Add parallel Print Page Options

ତୁମ୍ଭର ଶତ୍ରୁକୁ ପ୍ରେମ କର

(ମାଥିଉ 5:38-48; 7:12)

27 “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। 29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। 30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। 31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।

32 “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି। 33 ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କର ଉପକାର କରିବ, ତେବେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ୟ ଏହିପରି କରନ୍ତି। 34 ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥିବ, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କୁ ଟଙ୍କା ଧାର ଦିଅ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।

35 “ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି। 36 ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ରେମ ଦେଖାନ୍ତି ଓ ଦୟା କରନ୍ତି, ତୁମ୍ଭେମାନେ ମଧ୍ୟ, ସେହିଭଳି ଅନ୍ୟମାନଙ୍କୁ ଦୟା ଦେଖାଅ ଓ ପ୍ରେମ କର।

Read full chapter