Book of Common Prayer
ଆସଫର ଏକ ପ୍ରଶଂସା ଗୀତ।
83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
ତୁମ୍ଭର କାନ ବନ୍ଦ କର ନାହିଁ!
ହେ ପରମେଶ୍ୱର, ଦୟାକରି କିଛି କୁହ!
2 ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
3 ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
5 ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
8 ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି। ସେଲା
9 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
ସେବହ ଓ ସଲ୍ମୁନ୍କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
ଏବଂ ବାୟୁ ସମ୍ମୁଖରେ କୁଟାପରି ଛିନ୍ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
ସର୍ବୋପରିସ୍ଥ ପରମେଶ୍ୱର ଅଟ।
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।
85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ। ସେଲା
3 ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
କ୍ରୋଧିତ ହୋଇ ରହିବ?
6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।
8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
9 ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
ଦାଉଦଙ୍କର ପ୍ରାର୍ଥନା।
86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
2 ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
3 ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
4 ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
5 ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
7 ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
8 ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
9 ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।
11 ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ
ଓ ମୁଁ ତୁମ୍ଭପରି ହେବାକୁ ଶିଖିବି।
ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର,
ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ।
12 ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି।
ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
13 ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ।
ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।
14 ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି।
ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି।
ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
15 ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର।
ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।
ଇଲୀଶାୟ ଯେହୂଙ୍କୁ ଅଭିଷିକ୍ତ କରିବାକୁ ଜଣେ ଯୁବ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ
9 ଇଲୀଶାୟ ଭବିଷ୍ୟଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭେ କଟିରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତରେ ଧରି ରାମୋତ୍-ଗିଲିୟଦକୁ ଯାଅ। 2 ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂଙ୍କର ଅନ୍ୱେଷଣ କର। ତା'ପରେ କୋଠରୀ ଭିତରକୁ ଯାଇ ତାଙ୍କର ଭାଇମାନଙ୍କ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ। 3 ଏହି ଛୋଟ ତୈଳ ଶିଶି ନେଇ ତାଙ୍କ ମସ୍ତକରେ ତୈଳ ଢାଳି କୁହ, ‘ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’ ତା'ପରେ ତୁମ୍ଭେ ଦ୍ୱାର ଫିଟାଇ ଦୌଡ଼ି ଯାଅ, ଆଉ ବିଳମ୍ବ କର ନାହିଁ।”
4 ତେଣୁ ସେହି ଯୁବକ, ଭବିଷ୍ୟଦ୍ବକ୍ତା ରାମୋତ୍-ଗିଲିୟଦକୁ ଗଲେ। 5 ସେହି ଯୁବା ଉପସ୍ଥିତ ହୋଇ ସେନାପତିମାନେ ବସିଥିବାର ଦେଖିଲେ। ତହୁଁ ଯୁବକ କହିଲେ, “ହେ ସେନାପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।”
ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ ତୁମ୍ଭର କାହାଠାରେ କାମ ଅଛି?”
