Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ।
45 ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ,
ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ।
ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ,
ନିପୁଣ ଲେଖକର କଲମରୁ ଆସିଲା ପରି।
2 ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ,
ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ,
ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
3 ହେ ବୀର, ତୁମ୍ଭର ଖଡ଼୍ଗ ଧାରଣ କର,
ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶୋଭା ପାଉ।
4 ତୁମ୍ଭେ ଆଶ୍ଚର୍ଯ୍ୟ ଦିଶୁଛ।
ଯାଅ ନ୍ୟାୟ ଓ ଧର୍ମପାଇଁ ଯୁଦ୍ଧରେ ବିଜୟୀ ହୁଅ।
ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅଦ୍ଭୂତ କାର୍ଯ୍ୟ କରିବାକୁ ପ୍ରଶିକ୍ଷିତ।
5 ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭେଦ କରିବାକୁ
ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।
6 ପରମେଶ୍ୱର,[a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବ।
ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
7 ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
8 ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡାଲ୍ଚିନି ମସଲାର ବାସନା ଭାସି ଆସୁଛି।
ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
9 ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।
10 ହେ ରାଜକୁମାରୀ, ଶୁଣ।
ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11 ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁଗ୍ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
13 ତା'ର ସମସ୍ତ ମହିମାରେ,
ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
ତା'ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।
16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ। ସେଲା
5 ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
ତାଙ୍କର ମହିମା ଗାନ କର।
7 ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
ତେଣୁ ତାଙ୍କର ମହିମା ଗାନ କର।
8 ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
9 ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।
କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।
48 ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
2 ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
3 ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
4 ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
5 କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
6 ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
ଓ ସେମାନେ ଭୟରେ ଥରି ଉଠିଲେ।
7 ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
8 ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି। ସେଲା
9 ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
ଯିହୁଦାର ସହର ସବୁ ଉଲ୍ଲସିତ।
କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
4 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲାପରେ ତୁମ୍ଭେ ଏପରି କୁହ ନାହିଁ ଯେ, ‘ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।’ ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। 5 ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। 6 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ଧାର୍ମିକତା ହେତୁରୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି। ଏହା ତୁମ୍ଭେମାନେ ଜାଣ, ଯେହେତୁ ତୁମ୍ଭେମାନେ ଜିଦ୍ଖୋର ଲୋକ।
ସଦାପ୍ରଭୁଙ୍କର କ୍ରୋଧକୁ ସ୍ମରଣ କର
7 “ତୁମ୍ଭେମାନେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୋଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭେମାନେ ତାହା ପାଶୋରି ଯାଅ ନାହିଁ। ତୁମ୍ଭେ ମିଶର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇଅଛ। 8 ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ। 9 ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି। ସେତେବେଳେ ମୁଁ ପର୍ବତରେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲି, ମୁଁ ଖାଦ୍ୟ କିଅବା ଜଳପାନ ମଧ୍ୟ କଲି ନାହିଁ। 10 ତା'ପରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ୟ ଯାହା ସଭାଦିନରେ ପର୍ବତର ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହା ସବୁ ସେଠାରେ ଲିଖିତ ହେଲା।
