Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 137

137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
    ସେଠାରେ ବସି ରୋଦନ କଲୁ।
ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
    ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
    “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
    ବିଦେଶରେ ଗାନ କରି ପାରିବା!
ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
    ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
ହେ ଯିରୁଶାଲମ,
    ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
    ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।

ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
    ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
    ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
    ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
    ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।

ଗୀତସଂହିତା 144

ଦାଉଦଙ୍କ ଗୀତ

144 ସଦାପ୍ରଭୁ ମୋର ଶୈଳ,
    ତାହାଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
    ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
    ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
    ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
    ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।

ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
    ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
ମନୁଷ୍ୟ ଜୀବନ ପବନର ଫୁତ୍କାର।
    ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।

ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
    ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
    ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
    ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
    ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
ସେହି ଶତ୍ରୁଗଣ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
    ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
    ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
    ସେହି ଶତ୍ରୁମାନେ ମିଥ୍ୟାବାଦୀ,
    ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।

12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
    ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
    ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
    ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14     ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
    ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
    ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
    ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।

ଗୀତସଂହିତା 104

104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ସଦାପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
    ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
    ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
    ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
    ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି[a] ସଦୃଶ କର।
ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
    ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ।
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
    ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
    ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
    ଏବଂ ତା'ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
    ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
    ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

10 ପରମେଶ୍ୱର, ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
    ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
    ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
    ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
    କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
    ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
    ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
    ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ
    ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।

16 ଲିବାନୋ‌ନ୍‌ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
    ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
    ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
    ଶୈଳସବୁ ଶାଫନର[b] ଆଶ୍ରୟ।

19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
    ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
    ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
    ସତେ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
    ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା'ର କାମକୁ ବାହାରେ
    ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
    ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
    ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
    ତହିଁରେ ଖେଳିବା ପାଇଁ
    ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।

27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
    ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
    ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
    ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
    ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
    ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
    ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
    ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।

33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
    ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

ଋତର ବିବରଣ ପୁସ୍ତକ 4:1-17

ବୋୟାଜ ଏବଂ ତାଙ୍କର ସମ୍ପର୍କୀୟ

ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା।

ଏହା ପରେ ବୋୟାଜ କେତେକ ସାକ୍ଷୀ ଠୂଳ କଲେ। ସେମାନେ ନଗରର ଦଶ ଜଣ ବୟୋଜ୍ୟେଷ୍ଠ ଥିଲେ। ସେ ସେମାନଙ୍କୁ କହିଲେ, “ଏହିଠାରେ ବସ, ତେଣୁ ସେମାନେ ସେଠାରେ ବସିଲେ।”

ବୋୟାଜ ସେମାନଙ୍କର ରକ୍ଷାକର୍ତ୍ତାକୁ କହିଲା, “ନୟମୀ ପର୍ବତମୟ ଦେଶ ମୋୟାବରୁ ଫେରିଅଛି। ଏବଂ ସେ ତା'ର ଭୂମିକୁ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା।[a] ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି।

ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।”

ଏହା ପରେ ବୋୟାଜ କହିଲା, “ଯେବେ ତୁମ୍ଭେ ନୟମୀଠାରୁ ଏହି ଜମି କିଣିଛ, ତେବେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମୋୟାବୀୟ ଋତକୁ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକୁ ବିବାହ କରିବା ଉଚିତ୍। ଏହିପରି ଭାବରେ ସେହି ଜମି ମୃତ ଲୋକର ନାମରେ ରହିଯିବ।”

ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।” ବହୁ ଦିନ ପୂର୍ବରୁ ଯେତେବେଳେ ଲୋକମାନେ ସେମାନଙ୍କର କଠଉ ଅନ୍ୟକୁ ଦିଅନ୍ତି, ଏହା ଇସ୍ରାଏଲରେ ବନ୍ଧକ ସମ୍ପତ୍ତି ମୁକୁଳାଇବାର ସାକ୍ଷୀ ଅଟେ। ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟାଜକୁ “ସେହି ଭୂମି କିଣିବାକୁ” କହିଲା। ସେ ତା'ର ପାଦୁକା କାଢ଼ି ତାଙ୍କୁ ଦେଲା।

ଏହା ପରେ ବୋୟାଜ, ପ୍ରାଚୀନବର୍ଗ ଓ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁଁ ଆଜି ନୟମୀଠାରୁ ସମସ୍ତ କିଣୁଅଛି। ଯାହାକି ସବୁ ଏଲିମେଲକ, କିଲିୟୋନ ଏବଂ ମହଲୋନର ଥିଲା। 10 ମୁଁ ମଧ୍ୟ ମୋୟାବ ଦେଶୀୟ ମୃତ ମହଲୋନର ବିଧବା ସ୍ତ୍ରୀ ଋତକୁ ମୋର ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳରେ ମୃତ ବ୍ୟକ୍ତିର ଜମିଜମା ସବୁ ତା'ର ପରିବାରରେ ରହିବ। ଏହି ପ୍ରକାରରେ ମୃତ ଲୋକର ନାମ ପୁରାପୁରି ଭୂଲି ହେବ ନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।”

11 ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ,

“ରାହେଲ ଓ ଲେୟାପରି ଯିଏ କି
    ଇସ୍ରାଏଲର ଗୃହ ନିର୍ମାଣ କଲେ,
ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ
    ତୁମ୍ଭର ଗୃହକୁ ଆଣନ୍ତୁ।
ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ
    ଓ ବୈ‌ଥ୍‌ଲେହମରେ ପ୍ରସିଦ୍ଧ ହୁଅ।
12 ସଦାପ୍ରଭୁ ଏହି ଯୁବତୀ ଦ୍ୱାରା
    ତୁମ୍ଭକୁ ଯେଉଁ ସନ୍ତାନ ଦେବେ,
ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ
    ଯିହୁଦାରେ ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”

