Book of Common Prayer
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
2 ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
4 ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
8 ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।
149 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାନ କର।
ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
2 ଇସ୍ରାଏଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର।
ସିୟୋନର ଲୋକମାନେ, ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
3 ସେହି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ,
ଦାରା ଓ ବୀଣା ବାଦନ କରି।
4 ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି।
ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟାମାନ କରିଛନ୍ତି।
ସେ ସେମାନଙ୍କୁ ରକ୍ଷା କଲେ।
5 ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର!
ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।
6 ସେହି ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଉଚ୍ଚ ସ୍ୱରରେ କରନ୍ତୁ
ଏବଂ ସେମାନଙ୍କ ନିଜ ହସ୍ତରେ ନିଜର ଖଡ଼୍ଗମାନ ଧରନ୍ତୁ।
7 ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ।
ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।
8 ପରମେଶ୍ୱରଙ୍କର ଲୋକମାନେ ତାଙ୍କର ରାଜା
ଓ ପ୍ରଧାନବର୍ଗମାନଙ୍କୁ ଲୌହ କଡ଼ିରେ ବାନ୍ଧନ୍ତୁ।
9 ପରମେଶ୍ୱରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ଦଣ୍ଡ ଦେବେ।
ଏହା ପରମେଶ୍ୱରଙ୍କର ସମସ୍ତ ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦେବ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
3 ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। 4 ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ। 5 ଆଉ ଯେତେବେଳେ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେ ତୁମ୍ଭମାନଙ୍କୁ ଦେବେ।
6 “ସାତ ଦିନ ଯାଏ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନାର୍ଥେ ଏକ ବଡ଼ ଭୋଜିର ଆୟୋଜନ କରିବ। 7 ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି। 8 ସେହି ଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚୟ କହିବ, ‘ଆମ୍ଭେ ଏହି ଭୋଜିର ଆୟୋଜନ କରିଛୁ ଯେହେତୁ ସଦାପ୍ରଭୁ ଆମ୍ଭକୁ ମିଶରରୁ ଏହି ଦିନ ମୁକ୍ତ କରିଥିଲେ।’
9 “ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି। 10 ତେଣୁ ଏହି ସ୍ମରଣୀୟ ଦିବସଟିକୁ ବିଧି ଅନୁସାରେ ପାଳନ କରିବ।
41 ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା।
42 ମୃତମାନଙ୍କର ଉତ୍ଥାନ ବିଷୟରେ ମଧ୍ୟ ଏହି କଥାଟି ପ୍ରଜୁଯ୍ୟ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହୋଇଯିବ। କିନ୍ତୁ ସେହି ଶରୀରଟି ଯେଉଁ ନୂତନ ଦେହ ଧାରଣ କରିବ, ତାହା ନଷ୍ଟ ହେବ ନାହିଁ। 43 ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉତ୍ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉତ୍ଥିତ ହୁଏ। 44 ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉତ୍ଥିତ ହୁଏ।
ଯଦି ପ୍ରାକୃତିକ ଶରୀର ଅଛି, ତା’ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। 45 ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” [a] କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା। 46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ। 47 ପ୍ରଥମ ମନୁଷ୍ୟଟି ପୃଥିବୀର ମାଟିରୁ ନିର୍ମିତ ହୋଇଥିଲା; କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆସିଥିଲେ। 48 ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ। 49 ଆମ୍ଭେମାନେ ଜଗତରୁ ସେହି ମନୁଷ୍ୟ ତୁଲ୍ୟ ନିର୍ମିତ ହୋଇଅଛୁ। ଅତଏବ, ଆମ୍ଭେ ମଧ୍ୟ ସ୍ୱର୍ଗର ସେହି ବ୍ୟକ୍ତି ତୁଲ୍ୟ ଶରୀର ଧାରଣ କରିବା।
50 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏ କଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ।
ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ହେଲେ(A)
16 ଏଗାର ଜଣ ଶିଷ୍ୟ ଗାଲିଲୀକୁ ଗଲେ। ଯୀଶୁ ସେମାନଙ୍କୁ ଯେଉଁ ପାହାଡ଼ ଉପରକୁ ଯିବାକୁ କହିଥିଲେ, ସେମାନେ ସେଠାକୁ ଗଲେ। 17 ପାହାଡ଼ ଉପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେମାନେ ତାହାଙ୍କୁ ପ୍ରଣାମ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରିପାରିଲେ ନାହିଁ ଯେ, ଏ ହେଉଛନ୍ତି ପ୍ରକୃତରେ ଯୀଶୁ। 18 ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି। 19 ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର। ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ। 20 ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”
2010 by World Bible Translation Center