Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 24

ଦାଉଦଙ୍କର ସଙ୍ଗୀତ।

24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
    ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
    ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
    କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
    ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହାନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
    କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।

ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
    ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
    ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି। ସେଲା

ହେ ନଗର ଫାଟକ, ତୁମ୍ଭର ମସ୍ତକ ଟେକ।
    ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
କିଏ ସେହି ଗୌରବମୟ ରାଜା?
    ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
    ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।

ହେ ଫାଟକ ସବୁ ଖୋଲି ଯାଅ।
    ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
    ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ସେଲା

ଗୀତସଂହିତା 29

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ଗୀତସଂହିତା 8

ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
    ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
    ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
    ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
“କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
    କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”

କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
    ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
    ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
ଆକାଶର ଉଡ଼ୁଥିବା ପକ୍ଷୀମାନେ
    ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।

ଗୀତସଂହିତା 84

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।

84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ, ତୁମ୍ଭର ପବିତ୍ର ତମ୍ବୁ[a] ବାସ୍ତବରେ ସୁନ୍ଦର ଅଟେ।
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
    ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
    ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
    ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
    ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ। ସେଲା

ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
    ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
    ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
    ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
    ଲୋକମାନେ ସହରରୁ ସହରକୁ[b] ଭ୍ରମଣ କରନ୍ତି।

ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର। ସେଲା

ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
    ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।

10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
    ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
    ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା'ର ଆଲୋକର କିରଣ ତଳକୁ ପଠାଇବା ପରି
    ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
    ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
    ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।

ନିହିମିୟାଙ୍କର ପୁସ୍ତକ 5

ନିହିମିୟା ଗରିବଲୋକମାନଙ୍କୁ ସାହାଯ୍ୟ କଲେ

ଅନେକ ଲୋକେ ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଆମ୍ଭମାନଙ୍କର ଅନେକ ପୁତ୍ର ଓ କନ୍ୟା ଅଛନ୍ତି, ଆସ ବଞ୍ଚିବା ପାଇଁ ଶସ୍ୟ କିଣିବା।”

ଅନ୍ୟ ଲୋକେ କହିଲେ, “ଏହା ଦୁର୍ଭିକ୍ଷ ସମୟ, ଆମ୍ଭଙ୍କୁ ଖାଦ୍ୟ ଦିଅ ଏବଂ ଆମ୍ଭମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଗୃହ ଇତ୍ୟାଦି ବନ୍ଧକଭାବେ ଏକାଥରେ ନେଇଯାଅ।”

ଆହୁରି ଅନ୍ୟ ଲୋକେମାନେ କହିଲେ, “ଆମ୍ଭେମାନେ ରାଜକର ପାଇଁ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରାଋଣ କରିଛୁ। ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”

ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି। ମୁଁ ଏ ବିଷୟରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧରେ ଏକ ନ୍ୟାୟିକ ବାଦାନୁବାଦ କଲି। ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସେଇଟା ବନ୍ଦ କରିବା ଉଚିତ୍।” ଏହା ପରେ ମୁଁ ଏକ ମହାସଭା ଡାକିବି। ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।”

ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ। ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ। 10 ମୁଁ, ମୋର ଆତ୍ମୀୟଗଣ ଏବଂ ମୋର ଦାସମାନେ ଅନ୍ୟମାନଙ୍କୁ ଟଙ୍କା ଏବଂ ଶସ୍ୟର ଉଧାର ଦେଉଅଛୁ। କିନ୍ତୁ ଆସ ସେମାନଙ୍କଠାରୁ ସୁଧ ଆଦାୟ କରିବା ନାହିଁ। 11 ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।”

12 ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।”

ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି। 13 ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତା'ର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।”

ତା'ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।

14 ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତି ଥିବା ସମୟାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ୍ ବର୍ଷପର୍ଯ୍ୟନ୍ତ ସେହି ବାରବର୍ଷ ମୁଁ କିମ୍ବା ମୋର ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ। 15 ମାତ୍ର ମୋର ପୂର୍ବାବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା। ଆଉ ସେମାନେ ଗ୍ଭଳିଶ୍ ଶେକଲ ରୌପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। 16 ମୁଁ ଯିରୁଶାଲମର ପ୍ରାଚୀର କାର୍ଯ୍ୟରେ ନିଜକୁ ନିୟୋଜିତ କଲି। ମୁଁ କୌଣସି ଭୂମି କିଣିଲି ନାହିଁ ଏବଂ ମୋର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ବ୍ୟସ୍ତ ରହିଲେ।

17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ 150 ଲୋକ ମୋ’ ଭୋଜନ ଆସନରେ ବସିଲେ। 18 ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମେଷ ରୋଷେଇ କରାଗଲା। ମୋ’ ପାଇଁ କେତେକ ପକ୍ଷୀପାକ କରାଗଲା ଓ ଦଶ ଦିନରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହୋଇଥିଲା। 19 ହେ ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଉତ୍ତମ କାର୍ଯ୍ୟ କରିଅଛି, ମୋର ତାହା ସବୁ ସ୍ମରଣ କର।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 20:7-12

ପାଉଲଙ୍କର ତ୍ରୋୟା ଯାତ୍ରା

ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ। ଆମ୍ଭେ ଯେଉଁଠି ଏକାଠି ହୋଇଥିଲୁ, ସେହି ଉପର ଘରେ ଅନେକଗୁଡ଼ିଏ ଦୀପ ଥିଲା। ଇଉତୁଖ ନାମକ ଜଣେ ଯୁବକ ଝରକା କଡ଼ରେ ବସି ଖୁବ୍ ନିଦରେ ଶୋଇ ପଡ଼ିଥିଲା। ପାଉଲ କହି ଗ୍ଭଲିଥିଲାବେଳେ ସେ ନିଘୋଡ଼ ନିଦରେ ଶୋଇପଡ଼ି ତିନି ମହଲାରୁ ଖସି ପଡ଼ିଲା। ଯେତେବେଳେ ସେମାନେ ତାହାକୁ ଉଠାଇଲେ, ସେ ମରିସାରିଥିଲା।

10 ପାଉଲ ତଳକୁ ଆସି ଆଣ୍ଠେଇ ପଡ଼ିଲେ, ଓ ତାହାକୁ ନିଜ ହାତରେ ଟେକିନେଲେ ଓ କହିଲେ, “ତୁମ୍ଭେମାନେ ବ୍ୟସ୍ତ ହୁଅ ନାହିଁ। ସେ ଏବେ ଜୀବିତ ହେବ।” 11 ତା'ପରେ ପାଉଲ ଉପରକୁ ଯାଇ ରୋଟୀ ଭାଙ୍ଗି ଖାଇଲେ। ସେ ସେମାନଙ୍କ ସହିତ ଅଧିକ ସମୟ ପାହାନ୍ତିଆ ପର୍ଯ୍ୟନ୍ତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। 12 ସେମାନେ ଯୁବକକୁ ଜୀବିତ ପାଇ ଘରକୁ ନେଇଗଲେ ଓ ବହୁତ ଆଶ୍ୱସ୍ତ ହେଲେ।

ଲୂକ ଲିଖିତ ସୁସମାଗ୍ଭର 12:22-31

ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା

22 ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। 23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। 24 ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। 25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? 26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ?

27 “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। 28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା'ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ?

29 “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। 30 ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। 31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center