Book of Common Prayer
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
3 ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
4 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
5 ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
6 ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
7 ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
ଓ ପରାକ୍ରମର ଗୁଣ ଗାନ କର।
8 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
9 ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10 ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।
ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।
34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
2 ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
3 ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
ତାଙ୍କ ନାମର ମହିମା କୀର୍ତ୍ତନ କର।
4 ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
5 ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
6 ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
ଓ ସଦାପ୍ରଭୁ ତାହା ଶୁଣିଲେ
ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
7 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
8 ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
9 ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
ଶାନ୍ତି ପାଇଁ କାର୍ଯ୍ୟ କର।
ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।
17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।
ମିଦିୟନୀୟ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ
6 ପୁଣି ଥରେ ଇସ୍ରାଏଲୀୟମାନେ ତାହା କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି ବିବେଚନା କଲେ। ତେଣୁ ସଦାପ୍ରଭୁ ସାତ ବର୍ଷ ପାଇଁ ମିଦିୟନୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ଉପରେ ଶାସନ କରିବାକୁ ଦେଲେ।
2 ମିଦିୟନୀୟମାନେ ବହୁ ପରାକ୍ରମଶାଳୀ ହେଲେ ଏବଂ ସେମାନେ ଇସ୍ରାଏଲର ଲୋକମାନଙ୍କର ବିରୋଧୀ ହୋଇଗଲେ। ଯେଉଁଥିପାଇଁ ଇସ୍ରାଏଲ ସନ୍ତାନଗଣ ପର୍ବତ ଫାଟକରେ, ଗୁମ୍ଫାରେ ଓ ନିରାପଦ ସ୍ଥାନମାନଙ୍କରେ ଲୁଚି ରହିଲେ। 3 ସେମାନେ ଏହିପରି କଲେ, କାରଣ ମିଦିୟନୀୟ ଓ ଅମାଲେକୀୟ ଓ ପୂର୍ବ ଦେଶିୟ ଗୋଷ୍ଠୀମାନେ ସର୍ବଦା ଆସି ସେମାନଙ୍କର ଫସଲ ନଷ୍ଟ କରି ଦେଉଥିଲେ। 4 ସେମାନେ ଛାଉଣି ସ୍ଥାପନ କରି ଘସା ପର୍ଯ୍ୟନ୍ତ ଭୂମିଜାତ ଶସ୍ୟାଦି ବିନାଶ କଲେ। ଇସ୍ରାଏଲର ଲୋକମାନଙ୍କର ଖାଇବା ପାଇଁ କିଛି ଛାଡ଼ିଲେ ନାହିଁ। ଏପରିକି ସେମାନେ ମେଷ, ଗୋରୁ କିମ୍ବା ଗଧ କିଛି ଛାଡ଼ିଲେ ନାହିଁ। 5 ସେମାନେ ପଙ୍ଗପାଳର ଦଳପରି ସେମାନଙ୍କର ତମ୍ବୁ ଓ ପଶୁଗୁଡ଼ିକ ସହିତ ଅଧିକ ସଂଖ୍ୟାରେ ଆସିଲେ। ସେମାନେ ଓ ସେମାନଙ୍କର ଓଟଗୁଡ଼ିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ। 6 ଇସ୍ରାଏଲ ସନ୍ତାନଗଣ ବହୁତ ଗରିବ ହୋଇଗଲେ। କାରଣ ଏହି ମିଦିୟନୀୟମାନଙ୍କ ପାଇଁ। ତେଣୁ ଇସ୍ରାଏଲ ସନ୍ତାନଗଣ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
