Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
16 ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପିତ୍ତଳ ସର୍ପ
4 ତା’ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। 5 ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”
6 ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। 7 ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।
8 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।” 9 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।
11 ମୁଁ ତୁମ୍ଭକୁ ସତ୍ୟ କହୁଛି, ଆମ୍ଭେ ଯାହାସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭେମାନେ ତାହା ଗ୍ରହଣ କରୁ ନାହଁ। 12 ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। ମୁଁ ଯଦି ତୁମ୍ଭକୁ ସ୍ୱର୍ଗ ବିଷୟରେ କହିବି, ତେବେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ୱାସ କରିବ ନାହିଁ। 13 ମନୁଷ୍ୟପୁତ୍ର [a] କେବଳ ସେହି ଜଣେ ଯିଏ ସ୍ୱର୍ଗରୁ ଆସିଛନ୍ତି, ଓ ସେ ହିଁ ଏକମାତ୍ର ଯିଏ ସ୍ୱର୍ଗକୁ ଯାଇଛନ୍ତି।
14 “ମୋଶା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। [b] ଠିକ୍ ସେହିପରି ମନୁଷ୍ୟପୁତ୍ର ମଧ୍ୟ ଉପରକୁ ଉଠାଯିବେ। 15 ଏହା ଦ୍ୱାରା ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ଅନନ୍ତ ଜୀବନ ଲାଭ କରିବ।”
16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।
18 ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ।
ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା।
ସେ ନିଜେ ଦୋଷୀ ନ ଥିଲେ
କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ।
ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ।
ତାହାଙ୍କର ଶରୀରକୁ ବଧ କରାଗଲା,
କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,
19 ଏବଂ ଆତ୍ମାରେ ସେ ଗଲେ ଓ ବନ୍ଦୀ ଆତ୍ମାମାନଙ୍କୁ ଉପଦେଶ ପ୍ରଦାନ କଲେ। 20 ବହୁ ପୂର୍ବରୁ ନୋହଙ୍କ ସମୟରେ ଏହି ଆତ୍ମାଗୁଡ଼ିକ ପରମେଶ୍ୱରଙ୍କ ଅବାଧ୍ୟ ହୋଇଥିଲେ। ନୋହ ତାହାଙ୍କ ଜାହାଜ ତିଆରି କଲା ପର୍ଯ୍ୟନ୍ତ ପରମେଶ୍ୱର ଧୈର୍ଯ୍ୟ ସହିତ ଅପେକ୍ଷା କରୁଥିଲେ। ସେହି ଜାହାଜରେ ଅଳ୍ପ କେତେ ଜଣ, ମାତ୍ର ଆଠ ଜଣ ଜଳରୁ ରକ୍ଷା ପାଇ ପାରିଲେ। 21 ସେହି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତିସ୍ମ ନୁହେଁ। ମାତ୍ର ବାପ୍ତିସ୍ମ ହେଉଛି, ପରମେଶ୍ୱରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ୟୁରୁ ଜୀବିତ ହୋଇଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି। 22 ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।
2010 by World Bible Translation Center