Book of Common Prayer
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
111 ସଦାପ୍ରଭୁଙ୍କର ପ୍ରଶଂସା କର।
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା'ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା'ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା'ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
ରାଜା ଯିହୋୟାକୀମ୍ ଯିରିମିୟଙ୍କ ନଳାକାର ପୁସ୍ତକ ଦହନ କରନ୍ତି
36 ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ଚତୁର୍ଥ ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା। ଯଥା: 2 “ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ୱ କାଳରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା କରିଅଛୁ, ସେ ସମସ୍ତ ସେହି ପୁସ୍ତକରେ ଲେଖ। 3 ମୁଁ ତାଙ୍କ ଉପରକୁ ବିପର୍ଯ୍ୟୟ ଆଣିବାର ଯୋଜନା ଶୁଣିଲା ପରେ ଏହା ଏପରି ହୋଇପାରେ, ସେମାନେ ଭୁଲ ରାସ୍ତାରୁ ଫେରି ପାରନ୍ତି ଏବଂ ତା'ପରେ ମୁଁ ସେମାନଙ୍କୁ କ୍ଷମା କରି ଦେବି।”
4 ତେଣୁ ଯିରିମିୟ ନେରିୟର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ୟ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ। 5 ତା'ପରେ ଯିରିମିୟ ବାରୂକକୁ କହିଲେ, “ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇପାରିବି ନାହିଁ, କାରଣ ମୋତେ ମନ୍ଦିରରେ ପ୍ରବେଶ କରିବାକୁ ମନା। 6 ତେଣୁ ତୁମ୍ଭେ ଯାଅ ଓ ମୋ’ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିରରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ଆଉ ମଧ୍ୟ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର। 7 ସେମାନେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତରେ ନିଜ ନିଜର ବିନତି ଜଣାଇବେ ଓ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଫେରିବେ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ଭୟଙ୍କର କ୍ରୋଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।” 8 ତେଣୁ ନେରିୟର ପୁତ୍ର ବାରୂକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କର କହିବାନୁସାରେ ସମସ୍ତ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ପାଠ କଲେ।
9 ଏହା ପରେ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ରାଜତ୍ୱର ପଞ୍ଚମ ବର୍ଷର ନବମ ମାସରେ ଯିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଯିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ। 10 ସେତେବେଳେ ବାରୂକ ସେହି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ୟ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଗମରିୟର କୋଠରୀରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚରରେ ତାହା ପାଠ କଲେ।
ଲୁସ୍ତ୍ରା ଓ ଦର୍ବୀରେ ପାଉଲ
8 ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। 9 ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା'ର ବିଶ୍ୱାସ ଅଛି। 10 ସେ ଖୁବ୍ ଜୋର୍ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।
11 ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋର୍ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” 12 ଲୋକମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13 ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।
14 କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: 15 “ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।
16 “ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। 17 କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”
18 ଏସବୁ କଥା କହି ପାଉଲ ଓ ବର୍ଣ୍ଣବ୍ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।
ଫାରୂଶୀ ଶିମୋନ
36 ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।
37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। 38 ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତା'ପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇ ଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳି ଦେଲା।
39 ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”
40 ଯୀଶୁ ଫାରୂଶୀଙ୍କୁ କହିଲେ, “ଶିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି।”
ଶିମୋନ କହିଲେ, “ଗୁରୁ, କୁହନ୍ତୁ!”
41 ଯୀଶୁ କହିଲେ, “କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନେଇଥିଲେ। ଜଣେ ପାଞ୍ଚଶହ ରୂପାଟଙ୍କା କରଜ ନେଇଥିଲା ଓ ଆଉ ଜଣେ ପଗ୍ଭଶ୍ଟି ରୂପାଟଙ୍କା ନେଇଥିଲା। 42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?
43 ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।”
ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।” 44 ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲିପଡ଼ି ଶିମୋନଙ୍କୁ କହିଲେ, “ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇ ଦେଲା। ଏବଂ ତା ବାଳରେ ପୋଛିଦେଲା। 45 ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ, କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି, ସେସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରି ନାହିଁ। 46 ତୁମ୍ଭେ ମୋ’ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ’ ପାଦରେ ଅତର ଲଗାଇଲା। 47 ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଅନେକ ପାପକ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ।”
48 ତା'ପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, “ତୋର ପାପକ୍ଷମା କରି ଦିଆଗଲା।”
49 ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ, ସେମାନେ ମନେ ମନେ ଭାବିବାକୁ ଲାଗିଲେ, “ଏ ଲୋକ ନିଜକୁ କ’ଣ ଭାବୁଛି? ସେ କିପରି ପାପଗୁଡ଼ିକୁ କ୍ଷମା କରି ପାରିବ?”
50 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। “ଶାନ୍ତିରେ ଯାଅ।”
2010 by World Bible Translation Center