Book of Common Prayer
ଇଷ୍ରାହୀୟ ଏଥନର ମସ୍କୀଲ୍।
89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
2 ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”
3 ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
4 ‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’”
5 ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
6 ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
“ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
7 ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
8 ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
9 ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
ସେ ଏକ ଶବପରି ଥିଲା।
ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
ତୁମ୍ଭର ଶକ୍ତି ମହାନ।
ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅଦ୍ଭୂତ ଶକ୍ତି।
ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।
15 ତେଣୁ ସତ୍ୟତାର ଅଭାବ ହୋଇଅଛି
ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।
ପୁଣି ସଦାପ୍ରଭୁ ଏହା ଦେଖିଲେ
ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ।
ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ।
ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା
ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ,
ପରିତ୍ରାଣରୂପକ ଟୋପି ମସ୍ତକରେ,
ପ୍ରତିଶୋଧରୂପକ ବସ୍ତ୍ର
ଓ ଉଦ୍ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।
18 ସେ ପାପ କର୍ମର ପରିମାଣ ଅନୁସାରେ
ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ।
ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ।
ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ
ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ।
କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ
ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।
20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ
ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।
21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”
ଯୀଶୁ ଖ୍ରୀଷ୍ଟଙ୍କଠାରୁ ନିସ୍ୱାର୍ଥପର ହେବା ଶିଖ
5 ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।
6 ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ୱରଙ୍କ ସାଦୃଶ୍ୟ ଥିଲେ।
ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
7 ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ।
ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।
ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ,
8 ସେ ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଆଜ୍ଞକାରୀ ହୋଇ ନିଜକୁ ନମ୍ର କଲେ।
ଏପରିକି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ବାଧ୍ୟ ଓ ନମ୍ର କଲେ।
9 ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ।
ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ
ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।
11 ଅତଏବ ପ୍ରତ୍ୟେକ ଲୋକ, “ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ” ଏହା ସ୍ୱୀକାର କରିବେ।
ଏହା ସେମାନେ କହିବା ଦ୍ୱାରା ପିତା ପରମେଶ୍ୱରଙ୍କର ଗୌରବ ହେବ।
2010 by World Bible Translation Center