Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 89

ଇଷ୍ରାହୀୟ ଏଥନର ମସ୍କୀଲ୍।

89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
    ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
    ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
    ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
    ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’”

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
    ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
    “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
    ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
    ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
    ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
    ସେ ଏକ ଶବପରି ଥିଲା।
    ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
    ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
    ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
    ତୁମ୍ଭର ଶକ୍ତି ମହାନ।
    ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
    ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
    ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
    ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି।
    ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
    ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
    ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
    ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
    ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
    ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
    ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
    ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
    ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
    ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
    ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
    ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
    ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।
30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି
    ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।
31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି
    ଏବଂ ମୋ’ ଆଜ୍ଞା ନ ପାଳନ୍ତି,
32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ
    ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।
33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ।
    ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ
    କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ।
    ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।
36 ଦାଉଦର ବଂଶ ସଦାକାଳ ରହିବ।
    ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।
37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ।
    ଏହା ଆକାଶପରି ଚିରଦିନ ପାଇଁ ରହିବ।”

38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି,
    ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ।
    ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।
40 ତୁମ୍ଭେ ତା’ର ସମସ୍ତ ପ୍ରାଚୀର ଭାଙ୍ଗିଅଛ।
    ତୁମ୍ଭେ ତା’ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି।
    ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ।
    ତୁମ୍ଭେ ତା’ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।
43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ।
    ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।
44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ।
    ତୁମ୍ଭେ ତା’ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
45 ତୁମ୍ଭେ ତା’ର ଜୀବନକୁ କ୍ଷୀଣ କଲ।
    ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।

46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ?
    ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ?
    ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?
47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ।
    ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।
48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ।
    ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ।

49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା।
    ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି,
    ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ।
    ଆମେନ୍! ଆମେନ୍!

ରାଜାବଳୀର ଦ୍ୱିତୀୟ ପୁସ୍ତକ 17:24-41

Foreigners Settle in Israel

24 ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅବ୍ବା, ହମାତ୍ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲୀୟମାନଙ୍କ ବଦଳରେ ଶମରିୟାର ବିଭିନ୍ନ ନଗରରେ ସ୍ଥାପନ କଲେ। ତହୁଁ ସେମାନେ ଶମରିୟା ଅଧିକାର କରି ସେଠାରେ ନାନା ନଗରରେ ବାସ କଲେ। 25 ଏହି ଲୋକମାନେ ଶମରିୟାରେ ଯେତେବେଳେ ବାସ କରିବାକୁ ଆରମ୍ଭ କଲେ ସେତେବେଳେ ସେମାନେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ। ତେଣୁ ସଦାପ୍ରଭୁ ସେମାନଙ୍କୁ ଆକ୍ରମଣ କରିବାକୁ ସିଂହ ପଠାଇଲେ। ସିଂହମାନେ ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କଲେ। 26 ଏଣୁ କେତେକ ଲୋକ ଅଶୁରର ରାଜାକୁ କହିଲେ, “ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିୟାରେ ରଖିଲେ, ସେହି ଦେଶର ଦେବତାମାନଙ୍କର ନିୟମ ଜାଣନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ହତ୍ୟା କରିବାକୁ ପଠାଉଛନ୍ତି। କାରଣ ସେହି ଲୋକମାନେ ସେହି ଦେଶର ଦେବତାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ।”

27 ତେଣୁ ଅଶୂର ରାଜା ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ସେଠାରୁ ଯେଉଁ ଯାଜକମାନଙ୍କୁ ବାଛିଅଛ, ସେମାନଙ୍କ ମଧ୍ୟରୁ ସେଠାକୁ ନେଇଯାଅ। ସେମାନେ ସେଠାକୁ ଯାଇ ବାସ କରନ୍ତୁ ଓ ସେ ସ୍ୱଦେଶୀୟ ଦେବତାର ବିଧି ଲୋକମାନଙ୍କୁ ଶିଖାଉ।”

