ଯାତ୍ରାପୁସ୍ତକ 3:1-12
Odia Holy Bible: Easy-to-Read Version
ଜ୍ୱଳନ୍ତା ବୁଦା
3 ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା। 2 ସେହି ପର୍ବତରେ, ମୋଶା ଦେଖିଲେ ସଦାପ୍ରଭୁଙ୍କର ଦୂତ ଏକ ଜ୍ୱଳନ୍ତା ବୁଦା ମଧ୍ୟରେ ଥିଲେ।
ମୋଶା ଦେଖିଲେ, ବୁଦାରେ ଅଗ୍ନି ଲାଗି ଥିଲେ ମଧ୍ୟ ତାହା ଧ୍ୱଂସ ହେଉ ନ ଥିଲା। 3 ତେଣୁ ମୋଶା ନିଶ୍ଚିତ କଲେ, ସେହି ବୁଦା ପାଖକୁ ଯାଇ ଅଦ୍ଭୂତ ଦୃଶ୍ୟ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁରେ ଜଳି ମଧ୍ୟ ନଷ୍ଟ ହେଉ ନାହିଁ?
4 ସଦାପ୍ରଭୁ ଦେଖିଲେ, ମୋଶା ବୁଦା ଆଡ଼କୁ ଆସୁଛନ୍ତି। ତେଣୁ ପରମେଶ୍ୱର ବୁଦା ମଧ୍ୟରୁ ମୋଶାଙ୍କୁ ଡାକିଲେ, ପରମେଶ୍ୱର କହିଲେ, “ମୋଶା, ମୋଶା!”
ମୋଶା କହିଲେ, “ହଁ ଆଜ୍ଞା, ସଦାପ୍ରଭୁ।”
5 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭର ଅଧିକ ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼ି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି ଅଟେ। 6 ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ୱର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ୱର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ୱର ଅଟୁ।”
ମୋଶା ପରମେଶ୍ୱରଙ୍କୁ ଦେଖି ଭୟରେ ତାଙ୍କର ମୁହଁ ଆବୃତ କଲେ।
7 ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ। 8 ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ। 9 ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି। 10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ରେରଣ କରିବା। ଯାଅ! ଆମ୍ଭର ଲୋକମାନଙ୍କୁ ଆଗେଇ ନିଅ, ଇସ୍ରାଏଲୀୟମାନଙ୍କୁ ମିଶର ମଧ୍ୟରୁ ଆଗେଇ ନେଇଯାଅ!”
11 କିନ୍ତୁ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ ଫାରୋ ନିକଟକୁ ଯିବା ପାଇଁ କିଏ? କିପରି ମୁଁ ଇସ୍ରାଏଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?”
12 ତା'ପରେ ପରମେଶ୍ୱର କହିଲେ, “ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବା! ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭେମାନେ ଏହି ପର୍ବତରେ ଆମ୍ଭର ଉପାସନା କରିବ।”
Read full chapter2010 by Bible League International