11 “ଆଉ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତରଫଳକ, ଅର୍ଥାତ ନିୟମର ପ୍ରସ୍ତରଫଳକ ମୋତେ ଦେଲେ। 12 ସଦାପ୍ରଭୁ ମୋତେ କହିଲେ, ‘ଉଠ, ଏସ୍ଥାନରୁ ଶୀଘ୍ର ତଳକୁ ଯାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ତୁମ୍ଭର ସେହି ଲୋକମାନେ ନିଜକୁ ଦୁର୍ନୀତିଗ୍ରସ୍ତ କରିଅଛନ୍ତି। ମୁଁ ସେମାନଙ୍କୁ ଯେଉଁ ପଥ ନିର୍ଦ୍ଦେଶ ଦେଇଥିଲି ତହିଁରୁ ସେମାନେ ଶୀଘ୍ର ବିମୁଖ ହେଲେ। ସେମାନେ ସେମାନଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।’
ମୋଶାଙ୍କଠାରୁ ଯୀଶୁ ମହାନ
3 ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। 2 ପରମେଶ୍ୱର ଯୀଶୁଙ୍କୁ ମହାଯାଜକ ସ୍ୱରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମୋଶାଙ୍କ ପରି ଯୀଶୁ ମଧ୍ୟ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କ ଗୃହରେ ଈଶ୍ୱର ଇଚ୍ଛା କରୁଥିବା ସମସ୍ତ କାର୍ଯ୍ୟ ସେ କଲେ। 3 ଯେତେବେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନାରେ ସେହି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ମୋଶାଙ୍କ ତୁଳନାରେ ଯୀଶୁ ଅଧିକ ସମ୍ମାନର ଯୋଗ୍ୟ। 4 ପ୍ରତ୍ୟେକ ଘର କୌଣସି ଲୋକ ଦ୍ୱାରା ନିର୍ମିତ। 5 କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ୱରଙ୍କ ଗୃହରେ ମୋଶା ଜଣେ ସେବକ ରୂପେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ଭବିଷ୍ୟତରେ ଯାହାକିଛି କହିବେ, ସେ ଲୋକମାନଙ୍କୁ ସେହି କଥା କହିଥିଲେ। 6 କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ବିଶ୍ୱସ୍ତ ଥିଲେ। ଆମ୍ଭେ ବିଶ୍ୱାସୀଗଣ ପରମେଶ୍ୱରଙ୍କ ଗୃହ ପରିବାର ସ୍ୱରୂପ ଅଟୁ। ଯଦି ଆମ୍ଭେ ସେହି ମହତ୍ ଆଶାର ଅପେକ୍ଷାରେ ଦୃଢ଼ ଓ ଅଟଳ ରହିବା, ତା'ହେଲେ ଆମ୍ଭ ଅନ୍ତରରେ ପରମେଶ୍ୱର ବାସ କରିବେ।
ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରି ଗ୍ଭଲିଥିବା
7 ଅତଏବ ପବିତ୍ରଆତ୍ମା କୁହନ୍ତି:
“ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ,
8 ତେବେ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ଦିନ
ଯେପ୍ରକାର ପରମେଶ୍ୱରଙ୍କ ବିରୁଦ୍ଧରେ ଥିଲେ,
ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
9 ଗ୍ଭଳିଶ୍ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମୋର କାର୍ଯ୍ୟ ଗୁଡ଼ିକ ଦେଖିଲେ।
ତଥାପି ସେମାନେ ମୋ’ ଧୈର୍ଯ୍ୟର ପରୀକ୍ଷା ନେଲେ।
10 ସେଥିପାଇଁ ମୁଁ ସେହି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି।
ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ୍ ଅଟେ।
ସେମାନେ ମୋର ମାର୍ଗ ବୁଝନ୍ତି ନାହିଁ।
11 ଅତଏବ ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି,
‘ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମସ୍ଥଳରେ[a] ପ୍ରବେଶ କରିବେ ନାହିଁ।’”(A)
ଯୀଶୁଙ୍କ ମନ୍ଦିର ପରିସର ପରିଷ୍କାର
(ମାଥିଉ 21:12-13; ମାର୍କ 11:15-17; ଲୂକ 19:45-46)
13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। 14 ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ କରୁଥିଲେ। 15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଚାବୁକ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ମେଜଗୁଡ଼ିକ ଓଲଟେଇ ଦେଲେ। 16 ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”
17 ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ:
“ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିବ।”(A)
18 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ପରମେଶ୍ବରଙ୍କଠାରୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”
19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ, ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।”
20 ସେଥିରେ ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରି ଦେବ?”
21 କିନ୍ତୁ ଯେତବେଳେ ଯୀଶୁ “ଏହି ମନ୍ଦିର” କହିଲେ, ସେତେବେଳେ ସେ ଆପଣା ଶରୀରରୂପ ମନ୍ଦିର ସମ୍ଵନ୍ଧରେ କହୁଥିଲେ। 22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।
2010 by World Bible Translation Center