Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 83

ଆସଫର ଏକ ପ୍ରଶଂସା ଗୀତ।

83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
    ତୁମ୍ଭର କାନ ବନ୍ଦ କର ନାହିଁ!
    ହେ ପରମେଶ୍ୱର, ଦୟାକରି କିଛି କୁହ!
ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
    ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
    ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
    ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
    ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
    ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
    ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
    ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।

ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
    ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
    ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
    ସେବହ ଓ ସ‌ଲ୍‌ମୁ‌ନ୍‌କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
    ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
    ଏବଂ ବାୟୁ ସମ୍ମୁଖରେ କୁଟାପରି ଛି‌ନ୍‌ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
    ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
    ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
    ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
    ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
    ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
    ସର୍ବୋପରିସ୍ଥ ପରମେଶ୍ୱର ଅଟ।

ଗୀତସଂହିତା 34

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।
15 ସଦାପ୍ରଭୁ ଉତ୍ତମ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି।
    ସେ ସେମାନଙ୍କର ପ୍ରାର୍ଥନା ଶୁଣନ୍ତି।
16 କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି।
    ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।

17 ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସେ ତୁମ୍ଭ ଡାକ ଶୁଣିବେ।
    ସେ ତୁମ୍ଭକୁ ତୁମ୍ଭର ସମସ୍ତ ବିପଦରୁ ଉଦ୍ଧାର କରିବେ।
18 ଯେତେବେଳେ ଲୋକଙ୍କ ଉପରେ ବିପଦ ପଡ଼େ ତା’ପରେ ସେମାନେ ଅହଂକାରୀ ପ୍ରବୃତ୍ତି ବନ୍ଦ କରନ୍ତି।
    ସଦାପ୍ରଭୁ ସେହି ଶୋଚନୀୟ, ଲୋକମାନଙ୍କ ନିକଟତର ହୁଅନ୍ତି।
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ଗୀତସଂହିତା 85-86

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।

85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
    ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
    ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
    ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।

ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
    ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
    ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
    କ୍ରୋଧିତ ହୋଇ ରହିବ?
ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
    ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
    ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଦାଉଦଙ୍କର ପ୍ରାର୍ଥନା।

86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
    ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
    ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
    ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
    ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
    ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
    ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
    ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
    ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
    ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।
11 ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ
    ଓ ମୁଁ ତୁମ୍ଭପରି ହେବାକୁ ଶିଖିବି।
ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର,
    ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ।
12 ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି।
    ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
13 ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ।
    ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।
14 ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି।
    ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି।
    ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
15 ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର।
    ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
    ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
    ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
    ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
    ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।

ଗଣନା ପୁସ୍ତକ 12

ମରିୟମ ଓ ହାରୋଣଙ୍କର ମୋଶାଙ୍କ ବିଷୟରେ ଅଭିଯୋଗ

12 ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ। ସେମାନେ କହିଲେ, “ସଦାପ୍ରଭୁ କ’ଣ ମୋଶାଙ୍କ ସହିତ କେବଳ କଥା କହିଅଛନ୍ତି? ସେ କ’ଣ ଆମ୍ଭମାନଙ୍କ ସହିତ କଥା କହି ନାହାନ୍ତି?”

ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ। ମୋଶା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧ୍ୟରେ ଅତି ନମ୍ର ଥିଲେ। ହଠାତ୍ ସଦାପ୍ରଭୁ ମୋଶାଙ୍କୁ, ହାରୋଣଙ୍କୁ, ମରିୟମଙ୍କୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ।”

ତହୁଁ ସେ ତିନି ଜଣ ବାହାର ହୋଇ ଆସିଲେ। ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ। ସଦାପ୍ରଭୁ କହିଲେ, “ମୋର ବାକ୍ୟ ଶୁଣ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟ‌ଦ୍‌ବକ୍ତା ଥାଏ, ତେବେ ମୁଁ ସଦାପ୍ରଭୁ ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ୱପ୍ନଦ୍ୱାରା ତାହା ସହିତ କଥା କହିବି। ମାତ୍ର ମୋଶା ମୋର ସେବକ, ସେପରି ନୁହେଁ। ସେ ହିଁ ମୋର ସମଗ୍ର ଗୃହରେ ଜଣେ ସବୁଠାରୁ ବିଶ୍ୱସ୍ତ ଅଟେ। ମୁଁ ତା’ ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ୟରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହୋଇ ପ୍ରକାଶ୍ୟ ଭାବରେ ତା’ ସହିତ କଥା କହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧରେ କଥା କହିବାକୁ ତୁମ୍ଭେମାନେ କାହିଁକି ଭୀତ ହେଲ ନାହିଁ?”

ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ। 10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ମହାଶୟ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ; ଏଣୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ। 12 ମାତାର ଗର୍ଭରୁ ନିର୍ଗତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।”

13 ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”

14 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତା’ର ପିତା ତା’ର ମୁହଁରେ ଛେପ ପକାଇଥା’ନ୍ତା, ସେ କ’ଣ ସାତ ଦିନ ଲଜ୍ଜିତା ହୋଇ ନ ଥା’ନ୍ତା? ତେଣୁ ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ, ଅନ୍ୟମାନଙ୍କଠାରୁ ରୁଦ୍ଧା ହୋଇ ରହୁ, ତା’ପରେ ସେ ଛାଉଣି ଭିତରକୁ ଆସି ପାରିବ।”

15 ତହୁଁ ମରିୟମ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ଯାଏ ଲୋକମାନେ ଯାତ୍ରା କଲେ ନାହିଁ। 16 ତା’ପରେ ଲୋକମାନେ ହ‌‌ତ୍‌ସେରୋତଠାରୁ ଯାତ୍ରା କରି ପାରଣ ମରୁଭୂମିରେ ଛାଉଣି ସ୍ଥାପନ କଲେ।

ରୋମୀୟଙ୍କ ପ୍ରତି ପତ୍ର 2:12-24

12 ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ। 13 ବ୍ୟବସ୍ଥାକୁ କେବଳ ଶୁଣିଥିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

14 ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ। 15 ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।

16 ଯେଉଁ ଦିନ ପରମେଶ୍ୱର ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ୟାୟବିଗ୍ଭର କରିବେ ସେହି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଗ୍ଭର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଲୋକମାନଙ୍କର ନ୍ୟାୟବିଗ୍ଭର କରିବେ।

ଯିହୂଦୀ ଓ ବ୍ୟବସ୍ଥା

17 ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ। 18 ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ। 19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ। 20 ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସେମାନଙ୍କୁ ସତ୍ୟ ଦେଖାଇ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ୟ ଶିଖିବା ଆବଶ୍ୟକ, ସେମାନଙ୍କର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖରେ ବ୍ୟବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁକିଛି ଜାଣିଛ ଓ ତୁମ୍ଭ ପାଖରେ ସତ୍ୟ ଅଛି। 21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ। 22 ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ। 23 କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ। 24 ପବିତ୍ର-ଶାସ୍ତ୍ରରେ [a] ଲେଖା ଅଛି, “ଅଣଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।” [b]

ମାଥିଉ ଲିଖିତ ସୁସମାଗ୍ଭର 18:10-20

ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ(A)

10 “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। 11 ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। [a]

12 “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? 13 ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। 14 ଠି‌କ୍‌ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।

ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ(B)

15 “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା’ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର। 16 ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ। 17 ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।

18 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ। 19 ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ। 20 ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center