28 ତେଣୁ ଅଶୂରର ଲୋକମାନେ ଶମରିୟାରୁ ଆଣିଥିବା ଯାଜକମାନଙ୍କ ମଧ୍ୟରୁ ଜଣକୁ ବୈଥେ‌ଲ୍‌କୁ ନେଇଗଲେ। ସେ ଯାଜକ ସଦାପ୍ରଭୁଙ୍କୁ କିପରି ଭୟ କରିବା ଉଚିତ୍, ତାହା ସେମାନଙ୍କୁ ଶିକ୍ଷା ଦେଲେ।

29 ମାତ୍ର ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ଦେବତା ନିର୍ମାଣ କଲେ। ସେମାନେ ତାଙ୍କର ଦେବତାମାନଙ୍କୁ ଉଚ୍ଚସ୍ଥାନମାନଙ୍କରେ ପୂଜା କଲେ। ଯେଉଁସବୁ ମନ୍ଦିର ଶମରିୟାର ଲୋକମାନେ ନିର୍ମାଣ କରିଥିଲେ, ତହିଁ ମଧ୍ୟରୁ ସେମାନେ ମିଥ୍ୟା ଦେବତାମାନଙ୍କୁ ସେମାନଙ୍କର ସମସ୍ତ ନଗରଗୁଡ଼ିକରେ ସ୍ଥାପନ କଲେ। ଯେଉଁଠାରେ ସେମାନେ ବାସସ୍ଥଳୀ କଲେ। 30 ପୁଣି ବାବିଲୀୟ ଲୋକମାନେ ସୁ‌କ୍‌କୋତ୍-ବନୋତ୍ ମିଥ୍ୟା ଦେବତା ତିଆରି କଲେ। ହମାତୀୟ ଲୋକମାନେ ଅଶୀମା ମିଥ୍ୟା ଦେବତା ତିଆରି କଲେ ଓ କୂଥୀୟ ଲୋକମାନେ ମଧ୍ୟ ନେର୍ଗଲ ମିଥ୍ୟା ଦେବତା ମାନ ତିଆରି କଲେ। 31 ଅବ୍ବୀୟ ଲୋକମାନେ ନିଭସ୍ ଓ ତିର୍ତ୍ତକ୍ ମିଥ୍ୟା ଦେବତାମାନଙ୍କୁ ତିଆରି କଲେ ଓ ସମ୍ପର୍କୀୟ ଲୋକମାନେ ସଫର୍ବୟିମର ଅଦ୍ରମ୍ମେଲକ୍ ଓ ଅନମ୍ମେଲକ୍ ଦେବତାମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜ ସନ୍ତାନମାନଙ୍କୁ ଦ‌ଗ୍‌ଧ କଲେ।

32 ସେମାନେ ମଧ୍ୟ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ଉଚ୍ଚସ୍ଥଳୀରେ ଯାଜକଗଣଙ୍କୁ ନିଯୁକ୍ତ କଲେ। ସେମାନେ ସେମାନଙ୍କୁ ଲୋକମାନଙ୍କ ମଧ୍ୟରୁ ବାଛିଲେ। ଏହି ଯାଜକମାନେ ସେହି ଉଚ୍ଚସ୍ଥଳୀରେ ମନ୍ଦିରସବୁରେ ପଶୁଗୁଡ଼ିକ ବଳିଦାନ କଲେ। 33 ସେମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ। ଏବଂ ସେମାନେ ମଧ୍ୟ ସେମାନଙ୍କର ଦେଶର ଦେବତାମାନଙ୍କର ସେବା କଲେ।