ତହିଁରେ ଯୁବକ ଜଣକ କହିଲେ, “ହେ ସେନାପତି, ମୋର ପାଖରେ ତୁମ୍ଭ ପାଇଁ ଏକ ବାର୍ତ୍ତା ଅଛି।”
6 ଏଥିରେ ଯେହୂ ଉଠି ଘର ଭିତରକୁ ଗଲେ। ତା'ପରେ ଯୁବ ଭବିଷ୍ୟଦ୍ବକ୍ତା ଯେହୂଙ୍କ ମସ୍ତକରେ ସେହି ତୈଳ ଢାଳି କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। 7 ତେଣୁ ତୁମ୍ଭେ ନିଶ୍ଚୟ ଆହାବର ବଂଶକୁ ବିନାଶ କରିବ। ଏହିରୂପେ ଆମ୍ଭେ ଆମ୍ଭର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କର ମୃତ୍ୟୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ୟୁ ପାଇଁ ଈଷେବଲ ଉପରେ ପ୍ରତିଶୋଧ ନେବୁ। 8 ତେଣୁ ଆହାବ ବଂଶର ସମସ୍ତେ ବିନଷ୍ଟ ହେବେ, ଏପରିକି ଆହବ ବଂଶର ସମସ୍ତ ପୁଂସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇସ୍ରାଏଲରେ ବିନାଶ ହେବେ, କେହି ପଳାୟନ କରି ପାରିବେ ନାହିଁ। 9 ଆଉ ମଧ୍ୟ ଆମ୍ଭେ ଆହାବର ବଂଶକୁ ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା। 10 କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’”
ତା'ପରେ ସେହି ଯୁବା ଭବିଷ୍ୟଦ୍ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ।
ଦାସମାନେ ଯେହୂଙ୍କୁ ରାଜା ରୂପେ ଘୋଷଣା କରନ୍ତି
11 ଅନନ୍ତର ଯେହୂ ଯେତେବେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫେରିଲେ। ସେମାନଙ୍କ ମଧ୍ୟରୁ ଜଣେ ଯେହୂଙ୍କୁ ପଗ୍ଭରିଲେ, “ସବୁ ମଙ୍ଗଳ ତ? ସେହି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?”
ଯେହୂ ସେବକକୁ କହିଲେ, “ସେ ଲୋକକୁ ଓ ତା'ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।”
12 ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, “ନା! ଆମ୍ଭମାନଙ୍କୁ ସତ୍ୟକଥା କୁହ, ସେ ଲୋକ ତୁମ୍ଭଙ୍କୁ କ’ଣ କହିଲା?” ଯେହୂ ସେହି ଦାସମାନଙ୍କୁ ଯୁବା ଭବିଷ୍ୟଦ୍ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯେହୂ କହିଲା, “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।’”
13 ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କ ସମ୍ମୁଖରେ ରଖିଲେ। ତା'ପରେ ସେମାନେ ତୂରୀ ବଜାଇ ଘୋଷଣା କଲେ, “ଯେହୂ ରାଜା ହେଲେ।”
ଯେହୂ ଯିଷ୍ରିୟେଲକୁ ଗଲେ
14 ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂ ଯୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ।
ସେ ସମୟରେ ଯୋରାମ ଓ ସମସ୍ତ ଇସ୍ରାଏଲୀୟ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲିୟଦକୁ ରକ୍ଷା କରିବାକୁ ଚେଷ୍ଟା କଲେ। 15 ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ।
ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।”
16 ଯୋରାମ ଯିଷ୍ରିୟେଲରେ ବିଶ୍ରାମ ନେଉଥିଲେ। ତେଣୁ ଯେହୂ ଆପଣା ରଥରେ ଚଢ଼ି ଯିଷ୍ରିୟେଲ ଯାତ୍ରା କଲେ। ଯିହୁଦାର ରାଜା ଅହସିୟ ମଧ୍ୟ ଯୋରାମକୁ ଦେଖିବାକୁ ଯିଷ୍ରିୟେଲ ଆସିଥିଲେ।
ନିଜ ଶରୀରକୁ ପରମେଶ୍ୱରଙ୍କ ମହିମାରେ ଲଗାଅ
