Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।
85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ। ସେଲା
3 ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
କ୍ରୋଧିତ ହୋଇ ରହିବ?
6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।
8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
9 ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
କୋରହ ସନ୍ତାନଗଣର ଏକ ଗୀତ।
87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
2 ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି। ସେଲା
4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
“ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
“ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ। ସେଲା
7 ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
“ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”
136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଦେବତାମାନଙ୍କର ଦେବତାର ପ୍ରଶଂସା କର।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
3 ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
4 ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହାଙ୍କର ପ୍ରଶଂସା କର।
ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
5 ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
6 ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
7 ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
8 ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
9 ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହାଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
ତାହାଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓଗ୍କୁ ପରାସ୍ତ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
14 ଯେତେବେଳେ ଲୋକମାନେ ଛାଉଣି ପକାଇଥିବା ସ୍ଥାନରୁ ଯର୍ଦ୍ଦନ ନଦୀ ପାର ହେବା ପାଇଁ ଯାତ୍ରା ଆରମ୍ଭ କଲେ, ଯାଜକମାନେ ଲୋକମାନଙ୍କ ଆଗେ ଆଗେ ନିୟମ-ସିନ୍ଦୁକ ବହି ନେଉଥିଲେ। 15 ଯଦିଓ ଶସ୍ୟଅମଳ ସମୟରେ ଯର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶଯ୍ୟାରେ ପ୍ରବେଶ କଲା ମାତ୍ରେ ହଠାତ୍ ତା'ର ପ୍ରବାହ ବନ୍ଦ ହୋଇଗଲା। 16 ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ। 17 ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଯାଉଥିବା ଯାଜକଗଣ ଦୃଢ଼ ଭାବରେ ଯର୍ଦ୍ଦନ ନଦୀର ମଝିରେ ଅଟକି ଗଲେ, ଯେପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକ ଶୁଖିଲା ଭୂମିରେ ନଦୀ ପାର ହୋଇ ନାହାନ୍ତି।
ଲୋକମାନଙ୍କ ସ୍ମରଣ ପାଇଁ ଅଦ୍ଭୂତ ଶିଳା
4 ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 2 “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। 3 ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”
4 ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା'ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। 5 ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। 6 ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ 7 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”
5 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର। 2 ପ୍ରେମପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ରେମ କରିଛନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଅନ୍ୟମାନଙ୍କୁ ପ୍ରେମ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ମଧୁର-ସୁଗନ୍ଧି-ଯୁକ୍ତ ଭେଟି ଓ ପରମେଶ୍ୱରଙ୍କ ବଳି ସ୍ୱରୂପ ଅଟନ୍ତି।
3 ତୁମ୍ଭ ଭିତରେ କୌଣସି ଯୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ନୁହେଁ। 4 ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍। 5 ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ଯୌନ ପାପଗୁଡ଼ିକରେ ଲିପ୍ତ ରୁହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ରାଜ୍ୟରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କେବଳ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦେବତାମାନଙ୍କର ପୂଜା କରେ।
6 ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। 7 ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। 8 ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। 9 ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। 10 କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। 13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। 14 ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ:
“ହେ! ଶୋଇଥିବା ଲୋକ, ଜାଗି ଉଠ
ମୃତ୍ୟୁରୁ ଉଠି ଆସ,
ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”
15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।
ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ
9 ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। 2 ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”
3 ଯୀଶୁ ଉତ୍ତର ଦେଲେ, “ଏହା ତା'ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। 4 ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। 5 ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।”
6 ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। 7 ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା'ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।
8 କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”
9 କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା'ରି ଭଳି ଦେଖାଯାଉଛି।”
ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”
10 ଲୋକମାନେ ତାକୁ ପଗ୍ଭରିଲେ, “କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”
11 ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା'ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା'ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”
12 ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?”
ଲୋକଟି କହିଲା, “ମୁଁ ଜାଣେ ନାହିଁ।”
ଆତ୍ମିକ ଅନ୍ଧତା
35 ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ'ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?”
36 ସେ ଲୋକଟି ପଗ୍ଭରିଲା, “ଗୁରୁ, ମନୁଷ୍ୟପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।”
37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି, ସେ ସେହି ମନୁଷ୍ୟପୁତ୍ର।”
38 ସେ ଲୋକଟି ଉତ୍ତର ଦେଲା, “ହଁ, ପ୍ରଭୁ ମୁଁ ବିଶ୍ୱାସ କରେ।” ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।
2010 by World Bible Translation Center