Add parallel Print Page Options

ଲୋକମାନଙ୍କ ସ୍ମରଣ ପାଇଁ ଅ‌ଦ୍‌ଭୂତ ଶିଳା

ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ସାରିବା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ବାର ଜଣ ଲୋକଙ୍କୁ ବାରଟି ଗୋଷ୍ଠୀବର୍ଗରୁ ବାଛ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ଏହିପରି ଭାବେ ସେମାନଙ୍କୁ ଆଦେଶ ଦିଅ, ଯେଉଁଠାରେ ଯାଜକଗଣ ନଦୀ ମଝିରେ ଛିଡ଼ା ହୋଇଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତୁମ୍ଭ ସହିତ ସେହି ବାରଟି ଶିଳାଖଣ୍ଡକୁ ବହିନିଅ। ତୁମ୍ଭେ ଯେଉଁଠାରେ ରାତି କଟାଇବାକୁ ଯୋଜନା କରିଛ, ସେଗୁଡ଼ିକ ସେଠାରେ ରଖ।”

ତେଣୁ ଯିହୋଶୂୟ ବାରଟି ଗୋଷ୍ଠୀବର୍ଗରୁ ବାର ଜଣଙ୍କୁ ବାଛିଲେ। ପ୍ରତ୍ୟେକ ଗୋଷ୍ଠୀବର୍ଗରୁ ଜଣେ। ତା'ପରେ ସେ ସେହି ବାର ଜଣ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର କଲେ। ଯିହୋଶୂୟ ସେହି ବାର ଜଣ ଲୋକଙ୍କୁ କହିଲେ, “ଯର୍ଦ୍ଦନ ନଦୀର ମଝିକୁ ଯାଅ ଯେଉଁଠାରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଠିଆ ହୋଇ ଥିଲେ, ତୁମ୍ଭେମାନେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସେଠାରୁ ତୁମ୍ଭେମାନେ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଶିଳା ତୁମ୍ଭ କାନ୍ଧରେ ବହି ଆଣିବ। ସେହି ଶିଳାଗୁଡ଼ିକ ତୁମ୍ଭମାନଙ୍କର ଏକ ପ୍ରତୀକ ହୋଇ ରହିବ। ଭବିଷ୍ୟତରେ ଯେତେବେଳେ ତୁମ୍ଭର ପିଲାମାନେ ଉତ୍ସୁକ ହୋଇ ତୁମ୍ଭକୁ ପଗ୍ଭରିବେ, ‘ଏହି ପଥରଗୁଡ଼ିକ ତୁମ୍ଭ ପାଇଁ କ’ଣ?’ ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”

ତେଣୁ ଇସ୍ରାଏଲ ଲୋକମାନେ ଯିହୋଶୂୟଙ୍କର ନିର୍ଦ୍ଦେଶ ମାନିଲେ। ସେମାନେ ସେହି ବାର ଖଣ୍ତ ଶିଳାଗୁଡ଼ିକୁ ନଦୀ ଶଯ୍ୟାରୁ ଆଣିଲେ। ସଦାପ୍ରଭୁ ଯିହୋଶୂୟଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସେମାନଙ୍କ ସହିତ ଶିଳାଖଣ୍ତ ବହିଲେ। ଏବଂ ସେମାନେ ଯେଉଁଠାରେ ରାତ୍ରି ଯାପନ କରନ୍ତି, ସେଠାରେ ଶିଳାଖଣ୍ଡକୁ ରଖନ୍ତି। ଯିହୋଶୂୟ ଯର୍ଦ୍ଦନ ନଦୀର ମଝିରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠାରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ଧରି ଠିଆ ହୋଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ପଥରଖଣ୍ତଗୁଡ଼ିକ ସେହି ସ୍ଥାନରେ ଅଛି।

10 ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମୋଶା ଯିହୋଶୂୟଙ୍କୁ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦୁକ ବହୁଥିଲେ, ସମସ୍ତ ଇସ୍ରାଏଲ ଲୋକମାନେ ନଦୀ ପାର ନ ହେବା ପର୍ଯ୍ୟନ୍ତ, ସେମାନେ ସେହି ନଦୀ ଶଯ୍ୟାରେ ଠିଆ ହୋଇ ରହିଲେ। 11 ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।