12 “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ। 13 “ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି। 14 ପରମେଶ୍ୱର କେବଳ ପ୍ରଭୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରି ନାହାନ୍ତି, ବରଂ ନିଜର ଶକ୍ତି ଦ୍ୱାରା ସେ ଆମ୍ଭମାନଙ୍କୁ ମଧ୍ୟ ମୃତ୍ୟୁରୁ ପୁନରୁତ୍ଥିତ କରିବେ। 15 ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା'ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ। 16 ଶାସ୍ତ୍ରରେ ଲେଖାଅଛି “ଉଭୟ ଏକ ହେବେ।”(A) ଅତଏବ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ବେଶ୍ୟାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା’ ସହିତ ଏକ ହୁଏ। 17 କିନ୍ତୁ ଯେଉଁ ଲୋକ ପ୍ରଭୁଙ୍କ ସଙ୍ଗରେ ରହେ ସେ ଆତ୍ମାରେ ତାହାଙ୍କ ସହିତ ଏକ ହୁଏ।
18 ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। 19 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ। 20 କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।
ଦାନ ବିଷୟରେ ଯୀଶୁଙ୍କ ଉପଦେଶ
6 “ସାବଧାନ ରୁହ! ଯେତେବେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କର ନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସେଗୁଡ଼ିକ କର ନାହିଁ। ତାହାହାଲେ ତୁମ୍ଭେ ସ୍ୱର୍ଗରେ ଥିବା ତୁମ୍ଭର ପରମପିତାଙ୍କଠାରୁ ପୁରସ୍କାର ପାଇ ପାରିବ ନାହିଁ।
2 “ଏଣୁ ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦେଉଛ, ସେତେବେଳେ ତା'ର ଘୋଷଣା କର ନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କରେ ତୂରୀବଜାଇ ସେଭଳି ପ୍ରଗ୍ଭର କରିଥା’ନ୍ତି। ମୁଁ ତୁମ୍ଭକୁ ସତ୍ୟକଥା କହୁଛି ଯେ, ସେମାନେ ତାହାଙ୍କର ପ୍ରତିଫଳ ପାଇ ସାରିଲେଣି। 3 ଯେତେବେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀଙ୍କୁ ଦାନ ଦେଉଛ, ସେତେବେଳେ ତୁମ୍ଭର ଡାହାଣ ହାତ କ’ଣ କରୁଛି, ସେ ବିଷୟରେ ବାମ ହାତକୁ ମଧ୍ୟ ଜାଣିବାକୁ ସୁଯୋଗ ଦିଅ ନାହିଁ। ତୁମ୍ଭେ କ’ଣ କରୁଛ, ତାହା ଯେପରି କେହି ନ ଜାଣନ୍ତୁ। 4 ତୁମ୍ଭର ଦାନ ଗୋପନରେ ହେବା ଉଚିତ୍। ତୁମ୍ଭର ପରମପିତା ଗୋପନରେ କରାଯାଇଥିବା କାର୍ଯ୍ୟକୁ ଦେଖି ପାରନ୍ତି, ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।
ପ୍ରାର୍ଥନା ବିଷୟରେ ଯୀଶୁଙ୍କ ଶିକ୍ଷା
(ଲୂକ 11:2-4)
5 “ତୁମ୍ଭେ ପ୍ରାର୍ଥନା କଲାବେଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସେମାନେ ଯିହୂଦୀ ସମାଜଗୃହ ଓ ଗଳି-ମୁଣ୍ଡରେ ଠିଆହୋଇ ବଡ଼ ପାଟିରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ତା'ର ପୁରା ପ୍ରତିଫଳ ଦିଆଯାଇ ସାରିଲାଣି। 6 କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।
ଯୀଶୁ ଉପବାସ ବିଷୟରେ ଉପଦେଶ ଦେଲେ
16 “ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି। 17 ତେଣୁ ତୁମ୍ଭେ ଉପବାସ କଲାବେଳେ ମୁଣ୍ଡରେ ତେଲ ଲଗାଇ ବାଳ ସଜାଡ଼ ଓ ମୁହଁ ଧୁଅ। 18 ତା'ହେଲେ ତୁମ୍ଭେ ଉପବାସ କରୁଛ ବୋଲି ଲୋକେ ଜାଣି ପାରିବେ ନାହିଁ, ତୁମ୍ଭର ପରମପିତାଙ୍କୁ ତୁମ୍ଭେ ସିନା ଦେଖି ପାରୁ ନାହଁ, ମାତ୍ର ସେ ତୁମ୍ଭକୁ ଉପବାସ କରୁଥିବାର ଦେଖିବେ। କାରଣ ଗୋପନରେ କରାଯାଇଥିବା କାମଗୁଡ଼ିକୁ ପରମପିତା ଦେଖନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।
2010 by World Bible Translation Center