7 ମିଦିୟନୀୟ ଲୋକମାନେ ସେମାନଙ୍କୁ ଏତେ କଷ୍ଟ ଦେଲେ ଯେ, ଇସ୍ରାଏଲ ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। 8 ତେଣୁ ସଦାପ୍ରଭୁ ଏକ ଭବିଷ୍ୟଦ୍ବକ୍ତାଙ୍କୁ ଇସ୍ରାଏଲକୁ ପ୍ରେରଣ କଲେ। ସେହି ଭବିଷ୍ୟଦ୍ବକ୍ତା ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲି ଓ ଦାସତ୍ୱରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ କଲି। 9 ମୁଁ ତୁମ୍ଭକୁ ଶକ୍ତିଶାଳୀ ମିଶରୀୟମାନଙ୍କଠାରୁ ଉଦ୍ଧାର କଲି। ମୁଁ ତୁମ୍ଭମାନଙ୍କୁ ସେହିମାନଙ୍କଠାରୁ ରକ୍ଷା କଲି, ଯେଉଁମାନେ ତୁମ୍ଭକୁ କିଣାନରେ ଉପଦ୍ରବ କଲେ। ମୁଁ ସେମାନଙ୍କୁ ସେମାନଙ୍କର ଦେଶରୁ ଘଉଡ଼ାଇ ଦେଲି ଓ ସେହି ଦେଶ ତୁମ୍ଭକୁ ଦେଲି।’ 10 ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଇମୋରୀୟଙ୍କ ଦେବତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଛ।’ ମାତ୍ର ତୁମ୍ଭେମାନେ ମୋର କଥା ଶୁଣିଲ ନାହିଁ।”
ସଦାପ୍ରଭୁଙ୍କର ଦୂତ ଗିଦିୟୋନକୁ ଦର୍ଶନ ଦେଲେ
11 ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା’ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ। 12 ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗରେ ଦର୍ଶନ ଦେଲେ ଓ କହିଲେ, “ହେ ମହାବିକ୍ରମଶାଳୀ ଲୋକ ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”
13 ଏହା ପରେ ଗିଦିୟୋନ ତାଙ୍କୁ କହିଲେ, “ହେ ପ୍ରଭୁ, ମୁଁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥା’ନ୍ତି। ତେବେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରି ନାହାନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ଯ୍ୟ କଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିୟନୀୟର ହସ୍ତରେ ସମର୍ପଣ କରିଅଛନ୍ତି।”
14 ତା’ପରେ ସଦାପ୍ରଭୁ ଗିଦିୟୋନକୁ ଅନାଇଲେ ଏବଂ କହିଲେ, “ତୁମ୍ଭର ନିଜର ଶକ୍ତିକୁ ବ୍ୟବହାର କର। ଯାଅ ଏବଂ ମିଦିୟନ ହସ୍ତରୁ ଇସ୍ରାଏଲର ଲୋକମାନଙ୍କୁ ରକ୍ଷା କର। ମୁଁ ତୁମ୍ଭମାନଙ୍କୁ ଏହି ଅଭିଯାନରେ ପଠାଉଛି।”
15 କିନ୍ତୁ ଗିଦିୟୋନ ତାଙ୍କୁ କହିଲେ, “ହେ ମୋର ସଦାପ୍ରଭୁ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ ଏବଂ ମୋର ପରିବାର ମଧ୍ୟରେ ମୁଁ ସବୁଠାରୁ ସାନ।”
16 ସଦାପ୍ରଭୁ ଗିଦିୟୋନକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିୟନୀୟମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣକ ସହିତ ଯୁଦ୍ଧ କରୁଛ।”
17 ଏହିପରେ ଗିଦିୟୋନ ସଦାପ୍ରଭୁଙ୍କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ, ତେବେ ମୋତେ ପ୍ରମାଣ ଦିଅ ଯେ ପ୍ରକୃତରେ ଆପଣ ମୋ’ ସହିତ କଥାବାର୍ତ୍ତା ହେଉଛନ୍ତି। 18 ମୁଁ ପ୍ରାର୍ଥନା କରୁଛି ଯେ, ମୁଁ ଆପଣାର ନୈବେଦ୍ୟ ଆଣି ଆପଣଙ୍କ ସମ୍ମୁଖରେ ନରଖିବା ପର୍ଯ୍ୟନ୍ତ ଏହି ସ୍ଥାନରୁ ପ୍ରସ୍ଥାନ କରିବ ନାହିଁ।”