12 ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ[a] 13 ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ।

14 ସେହି ଦିନ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଆଗରେ ଯିହୋଶୂୟଙ୍କୁ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମୋଶାଙ୍କୁ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସେହିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।

15 ଯେତେବେଳେ ଯାଜକମାନେ ନିୟମ-ସିନ୍ଦୁକ ନଦୀ ମଧ୍ୟରେ ପାର କରୁଥିଲେ ସେ ସମୟରେ ସେମାନେ ନଦୀରେ ଛିଡ଼ା ହୋଇଥିଲେ, ସେ ସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, 16 “ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ଯର୍ଦ୍ଦନ ନଦୀ ମଧ୍ୟରୁ ବାହାରକୁ ଆସିବା ପାଇଁ।”

17 ତେଣୁ ଯିହୋଶୂୟ ନିର୍ଦ୍ଦେଶ ଦେଇ ଯାଜକମାନଙ୍କୁ, କହିଲେ, “ଯର୍ଦ୍ଦନ ନଦୀରୁ ବାହାରକୁ ଆସ।”

18 ଯାଜକମାନେ ଯିହୋଶୂୟଙ୍କୁ ମାନିଲେ। ସେମାନେ ସେହି ପବିତ୍ର ସିନ୍ଦୁକକୁ ଧରି ନଦୀରୁ କୂଳକୁ ଆସିଲେ। ଯେତେବେଳେ ଯାଜକମାନଙ୍କର ପାଦ ନଦୀରୁ ବାହାରି ଆସିଲା, ଯର୍ଦ୍ଦନ ନଦୀ ପୂର୍ବପରି ବହିବାକୁ ଲାଗିଲା। ଏହି ନଦୀ ପୂର୍ବପରି ତା'ର କୂଳ ଲଙ୍ଘନ କଲା।

19 ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗି‌ଲ୍‌ଗ‌ଲ୍‌ଠାରେ ଛାଉଣି ସ୍ଥାପନ କଲେ। 20 ସେମାନେ ଯର୍ଦ୍ଦନରୁ ଆଣିଥିବା ସେହି ବାରଟି ଶିଳାଖଣ୍ଡକୁ ଯିହୋଶୂୟ ଗି‌ଲ୍‌ଗ‌ଲ୍‌ଠାରେ ସ୍ଥାପନ କଲେ। 21 ତା'ପରେ ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଭବିଷ୍ୟତରେ ତୁମ୍ଭର ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପଗ୍ଭରିବେ, ‘ଏ ପଥରଗୁଡ଼ିକ କ’ଣ?’ 22 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ। 23 ଆମ୍ଭେମାନେ ପାର ହେବାଯାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ଶକ୍ତିବଳରେ ସୂଫସାଗର ଶୁଷ୍କ କରିଥିଲେ, ସେହିପରି ତୁମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନ ନଦୀ ଶୁଷ୍କ କଲେ।’ 24 ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।”

ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।

ଇସ୍ରାଏଲୀୟମାନେ ସୁନ୍ନତ ହେଲେ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ତିଆରି କରି ଆଉ ଥରେ ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।”

ତେଣୁ ଯିହୋଶୂୟ ଛୁରୀମାନ ତିଆରି କରି ଗିବିୟୋତ ହ‌ର୍‌ଲୋତ୍[b] ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣଙ୍କର ସୁନ୍ନତ କରାଇଲେ।

