Book of Common Prayer
106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
2 ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
3 ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।
4 ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।
6 ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
ଆମ୍ଭେ ଅଧର୍ମ କରିଅଛୁ।
ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।
7 ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ
ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି।
ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ।
ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।
8 କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ।
ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ।
9 ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା।
ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଳାଇବା ପରି।
10 ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ!
ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
11 ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ।
ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ।
12 ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ।
ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
13 କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ।
ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।
14 ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ
ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।
15 କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ।
କିନ୍ତୁ ପରମେଶ୍ୱର ସେମାନଙ୍କୁ ଭୟଙ୍କର ରୋଗ ଦେଲେ।
16 ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ।
ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।
17 ତେଣୁ ପରମେଶ୍ୱର ସେହି ଈର୍ଷାପରାୟଣ ଲୋକମାନଙ୍କୁ ଦଣ୍ଡିତ କଲେ।
ପୃଥିବୀ ଫାଟି ଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ୟ ଗ୍ରାସ କଲା ପୁଣି ଯୋଡ଼ି ହୋଇଗଲା।
18 ଏହା ପରେ ସେମାନଙ୍କ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା।
ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।
19 ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ
ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ।
20 ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର
ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।
21 ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ।
ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
22 ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ।
ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ।
23 ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ,
କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ
ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ,
ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।
24 କିନ୍ତୁ ତା’ପରେ ସେହି ଲୋକମାନେ କିଣାନର ଆଶ୍ଚର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ମନା କଲେ।
ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଯେ ପରମେଶ୍ୱର ସେଠାରେ ବାସ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବେ।
25 ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ୱରଙ୍କୁ ମାନିବାକୁ ମନା କଲେ
ଏବଂ ସେମାନଙ୍କ ଗୃହରେ ସେମାନେ ଅଭିଯୋଗ କଲେ।
26 ତେଣୁ ପରମେଶ୍ୱର ସେମାନଙ୍କୁ ମରୁଭୂମିରେ
ବିନାଶ କରିବା ପାଇଁ ଶପଥ କଲେ।