ଏବଂ ସଦାପ୍ରଭୁ କହିଲେ, “ତୁମ୍ଭେ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ଅପେକ୍ଷା କରିବି।”
19 ତେଣୁ ଗିଦିୟୋନ ଭିତରକୁ ଯାଇ ଏକ ଛାଗବତ୍ସକୁ ରାନ୍ଧିଲେ। କୋଡ଼ିଏ ପାଉଣ୍ତ ମଇଦାର ଏକ ତାଡ଼ିଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ଗିଦିୟୋନ ମାଂସକୁ ଗୋଟିଏ ଝୁଡ଼ିରେ ଓ ଝୋଳକୁ ଅନ୍ୟ ପାତ୍ରରେ ରଖିଲେ, ଏହିଗୁଡ଼ିକ ଆଣି ଅଲୋନବୃକ୍ଷ ନିକଟରେ ରଖିଲେ।
20 ପରମେଶ୍ୱରଙ୍କର ଦୂତ ଗିଦିୟୋନକୁ କହିଲେ, “ଏହି ତାଡ଼ିଶୂନ୍ୟ ପିଠାସବୁ ଏହି ମାଂସ ନେଇ ସେହି ପଥର ଉପରେ ରଖ ଓ ତା’ ଉପରେ ଝୋଳ ଢାଳ।” ତାଙ୍କୁ ଯେପରି କରିବାକୁ କୁହାଗଲା, ସେ ସେହିପରି କଲେ।
21 ଏହା ପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତରେ ଥିବା ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ରୋଟୀକୁ ସ୍ପର୍ଶ କଲେ। ଏହା ପରେ ପଥରରୁ ଅଗ୍ନି ବାହାରିଲା ଏବଂ ତା’ ଉପରେ ଥିବା ମାଂସ ଓ ପିଠା ସମ୍ପୂର୍ଣ୍ଣ ପୋଡ଼ିଗଲା। ତା’ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ୟ ହୋଇଗଲେ।
22 ଏହା ପରେ ଗିଦିୟୋନ ହୃଦୟଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦିୟୋନ ଚିତ୍କାର କଲେ, “ହେ ସର୍ବଶକ୍ତିମାନ ପରମେଶ୍ୱର, ମୋର ପ୍ରଭୁ, ମୁଁ ସଦାପ୍ରଭୁଙ୍କ ଦୂତଙ୍କୁ ମୁହାଁମୁହିଁ ଦେଖିଛି!”
23 କିନ୍ତୁ ସଦାପ୍ରଭୁ ଗିଦିୟୋନକୁ କହିଲେ, “ଶାନ୍ତ ହୁଅ! ଭୟ ନ କର! ତୁମ୍ଭର ମୃତ୍ୟୁ ହେବ ନାହିଁ!”
24 ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।
6 ଏହି କଥାଟି ମନେରଖ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ। 7 ପ୍ରତ୍ୟେକ ଲୋକ ଆପଣା ହୃଦୟରେ ସ୍ଥିର କରିଥିବା ଅନୁସାରେ ଦାନ କରୁ, ମନରେ କୌଣସି ଦୁଃଖ ରଖି ବା ବାଧ୍ୟବାଧକତାରେ ଦାନ ନ ଦେଉ, ଆନନ୍ଦିତ ମନରେ ଦାନ କରିଥିବା ଲୋକକୁ ପରମେଶ୍ୱର ଭଲ ପାଆନ୍ତି। 8 ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ। 9 ଶାସ୍ତ୍ରରେ ଏହା ଲେଖା ଅଛି:
“ଯିଏ ଉଦାର ଭାବରେ ଗରିବମାନଙ୍କୁ ଦିଏ
ତା’ର ଦୟା ସର୍ବଦା ପାଇଁ ରହି ଥାଏ।” (A)
10 ପରମେଶ୍ୱର ହିଁ ବୁଣିବା ଲୋକ ପାଇଁ ବୀଜ ଓ ଖାଇବା ପାଇଁ ଖାଦ୍ୟ ଯୋଗନ୍ତି। ସେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବୃଦ୍ଧି କରାଇବେ। ସେ ତୁମ୍ଭମାନଙ୍କ ଭଲ କାମ ଗୁଡ଼ିକ ପାଇଁ ବିପୁଳ ଫସଲ ହେବାକୁ ଦେବେ। 11 ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରତ୍ୟେକ ବିଷୟରେ ଧନୀ କରିବେ, ଫଳ ସ୍ୱରୂପ ତୁମ୍ଭେମାନେ ସବୁବେଳେ ଉଦାର ମନରେ ଦାନ ଦେଇ ପାରିବ। ଆମ୍ଭ ମାଧ୍ୟମରେ ତୁମ୍ଭମାନଙ୍କର ଦାନ ପାଇଁ ପରମେଶ୍ୱରଙ୍କୁ ଲୋକେ ଧନ୍ୟବାଦ ଦେବେ।