34 ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ପୂର୍ବବିଧି ଅନୁସାରେ ଚଳୁଛନ୍ତି। ସେମାନେ ସଦାପ୍ରଭୁଙ୍କୁ ଭୟ କରୁ ନାହାନ୍ତି। ଇସ୍ରାଏଲୀୟମାନଙ୍କର ବିଧି ଓ ଆଜ୍ଞା ସେମାନେ ପାଳନ କରୁ ନାହାନ୍ତି। ସଦାପ୍ରଭୁ ଯାକୁବର ସନ୍ତାନଗଣଙ୍କୁ ଇସ୍ରାଏଲ ନାମ ଦେଇଥିଲେ। ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ଆଜ୍ଞା ପାଳନ କରୁ ନାହାନ୍ତି। 35 ଇସ୍ରାଏଲର ସନ୍ତାନମାନଙ୍କ ସହିତ ସଦାପ୍ରଭୁ ଚୁକ୍ତି କଲେ ଏବଂ ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କୁ ନିଶ୍ଚୟ ପୂଜା କରିବ ନାହିଁ କିମ୍ବା ସେମାନଙ୍କର ସେବା କରିବ ନାହିଁ। ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଭୟ କରିବ ନାହିଁ କିମ୍ବା ସେମାନଙ୍କର ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ ନାହିଁ। 36 ତୁମ୍ଭେମାନେ କେବଳ ସଦାପ୍ରଭୁଙ୍କୁ ନିଶ୍ଚୟ ଭୟ କରିବ, ଯିଏ ମହାପରାକ୍ରମ ଦ୍ୱାରା ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ। ତୁମ୍ଭେମାନେ ନିଶ୍ଚୟ ତାହାଙ୍କୁ ପ୍ରଣାମ କରିବ ଓ ତାଙ୍କୁ ଉପାସନା କରିବ ଏବଂ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବ। 37 ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେଉଁ ଯେଉଁ ବିଧି, ଶାସନବ୍ୟବସ୍ଥା ଓ ଶିକ୍ଷାସମୂହ ଲେଖି ଅଛନ୍ତି। ତୁମ୍ଭେମାନେ ତାହା ସଦାକାଳ ପାଳନ କରିବାକୁ ମନୋଯୋଗ କରିବ। ଆଉ ଅନ୍ୟ ଦେବଗଣଙ୍କୁ ତୁମ୍ଭେମାନେ ଭୟ କରିବ ନାହିଁ। 38 ମୁଁ ତୁମ୍ଭମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲି, ତୁମ୍ଭେମାନେ ପାଶୋରିବା ଉଚିତ୍ ନୁହଁ। ଅନ୍ୟ ଦେବତାମାନଙ୍କୁ ତୁମ୍ଭେମାନେ ଭୟ କିମ୍ବା ସମ୍ମାନ କରିବା ଉଚିତ୍ ନୁହଁ। 39 ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେମାନେ କେବଳ ଭୟ ଓ ସମ୍ମାନ କରିବ ଓ ସେ ତୁମ୍ଭମାନଙ୍କୁ ସମସ୍ତ ଶତ୍ରୁଠାରୁ ଉଦ୍ଧାର କରିବେ।”

40 ମାତ୍ର ଇସ୍ରାଏଲୀୟମାନେ ତାହା ଶୁଣିଲେ ନାହିଁ। ସେମାନେ ପୂର୍ବ ରୀତି ଅନୁସାରେ କାର୍ଯ୍ୟ କରି ଗ୍ଭଲିଲେ। 41 ଏହିପରି ଅନ୍ୟ ଗୋଷ୍ଠୀର ଲୋକମାନେ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କଲେ କିନ୍ତୁ ସେମାନେ ମଧ୍ୟ ଭଣ୍ତ ଦେବତାମାନଙ୍କର ସେବା କଲେ। ସେମାନଙ୍କର ପୁତ୍ର ଓ ପୌତ୍ରଗଣ ମଧ୍ୟ ନିଜ ନିଜ ପୂର୍ବପୁରୁଷଗଣ ଯାହା କରିଥିଲେ, ସେହିପରି କାର୍ଯ୍ୟ କରି ଆସୁଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଏହିସବୁ କରୁଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:25-31

ବିବାହ କରିବା ବିଷୟକ ପ୍ରଶ୍ନ

25 ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି। 26 ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ। 27 ଯଦି ତୁମ୍ଭେମାନେ ବିବାହିତ, ତେବେ ପତ୍ନୀଠାରୁ ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହୋଇ ନାହିଁ, ତେବେ ପତ୍ନୀଟିଏ ଖୋଜିବା ପାଇଁ ଚେଷ୍ଟା କର ନାହିଁ। 28 କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।

29 ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ। 30 ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ। 31 ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ।

