Book of Common Prayer
ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।
30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
2 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।
4 ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
5 ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।
6 ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
7 ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
8 ତେଣୁ ହେ ପରମେଶ୍ୱର,
ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
9 ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
ହେ ସଦାପ୍ରଭୁ ମୋର ସହାୟ ହୁଅ।”
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ
32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
2 ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।
3 ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
4 ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ।
5 କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ।
6 ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
7 ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି।
8 ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
9 ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”
10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।
ଦ୍ୱିତୀୟ ଖଣ୍ଡ
(ଗୀତସଂହିତା 42-72)
ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।
42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
2 ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
3 ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।
4 ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।
5 ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ?
“ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
ସେ ମୋତେ ରକ୍ଷା କରିବେ।
6 ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
7 ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ ।
ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।
8 ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
9 ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”
11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
ଓ ସେ ମୋତେ ଉଦ୍ଧାର କରିବେ।
43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
2 ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
କାହିଁକି ମୁଁ ଏତେ ଦୁଃଖ ପାଇବି।
3 ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
4 ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।
5 ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
ସେ ମୋତେ ରକ୍ଷା କରିବେ।
15 ଧୈର୍ଯ୍ୟ କଥାବାର୍ତ୍ତା ମାଧ୍ୟମରେ ଜଣେ ଶାସକ ଶାନ୍ତି ଦେବ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
16 ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ୟକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତେବେ ତୁମ୍ଭେ ଅସୁସ୍ଥ ହେବ। 17 ଠିକ୍ ସେହିପରି, ତୁମ୍ଭର ପ୍ରତିବାସୀ ଗୃହକୁ ଅଧିକ ଯାଅ ନାହିଁ। ଯଦି ତୁମ୍ଭେ ଏପରି କର ତେବେ ସେ ତୁମ୍ଭକୁ ଘୃଣା କରିବ।
18 ଜଣେ ଯିଏ ତା’ର ପଡ଼ୋଶୀ ବିପକ୍ଷରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ଼୍ଗ ଓ ତୀକ୍ଷ୍ଣ ବାଣ ସ୍ୱରୂପ ଭୟଙ୍କର ଅଟେ। 19 ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
20 ଦୁଃଖପୂର୍ଣ୍ଣ ଲୋକ ନିକଟରେ ଖୁସୀ ଗୀତ ଗାଇବା ଶୀତକାଳରେ ବସ୍ତ୍ର କାଢ଼ିନେବା ଓ ସୋଢ଼ା ଉପରେ ଅମ୍ଳରସ ମିଶାଇବା ପରି ଅଟେ।
21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯେବେ ତୃଷିତ ହୁଏ, ତାହାକୁ ଜଳପାନ କରାଅ। 22 ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
23 ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେହିପରି ଖଚୁଆର ଜିହ୍ୱା କ୍ରୋଧ ଦୃଷ୍ଟିର ଉତ୍ପାଦକ।
24 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।
25 ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଗ୍ଭର ସେହିପରି ଅଟେ।
26 ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗରେ ବିଚଳିତ ଧାର୍ମିକ ଠିକ୍ ସେହିପରି ଅଟେ।
27 ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସେହିପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।
28 ଜଣେ ଯିଏ ନିଜକୁ ଆୟତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ୟ ଅଟେ।
6 ଯଦି ଜଣେ ଲୋକ ତା’ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହେ, ତା’ହେଲେ ପ୍ରକୃତରେ ପରମେଶ୍ୱରଙ୍କ ସେବା ଦ୍ୱାରା ସେହି ଲୋକ ବହୁତ ଧନୀ ହୋଇଯାଏ। 7 ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତେବେଳେ ଆମ୍ଭେ ମରିଯିବା ଏଠାରୁ କିଛି ନେଇ ଯାଇ ପାରିବା ନାହିଁ। 8 ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥିରେ ସନ୍ତୁଷ୍ଟ ରହିବା। 9 ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ। 10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।
କେତୋଟି ମନେ ରଖିବା କଥା
11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର। 12 ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ। 13 ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି। 14 ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର। 15 ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। 16 ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।
17 ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି। 18 ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ। 19 ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା’ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ।
20 ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ। 21 କେତେ ଲୋକ କୁହନ୍ତି ଯେ ସେମାନଙ୍କର ସେହି “ଜ୍ଞାନ” ଅଛି। ସେମାନେ ସତ୍ୟ ବିଶ୍ୱାସକୁ ତ୍ୟାଗ କରି ସାରିଛନ୍ତି।
ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।
ଗହମ ଓ ବାଳୁଙ୍ଗା ଦୃଷ୍ଟାନ୍ତର ବ୍ୟାଖ୍ୟା
36 ତା’ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।”
37 ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର [a] 38 ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। 39 ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।
40 “ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। 41 ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। 42 ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। 43 ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।
2010 by World Bible Translation Center