27 ପରମେଶ୍ୱର ପ୍ରତିଜ୍ଞା କଲେ ଯେ, ଅନ୍ୟ ଦେଶରେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧରଙ୍କୁ ପରାସ୍ତ କରିବେ।
ସେହି ଅନ୍ୟ ଦେଶ ମଧ୍ୟରେ ସେ ସେମାନଙ୍କ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।
28 ଏହା ପରେ ପରମେଶ୍ୱରଙ୍କ ଲୋକମାନେ ବାଲ୍-ପିୟୋରର ସେବା କଲେ।
ସେମାନେ ଅନ୍ୟ ଦେବତାମାନଙ୍କଠାରେ ବଳି ଦିଆଯାଇଥିବା ପଶୁମାନଙ୍କର ମାଂସ ଭକ୍ଷ୍ୟଣ କଲେ।
29 ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ।
ତେଣୁ ସେ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରଦର୍ଶନ କଲେ।
30 କିନ୍ତୁ ପୀନହସ୍ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ
ଏବଂ ପରମେଶ୍ୱର ତା’ର ମହାମାରୀ ଦୂର କଲେ।
31 ପରମେଶ୍ୱର ଜାଣିଲେ ପୀନହସ୍ ସୁକର୍ମ କଲା।
ପରମେଶ୍ୱର ତାଙ୍କୁ ଅନନ୍ତକାଳ ମନେ ରଖିଲେ।
32 ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ,
ତେଣୁ ସେମାନଙ୍କ ସକାଶୁ ମୋଶାଙ୍କୁ ବହୁତ ବିପଦ ଘଟିଲା।
33 ସେ ଲୋକମାନେ ମୋଶାଙ୍କୁ ବିରକ୍ତ କଲେ।
ତେଣୁ ମୋଶା କିଛି ନ ବିଗ୍ଭରି କହିବାକୁ ଲାଗିଲେ।
34 କିଣାନୀୟଠାରେ ରହୁଥିବା ଅନ୍ୟ ବିଦେଶୀୟମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ୱର କହିଲେ,
କିନ୍ତୁ ଇସ୍ରାଏଲୀୟମାନେ ତାଙ୍କ କଥା ମାନିଲେ ନାହିଁ।
35 ସେମାନେ ଅନ୍ୟ ଦେଶୀୟଙ୍କ ସଙ୍ଗେ ମିଶିଲେ
ଏବଂ ସେମାନଙ୍କ କ୍ରିୟାସକଳ କଲେ।
36 ପରମେଶ୍ୱରଙ୍କ ଲୋକମାନେ ଦେବତାମାନଙ୍କୁ ପୂଜା କରିବାକୁ ଆରମ୍ଭ କଲେ,
ଯାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସେହି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।
37 ଏପରିକି ପରମେଶ୍ୱରଙ୍କର ଲୋକମାନେ
ସେମାନଙ୍କର ପିଲାମାନଙ୍କୁ ଅନ୍ୟ ଦେବତାଙ୍କ ନିକଟରେ ବଳି ଦେଲେ।
38 ପରମେଶ୍ୱରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ୟା କଲେ।
ସେମାନେ ମଧ୍ୟ ସେମାନଙ୍କ ନିଜ ସନ୍ତାନମାନଙ୍କୁ ହତ୍ୟା କରି ମିଥ୍ୟା ଦେବଗଣ ନିକଟରେ ବଳି ଦେଲେ।
ତେଣୁ ଭୂମି, ହତ୍ୟା ପାପରେ ଦୂଷିତ ହୋଇଗଲା।
39 ତେଣୁ ପରମେଶ୍ୱରଙ୍କର ଲୋକମାନେ ସେମାନଙ୍କର କାର୍ଯ୍ୟଦ୍ୱାରା ଅପବିତ୍ର ହୋଇଥିଲେ।
ପରମେଶ୍ୱରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ୱାସୀ ହେଲେ ନାହିଁ।
ଅନ୍ୟ ଦେଶୀୟ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ୟ ସେପରି କାର୍ଯ୍ୟ କଲେ।
40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
ଦୟା ଦେଖାଇଲେ।
47 ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର।
ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”
ସଦାପ୍ରଭୁଙ୍କର ପ୍ରଶଂସା କର।
ଶାମୁୟେଲ ଶାଉଲଙ୍କୁ ରାଜା ପଦରେ ଘୋଷଣା କଲେ
17 ଶାମୁୟେଲ ଇସ୍ରାଏଲବାସୀଙ୍କୁ ମିସ୍ପୀରେ ଏକତ୍ରିତ ହେବା ପାଇଁ ଡକାଇଲେ। 18 ସେ ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଇସ୍ରାଏଲକୁ ମିଶରରୁ ବାହାର କରି ଆଣିଲି, ମୁଁ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିୟନ୍ତ୍ରଣରୁ ତୁମ୍ଭକୁ ରକ୍ଷା କଲି।’ 19 କିନ୍ତୁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଆଜି ପରିତ୍ୟାଗ କଲ। ପରମେଶ୍ୱର ତୁମ୍ଭମାନଙ୍କୁ ସବୁ ଅସୁବିଧାରୁ ଓ ସମସ୍ୟାରୁ ରକ୍ଷା କରନ୍ତି। କିନ୍ତୁ ତୁମ୍ଭେମାନେ କହିଲ, ‘ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହୁଁ।’ ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନୁସାରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅ।”
20 ଏପ୍ରକାରେ ଶାମୁୟେଲ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କୁ ଏକତ୍ରିତ କରନ୍ତେ, ପ୍ରଥମତଃ ବିନ୍ୟାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା। 21 ଶାମୁୟେଲ କହିଲେ ଯେ, ବିନ୍ୟାମୀନ ପରିବାରବର୍ଗଙ୍କୁ ଏକ ଏକ ପରି ଆଗକୁ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା’ପରେ ଶାମୁୟେଲ ସେହି ପରିବାରବର୍ଗର ପ୍ରତ୍ୟେକ ଲୋକଙ୍କୁ ଆଗକୁ ଆସିବାକୁ କହିଲେ। କୀଶ୍ଙ୍କ ପୁତ୍ର ଶାଉଲ ବଛାଗଲେ। କୀଶ୍ଙ୍କ ପୁତ୍ର ଶାଉଲଙ୍କୁ ସେଠାରେ ଖୋଜାଗଲା,
କିନ୍ତୁ ସେଠାରେ ଲୋକମାନେ ଶାଉଲଙ୍କୁ ଖୋଜି ପାଇଲେ ନାହିଁ। 22 ତା’ପରେ ଲୋକମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଏପର୍ଯ୍ୟନ୍ତ ଶାଉଲ ଏଠାକୁ ଆସିଛନ୍ତି କି?”
