Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 83

ଆସଫର ଏକ ପ୍ରଶଂସା ଗୀତ।

83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
    ତୁମ୍ଭର କାନ ବନ୍ଦ କର ନାହିଁ!
    ହେ ପରମେଶ୍ୱର, ଦୟାକରି କିଛି କୁହ!
ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
    ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
    ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
    ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
    ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
    ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
    ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
    ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।

ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
    ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
    ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
    ସେବହ ଓ ସ‌ଲ୍‌ମୁ‌ନ୍‌କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
    ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
    ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
    ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
    ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
    ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
    ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
    ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
    ସର୍ବୋପରିସ୍ଥ ପରମେଶ୍ୱର ଅଟ।

ଗୀତସଂହିତା 34

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ଗୀତସଂହିତା 85-86

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।

85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
    ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
    ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
    ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।

ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
    ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
    ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
    କ୍ରୋଧିତ ହୋଇ ରହିବ?
ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
    ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
    ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଦାଉଦଙ୍କର ପ୍ରାର୍ଥନା।

86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
    ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
    ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
    ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
    ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
    ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
    ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
    ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
    ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
    ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।
11 ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ
    ଓ ମୁଁ ତୁମ୍ଭପରି ହେବାକୁ ଶିଖିବି।
ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର,
    ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ।
12 ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି।
    ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
13 ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ।
    ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।
14 ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି।
    ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି।
    ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
15 ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର।
    ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
    ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
    ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
    ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
    ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 2:27-36

ଏଲିଙ୍କ ପରିବାର ବିଷୟରେ ଭୟଙ୍କର ଭବିଷ୍ୟ‌ଦ୍‌ବାଣୀ

27 ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି। 28 ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ। 29 ତେବେ ତୁମ୍ଭେମାନେ କାହିଁକି ମୋର ନୈବେଦ୍ୟ ଓ ବଳିଦାନକୁ ପରିତ୍ୟାଗ କରୁଛ ଯାହାକି ମୋ’ ମନ୍ଦିରରେ ଉତ୍ସର୍ଗ କରାଯିବ ବୋଲି ମୁଁ ଆଜ୍ଞା ଦେଇଅଛି? ପୁଣି କାହିଁକି ତୁମ୍ଭର ପୁତ୍ରଗଣଙ୍କୁ ମୋ’ଠାରୁ ଅଧିକ ସମ୍ମାନ ଦେଉଛ, ଇସ୍ରାଏଲୀୟମାନେ ମୋ’ ସକାଶେ ଉତ୍ସର୍ଗ କରୁଥିବା ବଳିର ଅଂଶ ଓ ମେଦ କାହିଁକି ତୁମ୍ଭ ନିଜ ପାଇଁ ନେଉଛ?’

30 “ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ। 31 ସମୟ ଆସୁଅଛି, ଯେତେବେଳେ ମୁଁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସେହି ଦିନ ଆସୁଅଛି, ତହିଁରେ ତୁମ୍ଭ ବଂଶରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ। 32 ପୁଣି ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହରେ ଦୁଃଖ ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବେ ନାହିଁ। 33 ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କୁ ଆପଣା ଯଜ୍ଞବେଦିରୁ ଆସୁଥିବା ମୁଁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୋର ଯଜ୍ଞବେଦିରେ ସେବା କରିବ। ସେମାନେ ତୁମ୍ଭର ପରିବାର ଧ୍ୱଂସ ପାଇଁ କାନ୍ଦୁଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସେମାନଙ୍କର ଯୌବନାବସ୍ଥାରେ ମରିବେ। 34 ପୁଣି ତୁମ୍ଭର ଦୁଇପୁତ୍ର ହ‌ଫ୍‌ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ। 35 ପୁଣି ମୁଁ ମୋ’ ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବି ଯିଏ ମୋ’ ମନ ଓ ମୋ’ ହୃଦୟ ଅନୁସାରେ କର୍ମ କରିବ। ଆଉ ମୁଁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମୋର ମନୋନୀତ ରାଜାଙ୍କ ସମ୍ମୁଖରେ ସର୍ବଦା ସେବା କରିବ। 36 ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, “ଦୟାକରି ମୋତେ ଯାଜକ ଭାବରେ କିଛି କାମ ଦିଅନ୍ତୁ, ଯାହା ଫଳରେ ମୁଁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।”’”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:22-36

22 “ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି। 23 ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ। 24 କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ। 25 ଦାଉଦ ତାହାଙ୍କ ବିଷୟରେ କହିଥିଲେ,

‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି।
    ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି।
26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା
    ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।
27 ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ।
    ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।
28 ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ।
    ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’(A)

29 “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି। 30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ। 31 ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁ‌‌ତ୍‌‌ଥାନ ସମ୍ପର୍କରେ କହିଥିଲେ,

‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ
    ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’

ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁ‌‌ତ୍‌‌ଥାନ ସମ୍ବନ୍ଧରେ କହିଥିଲେ। 32 ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ। 33 ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ। 34 ଦାଉଦ ସ୍ୱର୍ଗ ଆରୋହଣ କରି ନାହାନ୍ତି। କିନ୍ତୁ ଯୀଶୁ ସ୍ୱର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:

‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
35 ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ
    ତୁମ୍ଭେ ମୋର ଡାହାଣ ପଟେ ବସିଥାଅ।’ (B)

36 “ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”

ଲୂକ ଲିଖିତ ସୁସମାଗ୍ଭର 20:41-21:4

ଖ୍ରୀଷ୍ଟ କ’ଣ ଦାଉଦଙ୍କ ପୁତ୍ର(A)

41 ତା’ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 42 ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି:

‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ,
ମୋର ଡାହାଣ ପଟେ ମୋ’ ପାଖରେ ବସ।
43     ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ଶକ୍ତି ଅଧୀନରେ ରଖିବି।’ (B)

44 ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ୟ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ୟ ହୋଇ ପାରିବ?”

ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ(C)

45 ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, 46 “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି। 47 କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”

ପ୍ରକୃତ ଦାନ(D)

21 ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି। ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସେହି ବିଧବା ଲୋକଟି ଦାନବାକ୍ସରେ ଦୁଇଟି ତମ୍ବା ପଇସା ପକାଇଲା। ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏହି ଗରିବ ବିଧବାଟି କେବଳ ଦୁଇଟି ତମ୍ବା ପଇସା ଦାନ ଦେଲା। କିନ୍ତୁ ପ୍ରକୃତରେ ସେ ଏହି ଧନୀଲୋକମାନଙ୍କଠାରୁ ବହୁତ ଅଧିକ ଦେଲା। ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center