ମାଥିଉ ଲିଖିତ ସୁସମାଗ୍ଭର 6:25-34

ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦିଅ(A)

25 “ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟରେ ଚିନ୍ତା କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ୱପୂର୍ଣ୍ଣ। 26 ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବିହନ ବୁଣନ୍ତି ନାହିଁ, କି ଅମଳ କରନ୍ତି ନାହିଁ, ଅମାରରେ ଖାଦ୍ୟଶସ୍ୟ ବି ଜମେଇ ରଖନ୍ତି ନାହିଁ, ତଥାପି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ସେମାନଙ୍କୁ ଖାଇବାକୁ ଦିଅନ୍ତି। ତୁମ୍ଭେ ଜାଣିଛ ଯେ, ତୁମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟ। 27 ତୁମ୍ଭ ଭିତରେ ଏପରି କେହି ନାହିଁ, ଯେକି ଚିନ୍ତାଗ୍ରସ୍ତ ହୋଇ ନିଜ ଜୀବନକାଳ ସହିତ ଘଡ଼ିଏ ହେଲେ ସମୟ ଯୋଗ କରି ପାରିବ।

28 “ତୁମ୍ଭେ ପୋଷାକ ବିଷୟରେ କାହିଁକି ଚିନ୍ତା କରୁଛ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଦେଖ! ଦେଖ, ସେମାନେ କିପରି ଫୁଟୁଛନ୍ତି। ସେମାନେ କୌଣସି କାମ କରନ୍ତି ନାହିଁ, କି ନିଜ ପାଇଁ ପୋଷାକ ତିଆରି କରନ୍ତି ନାହିଁ। 29 କିନ୍ତୁ ମୁଁ ତୁମ୍ଭକୁ କହୁଛି, ମହାନ ଓ ଧନୀରାଜା ଶଲୋମନ ନିଜର ସମସ୍ତ ବୈଭବ ଥାଇ ମଧ୍ୟ ସେ ନିଜକୁ ସୁସଜ୍ଜିତ କରିପାରି ନ ଥିଲେ। 30 ପଡ଼ିଆର ସେହି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲିରେ ପକେଇ ଦିଆଯିବ। ତଥାପି ଯଦି ପରମେଶ୍ୱର ତାକୁ ଏଭଳି ସୁନ୍ଦର ବେଶ ଦେଇଛନ୍ତି, ତେବେ ସେ କ’ଣ ତୁମ୍ଭକୁ ପିନ୍ଧିବା ପାଇଁ ଅଧିକ ଦେବେ ନାହିଁ? ତେବେ ତୁମ୍ଭେମାନେ କାହିଁକି ଏତେ ଅଳ୍ପ ବିଶ୍ୱାସ ରଖୁଛ?

31 “ଏଣୁ ଚିନ୍ତାଗ୍ରସ୍ତ ହୋଇ କୁହ ନାହିଁ ଯେ, ଆମ୍ଭେ କ’ଣ ଖାଇବା, କ’ଣ ପିଇବା ବା କ’ଣ ପିନ୍ଧିବା? 32 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ଏସବୁ ପଛରେ ଦୌଡ଼ନ୍ତି। କିନ୍ତୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର। 33 ଏଣୁ ଆଗ ପରମେଶ୍ୱରଙ୍କ ରାଜ୍ୟ ଓ ଉତ୍ତମ କାର୍ଯ୍ୟ ବିଷୟରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ୱର ଗ୍ଭହାନ୍ତି, ସେଗୁଡ଼ିକ କର। ତା’ହେଲେ ଏହିସବୁ ବିଷୟଗୁଡ଼ିକ ତୁମ୍ଭକୁ ଯୋଗାଇ ଦିଆଯିବ। 34 ଆସନ୍ତାକାଲି ପାଇଁ ଚିନ୍ତା କର ନାହିଁ, କାରଣ ପ୍ରତ୍ୟେକ ଦିନର କୌଣସି ନା କୌଣସି ସମସ୍ୟା ଥାଏ। କାଲିର ଚିନ୍ତା କାଲି ପାଇଁ ଯଥେଷ୍ଟ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center