଣ୍ଣ ଲୁଗ୍ଭଅ ନାହିଁ।
57 ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ
ଓ କହିଲ, “ଭୟ କର ନାହିଁ।”
58 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରାଣର ସପକ୍ଷରେ ପ୍ରତିବାଦ କରିଅଛ,
ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
59 ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ଅନ୍ୟାୟ ତୁମ୍ଭେ ଦେଖିଅଛ,
ତୁମ୍ଭେ ତାହାର ବିଗ୍ଭର କର।
60 ତୁମ୍ଭେ ମୋର ଶତ୍ରୁମାନଙ୍କର ମୋ’ ପ୍ରତି ହୋଇଥିବା ପ୍ରତିଶୋଧ ଦେଖିଅଛ
ଓ ମୋ’ ବିରୁଦ୍ଧରେ ହୋଇଥିବା ସଂକଳ୍ପ ଦେଖିଅଛ।
61 ହେ ସଦାପ୍ରଭୁ, ମୋ’ ପ୍ରତି ହୋଇଥିବା ତିରସ୍କାର
ଓ ମୋ’ ବିରୁଦ୍ଧରେ ହୋଇଥିବା ସେମାନଙ୍କର ସଂକଳ୍ପ ତୁମ୍ଭେ ଶୁଣିଅଛ।
62 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଦିନସାରା କଥାବାର୍ତ୍ତା
ଓ ଚିନ୍ତାଧାରା ସବୁ କରନ୍ତି।
63 ତୁମ୍ଭେ ସେମାନଙ୍କର ବସିବାର ଓ ଠିଆ ହେବାର ନିରୀକ୍ଷଣ କରିଛ।
ଆଉ ଦେଖ, ସେମାନେ କିପରି ମୋତେ କରୁଛନ୍ତି।
64 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ
ସେମାନଙ୍କର କର୍ମାନୁସାରେ ପ୍ରତିଫଳ ଦିଅ।
65 ସେମାନଙ୍କୁ ଅଭିଶାପ ଦେବା ପାଇଁ
ମନକୁ ଶକ୍ତ କର।
66 କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଅ।
ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।
ଯିରୁଶାଲମ ଉପରେ ଆକ୍ରମଣର ଆତଙ୍କ
4 ଦେଖ, ସୁବର୍ଣ୍ଣ କିପରି ମଳିନ ହୋଇଅଛି।
ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି।
ପବିତ୍ର ସ୍ଥାନର ରତ୍ନସବୁ
ରାଜ ରାସ୍ତାରେ ବିକ୍ଷିପ୍ତ ହୋଇ ପଡ଼ିଅଛି।
2 ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ
ସିୟୋନର ସନ୍ତାନଗଣ ଥିଲେ।
ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ
ମାଟି କଳସ ତୁଲ୍ୟ ଗଣନା କରିଛନ୍ତି।
3 ଏପରିକି ଶୃଗାଳମାନେ
ନିଜ ନିଜ ଛୁଆମାନଙ୍କୁ ସ୍ତନ୍ୟପାନ କରାନ୍ତି।
ମାତ୍ର ଯିରୁଶାଲମ କନ୍ୟା
ମରୁଭୂମିର ଓଟପକ୍ଷୀ ପରି ନିଷ୍ଠୁର ହୋଇଛନ୍ତି।
4 ତୃଷା ହେତୁ, ସ୍ତନ୍ୟପାୟୀ ଶିଶୁର ଜିହ୍ୱା
ତାଳୁରେ ଲାଗି ଯାଉଛି।
ପିଲାମାନେ ରୋଟୀ ମାଗନ୍ତି,
ମାତ୍ର କେହି ସେମାନଙ୍କୁ ରୋଟୀ ଦିଅନ୍ତି ନାହିଁ।
5 ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ,
ସେମାନେ ବର୍ତ୍ତମାନ ରାସ୍ତାରେ ଅନାଥ ହୋଇଛନ୍ତି।
ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହୋଇଥିଲେ।
ସେମାନେ ଖତରାଶି ଅବଲମ୍ବନ କରୁଛନ୍ତି।
6 ଯିରୁଶାଲମ କନ୍ୟାମାନଙ୍କର ପାପ ସଦୋମ
ଓ ଗୋମୋରଠାରୁ ଅଧିକ।
ସଦୋମ ନିମିଷକ ମଧ୍ୟରେ ଧ୍ୱଂସପ୍ରାପ୍ତ ହେଲା