4-7 ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ପରେ ଇସ୍ରାଏଲର ସମସ୍ତ ଲୋକ ଯାତ୍ରା କରୁଥିବା ବେଳେ ମରୁଭୂମିରେ ମୃତ୍ୟୁବରଣ କଲେ। ସେମାନେ ସମସ୍ତେ ଯୋଦ୍ଧା ଥିଲେ ଓ ସୁନ୍ନତ ହୋଇଥିଲେ। କିନ୍ତୁ ମିଶର ଛାଡ଼ିବା ପରେ ମରୁଭୂମିରେ ଜନ୍ମ ହୋଇଥିବା ଇସ୍ରାଏଲୀୟମାନେ ସୁନ୍ନତ ହୋଇ ନ ଥିଲେ। ଯେହେତୁ ଲୋକମାନେ ସଦାପ୍ରଭୁଙ୍କ କଥା ମାନିଲେ ନାହିଁ। ତେଣୁ ସେମାନଙ୍କୁ ପ୍ରତିଜ୍ଞା କରାଯାଇଥିବା ଦେଶ ସେମାନେ ଦେଖି ପାରିଲେ ନାହିଁ ଏବଂ ଦୀର୍ଘ ଗ୍ଭଳିଶ୍ ବର୍ଷ ଯାଏ ସମସ୍ତ ଯୋଦ୍ଧା ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ମରୁଭୂମିରେ ଘୁରି ବୁଲିଲେ। ସଦାପ୍ରଭୁ ସେମାନଙ୍କୁ “ଉର୍ବର ଓ ଦୁ‌ଗ୍‌ଧମଧୁପ୍ରବାହୀତ ଦେଶ” ନ ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସେମାନଙ୍କର ପୂର୍ବପୁରୁଷଗଣଙ୍କଠାରେ ଆମ୍ଭକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ ସେମାନଙ୍କର ପୁତ୍ରଗଣ ସେମାନଙ୍କର ମୃତ୍ୟୁପରେ ସେମାନଙ୍କର ଜାଗାଗୁଡ଼ିକ ନେଇଗଲେ। ସେମାନେ ବାଟରେ ସୁନ୍ନତ ହୋଇ ନ ଥିଲେ, ତେଣୁ ସେମାନେ ରାସ୍ତାରେ ଯିହୋଶୂୟଙ୍କ ଦ୍ୱାରା ସୁନ୍ନତ ହେଲେ।

ଯିହୋଶୂୟ ସେମାନଙ୍କର ସୁନ୍ନତ ଶେଷ କଲେ। ଲୋକମାନେ ସତେଜ ହେବା ପର୍ଯ୍ୟନ୍ତ ସେମାନଙ୍କର ସ୍ଥାନରେ ରହିଲେ।

କିଣାନରେ ପ୍ରଥମ ନିସ୍ତାରପର୍ବ

ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେମାନେ ମିଶରର ଦାସ ଥିଲ, ଏବଂ ଏହା ତୁମ୍ଭକୁ ଲଜ୍ଜା ଦେଉଥିଲା। କିନ୍ତୁ ଆଜି ମୁଁ ଲଜ୍ଜାକୁ ନିବାରଣ କରିଅଛି।” ତେଣୁ ଯିହୋଶୂୟ ସେ ସ୍ଥାନର ନାମ ଦେଲେ, ଗି‌ଲ୍‌ଗଲ୍, ଏବଂ ସେହି ଗି‌ଲ୍‌ଗଲ୍ ନାମ ଆଜି ମଧ୍ୟ ପ୍ରଚଳିତ ଅଛି।

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। 11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। 12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।

13 ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା'ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା'ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”

14 ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।”

ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”

15 ସଦାପ୍ରଭୁଙ୍କର ସୈନ୍ୟଦଳର ସେନାପତି ଉତ୍ତର ଦେଲେ, “ତୁମ୍ଭ ପାଦରୁ ପାଦୂକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଛିଡ଼ା ହୋଇଅଛ, ସେ ସ୍ଥାନ ପବିତ୍ର।” ତେଣୁ ଯିହୋଶୂୟ ସେହିପରି କଲେ।

Footnotes

  1. ଯିହୋଶୂୟଙ୍କର ପୁସ୍ତକ 4:12 ରୁବେନ୍ … କହିଲେ ସଦାପ୍ରଭୁଙ୍କର ପ୍ରତିଜ୍ଞାକୃତ ଦେଶକୁ ନେବା ପାଇଁ ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ।
  2. ଯିହୋଶୂୟଙ୍କର ପୁସ୍ତକ 5:3 ଗିବିୟୋତ ହ‌ର୍‌ଲୋତ୍ ଏହି ନାମର ଅର୍ଥ “ସୁନ୍ନତ ପର୍ବତ।”