ସଦାପ୍ରଭୁ କହିଲେ, “ସେ ଏଠାରେ ଥିବା ସାମଗ୍ରୀମାନଙ୍କ ମଧ୍ୟରେ ନିଜକୁ ଗୋପନ ରଖିଛି।”
23 ଲୋକମାନେ ଖୋଜିଲେ ଏବଂ ତାଙ୍କୁ ସାମଗ୍ରୀ ପଛପଟେ ପାଇଲେ। ଶାଉଲ ଲୋକମାନଙ୍କ ମଧ୍ୟରେ ଛିଡ଼ା ହେଲେ ସେ ସମସ୍ତ ଲୋକଙ୍କ ଅପେକ୍ଷା ଲମ୍ବା ଥିଲେ।
24 ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।”
ତା’ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।”
25 ଶାମୁୟେଲ ଲୋକମାନଙ୍କୁ ବନ୍ଧୁତାର ନିୟମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତା’ପରେ ଶାମୁୟେଲ ଲୋକମାନଙ୍କୁ ନିଜ ନିଜ ଘରକୁ ଯିବାକୁ କହିଲେ।
26 ଶାଉଲ ମଧ୍ୟ ଗିବିୟାରେ ଥିବା ତାଙ୍କ ଘରକୁ ଫେରିଲେ। କେତେକ ସାହସୀ ବ୍ୟକ୍ତି ଯେଉଁମାନଙ୍କ ହୃଦୟ ପରମେଶ୍ୱର ସ୍ପର୍ଶ କରିଥିଲେ, ସେମାନେ ଶାଉଲଙ୍କୁ ଅନୁସରଣ କଲେ। 27 କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ।
ନାହଶ ଅମ୍ମୋନୀୟଙ୍କ ରାଜା
ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଳାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ [a]।
44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49 ‘ସ୍ୱର୍ଗ ମୋହର ସିଂହାସନ
ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
ସ୍ତିଫାନଙ୍କ ହତ୍ୟା
54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
8 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।
ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି
ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।
52 ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥିରେ ପ୍ରଧାନଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ୟମାନେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ? 53 ମନ୍ଦିରରେ ମୁଁ ପ୍ରତ୍ୟେକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭେମାନେ ମୋତେ ସେଠାରେ ବନ୍ଦୀ କରିନେବାକୁ କାହିଁକି ଚେଷ୍ଟା କଲ ନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତେବେଳେ ଅନ୍ଧକାର ରାଜତ୍ୱ କରିଥାଏ।”
ଯୀଶୁଙ୍କୁ ଜାଣିଛନ୍ତି ବୋଲି କହିବାକୁ ପିତରଙ୍କ ଭୟ(A)
54 ସେମାନେ ଯୀଶୁଙ୍କ ବନ୍ଦୀ କରି ମହାଯାଜକଙ୍କ ଘର ଭିତରକୁ ନେଇଗଲେ। ପିତର ସେମାନଙ୍କ ପଛେ ପଛେ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନ ଥିଲେ। 55 ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ। 56 ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା’ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।”
57 କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।” 58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।”
କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”
59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ।
60 କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।
ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା। 61 ତା’ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।” 62 ତା’ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ।
2010 by World Bible Translation Center