ଓ କେହି ତାକୁ ଆକ୍ରମଣ କରି ନ ଥିଲେ।
7 ଯିହୁଦାର କେତେକ ଲୋକ ପରମେଶ୍ୱରଙ୍କୁ ସ୍ୱତନ୍ତ୍ର ଭାବରେ ଉତ୍ସର୍ଗୀକୃତ ହୋଇଥିଲେ।
ସେମାନେ ନିର୍ମଳ ଥିଲେ;
ସେମାନେ ହିମ ଅପେକ୍ଷା ଅଧିକ ଶୁଭ୍ର,
ଦୁଗ୍ଧଠାରୁ ଅଧିକ ଶୁକ୍ଳ ଥିଲେ।
ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ
ଓ ସେମାନଙ୍କର କ୍ଳାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା।
8 ମାତ୍ର ବର୍ତ୍ତମାନ ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ,
ତେଣୁ ରାସ୍ତାରେ କେହି ସେମାନଙ୍କୁ ଚିହ୍ନନ୍ତି ନାହିଁ।
ସେମାନଙ୍କର ଚର୍ମ ଅସ୍ଥିରେ ଲାଗିଅଛି
ଓ ତାହା କାଠପରି ଶୁଷ୍କ ହୋଇଅଛି।
9 ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ଼୍ଗରେ ନିହତ ହୋଇଥିବା ଲୋକମାନେ ଭଲ,
କାରଣ ସେମାନଙ୍କର ଜୀବନ ସେମାନଙ୍କର ଶୁଷ୍କ ଜମିରେ ଖାଦ୍ୟ ଉତ୍ପନ୍ନ ପାଇଁ ଯେଭଳି,
ସେମାନେ କ୍ଷୁଧା ଦ୍ୱାରା ଘସି ହୋଇଛନ୍ତି।
10 ସ୍ନେହମୟୀ ମାମାନେ
ଆପଣା ପ୍ରିୟ ସନ୍ତାନମାନଙ୍କୁ ରାନ୍ଧିଲେ
କାରଣ ସେମାନେ ତାଙ୍କର ଏକମାତ୍ର ଖାଦ୍ୟ ଥିଲେ।
ଯେତେବେଳେ ଲୋକମାନଙ୍କ ବିନାଶର ସମୟ ଆସିଥିଲା।
11 ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ
ସିୟୋନ ଉପରେ ଢାଳି ଦେଲେ।
ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ,
ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।
12 ବିପକ୍ଷ ଲୋକ ଓ ଶତ୍ରୁ
ଯେ ଯିରୁଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ,
ଏହା ପୃଥିବୀସ୍ଥ ରାଜଗଣ
ଓ ଜଗତବାସୀ କେହି ବିଶ୍ୱାସ କରି ନ ଥିଲେ।
13 ଏହା ଘଟିଲା, କାରଣ ଯିରୁଶାଲମର ଯାଜକଗଣ
ଓ ଭବିଷ୍ୟଦ୍ବକ୍ତାଗଣ ପାପ କଲେ।
ଏବଂ ସେମାନେ ତାଙ୍କ ସତ୍ ଲୋକମାନଙ୍କର
ରକ୍ତପାତ କଲେ।
14 ସେହି ଯାଜକଗଣ ଓ ଭବିଷ୍ୟଦ୍ବକ୍ତାଗଣ
ଅନ୍ଧ ଲୋକପରି ରାସ୍ତାରେ ବୁଲିଲେ,
ସେମାନେ ରକ୍ତରେ ଅଶୁଚି ହୋଇଥିଲେ।
ତେଣୁ କେହି ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।
15 ଲୋକେ ସେମାନଙ୍କୁ ଡାକି କହିଲେ, “ଦୂର ହୁଅ, ଦୂର ହୁଅ।
ଆମ୍ଭମାନଙ୍କୁ ସ୍ପର୍ଶ କର ନାହିଁ।”
ସେମାନେ ଏଣେ ତେଣେ ବାସହୀନ ହୋଇ ବୁଲୁଥିବା ବେଳେ
ଅନ୍ୟ ଗୋଷ୍ଠୀୟମାନେ କହିଲେ,
“ସେମାନେ ଆମ୍ଭମାନଙ୍କ ସହିତ ଆଉ ଏଠାରେ ପ୍ରବାସ କରିବେ ନାହିଁ।”
16 ସଦାପ୍ରଭୁଙ୍କ କୋପରେ ସେମାନେ ବିନଷ୍ଟ ହୋଇଅଛନ୍ତି।
ସଦାପ୍ରଭୁ ଆଉ ସେମାନଙ୍କ ପ୍ରତି ଦୃଷ୍ଟିପାତ କରିବେ ନାହିଁ।
କାରଣ ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ
କି ଯିହୁଦାର ପ୍ରାଚୀନବର୍ଗଙ୍କୁ ଅନୁଗ୍ରହ କଲେ ନାହିଁ।
17 ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା।
ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ।
ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ,
ମାତ୍ର କୌଣସି ଗୋଷ୍ଠୀ
ଉଦ୍ଧାର କରିବାକୁ ଆସିଲେ ନାହିଁ।
18 ଆମ୍ଭମାନଙ୍କ ଶତ୍ରୁମାନେ ଆମ୍ଭମାନଙ୍କୁ କବଳିତ କରିବା ପାଇଁ ଛକି ରହିଲେ।
ତେଣୁ ଆମ୍ଭେମାନେ ରାସ୍ତାରେ ଗ୍ଭଲି ପାରିଲୁ ନାହିଁ।
ଆମ୍ଭମାନଙ୍କ ଶେଷ ନିକଟ ଅଟେ।
ଆମ୍ଭମାନଙ୍କର ଆୟୁ ଶେଷ ହୋଇଛି।
ଆମ୍ଭମାନଙ୍କର ଶେଷକାଳ ଉପସ୍ଥିତ।
19 ଆମ୍ଭମାନଙ୍କୁ ଗୋଡ଼ାଇଥିବା ଲୋକମାନେ
ଆକାଶର ଉତ୍କ୍ରୋଶପକ୍ଷୀଠାରୁ ଅଧିକ ବେଗଗାମୀ।
ସେମାନେ ଆମ୍ଭମାନଙ୍କୁ ପର୍ବତରେ ଗୋଡ଼ାଇଲେ
ଓ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଲୁଚି ରହିଲେ।
20 ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ୟ ଥିଲେ
ଓ ସେ ଆମ୍ଭର ନାସାର ନିଃଶ୍ୱାସସ୍ୱରୂପ ଥିଲେ।
ଆମ୍ଭେମାନେ କହୁଥିଲୁ,
“ତାଙ୍କର ଛାୟାତଳେ ଆମ୍ଭେମାନେ ବଞ୍ଚିବା
ଓ ସେ ଗୋଷ୍ଠୀୟମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ।”
ମାତ୍ର ସଦାପ୍ରଭୁଙ୍କ ସେହି ଅଭିଷିକ୍ତ ଲୋକ
ସେମାନଙ୍କ ଦ୍ୱାରା ଗର୍ତ୍ତରେ ଧରାଗଲେ।
21 ହେ ଇଦୋମର କନ୍ୟା ଓ ଉଷ ଦେଶ ନିବାସିନୀ,
ତୁମ୍ଭେମାନେ ଆନନ୍ଦ କର ଓ ପୁଲକିତା ହୁଅ।
ସଦାପ୍ରଭୁଙ୍କର ସେହି କ୍ରୋଧରୂପକ ପାନପାତ୍ର
ତୁମ୍ଭମାନଙ୍କ ନିକଟକୁ ଯିବ।
ତୁମ୍ଭେମାନେ ତାହା ପାନ କରି ମତ୍ତ ହେବ ଓ ଉଲଗ୍ନା ହେବ।
22 ହେ ସିୟୋନର କନ୍ୟା, ତୁମ୍ଭ ଅଧର୍ମର ଦଣ୍ଡ ଶେଷ ହୋଇଛି।
ତୁମ୍ଭେମାନେ ଆଉ ବନ୍ଦୀତ୍ୱ ସ୍ଥାନକୁ ଯିବ ନାହିଁ।
ହେ ଇଦୋମର କନ୍ୟା, ସଦାପ୍ରଭୁ ତୁମ୍ଭ ଅଧର୍ମର ଫଳ ଦେବେ।
ସେ ତୁମ୍ଭର ପାପସବୁ ଖୋଲି ଦେବେ।
ସଦାପ୍ରଭୁଙ୍କୁ ଏକ ବିନତି
5 ହେ ସଦାପ୍ରଭୁ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର।
ଆମ୍ଭମାନଙ୍କ ପ୍ରତି ହୋଇଥିବା ଅପମାନକୁ ଅବଲୋକନ କର।
2 ଆମ୍ଭମାନଙ୍କର ଦେଶ ବିଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
ଆମ୍ଭମାନଙ୍କର ଗୃହସବୁ ପରଦେଶୀୟମାନେ ଅଧିକାର କରିଛନ୍ତି।
3 ଆମ୍ଭେମାନେ ଅନାଥ
ଓ ପିତୃହୀନ ହୋଇଅଛୁ।
ଆମ୍ଭମାନଙ୍କ ମାମାନେ ବିଧବା ତୁଲ୍ୟ ହୋଇଛନ୍ତି।
4 ଆମ୍ଭେମାନେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦେଇ ପାନ କରିଅଛୁ
ଓ ଆମ୍ଭେମାନେ କାଠ କିଣି ବ୍ୟବହାର କରିଅଛୁ।
5 ଆମ୍ଭମାନଙ୍କ ସ୍କନ୍ଧରେ ବଳପୂର୍ବକ ଯୁଆଳି ରଖା ଯାଇଛି।
ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
6 ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ
ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ।
7 ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସେମାନେ ନାହାନ୍ତି।