13 ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। 14 ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ,

“ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି।
    ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ।
15 ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ
    ଓ ତୁମ୍ଭକୁ ପ୍ରତିପାଳନ କରିବ।
ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା
    ତୁମ୍ଭକୁ ଅଧିକ ପ୍ରେମ କରିବ।”

16 ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା'ର ପ୍ରତିପାଳନ କଲା। 17 ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13-5:10

13 ଶାସ୍ତ୍ରରେ ଲେଖାଅଛି: “ମୁଁ ବିଶ୍ୱାସ କଲି, ଏଣୁ ସ୍ପଷ୍ଟ କହିଲି।”(A) ଆମ୍ଭର ବିଶ୍ୱାସ ମଧ୍ୟ ସେହିଭଳି ଅଟେ। ଆମ୍ଭେ ବିଶ୍ୱାସ କରୁ, ସେଥିପାଇଁ ଆମ୍ଭେ କହୁ। 14 କାରଣ ଆମ୍ଭେ ଜାଣୁ ଯେ, ଯେଉଁ ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ପୁନରୁ‌ତ୍‌‌ଥିତ କଲେ, ସେ ଆମ୍ଭକୁ ମଧ୍ୟ ଯୀଶୁଙ୍କ ସହ ପୁନରୁ‌ତ୍‌‌ଥିତ କରିବେ। 15 ସେ ଆମ୍ଭକୁ ମଧ୍ୟ ତୁମ୍ଭମାନଙ୍କ ସହିତ ନିଜ ସମ୍ମୁଖରେ ଠିଆ କରିବେ। ଏହି ବିଷୟକୁ ତୁମ୍ଭମାନଙ୍କ ପାଇଁ କରା ଯାଉଛି। ଏହା ଦ୍ୱାରା ଅନେକ ଲୋକ ଯେପରି ପରମେଶ୍ୱରଙ୍କ ଅନୁଗ୍ରହ ପାଇ ପାରିବେ। ପରମେଶ୍ୱରଙ୍କ ମହିମା ନିମନ୍ତେ ତାହାଙ୍କୁ ଅଧିକରୁ ଅଧିକ ଧନ୍ୟବାଦ ଅର୍ପଣ କରାଯିବ।

ବିଶ୍ୱାସରେ ଜୀବନ କାଟିବା

16 ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। 17 ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ। ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ। ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ। ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା'ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ। ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ।

ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ଯ୍ୟନ୍ତ ଆମ୍ଭେ ଏହି ଦେହରେ ଅଛୁ ସେପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କଠାରୁ ଦୂରରେ ଅଛୁ। ଆମ୍ଭେ ଯାହା ଦେଖୁ, ତା’ ସାହାଯ୍ୟରେ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପରିଗ୍ଭଳିତ ହେଉ, ସେଥିପାଇଁ ମୁଁ କୁହେ ଯେ, ଆମ୍ଭମାନଙ୍କର ଆଶା ଅଛି। ଆମ୍ଭେମାନେ ଏହି ଶରୀରରୁ ଦୂରକୁ ଯିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହେବାକୁ ଅଧିକ ପସନ୍ଦ କରୁ। ଆମର ଏକମାତ୍ର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠାରେ ବାହ୍ୟିକ ଶରୀର ଧାରଣ କରି ରହୁ ବା ସେଠାରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଗ୍ଭହୁଁ। 10 ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ।

ମାଥିଉ ଲିଖିତ ସୁସମାଗ୍ଭର 6:1-16

ଦାନ ବିଷୟରେ ଯୀଶୁଙ୍କ ଉପଦେଶ

“ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।

“ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା'ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।

ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା

(ଲୂକ 11:2-4)

“ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା'ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।

“ତୁମ୍ଭେ ପ୍ରାର୍ଥନା କଲାବେଳେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ଭଳି ନିରର୍ଥକ କଥା ବାରମ୍ବାର କୁହ ନାହିଁ। ସେମାନେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ୱର ଶୁଣିବେ। ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି। ଏଣୁ ଏହିଭଳି ପ୍ରାର୍ଥନା କର:

‘ହେ ସ୍ୱର୍ଗରେ ଥିବା ଆମ୍ଭର ପରମପିତା,
    ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
10 ତୁମ୍ଭର ରାଜ୍ୟ ଆସୁ।
    ସ୍ୱର୍ଗରେ ତୁମ୍ଭ ଇଚ୍ଛା ସଫଳ ହେବାଭଳି ଏ ପୃଥିବୀରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।
11 ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
12 ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ,
    ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
13 ଆମ୍ଭକୁ ପରୀକ୍ଷାରେ ପକାଅ ନାହିଁ।
    ମାତ୍ର ମନ୍ଦଠାରୁ ରକ୍ଷା କର।’[a]

14 ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦେବ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ୟ କ୍ଷମା କରିଦେବେ। 15 କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦେବ ନାହିଁ, ତେବେ ତୁମ୍ଭର ପରମପିତା ମଧ୍ୟ ତୁମ୍ଭ ଅପରାଧ ଗୁଡ଼ିକ ପାଇଁ ତୁମ୍ଭକୁ କ୍ଷମା ଦେବେ ନାହିଁ।

ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ

16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center