Add parallel Print Page Options

ଯୀଶୁଙ୍କ ମନ୍ଦିର ପରିସର ପରିଷ୍କାର

(ମାଥିଉ 21:12-13; ମାର୍କ 11:15-17; ଲୂକ 19:45-46)

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଆସୁଥିଲା। ତେଣୁ ଯୀଶୁ ଯିରୁଶାଲମକୁ ଗଲେ। 14 ସେହି ମନ୍ଦିର ପରିସରରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତେକ ଲୋକଙ୍କୁ ସେ ଟେବୁଲ ପାଖରେ ବସିଥିବାର ଦେଖିଲେ। ସେହି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ୟବସାୟ କରୁଥିଲେ। 15 ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଚାବୁକ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ମେଜଗୁଡ଼ିକ ଓଲଟେଇ ଦେଲେ। 16 ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”

17 ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ:

“ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିବ।”(A)

18 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭକୁ ପରମେଶ୍ବରଙ୍କଠାରୁ ଚିହ୍ନ ସ୍ୱରୂପେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରି ଦେଖାଅ। ପ୍ରମାଣିତ କର ଯେ, ଏସବୁ କରିବା ପାଇଁ ତୁମ୍ଭର ଅଧିକାର ଅଛି।”

19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଏହି ମନ୍ଦିରକୁ ନଷ୍ଟ କରି ଦିଅ, ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରିଦେବି।”

20 ସେଥିରେ ଯିହୂଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛୟାଳିଶ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତରେ ବିଶ୍ୱାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧ୍ୟରେ ପୁନର୍ବାର ନିର୍ମାଣ କରି ଦେବ?”

21 କିନ୍ତୁ ଯେତବେଳେ ଯୀଶୁ “ଏହି ମନ୍ଦିର” କହିଲେ, ସେତେବେଳେ ସେ ଆପଣା ଶରୀରରୂପ ମନ୍ଦିର ସମ୍ଵନ୍ଧରେ କହୁଥିଲେ। 22 ଏଣୁ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ସେ ଏହା କହିଥିଲେ ବୋଲି ସ୍ମରଣ କଲେ। ତେଣୁ ତାହାଙ୍କର ଶିଷ୍ୟମାନେ ତାହାଙ୍କ ବିଷୟରେ ଶାସ୍ତ୍ରରେ ଯାହା ଲେଖାଥିଲା ଓ ଯୀଶୁ ଯାହା କହିଥିଲେ, ସେସବୁ କଥା ବିଶ୍ୱାସ କଲେ।

Read full chapter