Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
37 ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
ଏକ ମନ୍ଦ ଆତ୍ମା ଶାଉଲକୁ କଷ୍ଟ ଦେଲା
14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। 15 ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଛି। 16 ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ ପାଇଁ ତୁମ୍ଭେ ତୁମ୍ଭ ସମ୍ମୁଖରେ ଥିବା ଦାସମାନଙ୍କୁ ଆଜ୍ଞା କର। ଯେତେବେଳେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ତୁମ୍ଭ ସମ୍ମୁଖକୁ ଆସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହୁତ ଭଲ ସମବେଦନା ପ୍ରକାଶ କରିବ।”
17 ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଛା ଯେ ଭଲ ବଜାଇ ପାରେ ସେହିପରି ଏକ ଲୋକକୁ ମୋ’ ପାଖକୁ ଆଣ।”
18 ଯୁବକମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ ମୁଁ ବୈଥ୍ଲେହମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବୀଣା ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ ପୁଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।”
19 ତେଣୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାଙ୍କୁ କହିଲେ, “ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସାଙ୍ଗରେ ଥାଏ, ତାକୁ ମୋ’ ନିକଟକୁ ପଠାଇ ଦିଅ।”
20 ତା’ପରେ ଯିଶୀ କେବଳ ଦାଉଦଙ୍କୁ ପଠାଇଲେ ନାହିଁ, ତା’ ସହିତ ଶାଉଲ ନିମନ୍ତେ କିଛି ଉପହାର ପଠାଇଲେ: ଗୋଟିଏ ଛେଳି ଓ ଗୋଟିଏ ଗଧରେ ବୋଝେଇ ଖାଦ୍ୟ ଓ ଦ୍ରାକ୍ଷାରସ ପଠାଇଲେ। 21 ଏହା ପରେ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାଯ୍ୟକାରୀ ହେଲେ। 22 ଏହା ପରେ ଶାଉଲ ଯିଶୀଙ୍କୁ ଏକ ବାର୍ତ୍ତା ପଠାଇଲେ, “ମୁଁ ବିନୟ କରୁଅଛି ଦାଉଦଙ୍କୁ ମୋ’ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, ସେ ମୋର ସେବା କରିବ, କାରଣ ମୁଁ ତାକୁ ଭଲ ପାଏ।”
23 ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହସ୍ତରେ ବଜାନ୍ତି। ତହିଁରେ ଶାଉଲ ଆଶ୍ୱାସ ପାଇ ଭଲ ହୁଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ।
ଗଲିୟାତ ଇସ୍ରାଏଲକୁ ଟକ୍କର ଦିଅନ୍ତି
17 ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।
2 ଶାଉଲ ଓ ଇସ୍ରାଏଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରିତ ହୋଇ ଛାଉଣି ସ୍ଥାପନ କଲେ। ସେମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୈନ୍ୟ ସଜାଇଲେ। 3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।
4 ଗାଥ୍ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ। 5 ତା’ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା। 6 ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା’ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା। 7 ତା’ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା’ର ଆଗେ ଆଗେ ତା’ର ଢାଲବାହକ ଗ୍ଭଲିଥିଲା।
8 ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ। 9 ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।”
10 ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”
11 ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
17 ପିତର ଯେଉଁ ଦୃଶ୍ୟ ଦେଖିଥିଲେ, ତା’ର ଅର୍ଥ ବିଷୟରେ ଚିନ୍ତା କରି ହତବୁଦ୍ଧି ହୋଇ ପଡ଼ିଲେ।
ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମୋନଙ୍କର ଘର ଖୋଜୁଥିଲେ, ସେମାନେ ଆସି ଫାଟକ ନିକଟରେ ଠିଆ ହୋଇଥିଲେ। 18 ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ।
19 ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି। 20 ତେଣୁ ଉଠ ଓ ତଳକୁ ଯାଅ। ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଗ୍ଭର ନାହିଁ। କାରଣ ମୁଁ ସେମାନଙ୍କୁ ପଠାଇଛି।” 21 ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”
22 ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।” 23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ। 24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ।
25 ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।
28 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?”
30 କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। 31 ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। 32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”
ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ(A)
36 ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।”
37 ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି। 38 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ? 39 ମୋ’ ହାତକୁ ଗ୍ଭହଁ। ମୋ’ ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ।
40 ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। 41 ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?” 42 ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। 43 ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ।
44 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”
45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। 46 ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। 47-48 ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା’ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ। 49 ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।”
ଯୀଶୁ ସ୍ୱର୍ଗକୁ ଫେରିଗଲେ(B)
50 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। 51 ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। 52 ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା’ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। 53 ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ।
2010 by World Bible Translation Center