Book of Common Prayer
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
18 “କାରଣ ଆମ୍ଭେ ସେମାନଙ୍କର କାର୍ଯ୍ୟ ଓ ଶିକ୍ଷାପ୍ରଣାଳୀ ଜାଣୁ, ସର୍ବଦେଶୀୟ ଓ ଭାଷାବାଦି ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ। 19 ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। 20 ସଦାପ୍ରଭୁ କୁହନ୍ତି, ଇସ୍ରାଏଲର ଲୋକମାନେ ଯେପରି ପବିତ୍ର ପାତ୍ରରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ୱ ଉପରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ଯିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ୱରୂପ ଆସିବ। 21 ଆଉ ମଧ୍ୟ ସଦାପ୍ରଭୁ କୁହନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ପାଇଁ ଲୋକ ଗ୍ରହଣ କରିବୁ।”
ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ
22 “କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି। 23 ସଦାପ୍ରଭୁ ପୁଣି କହନ୍ତି ଯେ, ପୃଥିବୀର ସମସ୍ତ ଲୋକ ମୋ’ ପାଖକୁ ପୂଜା କରିବା ପାଇଁ ଗୋଟିଏ ନୂତନ ଚନ୍ଦ୍ରରୁ ଅନ୍ୟ ଗୋଟିଏ ନୂତନ ଚନ୍ଦ୍ରକ ଏବଂ ଗୋଟିଏ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମ ଦିନ ଆସିବ।
7 ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। 8 ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। 9 ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ:
“ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି,
ଓ ତୁମ୍ଭ ନାମର ମହିମା ଗାନ କରିବି।” (A)
10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,
“ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।” (B)
11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,
“ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର,
ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।” (C)
12 ଯିଶାଇୟ ମଧ୍ୟ କୁହନ୍ତି,
“ଯିଶୟ [a]ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ।
ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ,
ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।” (D)
13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।
2010 by World Bible Translation Center