ମାତ୍ର ସେମାନଙ୍କର ପାପର ଭାର ଆମ୍ଭେମାନେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
8 ଦାସମାନେ ଆମ୍ଭମାନଙ୍କର ଶାସକ ହୋଇଛନ୍ତି।
ସେମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ କେହି ନାହିଁ।
9 ପ୍ରାନ୍ତରରେ ଖଡ଼୍ଗ ଥିବାରୁ
ଆମ୍ଭେମାନେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
10 କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ।
ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
11 ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର
ସ୍ତ୍ରୀଲୋକମାନଙ୍କୁ ଧର୍ଷଣ କଲେ।
12 ସେମାନେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ।
ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
13 ଯିହୁଦାର ଯୁବକଗଣ ଚକି ବହନ କଲେ।
ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ।
14 ପ୍ରାଚୀନବର୍ଗ ନଗରଦ୍ୱାରରେ ଆଉ ବସୁ ନାହାନ୍ତି
ଓ ଯୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହୋଇଅଛନ୍ତି।
15 ଆମ୍ଭମାନଙ୍କ ହୃଦୟରୁ ଆନନ୍ଦ ଗ୍ଭଲି ଯାଇଛି।
ଆମ୍ଭମାନଙ୍କ ନୃତ୍ୟ ଶୋକରେ ପରିଣତ ହୋଇଅଛି।
16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି।
ଆମ୍ଭମାନଙ୍କ ଅବସ୍ଥା ଶୋଚନୀୟ ହୋଇଅଛି, କାରଣ ଆମ୍ଭେମାନେ ପାପ କରିଅଛୁ।
17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହୋଇଅଛି
ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହୋଇଅଛି।
18 ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି।
କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି।
19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ।
ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
20 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ?
ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ୟାଗ କରିଅଛ?
21 ହେ ସଦାପ୍ରଭୁ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ନିଅ।
ତହିଁରେ ଆମ୍ଭେମାନେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫେରି ଆସିବୁ।
ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
22 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।
ଆଉ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?
2010 by World Bible Translation Center