12 ଏହି ସେବା ଯେଉଁଥିରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା’ଦ୍ୱାରା କେବଳ ଯେ ସାଧୁ ମାନଙ୍କର ଆବଶ୍ୟକତା ପୂରଣ ହୁଏ, ତା’ ନୁହେଁ ବରଂ ପରମେଶ୍ୱରଙ୍କ ପ୍ରତି ହୃଦୟ ଧନ୍ୟବାଦରେ ଉଚ୍ଛୁଳି ଉଠେ। 13 ତୁମ୍ଭମାନଙ୍କର ଏହି ସେବା ତୁମ୍ଭମାନଙ୍କର ବିଶ୍ୱାସର ପ୍ରମାଣ ଅଟେ। ଏହା ଦ୍ୱାରା ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭେମାନେ ଯେ କେବଳ ବିଶ୍ୱାସକୁ ସ୍ୱୀକାର କରୁଛ ତା’ ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ୟବହାରିକ ସୁସମାଗ୍ଭରକୁ ଅନୁସରଣ କରୁଛ। ତୁମ୍ଭେମାନେ ସେମାନଙ୍କ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ୱରଙ୍କ ପ୍ରଶଂସା କରିବେ। 14 ଯେତେବେଳେ ସେମାନେ ପ୍ରାର୍ଥନା କରିବେ, ସେତେବେଳେ ସେମାନେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ୱରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହେତୁରୁ ସେମାନେ ଏପରି ଅନୁଭବ କରିବେ। 15 ଆଶ୍ଚର୍ଯ୍ୟଜନକ ଓ ଅବର୍ଣ୍ଣନୀୟ ଏହି ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ।
ଯୀଶୁଙ୍କ ଦେହରେ ଦୁଷ୍ଟାତ୍ମା ରହିଛି ବୋଲି କେତେକ କହିଲେ(A)
20 ତା’ପରେ ଯୀଶୁ ଘରକୁ ଫେରିଗଲେ। ସେଠାରେ ମଧ୍ୟ ଅନେକ ଲୋକ ଜମା ହୋଇଗଲେ। ସେଠାରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଖାଇ ମଧ୍ୟ ପାରିଲେ ନାହିଁ। 21 ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସେମାନେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।
22 ଯିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, “ଯୀଶୁଙ୍କ ଦେହରେ ବାଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁଁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାଯ୍ୟରେ ଭୂତମାନଙ୍କୁ ତଡ଼ି ଦେଉଛନ୍ତି।”
23 ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?” 24 ଯଦି କୌଣସି ରାଜ୍ୟ ନିଜ ଭିତରେ ଯୁଦ୍ଧ କରେ ତେବେ ତାହା ଆଉ ତିଷ୍ଠି ରହି ପାରିବ ନାହିଁ। 25 ଯଦି କୌଣସି ପରିବାର ନିଜ ଭିତରେ ଭାଗ ଭାଗ ହୋଇ ଯାଏ, ତେବେ ସେ ପରିବାର ତିଷ୍ଠି ରହି ପାରିବ ନାହିଁ। 26 ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।
27 “ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘରେ ପଶି ତା’ର ସମ୍ପତ୍ତି ଲୁଟି ନେବାକୁ ଗ୍ଭହିଁବ, ତେବେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା’ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନେଇ ଯାଇପାରିବ।
28 “ମୁଁ ତୁମ୍ଭକୁ ସତ୍ୟ କହୁଛି, ଲୋକେ ଯେଉଁସବୁ ପାପ କରୁଛନ୍ତି, ସେଗୁଡ଼ିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ୱରଙ୍କ ବିରୁଦ୍ଧରେ ଯେତେସବୁ ଖରାପ କଥା କହୁଛନ୍ତି, ସେସବୁକୁ ମଧ୍ୟ କ୍ଷମା କରି ଦିଆଯାଇ ପାରିବ। 29 କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ଯେଉଁ ଲୋକ କିଛି କହିବ, ତାହାକୁ କେବେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସେହି ପାପର ଦୋଷୀ ହେବ।”
30 ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।
2010 by World Bible Translation Center